Unknown

 

 

 

 

 

 

 

 

 

 

ଓଡ଼ିଆ ସାହିତ୍ୟର ଆଗପଛ

(ଲେଖକ ଓ ପାଠକ ପୁସ୍ତକର ଦ୍ୱିତୀୟ ଭାଗ)

ରାଜକିଶୋର ପଟ୍ଟନାୟକ

 

 

 

 

 

 

 

 

 

 

 

ପ୍ରଜାତନ୍ତ୍ର ପ୍ରଚାର ସମିତିର ଊଣେଇଶ ଶହ ତେସ୍ତରୀ

ମସିହାର ବିଷୁବ ମିଳନ ଉପଲକ୍ଷରେ

ଲେଖକର ଶ୍ରଦ୍ଧାଞ୍ଜଳୀ

 

ଲେଖକଙ୍କ ରଚିତ ପୁସ୍ତକମାନଙ୍କର ରଚନାକାଳ

 

୧.

ପଞ୍ଜୁରୀ ପକ୍ଷୀ

୧୯୩୬

୨.

ପ୍ରେମର ନିୟତି

୧୯୩୭

୩.

ସିନ୍ଦୂରଗାର

୧୯୩୭

୪.

ଅସରନ୍ତି

୧୯୩୮

୫.

ତୁଠ ପଥର

୧୯୩୮

୬.

ହୃଦୟର ବନ୍ଧନ

୧୯୩୯

୭.

ପଥୁକି

୧୯୩୯

୮.

ସ୍ମୃତିର ମଣାଣି

୧୯୪୩

୯.

ସପନ କୁହୁଡ଼ି

୧୯୪୫

୧୦.

ନିଶାଣଖୁଣ୍ଟା

୧୯୪୫

୧୧.

ବିରହିଣୀ

୧୯୪୫

୧୨.

ଶାଳଗ୍ରାମ

୧୯୫୩

୧୩.

ଭସାମେଘ

୧୯୫୪

୧୪.

ସଞ୍ଜବତୀ

୧୯୫୪

୧୫.

ପ୍ରେମିକର ଡାଏରୀ

୧୯୫୫

୧୬.

ଚଲାବାଟ

୧୯୫୭

୧୭.

କଳ୍ପନାର ଫୁଲ

୧୯୫୮

୧୮.

କଜଳଗାର

୧୯୫୯

୧୯.

ଅଷ୍ଟମୀଚାନ୍ଦ

୧୯୫୯

୨୦.

କଳାପରଦା

୧୯୫୯

୨୧.

ପଥରଢିମା

୧୯୬୦

୨୨.

ସକାଳ କୁହୁଡ଼ି (ଜୀବନର ମଦିରାର ୧ମ ଭାଗ)

୧୯୭୦

୨୩.

ଲେଖକ ଓ ପାଠକ (୧ମ ଭାଗ)

୧୯୭୧

୨୪.

ହାଟ ସଉଦା

୧୯୭୧

୨୫.

ଲେଖକ ଓ ପାଠକ (୨ୟ ଭାଗ) ବା ଓଡ଼ିଆ ସାହିତ୍ୟର ଆଗପଛ

୧୯୭୩

୨୬.

ଅନ୍ୟାନ୍ୟ ପୁସ୍ତକ

ଅସଂପୂର୍ଣ୍ଣ

☆☆☆

 

 

 

 

 

 

 

 

 

ଲେଖକ ଓ ପାଠକ ବହିର

ପ୍ରଥମଭାଗ ପ୍ରକାଶିତ ହେବା ପରେ

ପ୍ରକାଶ ପାଇଥିବା ଗୋଟିଏ ମତ

ଦୈନିକ ମାତୃଭୂମିର ଗ୍ରନ୍ଥ–ସମୀକ୍ଷା

(ତାରିଖ ବାଇଶି ନଭେମ୍ବର ଏକସ୍ତରୀ ମସିହା)

 

ଲେଖକ ଓ ପାଠକ

ଲେଖକ–ଶ୍ରୀ ରାଜକିଶୋର ପଟ୍ଟନାୟକ

 

ଏହି ଗ୍ରନ୍ଥଟି ବିଭିନ୍ନ ଖଣ୍ଡରେ ପ୍ରକାଶ କରାଯିବ ବୋଲି କୁହାଯାଇଛି । ଏହାର ପ୍ରଥମ ଖଣ୍ଡ ପ୍ରକାଶ ପାଇବା ପରେ କଟକର ବହି ବଜାରରେ କିଛିଟା ଚାଞ୍ଚଲ୍ୟ ଲକ୍ଷ୍ୟ କରାଯାଇଛି । ତା’ର କାରଣ ହେଲା, ଏ ପୁସ୍ତକଟିରେ କୌଣସି ନିର୍ଦ୍ଦିଷ୍ଟ,ଧାରାବାହିକ ବିଷୟବସ୍ତୁ ପରିବର୍ତ୍ତେ ସାହିତ୍ୟ ଜଗତର ବହୁ ଘଟଣା-ଦୁର୍ଘଟଣା, ବାଦ, ବିସମ୍ବାଦ ଲେଖକ, ପାଠକ ଓ ପ୍ରକାଶକ ମାନଙ୍କର ସମସ୍ୟା ଏବଂ ଏମାନଙ୍କର ପାରିସ୍ପରିକ ସମ୍ବନ୍ଧ ସଂକ୍ରାନ୍ତରେ କେତେକ ଷ୍ପଷ୍ଟ ମତାମତ ପ୍ରକାଶ କରାଯାଇଛି । ତା’ଛଡ଼ା ପୁସ୍ତକଟିର ରଚନା ଶୈଳୀରେ ରାଜୁବାବୁଙ୍କ ସ୍ୱଭାବସୁଲଭ ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀର ଏକ ଦୁର୍ଲ୍ଲଭ ପରିପ୍ରକାଶ ଘଟିଛି । ବହିଟି ପଢ଼ିବାବେଳେ ମନେ ହେବ, ସତେ ଯେପରି ରାଜୁବାବୁ ବାଲୁବଜାର ବାଙ୍କାବଜାର ଭିତରେ ଚାଲୁ ଚାଲୁ ପାଠକଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି ।

 

ପୁସ୍ତକଟିରେ ନାନା ଘଟଣା ଏବଂ ବହୁ ପ୍ରକାଶକ ଓ ଲେଖକଙ୍କ ସମ୍ପର୍କରେ ବିଦ୍ରୂପାତ୍ମକ ସ୍ପଷ୍ଟୋକ୍ତି ମାନ ରହିଥିଲେ ମଧ୍ୟ ତାହା ବିଶେଷ ଆଘାତଦାୟକ ହୋଇ ନାହିଁ । ଏ ବହିଟି ସମ୍ପର୍କରେ ସ୍ୱୟଂ ଲେଖକ କହିଛନ୍ତି ଯେ, ଲେଖକ ହିସାବରେ ପାଠକଙ୍କ କଥା ଓ ପାଠକ ହିସାବରେ ଲେଖକଙ୍କ କଥା ଯାହା ବୁଝିଲି, ସେତିକି ଲେଖିଛି । ସମସ୍ତଙ୍କୁ ସମସ୍ତଙ୍କ ବିଷୟରେ ନିଃସଙ୍କୋଚରେ ସ୍ପଷ୍ଟ ମତାମତ ପ୍ରକାଶ ପାଇଁ ପ୍ରରୋଚିତ କରିବା ଉଦ୍ଦେଶ୍ୟରେ ଓଡ଼ିଆ ଆଲୋଚନାର ପ୍ରଚଳିତ ଧାରାରୁ ବ୍ୟତିକ୍ରମ କରି ଏ ପୁସ୍ତକଟି ଲେଖାଯାଇଛି ।

 

ଲେଖକ ନିଜେ ଜଣେ ପ୍ରକାଶକ ହୋଇଥିବାରୁ ପ୍ରକାଶକମାନଙ୍କ କଥା ବହି ବଜାରର ପରିସ୍ଥିତି ବିଷୟରେ ନାନା ମୂଲ୍ୟବାନ ତଥ୍ୟ, ତତ୍ତ୍ୱ ଓ ପ୍ରଶ୍ନର ଅବତାରଣା ଏଥିରେ କରିଛନ୍ତି । ମୋଟ ଉପରେ ଏହା ଯେପରି ଉପାଦେୟ, ସେହିପରି ଇଣ୍ଟରେଷ୍ଟିଂ ହୋଇପାରିଛି । ତେବେ ଆଲୋଚନା ସବୁକ୍ଷେତ୍ରରେ ସେତେ ଗାମ୍ଭୀର୍ଯ୍ୟପୂର୍ଣ୍ଣ ହୋଇପାରି ନଥିବା ପରି ମନେ ହେଉଛି । କେତେକ ସ୍ଥଳରେ ସେ ନିଜ ପସନ୍ଦର କେଇଜଣ ଲେଖକଙ୍କୁ ଅଯଥା ଅଧିକ ପ୍ରାଧାନ୍ୟ ଦେବାକୁ ଚେଷ୍ଟା କରିଥିବା ଜଣାପଡ଼େ । ତା’ କରିନଥିଲେ ଖୁବ୍‌ ଭଲ ହୋଇଥାନ୍ତା । ତଥାପି ସାହିତ୍ୟଜଗତର ସବୁଠାରୁ ବଡ଼ ରୋଗ ‘ଛଳନା’ ଏବଂ ଅନ୍ୟର ବହି ନ ପଢ଼ିବାର ଅଭ୍ୟାସ ଉପରେ ସେ ଯେଉଁ ଆଘାତ ହାଣିଛନ୍ତି, ତାହା ଅଭିନନ୍ଦନୀୟ । ବହିଟିର ମୂଲ୍ୟ ଅଧିକ ହୋଇଛି ବେଲି ମନେ କରାଯାଏ-

 

ପ୍ରକାଶକ–ଶାନ୍ତନିବାସ ବାଣୀମନ୍ଦିର, ପୁରୀଘାଟ,କଟକ । ମୂଲ୍ୟ–ଆଠଟଙ୍କା

☆☆☆

 

ଲେଖକ ପରିଚୟ

 

ଜନ୍ମ–ଆଠ ଅପ୍ରେଲ ସତର ମସିହା

ଶତଷଠୀ ନମ୍ବର ଗ୍ରେ ଷ୍ଟ୍ରୀଟ, କଲିକତା

ପିତା–ଶ୍ରୀବତ୍ସ ପଟ୍ଟନାୟକ

ନୂଆଗାଁ, ଭଞ୍ଜନଗର, ଗଞ୍ଜାମ

ମାତା–ଶ୍ରୀମତୀ ସୁନ୍ଦରମଣି ଦେବୀ

ଏରସମା, କଟକ

ଠିକଣା–ପୁରୀଘାଟ ରୋଡ଼, କଟକ–୯

ବ୍ୟବସାୟ–ଆଇନଜୀବୀ

ମନର ଗତି–ନୂଆ କଥା ପାଇଁ ସଂଗ୍ରାମ

ସାହିତ୍ୟରେ ଆଭିମୁଖ୍ୟ–ଓଡ଼ିଆଙ୍କର ସାହିତ୍ୟ ଓଡ଼ିଆଙ୍କ ପାଇଁ ହେଉ

☆☆☆

 

ମୁଁ ବି ଜଣେ ନାଗରିକ

ରାଜକିଶୋର ପଟ୍ଟନାୟକ

 

ବୟସ ଛପନ ପୁରିଗଲାଣି । ଓଡ଼ିଆ ଅଲଗା ପ୍ରଦେଶ ହେଲା ଛତିଶମସିହା ଅପ୍ରେଲରେ । ସେତେବେଳର ଜଣେ ଗ୍ରାଜୁଏଟ୍‌ ଓ ଓଡ଼ିଆ ସାହିତ୍ୟର ଜଣେ ଲେଖକ । ଆଜି ମନରେ ପ୍ରଶ୍ନ ଆସୁଛି–ମୁଁ ବି ଜଣେ ନାଗରିକ ।

 

ଏହି ଛତିଶବର୍ଷ ଭିତରେ କଟକ ସହରରେ ରହି ପାରିଛି । ନିଜର ବୃତ୍ତି, ସଉକ ଓ ମତାମତ ଦେବାର ପ୍ରବୃତ୍ତିକୁ ବୋଧହୁଏ ଅତୁଟ ରଖିପାରିଛି । ଛତିଶିରୁ ସତଚାଳିଶି ମସିହା ଅର୍ଥାତ୍‌ ଓଡ଼ିଶା ପ୍ରଦେଶ ହେବାଠାରୁ ଭାରତ ସ୍ୱାଧୀନ ହେବାଯାଏ ମୋର ଯାହା ମୂଲ୍ୟାୟନ ଥିଲା ସେଥିରେ ଆଜିର ମୂଲ୍ୟାୟନକୁ ମିଶାଇ ପରଖ କଲେ ମନରେ ପ୍ରଶ୍ନ ଆସୁଛି–ମୁଁ ବି ଜଣେ ନାଗରିକ !

 

କିଏ ମନା କଲା ? ମନଇଚ୍ଛା କଥା କହି । ମନ ଅନୁସାରେ ଚଳ । କିନ୍ତୁ ତୁମର ସ୍ୱାଧୀନତା ଆଜି ଜନମତ ଓ ବହୁମତ ପାଖରେ ଅତି ତୁଚ୍ଛ । ତେଣୁ ପ୍ରଶ୍ନ ଆସେ–ଆଜିର ସ୍ୱୟଂସମ୍ପୂର୍ଣ୍ଣ ନିର୍ଭୀକ ନାଗରିକର କ’ଣ ଭବିଷ୍ୟତ୍‌ ଅଛି ? ସେ କ’ଣ ଏମିତି ତାହାର ଜୀବନର ଯାତ୍ରା ପଥରେ ଅତୀତର ସାହସ ଓ ବିଚକ୍ଷଣତା ଓ ନୂଆ କାମ କରିବାର ସୃହା ପାଇଁ ପୁରସ୍କୃତ ହେବ ? –ନା ତିରସ୍କୃତ ହେବ ?

 

ନ୍ୟାୟ ନ ଥିଲେ ପୁରସ୍କାର ମିଳେ ନାହିଁ । ସାମାଜିକ ନ୍ୟାୟ ନ ଥିଲେ ସ୍ୱୀକୃତି ମିଳି ପାରିବ ନାହିଁ । କାରଣ ପ୍ରତିଶ୍ରୁତିର ସ୍ୱୀକୃତି ହେଉଛି ଅତୀତର ମୂଲ୍ୟାୟନ । ଏହାର ନୀତି ନିୟମ ହେଲା ସାମାଜିକ ନ୍ୟାୟ ।

 

ଏହି ଛତିଶବର୍ଷରେ ଦେଖି ପାରୁଛି ଯେ ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଦେହର ଓଜନ ଖାଲି ଯେ କମି ଯାଉଛି ସେତକ ନୁହେଁ ସାମଗ୍ରିକ ଓଜନ ମଧ୍ୟ ଊଣା ହେଇଯାଉଛି ।

 

କାରଣ ମାପ ଓଜନ ଖାଲି ଦୋକାନୀର ପଲା ଓ ଧଡ଼ାରେ ନ ଥାଏ । ଏହା ବିଚାରାଳୟର ବଟକରାରେ ଥାଏ । ବିଭିନ୍ନ ବିଭାଗର କ୍ଷେତ୍ରପତିଙ୍କର ମାପ ଓଜନରେ ଥାଏ ।

 

ଏସବୁ ଗଫଲତି ନ ଥିବ ବୋଲି ତରୁଣ ବୟସର ତାରୁଣ୍ୟରେ ହୃଦ୍‌ବୋଧ ହୋଇଥିଲା-। ଆଜି ଜାଣୁଛି ସେସବୁ ଫାଙ୍କା କଥା । ଆଜି ତେସ୍ତରୀ ମସିହାରେ ଯଦି ପରର ମନରଖା ଓ ମନରୁଚା କଥା କହିବାର ଇଚ୍ଛା ତମର ନ ଥାଏ ତାହାହେଲେ ଆଡ଼େଇ ହେଇଯାଅ-। ସ୍ୱୀକୃତିର ଆଶା ରଖ ନାହିଁ । ସେମିତି ଅଲୋଡ଼ା, ଅପଚରା ହୋଇ ଶୁଖି ଶୁଖି ଝାଉଁଳି ଯାଅ ।

 

ଏହି ଯୋଗ ଚଉଠ ଶତାବ୍ଦୀ ହେଲା ଏକ ଛନ୍ଦରେ ଚାଲିଛି । ପ୍ରତିବର୍ଷ ଦେଖୁଛି ଯେ ମୋର ବୃତ୍ତି ଆଇନ ବ୍ୟବସାୟରେ ଓ ମୋର ସଉକ, ଲେଖାଲେଖିରେ ଓ ମୋର ସହଜାତ ପ୍ରବୃତ୍ତି ସବୁ ବିଷୟରେ କଥା କହିବାରେ–ଅର୍ଥାତ୍‌ ମୋର ଜୀବନର ପ୍ରତ୍ୟେକ ବିଭାଗରେ ନୂଆ କଥା ଘଟୁଛି ।

 

ତୋ’ଠାରୁ ଯିଏ ଛୋଟ, ଯିଏ ଦୂର୍ବଳ, ଯିଏ ଅସମର୍ଥ ସେହିମାନେ ତୋର ମାଲିକ ହେବେ । ଆଉ ତାଙ୍କର ପୋଷା କୁକୁର ତୋରି ଉପରେ ମୁତିବ ।

 

ଏତକ ବେଶ୍‌ ସହିବାକୁ ପଡ଼ୁଛି । ସହି ସହି ମନ ନିର୍ବିକାର ହୋଇଗଲାଣି । ଏବେ ହୀନଜନ ଆସି ବଡ଼େଇ କଲେ ମନ ଭିତରେ ସ୍ପନ୍ଦନ ଆସୁନାହିଁ । କିନ୍ତୁ ଶାରୀରିକ ସାମାର୍ଥ୍ୟ ଆଉ ମାନସିକ ବୋଧଶକ୍ତି ଉନ୍ନତି କରିଛି ।

 

ନିଜକୁ ଆଜିର ପରିବେଶରେ ଥରେ ଥରେ ଓଜନ କଲେ ମନରେ ପ୍ରଶ୍ନ ଆସୁଛି–ସତେ କ’ଣ ମୁଁ ଜଣେ ନାଗରିକ ? ମୋର କ’ଣ ବଞ୍ଚିବାର ଅଧିକାର ଅଛି ? ମୁଁ କ’ଣ କହିବି ଯେ ଦେଶ ଆଗେଇଛି ? ବଞ୍ଚିପାରିଛି ବୋଲି କ’ଣ ସତରେ ଖୁସି ହେଇ ପାରିବି ?

 

ମୋର ପ୍ରଶ୍ନ । ତେଣୁ ମୋର ଉତ୍ତର ହେଉଛି–ପୁରାପୁରି ବ୍ୟର୍ଥତା । ଷୋଳଅଣା ନାସ୍ତିବାଚକ ।

 

କିନ୍ତୁ ଓଡ଼ିଶାର ସଚେତନ ନାଗରିକମାନେ କ’ଣ ଏହି ପ୍ରଶ୍ନ ଓ ଉତ୍ତରର ଏକମତ ହୋଇପାରିବେ ? ଦେଶର ପ୍ରଗତିର ଅର୍ଥ କ’ଣ ବୋଲି ସତରେ କ’ଣ ନିଜକୁ ବୁଝାଇ ପାରିବେ ?

 

[ସାପ୍ତାହିକ ପ୍ରଗତିବାଦୀ, ଦଶ ମାର୍ଚ୍ଚ, ତେସ୍ତରୀ]

☆☆☆

 

ଲେଖକ ଓ ପାଠକ

ଦ୍ୱିତୀୟ ଭାଗ

 

ମନରେ ଯେତେବେଳେ ଯେଉଁ କଥାଟି ଯେପରି ଭାବରେ ଆସିଛି ସେଇ କଥାଟି ସେତେବେଳର ଅସଲ କଥା । ମଣିଷ ସେହି କ୍ଷଣିକ ସତ୍ୟକୁ ସ୍ଥିର ସତ୍ୟ ବୋଲି ମନେକରି ଆଗେଇଯାଏ । ସେ ସଫଳ ହେଲେ ଲୋକେ କହିଥାନ୍ତି ଯେ ଲୋକଟିର ଦୂରଦୃଷ୍ଟି ଅଛି । ସେ ବଡ଼ କଥାକୁ ଫାନ୍ଦ ପକାଇ ଧରିପାରେ । ହାରିଗଲେ ତା’କୁ କହନ୍ତି–ସେ ଖିଆଲବାଜ୍‌ ଲୋକ । ଯାହା ମନକୁ ଆସିଲା ସେଇ କାମ କରିଗଲା । ସେଇ କଥା କହିଗଲା ।

 

ଏଇ ଫଳପ୍ରାପ୍ତି ଉପରେ ମଣିଷର ସବୁ କାମର ବିଚାର ହୋଇଥାଏ । ସାହିତ୍ୟରେ ମଧ୍ୟ ହେବାର କଥା । ଓଡ଼ିଆ ସାହିତ୍ୟରେ ଯେ ନ ହୋଇଛି ତାହା ମଧ୍ୟ ନୁହେଁ । ତେବେ ସେଇ କଥା କେମିତି ବିଚାର ପାଇଛି ତାହାର ସମୀକ୍ଷା ହେବା ଦରକାର । ଆଉ ସେହି ସମୀକ୍ଷା ବହୁତ ଲୋକଙ୍କ ଦ୍ୱାରା ହେବା ମଧ୍ୟ ଦରକାର ।

 

ଏହା ହୋଇ ପାରି ନଥିବାରୁ ଏଠି ଆମର ଓଡ଼ିଆ ସାହିତ୍ୟରେ ବହୁତ ପ୍ରକାରର କଳିକନ୍ଦଳ ଲାଗି ରହୁଛି । ଦଳେ କହୁଛନ୍ତି ଯେ ପୂର୍ବବର୍ତ୍ତୀ ସାଧକଙ୍କର ସାଧନା ପ୍ରତି ଭକ୍ତି ଓ ଶ୍ରଦ୍ଧା ରହିବା ଦରକାର । ଆଉ ଦଳେ କହୁଛନ୍ତି–ଭୁଲି ଯାଅ ସେହି ପୋକକଟା, ଘୁଣଖିଆ ଲେଖକମାନଙ୍କୁ । ସୁବିଧା ବେଳ ପାଇ ସହଜରେ ସେମାନେ ସୁବିଧା ମାରିନେଇଛନ୍ତି । ଆଉ ତାଙ୍କର ନାମ ଉଠାଅ ନାହିଁ ।

 

ସବୁବେଳେ ସବୁଠାରେ ଏଇ ବିବାଦ ଚାଲିଛି । ଥିବା ଲୋକ ତାଙ୍କର ଥାଇତା ଧନକୁ ନେଇ ଥିଲାବାଲା ହେଇ ନିଶ ମୋଡ଼ୁଥିଲାବେଳେ ନୂଆ ଲୋକ ଅଳପ ବୟସ ଓ ଅଳପ ପୁଞ୍ଜିକୁ ନେଇ କେମିତି ନିଜର ନାମଜାରି କରିବ ? ସେଥିପାଇଁ ଗୋଟାଏ ଆପୋଷି ଫଇସଲା ସମସ୍ତେ ମାନି ନିଅନ୍ତି–ଯେ ମଲା, ସେ ଗଲା । ତା’କୁ ପଦେ ଦି’ପଦ ପ୍ରଶଂସା ଶୁଣାଇ ବିଦାୟ କରି ଦିଅ । ବିଚରା ଭିଡ଼ ବା କିଉରୁ ଚାଲିଗଲା । ଆମେ ରହିଥିବା ଲୋକଙ୍କ କଥା ବିଚାରକୁ ନିଅ ।

 

ଏଇଆ ଚାଲେ । ଏଥିରେ ସମସ୍ତେ ରାଜି । ଉପରର ଲୋକ ପେନସନ ନ ପାଇଲେ ତଳବାଲା ଉଠି ପାରିବ ନାହିଁ । ବାପ ନ ଗଲେ ପୁଅ ମୁରବି ହୋଇ ପାରିବ ନାହିଁ । ରାଜା ନ ମଲେ ଯୁବରାଜ ରାଜଗାଦି ପାଇବ ନାହିଁ ।

 

କିନ୍ତୁ ସାହିତ୍ୟରେ ଆଉ ଗୋଟିଏ ସମସ୍ୟା ରହିଛି । ସେଇଟା ହେଲା ସମସାମୟିକ ସମାଜର ଈର୍ଷା ଓ ଅସହଣିଆ ଭାବର କଥା । ରାମ ହରିଠାରୁ ଉପରେ ରହିଯାଉଛି । ହରି ପାରୁ ନାହିଁ । ସେଇଠୁ ହରି ତାରିଫ୍‌ କରେ ତାହାର ବଡ଼ବଡ଼ିଆଙ୍କୁ । ମୋର ସିନା ନିଶ ନାହିଁ । ମୋର ମାଧିଆ ଭାଇର ନିଶ ଅଛି ।

 

ତେଣୁ ଓଡ଼ିଆ ସାହିତ୍ୟର ଗୋଷ୍ଠୀ ବିବାଦ ଏଇ କାରଣକୁ ବୁଢ଼ା ଟୋକା କି ତରୁଣ ପୌଢ଼ ଆଦି ଭାଗ ବିଭାଗ ନ ନେଇ ଗୋଟାଏ ଗୋଟାଏ ପରମ ସୁବିଧାବାଦୀଦଳ ପରି–ନୁହେଁ ଗୁନ୍ଥା କି ନୁହେଁ ଛନ୍ଦା–ହୋଇ ସାହିତ୍ୟ–କହି ଚିଲାଉଛନ୍ତି ।

 

ଠିକ୍‌ ପରିବା ବିକାଳୀ ଅବା ମାଛ ବିକାଳୀର ଡାକ ପରି—ନିଅ ବାବୁ ଶିଙ୍ଗା ଭେଣ୍ଡି, ନହର ଜହ୍ନି, ବାରି ବାଇଗଣ ନଇଲେ ତଟକା ରୋହୀ ମାଛ । ବିକିବା ଯାଏ ଡାକହାକରେ ଉଚ୍ଛ୍ୱାସ-। ବିକି ସାଇଲେ କାମ ଶେଷ । ଓଡ଼ିଆ ସାହିତ୍ୟରେ ଅବା ଯେକୌଣସି ସାହିତ୍ୟରେ ବିକା ସରିବା ଅର୍ଥ ନିଜର ନାମକୁ ନିଜର ସାହିତ୍ୟରେ ଦାଗେଇ ଦବା । ସେଇଠୁ ସେଇ କାମ ଚାଲେ ପଡ଼ୋଶୀ ସାହିତ୍ୟ ଜରିଆରେ ଅର୍ଥାତ୍‌ ପାଖପଡ଼ିଶା ଭାଷାର ସାହିତ୍ୟକଙ୍କର ସାହାଯ୍ୟରେ ନିଜକୁ ଭାରତୀୟ ସ୍ତରରେ ମଞ୍ଜୁର କରାଇ ଆଣିବା ।

 

ଏଇ ମଞ୍ଜୁରୀ ଠିକ୍‌ ସ୍କୁଲ କଲେଜର ମଞ୍ଜୁରୀ ପରି କାମ । ସ୍କୁଲ ହାକିମଙ୍କଠୁ ନେଇ ଶିକ୍ଷା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯାହାକୁ ଯେମିତି ଧରିପଗଡ଼ି କାମ କରାଇ ନେଲେ ନିଜର ସ୍ଥିତି ରହିଲା । ସାହିତ୍ୟ ହେଲା ସ୍ୱୀକୃତିର ଗୋଟିଏ ମାଧ୍ୟମ । ସାହିତ୍ୟ ନିଜର ଖିଆଲର, ହୃଦୟର, ଅବା କଳ୍ପନାର ପ୍ରିୟତମା ହେଇ ପାରିଲା ନାହିଁ । ଏହା ଗୋଟାଏ ଭେକ ।

 

ଯେମିତି ଓକିଲ କି ଡାକ୍ତର ଅବା ନାହାକ କି ବାବାଜୀ ଗୋଟାଏ ଲେଖାଁ ଭେକ ଧରି ନିଅନ୍ତି । କଳା କୋଟ, ଗାଉନ, ଷ୍ଟେଥୋ ଅବା ଆଧୁନିକ ବ୍ୟାଗ୍‌ କିମ୍ବା ପାଞ୍ଜି ଅବା ରୁଦ୍ରାକ୍ଷ, ଭସ୍ମ କି ଚିମୁଟା କମଣ୍ଡଳୁ ନ ଥାଇ ସେଇ ବୃତ୍ତି ନିଆଗଲେ ଠିକ୍‍ ମାନେ ନାହିଁ । ସେମିତି ସାହିତ୍ୟରେ ଅପରକୁ ଦାନ୍ତ ଦେଖାଇବା ବା ଦାନ୍ତ ନିକୁଟିବା ଭେକ ଛାଡ଼ିଲେ ସାହିତ୍ୟିକ ହେଇ ହୁଏ ନାହିଁ ।

 

ଅବଶ୍ୟ ସବୁ ସାହିତ୍ୟିକ ଏଇ ଦାନ୍ତ ନିକୁଟା ଅବା ଦାନ୍ତ ଦେଖା କାମରେ ପୂରା ପାରିଲାର ନୁହନ୍ତି । କିନ୍ତୁ ମନ ଭିତରେ ଥାଏ ଯେ ମନର ଭାବକୁ ଲୁଚାଇ ଅପରକୁ ଖୋସାମଦ ଅନୁସରଣ କରି ସେହି ଖୋସାମଦ୍‌ ଓ ଅନୁସରଣର ପ୍ରତିବିମ୍ବ ଓ ପ୍ରତିଧ୍ୱନିକୁ ବଡ଼ତି ଆଣିବାରେ ଯୋଗ କରି ଦେବା ।

 

କଥାଟା ହେଉଛି ଆଧୁନିକ ସହରୀ ଦୋକାନର ଆଇନାଦିଆ କାନ୍ଥ ପରି । ଘର ଚଉଡ଼ା ଚାରିହାତ ଓ ମଝିରେ ଗୋଟିଏ ହାତେ ଚଉଡ଼ାର ସେଲଫ୍‌ । କିନ୍ତୁ ଘରର ଦୁଇପାଖ କାନ୍ଥରେ ଦର୍ପଣ ଖଞ୍ଜା କାନ୍ଥ ସାମିଲରେ ପୁରା ଘରଟା ରହିଥିଲେ ଦର୍ପଣର ପ୍ରତିବିମ୍ବ ପ୍ରତି ଫଳିତ ହୋଇ ଘର ଦିଶିବ ବାରହାତ ଚଉଦ ହାତ ଚଉଡ଼ା । ଗରାଖ ଟାଣି ହୋଇ ଆସିବେ ।

 

ସାହିତ୍ୟର ସୃଷ୍ଟିରେ ଏଇ ଇଲମ୍‌ ପୂରା କାମ ଦିଏ ନାହିଁ । କିନ୍ତୁ ସାହିତ୍ୟିକର ସ୍ୱୀକୃତିରେ ଏଇ ଉପାୟ ପୂରା ଯଶ ଯୋଗାଇଥାଏ ଆଗେ ଯେମିତି ଥିଲା–ଏବେ ସେମିତି ଅଛି ।

 

କବିବର ରାଧାନାଥଙ୍କ ଯୁଗରେ ଥିଲା ଏଇପରି ଗୋଟିଏ କଥା ପ୍ରଥମ ସ୍ୱୀକୃତି ପାଇଁ ଗୋଟାଏ ରାଜା ବା ମହାରାଜାଙ୍କର ଦରବାର ଦରକାର । ତାଙ୍କୁ ବହିଟି ଉତ୍ସର୍ଗ କରାଯିବ । ସେଇ ରାଜା ମହାରାଜାଙ୍କର ପ୍ରଶସ୍ତି ଲେଖିବାକୁ ହେବ । ସେଇଠୁ ସ୍ୱୀକୃତି ମିଳିଲେ ସେଇଟା ହେଲା ଦେଶର ସୁଧୀ ସମାଜର ସ୍ୱୀକୃତି ।

 

ଏଣେ ଓଡ଼ିଶା ଥିଲା ଖାଲି ରାଜାରେ ଭରା । ତେଣୁ ବିଭିନ୍ନ ଲେଖାକୁ ବିଭିନ୍ନ ରାଜାଙ୍କୁ ବନ୍ଦେଇ ଦେବା ଛଡ଼ା ଅନ୍ୟ ଉପାୟ ନ ଥିଲା । ଏମିତି କରିଥିଲେ କବିଶେଖର ଚିନ୍ତାମଣି ଅବା ଭାଷାକୋଷ ପ୍ରଣେତା ପ୍ରହରାଜ । ଆଉ ଉଣା ଅଧିକେ ଅନ୍ୟମାନେ ମଧ୍ୟ କରୁଥିଲେ ।

 

ସମସ୍ତେ ଦୃଷ୍ଟି ଆକର୍ଷଣ କରି ପାରୁ ନ ଥିଲେ । କାରଣ ସମକାଳୀନ ସମାଜର କ୍ଷେତ୍ରପତିଙ୍କ ଦୃଷ୍ଟିରେ ଅବା ଶୁଭଦୃଷ୍ଟିରେ ପଡ଼ିବା ଗୋଟାଏ ବିଶେଷ ଭାଗ୍ୟ ଓ ବିଶେଷ ଯୋଗ । ଯେଉଁମାନେ ଏହି ପ୍ରକାରର ସୁବିଧା ପାଉ ନଥିଲେ ସେହି ଅଭାଗା ସାହିତ୍ୟିକମାନେ ଆଞ୍ଚଳିକ ଅବା ଗାଉଁଲୀ ଲେଖକ ହୋଇ ରହିଯାଉଥିଲେ ।

 

ଆମର ପୂର୍ବଶୁରୀମାନଙ୍କର ବିଚାର କଲାବେଳେ ଏହି ଦିଗଟିକୁ ସମୀକ୍ଷକର ଦୃଷ୍ଟିରେ ନ ଆଣିଲେ ଆମର ବିଚାର ଭୁଲ୍‌ । ସେତକ କରିବାକୁ ସମୀକ୍ଷକର ସାହସ ଦରକାର । କାରଣ ଲୋକେ ହଠାତ୍‌ ଆଲୁଅ ଦେଖିଲେ ଜଳକା ହେଇ ହାଉଳି ଖାଇବେ । ଆଉ ସେହି ପ୍ରତିଷ୍ଠିତ ଲୋକର ପୁଅ, ନାତି, ଅଣନାତି ଉଠି ଆସିବେ ଲଉଡ଼ି ଖେଳ ଦେଖାଇବା ପାଇଁ । ତେଣୁ ସମୀକ୍ଷକ ବିଚାରକ ନ ହୋଇ ଅତ୍ୟନ୍ତ ଭୟରେ କେବଳ ସ୍ତାବକ ପାଲଟେ ।

 

ସମୀକ୍ଷକମାନେ ପ୍ରଥମେ ନିଜର ପରିଚୟ ଦେଇ କହନ୍ତି–ଆମେ ମହୁମାଛି । ଆମେ ମାଛିକାମ କରୁନାହିଁ । କିନ୍ତୁ ମାଛ ଓ ମହୁମାଛିର ମାର୍ମ୍ମିକ ବିଚାର କରିବାର ଅଧିକାର ସାହିତ୍ୟିକକୁ ଅବା ସାହିତ୍ୟର ସମୀକ୍ଷକକୁ କିଏ ଦେଲା ? –ଆଉ କାହିଁକି ଦେବ ?

 

ଏଇ ଭଣ୍ଡ ସମୀକ୍ଷକମାନେ ନିଜର ଭଣ୍ଡାମିର ଗୋଟିଏ ଆଖି ରୁଚିଆ ଛବି ଦେଖାଇବାକୁ ଯାଇ ସାହିତ୍ୟକୁ ଗୋଟାଏ ଭଣ୍ଡପୁର କରି ଦେଉଛନ୍ତି । ଏଇମାନଙ୍କର ଉତ୍ପାତରେ ଓଡ଼ିଆ ସାହିତ୍ୟ ବସି ଯାଉଛି ତଳ ପାହାଚରେ ।

 

ଯେଉଁ ସମୀକ୍ଷକମାନେ ନୂଆ ଭାବ, ନୂଆ କଥା ଅବା ନୂଆ ମୂଲ୍ୟକୁ ଗ୍ରହଣ କରିବାକୁ ନାରାଜ ସେମାନେ ସାହିତ୍ୟର ସମୀକ୍ଷାରୁ ଅପସରି ଯିବା ଉଚିତ୍‌ । ସେହି ପ୍ରକାରର ସମୀକ୍ଷକମାନେ ସାହିତ୍ୟର ଶତ୍ରୁ ।

 

ଯେମିତି ଓକିଲମାନେ ନ୍ୟାୟକୁ ଅନ୍ୟାୟର ଓ ଅନୀତିର ଭେଜାଲ ଦରବ କରିବାରେ ଗୋଟିଏ ପ୍ରଧାନ ସଂସ୍ଥା ଅବା ରାଜନୀତିର ଲୋକେ ମଣିଷର ନୈତିକ ଜୀବନକୁ ଅପପ୍ରଚାରରେ ବିଭଙ୍ଗ ନଷ୍ଟ କରିବାରେ ପ୍ରଧାନ ଅସ୍ତ୍ର–ଠିକ୍‌ ସେହିପରି ଓଡ଼ିଆ ସାହିତ୍ୟକୁ ଦିନକୁ ଦିନ ପଛକୁ ଟାଣିବାରେ ଏଇ ଓଡ଼ିଆ ସାହିତ୍ୟର ସମୀକ୍ଷକମାନେ ଦାୟୀ ।

 

ବିଶେଷରେ ଏଇ ଦଶବର୍ଷ ଅର୍ଥାତ୍‌ ବାଷଠୀରୁ–ବାସ୍ତରୀ ଭିତରେ ଓଡ଼ିଆ ସାହିତ୍ୟରେ ସମୀକ୍ଷା ଆରମ୍ଭ ହୋଇଛି । ଆଉ ସମୀକ୍ଷକମାନେ ଚଳିତ ଯୁଗର ସାହିତ୍ୟ ସୃଷ୍ଟିର ସରସତାରେ ନିଜେ ଚକିତ ଓ ବିସ୍ମିତ ହୋଇ ଆଧୁନିକ ସୃଷ୍ଟିକୁ ବାଦ ଦେଇ ପଛଆ କଥାରେ ମାତିଛନ୍ତି ।

 

ଏଇ ମତକୁ ଆପେକ୍ଷିକ ଭାବରେ ସତ ବୋଲି ଧରାଗଲେ ବୁଝିବାକୁ ହେବ ଯେ ଓଡ଼ିଆ ସାହିତ୍ୟରେ ବ୍ୟକ୍ତିଗତ ପରଶ୍ରୀକାତରତା ଓ ହୀନମନ୍ୟତା ସାହିତ୍ୟ ସୃଷ୍ଟିର ଗୋଟାଏ ପ୍ରଧାନ ଉପକରଣ । ନୂଆ ହୋଇ ସାହିତ୍ୟ ସୃଷ୍ଟି ହେଉଥିବାରୁ ଏମିତି ହେବାର କଥା ।

 

ସମସ୍ତେ ବିଦ୍ୟାୟତନର ମନଚୋର ଓ ମୁହଁଚୋର ଛାତ୍ରଙ୍କ ପରି ଅଧ୍ୟକ୍ଷ ଓ ଅଧ୍ୟାପକଙ୍କର ମନ ନେବା ପାଇଁ କଥା, କାମ, ବେଶଭୁଷା ବଦଳାଇ ଦେଇ ଗୋଟିଏ ବୃତ୍ତିର ଆଭିମୁଖ୍ୟ ନେଇ ଗୋପନ ଚରିତ୍ର ଲିପିର ଉନ୍ନୟନ କାମରେ ଲାଗି ଯାଉଛନ୍ତି । ତେଣୁ ସାହିତ୍ୟଟି ସାହିତ୍ୟିକଙ୍କ ହାତରେ ନ ରହି ହାଟର ପସରା ଓ ପାଲ ତଳେ ରହିଯାଇଛି ।

 

ୟା’କୁ ଦୋକାନୀମାନେ କରୁ ନାହାନ୍ତି । ଖୋଦ ସାହିତ୍ୟିକମାନେ କରି ଯାଉଛନ୍ତି । ବାସ୍ତରୀ ମସିହାରେ ଉତ୍କଳ ସାହିତ୍ୟ ସମାଜର ହୀରକ ଜୟନ୍ତୀ ହେଲା । କଟକରେ ଏଇ ସମାଜର ଦୋମହଲା କୋଠା ସତୁରିବର୍ଷ ହେଲା ରହିଛି । କିନ୍ତୁ ଏଇ ହୀରଜ ଜୟନ୍ତୀ ହେଲା କଟକର ବାରବାଟି ଷ୍ଟାଡ଼ିଅମ୍‌ରେ ।

 

ଏଣେ ଉତ୍କଳ ସାହିତ୍ୟ ସମାଜର ଆଗରେ ପଛରେ ଓ ପାଖରେ ସଭାପାଇଁ ପଡ଼ିଆ ରହିଛି । ଏହାର ଉତ୍ତର ପାଖ ପାଚିରିକୁ ଲାଗି କଟକର ଟାଉନ ହଲ ଓ ସଭା ପଡ଼ିଆ ରହିଛି । ତାହାରି ପାଖକୁ ମାରୁତି ମଣ୍ଡପ ପଡ଼ିଆ ରହିଛି । ନିଖିଳ ଭାରତୀୟ ସ୍ତରରେ ସଭା ସମିତି ଏଠି ହୋଇ ପାରୁଛି । କିନ୍ତୁ ଉତ୍କଳ ସାହିତ୍ୟ ସମାଜ ତାହାର ହୀରକ ଜୟନ୍ତୀ ପାଳିବାକୁ ଷ୍ଟାଡ଼ିଅମର ଖେଳ ପଡ଼ିଆ ପାଖକୁ ଚାଲିଗଲା । କର୍ମକର୍ତ୍ତାମାନେ ସମସ୍ତେ ନାମଡ଼ାକ ଦେଉଥିବା ସାହିତ୍ୟି ଆଉ ଓଡ଼ିଆ ସାହିତ୍ୟିକ ମଧ୍ୟ । କିନ୍ତୁ ଏଇ କଥା ହେଲା କେମିତି ?

 

ବାସ୍ତରୀ ମସିହାର ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟ ନିର୍ବାହିକା ସମିତିରେ ଅନେକ ଯୋଗ୍ୟ ଓ ଯୋଗ୍ୟ–ମନ୍ୟ ଲୋକ ଅଛନ୍ତି । ଓଡ଼ିଆ ଭାବ, ଜାତିଆଣ ଭାବ ଓ ଉଗ୍ର ଦେଶାତ୍ମ ଭାବରେ ଏମାନେ ସମସ୍ତେ ପଛୁଆ ନୁହନ୍ତି । ପଇଁତିରିଶି ହଜାର ଟଙ୍କା ଖର୍ଚ୍ଚ କରି ତାଙ୍କର ସ୍ମରଣିକା ବାହାର କରି ପାରିଲେ ନାହିଁ । ପ୍ରତିଷ୍ଠିତ ଓଡ଼ିଆ ସାହିତ୍ୟକଙ୍କୁ ଖଣ୍ଡେ ଲେଖାଏଁ ଛାପା ନିମନ୍ତ୍ରଣ ଦେଇ ନ ପାରି ଖବର କାଗଜ ନୋଟିସରେ କାମ ଚଳାଇନେବାକୁ ଚେଷ୍ଟା କଲେ ।

 

କାରଣ ଉତ୍କଳ ସାହିତ୍ୟ ସମାଜ କୋଠା ଭଡ଼ା ଲାଗିଛି । ଭଡ଼ାବାଲା ତାହାର ସାଇନ ବୋର୍ଡ଼ ଉଠାଇ ନେବାକୁ ରାଜି ହେଲା ନାହିଁ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କର ନାମରେ ନାମିତ ଏଇ ଶ୍ରୀରାମଚନ୍ଦ୍ର ଭବନ କିଛି ଗୌରବର ଅଧିକାରୀ ହୋଇ ପାରିଲା ନାହିଁ ।

 

ତେଣୁ ସାହିତ୍ୟର ଆଭିମୁଖ୍ୟ କେଉଁଠି ଆସି ପହଞ୍ଚିଛି ସେଇ ବିଷୟରେ ଆଲୋଚନା କରିବା ନିରର୍ଥକ । ଏଣେ ଏହାର ସାହିତ୍ୟିକ ସଭ୍ୟମାନେ ବଜାରରେ ବୁଲି କୈଫିୟତ ଦେଉଛନ୍ତି–କ’ଣ କରାଯିବ ? କାର୍ଯ୍ୟନିର୍ବାହିକା ସମିତିର କାମ ତାଲିକାକୁ ଫୋପାଡ଼ି ଦେଇ କେଇଜଣ ମନମୁଖୀ କାମ କରିଗଲେ ।

 

ଏଇସବୁ ହେଲା ସାହିତ୍ୟର ପ୍ରୀତି ଓ ସେବା କରି ସାହିତ୍ୟିକ ହୋଇଗଲା ପରି ଓଡ଼ିଆ ସାହିତ୍ୟିକର ସାହିତ୍ୟ–ଧର୍ମ୍ମୀ କାମ । ବାଆସ୍ତରୀ ମସିହାରେ ଏଇ ଏତକ ହେଲା ଓଡ଼ିଆ ସାହିତ୍ୟର ଗୋଟିଏ ପ୍ରବଳ ପରାକ୍ରମୀ ସାହିତ୍ୟପ୍ରେମୀ ଗୋଷ୍ଠୀର ସାହିତ୍ୟିକ ବିଚାରର କାର୍ଯ୍ୟକ୍ରମ ।

 

ଛତିଶିବର୍ଷ ତଳେ ଯାହା ଥିଲା । ଆଜି ବି ସେଇଆ ।

 

ଆଉ ଦୁଇଶହ ଦିନରେ ବାସ୍ତରୀ ମସିହା ବିଦାୟ ନେଇଯିବ । ଏମିତି ଦିନେ ଛତିଶିବର୍ଷ ତଳେ ଛତିଶି ମସିହା ମଧ୍ୟ ବିଦାୟ ନେବାକୁ ସଜବାଜ ହେଉଥିଲା । ଓଡ଼ିଆ ରାଜ୍ୟ ଗଢ଼ା ହୋଇଥାଏ ସେହି ବର୍ଷ । ଲାଟ ଶାସନ ଚାଲିଥାଏ ବର୍ଷକ ପାଇଁ । ସଇଁତିରିଶି ମସିହାରେ ଭୋଟ ହେବ ଆଉ ଲୋକ ପ୍ରତିନିଧି ମନ୍ତ୍ରୀମଣ୍ଡଳ ଚଳାଇବେ ।

 

ତାହାହେଲେ ଏଇ ତନାଘନା କାହିଁକି ? –ଏଇଟା ସେତେବେଳେ ହେଉଥିଲା ଚାକିରି ପାଇଁ । କଂଗ୍ରେସଦଳ ନିର୍ବାଚନ ଲଢ଼ିବ ବୋଲି କଥା ହୋଇଥାଏ । କଂଗ୍ରେସଦଳ ରାଜ୍ୟ ବିଭାଜନକୁ ବିରୋଧ କରୁଥିଲା । ଏହି ରାଜ୍ୟ ତିଆରି ଖୋଜୁଥିଲେ ବ୍ରିଟିଶ ସରକାର । ଭାରତଭୂମି ବହୁତ ଭାଷାକୁ ନେଇ ବିଭିନ୍ନ ଅଞ୍ଚଳରେ ବାଣ୍ଟି ହୋଇଗଲେ ବ୍ରିଟିଶ–ବିରୋଧ କମିଯିବ । ଠିକ୍‌ ସେମିତି ପ୍ରତି ସହରର ଡ଼ାକ ବିଭାଗର ଏକାଧିକ ଡେଲିଭରି ଅଫିସ ସୃଷ୍ଟି କରାଯାଏ ।

 

ସିନ୍ଧୁ ପ୍ରଦେଶ ଗଢ଼ା ହେଲା ମୁସଲମାନ ସମ୍ପ୍ରଦାୟ ପାଇଁ । ଓଡ଼ିଶା ଗଢ଼ା ହେଲା ହିନ୍ଦୁମାନଙ୍କ ପାଇଁ । ଓଡ଼ିଶାରେ ମୁସଲମାନ ଥିଲେ ଶହେରେ ଦୁଇଜଣ । ପ୍ରାୟ ସେହି ସଂଖ୍ୟାର ଅବସ୍ଥା ହିନ୍ଦୁମାନଙ୍କର ସିନ୍ଧୁ ପ୍ରଦେଶରେ ।

ସେହି ଛତିଶି ମସିହାରେ ଓଡ଼ିଶାରେ ପାଠୁଆ କହିଲେ ବୁଝାଉଥିଲା ଗ୍ରାଜୁଏଟ୍‌ଙ୍କୁ । ଅଳ୍ପ ପାଞ୍ଚ ଦଶଜଣ ଏମ. ଏ. ପାସ କରିଥାନ୍ତି । ସେମାନଙ୍କୁ ମଧ୍ୟ ଗଣି ଦେଇ ହେବ । ଡ଼କ୍ଟର ସଦାଶିବ ମିଶ୍ର, ଡକ୍ଟର ରମାନାଥ ମହାନ୍ତି, ଡକ୍ଟର ବଂଶୀଧର ସାମନ୍ତରାୟ, କାଳିକିଙ୍କର ସାମଲ, ରବିନ୍ଦ୍ର ନାଥ ଦାସ ପ୍ରମୁଖ ଅଳ୍ପ କେଇଜଣ । ଅଧିକାଂଶ ଚାକିରି ନ ପାଇ ବେକାର । କେତେବର୍ଷ କ’ଣ କେମିତି ବେକାର ରହିଗଲେ ସେଇଟା ଅନୁଶୀଳନ କରିବା ଦରକାର ।

ବେକାର ଅବସ୍ଥା ଆଜି ବାଆସ୍ତରୀ ମସିହାରେ ଅନ୍ୟ ପ୍ରକାରର । ଏବେ ବେକାରୀ ସାଙ୍ଗରେ ଲଢ଼ୁଆ ଦାବୀ ରହୁଛି । ମୋର ଯୋଗ୍ୟତା ବିଚାର କରିବାକୁ ତମେମାନେ କିଏ ? ମତେ ଚାକିରି ଦେବାକୁ ସରକାର ବାଧ୍ୟ । କିନ୍ତୁ ମାତ୍ର ଛତିଶବର୍ଷ ତଳେ ମାସକୁ ଶହେ ପଚିଶିଟଙ୍କାର କଲେଜ ଅଧ୍ୟାପନା ଅବା ଶହେ ଚଉରାଳିଶଟଙ୍କାର ସବ୍‌ଡ଼େପୁଟି ଅବା ଶହେଟଙ୍କାର ଅବକାରୀ ଦାରୋଗା କାମ ପାଇଁ ଗୋଇଠି ଚମ ଘୋରି ହେଇ ଯାଉଥିଲା–ଏଇ ଆମର ଓଡ଼ିଶା ମାଟିରେ ଓଡ଼ିଆମାନଙ୍କର ।

ଚାରିଆଡ଼େ ଭୟ ଓ ଆତଙ୍କ । ମୁଁ ପାଠୁଆ ଯେତେ ପାରେ ସେତେ ହୁଏ ନା କାହିଁକି ମୋର ରେକର୍ଡ ଠିକ ଅଛି ତ । ନ ହେଲେ ଚାକିରି ମିଳିପାରିବ ନାହିଁ । କେହି ମତ ଦେଉ ନ ଥିଲେ-। ସମସ୍ତଙ୍କର ପେଟ ଭିତରେ ତାଙ୍କର ମତାମତ ରହି ରହି ସଢ଼ି ଖତ ହେଇ ଯାଉଥିଲା କାରଣ କହିବ ଆଉ ଖାଲରେ ଯାଇ ପଡ଼ିବ ।

 

ସାରା ଓଡ଼ିଶାଟାକୁ ପରଛିଦ୍ର ଓ ପରନିନ୍ଦାର ଶିଙ୍କୁଳିରେ ବାନ୍ଧି ଦିଆ ଯାଇଥିଲା । ଝିଅଟିଏ ବିଭା ହେବ । ସେଥିପାଇଁ ତାକୁ ଜାଣିଥିବା ସମସ୍ତଙ୍କର ସମର୍ଥନ ଥିବା ଦରକାର–ଠିକ୍‌ ଭୋଟ ପରି । ଝିଅକୁ ପାରି କରିବା ବିଧାନ ସଭା ବା ଲୋକ ସଭାର ସଭ୍ୟପଦ ପରି ।

 

ସେଇ ଝିଅଟି ଚିଠି ଲେଖେ ନାହିଁ । ଚଷମା ପିନ୍ଧେ ନାହିଁ । ଲାଜ କରେ–ଉଢ଼ାଳ ମାନେ-। ଚରିତ୍ର ଭଲ । କେହି ତାହାର ବିରୋଧି ନାହାନ୍ତି । ଏମିତି ହେଇଥିଲେ ସେ ପାରି ହେଇଯିବ ।

 

ନଇଲେ କୁହା ହେଉଥିଲା–ତାହାର ପାଟି ବାଘୁଆ । ତାହାର ଅଣ୍ଟାରେ ଖରାପ ଛଉଟାଏ ଅଛି । ସେ ଅନ୍ଧାରକାଣୀ...ନଇଲେ ଚରିତ୍ର ଖରାପ । ସେ ଟୋକାଙ୍କ ସାଙ୍ଗରେ ହେଁ ହେଁ ଫେଁ ଫେଁ ହୁଏ । ଗୀତ ବୋଲେ–

 

କ୍ୱଚିତ୍‌ ଦନ୍ତୁରୀ ସତୀ

କ୍ୱଚିତ୍‌ ଗାନବତୀ ସତୀ ।

 

ତେଣୁ ଗୀତ ନାଚ ଆଦି ଗାନ୍ଧର୍ବ ବିଦ୍ୟାର ଧାର କେହି ଧରିବାକୁ ସାହାସ କରୁ ନ ଥିଲେ-। ସ୍କୁଲ ପଢ଼ା ଅନେକ ପରିବାରକୁ ପୋଷାଉ ନ ଥିଲା । ଛତିଶି ମସିହାର ବୋହୂକୁ ଶାଶୁ ଶଶୁରଙ୍କର ମଇଳା ଲଗା ଗୋଡ଼ ଆଙ୍ଗୁଠିର ଧୁଆ ପାଣିକୁ ପାଦୁକ ପରି ସେବା କରିବାକୁ ହେଉଥିଲା । ପାଟିରୁ କଢ଼ା ହୋଇଥିବା ପାନସିଠା ଖାଇବାକୁ ପଡ଼ୁଥିଲା ।

 

ଚାରିଆଡ଼େ ଭୟ ଓ ଅତ୍ୟାଚାରର ରାଜତ୍ୱ । ତେଣୁ ନିଜର ଜ୍ଞାତ ସ୍ୱଜନ ବାହାରେ କେହି କାହାରି ସହିତ ମିଶି ପାରୁ ନ ଥିଲେ । ସମାଜ ଓ ଉତ୍କଳ ଦୀପିକା ପଇସିକିଆ ମୂଲ୍ୟରେ ବାହାରୁଥିଲା । ଓଡ଼ିଆ ମୁଲକ ପାଇଁ ସେଇଟା ତାହାର ଆକାର ପ୍ରକାର ନେଇ ଯଥେଷ୍ଟ ଥିଲା । ସଇସ ନେଇ ଘୋଡ଼ା ଆଉ ଘୋଡ଼ାକୁ ଚାହିଁ ସଇସ ।

 

ଚାରିଆଡ଼େ ଅନ୍ଧାର । ସେଇ ଅନ୍ଧାର ଭିତରେ କଟକ ସହର ମଧ୍ୟ ଜହ୍ନ ରାତିରେ ବାଟମାରଣା ପାଇଁ ଅଗମ୍ୟ ହେଇ ରହୁଥିଲା–ଆଜିର କଟକ ସହର ଆକାରର ପ୍ରାୟ ଅଧେ ଭାଗ-। ଏଠି ବିଲୁଆ ପହରିକିଆ ବୋବାଳି ଛାଡ଼ୁଥିଲା । ଖରାଦିନେ କାଠଯୋଡ଼ି ସେପାରିରୁ ଗଧିଆ ମଧ୍ୟ ଆସୁଥିଲେ ।

 

ଏଇକଥା ଛତିଶି ମସିହାର କେଉଁ ଉପନ୍ୟାସ, ଗଳ୍ପ ବା କବିତାରେ ଅଛି ? ବିଶିଷ୍ଟ ସମାଲୋଚକ ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ସେତେବେଳେ ପଣ୍ଡିତ ହେବା ପସନ୍ଦ କରି ନ ଥାନ୍ତି । ସେ ସଇଁତିରିଶିରୁ ଅଣଚାଳିଶି ମସିହାଯାଏ ହିନ୍ଦୁସ୍ଥାନ ସାହିତ୍ୟ ମନ୍ଦିର କରି ରାଜନୈତିକ ଓ ଅର୍ଥନୈତିକ ପୁସ୍ତକ ଓ ପୁସ୍ତିକା ପ୍ରକାଶ କରୁଥାନ୍ତି । ଓଡ଼ିଆ ସାହିତ୍ୟରେ ସେଇଟା ଆଦ୍ୟ ପଦକ୍ଷେପ-। ଆଜିର ଡକ୍ଟର ଶ୍ରୀରାମଚନ୍ଦ୍ର ଓ ଡକ୍ଟର ଦେବେନ୍ଦ୍ର ଓ ବୈଦ୍ୟନାଥ ପ୍ରମୁଖ ଛାତ୍ର ।

 

ଏଇ ଛତିଶିବର୍ଷ ମଧ୍ୟରେ ଓଡ଼ିଶାର ପ୍ରତ୍ୟେକ ସ୍ତର ଉନ୍ନତି କରିଛି । ଦିନକର ସାଧାରଣ ଲୋକ ଆଜି ଅସାଧାରଣ ହୋଇ ତାଙ୍କରି ବିଭାଗର ସର୍ବାଧିକାରୀ ହୋଇ ପାରିଛି । ସେହିପରି ଲେଖକ ମଧ୍ୟ ତାହାର ସାହିତ୍ୟ ରଚନାରେ ଆକାଶକୁ ଛୁଇଁଛି ।

 

ଇଏ କ’ଣ ଯୋଗ୍ୟତା ବଳରେ ? ନା, କେବଳ ନିଜର ବୟସର ସ୍ଥିତି ନେଇ ପଟୁଆର ଭିତରେ ଆଗେଇ ଚାଲିଲା ପରି ଲେଖକ ମାନେ ମଧ୍ୟ ଉଠି ଉଠି ଯାଇଛନ୍ତି ? ଆଜି ବଞ୍ଚଥିବା ସାହିତ୍ୟର ମନିଷୀମାନେ ଏଥିରେ ଏକମତ ହେବା ଉଚିତ୍‌ କି ?

 

ଏହା ବଦଳରେ ସେମାନେ ଓଲଟି ଅଧିକରୁ ଅଧିକ ସୁରକ୍ଷା ସର୍ତ୍ତର ଦାବୀ କରୁଛନ୍ତି । ଚାରିଆଡ଼ ଘେରବନ୍ଦୀ କରି ରଖିବାକୁ ତତ୍ପର ହେଉଛନ୍ତି । ମୋଟାମୋଟି ସେହି ପୁରୁଣା ଯୁଗର ପୁରୁଣାକାଳିଆ ଲୋକେ ଆଲୁଅ ପବନର ସବୁ ଦୁଆର ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । କାରଣ ସେମାନେ ଅନ୍ଧାର ଭିତରୁ ଆସିଛନ୍ତି ।

 

ଏପରି ଅବସ୍ଥା ହେଇଛି ଯେ ଲାଟ ଭବନଠାରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ ସବୁଆଡ଼େ ସେମାନେ ସକ୍ରିୟ ହୋଇ ଉଠୁଛନ୍ତି । ଦୁଇବର୍ଷ ତଳେ ଓଡ଼ିଶାର ରାଜ୍ୟପାଳ ସାହିତ୍ୟ ଏକାଡେମିର ଉପାୟନ ଉତ୍ସବରେ କହିଲେ ଓଡ଼ିଆ ସାହିତ୍ୟ କହିଲେ ଅଳପ ଲୋକଙ୍କୁ ଚିହ୍ନାଏ । ମୋଟେ ତିନିଜଣଙ୍କୁ ବୁଝାଏ–କାଳିଚରଣ, କାଳିନ୍ଦି ଚରଣ ଓ କାହ୍ନୁଚରଣ ।

 

ଏଇ ରାଜ୍ୟପାଳ ଡକ୍ଟର ସାହେବଙ୍କୁ କିଏ ଏହି ଧାରଣା ଦେଲା ? ନିଶ୍ଚିତ ଭାବରେ ଜଣେ ବା ଦଶଜଣ ସାହିତ୍ୟପ୍ରେମୀ ବା ସାହିତ୍ୟସେବୀ । ତେଣୁ ଡକ୍ଟର ଆନସାରୀ ଏହି ମତ ଦେବାରେ ପକ୍ଷପାତ କରି ନାହାନ୍ତି । ତାଙ୍କର ଦପ୍ତରରେ ଏହି ଧାରଣାଟି ଦିଆ ଯାଇଥିଲା ।

 

ଠିକ୍‌ ସେମିତି ଏକସ୍ତରୀ ମସିହାର ମନ୍ତ୍ରୀମଣ୍ଡଳ ଯେତେବେଳେ ଓଡ଼ିଆ ସାହିତ୍ୟ ଏକାଡେମିରେ ଜଣେ ସଭାପତି ନେବାକୁ ପାଞ୍ଚୁଥିଲେ ସେତେବେଳେ ସର୍ବଶ୍ରୀ ଚିନ୍ତାମଣି ମିଶ୍ର, କୋପୀନାଥ ମହାନ୍ତି ଓ ଶ୍ରଦ୍ଧାକର ସୁପକାରଙ୍କର ନାମ ଉଠିଲା । ଡକ୍ଟର ଆନସାରୀ ଓ ଶ୍ରୀଯୁକ୍ତ ବିଶ୍ୱନାଥ ଦାସଙ୍କର ମତାମତ ଭିତରେ ସାତଶହ ଦିନରେ ଏତେ ଫରକ ଆସିଗଲା । କଥାଟି ବୁଝାପଡ଼ିଲା ଯେ ଓଡ଼ିଆ ସାହିତ୍ୟରେ ସର୍ବବାଦୀ–ସମ୍ମତ ବ୍ୟକ୍ତି ବା ବ୍ୟକ୍ତିତ୍ୱ ନାହାନ୍ତି ।

 

ପୁଣି ଯେତେବେଳେ ଆଞ୍ଚଳିକ ଭିତ୍ତିରେ ଜିଲ୍ଲାର ସଦସ୍ୟ ପଦପାଇଁ ଯେତେବେଳେ କଥା ଉଠିଲା ସେତେବେଳେ ସେହି ପ୍ରକାରର ବିବାଦମାନ ସମସ୍ୟା ଏକାଡେମିରେ ଦେଖା ଦେଲା-

 

ରମା ପୁରୀର ଲୋକ ବାଲେଶ୍ୱରରେ ବରଘର ପାଇଛି–ତେଣୁ ବାଲେଶ୍ୱର ପାଇଁ ରମାକୁ ମନୋନୀତ କରାଯାଉ । ଅବା ରାମ କୋରାପୁଟର ଲୋକ କଟକରେ ଚାକିରି କରୁଛୁ । ତାହାହେଲେ ରାମକୁ କୋରାପୁଟ ପାଇଁ ବଛାଯାଉ ।

 

ଏଥିରେ ଫଳ ହେଲା ଯେ ସରକାରୀ ଚାକିରିଆଙ୍କ ପରି ଯେଉଁମାନେ ଅନାଗତବିଧାତା ହୋଇ ଦୁଇଟି ବାଟ ତାଙ୍କର ବିଲକୁ ଖଞ୍ଜି ଥିଲେ ସେହିମାନେ ଲାଭବାନ୍‌ ହେଲେ । ସରକାରୀ ଚାକରମାନେ ବଦଳିକୁ ରୋକିବା ପାଇଁ ସିଭିଲ୍‌ ଲିଷ୍ଟରେ ଭୁଲ ଜିଲା ଦେଖାଇଥାନ୍ତି । ପୁରୀର ଲୋକ ପୃରୀରେ ରହିଲେ ଭୁଲ ହେବ । ତେଣୁ ପୁରୀ ଲୋକ ତାହାର ଜନ୍ମସ୍ଥାନ ବାଲେଶ୍ୱର ବା ସମ୍ବଲପୁର ଲେଖାଇ ଦେଇ ମଜ୍ଜା ମାରି ପୁରୀରେ ରହନ୍ତି । ସମସ୍ତେ ଜଳକା ହେଇ ହାଲ୍ଲୋଳ ଖାଉଥାନ୍ତି ।

 

ସାହିତ୍ୟ, ସଙ୍ଗୀତ ଅବା ଚିତ୍ରକଳାରେ ଆଦ୍ୟ ଯୌବନରେ ମସଗୁଲ ହୋଇ ଯେତେବେଳେ ତାହାର ଜୀବନର ଶେଷ ଭାଗରେ ସେ ଏହି ସବୁ ଅଭିନବ ତାମସା ଦେଖେ ସେତେବେଳେ ସେ ଅନୁତାପ କରି କହେ–କି ଭୁଲ ନ ହେଲା ? ଶିଳ୍ପୀ ଓ ସାଧକ ଜାତି ଓ ଜିଲ୍ଲାର ବାହାରେ । ସେ ସ୍ୱାଧୀନ ଓ ମୁକ୍ତ–ଏଡ଼େ ସତକଥା ଗୁଡ଼ାକ ଓଡ଼ିଶାରେ ଭୁଲ ହେଇଗଲା କେମିତି ?

 

ଏବେ ରାଜଧାନୀ ଭୁବନେଶ୍ୱରରେ ସମସ୍ତଙ୍କର ଖଣ୍ଡେ ଖଣ୍ଡେ ଅନାୟସଲବ୍‌ଧ ବିଲଡିଙ୍ଗ୍‌ ରହିଛି । ଆଦ୍ୟ ବାସ କଟକ କିନ୍ତୁ ଚାଳିଶିବର୍ଷ ତଳେ ବାପେ ରହଣି କରିଥିଲେ ଗଡ଼ଜାତ ଅଞ୍ଚଳରେ-। ଏବେ ତାଙ୍କପାଇଁ ଜିଲ୍ଲା ପାଇବା ଇଚ୍ଛାଧିନ ।

 

କିନ୍ତୁ ଆଉ କେତେକ ଲୋକ ଜିଲ୍ଲା ଘେରରେ ରହି ସନ୍ଦି ହେଉଛନ୍ତି । ସେମାନେ କ’ଣ କେମିତି ଏଇ ସବୁ ନ୍ୟାୟବିଚାର ବିରୁଦ୍ଧରେ କଥା କହିବେ–ସେଥିକି ବାଟ ପାଉନାହାନ୍ତି ।

 

ଏଣେ ବାଆସ୍ତରୀ ମସିହାର ସାଧକମାନଙ୍କର କଲମ ମୁନରେ ଏଇ ସମସ୍ୟାଟି ରୂପ ପାଇପାରୁ ନାହିଁ । କାରଣ ସେମାନେ ପିଲା ଦିନରୁ ଭୟ ଭ୍ରାନ୍ତିରେ ଗଢ଼ା ହେଇ ଆସିଛନ୍ତି ।

 

ସେମାନେ ମନର କଥା ଖୋଲିବେ ନାହିଁ । ନିଜର ମତକୁ କାହାକୁ ଜଣାଇବେ ନାହିଁ । ସୁବିଧା ପାଇଲେ ମନ୍ତ୍ରୀ ଅବା ସେ ନ ମିଳିଲେ ଏକାଡେମି ସେକ୍ରେଟାରୀଙ୍କୁ ଖୁସାମଦି କରି ଆସିବେ । –ମୁଁ ଅଛି ଆଜ୍ଞା । ସୁବିଧା ହେଲେ ମତେ ଥରେ ଅନୁଗ୍ରହ କରିବେ ।

 

ଏଇ ସାହିତ୍ୟିକଙ୍କର ସାହିତ୍ୟ ସେବାକୁ କେନ୍ଦ୍ର କରି ଅସଂଖ୍ୟ ପ୍ରକାରର ସାହିତ୍ୟପ୍ରେମୀ ଘୁରିବୁଲନ୍ତି । ଅଧ୍ୟାପକଙ୍କ ଚାରିପାଖେ ଛାତ୍ର, ଓକିଲଙ୍କ ପାଖରେ ମାମଲତକାର, ଡାକ୍ତର ପାଖରେ କମ୍ପାଉଣ୍ଡର ଅବା ଇଞ୍ଜିନିୟର ପାଖରେ କଣ୍ଟ୍ରାକଟର ବୁଲିଲା ପରି ସାହିତ୍ୟସେବୀଙ୍କର କକ୍ଷରେ ଥାନ୍ତି ସାହିତ୍ୟ ପ୍ରେମୀମାନେ ।

 

ଏଇ ସାହିତ୍ୟପ୍ରେମୀମାନେ ସାହିତ୍ୟକୁ ଠିକ୍‌ ବାଟରେ ଚଳାନ୍ତି । ସବୁ ସଭାସମିତି ଓ ସାହିତ୍ୟ ଅନୁଷ୍ଠାନରେ ଏଇ ସାହିତ୍ୟପ୍ରେମୀମାନେ ହେଲେ ମଞ୍ଜ । ଓଡ଼ିଆ ସାହିତ୍ୟ ମଧ୍ୟ ଏହି ସେବୀ ଓ ପ୍ରେମୀଙ୍କ ଉତ୍ପାତରେ ଜର୍ଜରିତ ।

 

ଓଡ଼ିଶାର ପ୍ରାଚୀନ ସାହିତ୍ୟ ସଦନ ଶ୍ରୀରାମଚନ୍ଦ୍ର ଭବନରେ ଏଇ ସାହିତ୍ୟପ୍ରେମୀ ଓ ସାହିତ୍ୟ ସେବୀଙ୍କର ଦ୍ୱନ୍ଦ୍ୱ ବାରମ୍ବାର ହୋଇଯାଇଛି । ପ୍ରତ୍ୟେକ ଥର ସାହିତ୍ୟସେବୀମାନେ କିଛି ପ୍ରେମୀଙ୍କୁ ଆଣି ଦୁର୍ଗ ଦଖଲ କରି ରହିଛନ୍ତି । ଏମିତି ହେଇଥିଲା ତେୟାଳିଶି ମସିହାରେ ଆଜି କ’ଣ ହେଉ ନାହିଁ ? –ହବ ନାହିଁ ?

 

କାରଣ ସେତେବେଳେ ଓଡ଼ିଶାରେ ସାହିତ୍ୟ ଗୋଟାଏ ସାର୍ବଜନୀନ ଭୂମିକା ଗ୍ରହଣ କରୁଥିଲା । ବେସରକାରୀ ଲୋକ ଏଇ ସାହିତ୍ୟ ଜରିଆରେ ବଡ଼ରୁ ସାନ ପର୍ଯ୍ୟନ୍ତ ସମସ୍ତଙ୍କର ପାଖକୁ ଯାଆସ କରି ପାରୁଥିଲେ ।

 

ତେୟାଳିଶି ବେଳକୁ–ଭାରତ ଛାଡ଼–ଆନ୍ଦୋଳନ ଉଗ୍ର ହୋଇ ଉଠିଛି । ବିଶ୍ୱନାଥ ଦାସଙ୍କର ମନ୍ତ୍ରୀମଣ୍ଡଳ ବିଦାୟ ହେଇ ଯାଇଛି । ପାରଳା ମହାରାଜାଙ୍କର ମନ୍ତ୍ରୀମଣ୍ଡଳ ଚାଲୁ ହୋଇଛି । ବ୍ରିଟିଶ ସରକାରଙ୍କର ସପକ୍ଷ ଓ ବିପକ୍ଷଦଳ ରୂପେ ସାହିତ୍ୟ ମଧ୍ୟ ବିଭକ୍ତ ହୋଇ ଯାଇଛି-

 

କିନ୍ତୁ ଗୋଟିଏ ମଝବୁତ୍‌ ସାହିତ୍ୟ ଅନୁଷ୍ଠାନ ଦରକାର । ହେଲେ ମଧ୍ୟ ଗାଦି ଦଖଲ ପାଇଁ ସଭ୍ୟଙ୍କର ଭୋଟ ଦରକାର ହେଉଛି ।

 

ଉତ୍କଳ ସାହିତ୍ୟ ସମାଜର ସଭାପତି ରୂପେ ସେତେବେଳେ ଓଡ଼ିଶାର ଆଡ଼ଭୋକେଟ୍‌ ଜେନେରାଲ ଶ୍ରୀଯୁକ୍ତ ବୀରକିଶୋର ରାୟ ଆସିଗଲେ । ଦଳେ ସାହିତ୍ୟିକ ଏହାକୁ ପସନ୍ଦ କଲେ ନାହିଁ ।

 

ସେମାନଙ୍କର ପ୍ରଧାନ ଯୁକ୍ତି ହେଲା ଯେ କଚେରୀର ମୋହରିର, ମହକିଲ, ମାମଲତକାରଙ୍କୁ ହାତ କରି ବହୁତ କିସମର ମଜଦୁର ମଧ୍ୟ ସାହିତ୍ୟ ପ୍ରେମୀ ଭାବରେ ସଭ୍ୟ ହୋଇଗଲେ । ସାହିତ୍ୟିକର ମାନ ରକ୍ଷା ହେଲା ନାହିଁ । ସାହିତ୍ୟସେବୀମାନେ ହାରିଗଲେ ।

 

ଓଡ଼ିଶାରେ ଆନ୍ଦୋଳନ ଆରମ୍ଭ ହେଲା–ବ୍ୟକ୍ତିଗତ ଆନ୍ଦୋଳନ । କିଛିଟା ସାହିତ୍ୟ ଆଉ ବିଶେଷ ଅଂଶ ଗ୍ରହଣ କଲା ଜାତିଆଣ ଭାବ । ଭିତରେ କୁହୁଳି ଆସୁଥିବା ଜାତିଆଣ ପ୍ରତିଦ୍ୱନ୍ଦିତା ନାମରେ ଆତ୍ମପ୍ରକାଶ କଲା ।

 

ଦଳେ ସାହିତ୍ୟିକ—ଶ୍ରୀଯୁକ୍ତ ବିଛନ୍ଦଚରଣ, ଶ୍ରୀମତୀ ସରଳାଦେବୀ ପ୍ରମୁଖ ସାହିତ୍ୟ ସମାଜକୁ ରଖି ରହିଗଲେ । ବାବୁ କାଳିନ୍ଦିଚରଣ, ଅଧ୍ୟାପକ ଆର୍ତ୍ତବଲ୍ଲଭ ପ୍ରମୁଖ ଆଉ ଦଳେ ବାହାରକୁ ଚାଲିଗଲେ ।

 

ମାସିକ ସହକାରର ସଂପାଦକ ଶ୍ରୀଯୁକ୍ତ ବାଳକୃଷ୍ଣ କରଙ୍କର ମତ ସାହିତ୍ୟ ସମାଜର ଅଧିଷ୍ଠିତ ବ୍ୟକ୍ତିଙ୍କ ବିରୁଦ୍ଧରେ ଗଲା ସ ସେ ଗୋଟିଏ ଅନୁଷ୍ଠାନ ଗଢ଼ିଲେ । ତାହାର ନାମ ହେଲା ଓଡ଼ିଆ ସାହିତ୍ୟ ପରିଷଦ ।

 

ଏହି ପରିଷଦ ଅଗଷ୍ଟ ଆଠ ତାରିଖ ଦିନ ଆନୁଷ୍ଠାନିକ ଭାବରେ ଗଢ଼ାହେଲା । ଏହା ପ୍ରଗତିଶୀଳ ହୋଇଥିବାରୁ ଏଥିରେ ସଭାପତି ରଖା ଗଲେ ନାହିଁ । କାଳିନ୍ଦିବାବୁ ହେଲେ ଏହାର ସଂପାଦକ–ପ୍ରଥମ ସଂପାଦକ । ତେୟାଳିଶି ମସିହାରେ ।

 

କାଳିନ୍ଦିବାବୁ ମଧ୍ୟ ସହକାର ପତ୍ରିକାର ସଂପାଦକ ହେଲେ । ସହକାର ହେଲା ଓଡ଼ିଆ ସାହିତ୍ୟ ପରିଷଦ ଅର୍ଥାତ୍‌ ସଂଖ୍ୟାଗୁରୁ ସାହିତ୍ୟ ସେବୀଙ୍କର ଅନୁଷ୍ଠାନର ମୁଖପତ୍ର ।

 

କାମ ଆରମ୍ଭ ହୋଇଥିଲା । ଓଡ଼ିଆ ସାହିତ୍ୟର ଅଭାବକୁ ଦୃଷ୍ଟି ରଖି । ସେଗୁଡ଼ିକ ହେଲା ଏହିପରି–

 

(୧) ପୂର୍ବ ସଂସ୍କୃତି ଓ ପ୍ରାଚୀନ ସାହିତ୍ୟର ସଂରକ୍ଷଣ

 

(୨) ଓଡ଼ିଆ ଭାଷାର ମୌଳିକତା ରକ୍ଷା ଓ ଶ୍ରୀବୃଦ୍ଧି

 

(୩) ନବୀନ ସାହିତ୍ୟରେ ବିଶ୍ୱଚିନ୍ତାଧାରାର ପ୍ରବର୍ତ୍ତନ

 

(୪) ଉତ୍କଳ ଇତିହାସର ଅନାବିଷ୍କୃତ ଉପାଦନ ସଂଗ୍ରହ

 

(୫) ଅପ୍ରକାଶିତ ଅଜ୍ଞାତ ପ୍ରାଚୀନ ପୁସ୍ତକର ସନ୍ଧାନ

 

(୬) ବିଭିନ୍ନ ଅଞ୍ଚଳର ପ୍ରାଚୀନ କିମ୍ବଦନ୍ତୀ, ଗାଉଁଲି ଗୀତ ସଂଗ୍ରହ

 

(୭) ଢଗ ଢମାଳି ସଂଗ୍ରହ

 

(୮) ଅଶୁଦ୍ଧ ଭାଷାର ସମାଲୋଚନା

 

(୯) ଗୋଟିଏ ପୂର୍ଣ୍ଣାଙ୍ଗ ବ୍ୟାକରଣ

 

(୧୦) ଅନ୍ୟ ଭାଷାର ଶବ୍ଦ ସଂଗ୍ରହ କରି ଓଡ଼ିଆରେ ବ୍ୟବହାର କରିବା ପାଇଁ ଗୋଟିଏ ପରିଭାଷା ସଙ୍କଳନ

 

(୧୧) ଉତ୍କଳ ଦେଶର ଓ ଓଡ଼ିଆ ଜାତିର ଏକ ପୂର୍ଣ୍ଣ ଇତିହାସ ପ୍ରଣୟନ ।

 

ଏସବୁ ଲକ୍ଷ୍ୟ ନେଇ ତେୟାଳିଶି ମସିହାର ଯେଉଁ ପ୍ରତିଷ୍ଠିତ ସାହିତ୍ୟିକମାନେ ଆଦ୍ୟ ସମ୍ମିଳନୀରେ ଯୋଗ ଦେଇଥିଲେ ସେହିମାନଙ୍କର ତାଲିକା ଆଜି ଅଣତିରିଶି ବର୍ଷ ପରେ ନିଶ୍ଚୟ କାମରେ ଲାଗିବ । ସେମାନଙ୍କର ନାମ ଓ ପରିଚୟ ଦିଆଗଲେ ତେୟାଳିଶି ମସିହା ଆଗରୁ ଓ ପରେ ଓଡ଼ିଆ ସାହିତ୍ୟର ମୂଲ୍ୟାୟନ କରି ହେବ । ସାହିତ୍ୟର କିଏ ? –କ’ଣ ? –କାହିଁକି ? –କେମିତି ? –ଓ କେତେ ? ଠିକ୍‌ ବୁଝା ପଡ଼ିଯିବ ।

 

ଏହି ତାଲିକାଟି ଛପା ଯାଇଥିଲା । ତେୟାଳିଶି ମସିହାର ମାସିକ ସହକାରରେ ମିଳି ପାରିବ । ଏଥିରେ (୧) କଟକ (୨) ଅନୁଗୋଳ (୩) ପୁରୀ (୪) ବାଲେଶ୍ୱର (୫) ସମ୍ବଲପୁର (୬) ଫୁଲବାଣୀ (୭) ଗଞ୍ଜାମ (୮) ଇଚ୍ଛାପୁର (ବିଚ୍ଛିନ୍ନାଞ୍ଚଳ) (ଟେକାଲି ) (୧୦) କୋରାପୁଟ ଏହିପରି ଦଶଟି ମୋଗଲବନ୍ଦୀ ବିଭାଗ ଥିଲା ।

ସେହିପରି ଗଡ଼ଜାତରୁ (୧) ନାଟନା ଷ୍ଟେଟ୍‌ (୨)ଢେଙ୍କାନାଳ (୩) ହିନ୍ଦୋଳ (୪) ମୟୂରଭଞ୍ଜ (୫) ଗଙ୍ଗାପୁର (୬) ଷଢ଼ୈକଳା (୭) ବଡ଼ମ୍ବା ଏ ରୂପ ସାତୋଟି ଭାଗ ଥିଲା ।

ତାହାପରେ ରହିଲା ଗୋଟିଏ ବମ୍ବେ । ଆରଟି ରାଞ୍ଚି । ମୋଟ ହେଲା ଉଣେଇଶିଟି ଭାଗର ସାହିତ୍ୟିକର ତାଲିକା ।

ବମ୍ବେରୁ ଥିଲେ ଦୁଇଜଣ । ଜଣେ ହେଲେ ଶ୍ରୀ ହରିଶ୍ଚନ୍ଦ୍ର ବଡ଼ାଲ୍‌ ଓ ଦ୍ୱିତୀୟ ଲୋକ ହେଲେ ଶ୍ରୀ ଦେବ ମହାପାତ୍ର । ସେହିପରି ରାଞ୍ଚିରୁ ହେଲେ ଶ୍ରୀ ଯଦୁନାଥ ଶତପଥି, ଶ୍ରୀ ନୀଳକଣ୍ଠ ରଥ ଓ ଶ୍ରୀ ପରେଶ ଚନ୍ଦ୍ର ରାୟ ।

ଏଇ ବହିଟିର ଶେଷ ଅଂଶରେ ସମସ୍ତଙ୍କର ନାମ ଦିଆଯାଇଛି । ସେଥିରୁ ଜଣା ପଡ଼ିବ ଓଡ଼ିଆ ଲେଖକମାନେ କି କାରଣରୁ ଓଡ଼ିଆ ସାହିତ୍ୟରେ ଅଚଳ ହେଇଗଲେ ।

କିନ୍ତୁ ଗୋଟିଏ ବିଶେଷ କଥା ହେଉଛି ଯେ ଯେଉଁ ସାହିତ୍ୟିକମାନେ ଦୂର ବିଦେଶରେ ଥାଇ ମଧ୍ୟ ସାହିତ୍ୟସେବୀ ଓ ସାହିତ୍ୟପ୍ରେମୀ କଳି ଭିତରେ ସକ୍ରିୟ ହୋଇଥିଲେ ସେମାନେ ବହୁତ ଅଂଶରେ ଓଡ଼ିଆ ସାହିତ୍ୟରୁ ବିଦାୟ ନେଇଗଲେ । ସେମାନଙ୍କର ଲେଖା ପ୍ରକାଶ ପାଇବାର ସୁବିଧା ହେଲା ନାହିଁ ।

ବଡ଼ାଲ ମହାଶୟ ତେୟାଳିଶି ମସିହାବେଳକୁ ଲେଖା ଛାଡ଼ିଲେଣି ସେ ବାଲେଶ୍ୱର ଜିଲାର ଲୋକ । ଭାରତୀୟ ରେଳବାଇରେ ପ୍ରଥମ ବଡ଼ ଓଡ଼ିଆ ଅଫିସର । ସେ ସାହିତ୍ୟ ସେବା ଓ ସାହିତ୍ୟ ଅନୁଷ୍ଠାନ ପ୍ରତି ବିମୁଖ ନ ହେବାର କଥା । ହେଲେ କାହିଁକି ?

ଏହାର କାରଣ ହେଲା ଯେ ସେ ଉପନ୍ୟାସ ଲେଖୁ ନ ଥିଲେ । ବିଶେଷରେ କ୍ଷୁଦ୍ର ଗଳ୍ପ ଲେଖୁଥିଲେ । କ୍ଷୁଦ୍ର ଗଳ୍ପରେ ଓଡ଼ିଆ ସମାଜର ଚିତ୍ର ଦେବାର ସୁବିଧା ହେଲା ନାହିଁ । ମରାଠା ସାହିତ୍ୟର ପ୍ରସାର ତାଙ୍କ ମନରେ ହୀନମନ୍ୟତା ଆଣିଥିଲା । କାର୍ଯ୍ୟ ଉପଲକ୍ଷରେ ଓଡ଼ିଆ ବାହାରେ ରହି ଓଡ଼ିଶାର ଭିତ୍ତିଭୂମିରୁ ଦୂରେଇ ଯିବାରୁ ହରିଶ୍ଚନ୍ଦ୍ରବାବୁ ଓଡ଼ିଆ ସାହିତ୍ୟରୁ ବିଦାୟ ନେଇଗଲେ ।

ଠିକ୍‌ ଏମିତି ଘଟିଥିଲା ନାଗପୁର ବିଦ୍ୟାଳୟର ଇତିହାସ ଅଧ୍ୟାପକ ଡକ୍ଟର ହରନାରାୟଣ ସିଂହ ଓ ରାୟପୁର ରାଜକୁମାର କଲେଜର ଅଧ୍ୟାପକ ଶ୍ରୀ ଅଜିତ୍‌କୁମାର ଦାସଙ୍କର ଜୀବନରେ ।

ଓଡ଼ିଆ ସମାଜ ଓ ଓଡ଼ିଆ ପରିବେଶର ଅଭାବ ଜଣେ ଲେଖକ କେବଳ ତାହାର ସ୍ତ୍ରୀ ପିଲାଙ୍କର ସଂସାରରେ ପୂରଣ କରି ପାରିବ ନାହିଁ । ଆଉ ମଧ୍ୟ ଓଡ଼ିଆ ଲୋକର, ଓଡ଼ିଆ ସାହିତ୍ୟର ବା ଓଡ଼ିଆ ସମାଜର କେତେ ଅଂଶ ତାଙ୍କର ଦୃଷ୍ଟି ରେ ଆସିଲେ ଯେ ସେମାନେ ଓଡ଼ିଆରେ ବସି ବସି ଲେଖିବେ ? ବା ସେହି ଲେଖା ଦ୍ୱାରା ନାମ କମାଇ ପାରିବେ ?

ଏଇ ସମସ୍ୟାଟି ସାହିତ୍ୟର ବଡ଼ ସମସ୍ୟା । ଭାଗ୍ୟବାନ୍‌ ଲେଖକ ତାହାର ଲେଖା ପାଇଁ ତାହାର ଚଳନ୍ତି ସମାଜକୁ ପାଇଥାଏ । ଏବେ ଯେଉଁ ଲେଖକମାନେ ଓଡ଼ିଶାରେ ନାମ କରିଛନ୍ତି ସେମାନଙ୍କର ଗୋଟିଏ ଭୁଲ୍‌ ଧାରଣା ରହିଛି ଯେ ଓଡ଼ିଶାରେ ପଡ଼ି ରହିଥିବାରୁ ସେମାନେ ଉଚ୍ଚକୋଟିର ଲେଖା ଲେଖିପାରୁ ନାହାନ୍ତି । କିନ୍ତୁ ଓଡ଼ିଶାରେ ନ ଥିଲେ ସେମାନଙ୍କର ନାମ ଲେଖକ ତାଲିକାରେ ଉଠିପାରନ୍ତା କି ? –ଓଡ଼ିଆରେ ଅବା ଅନ୍ୟ ଭାଷାରେ ? ବୋଧହୁଏ ଏମିତି ଜାକଜମକରେ ଉଠାନ୍ତି ନାହିଁ ।

 

ଏତେ ଦୂରକୁ ନ ଯାଇ ଗୋପୀନାଥ ବାବୁଙ୍କର କଥା ନିଆଯାଉ । ଓଡ଼ିଆ ସାହିତ୍ୟ ପରିଷଦ ଗଢ଼ା ହେଲାବେଳେ ସେ କୋରାପୁଟରେ । ସେଠି ସେ ଓଡ଼ିଆ ପରିବେଶ ପାଉଥିବାରୁ ଓଡ଼ିଆରେ ଲେଖୁଥିଲେ । କିନ୍ତୁ ତାଙ୍କର ପରିଚିତ ଓଡ଼ିଆ ସମାଜର ସମସ୍ୟା ତାଙ୍କର ‘ଆଖିକୁ ନ ଆସି ଆଦିବାସୀ ସମସ୍ୟା ସ୍ପଷ୍ଟ ହୋଇଥିଲା । ସେ ଉପକୂଳ ଅଞ୍ଚଳରେ ଥିଲେ ହୁଏତ ଅନ୍ୟ ପ୍ରକାରରେ ଅନ୍ୟମାନଙ୍କ ପରି ଗଡ୍‍ ଡାଳିକା ଲେଖି ଥାନ୍ତେ ଓ ବେକୁବ୍‌ ବନିଯାଇଥାନ୍ତେ । କିନ୍ତୁ ଭାଗ୍ୟଦେବୀ ତାଙ୍କପ୍ରତି ପ୍ରସନ୍ନ ହୋଇଥିବାରୁ ସେ କୋରାପୁଟ ଅଞ୍ଚଳରେ ବହୁତ ଦିନ ରହିବାର ସୁବିଧା ପାଇ ନୂତନ ସମସ୍ୟାର କଥା ଓ ଓଡ଼ିଆ ସାହିତ୍ୟକୁ ଦେଇଯାଇ ପାରିଲେ ।

 

ଗୋପୀନାଥ ବାବୁଙ୍କର ଯେଉଁ ବିଷୟଟି ସୁବିଧା କଲା ସେହି କଥାଟି ଡକ୍ଟର ହରନାରାୟଣ ସିଂହ, ଶ୍ରୀ ହରିଶ୍ଚନ୍ଦ୍ର ବଡ଼ାଲ ଓ ଶ୍ରୀ ଚାର୍ଲସ ମହୀମୋହନ ଆଦି ଲେଖକଙ୍କୁ ଅସୁବିଧାରେ ପକାଇଲା । ଏଥିରୁ ଲେଖକର ପୃଷ୍ଠଭୂମି ବିଷୟରେ ସଚେତନ ରହିବା ଉଚିତ୍‌ । ଲେଖକ ତାହାର ପ୍ରତିଭା ଛଡ଼ା ପୃଷ୍ଠଭୂମି ଉପରେ ନିର୍ଭରଶୀଳ ।

 

ଓଡ଼ିଆ ଲେଖକ ଅଣଓଡ଼ିଆ ଅଞ୍ଚଳରେ ରହିଗଲେ ଅବା ଓଡ଼ିଆ ସଂସ୍କୃତିର ସ୍ୱାଭାବିକ ସହଜ ସ୍ତର ପାଖରେ ରହି ନ ପାରିଲେ ଓଡ଼ିଆରେ ଲେଖିବା କଷ୍ଟକର । କଲିକତାର ପ୍ରବାସୀ ଓଡ଼ିଆ ଅବା ଆସାମ ବିହାର ଇତ୍ୟାଦି ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏହି କାରଣରୁ ଓଡ଼ିଆ ସାହିତ୍ୟର ଅନୁଶୀଳନ ପାଇଁ ନିରୁତ୍ସାହୀ । ଓଡ଼ିଆରେ ଲେଖିଲେ ମଧ୍ୟ ସେମାନେ ଉଦ୍ଭଟ ବୋଲି ଧରାଯାଆନ୍ତି ।

 

ତେଣୁ ଓଡ଼ିଶା ବାହାରେ ଓଡ଼ିଆ ସଂସ୍କୃତିର ପ୍ରଖରତା ଆଣିବା ପାଇଁ ଓ ଅଣାଇବା ପାଇଁ ଓଡ଼ିଶାରୁ ଚେଷ୍ଟା ହେବା ଉଚିତ୍‌ । ଏତକ ହୋଇପାରି ନାହିଁ । କାରଣ ଓଡ଼ିଆ ଲେଖକମାନେ ମୋଟାମୋଟି ସାହିତ୍ୟିକ ନ ହୋଇ ଜୀବିକାଭୋଗୀ ପର୍ଯ୍ୟାୟରେ ରହିଗଲେ । ସକାଳୁ ଗାଧୋଇ ଚିତା ଚଇତନ ହୋଇ ଠାକୁରଙ୍କୁ ପାଇଗଲା ପରି ।

 

ଅନ୍ୟ ବୃତ୍ତି ଓ ଧନ୍ଦା ରଖିଥିବା ଲୋକ ତାହାର ଅବସର ସମୟରେ ଘର ଓଳିତଳେ ବଗିଚା କରେ ନ ହେଲେ କୁକୁଡ଼ା ଚରାଏ । ସେହିପରି କେତେକ ଲୋକ ତାଙ୍କର ଧନ୍ଦାରୁ ମିଳୁଥିବା ଅବସର ସମୟରେ ସାହିତ୍ୟ ଚାଷ କରନ୍ତି । ଯେତିକି ଯାହା ମିଳିଲା ସେଥିରେ ସନ୍ତୁଷ୍ଟ ରହିଲେ । ଆଉ ସେତିକି ନେଇ ତାଙ୍କର ଅଫିସ୍‌ ଘରେ ନ ହେଲେ ନିଜ ଘରେ ବସି ତତ୍ୱ ବଖାଣିଥାନ୍ତି–ନାଟ୍ୟମଞ୍ଚର ସୌଖିନ ଅଭିନେତା ବା ନିର୍ଦ୍ଦେଶକଙ୍କର ପରି ।

 

ଏମିତି କରୁଛନ୍ତି ବୈକୁଣ୍ଠ, କାଳିନ୍ଦି, କାହ୍ନୁଚରଣ, ଗୋପୀନାଥ ଇତ୍ୟାଦି ବଡ଼ ବଡ଼ ଲେଖକମାନେ । ଏମାନଙ୍କୁ ଦେଖି ଏବେ ନୂତନ ଲେଖକମାନେ ମଧ୍ୟ ଏହି କାମରେ ଲାଗୁଛନ୍ତି । ଏଇ ପ୍ରକାରର ରୁଚି ଦେଖାଇବା ସବୁବେଳେ ସବୁଠାରେ ସମ୍ଭବ । କିନ୍ତୁ ଓଡ଼ିଶାର ବିଶେଷ ଦୋଷ ହେଲା ଯେ ଓଡ଼ିଆ ସାହିତ୍ୟ ସଂସ୍ଥାମାନେ ଏହିସବୁ ଲେଖକଙ୍କୁ ଜମାଇ ସାହିତ୍ୟ ଆସର କରାନ୍ତି । ଫଳରେ ଓଡ଼ିଆ ସାହିତ୍ୟ ଦଫାଓ୍ୱାରିରେ ଗୋଇଠା ଖାଏ ।

 

ଏପରିକି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ଅନୁଷ୍ଠାନମାନଙ୍କରେ ଏହିପରି ଅ–ଲେଖକଙ୍କୁ ଶିରିପା ପିଦ୍ଧାଇ ପ୍ରତି ପୋଷଣ ଓ ପ୍ରତିପାଳନ କରିବା ଗୋଟାଏ ଫେସନ୍‌ ହୋଇ ପଡ଼ିଛି । ଏମାନେ ସାହିତ୍ୟ ସେବାକୁ ଗୋଟାଏ ଛୋଟ କାମ ପରି ଧରି ନେଉଛନ୍ତି । କାହାକୁ ନେଇ ବସାଇଲେ ଚଉକୀ ଶୋଭା ପାଇବ–ସେଇ ବିଚାର କରୁଛନ୍ତି ।

ମୁଣ୍ଡ କୁଣ୍ଡାଇବା, ଦାଢ଼ି କମାଇବା ଲୁଗା ସଫା କରିବା କାମ ସାଙ୍ଗରେ ଲେଖାଲେଖି କରିବାଟକୁ ସମାଜ କରି ଦିଆଯାଉଛି । ଓଡ଼ିଆ ସାହିତ୍ୟର ଏଇ ମାଲାଙ୍ଗମାନେ ଚାରିଆଡ଼େ ବୁଲି ଉତ୍ପାତ କରୁଛନ୍ତି । ଆଉ ତାଙ୍କର ସଂରକ୍ଷିତ ସ୍ୱାର୍ଥକୁ ଦୀର୍ଘାୟୁ କରିବା ପାଇଁ ଦଳଗଢ଼ି କନ୍ଦଳ ସୃଷ୍ଟି କରୁଛନ୍ତି । ଏଥିରେ ତାଙ୍କର ଦୋଷ କ’ଣ ? ଦୋଷ ହେଉଛି ଓଡ଼ିଆ ଜନତାର ।

ଏହି ପ୍ରକାରର ଛଉକା ବା ସୌଖିନ ସାହିତ୍ୟିକମାନଙ୍କୁ ସାହିତ୍ୟ ସଭାରୁ ବାହାର କରି ନଦେବା ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ଏହିପରି ଅଡ଼ୁଆ ସୁତା ପରି ପଡ଼ି ରହିଥିବ । ଆଉ ଆମେ ଓଡ଼ିଆ ସାହିତ୍ୟର ସଭାମଣ୍ଡପରେ ତାଳିମାଡ଼ କରି ଚାଲିଥିବା ।

କଟକର ଉତ୍କଳ ସାହିତ୍ୟ ସମାଜର କେତେକ ସଭାରେ ଶ୍ରୀଯୁକ୍ତ ରାଜେନ୍ଦ୍ରନାରାୟଣ ସିଂହଦେଓ, ଶ୍ରୀଯୁକ୍ତ ଦୀନବନ୍ଧୁ ସାହୁ ଓ ଶ୍ରୀଯୁକ୍ତ ଧୁବଚରଣ ସାହୁ ପ୍ରମୁଖ ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଏମ୍‍. ଏଲ୍‍. ଏ. ମାନେ ବିଶିଷ୍ଟ ରାଜନୈତିକ ବ୍ୟକ୍ତି ହିସାବରେ ଓଡ଼ିଆ ସାହିତ୍ୟ ବିଷୟରେ ଆଲୋଚନା କରିଥିଲେ । ସଭାରେ ସ୍ପଷ୍ଟ ହୋଇଥିଲା ଯେ ସାହିତ୍ୟ ସେବା କରୁନଥିବା ଏଇ ସାହିତ୍ୟ ପ୍ରେମୀମାନେ ସାହିତ୍ୟର ମୁଲ୍ୟାୟନ କରିବାରେ ନୂତନ ଆଭିମୁଖ୍ୟ ଦେଖାଇ ପାରୁଛନ୍ତି । କାରଣ ତାଙ୍କର କଥା ସରଳ ଓ ଯୁକ୍ତି ସବଳ ।

ଏଇଟା ମଧ୍ୟ ଆମର ଅନୁଭବ ଭିତରେ । ଡକ୍ଟର ହରେକୃଷ୍ଣ ମହତାବଙ୍କର କଥାରେ, ଲେଖାରେ ଓ ବକ୍ତୃତାରେ ସ୍ୱାଧୀନ ଚିନ୍ତାର ଯେଉଁ ପ୍ରଖରତା ଦେଖାଯାଏ ସେତକ ଆମର କାଳିନ୍ଦିଚରଣ, କାହ୍ନୁଚରଣ, ଗୋପୀନାଥ, ନିତ୍ୟାନନ୍ଦ ପ୍ରମୁଖଙ୍କଠାରେ ଦେଖାଯାଏ ନାହିଁ । ତେଣୁ ବୁଝା ପଡ଼ୁଛି ଯେ ଏହି ଲେଖକମାନେ ସାହିତ୍ୟର ସେବାକୁ ରଚନା ଲେଖିବା ପରି କାୟକ୍ଳେଶର ଗୋଟିଏ ବିଭାଗ କରୁଛନ୍ତି । କେବଳ ଅଭ୍ୟାସ ବଳରେ ସାହିତ୍ୟ–ସାହିତ୍ୟ ବୋଲି ପାଟି କରଛନ୍ତି । କିନ୍ତୁ ସେମାନଙ୍କ ଭିତରୁ ସାହିତ୍ୟ ମରିଯାଇଛି । ଡ୍ରିଲମାଷ୍ଟର ପରି ଏମାନେ ବାଁ–ଡାହାଣ–ମୋଡ଼ ଘୁର କରୁଛନ୍ତି ।

ଏମିତି କଥା କହିଲେ ସେମାନେ ମଧ୍ୟ ପାଟି କରି କହିବେ–ପାଗଳଟାଏ କ’ଣ ସବୁ କହୁଛି ? ଆମେମାନେ ଲେଖିଲୁ ଆଉ ଲେଖୁଛୁ । ଆମେ ନୂଆ କଥା କହିଲୁ ନାହିଁ । ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ବା ଏମ. ଏଲ. ଏ. ସାହିତ୍ୟ ବିଷୟରେ ନୂଆ କଥା କହିଦେଲେ ? କେବେ ହେଲେ କହିପାରିବେ ନା ? ... ଏଇ ଯୋଗ୍ୟତା ଆସିଲା କୁଆଡ଼ୁ ?

ଅନୁଭବ ଭିତରକୁ ନ ନେଲେ ସାହିତ୍ୟସେବୀ ଓ ସାହିତ୍ୟପ୍ରେମୀଙ୍କର ଅନ୍ତର୍ନିହିତ ସରସତା ଓ ନୀରସତା ବୁଝିହେବ ନାହିଁ । ସାହିତ୍ୟସେବୀ ହେଲା ଠିକ୍‌ କଲେଜ ସ୍କୁଲର ଅଧ୍ୟାପକଙ୍କ ପରି ଗୋଟାଏ ରକମର ଛାଞ୍ଚୁଆ । କୌଣସି କଥାକୁ ତାହାର ଆୟତ୍ତରେ ଥିବା ଛାଞ୍ଚରେ ପକାଇ ଦେଲେ ସେ ଖୁସି–ଯାହା ହେଉ ଗୋଟାଏ କାମ ହେଇଗଲା । ଯିଏ ଦିଅଁଗଢ଼େ ସେହି ଭୁଲରେ ବାନ୍ଦର ବି ଗଢ଼ି ପକାଏ ।

କିନ୍ତୁ ସାହିତ୍ୟପ୍ରେମୀ ଅର୍ଥାତ୍‌ ପାଠକର ଏହି ମୁଦ୍ରାଦୋଷ ନ ଥାଏ । ସେ ଚାହେଁ ସାହିତ୍ୟ ଭଲ ହେଉ । ନୂଆ କି ପୁରୁଣା ଯେଉଁ ଶ୍ରେଣୀର ଲେଖକ ହେଉ ନା କାହିଁକି ଭଲ ଲେଖାଟିଏ ଦେଖିଲେ ସେ ତାକୁ ଆଦର କରିଥାଏ । କିନ୍ତୁ ଲେଖକମାନେ ଏପରି ଭାବରେ ନ୍ୟସ୍ତ ସ୍ୱାର୍ଥର ପୂଜାରୀ ଯେ କେବେହେଲେ ଅଣଲେଖକକୁ ଯଥାଯୋଗ୍ୟ ସ୍ୱୀକୃତି ଦେବେ ନାହିଁ । ଏଠି ଓଡ଼ିଶାରେ ମଧ୍ୟ ଦିଅନ୍ତି ନାହିଁ ।

 

ପାଠକମାନେ ହେଲେ ପ୍ରକୃତରେ କଷଟି ପଥର । ତାଙ୍କରି ମତାମତରେ ଗୁରୁତ୍ୱ ନେଇ ବହିଦୋକାନ ଚାଲିଛି । ପାଠକଙ୍କ ପାଖରେ ସାହିତ୍ୟର କଦର ନ ଥିଲେ ଯାହା ଯେତେ ବୌଦ୍ଧିକତା ବହି ଭିତରେ ଅବା ବାହାରର ପ୍ରଚ୍ଛଦପଟର କଳାକୁଶଳତାରେ ଥାଉ ନା କାହିଁକି ସେହି ବହି ଓ ଲେଖକ ଅଚଳ । କିନ୍ତୁ ପାଠକର ମତାମତ ନିଆଯାଇପାରୁ ନାହିଁ । ଯାହା ଅବା ନିଆ ଯାଆନ୍ତା ସେତକ ଅବାସ୍ତବ ହେଇ ପଡ଼ୁଛି ବିକିଲା ଲୋକ ଓ କିଣିଲା ଲୋକଙ୍କର ମେଣ୍ଟପାଇଁ ।

 

ପୁରାଣ ଧର୍ମଶାସ୍ତ୍ରରେ ଏହି ନିୟମ ଚାଲେ ନାହିଁ । ପାଠକ ବା ଧର୍ମପ୍ରେମୀ ଲୋକ ସିଧାସଳଖ ବରାଦ ଦିଏ । କିଣିବା ଲୋକ ସେଠି କିଛି ମୁରବିଆନା ଦେଖାଇ ପାରେ ନାହିଁ । କିନ୍ତୁ ଗଳ୍ପ, ଉପନ୍ୟାସ, ନାଟକ ଓ କବିତାରେ ଏହି ନିୟମଟି ଚଳାଯାଇ ପାରୁନାହିଁ । ପ୍ରକାଶିତ ବହିର ସମ୍ବାଦ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ ।

 

ଏହାର କାରଣ ନୁହେଁ ଯେ ଏଇ କାମଟି ଅସମ୍ଭବ । ଏବେ ବାଆସ୍ତରୀ ତେସ୍ତରି ମସିହାରେ ଓଡ଼ିଆରେ ଖୁବ୍‌ ବେଶି ଧରିଲେ ଛୋଟ ମୋଟ ମିଶାଇ ଦିନକୁ ଖଣ୍ଡେ ବହି ପ୍ରକାଶ ପାଉଛି । ଏହି ଖବର ଦୈନିକ ସମ୍ବାଦପତ୍ର ଓ ଆକାଶବାଣୀ ନିଶ୍ଚୟ ଦେଇ ପାରନ୍ତେ । ସେମାନେ ଏହି ସାମାଜିକ କର୍ତ୍ତବ୍ୟ କରିବାରେ ବିମୁଖ କାହିଁକି ? ଏହାର ସିଧା ଉତ୍ତର ହେଲା ଯେ ଏହି ଅନୁଷ୍ଠାନମାନେ ଓଡ଼ିଆ ସାହିତ୍ୟିକଙ୍କୁ ପାସଙ୍ଗରେ ପକାନ୍ତି ନାହିଁ ।

 

ଚାଷ, ପାଣିପାଗ, ବଜାର ହାଲଚାଲ ସବୁ କଥା ଆସି ପାରିଲା ବେଳେ ନୂଆ ଓଡ଼ିଆ ବହିର ସଂକ୍ଷିପ୍ତ ସୂଚନା କାହିଁକି ଖବରକାଗଜର ସଂପାଦକୀୟ ଟେବୁଲରେ ଓ ଆକାଶବାଣୀର ସମ୍ବାଦ ବିଭାଗରେ ରହିପାରୁ ନାହିଁ ? ଆକାଶବାଣୀରୁ ଓଡ଼ିଆଙ୍କୁ ଇସ୍ତମରାରୀ ପଟାର ସତ୍ତ୍ୱରୁ ବାହାର କରି ଦିଆନଯିବା ପର୍ଯ୍ୟନ୍ତ ଏଇ କାମଟି ହେଇ ପାରିବ ନାହିଁ । କାରଣ ଓଡ଼ିଆ କର୍ମଚାରୀମାନେ ଓଡ଼ିଆ ସାହିତ୍ୟର ଶନ୍ତ୍ରୁ–ଅନ୍ତତ ଛତିଶରୁ ତେସ୍ତରି ମସିହା ପର୍ଯ୍ୟନ୍ତ ।

ଆଉ ମଧ୍ୟ ସରକାରୀ ସ୍ତରରେ ବହି ଦୋକାନମାନଙ୍କୁ ବାଧ୍ୟ କରାଯିବା ଉଚିତ୍‌ ଯେ ସେମାନେ ତାଙ୍କର ପୁସ୍ତକ ତାଲିକାରେ ତାଙ୍କର ପ୍ରକାଶିତ ବହି ଛଡ଼ା ଅନ୍ୟ ବହିର ତାଲିକା ନ ଦେଲେ ସେମାନଙ୍କୁ ସରକାରୀ ଅର୍ଡର ଶିକ୍ଷାବିଭାଗ ଓ ଲୋକସଂପର୍କ ବିଭାଗରୁ ମିଳିବ ନାହିଁ । ଏକଥା କରାଇଲେ କାହାର ଅସୁବିଧା କେଉଁଠି–କିଏ ଭଲା ନଜାଣେ ?

ଏଇ କଥା କରାଇବ କିଏ ? ମନ୍ତ୍ରୀମାନେ ଖୁସିରେ ପଦେ କଥାରେ କରି ଦେଇ ପାରନ୍ତେ । କିନ୍ତୁ ସେମାନେ ସାଂସ୍କୃତିକ ସ୍ତରରେ ନିମ୍ନଗାମୀ ହୋଇଥିବାରୁ ଏଇ କାମଟି ହୋଇ ପାରୁନାହିଁ । ଓଡ଼ିଶା ସରକାରଙ୍କର ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭିଉ ଏଇ ବହିପତ୍ର ସଂବାଦ ଛପାଇବା କାମଟିକୁ ଆଜିଯାଏ ହାତକୁ ନେଉ ନାହାନ୍ତି । କିଏ ନେଉଥିଲା ଯେ ସରକାର ବାଧା ଦେଲେ–ଏମିତି କଥାଟିଏ ବି ନାହିଁ । ସମସ୍ତେ ସ୍ଥୂଳ ବିଚାରରେ କହୁଛନ୍ତି ଯେ ଓଡ଼ିଆ ସାହିତ୍ୟ ସେମାନଙ୍କର ବିଭାଗୀୟ ବିଚାରର ବାହାରେ ।

ତେଣୁ ଏହି ବିଷୟରେ ସବୁ ସଭାସମିତିରେ ଲେଖକ ଓ ପାଠକମାନେ ଆନ୍ଦୋଳନ କରିବା ଉଚିତ୍‌ । ଏଇ ଆନ୍ଦୋଳନ କିଛିଦିନ ନ ଚାଲିଲେ ଆମର ଓଡ଼ିଆ ସାହିତ୍ୟର ଏହି ସ୍ଥାଣୁ ଅବସ୍ଥା ବଦଳିବ ନାହିଁ ।

 

ଓଡ଼ିଆ ଲେଖାର ମୂଲ୍ୟାୟନ କରିବା ସଭା ସମିତିର କାମ ନୁହେଁ । ଆମେ ଓଡ଼ିଆ ଲୋକ ଓଡ଼ିଆରେ ଲେଖିବୁ । ଆଉ ଏଇ ଓଡ଼ିଶାରେ ବସି ଛପାଇବୁ ଆଉ ବିକିବୁ । ତେଣୁ ଦୁଇକୋଟି ଲୋକଙ୍କର ଏଇ ମାନସିକ ଅଭାବକୁ ବିଚାରକୁ ନିଆଯିବା ଉଚିତ୍‌ । ଏହା ସାଙ୍ଗରେ ହାଇସ୍କୁଲ ଓ କଲେଜର ପଢ଼ାବହିରେ ବିଭାଗୀୟ ଲେଖକ ନିର୍ବାଚନ କିପରି ଅନେକ ବିଶିଷ୍ଟ ଲେଖକଙ୍କୁ ଦବାଇ ଦେଉଛି ତାହାରି ଉପରେ ମଧ୍ୟ ଆଲୋଚନା ହେବା ଉଚିତ୍‌ ।

 

ଏଇ ସବୁ ଆକ୍ଷେପ, ଆଲୋଚନା ଓ ଆନ୍ଦୋଳନ ନ କରି ବାଟ କାହିଁ ? ଆମେ ଯଦି ଦୁର୍ଗନ୍ଧ ହେଲେ ବି ପାଣି ଜମିଲେ ମୁନିସ୍‌ପାଲିଟି ଓ ପଞ୍ଚାୟତ ବିରୁଦ୍ଧରେ କଟୁକ୍ତି ପ୍ରୟୋଗ କରୁଛୁ ସେମିତି ପଢ଼ାବହି ଓ ଶିକ୍ଷା ବିଭାଗ ବିରୁଦ୍ଧରେ ଆମର ମତାମତ ନ ଦେବୁ କାହିଁକି ?

 

ବିଶ୍ୱବିଦ୍ୟାଳୟର କୁଳପତିମାନେ ଏହି ସବୁ ବିଷୟରେ ନୀରବ । ଏମାନଙ୍କର ନୀରବତା ସାହିତ୍ୟ ପ୍ରତି ଓ ଓଡ଼ିଆ ଭାଷାପ୍ରତି ବିଶ୍ୱାସଘାତକତା ପର୍ଯ୍ୟାୟରେ ବିଚାର କରାଯିବା ଉଚିତ୍‌ । ଓଡ଼ିଆ ଲୋକ ଉତ୍କଳଖଣ୍ଡର ଚାରୋଟି ବିଶ୍ୱବିଦ୍ୟାଳୟର କୁଳପତି ଥାଇ ଓଡ଼ିଆ ସାହିତ୍ୟର ଏହି ଅସୁବିଧା ବିଷୟରେ ମତାମତ ନ ଦେଲେ ସେମାନଙ୍କୁ ଓଡ଼ିଶାର ସାଂସ୍କୃତିକ ଅନୁଷ୍ଠାନମାନଙ୍କରେ ଘେରାଉ କରାଯିବା ଉଚିତ୍‌ ।

 

ଏହି ବିଷୟଟିର ଯଥାର୍ଥତା ବିଷୟରେ ଖାଲି ବେତନଭୋଗୀ ଓଡ଼ିଆ କର୍ମଚାରୀମାନେ ନୀରବ ଆଉ ସମସ୍ତେ ସଚେତନ–ଏଇଟା ବି ସତ କଥା ନୁହେଁ । ଶ୍ରୀଯୁକ୍ତ ଗୋପୀନାଥ, କାହ୍ନୁଚରଣ, ବୈକୁଣ୍ଠ, ସୂର୍ଯ୍ୟନାରାୟଣ, ସୁରେନ୍ଦ୍ର ଓ ସଚ୍ଚିରାଉତରା ପ୍ରମୁଖ ଯେଉଁମାନେ କେନ୍ଦ୍ରରୁ ସାହିତ୍ୟ ପୁରସ୍କାର ପାଇ ଏଠି କଟକ ବଜାରରେ ଜଙ୍ଘ ବାଡ଼େଇ ହଉଛନ୍ତି ସେମାନେ ମଲା ପୂର୍ବରୁ ଥରେ ହେଲେ ଏହି ଦିଗକୁ ଦୃଷ୍ଟି ଦେଲେ ଓଡ଼ିଆ ସାହିତ୍ୟର ଭାଗ୍ୟ ଫେରିଯାନ୍ତା । ଏହା ସାଙ୍ଗରେ ସେମାନଙ୍କର ପ୍ରତିଷ୍ଠା କ’ଣ ଦୋହଲି ଯାଆନ୍ତି କି ?

 

ଏହି ଭାଷାଭାଷୀ ଲୋକ ହିନ୍ଦୀକୁ ନିଖିଳ ଭାରତୀୟ ଭାଷା କରାଯିବାରେ ସାମାନ୍ୟ ଓଲମ ବିଲମ ହେବାରୁ ନିଜର ପଦ୍ମଭୂଷଣ, ପଦ୍ମଶ୍ରୀ ଇତ୍ୟାଦି ରାଷ୍ଟ୍ରୀୟ ସମ୍ମାନ ଫେରାଇ ଦେଲେ । ଏହି ପ୍ରକାରର ମାନସିକ ଆଭିମୁଖ୍ୟର ନାମ ସଂସ୍କୃତି । ଏଇ ସଂସ୍କୃତିକୁ ଏବେ ଓଡ଼ିଆମାନେ ଓଡ଼ିଶାରେ ଅଣ୍ଡାଳି ହେଉଛନ୍ତି ।

 

ଏହି ସଂସ୍କୃତିର ସୁରକ୍ଷା କରୁଛନ୍ତି ସ୍ଥାନୀୟ ପାଠକମାନେ କିନ୍ତୁ ଓଡ଼ିଶାରେ ପାଠକମାନେ ମଧ୍ୟ ମାନ୍ଦାଦଳିଆ–ଭଲକୁ ଭଲ ଅବା ଖରାପକୁ ଖରାପ କହିଲାବେଳେ ଏଠି ପାଟି ଲାଗେ । ଲେଖକମାନେ ମଧ୍ୟ ଅଭ୍ୟାସଗତ ବତିପେଲା–ସେମାନେ କାହିଁକି ମୁଣ୍ଡ ଖେଳାଇବେ ? ତେଣୁ ସେମାନେ ପାଠକମାନଙ୍କୁ ତଳକୁ ଠେଲି ଦେଇ ଉପରେ ରହି ନିଶ ମୋଡ଼ୁଛନ୍ତି ।

 

ଏମିତି ମୋଡ଼ୁଥିଲେ ସ୍ୱାଧୀନତା ପୂର୍ବର ସବୁ ଲେଖକ—ସେମାନଙ୍କର ତାଲିକା ଏହି ବହିର ଶେଷରେ ଦିଆ ହୋଇଛି । ଆଶ୍ଚର୍ଯ୍ୟର କଥା ଏଥିରେ ବ୍ୟତିକ୍ରମ ଯେଉଁ ଅଳ୍ପ କେତେଜଣ ଅଛନ୍ତି ସେମାନଙ୍କର ବ୍ୟତିକ୍ରମ ହେଉଛି ଠିକ୍‌ ପୋଷାକୀ ବ୍ୟତିକ୍ରମ । ନିଜର ବିଶ୍ୱାସ ଅବା ଆତ୍ମବିଶ୍ୱାସରୁ ସେମାନେ ବ୍ୟତିକ୍ରମ ନୁହନ୍ତି । ସ୍ଥାନ କାଳ ପାତ୍ରର ପାତର ଅନ୍ତର କାମରୁ ସେମାନେ ବାଧ୍ୟରେ ବ୍ୟତିକ୍ରମ ପାଲଟିଛନ୍ତି ।

 

ଓଡ଼ିଶାର କିଟିକିଟିଆ ଅନ୍ଧାର ଭିତରେ ଖାଲି ଯେ ପାଠପଢ଼ା କି ଚାକିରିବାକିରିକୁ ନଅଙ୍କିଆ ଘୋଟିଥିଲା ତାହା ନୁହେଁ । ଚିନ୍ତାରାଜ୍ୟ ଆଉ ସାହିତ୍ୟ ପରିସର ମଧ୍ୟରେ ସେହି ଦୋଷ ଦେଖା ଦେଇଥିଲା । ଏବେ ଯାଏ ଦେଖା ଦେଉଛି କିନ୍ତୁ ଅବସ୍ଥା ସାମାନ୍ୟ ବଦଳି ଆସୁଛି ଦୁଇବର୍ଷ ହେଲା–ସତୁରି ମସିହାରୁ ।

 

ସତୁରି ମସିହାରୁ କାହିଁକି ?

 

କାରଣ ହେଲା ଯେ ଏବେ ଓଡ଼ିଶାରେ ସତୁରି ମସିହାରୁ ସଂଗ୍ରାମୀ ଆଭିମୁଖ୍ୟ ଦେଖା ଦେଉଛି । ପ୍ରଥମେ ହେଲା ଶିକ୍ଷା ଅନୁଷ୍ଠାନମାନଙ୍କରେ ।

 

ଏଠି କାହିଁକି ଆମେ ପାଠ ପଢ଼ିବୁ ନାହିଁ ? ସୁବିଧା ହେଉ ନାହିଁ ତ ଶ୍ରେଣୀରେ ସ୍ଥାନ ବଢ଼ାଅ । ପଢ଼ିଲାପରେ ଉପଯୁକ୍ତ ପ୍ରଶ୍ନପତ୍ର ଆସିବ ନାହିଁ କାହିଁକି ? ପ୍ରଶ୍ନପତ୍ରର ଉତ୍ତର ଉପରେ ଉପଯୁକ୍ତ ଓ ପୂର୍ବାପର ବିଚାରର ଅନୁମୋଦିତ ମୂଲ୍ୟାୟନ ହେବ ନାହିଁ କାହିଁକି ? ପଢ଼ା ସରିଲେ ପ୍ରଶ୍ନ ହେଉଛି–ମୁଁ ଶିକ୍ଷିତ ହୋଇ ଶିକ୍ଷିତ ବେକାର ହେବି କାହିଁକି ? ମୋର ଭବିଷ୍ୟତ୍‌ ଯଦି ମୋର ବିନା ଦୋଷରେ ଅନ୍ଧାରୁଆ କରି ଦିଆଯାଏ ତାହାହେଲେ ମୁଁ ତମର ପ୍ରତିଷ୍ଠିତ ଆଇନ କାନୁନକୁ ମାନିବି କାହିଁକି ?

 

ଏଇ ବିରୋଧ ବା ବିଦ୍ରୋହର ଭାବ ଆଗେ ନ ଥିଲା । ଏବେ ଦୁଇବର୍ଷ ହେଲା ଆସିଲା କାହିଁକି ? ବାପ ଅଜା ଦାଦି ମାମୁଁ ଥିଲେ ଅନୁସରଣିଆ ଅବା ବତିପେଲା । ତାଙ୍କର ପିଲାପିଚିକା ଏହି ବେପରୁଆ ବିଦ୍ରୋହୀ ହେଲେ କେମିତି ?

 

ହବାର କଥା–ତେଣୁ ସେମାନେ ବିଦ୍ରୋହୀ ହେଲେ । ବିଦ୍ରୋହ ପଛରେ ଦାରିଦ୍ର୍ୟ ନ ଥାଏ–ସେଠି ସବୁବେଳେ ପୃଷ୍ଠଭୂମିରେ ଥାଏ ଧନ, ପ୍ରତିପତ୍ତି ଓ ସ୍ୱଚ୍ଛଳତା । ସତୁରି ମସିହା ପର୍ଯ୍ୟନ୍ତ ସେହି ପଇଁତିରିଶ ବର୍ଷରେ ଲୋକେ ତଳମୁହାଁ ମାଟିକାମୁଡ଼ି ନିଜର ଅବସ୍ଥା ଉଠାଇବାକୁ ଚେଷ୍ଟା କଲେ । ଏହି କାମର ଏକମାତ୍ର ନୀତି ହେଉଛି ଚୁପ୍‌ରହି ସହି ସମ୍ଭାଳି ନିଜକୁ ବେକୁଫ୍‌ ବୁଡ଼ବକ୍‌ ବନାଇ ଉନ୍ନତି କରିବା ।

 

ଦଳେ ସେଇ କଥା କରିଗଲେ । ନିଜର ଲକ୍ଷ୍ୟ ସାଧନ କଲେ । ତାଙ୍କର ମାଟିଘର କୋଠା ହେଲା । ସେଠି ରେଡ଼ିଓ ବାଜିଲା । ବିଜୁଳି ଆଲୁଅ ଜଳିଲା । ଦୁଆର ମୁହଁରେ ମଟରଗାଡ଼ି, ଜିପ୍‌ ଓ ଟ୍ରକ୍‌ ଠିଆ ହେଲା । ତା’ପରେ ଆଉ କ’ଣ ? –ଆଉ ଅଧିକ କଥା କେମିତି ହେବ ?

 

ପିଲା ପଢ଼ିଲେଖି ବି. ଏ. କି ଏମ. ଏ. ପାସ୍‌ କଲା । ତା’ପରେ ? –ତା’ପରେ ? ସେମିତି ପିଲାର ବାପ କରିଧରି ବଳୁଆ, ମନୁଆ, କାଢୁଆ ହେଇଗଲା ତା’ପରେ ? –ତା’ପରେ ?

 

ଅବା ସିଏ ପରୀକ୍ଷା ଦେଇ କି ବଛାବଛି ଭିତରେ ହାକିମ ହେଇ ସ୍ଥାୟୀ ହୋଇଗଲା । ସକାଳୁ ଟେବୁଲ ଉପରେ ବସି ଚା କଫି ଓ ନାସ୍ତା କରି ଖବର କାଗଜ ପଢ଼ିଲା । ଆଖି ଓ ମନରେ ତେଜ ଆସିଲା । ସେଇଠୁ ପ୍ରଶ୍ନ–ତା’ପରେ ? –ତା’ପରେ ?

 

ତା’ପରେ ହେଉଛି ବିଦ୍ରୋହ । କାରଣ ମଣିଷର ସ୍ୱଭାବର ଅଭ୍ୟାସ ଓ ପରମ୍ପରା ହେଉଛି ନିଜ ପ୍ରତି ଓ ନିଜର ପରିବେଶ ପ୍ରତି ଅସନ୍ତୋଷ ପ୍ରକାଶ କରି ବିଦ୍ରୋହ କରିବା ।... ହିଁ, ହେଲା ହେଲା ଯେ । ତେବେ ଯାହା ମିଳିଛି ସେଥିରେ ସନ୍ତୋଷ ଆଣି ଆତ୍ମସନ୍ତୋଷ ଲାଭ କରିବା କ’ଣ ମଣିଷ ପଣିଆ ?

 

ଉତ୍ତର ସବୁବେଳେ ଓ ସବୁଠାରେ ସମାନ । ବୁଦ୍ଧଦେବଙ୍କର ମଧ୍ୟ ସେହି ପ୍ରଶ୍ନ ଓ ସେହି ଉତ୍ତର ଆସିଥିଲା । ସେଇଆ ଆସିଥିଲା ପୁରୀର ଗଜପତି ମହାରାଜଙ୍କର–ଯେତେବେଳେ ସେ ମୁସଲମାନ ବେଗମକୁ ଗ୍ରହଣ କରିନେଲେ । ସେଇ ପ୍ରଶ୍ନ ଆସିଥିଲା ରାଜା ଆଶୋକଙ୍କର । ସେଇ ପ୍ରଶ୍ନ ଆସିଥିଲା ଅବତାର ଶ୍ରୀ ରାମଚନ୍ଦ୍ରଙ୍କର ଆଉ ଶ୍ରୀକୃଷ୍ଣଙ୍କର ଓ ସବ୍ୟସାଚୀ ଅର୍ଜ୍ଜୁନଙ୍କର ।

 

କ’ଣ ଏତିକି ? –ଏତିକି ? ଏଥିପାଇଁ କ’ଣ ମୁଁ ଆସିଥିଲି । ଯେଉଁ ପଦାର୍ଥକୁ ଦୁର୍ଲଭ ବୋଲି ପ୍ରାଣପଣ କରି ଚେଷ୍ଟା କରି ଆସିଥିଲି ଆୟତ୍ତ କରିବାକୁ, ସେଇ ପଦାର୍ଥ କ’ଣ ମୋ’ଠାରୁ ବଡ଼ ? ...ନା, ମୁଁ ବିଦ୍ରୋହ କରିବି । ସେ ବିଦ୍ରୋହୀ ହୁଏ ।

 

ନ ପାଇଲା ଲୋକରେ ବିଦ୍ରୋହ କମ୍‌ । ସେମାନେ ଗାଳି କି ଅଭିଶାପ ଅଜାଡ଼ି ନିଅନ୍ତି । କିନ୍ତୁ ବିଦ୍ରୋହ କରନ୍ତି ନାହିଁ । ତାଙ୍କର ସାମର୍ଥ୍ୟହୀନତା ଓ ଦାରିଦ୍ର୍ୟକୁ ଫୋପାଡ଼ି ଦେବାକୁ ମନ କରନ୍ତି ନାହିଁ । କିନ୍ତୁ ଯିଏ ଆତ୍ମବିଶ୍ୱାସୀ କି ଆତ୍ମମ୍ଭର ତାହାରି ସେହି ବିଷୟରେ ସନ୍ଦେହ ନ ଥାଏ ।

 

ସେ ହଠାତ୍‌ କହେ ଓ ଭାବେ । ହଁ । ମୁଁ ଭଲରେ ଅଛି–ସୁବିଧାରେ ଅଛି । ତାହା ବୋଲି କ’ଣ ମୁଁ ସେଥିରେ ସନ୍ତୁଷ୍ଟ ହେବି ? ନା ।

 

ତେଣୁ ସେ ବିଦ୍ରୋହ କରେ । ସେଇ ବିଦ୍ରୋହ ଏବେ ଓଡ଼ିଆ ମୁଲକରେ ଦେଖା ଦେଇଛି । ସେଇ ବିଦ୍ରୋହର ସ୍ୱର ଏବେ କହୁଛି ଆମର ଓଡ଼ିଶାର ଦାବୀ ପୁରଣ କର । ଓଡ଼ିଶା କହିଲେ ଓଡ଼ିଆ ଭାଷାଭାଷୀ କଲମପେଶା କିରାଣିକୁ ବୁଝାଏ ନାହିଁ ଅବା କଲମପୋଷା ସାହିତ୍ୟକକୁ ଖାଲି ବୁଝାଏ ନାହିଁ ।

 

ଆମର ଅଗଣିତ ସଂସ୍କୃତି–ସଚେତନ ଲୋକ ହେଉଛନ୍ତି ଓଡ଼ିଆ । ତାଙ୍କରି ପାଇଁ ତାଙ୍କରି ପରି ଲୋକ ବହି ଲେଖୁଛନ୍ତି । ବହି ଛପାଉଛନ୍ତି । ଆଉ ବହି ବିଷୟରେ ଆଲୋଚନା କରୁଛନ୍ତି ।

 

ତେଣୁ ଜନତାର ଆଶା ଆକାଙ୍‌କ୍ଷା ଓ ମତାମତର ସାରାଂଶ ନ ଥାଇ ଲେଖିଲେ ସେହି ଲେଖାକୁ ସର୍ବସାଧରଣ ଅବା ସାର୍ବଜନୀନ ବୋଲି କୁହାଯାଇ ପାରିବ ନାହିଁ । ସେହି ଅବସ୍ଥାରେ ତାହାକୁ ଶାଶ୍ୱତ ବା ଚିରନ୍ତନ କହିବାର ଲାଭ କ’ଣ ?

 

ଲେଖକ ସିନା ଆଗେ ତାହାର ରହୁଥିବା ଓ ଦେଖୁଥିବା ପରିବେଶକୁ ନିଜର କରିବା ଦରକାର । କିନ୍ତୁ ଏହା ନ କରି ଯଦି ସେହି ପରିବେଶ ଉପରେ ନିଜର ଅସମ୍ପୂର୍ଣ୍ଣ ଓ ବିକଳାଙ୍ଗ ମତାମତକୁ ଲଦି ଦିଆଯାଏ ତାହାହେଲେ ପୂରା ଭୁଲ୍‌ ହେବ ନାହିଁ କି ?

 

କଥା ତ ଅଛି–ନିଜର ଯୁକ୍ତିରେ କଥାଟି ସିଦ୍ଧ ହେଲେ ବି ଯଦି ସେହି କଥାଟି ଲୋକମତ ବିରୁଦ୍ଧ ହୁଏ ତାହାହେଲେ ସେ କଥା କରିବା ଭୁଲ୍‌ । ଆଉ ସେହି କାମ କରିବା ମଧ୍ୟ ଭୁଲ୍‌ ।

 

ଏହି ଯୁକ୍ତିରେ ପୃଥିବୀର ଚାରିଆଡ଼େ ଛୋଟ ବଡ଼ ନିର୍ବାଚନ ପ୍ରତିଯୋଗିତାରୁ ଆରମ୍ଭ କରି ବଡ଼ସାନ ସବୁ ପ୍ରକାରର ବିଚାରରେ ଏହି କଷଟିରେ ପରଖିବାକୁ ହୁଏ । ତେଣୁ ପୁନରୁକ୍ତି ବା ଚର୍ବିତଚର୍ବଣ ହେଉଥିବା ଭାବ ଓ ଭାଷାକୁ ଆଧାର କରି ଯେଉଁ ସାହିତ୍ୟିକ ତିରିଶି ମସିହାରୁ ତେସ୍ତରି ଯାଏ ଏକା ଲାଇନରେ ଚାଲିଛନ୍ତି ତାଙ୍କୁ ବାସନ୍ଦ କରାହେବ ନାହିଁ କାହିଁକି ?

 

ଏହି ବାଛନ୍ଦ ବା ବାସନ୍ଦ ହେଇ ପାରୁନାହିଁ ବୋଲି ଆମର ଏଠି ଓ ଅନ୍ୟଠାରେ ବିଭ୍ରାଟ ଚାଲୁଛି । ଆଗରୁ ଆସିଥିବା ଲୋକ ଜେଗା ମାଡ଼ି ବସିଲା ପରି ଆଗରୁ ଆସିଥିବା ଲେଖକ ଚକା ଆସନ ପକାଇ ପଞ୍ଚୁଗ୍ରାସ ଚଳାଇଛି–ଘଣ୍ଟା ଘଣ୍ଟା । ସେ ଉଠୁ ନାହିଁ ।

 

ଏହି କାରଣରୁ ନୂଆ ଓ ପୁରୁଣାର ଦ୍ୱନ୍ଦ୍ୱ । ନୂଆ ଲୋକ ହଠାତ୍‌ ବାରିଦିଏ–ସେମିତି ଚଟ୍‌ କରି ତାହାର ମତାମତ ପ୍ରକାଶ କରେ । ପୁରୁଣା ଲୋକ–ତାହାର ମତାମତ ଭାବିଚିନ୍ତି ବୁଝି ବିଚାରି ପ୍ରକାଶ କଲାବେଳକୁ ମିସଲ୍‌ ବରଖାସ୍ତ ।

 

ତେଣୁ ନୂଆ ଲୋକର ମତାମତକୁ ପରଖ କରି ତାକୁ ମଞ୍ଜୁର ଦେବା–ଆଉ ଯଥା ଶୀଘ୍ର ମଞ୍ଜୁର ହେବା–ସମ୍ଭବ ନୁହେଁ । ଏହାର କାରଣ ହେଉଛି ଯେ ନୂଆ ଲୋକ ଓ ନୂଆ କଥା ସମକାଳୀନ ସମାଜର ଅଚିହ୍ନା–ଅଜଣା–ଅଶୁଣା ।

 

ସମସ୍ତେ ବିବେଚନା କରି ଠିକ୍‌ କରନ୍ତି ଯେ ନୂଆ ଲୋକଟି ଯିଏ ଆସିଲା ଆଉ ନୂଆ କଥା କହିଲା ଅବା ନୂଆ କଥା କହିଛି ଓ କହୁଛି ବୋଲି ଡାକଫୁକାର କଲା ସେ ଅସଲି କି ନକଲି ଓ ସଚ୍ଚୋଟ କି ଭଣ୍ଡ ଏତକ ପରୀକ୍ଷା କରିବାକୁ ସମୟ ଦରକାର । ସେ ସମୟ ସାହିତ୍ୟରେ ଖୁବ୍‌ କମ୍‌ରେ ବାରବର୍ଷ କିମ୍ବା ତାହାର ଅଧା ଛଅବର୍ଷ ।

 

ଏହି ସମୟ ମଧ୍ୟରେ ସେ ଲୋକ ସହିତ ପରିଚୟ, ଆଳାପ ଓ ଘନିଷ୍ଠତା ହେବ । ତାହା ସହିତ ମୁହାଁମୁହିଁ ପରଖରେ ସେ ନିଜେ ନିଜ କଥା କହୁଛି କି ମାଗି ଆଣିଛି ଅବା ଚୋରି କରିଛି–ସେତକ ବୁଝା ପଡ଼ିଯିବ । କାରଣ କିଛି ଦିନ ମଧ୍ୟରେ ଲେଖକର ବ୍ୟକ୍ତିତ୍ୱ ତାହାର ଚିନ୍ତାଧାରାର ବାହକ ଓ ସ୍ପଷ୍ଟ ସୂଚକ ହୋଇଯାଏ ।

 

କଥା ଭାଷାରେ ଓ ମତାମତ ଦିଆନିଆରେ ସେ ଚର୍ବିତଚର୍ବଣ କରୁଛି କି କ’ଣ କରୁଛି ବୁଝାପଡ଼ିଯାଏ । ତାହାର ଜୀବନ ଦର୍ଶନ ଓ ଜୀବନର ଧାରା ଦେଖାଯାଏ । ଯେତେବେଳେ ସ୍ପଷ୍ଟ ହୃଦବୋଧ ହୁଏ କି ଲୋକଟିର ସ୍ୱକୀୟ ଓ ସ୍ୱତନ୍ତ୍ର ଦର୍ଶନ ଅଛି ଓ ତାହାର ଚିନ୍ତାଧାରା ତାହାର ନିଜସ୍ୱ ହୋଇ ସ୍ପଷ୍ଟ ହୋଇ ପାରିଛି ସେତେବେଳେ ତାକୁ ସ୍ୱୀକୃତି ଦିଆଯିବାରେ ବାଧା ନ ଥାଏ ।

 

କାରଣ ମନର ଓ ମସ୍ତିଷ୍କର ଜାତିବିଭାଗ ନାହିଁ । ବର୍ଣ୍ଣାଶ୍ରମ ଧର୍ମ ନାହିଁ । ପାଠକର ଚେତନା ଠିକ୍‌ ଲୁହା ଚୁମ୍ବକ ପାଖକୁ ଗଲାପରି ଚାଲିଯାଏ । ସେହି ସ୍ୱାଭାବ ସହଜ ସ୍ୱୀକୃତି ଆପଣା ଛାଏଁ ବାହାରି ଆସେ–ଆମେ କୋଇଲିର ମଧୁର ଗୀତ, କୁଳୁକୁଳୁ ହେଇ ବହିଯାଉଥିବା ଝରଣାର ସଙ୍ଗୀତ ଅବା ନିଷ୍ପାପ ଶିଶୁର ଚେତନ-ଧର୍ମୀ ବାଚାଳତାର ମର୍ମର ପ୍ରତି ସ୍ୱଭାବ ସହଜ ଭାବରେ ଆକୃଷ୍ଟ ହେଲା ପରି ନୂଆ ଲେଖକର ନୂତନତ୍ୱର ମହକରେ ବିଭୋର ହୋଇପଡ଼ୁ ।

 

ଏଇଥିରେ ଏବେ ଅଡ଼ୁଆ ଆଣିଛି ସଂଗଠନ । ସଂଗଠନ ହେଉଛି ଗୋଟାଏ ପ୍ରକାର ଦୁର୍ନୀତି । ଆମର ଲେଖକ–ଆମ ଥାନାର ଲେଖକ–ଆମ ଜିଲ୍ଲାର–ଆମ ଅଞ୍ଚଳର–ଏହି ପ୍ରକାରର କଥାଗୁଡ଼ିକ ଗୋଟିଏ ଉଦ୍ଭଟ ମୂଲ୍ୟବୋଧକୁ କଥା ଜୋରରେ ସ୍ୱୀକୃତ କରାଇ ନେବାକୁ ପ୍ରୟାସ କରେ । ଏହାକୁ ବିଜ୍ଞାପନର କୌଶଳ ବୋଲି ବୁଝିଲେ ମଧ୍ୟ କ୍ଷତି ନାହିଁ ।

 

କିନ୍ତୁ ଯେତେବେଳେ ବିଜ୍ଞାପନର ପ୍ରଚାର ପରାହତ ହୁଏ ସେତେବେଳେ ସେହି ବିଜ୍ଞାପନର ସୂତ୍ରଧରମାନେ ବିବିଧ ପ୍ରକାରର ଭଙ୍ଗାରୁଜା କାମ କରିବାକୁ ବାହାରନ୍ତି । କଥାରେ ହେଲେ ଏହାର ନାମ କୁତ୍ସା । ଆଉ ଟିକିଏ ତଳକୁ ଗଲେ ଏହା ହୁଏ କାଦୁଅ ଫୋପଡ଼ା । ଠିକ୍‌ ଆଦିମ ସମାଜର ଅବା ଅଳ୍ପ ଚେତନଶୀଳ ପରିବେଶର ଅଣ୍ଟାହଲା କଳିତକରାଳ ପରି ।

 

ସାହିତ୍ୟରେ ଏହାର ଅସ୍ତ୍ର ହେଲା–ସେ ନିଜେ ଲେଖି ନାହିଁ । ଚୋରି କରି ଆଣିଛି । ସାହିତ୍ୟ ସୃଷ୍ଟି ନ କରି ରଚନା ଲେଖିଛି । ଅବା ଯାହା ଜାଣେ ନାହିଁ ସେହି ବିଷୟରେ ବସି ଯାହା ମନକୁ ଆସିଲା ଲେଖିଛି ।

 

ବିଜ୍ଞାପନରେ ଆସ୍ଥାବାନ୍‌ ଲୋକେ ଓ ସଂଗଠନ–ପ୍ରେମୀମାନେ ଏଥିରେ କଥା ଓ କଲମକୁ ଚଳାନ୍ତି । କିନ୍ତୁ ସାଧାରଣ ପାଠକ ନୀରବରେ ସେହି ଲେଖାକୁ ଆଡ଼େଇ ଦେଇ ଅନ୍ୟ ପ୍ରକାରର ଜିନିସ ଖୋଜନ୍ତି । ଏଣେ କୂଳରେ ପାଣି ଫୋପଡ଼ା ଚାଲିଥାଏ ଓ ଶବ୍ଦ ହେଉଥାଏ । କିନ୍ତୁ ଟିକିଏ ଦୂରରେ ନଈ ତାହାର ପାଣି ସମ୍ଭାର ନେଇ ନାଚି ନାଚି ହସି ହସି ଚାଲିଯାଉଥାଏ ।

 

ଯେଉଁ ନୀରବ ସାଧକମାନେ ଆମର ସୃଷ୍ଟିର ଅବା ପ୍ରକୃତି ରାଜ୍ୟର ନଈସମୁଦ୍ର ପାହାଡ଼ପର୍ବତ, ଫୁଲଫଳ ଓ ସୂର୍ଯ୍ୟଚନ୍ଦ୍ରଙ୍କ ପରି ନିଜର ବାଟରେ ନିଜର ନିୟମରେ ଚାଲିଗଲାବେଳେ ପୁରସ୍କୃତ କି ତିରସ୍କୃତ ହେଲେ ମଧ୍ୟ ନିର୍ବିକାର ରହିପାରନ୍ତି ସେହିମାନେ ହେଲେ ପ୍ରକୃତ ଲେଖକ ।

 

ଏତକର ମର୍ଯ୍ୟାଦା ପାଇବା କ’ଣ ସଂଗଠନ ଓ ବିଜ୍ଞାପନରେ ଅବା ଲୋକମତର ଭ୍ରଷ୍ଟତାରେ ସମ୍ଭବ ? –ନା, କେବେ ନୁହେଁ । ତଥାପି ନଈ ସମୁଦ୍ର କୂଳକୁ ବାଡ଼େଇ ବାଡ଼େଇ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଚାଲିଗଲା ପରି ଅନ୍ୟ ପ୍ରକାରର ମତର ଲୋକଙ୍କର ସେହି ପ୍ରବୃତ୍ତିଗତ କାର୍ଯ୍ୟଧାରା ଚାଲିଥାଏ ।

 

ତେଣୁ ଟିକିଜୀବନିଆ ନୂତନତ୍ୱର ସ୍ରଷ୍ଟାମାନେ ଏହି ବିଳମ୍ବ ପାଇଁ ଅତିଶୀଘ୍ର ଧୈର୍ଯ୍ୟ ହରାଇ ଅବିବେକୀ ଓ ଅବିବେଚକ ହୋଇ ଯାଆନ୍ତି । ସପୁରୀ, ଅମୃତଭଣ୍ଡା ପରି ସେମାନେ ନଡ଼ିଆ, ତାଳ ଓ ଖଜୁରୀ ଗଛର ଫଳକୁ ସଦ୍ୟ ଧରିବାକୁ ଚାହାନ୍ତି । ମୂଲ୍ୟବାନ୍‌ ଜିନିସ ପରି ବହୁ ମୂଲ୍ୟବାନ ବହୁ ମତର ସ୍ୱୀକୃତି ପାଇବା ଯେ ସମୟର କାମ–ଏତକ ସେମାନେ ଜାଣନ୍ତି ନାହିଁ ।

 

କିଶୋର ବୟସରେ ଦର୍ଶନ ଓ ତତ୍ତ୍ୱପୂର୍ଣ୍ଣ ଲେଖା ଲେଖି ବଡ଼ ଦାର୍ଶନିକ ଓ ବାହାଦୁର ତାତ୍ତ୍ୱିକ ଆଖ୍ୟା କାହିଁକି ପାଇଲେ ନାହିଁ ? –ତାହାରି ଅନୁଧ୍ୟାନରେ ଲାଗିଯାଆନ୍ତି । ଯେବେ ପାଞ୍ଚ ସାତ ବର୍ଷରେ ଗୋଟାଏ ସ୍ଥାୟୀ ଗୌରବ ମିଳି ନ ପାରିଲା ତାହାହେଲେ ସେ ସାଧନା ବ୍ୟର୍ଥ ଓ ବିଫଳ ବୋଲି ମତ ଦିଅନ୍ତି ।

 

ଏମାନଙ୍କର ସଂଖ୍ୟା ଆମର ଓଡ଼ିଆ ସାହିତ୍ୟରେ କାହିଁକି ପ୍ରାୟ ସବୁ ସାହିତ୍ୟରେ ସଂଖ୍ୟାଗରିଷ୍ଠ । ସ୍ଥାୟୀ ବା ଚିରସ୍ଥାୟୀ ବିଷୟର ନିଦାନ, ପରିସର ଓ ସଂଜ୍ଞା ଜାଣି ନ ଥିବା ଲୋକ କେବଳ ନିଜର ଜ୍ଞାନର ସସୀମତା ଓ ଅଭିଜ୍ଞତାର ଅପରିପକ୍ୱତା ପାଇଁ ଏହି ଯାନ୍ତ୍ରା ପଥରୁ ଓହରି ଯାଆନ୍ତି । ଯେତେ ଶୀଘ୍ର ଓ ଯେତେ ସହଜରେ ଆସିଥିଲେ ଠିକ୍‌ ସେହି କ୍ଷିପ୍ରତାରେ ଓହ୍ଳାଇ ଯାଆନ୍ତି–ଏମାନଙ୍କୁ ଗାଁରେ ଆମେ କହିଥାଉ ପାଣି ହାଣ୍ଡି ଓହ୍ଲା ଲୋକ ।

 

ଏମାନଙ୍କର କଳ୍ପନା, ଯୋଜନା, ଆକାଙ୍‌କ୍ଷା ଓ ସାଧନା ନିମ୍ନ ସ୍ତରର । କେବଳ ଏହି ପ୍ରକାର କ୍ଷଣିକ, କ୍ଷଣସ୍ଥାୟୀ ଝକମାରୀ ବ୍ୟକ୍ତିମାନଙ୍କ ପାଇଁ ପାଠକ ସମାଜର ସ୍ୱୀକୃତି ଓ ସମର୍ଥନ ମିଳିବା ବିଳମ୍ବର କାରଣ ହେଉଛି । କାରଣ କିଏ କ’ଣ ଓ କେତେ ଦୂରର ନ ଜାଣି ବଡ଼,–ଭଲ–ବଢ଼ିଆ–ଆଦର୍ଶ ବୋଲି ସାଟିଫିକେଟ୍‌ କିଏ କାହାକୁ ଦବ ?

 

ମନଇଚ୍ଛା ଦୁବଘାସ ପରି କଅଁଳ ଅବା ବଜ୍ର ବିଦ୍ୟୁତ୍‌ ପରି ଭୀଷଣ ଅବା ବୋମା ବାରୁଦପରି ଶବ୍ଦାୟମାନ ହେଲେ ମଧ୍ୟ ଛାତି ଭିତରର ସମର୍ଥନ ଏଥିରେ ଆସି ପାରିବ ନାହିଁ । ଯେତେ ଆନ୍ଦୋଳନ କଲେ ମଧ୍ୟ ସର୍ବଜନ ସମର୍ଥନ ପାଇଁ ସାର୍ବଜନୀନ ଭାବର ଭାବୁକ ହେବା ଦରକାର ।

 

ସାର୍ବଜନୀନତାରେ ଯୁବଲେଖକ, ଅନାମ ଲେଖକ, ଅବୁଝା ଲେଖକ, ମିନି ଲେଖକ, ଗାଁ ଲେଖକ ଅବା ଯାପାନୀ ଚିନା ଲେଖକ ବୋଲି କଥା ନାହିଁ । ଧର୍ମପ୍ରଚାରକ, ସମାଜ ସଂସ୍କାରକ, ସମାଜ ସେବୀ, ବିପ୍ଳବୀମାନଙ୍କର ଯେପରି ଗାଁ, ବିଦ୍ୟା, ବୟସ ଆଦି ବୁଝିବା ଦରକାର ହୁଏ ନାହିଁ । ସେହିପରି ସାର୍ବଜନୀନ ଲେଖକର ମଧ୍ୟ ଏହି ସବୁ ସାଂସାରିକ ଉପକରଣ କାମରେ ଲାଗେ ନାହିଁ ।

 

ତେବେ ଏସବୁ ହେଉଛି କାହିଁକି ?

 

କାରଣ ହେଲା ପ୍ରତ୍ୟେକ ଲୋକ ସ୍ୱୟଂସମ୍ପୂର୍ଣ୍ଣ । ଏହାକୁ ଆମେ କହୁ–ମଣିଷ ମୋଟାମୋଟି ଚଉଦ ପା । ଅବା ଲଙ୍କାରେ ଯେତେକ ଜାତ ସମସ୍ତେ ବାଆନ ହାତ । ପ୍ରତ୍ୟେକ ଲେଖକ ନିଜକୁ ସର୍ବଶ୍ରେଷ୍ଠ ଲେଖକ, ସର୍ବଶ୍ରେଷ୍ଠ ଦାର୍ଶନିକ, ତାତ୍ତ୍ୱିକ ଓ ଚିନ୍ତାନାୟକ ବୋଲି ଭାବିବା ସ୍ୱାଭାବିକ । ପ୍ରକୃତ କଥା ମଧ୍ୟ ସେଇଆ । ଆରମ୍ଭରେ ସମସ୍ତେ ସମାନ । ସେଇଠୁ ଆରମ୍ଭ ହୁଏ ପ୍ରତିଦ୍ୱନ୍ଦ୍ୱିତା ।

 

ପ୍ରତିଦ୍ୱନ୍ଦ୍ୱୀର ବିଚାର, ଧନ ଓ କୌଶଳ ସେମାନଙ୍କୁ ଆଗପଛ କରିଦିଏ । ଅନ୍ୟମାନେ ତଳକୁ ଚାଲିଯାନ୍ତି । ତଳକୁ ଖସିବା ଲୋକ ଓ ଉପରକୁ ଉଠିବା ଲୋକ ଭିତରେ ପ୍ରଭେଦ ବି ବେଶି ନାହିଁ । ଏଥିରେ ଥାଏ ଉପସ୍ଥିତ ବୁଦ୍ଧି ବା ଅକଲର ପରିମାଣର ପ୍ରଭେଦ ।

 

ଆମର ଓଡ଼ିଆ ଶିଶୁ ସାହିତ୍ୟରେ ମଧ୍ୟ ଏହି ପ୍ରକାରର ଉପାଖ୍ୟାନ ଅଛି । ଲଙ୍କା ଯୁଦ୍ଧରୁ ଫେରିଲା ପରେ ରାମଚନ୍ଦ୍ର ଓ ସୀତାଦେବୀ ବାନର ସେନାଙ୍କୁ ଭୋଜୀ ଦେଇଥିଲେ । ସେଇ ଭୋଜୀରେ ଶିମ୍ବମଞ୍ଜି ଆମ୍ବିଳ ପରଶା ଯାଇଥିଲା । ଜଣେ ବାନର ମଞ୍ଜିକୁ ଟିକିଏ ଚିପି ଦେବାରୁ ମଞ୍ଜିଟି ଉପରକୁ ଉଠିଗଲା । ହଠାତ୍‌ ସେ ବାନର ମହାଶୟ କୁଦା ମାରିଦେଲେ ମଞ୍ଜିଠାରୁ ଉଚ୍ଚକୁ । ତାଙ୍କର ଡିଆଁ ଦେଖି ପୂରା ବାନର ବାହାନୀ ଉପରକୁ–ଆଉରି ଉଚ୍ଚକୁ–ଆଉରି ଉଚ୍ଚକୁ ଡେଇଁବାରେ ଲାଗିଲେ ଜଣା ପଡ଼ିଲା ଶିମ୍ବମଞ୍ଜିର ମାହାତ୍ମ୍ୟ ।

 

ଠିକ୍‌ ସେହିପରି ସାହିତ୍ୟରେ ମଝିରେ ମଝିରେ ଏହି ଶିମ୍ବମଞ୍ଜି ଓ ବାନର ଡିଆଁ ପରି କିଛି କିଛି କାମ ହୁଏ । ସେଥିରେ ବିରକ୍ତ, ବ୍ୟସ୍ତ ବା ବିବ୍ରତ ହେବାର କ’ଣ ଅଛି ? ଲୋକମତକୁ ଶିରୋଧାର୍ଯ୍ୟ କରି ଚଳିଥିବା ଲୋକେ ସବୁବେଳେ ନିମ୍ନ ଶ୍ରେଣୀର–ଏତକ କ’ଣ ଗୋଟାଏ ସ୍ଥିର ସତ୍ୟ ନୁହେଁ ?

 

ଲୋକମତ ହେଉଛି ଗୋଟାଏ ଶଗଡ଼ଗୁଳା ବା ଚଲାବାଟ । ଏହି ଲୋକମତ ରାସ୍ତା ତିଆରି କରେ ନାହିଁ । ରାସ୍ତାରେ ଚାଲେ । ସେହି ବିପୁଳ ଜନସମାଜରୁ ଯେଉଁମାନେ କିରାନି, ମାଷ୍ଟ୍ର, ଓକିଲ, ଦୋକାନୀ ଅବା ଦରମାଖିଆ ନୌକର ନ ହୋଇ କ’ଣ ଗୋଟାଏ ନୂଆ କଥା କରି ତାଙ୍କର ଗୋଟାଏ ଅଧେ ଅସୁବିଧା ଦୂର କରିବାକୁ ଯୋଜନା କରନ୍ତି ସେହିମାନେ ସ୍ରଷ୍ଟା–ବିପ୍ଳବୀ–ବାଟ କଢ଼ୁଆଳ ।

 

ସାହିତ୍ୟିକ ଭିତରେ ଏହି ଶଗଡ଼ଗୁଳା ଖୋଜି ଖୋଜି ଗୋଡ଼ରେ ଖୁଞ୍ଚା କେମିତି ନ ବାଜିବ–ତାହାର ସତର୍କ ଯୋଜନା କରି ଚାଲିବା ଲୋକ ଅଛନ୍ତି । ସେମାନେ ସବୁ ହେଲେ ଟାଇପିଷ୍ଟ, କପିଷ୍ଟ ପରି ସତର୍କ ଗୋଷ୍ଠୀର ଲୋକ । ହେଲେ ବି ମଣିଷ ହୋଇଥିବାରୁ ମଝିରେ ମଝିରେ ଚିଲାଇଥାନ୍ତି–ଆମର ଦାବୀ ପୂରଣ ହେଉ । ଏମାନଙ୍କୁ କ’ଣ କୁହାଯିବ ସାହିତ୍ୟିକ ? –ନା, ଏମାନେ ହେଲେ ପେଷାଦାର । ସୈନ୍ୟମାନଙ୍କର ବାହିନୀ ପଛରେ ହରେକ ପ୍ରକାରର ମନ, ମତ ଓ ଭେକ ନେଇ ଯେଉଁ ଦଳେ ଲୋକ ଚାଲିଥାନ୍ତି, ଠିକ୍‌ ସେହି ଶ୍ରେଣୀର ଲୋକ ।

 

ଖାଲି ଲେଖକ କ’ଣ ପାଠକ ବି ସେହି ପର୍ଯ୍ୟାୟରେ ଅନେକ ରହିଥାନ୍ତି । ଯେ ନିଜର ଶକ୍ତି, ସାମର୍ଥ୍ୟ ଓ କଳ୍ପନାରେ ଯେଉଁ ପରିସ୍ଥିତିକୁ ନିଜର କରି ପାରିନାହିଁ ଅବା ମନରେ ଆଦର କରିପାରି ନାହିଁ ସେ ସେହି ସବୁ ସମସ୍ୟାର ସାହିତ୍ୟ ଦେଖିଲେ ଚମକି ପଡ଼େ ।

 

ମନେ କରାଯାଉ ଗେଜେଟ୍‌ ଦେଖି ଜଣାପଡ଼ିଲା ଯେ ଅମୁକ ଦଶଖଣ୍ଡ ବାଜ୍ୟାପ୍ତି ବହି ଅଛି । ସେହି ବାଜ୍ୟାପ୍ତ ବହିକୁ ଥରେ ପଢ଼ିବା ପାଇଁ କ’ଣ ସମସ୍ତେ ରାଜି ? –ନା । ସେମାନେ କହିବେ–କ’ଣ ମିଳିବ ସେଥିରୁ ? ସେମାନଙ୍କର ମତ ହେଲା ଯେ ସାହିତ୍ୟର ଅର୍ଥ ମନୋରଞ୍ଜନ । ସାହିତ୍ୟର ଅର୍ଥ ନୁହେଁ ଅଯଥା ବିପଦକୁ ବରଣ କରିବା । ତେଣୁ ଏହି ସୁବିଧା ଭୋଗୀ ଓ ନିର୍ଭୟତାର ପୂଜାରୀମାନେ ଲେଖିବେ କ’ଣ ? ପଢ଼ିବେ ଅବା କ’ଣ ?

 

ସେଥିପାଇଁ କୁହାଯାଇଥାଏ ଲେଖିବା ବା ପଢ଼ିବାର ଶକ୍ତି ସାହିତ୍ୟ ନୁହେଁ । ସାହିତ୍ୟରେ ଆଉ ଟିକିଏ କଥା ଅଧିକା ଥାଏ–ସେଇଟା ହେଲା ନିଦକ ଓ ନିର୍ଭୟରେ ଆଗୁଆ ଦିନ କାଇଁ ସ୍ପଷ୍ଟ କଥା କହିବା । କିନ୍ତୁ ଓଡ଼ିଆ ସାହିତ୍ୟରେ ଏହି କଥାଟି କହିବାକୁ କ’ଣ ପ୍ରକୃତରେ ଲେଖକମାନେ ସମର୍ଥ ?

 

ଓଡ଼ିଆ ଲେଖକ ସ୍ପଷ୍ଟବାଦିତା ଓ ନିର୍ଭୀକତାର ଯୋଗ୍ୟ କି ନୁହେଁ ଜାଣିବାକୁ ତାଙ୍କର କାମର ସମୀକ୍ଷା ହେବା ଦରକାର । ଅପେକ୍ଷାକୃତ ଅଳ୍ପ ବୟସ୍କ ଓ ଅଳ୍ପ ପ୍ରସିଦ୍ଧ ଲେଖକ ଶ୍ରୀ ଶରତ କୁମାର କରଙ୍କ ମତାମତର ପୃଷ୍ଠାପୋଷକତା କରିବାକୁ କିପରି ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଓ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତି ମହାଶୟମାନେ ଦିନ ଦିନ ଧରି ଓଡ଼ିଆ ସାହିତ୍ୟର ଅଧିଷ୍ଠାନ ସାହିତ୍ୟ ଏକାଡେମିରେ ବସିପାରିଲେ ? ସିଏ ପୁଣି ବହୁତ ଦିନ ତଳେ ନୁହେଁ–ଏଇ ଆରବର୍ଷ ଏକସ୍ତରୀ–ବାସ୍ତରୀ ମସିହାରେ ?

 

ବାବୁ ରାଜକିଶୋର ରାୟ ଭାବିଲେ–ଏଁ କ’ଣ ହେଲା ? ଏମାନେ ମଜ୍ଜା ମାରି ନେଇ ମଣିଷ ହୋଇଗଲେ ? ମୁଁ କ’ଣ ଯୋଗାଡ଼ କରି ପାରିଲି ନାହିଁ ? ସ୍ୱୀକୃତିର ବ୍ୟାବହାରିକ ଅର୍ଥ ହେଉଛି ଯୋଗାଡ଼ ଯନ୍ତ୍ର ।

 

ସେ ସେଇଠୁ ଦେଖିଲେ ମାନ୍ୟବର ଶରତବାବୁ ବିଦାୟ ହେଇ ଶ୍ରୀମତୀ ନନ୍ଦିନୀ ଶତପଥିଙ୍କୁ ସାହିତ୍ୟଗାଦି ଦେଇ ଦେଲେ । ବାବୁ ରାଜକିଶୋର ରାୟ ଖବର କାଗଜରେ ସ୍ତୁତିଗାନ ଆରମ୍ଭ କରିଦେଲେ ମୋର ଛାତ୍ରୀ ବିପ୍ଳବିଣୀ...ନନ୍ଦିନୀ ।

 

ଦିଅ ମା–ପୁରସ୍କାର । ବୁଢ଼ା ହେଲି । କେବେ ମତେ କ’ଣ ମିଳିବ ? କିଛି ଯଦି ନ ପାଏ ତେବେ ମୁଁ ଆଜୀବନ ସାହିତ୍ୟ ସାଧନା କରି ବିନା ସ୍ୱୀକୃତିରେ ମରିଯିବି ।

 

ଶ୍ରୀମତୀ ନନ୍ଦିନୀ ବୋଧହୁଏ ଅନୁଦାର ନୁହନ୍ତି । ବାବୁ ରାଜକିଶୋର ରାୟ କେନ୍ଦ୍ର ସାହିତ୍ୟ ଏକାଡେମିର ଓଡ଼ିଆ ବିଭାଗର ଏକଜିକ୍ୟୁଟିଭ ସମିତିକୁ ମନୋନୀତ ହୋଇଗଲେ ।

 

ସେଇଠୁ ଓଡ଼ିଆ ସାହିତ୍ୟକୁ ନେତୃତ୍ୱ ଦେବା କାମ ଆରମ୍ଭ ହୋଇଗଲା ।–ଆବେ, ଓଡ଼ିଆ ଲେଖକ ହେଇଛୁ ପରା । ସାହିତ୍ୟ କହିଲେ ମୋର ମତକୁ ବୁଝାଇବ । ସାହିତ୍ୟିକ କହିଲେ ମତେ ବୁଝାଇବ । ଠିକ୍‌ କରି ଲେଖା ଲେଖି କର । ସ୍ୱୀକୃତି ମିଳିବ ?

 

–କି ସ୍ୱୀକୃତି, ସାର୍‌ ?

 

–ମୁର୍ଖ, ବୁଝିପାରୁ ନାହୁଁ ? ମାଇନର ସ୍କୁଲ ଅବା ନିମ୍ନପ୍ରାଥମିକ ସ୍କୁଲ କହିଲେ ତାହାର ହତାବାଡ଼ି, ମାଷ୍ଟ୍ର ପିଲାଙ୍କୁ ବୁଝାଏ ନାହିଁ । ବୁଝାଏ ଗୋଟାଏ ଗୋଲାପୀ ବା କଳା ବିଭାଗୀୟ ମୋହରକୁ । ଏଗୁଡ଼ାକ ତ ବିଶ୍ୱବିଦ୍ୟାଳୟ ନୁହେଁ । ଛୋଟିଆ ପାଠଶାଳା । ବଡ଼ ଗୁଡ଼ାକ ପାଇଁ ସରକାର । ଛୋଟଙ୍କ ପାଇଁ ଆମେ ସରକାରୀ ନୌକରମାନେ । ବୁଝିଲ ? ସାହିତ୍ୟ ଲେଖା ବଡ଼ କଥା ନୁହେଁ । ବୁଝିପାରିଲ ?

 

ତେବେ, ସାର୍‌ , ଆପଣମାନଙ୍କର ଆପତ୍ତି ଥିଲା ଅଣସ୍ତରୀ ମସିହାରେ ଶ୍ରୀମତୀ ପଦ୍ମାଳୟ ଦାସ ସେମିତି ଆପଣଙ୍କ ପରି କେନ୍ଦ୍ର ସାହିତ୍ୟ ଏକାଡେମିର ଓଡ଼ିଆ ସାହିତ୍ୟ ବିଭାଗରେ ଏକଜିକ୍ୟୁଟିଭ କମିଟିର ମନୋନୟନ ବେଳେ ।

 

ଏସବୁ ହେଉଛି ବାଚାଳତା । ଯୋଗ୍ୟତା ନ ଥାଇ ମନୋନୟନ ପାଇଲେ କୁହାଯାଏ ପ୍ରିୟାପ୍ରୀତି ତୋଷଣ ବା ତେଲ ମାଲିସର ବକସିସ୍‌ । ଯୋଗ୍ୟତା ଥାଇ ମନୋନୟନ ପାଇଲେ କୁହାଯାଏ ସ୍ୱୀକୃତି ।

 

ଏଇଠି ମତ ବିରୋଧ ଦେଖାଯାଏ । ରାଜକିଶୋର ରାୟଙ୍କ ପରି ୠଷିପ୍ରତିମ ନିର୍ଭୀକ କୁହାଳିଆଙ୍କ କଥାରେ କେମିତି ଓଡ଼ିଆ ଲେଖକ କାଳି ବୋଳିବା ଆରମ୍ଭ କରି ଦେଲା । ଆଉ ଓଡ଼ିଆ ଉଠିବେ କ’ଣ ? ଏହି ବାଜେମାର୍କା ଜାତିଟା ଖାଲି ଗୋଡ଼କୁ ଟାଣି ପକାଇବାକୁ ତିଆରି ।

 

ଆରେ ସତକଥା ତ । ଭାରି ଲାଜ ଲାଗେ । ଏଣେ କ’ଣ ହେଉଛି ? ଚାରିଆଡ଼େ ଓଡ଼ିଆ ଲୋକ ସମୀକ୍ଷା କରି ଡକ୍ଟର ମାୟାଧର ମାନସିଂହ, ପଦ୍ମଭୂଷଣ କାଳିନ୍ଦି ଚରଣ ପାଣିଗ୍ରାହୀ ପ୍ରମୁଖ ସାହିତ୍ୟିକଙ୍କୁ ଯଥା ସମୟରେ ସାହିତ୍ୟର ସର୍ବଜନ ସ୍ୱୀକୃତି ଦିଆଇ ପାରିଲେ ନାହିଁ ।

 

ଏଠି ହିନ୍ଦୁସ୍ତାନୀ, ତାମିଲ, ବଙ୍ଗାଳୀ ବା ତେଲୁଗୁ ଲୋକେ କ’ଣ ବିରୋଧ କଲେ ? ନା , ଭୀରୂ ଓଡ଼ିଆ ସମୀକ୍ଷକମାନେ ଭିତରେ ଭିତରେ ଗୋଛି କାଟିଲେ ? ଏମାନେ କ’ଣ ଗୋଡ଼ଟାଣି ଓଡ଼ିଆ ସାହିତ୍ୟର ସ୍ୱୀକୃତି କ୍ଷେତ୍ରରୁ ଏହି—ଏକ ସମୟର ଓ ଆଜିର ମଧ୍ୟ–ବିଶିଷ୍ଟ ସାହିତ୍ୟିକମାନଙ୍କୁ ପରାଭୂତ ଓ ପ୍ରତିହତ କରିଦେଇନାହାନ୍ତି ? କାରଣ ଏମାନଙ୍କର ସାହିତ୍ୟିକ ପ୍ରତିଷ୍ଠା ଚଉବନରୁ ଚଉଷଠୀ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟର କେନ୍ଦ୍ର ସାହିତ୍ୟ ଏକାଡେମିର ଶିରୀପା ପାଇଥିବା ଲେଖକମାନେ କ’ଣ ଊଣା ନୁହନ୍ତି ?

 

ଏହି ପ୍ରକାରର ଊଣା ଲୋକେ ଉଚ୍ଚା ଲୋକଙ୍କୁ ଦବାଇବା ପାଇଁ କୌଶଳ ଖଞ୍ଜନ୍ତି । ଏହି କୌଶଳପୂର୍ଣ୍ଣ କାମରେ ସାଧାରଣ ପାଠକ ବା ସାଧାରଣ ସାହିତ୍ୟିକ ଧାର ଧାରେ ନାହିଁ ।

 

ଜୀବନଯାନ୍ତ୍ରାର ଦୁର୍ଗମ ପଥରେ ସାପବିଛାଙ୍କ ପରି ସାହିତ୍ୟର ରାଜପଥରେ କୌଶଳର ମୂଲ୍ୟ ଆଜି ନୁହେଁ ଆଦିମ ଯୁଗରୁ ମଧ୍ୟ ସ୍ୱୀକୃତି ପାଇ ଆସିଛି । ଆମର ଶିକ୍ଷାମୂଳକ ଉପାଖ୍ୟାନରେ କାଉକୁ କୋକିଶିଆଳୀ ଠକିଲା–ବିଲେଇକୁ ମାଙ୍କଡ଼ ଠକିଲା–ଯେମିତି କଥା ଆମର ଏହି କଲମଧାରୀ ସମାଜରେ ମଧ୍ୟ ଠକ, ଧପ୍‌ପାବାଜ ଓ କୁଚନ୍ତ୍ରୀ ରହିବା କଥା । ...ରହିଛନ୍ତି ।

 

ସେମାନେ ଆଜିର ଆମଦାନୀ ନୁହନ୍ତି । ତାଙ୍କ କଥାର ଅବତାରଣା ହେବାର କାରଣ ଯେ ସେମାନେ ତାଙ୍କର ଅଣ–ସାହିତ୍ୟିକ ଅସ୍ତ୍ର ଶସ୍ତ୍ରରେ ନିଜକୁ କାମ୍ୟ ଓ ବରଣୀୟ କରିଥିବାରୁ ଯୁଗର ସାମଗ୍ରିକ ମୂଲ୍ୟାୟନରେ ତାଙ୍କୁ ବାଦ ଦିଆଯିବା ଉଚିତ୍‌ । କଥାଟି ମୋଟାମୋଟି ହେଲା ଏମିତି–କୁଳଟା କୁଳବଧୂ କରିବା ଅନୁଚିତ୍‌–ଚୋରକୁ ପୁଲିସ କରିବା ଅନୁଚିତ୍‌–ମିଛୁଆଙ୍କୁ ବିଚାରପତି କରିବା ଅନୁଚିତ୍‌ ।

 

କିନ୍ତୁ ଏହା କ’ଣ ହୋଇପାରିବ ? ଭଣ୍ଡର ବେଶପୋଷାକ କଥାଭାଷା ହେଉଛି ସାଧୁ ସନ୍ଥର କଥା ଓ ବେଶ । ସେହି ଛଦ୍ମରୂପ ନେଇ ଖରାପ ମଧ୍ୟ ଆମ ଭିତରେ ଚାଲିଥାଏ । ଆମେ ମଧ୍ୟ ଆମର ମନର ଯାବତ୍‌ ଖରାପ କଥାକୁ ଘୋଡ଼ାଇ ଏଇ ସଂସାରରେ ଚାଲିଥାଉ । ଇଏ କ’ଣ ମିଛ ?

 

ଆଲୋଚନା ସମାଲୋଚନାର ମାନେ ହେଲା ଏଇସବୁ ବିଚାର । ୟା’କୁ କାହିଁକି କୁହାଯିବ–କୁତ୍ସା ? ଜଜ୍‌ମାନେ ରାୟ ଦେଲାବେଳେ ଦୋଷୀର ଦୋଷ ସାବ୍ୟସ୍ତ କଲାବେଳେ କେବେ କ’ଣ ଚିହ୍ନା ପରିଚୟର ମୁଲାହିଜା ରଖି ଲେଖନ୍ତି ? କାହାରି ବିଷୟରେ ଗୁପ୍ତ ଗୋପନ ରିପୋର୍ଟ ପଠାଗଲାବେଳେ ପୁଲିସ ବିଭାଗ ମୁଲାଜିହା ରଖେ ନାହିଁ । ତାହାହେଲେ ସାହିତ୍ୟର ସମୀକ୍ଷା କଲାବେଳେ ଆମେ ଏମିତି–ଭଲ–ଭଲ–ଭାରି–ଭଲ ସବୁ ଦିଗରୁ ଭଲ ବୋଲି କହିବା କାହିଁକି ?

 

ଠିକ୍‌ ଯେମିତି ଆମେ ଭଲକୁ ଭଲ ଆଉ ବାଜେକୁ ବାଜେ ବୋଲି କହି ଦବୁ, ସେଇଠୁ ହେଲା କଳି ତକରାଳ । କହିବା ଲୋକର ଗୋହିଗୋତ୍ର ଖୋଳିବାକୁ ଅପରପକ୍ଷ ମଧ୍ୟ କିଛି କମ୍‌ ଶକ୍ତିଶାଳୀ ନୁହେଁ ।

 

ବିବେକୀମାନେ କହିବେ–ଏହି କଳିରେ ଦୁଇ ପକ୍ଷର କ୍ଷତି । ଲାଭ କ’ଣ ? କିଏ ଲାଭ ପାଇଲା ?

 

ସେହିମାନେ କହିବେ ଯେ ଯୁଦ୍ଧରେ ଜାତି ଓ ଦେଶ ଜନଶୂନ୍ୟ ହୋଇଗଲେ ବି ଯୁଦ୍ଧଦ୍ୱାରା ବଳବୀର୍ଯ୍ୟର ପ୍ରମାଣ ଓ ପରୀକ୍ଷା ହୁଏ । ଏଇଥିୁରୁ ପ୍ରକୃତ ବୀରତ୍ୱର ସୂଚନା ମିଳେ ।

 

ତେଣୁ ଗୋଟାଏ ମତ ପ୍ରକାଶ ପାଉଛି ଯେ ଆଜି ଓଡ଼ିଆ ସାହିତ୍ୟର ସ୍ଥାଣୁତ୍ୱ ଭାଙ୍ଗିବାକୁ ଯଦି ପ୍ରତ୍ୟେକ ଲେଖକ ଓ ପାଠକ ତାଙ୍କର ମତାମତକୁ ସ୍ପଷ୍ଟ ଭାବରେ ଲେଖାରେ ଓ କଥାରେ ପ୍ରକାଶ କରନ୍ତେ ତାହାହେଲେ କେତେକ ଲେଖକମଣ୍ୟ ଲେଖକଙ୍କର କ୍ଷତି ହେବାର ଆଶଙ୍କା ଥିଲେ ମଧ୍ୟ ଓଡ଼ିଆ ସାହିତ୍ୟରୁ ଅଳିଆ ଆବର୍ଜନା ସହିତ ମଶା,ଓଡ଼ଷ ଓ ଡ଼ାଆଁସ କିଛି ଚାଲି ଯାଆନ୍ତେ ।

 

ଭଲ ହୁଅନ୍ତା । ମୋ ପରି, ଆମ ପରି, ତମ ପରି ଯେଉଁମାନେ ସାହିତ୍ୟିକ ନ ହୋଇ ସାହତ୍ୟିକର ଗୌରବ ଧରି ଚାଲୁଛନ୍ତି ସେମାନେ ମରିଯାନ୍ତେ । ଏଇଟା ସାହିତ୍ୟର ଅଭିବୃଦ୍ଧିରେ କ’ଣ ଶୁଭଖବର ହବ ନାହିଁ ?

 

ଏକଥା କରିବ କିଏ ? ଯେଉଁମାନେ ସାଂସ୍କୃତିକ ବିଭାଗର ଅଣ ସାହିତ୍ୟିକ ସଚ୍ଚିବଙ୍କର ଅଧ୍ୟକ୍ଷତାରେ ସାହିତ୍ୟର ବିଚାର ଆଲୋଚନା କରି ନିଜକୁ କୃତାର୍ଥ ମନେ କରନ୍ତି ସେହିମାନେ କ’ଣ ଏଇ ଝଡ଼ଝଞ୍ଜାକୁ ପସନ୍ଦ କରିପାରିବେ ?

 

ବାବୁ ରାଧାମୋହନ ଗଡ଼ନାୟକ ବା ବାବୁ ନିତ୍ୟାନନ୍ଦ ମହାପାତ୍ର ବା ବାବୁ କାହ୍ନୁଚରଣ ମହାନ୍ତି କିମ୍ବା ପଣ୍ଡିତ ସୂର୍ଯ୍ୟନାରାୟଣ ଦାସଙ୍କ ପରି ଯେଉଁମାନଙ୍କୁ ଓଡ଼ିଆ ସାହିତ୍ୟିକମାନେ ଋଷିମୁନିଙ୍କର ସ୍ଥାନ ଦେଇଛନ୍ତି ସେମାନେ ମଧ୍ୟ ଏହି ପ୍ରକାରର ବିକ୍ଷୁବ୍‌ଧ ପରିସ୍ଥିତିକୁ ପସନ୍ଦ କରିବେ ନାହିଁ । କାରଣ ଛିଣ୍ଡା କୌପୁନୀ କି ଚିରା ରୁମାଲ ଅବା ଦଦରା ଆଶାବାଡ଼ୀ ଖଣ୍ଡିକ ହେଲେ ବି କ’ଣ ସେଗୁଡ଼ିକ ଧନ ନୁହନ୍ତି ? ସେ ଧନକୁ କ’ଣ ଫୋପାଡ଼ି ଦିଆଯିବ ?

 

ନା–ନା । ତମେ ପୁରୁଣା ପତ୍ରିକା,ପୋକଖିଆ ଅଭିଧାନ ବା ଅଧା ଛିଣ୍ଡା ଗ୍ରନ୍ଥାବଳୀକୁ ଫୋପାଡ଼ି ଦେଇପାର । ସ୍କୁଲ କଲେଜର ପଢ଼ାବହି ଓ ଖବରକାଗଜ ବିକି ଦେଇ ନିଜକୁ ସଫାସୁତୁରା କରିପାର । କିନ୍ତୁ ନିଜର ପାଣ୍ଡୁଲିପିକୁ ଆଦର କରୁଥିବ । କାରଣ ତମେ ହେଉଛ ସେଗୁଡ଼ିକର ସ୍ରଷ୍ଟା । ଆଉ ଥରେ କ’ଣ ସେତିକି ସୃଷ୍ଟି କରିପାରିବ ?

 

ଏଇ ଆଶଙ୍କା ଓ ଭୟ ହେଉଛି ଜଡ଼, ଜରଦ୍‌ଗବ ଆଉ ବୃଦ୍ଧର । ଏଇ ଆଶଙ୍କାର ଉଦ୍‌ବେଗ ଭିତରେ ଜୀବନକୁ ଠେଲୁଥିବା ଲୋକ କ’ଣ ପାଇଁ ସାହିତ୍ୟକୁ ଧରି ବସିବେ ? ତେଣୁ ନିୟମ ହେଇଯାଉ ଯେ ସୃଷ୍ଟିକରିବାର ବନ୍ଧ୍ୟାଦୋଷ ଆସିବା ପରେ ସାହିତ୍ୟିକ ସକ୍ରିୟ ସାହିତ୍ୟରୁ ବିଦାୟ ନେଉ । ନ ହେଲେ ପ୍ରକୃତ ଜଗତର ପରସ୍ପର ଆକ୍ରମଣାତ୍ମକ ଜୀବନର ଧାରା ଏଠି ମଧ୍ୟ ସ୍ୱୀକୃତ ହୋଇଯାଉ ।

 

ଥିଲାବାଲା ଓ ନ ଥିଲାବାଲା ଏକାଠି ଥରକୁ ଥର ପରଖ ହୋଇ ଯାନ୍ତୁ । ଅବସର ବିନୋଦନ ସାହିତ୍ୟ ସୃଷ୍ଟି ବଦଳରେ ସାହିତ୍ୟରୁ ଅବସର ନେଇ ଅପସାରିତ କରିବାର ଯୋଜନା ହେଉ ।

 

ସରକାର କିନ୍ତୁ ନିର୍ମମ । ସେମାନେ ମଧ୍ୟ ବେଶ୍‌ ନବଜିଆ । କଥାଟାକୁ ଠିକ୍‌ ଏମିତି ନ କହି ସେମାନେ କାମରେ କରି ଦେଉଛନ୍ତି । ଏହା ଫଳରେ ସାହିତ୍ୟିକ କେଉଁଦିନ ଶିକ୍ଷା ବିଭାଗର ଡିରେକ୍ଟରଙ୍କର ଅଫିସିଆଲ ପ୍ରତିନିଧି ହିସାବରେ ଖେଳ ବ୍ୟାୟାମର ଅଧ୍ୟକ୍ଷର ଅଧ୍ୟକ୍ଷତାରେ ମଧ୍ୟ ବସିଯାଇ ଓଡ଼ିଆ ସାହିତ୍ୟ ପାଇଁ ଧ୍ୱନି ଦେଉଛି ।

 

ଆଉ ଏହି ପ୍ରକାରର ଘଟଣା ଘଟୁଥିବାରୁ ସେହି ଶ୍ରେଣୀର ଆମପରି କେତେଜଣ ଏହି ପ୍ରକାରର ଲେଖା ଏଠି ଲେଖି ଚାଲିଛନ୍ତି । ମନ୍ଦ କ’ଣ ? ସଢ଼ା କୁକୁର ବିଲେଇର ମଡ଼ାକୁ ଫୋପାଡ଼ିବାକୁ ହେଲେ ନିଜେ କିଛି ସେହି ଦୁର୍ଗନ୍ଧକୁ ପେଟ ଭିତରକୁ ନେବା ଛଡ଼ା ବାଟ କ’ଣ ଅଛି-?

 

ଏଇ ସବୁ ମଇଳା ଓ ଦୁର୍ଗନ୍ଧ ହେଉଛି ସୁସ୍ଥ ବାତାବରଣର ବିରୋଧି । ମଇଳା ଓ ଦୁର୍ଗନ୍ଧକୁ କିଏ ବାଛି ବାହାର କରିବ ? ଯିଏ ଯେତେବେଳେ ଏହି ଗୁହାଳ କି ପାଇଖାନା ଅବା ନର୍ଦ୍ଦମାକୁ ସଫା କରିବାକୁ ବାହାରିବ ସେତେବେଳେ ତାକୁ ନିନ୍ଦା କରି କୁହାଯିବ ଯେ ଲୋକଟି ନର୍ଦ୍ଦମା ନିରୀକ୍ଷକ । ଏଇକଥା ସବୁ ଦେଶରେ ଓ ସବୁ ଯୁଗରେ କେତେକ ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ କୁହାଯାଇଥାଏ । ଏବେ ଓଡ଼ିଆ ସାହିତ୍ୟରେ ଏହି ନର୍ଦ୍ଦମା–ନିରିକ୍ଷା ଆରମ୍ଭ କରାଯାଇଛି ।

 

କେଉଁଠି ଏହି ବିଭାଗ ନାହିଁ ଯେ ସାହିତ୍ୟରେ ହୋଇଗଲା ବୋଲି ବିବ୍ରତ ହେବୁ ? ଚାକିରି ଯୋଗାଣ ସଂସ୍ଥାର ଯେଉଁ ପବ୍ଳିକ୍‍ ସର୍ଭିସ୍‍ କମିସନ୍‌ ଅଛି, ସେଇଟା କ’ଣ ? ସଚିବାଳୟର ଫାଇଲ ଭିତରେ ମଣିଷ ମଣିଷ ଭିତରେ ଯେଉଁ ଭଲ ମନ୍ଦର ପରୀକ୍ଷା ହୁଏ ସେଇଟା କ’ଣ ? ପାତ୍ରପାତ୍ରୀ ବାଛିଲାବେଳେ ଯେଉଁ ଆଲୋଚନା ଓ ସମୀକ୍ଷା ହୁଏ ସେଇଟା କ’ଣ ? ଖବରକାଗଜରେ ଯେଉଁ ଆପତ୍ତି ଅଭିଯୋଗ ଲେଖାଯାଏ ସେଗୁଡ଼ାକ କ’ଣ ?

 

ସବୁ ଗୁଡ଼ାକ ହେଲା ଏହି ଭଲମନ୍ଦର ପରୀକ୍ଷା । ଏହା ଗୋଟାଏ ପ୍ରକାରର ନର୍ଦ୍ଦମା–ପରିକ୍ରମା । କିଏ ବଡ଼ ସାଧୁ କି କିଏ ବଡ଼ ଦେଶସେବୀ ? –ଏଥିପାଇଁ ଏହି ପ୍ରକାରର ବିଭାଗ କାମ କରେ ନାହିଁ । ସାହିତ୍ୟରେ ଯେଉଁ ଆଲୋଚକ ଓ ସମାଲୋଚକ ଆସି ମୂଲ୍ୟାୟନ କରନ୍ତି ସେମାନେ କ’ଣ ଏହି ପର୍ଯ୍ୟାୟର ନୁହନ୍ତି କି ?

 

ତେଣୁ ସାହିତ୍ୟ ପତ୍ରିକା ବା ସମ୍ବାଦପତ୍ରରୁ ସାହିତ୍ୟ ବିଷୟରେ ଆଲୋଚନା ପଢ଼ି ପୁସ୍ତକର ବା ଲେଖକର ମୂଲ୍ୟ ନିରୂପଣ କରିବା ଭୁଲ ବାଟ । ନିଜେ ଅଳ୍ପ ବା ଅଧିକ ପଢ଼ି ବହିର ଉପାଦେୟତା ବା ରୁଚି ବିଷୟରେ ମତାମତ ସ୍ଥିର କରିବା ଉଚିତ୍‌ ।

 

ସେମିତି ନ କଲେ ଆମେ ବିଜ୍ଞାପନ ଉପରେ ନିର୍ଭର କରିବା ଓ ବିଜ୍ଞାପନକୁ ମଧ୍ୟ ଉତ୍ସାହ ଦେବା । ବିଜ୍ଞାପନ ଦେଖି ବିଜ୍ଞାପିତ ବସ୍ତୁର ପରିଚୟ କରିବା ଭଲ । କିନ୍ତୁ ସେହି ପରିଚୟକୁ ଅସଲ ପରିଚୟ ବୋଲି ଗ୍ରହଣ କରିନେଇ ସେଥିରେ ନିରାଶ ହେଲେ ଲେଖକକୁ ଗାଳିଦେବା ଭୁଲ୍‌-

 

ନୂଆ ଲେଖକ ଉପଯୁକ୍ତ ବିଜ୍ଞାପନର ସୁବିଧା ପାଏ ନାହିଁ । ତେଣୁ ସେ ତାହାର ସାହିତ୍ୟରେ ଉପଯୁକ୍ତ ସମର୍ଥନ ପାଇପାରେ ନାହିଁ । ଏଣେ ସମକାଳୀନ ସମାଜ କହିଦିଏ–ସେ ଲୋକଟି ନୂଆ । ତାହାର ହାତ ଘରାରେ ପଡ଼ିନାହିଁ । କିନ୍ତୁ କଥାଟି ଭୁଲ୍‌ । ନୂଆ ଲେଖକର ପ୍ରଥମ ଲେଖାରେ ତାହାର ଭୁଲଭଟକା ଥାଇ ମଧ୍ୟ ଗୋଟାଏ ବିଶେଷ ସୁଗନ୍ଧ ଥାଏ–ନୂତନତ୍ୱର ସୁଗନ୍ଧ । ତେଣୁ ପ୍ରଥମ ଲେଖା ପ୍ରାୟ ଭଲ ଲେଖା । ପଛ ଲେଖାଗୁଡ଼ିକ ହେଉଛି କଲମଦୋରସ୍ତ ଲେଖା–ସେଥିରେ ସବୁ ଥାଇପାରେ କିନ୍ତୁ ନୂତନତ୍ୱର ଆମୋଦ ଓ ଆବେଶ ନ ଥାଏ ।

 

ଏହାର କାରଣ କ’ଣ ?

 

ମଣିଷ ଚାହେଁ ଯେ ଆରଲୋକଟି ତାହାକୁ ସତକଥା କହିବ । ସେ ତାହାର ଦୋଷ ଦୁର୍ବଳତା ଲୁଚାଇବ ନାହିଁ । ସେ ଛୋଟ ଓ ତାହାର ଅନେକ ଦୋଷ ଅଛି ବୋଲି ଜଣାଇବ । ତାହାହେଲେ ଆମେ ତା’କୁ କ୍ଷମା ଦେଇ ନିଜର କରି ପାଖକୁ ଟାଣିନେବୁ । ପ୍ରଥମ ଲେଖାରେ ଏହି ସବୁ ଦୋଷ ଦୁର୍ବଳତା ଥାଏ । ତେଣୁ ତାହାର ପ୍ରତ୍ୟେକ ଅଂଶରେ ନୂତନତାର ଆମୋଦ ଥାଏ । ହାତ ସିଧା ହେଇଗଲେ ସବୁଆଡ଼ ସୁନ୍ଦର ହୁଏ । କିନ୍ତୁ ଦୋଷକୁ ଢାଙ୍କି ଦେବାର ଉପାୟ ଜଣାପଡ଼ିଯିବାରୁ ସେ ଲେଖାଟି ମନକୁ ଛୁଏଁ ନାହିଁ ।

 

ପ୍ରତ୍ୟେକ ପ୍ରତିଷ୍ଠିତ ଲେଖକଙ୍କର ପ୍ରଥମ ଲେଖାକୁ ପଢ଼ିଲେ ଆମେ ଏହି କଥାର ସାରବତ୍ତା ଜାଣି ପାରିବା । ତେଣୁ ଲେଖାରେ ଦୋଷର ପରିମାଣରୁ ଲେଖାର ଭଲମନ୍ଦ ସରସ ଓ ନୀରସ ବଛାଯାଏ ନାହିଁ । ବଛାଯାଏ ସତକଥା କହିବାର ସାହାସର ପରିମାଣରୁ ।

 

ଆମେ ଆମର ଅନୁଭବରେ ଦେଖିପାରୁଛୁ ଯେ ଯେଉଁ ଲେଖକ ପ୍ରକୃତ କଥା ଓ ସତ କଥା କହିବାକୁ ଚେଷ୍ଟା କରିଛି ସେ ପାଠକର ମନ କଥା କହିଛି ଓ ଲେଖିଛି । ଯେଉଁମାନେ ଆଦର୍ଶ ଓ ନୀତି କଥା ଅବା ଭଲ କହିବାକୁ ଇଚ୍ଛା କରିଛନ୍ତି ସେମାନେ ଆମର ମନର କଥାକୁ କହି ନାହାନ୍ତି-। ତେଣୁ ମନ ସେହି ବହିଗୁଡ଼ିକୁ ଆଡ଼େଇ ଦେଇଥାଏ ।

 

ଏହି କାରଣଟି ହେଲା ଭଲ ବହି ଦିନେ ରଦ୍ଦି ପାଲଟି ଯିବାର କାରଣ । କେଉଁଦିନ କଥାଟି ସିନା ସତ ଥିଲା । ଆଜି ସେଇଟି ମିଛ କଥା । ପୁରୁଣା ଘର ପରି ସେ ତାହାର ସମସ୍ତ ସୌନ୍ଦର୍ଯ୍ୟ ହରାଇ କେବଳ ମାଲିକର ମନୋରଞ୍ଜନ କରୁଥାଏ । ପ୍ରତ୍ୟେକ ଲେଖକ ଏମିତି ତାଙ୍କର ପୁରୁଣା ବହିଗୁଡ଼ିକୁ ଧରି ଲୋକପ୍ରିୟତାର ମାପଚୁପ କରିବାରେ ଲାଗିଥାନ୍ତି ।

 

ଆଜି ଓଡ଼ିଆ ସାହିତ୍ୟର ପ୍ରତିଷ୍ଠିତ ଲେଖକମାନଙ୍କର ତେସ୍ତରି ମସିହାର ଅଭିଯୋଗ ହେଲା ଯେ ସାହିତ୍ୟକ ଉଦାରତା ନେଇ ପାଠକ ଓ ସମୀକ୍ଷକମାନେ ତାଙ୍କର ଲେଖାର ମୂଲ୍ୟାୟନ କରୁନାହାନ୍ତି । ଏହି ଅଭିଯୋଗ ଭୁଲ୍‌ ।

 

କାରଣ ସ୍ୱୀକୃତି ପାଇଲାବେଳେ ଓଡ଼ିଶାରେ ଓଡ଼ିଆ ପ୍ରୀତି ଜୁଆର ପରି ଆସୁଥାଏ । ଗୋଟିଏ ଓଡ଼ିଆ ଯାଇ ଅଣଓଡ଼ିଆ ବୋହୂ କି ଜୋଇଁଟିଏ ବାଛିବା ଦୂରୂହ କାମ ହେଇଥାଏ । ସେ ଓଡ଼ିଆ–ପ୍ରୀତିର ଅଗାଧ ଜଳରେ ଅଣଓଡ଼ିଆଟିଏ ନେଇ ରଖିବ କେମିତି ? ସେଦିନ ଓଡ଼ିଆ ଲେଖକକୁ ସ୍ୱୀକୃତି ଦେଲାବେଳେ–ଆହା–ଓଡ଼ିଆରେ ଲେଖିଛି ? –କେଡ଼େ ଭଲ !! ଏତିକିରେ କାମ ଚଳୁଥିଲା ।

 

ଆଜି ସେଇଠି ପଚରା ହେଉଛି–ସେ ଓଡ଼ିଆରେ ଲେଖିଲା ସିନା । କ’ଣ ଲେଖିଛି ? –କେମିତି ଲେଖିଛି ? ସେଥିରେ ଆଞ୍ଚଳିକତାର ଭାଗ ଆଉ ନାହିଁ । ତେଣୁ ଏହି ବିଚାର ଓଡ଼ିଆ ଲେଖକକୁ ଭଲ ସୁବିଧା ଦେଇପାରୁ ନାହିଁ ।

 

କାହ୍ନୁ–କାଳିନ୍ଦୀ–କାଳୀବାବୁ ପ୍ରମୁଖ ଲେଖିଲାବେଳେ ପ୍ରଥମେ ଦେଖାଯାଉଥିଲା ସେ ଗ୍ରାଜୁଏଟ୍‌ କି ନୁହନ୍ତି ? ଅର୍ଥାତ୍‌ ପାଠ କେତେ ? ଏଥିରୁ ଦୁଇଜଣ ଥିଲେ ଗ୍ରାଜୁଏଟ୍‌ । ଶୀଘ୍ର ସ୍ୱୀକୃତି ପାଇଗଲେ । ଜଣେ ରହିଗଲେ ପଛକୁ–ରାସପାର୍ଟି, ଯାତ୍ରାପାର୍ଟି ଇତ୍ୟାଦି ବହୁତ ପ୍ରକାରର ଖେଳ କସରତ ଦେଖାଇ ଉପରକୁ ଆସିଲେ ।

 

‘‘ଜ୍ଞାନମଣ୍ଡଳର’’ ଶ୍ରୀ ବିନୋଦ କାନନଗୋ ଓ ‘‘ଡଗର’’ ସଂସ୍ଥାର ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ମହାଶୟମାନେ ଏହି ପ୍ରାଥମିକ ଯୋଗ୍ୟତା କଲେଜ ଡିଗ୍ରୀ ଅଭାବରୁ ବହୁତ ପଛକୁ ଚାଲିଗଲେ । କିନ୍ତୁ କବି ରବି ସିଂ ଏହି ଅସୁବିଧା ଭୋଗ କଲେ ନାହିଁ । କାରଣ ତିରିଶି ମସିହା କଥା ଷାଠିଏ ମସିହାରେ ନାହିଁ । ସେତେବେଳକୁ କଲେଜ ଡିଗ୍ରିର ମୂଲ୍ୟ ନିରୂପଣ ଭୂମିକା ଗୌଣ ହେଇଯାଇଛି ।

 

ସମକାଳୀନ ସମାଜର ମୂଲ୍ୟାୟନର ସୂଚୀ ଯେ ପ୍ରକୃତରେ ତତ୍ତ୍ୱ ଉପରେ ଠିଆ ହୋଇଥାଏ ଏ କଥା କେଡ଼େ ଭୁଲ୍‌ ଏଥିରୁ ଜାଣି ହେଉଛି ।

 

ବାବୁ କାହ୍ନୁଚରଣଙ୍କର ଲେଖାର ବାରବର୍ଷ ପରେ ତାଙ୍କରି ସାନଭାଇ ବାବୁ ଗୋପୀନାଥ ଆସିଲେ । ସେ ବିଦ୍ୟାୟତନରେ ସମଧିକ ଯୋଗ୍ୟତା ହାସଲ କରିଥିବାରୁ ମାତ୍ର ଖୁବ୍‌ ଅଳ୍ପ ସମୟରେ ସେ ସମଧିକ ସ୍ୱୀକୃତି ପାଇ ପାରିଲେ । ଏ କଥାଟି ଖାଲି ଓଡ଼ଶା ନୁହେଁ ଆମର ପଡ଼ୋଶୀ ବଙ୍ଗଳାରେ ମଧ୍ୟ ଘଟିଛି ।

 

ସେଠି ସ୍ୱୀକୃତି ପାଇଁ କବି ନଜରୁଲ୍‌ ଓ ଉପନ୍ୟାସକାର ଶରତ ଚନ୍ଦ୍ର ବଙ୍ଗଳାର ସମୁନ୍ନତ ସଂସ୍କୃତି ପରିସର ଭିତରେ ନିଜର ଡିଗ୍ରୀ ଅଭାବ ପାଇଁ ବହୁତ ଦିନ ଅପେକ୍ଷା କରି ରହିବାକୁ ବାଧ୍ୟ ହେଇଛନ୍ତି ।

 

ତେଣୁ ଲେଖା ଯେ ଲେଖକର ପୂରା ପରିଚୟ ନୁହେଁ ଏଥିରେ ଦୁଇ ମତ ହେବାର କାରଣ ନାହିଁ । ଲେଖକର ପରିଚୟ କେବଳ ଲେଖା ନୁହେଁ–ତାହାର ପାଠପଢ଼ା, ଚାକିରି, ଜାତିବର୍ଣ୍ଣ ଓ ସୁଖ ସମୃଦ୍ଧି ମଧ୍ୟ ତାହାର ପରିଚୟ । କ’ଣ ଲେଖା ହୋଇଛି–ଏତକ ଯେମିତି ଗୁରୁତ୍ୱ ପୂର୍ଣ୍ଣ କଥା ସେମିତି କିଏ ଲେଖିଛି ? –ସେତକ ମଧ୍ୟ ଦରକାର ।

 

ଏହି କିଏ ? –କ’ଣ ? –କାହିଁକି ? –ହେଉଛି ଅନଗ୍ରସର ସମାଜର ସ୍ୱାଭାବିକ ପ୍ରଶ୍ନ । ଏହାର ମଧ୍ୟ ଗୋଟିଏ କାରଣ ଅଛି ।

 

ବିଲାତର ଲୋକ ସମସ୍ତେ ତାଙ୍କର ମାତୃଭାଷା ଇଂରାଜିରେ କହନ୍ତି ଓ ଲେଖନ୍ତି । ସେଠି କଲେଜ ଡିଗ୍ରୀକୁ ଗୁରୁତ୍ୱ ବା ପ୍ରାଧାନ୍ୟ ଦିଆ ହୁଏ ନାହିଁ । କଲେଜ ଡିଗ୍ରୀର ସାମାଜିକ ମୂଲ୍ୟରେ ମୁଖ୍ୟସ୍ଥାନ ଦିଆ ନ ହୋଇ ଗୌଣ ସ୍ଥାନ ଦିଆ ହୋଇଥାଏ । ପ୍ରାୟ ପ୍ରତ୍ୟେକ ଅଗ୍ରସର ସମାଜରେ ଏହି ନୀତି ।

 

କିନ୍ତୁ ଆମର ଏଠି ମାତୃଭାଷା ଗୌଣ । ଏଥିରେ ଲୋକଟିର ରାଜଭାଷାରେ ବ୍ୟୁତ୍ପତ୍ତି ଅଛି କି ନାହିଁ–ବିଚାର ହେବାପରେ ସେ ଲୋକର ମୂଲ୍ୟାୟନ ହୁଏ । ଖାଲି ତାହାର ସମାଜର ସ୍ଥିତିର ଯେ ମୂଲ୍ୟ ନିରୂପଣ ହୁଏ ତାହା ନୁହେଁ । ଲୋକଟିର ବେଶପୋଷାକ ବୃତ୍ତିଜୀବିକା ଇତ୍ୟାଦି ସମସ୍ତ ବିଷୟରେ ତାହାର ଏହି କଲେଜ ଡିଗ୍ରୀକୁ ଅଗ୍ର–ପ୍ରାଧାନ୍ୟ ଦିଆହୁଏ ।

 

ଓଡ଼ିଶାର ଓଡ଼ିଆ ଲେଖକ ସମାଜରେ ଇଏ କ’ଣ ଅବାସ୍ତବ କଳ୍ପନା ? –ନା । ନୁହେଁ । ବାବୁ ଜ୍ଞାନୀନ୍ଦ୍ର ବର୍ମା, ବାବୁ ପ୍ରାଣକୃଷ୍ଣ ସାମଲ ପ୍ରମୁଖ ଲେଖକମାନେ ଏହି ଅଭିଯୋଗ କରି ଆସୁଥିଳେ ପ୍ରାୟ ପଚାଶ ମସିହା ପର୍ଯ୍ୟନ୍ତ । ଏଥିରେ ମଧ୍ୟ ସତ୍ୟତା ଥିଲା । ସେମାଙ୍କର କଥାକୁ ବିଶେଷ ଗୁରୁତ୍ୱ ସହିତ ଗ୍ରହଣ କରା ହେଉ ନ ଥିଲା ।

 

ବାବୁ ଶ୍ରୀହର୍ଷ ମିଶ୍ର ପ୍ରମୁଖ ଯେଉଁମାନେ ସାହିତ୍ୟ ସାଧନା କରିଛନ୍ତି ବେଶ୍‌ ସ୍ପଷ୍ଟ ଭାବରେ ଅନୁଭବ କରିଥିବେ ଯେ ଗୋଟିଏ ନିମ୍ନତମ ଯୋଗ୍ୟତା ନ ଥିଲେ ଲେଖା ଯାଇପାରେ ସତ କିନ୍ତୁ ଲେଖାରେ ସ୍ୱୀକୃତି ପାଇବା କଷ୍ଟକର ।

 

ଏହି ସର୍ବନିମ୍ନ ଯୋଗ୍ୟତା ସବୁ ଗୁଣୀ ସମାଜରେ ଗୋଟିଏ ନୀତିନିୟାମକ ବିଷୟ । ସର୍ବ–ନିମ୍ନ ଯୋଗ୍ୟତା ନ ଥାଇ ଜୀବନରେ ସୁଖ୍ୟାତି ପାଇବା ପ୍ରକୃତରେ କଷ୍ଟକର । ଏପରି କି ଗଣିକା ଓ ନର୍ତ୍ତକୀ ବା ଗାୟିକା ଭାବରେ ଉଚ୍ଚ ସ୍ୱୀକୃତି ପାଇବା ପାଇଁ ସର୍ବନିମ୍ନ ଯୋଗ୍ୟତା ସବୁଠାରେ ଦରକାର । ଏପରିକି ସୌନ୍ଦର୍ଯ୍ୟର ପ୍ରତିଦ୍ୱନ୍ଦ୍ୱିତାରେ ନିମ୍ନତମ ଶିକ୍ଷା ଯୋଗ୍ୟତା ଆବଶ୍ୟକ ହେଲାଣି ।

 

ଏଥିରୁ ପ୍ରଶ୍ନ ଉଠୁଛି ଯେ ଓଡ଼ିଆ ସାହିତ୍ୟର ସ୍ୱୀକୃତ ସାହିତ୍ୟିକ ହେବାପାଇଁ ଶିକ୍ଷାଗତ ଓ ବୃତ୍ତିଗତ ଯୋଗ୍ୟତା ଦରକାର କି ? ଏହାର ଉତ୍ତର ହେଉଛି ଯେ ଦରକାର । ନିଶ୍ଚିତ ଭାବରେ ଦରକାର ।

 

କଲେଜର ପ୍ରଥମ ବାର୍ଷିକ ଶ୍ରେଣୀର ଛାତ୍ର ଓଡ଼ିଆରେ ଫେଲ ହୋଇଯିବ ବୋଲି ଅଧ୍ୟାପକଙ୍କର ସୁପାରିସ ସକାଳେ ଖୋଜୁଛି । ସନ୍ଧ୍ୟାରେ ସେହି ଛାତ୍ର କବିତା ପାଠୋତ୍ସବ ଅନୁଷ୍ଠାନରେ ବେଶ୍‌ ଅଙ୍ଗଭଙ୍ଗୀ ଓ ମୁଦ୍ରା ସହିତ କବିତା ପଢ଼ି ତାଳି ନେଉଛି । ଅଧ୍ୟାପକ ଏହି କବି ସମ୍ମିଳନୀ ଦେଖିଲା ପରେ ତାହାର ମନରେ ପ୍ରଶ୍ନ ଆସୁଛି–ଓଡ଼ିଆ ସାହିତ୍ୟର ଏହି ସାଧକଶ୍ରେଣୀଙ୍କୁ ନେଇ ସାହିତ୍ୟକୁ କିପରି ତଉଲିବାକୁ ହେବ ?

 

ଏହି ପ୍ରଶ୍ନର ବଙ୍ଗଳା ସାହିତ୍ୟରେ ଗୋଟାଏ ପ୍ରକାରର ସମାଧାନ ଦିଆ ହୋଇଛି । ସେଠାରେ ଜଣେ ନୂଆ ଲେଖକକୁ ବଙ୍ଗଳା ଭାଷାର ସାହିତ୍ୟ, ବଙ୍ଗଳା ସମାଜର ଇତିହାସ ଓ ବଙ୍ଗଳା ସଂସ୍କୃତି ବିଷୟରେ ଯଥେଷ୍ଟ ସମ୍ବାଦ ଓ ଜ୍ଞାନ ସଂଗ୍ରହ କରିବା ବାଧ୍ୟତାମୂଳକ କରାଯାଏ । କିଛି ଜ୍ଞାନ ନ ଥିଲେ ବଙ୍ଗଳାରେ ଜଣେ ଲେଖକ ସ୍ଥାନ ପାଇବା କଷ୍ଟକର । ଏହି ସାଧନା ବା ନିମ୍ନତମ ଯୋଗ୍ୟତା ବିଷୟରେ ଗୁରୁତ୍ୱ ଦିଆ ହେଉଥିବାରୁ ବଙ୍ଗଳାର ଲେଖକମାନେ ନୂଆ ବିଷୟବସ୍ତୁ ଉପରେ ଅଧିକ ସଂଖ୍ୟକ ବହି ଲେଖୁଛନ୍ତି !

 

ସାମାନ୍ୟ ଉଦାହରଣଟିଏ ଦେଲେ ବୁଝିହବ । ଓଡ଼ିଶାରେ ଆଦିବାସୀ ପ୍ରାୟ ଚାରିଭାଗରୁ ଭାଗେ ହେଲେ ମଧ୍ୟ ଏଠି ଆଦିବାସୀ ସମାଜ ଉପରେ ଯେତେ ବହି ଲେଖା ହେଉଛି ତାହାର ଶହେଗୁଣ ଅଛି ବଙ୍ଗଳା ସାହିତ୍ୟରେ । ଅଥଚ ମହାରାଷ୍ଟ୍ର, ଆନ୍ଧ୍ର, ମଧ୍ୟପ୍ରଦେଶ ପରି ଆଦିବାସୀବହୁଳ ଅଞ୍ଚଳ ଥାଇ ମଧ୍ୟ ସେହି ସାହିତ୍ୟ ମାନଙ୍କରେ ଆଦିବାସୀ ସଂପର୍କୀୟ ଲେଖା ଅପ୍ରଚୁର ।

 

ତେଣୁ ନୂତନ ଦିଗନ୍ତ ଖୋଜିବାରେ ବଙ୍ଗାଳି ଲେଖକ ଅନ୍ୟ ଭାଷାର ଲେଖକମାନଙ୍କଠାରୁ ଅଧିକ ସକ୍ରିୟ ଓ ଉତ୍ସାହୀ । ଏଥିପାଇଁ ସେମାନେ କିଛି ସମୟ ଓ ଶକ୍ତି ଦେବାକୁ ମଧ୍ୟ ଆଗ୍ରହୀ । ଏହାର ତୁଳନାରେ ଓଡ଼ିଆ ଲେଖକ ବେଶି ପରିମାଣରେ ଗଡ଼୍‌ଡ଼ାଳିକାର ପକ୍ଷପାତୀ ।

 

ଆପଣ କ’ଣ ଏଥିରେ ଏକମତ ନୁହନ୍ତି ? ନ ହେବାର କଥା ମଧ୍ୟ । କାରଣ ଅଳସୁଆ ଭୟଗ୍ରସ୍ତ ଲୋକର ଗୋଟିଏ–ଯାହାଅଛି ଖୁବ୍‌ ଭଲ । ଯାହା ଥିଲା ଖୁବ୍‌ ଭଲ । ମୁଁ ହାତେ ମାପି ଚାଖଣ୍ଡେ ଚାଲେ । ମୋର ଅହଙ୍କାର ଓ ଔଦ୍ଧତ୍ୟ ନାହିଁ । ମୁଁ ହେଉଛି ପ୍ରକୃତ ଲେଖକ ।

 

ଏହି ଚିତ୍ର–କଳ୍ପରେ ନେଇ କବିଚନ୍ଦ୍ର କାଳିଚରଣ, ପଦ୍ମଭୂଷଣ କାଳିନ୍ଦୀଚରଣ, ମହାନ୍ତି କାହ୍ନୁଚରଣ, ପଣ୍ଡିତ ସୁର୍ଯ୍ୟନାରାୟଣ ଅବା ପଟ୍ଟନାୟକ ବୈକୁଣ୍ଠନାଥ ଆଦି ଓଡ଼ିଆ ସାହିତ୍ୟର ମୁଖ୍ୟମାନଙ୍କୁ ମିଶାଇ ଦେଖନ୍ତୁ । ଭଲ ଦେଖିହେବ ଯେ ବୌଦ୍ଧିକ ଔଦ୍ଧତ୍ୟର ବିଶେଷ ଅଭାବ ରହିଛି । ବୌଦ୍ଧିକତା ନିମ୍ନଶ୍ରଶୀର ହୋଇଥିବାରୁ ବୁଦ୍ଧି ବଦଳରେ କୌଶଳ ଓ ଚାତୁରୀ ପ୍ରାଧାନ୍ୟ ନେଇଛି ।

 

ଓକିଲମାନେ କଲେଜ ଡିଗ୍ରିଧାରୀ । ପ୍ରତିଦିନ ମୋଟାମୋଟା ବହି ପଢ଼ନ୍ତି । ଅନେକ ଜ୍ଞାନ କଥା କହନ୍ତି । କିନ୍ତୁ ସେମାନେ ଯେ ଖୁବ୍‌ ମଗଜବାଲା କି ଦାମ୍ଭିକ ଏତକ କେଉଁଠି ହେଲେ ଦେଖାଯାଏ ନାହିଁ । ଓକିଲମାନେ ଯେମିତି ଜ୍ଞାନ ପାଖରେ ରହି ଜ୍ଞାନୀ ନୁହନ୍ତି ସେମିତି ପୁରୁଣାକାଳିଆ ପାଠୁଆ ଓଡ଼ିଆ ଲେଖକ ସେମିତି ନୁହେଁ ଜ୍ଞାନୀ–ନୁହେଁ ଚତୁର ହୋଇ ଜୀବନ କଟାଇ ଦିଏ ।

Unknown

 

ତେଣୁ ଓଡ଼ିଆ ଲେଖକ ନୀରବ ଓ ମୂକ ହେବାକୁ ପସନ୍ଦ କରିଥାଏ । କ’ଣ କହିବ ? କ’ଣ ଅବା ସିଏ ଜାଣେ ? କାନ୍ଧରେ ଚାଦରଟିଏ ଅବା ପାଦରେ ହଳେ ଭଲ ଚଟି ନ ଥିଲେ ସେ ନିଜକୁ ଅସମର୍ଥ ମନେ କରେ ।

 

ଏହି କାରଣରୁ ଓଡ଼ିଆ ଭାଷା ଓ ସାହିତ୍ୟ ମୁଖ୍ୟସ୍ଥାନ ପାଇପାରୁ ନାହିଁ । ଏବେ ସେହି ସ୍ଥାନକୁ ଉନ୍ନତ କରିବାକୁ ଚାରିଆଡ଼େ ପୁରସ୍କାର ବଣ୍ଟା ଯାଉଛି । ଡକ୍ଟର ମାୟାଧର ମାନସିଂହ କିଛି ପୁରସ୍କାର ଦିଆଇଲେ । ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ବାଣ୍ଟିଲେ । କେନ୍ଦ୍ର ସାହିତ୍ୟ ଏକାଡେମି ମଧ୍ୟ ପୁରସ୍କାର ଦେଉଥିଲେ । ଏବେ ଜ୍ଞାନପୀଠ ଆଡ଼କୁ ଆଖଇ ପଡ଼ୁଛି ।

 

ସେଥିପାଇଁ ସମୀକ୍ଷକଙ୍କର ସଂଖ୍ୟା ଦିଗନ୍ତ ବିସ୍ତାରୀ ହେଇଗଲାଣି । ପାଞ୍ଚଶହ ଲୋକଙ୍କର ମତକୁ ନେଇ ଚାଲୁଣୀ–ଛଣା କରିଦେଲେ ଭଲ ବହି ବାଛି ହୋଇ ପଡ଼ିବ ବୋଲି ଚେଷ୍ଟା କରାଯାଉଛି । କିନ୍ତୁ ସମୀକ୍ଷକମାନଙ୍କର କି ମତ ଅଛି ? ସେମାନେ ଓଡ଼ିଆ ସାହିତ୍ୟକୁ କି ପ୍ରକାରର ଦିଗ୍‌ଦର୍ଶନ ଦେଲେ ? ସେମାନଙ୍କର ସମୂହ ମତର ନିର୍ଯ୍ୟାସ କଲେ କେମିତି ଓଡ଼ିଆ ବହିର ଆଭିମୁଖ୍ୟ ବଦଳି ଯିବ ? ଏମାନେ ସମୀକ୍ଷା କରୁଛନ୍ତି ବୋଲି କ’ଣ ଭଲ ବହି ପାଞ୍ଚଖଣ୍ଡ ଲେଖା ହୋଇଯିବ ?

 

ସମୀକ୍ଷାର ପରିମାଣ ବଢ଼ୁଛି ବୋଲି ସହିତ୍ୟର ସୃଷ୍ଟି ଓ ସର୍ଜନା ଯେ ବଢ଼ିଯିବ–ଏଇଟା ଠିକଣା କଥା ନୁହେଁ । ତାହାହେଲେ କଲେଜ କି ବିଶ୍ୱବିଦ୍ୟାଳୟର ସଂଖ୍ୟା ବଢ଼ିଗଲେ କ’ଣ ଉତ୍କୃଷ୍ଟ ଛାତ୍ର ଗଢ଼ି ହୋଇଯିବେ ? ନିଯୁକ୍ତିର ପରିସର ବଢ଼ାଇ ଦିଆଗଲେ କ’ଣ ଅମଲାତନ୍ତ୍ର ସରସ ଓ କାର୍ଯ୍ୟକ୍ଷମ ହୋଇଯିବ ?

 

ଏହି ଯୁକ୍ତି ଯେମିତି ଠିକ୍‌ ନୁହେଁ ଠିକ୍‌ ସେମିତି ଖାଲି ପୁସ୍ତକ ମୁଦ୍ରଣ ଓ ପ୍ରକାଶର ସଂଖ୍ୟା ବଢ଼ି ଗଲେ ଯେ ଗୁଣର ବିକାଶ ହୋଇଯିବ–ଏକଥା ଭାବିବା ଭ୍ରମାତ୍ମକ । ପରିବାରର ସଂଖ୍ୟା ଦେଖି ବା ଦେଶର ଜନସଂଖ୍ୟାକୁ ଗଣି ପରିବାର ଓ ଦେଶର ସମୃଦ୍ଧି ମାପିଲା ପରି ଆମେ ସମୀକ୍ଷକ ଓ ଲେଖକଙ୍କର ତାଲିକା ବଢ଼ାଇ ଦେଲେ ସେଥିରୁ ସାହିତ୍ୟର ମାନଦଣ୍ଡ ଉଠାଇ ଦେଲୁ ବୋଲି କହିବା କେମିତି ?

 

ଗୀତଟିଏ–କଥାଟିଏ–ବହି ଖଣ୍ଡେ । ଏମିତିକା କଥା ମନକୁ ନ ପାଇଲେ ମାଳେ ଗୀତ–ଥାକେ କଥା–ବସ୍ତାନିଏ ବହି ନେଇ ମନକୁ ବୁଝାଇବାକୁ ଚେଷ୍ଟା କରୁଛୁ । ଏଥିରେ ଆଖି ସନ୍ତୋଷ ପାଇପାରେ । ମନ ସନ୍ତୋଷ ପାଇପାରିବ ନାହିଁ । ଆମର ଉତ୍ତର ପୁରୁଷମାନେ ଆମକୁ ବିଚକ୍ଷଣ ବୋଲି କହିବେ ନାହିଁ ।

 

ସମାଜର ଅଭିବୃଦ୍ଧି ସହିତ ସାହିତ୍ୟ ଯୋଡ଼ି ହୋଇ ରହିଛି । ଆଉ ବ୍ୟକ୍ତିର ଅଭିବୃଦ୍ଧି ନ ହେଲେ ସମାଜର ଉନ୍ନତି ମଧ୍ୟ ସମ୍ଭବ ନୁହେଁ ।

 

ଏହି ବ୍ୟକ୍ତି କହିଲେ ଗୋଟାଏ ସାଧାରଣ ମଣିଷର ସୁଖ ସ୍ୱାଚ୍ଛନ୍ଦ୍ୟକୁ ବୁଝାଏ ନାହିଁ । ଭଲ ଖାଇବାକୁ ପାଉଥିବା ଅଫିସ ଅମଲ କିମ୍ବା କାରଖାନାର ଶ୍ରମିକକୁ ବୁଝାଇବା ନାହିଁ । ଏଇଠି ଦରକାର ହୁଏ ଅଳ୍ପ ବହୁତ ଅନ୍ତର୍ନିହିତ ଗୁଣ । ଏହି ଗୁଣକୁ ନେଇ ମଣିଷ ତାହାର ମଣିଷ ପଣିଆକୁ ବ୍ୟକ୍ତିତ୍ୱ ବୋଲି ଜାହିର କରେ । ଏହି ଭିତରର ମଣିଷଟିର ଉନ୍ନତି ନ ହେଲେ ସାହିତ୍ୟର ଉନ୍ନତି ଅସମ୍ଭବ ।

 

ଧରି ନିଆଯାଉ ପୋଲିସ ବିଭାଗର ଗୁଇନ୍ଦା କର୍ମଚାରୀ ଯଥେଷ୍ଟ ଭଲରେ ରହିଲେ । ତାଙ୍କର କାମ ଓ ଦାୟିତ୍ୱ ହେଲା ଅନ୍ୟ ବିଷୟରେ ସରକାରକୁ ସୁହାଇଲା ଭଳି ମତାମତ ଦେବା । ଏଠି ଭଲ ଖାଇବା ଓ ଭଲ ପିନ୍ଧିବାର ସଫଳ ପ୍ରୟାସ ଭିତରେ ଲୋକଟିର ଭିତରର ମଣିଷ ମରିଯାଇଛି କିମ୍ବା ବିଭଙ୍ଗ ହୋଇଯାଇଛି । ଆମେ ସେହି ଲୋକଟିଠାରୁ କ’ଣ ଆଶା କରିପାରିବା ?

 

କିଛି ହେଲେ ଆଶା କରିପାରିବା ନାହିଁ । ଓକିଲ, ପୋଶାଦାରୀ ଡାକ୍ତର, ପେଷାଦାର ଅଭିନେତାଠାରୁ ମଧ୍ୟ ବିଶେଷ ଆଶା କରି ପାରିବା ନାହିଁ । ସାହିତ୍ୟର କର୍ତ୍ତବ୍ୟ ଓ କାର୍ଯ୍ୟ ହେଲା ଏଇ ଅଗଣିତ ପଶୁ ସୁଲଭ ବିଳାସୀ ବ୍ୟସନୀଙ୍କର ମନରେ କ’ଣ ଟିକିଏ ଜାଗ୍ରତ କରିବା । ସାହିତ୍ୟ ଏହି କାମଟି କରି ନ ପାରି ବେଶ୍‌ ମୋଟାସୋଟା ବିଳାସୀ ଓ ବ୍ୟସନୀଙ୍କର ମନୋରଞ୍ଜନ କରିଗଲେ ସାହିତ୍ୟ କ’ଣ ହେବ ? ଆଉ ସେହି ଲୋକକୁ କ’ଣ ସାହିତ୍ୟିକ କୁହାଯାଇ ପାରିବ ?

 

ଏଇଠି ସାହିତ୍ୟସେବୀଙ୍କ ଭିତରେ ପେଶାଦାର ଓ ସୌଖିନ ଦୁଇ ପ୍ରକାରର ଶ୍ରୀଣୀବିଭାଗ ରହିଛି । ପେଶାଦାର ସାହିତ୍ୟିକର ଜୀବନର ଦର୍ଶନ ତାହାର ଆୟବ୍ୟୟର ଦର୍ଶନ ଉପରେ ପ୍ରତିଷ୍ଠିତ । ସୌଖିନ୍‌ ସାହିତ୍ୟସେବୀ ଏହି ଆୟ ଓ ବ୍ୟୟର ତାତ୍ପର୍ଯ୍ୟ ବୁଝିପାରେ ନାହିଁ ।

 

ମୃତ୍ୟୁର ଦୁଇବର୍ଷ ପୂର୍ବରୁ ଶିଳ୍ପୀଗୁରୁ ଶ୍ରୀ ବିମ୍ବାଧର ବର୍ମା ଓଡ଼ିଶା ବ୍ୟାଙ୍କ୍‌ ଲିମିଟେଡ଼ରୁ କିଛି ଟଙ୍କା ନେଲେ । କିନ୍ତୁ ସେହି ଟଙ୍କା ଗଣିଲେ ଠିକ୍‌ ରହିଛି କି ନାହିଁ–ଏତକ ବିମ୍ବାଧରବାବୁଙ୍କର ସାମର୍ଥ୍ୟର ବାହାରେ । ସେ ଟଙ୍କା ଧରି ବସି ରହିଲେ ।

 

ଅଭାବରେ ପ୍ରପୀଡ଼ିତ ବିମ୍ବାଧରବାବୁ ଟଙ୍କା ପାଞ୍ଚଶହ ଗଣିବାକୁ ଅସମର୍ଥ । ଶହେ ଖଣ୍ଡ ପାଞ୍ଚଟଙ୍କିଆ ନୋଟ୍‌ ଗଣିବାକୁ ଅକ୍ଷମ । ଏହି ଅକ୍ଷମତା ସହିତ କାଳିନ୍ଦୀଚରଣ, କାହ୍ନୁଚରଣ, କାଳିଚରଣ, ଡକ୍ଟର ମାୟାଧର ବା ଶ୍ରୀଯୁକ୍ତ ଗୋପୀନାଥଙ୍କୁ ତୁଳନା କଲେ ସ୍ପଷ୍ଟ ଜାଣିହବ ଲେଖକ କିଏ ? ସାହିତ୍ୟିକ କିଏ ?

 

ଖଣ୍ଡ ସୁମାରିରେ ଜଣେ ଛୋଟ ହୋଇପାରେ; କିନ୍ତୁ ଏହି ସବୁ ଗୁଣ ବା ଅବିଗୁଣ ଦେଖିଲେ ଆଉ ବଡ଼ ହୋଇଯାଇ ପାରେ । ଯେଉଁ ସାହିତ୍ୟିକମାନେ ନିଜର ଆୟକୁ ନେଇ ଚଳପ୍ରଚଳ ହୁଅନ୍ତି ସେମାନେ ଯେ ବଡ଼ ସାହିତ୍ୟିକ ହୋଇ ପାରିବେ ନାହିଁ–ଏମିତି କଥା ନାହିଁ ।

 

ବଙ୍ଗଳାର ଶ୍ରୀ ତାରାଶଙ୍କର, ଶ୍ରୀ ଅନ୍ନଦା ଶଙ୍କର ଓ ଶ୍ରୀ ବୁଦ୍ଧଦେବ ପ୍ରମୁଖ ଅର୍ଥସଚେତନ ହୋଇ ମଧ୍ୟ ସାହିତ୍ୟରେ ବଡ଼ । କିନ୍ତୁ ଆମର କଥା ହେଲା ଯେ ସାହିତ୍ୟିକ କହିଲେ ଯେଉଁ ସରଳ, ନିଷ୍କପଟ ଶିଶୁସୁଲଭ ମନକୁ ବୁଝିଥାଉ ସେହି ମନଟି ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲେ ଲୋକକୁ କ’ଣ କୁହାଯିବ ? –ସାହିତ୍ୟିକ ନା ଅସାହିତ୍ୟିକ ।

 

ସାହିତ୍ୟିକ ବାଲାଜାକ୍‌ ତାଙ୍କର ପାଠକମାନଙ୍କୁ ତାଗିଦ୍‌ କରିଥିଲେ–ହେଇ, ସେ ଲୋକଟି ବୟସ ତିରିଶି ହୋଇଗଲାଣି । ତାହାର ବିବେକ ମରିଯିବଣି ।

 

ଯଦି ଆମେ ଅନୁଭବରେ ଦେଖୁ ଯେ ସୟସ୍କ ଲୋକଙ୍କର ବିବେକ ମରିଯାଇଛି ତାହା ହେଲେ ଆମେ ନିଶ୍ଚିତ ଭାବରେ କହିପାରିବା ଯେ ବେଶି ବୟସର ଲେଖା ମସ୍ତିଷ୍କର କସରତ ହୋଇପାରେ ସିନା । ଏହା ହୃଦୟର ଚିତ୍ରପଟ ନୁହେଁ ।

 

ହୃଦୟ ନ ଥାଇ ଯେଉଁ ସାହିତ୍ୟ ଲେଖାଯାଏ ସେଗୁଡ଼ିକ ସାହିତ୍ୟ କହିବା ଅପରାଧ । ଏହି ଅ–ସାହିତ୍ୟର ସେବା କରି ଅନେକ ଲୋକ ନିଜକୁ ସାହିତ୍ୟିକ ବୋଲି ପ୍ରଚାର କରିବାରେ ଲାଗିଛନ୍ତି । ଆମେ ପାଠକମାନେ ଏଣେ ଭାବୁ–ଏଇ ଚୋର, ସିଏ ଚୋର, ଦୁନିଆଯାକ ଚୋର । କାହାକୁ ବାଛିବା ?

 

ଆମେ ଏହି ଅ ସାହିତ୍ୟ ଓ ସାହିତ୍ୟକୁ ବାଛିବା କେମିତି ? ଏସବୁ ବାଛିବା ଆମର ଦରକାର କି ? ସବୁ ସାହିତ୍ୟରେ ଏହି ଭଲ ଓ ଭେଲର ପରଖ କେମିତି କରାହୁଏ ? ଏକଥାଟି ପ୍ରତି ଧ୍ୟାନ ନ ଦେଲେ ଆମର ବହି ପଢ଼ିବା ହେଉଛି ସମୟର ବୃଥା ଲୋକସାନ ।

 

ସାହିତ୍ୟ ଭିତରେ ଅସାହିତ୍ୟ ହେଉଛି ଶଠତା । ସାହିତ୍ୟିକଙ୍କର ସମାଜରେ ଅଣ–ସାହିତ୍ୟିକ ହେଉଛି ଶଠ । କିନ୍ତୁ ଏବେ ଅବସ୍ଥା ଏମିତି ହେଇଛି ଯେ ସମସ୍ତେ ସୁବିଧା ପାଇଁ ସାଜ ପୋଷାକ ବାଛି ନିଜର କରିବାରେ ଲାଗିଛନ୍ତି–ଲୋକେ କହନ୍ତି ଆଉ ଭାବନ୍ତୁ ଯେ ମୁଁ ଜଣେ ଭଲ ଲୋକ ।

 

ସ୍ୱାଧୀନତା ପୂର୍ବରୁ ଲୋକେ ଭଲ ହୋଇଥିଲେ ବି ନିଜକୁ ଗୋପନ ରଖୁଥିଲେ । ତାଙ୍କର ମନର କଥା ଥିଲା ଯେ–ମୁଁ କିବା ଭଲ ଲୋକ ? ମୋ’ ଠାରୁ ଅନେକ ଭଲ ଲୋକ ଅଛନ୍ତି-। ମୋର ତ ସହସ୍ରେ ଖୁଣ । ମତେ ଲୋକେ ଭଲ ବୋଲି କହିଲେ ଖରାପ ଲାଗିବ–ଥଟ୍ଟା ପହଳି କରୁଛନ୍ତି ବୋଲି ମନେ ହେବ ।

 

ଆଜି ସେ କଥା ନାହିଁ । ଆମର ସମକାଳୀନ ସମାଜ୍‌ ଶଠତାକୁ ଆଦର କରୁଛି–ଅଭିନୟକୁ ନକଲକୁ ମୁଖ୍ୟସ୍ଥାନ ଦେଉଛି । ତେଣୁ ଆଜି ଏହି ପଞ୍ଚଷଠୀ ମସିହାରୁ ପଞ୍ଚସ୍ତରୀ ମସିହା ଭିତରେ ଯିଏ ବି ଯାହା ଲେଖିବ ସେଥିରେ ଅସଲି ବଦଳରେ ନକଲି ବେଶି ସ୍ଥାନ ନ ନେବ କେବିତି ?

 

ଅଧିକାଂଶ ଲୋକ ହେଇଗଲୁ ନୂଆ ସଭ୍ୟତାର ନୂଆ ଆଭିମୁଖ୍ୟର ସ୍ତାବକ–ମାଆ ଧାନକୁଟି ପୁଅ ନାଗର । ଆମେ ଯଦି ନ ପଢ଼ି ଅନ୍ୟ ଉପାୟରେ କଲେଜର ଡିଗ୍ରୀ ହାସଲ କରି ନିଜକୁ ବିଦ୍ୱାନ ଓ ପଣ୍ଡିତ ବୋଲି ପ୍ରଚାର କରିଥାଉ ତାହାହେଲେ ଆମର ପାଣ୍ଡିତ୍ୟ ହେଲା ନକଲି ।

 

ଆମେ ଯଦି ଅଳ୍ପର ଲୋକ ହୋଇ ସୁଦ୍ଧା ନିଜକୁ ବଡ଼ ଓ ବଡ଼ିଆ ବୋଲି ପ୍ରଚାର କରାଉଥାଉ ତାହାହେଲେ ଆମର ବଡ଼ଲୋକି ନିଶ୍ଚୟ ନକଲି ।

 

ଏମିତି ଆମେ ଯଦି ଚଳଣିର ପ୍ରତ୍ୟେକ ବିଭାଗରେ ଆମେ ଯାହା ନୋହୁଁ ସେଇଆ ଦେଖାଇବାକୁ ନିଜର ଜୀବନ ପ୍ରଣାଳୀର ଲକ୍ଷ୍ୟ ବୋଲି ଧରିନଉ ତାହାହେଲେ ଆମେ ବିଛଣା ଛାଡ଼ିଲାବେଳୁ ବିଛଣା ଧରିଲା ଯାଏ ଏହି ନକଲିର ଉପାସନା କଲୁ । ଆମଠାରୁ ଅସଲି କଥା କାମରେ ବା କଥାରେ ଖୋଜିବା ବିଡ଼ମ୍ବନା ।

 

କାମ ନ କରି ଯେ କର୍ମୀ ବୋଲି ନିଜକୁ କହି ଆତ୍ମସନ୍ତୋଷ ଲାଭ କରିପାରେ ଓ କର୍ତ୍ତବ୍ୟ ନ କରି ଛାତ୍ର ଓ ଗୃହସ୍ଥ ହୋଇ ନିଜର ନାମଜାରି କରିବାକୁ ଆଗ୍ରହୀ ତାହାକୁ ଲେଖକ ବା ପାଠକ ଯେଉଁ ଶ୍ରେଣୀରେ ରଖିଲେ ସେ ନିଜର ଛବିକୁ ଲୁଚାଇବ କେମିତି ?

 

ତେଣୁ ଏହି ଆଇନ୍ଦା ପାଞ୍ଚ ଦଶବର୍ଷରେ ପ୍ରଚାରଧର୍ମୀ ସାହିତ୍ୟର ଅଭିବୃଦ୍ଧି ଘଟିବ । ଦେଶର ବିଭିନ୍ନ ସମସ୍ୟାର ସରକାରୀ ସମାଧାନକୁ ଆମେ ଗଳ୍ପ ଉପନ୍ୟାସ ଓ ନାଟକରେ ରୂପାୟିତ କରିବାକୁ ଚେଷ୍ଟା କରିବୁ । ସାହିତ୍ୟ ଆମର ମନର ସହଜାତ ପ୍ରବୃତ୍ତି ନ ହୋଇ ଗୋଟିଏ ବୃତ୍ତି ହୋଇ ରହିବ । ସାହିତ୍ୟିକ କହିଲେ ଡାକ୍ତର, ଇଞ୍ଜିନିୟର ଓ ଓକିଲ ପରି ଗୋଟାଏ ବୃତ୍ତିଧାରୀ ଲୋକକୁ ବୁଝାଇବ ।

 

ପେଷାଦାର ସାହିତ୍ୟିକ ସାହିତ୍ୟର ବିରୋଧୀ । ସେମାନେ ସମାଜର ବା ବିଷୟର ପ୍ରକୃତ ଚିତ୍ର ନ ଦେଇ କାଳ୍ପନିକ ଚିତ୍ର ଦେବେ । ଏହି କାରଣରୁ ଉପନ୍ୟାସ ଓ ନାଟକରୁ ଦେଶର ସମକାଳୀନ ଚିତ୍ର ପାଇବା ଅନେକ ସମୟରେ ପ୍ରମାଦପୂର୍ଣ୍ଣ ହୋଇଥାଏ ।

 

ଏଇ ପେଷାଦାର ସାହିତ୍ୟିକ କିଏ ? ଯିଏ ସାହିତ୍ୟକୁ ଚାକିରି ବା ବ୍ୟବସାୟ ସହିତ ସମାନ କରିବାକୁ ଯୁକ୍ତିକରେ । ଯେଉଁ ସାହିତ୍ୟିକ–ଓଡ଼ିଆରେ କାହିଁକି ଲେଖିବି ? ଇଂରାଜିରେ କାହିଁକି ଲେଖିବି ନାହିଁ ? ଇତ୍ୟାଦି କଥା ବଖାଣେ । ତାଙ୍କର ବିଶେଷ ମତ ହେଲା ଯେ ସାହିତ୍ୟ ମନର ଗୋଟିଏ ବିଭାଗ–ଏଥିରେ ଟଙ୍କା ପଇସାର ସମ୍ବନ୍ଧ କେବଳ ରହିଛି ।

 

ଏହାର ବିରୋଧି ଲୋକଙ୍କୁ କଳ୍ପନା–ବିଳାସୀ କୁହାଯାଏ । କଳ୍ପନାରେ ସେମାନେ ଫୁଲ ଫୁଟାନ୍ତି । କିନ୍ତୁ ସେ ଫୁଲକୁ ଛୁଅଁନ୍ତି ନାହିଁ । କଳ୍ପନାରେ ଜୀବନର ମହତ୍ତ୍ୱ ଦେଖନ୍ତି । କିନ୍ତୁ ଜୀବନ ତାଙ୍କ ପାଖରେ ଅତି ନିଷ୍ଠୁର ଓ କର୍କଶ । ସେମାନେ ଅନ୍ୟର ଓଠରେ ହସ ଆଣିବାକୁ ଅବା ଅପରର ଛାତିରେ ସାହାସ ଆଣିବାକୁ ଚେଷ୍ଟା କରନ୍ତି । କିନ୍ତୁ ତାଙ୍କର ଓଠ ଶୁଖିଲା ଓ ଛାତି ଭିତର ବଡ଼ ଦୁର୍ବଳ ।

 

ଏମାନେ ହଠାତ୍‌ ମନାକରି ଦିଅନ୍ତି ଯେ ପେଷାଦାର ହେବେ ନାହିଁ । ପେଷାଦାରୀ କରିବା ଗୋଟାଏ ରକମର ଜନ୍ମଗତ ପ୍ରକୃତି । ନିଜକୁ ବିନିମୟ ଦେଇ ଲାଭ ଯୋଗାଡ଼ କରିବାର ପ୍ରବୃତ୍ତି ପରି ଗୋଟାଏ ପ୍ରକାରର ପ୍ରବୃତ୍ତି । ଏମାନେ ମଣିଷ ହିସାବରେ ଛୋଟ । ଲେଖକ ହିସାବରେ ମଧ୍ୟ ଛୋଟ । କିନ୍ତୁ ସାହିତ୍ୟର ପସରାରେ ତାଙ୍କର ଭାରି ନାମ ଜାରି । କାରଣ ସାହିତ୍ୟ ସାଙ୍ଗରେ ବେପାର ମିଶିଲେ ସାହିତ୍ୟ ସମାଜର ଆଖିଦିରିଶା ହୁଏ । ଅନ୍ୟ ପ୍ରକାରରେ ହୋଇପାରେ ନାହିଁ । ନିରୋଳା ସାହିତ୍ୟିକ ଏହି ସୃଷ୍ଟିରେ ଉଦ୍ଭଟ ।

 

ଆମର ପ୍ରତ୍ୟେକ ସମାଜରେ ନିରୋଳା ଶିଳ୍ପୀ ଓ ସାହିତ୍ୟିକମାନେ ଯଥେଷ୍ଟ ପ୍ରତିଭା ଓ ପ୍ରତିଶୃତିର ଅଧିକାରୀ ହୋଇ ମଧ୍ୟ ନୀରବ ମୃତ୍ୟୁ ବରଣ କରନ୍ତି । ସେମାନଙ୍କର ନାମ ସାହିତ୍ୟର ଇତିହାସ ବା ସାହିତ୍ୟର ତାଲିକାକୁ ଆସେ ନାହିଁ ସାହିତ୍ୟିକ ତାଲିକାକୁ ଆସିବା ଲୋକ ପ୍ରିୟ ନିକୃଷ୍ଟ ଶ୍ରେଣୀର–ଏଠି, ସେଠି ଓ ସବୁଠି । ତେଣୁ ଦେଶର ସାଂସ୍କୃତକ ଚିତ୍ରପଟରେ ତାହାର ନାମଜାରି ନ ଥିବା କଥା ଓ ନ ଥାଏ ମଧ୍ୟ ।

 

ଅଗଣିତ ସାହିତ୍ୟପ୍ରେମୀ ପାଠକ ହେଉଛନ୍ତି ଲେଖକଙ୍କଠାରୁ ଉନ୍ନତ ପର୍ଯ୍ୟାୟର । ଖାଇଲାବାଲା ଓ ହୋଟେଲବାଲାର ସମ୍ବନ୍ଧ ପରି ସେମାନେ ପଦାର୍ଥ ଓ ତାହାର ଗ୍ରାହକତାର ବନ୍ଧନରେ ବାନ୍ଧି ହୋଇ ରହନ୍ତି । ଗାଁ ପରିଗୁଣ ଲୁଗା ତୁଠରୁ–କଥାଟି ସାହିତ୍ୟରେ ମଧ୍ୟ ପ୍ରମାଦପୂର୍ଣ୍ଣ-

 

ଅନୁଭବୀମାନେ କହିବେ ଯେ ତାଙ୍କର ଜୀବନର ପ୍ରଥମ ପ୍ରିୟତମାର ଚିତ୍ର ଉପନ୍ୟାସରେ ମୋଟେ ଆସିପାରେ ନାହିଁ । ସେହି ଅନଗ୍ରସର ଜୀବନର ସୀମିତ ପରିବେଶ ଭିତରେ ପ୍ରିୟ ଓ ପ୍ରିୟା ଯେଉଁ ବନ୍ଧନର ସୂତ୍ରପାତ କରି କିଏ ସାରାଜୀବନର ସଫଳତା ଓ କିଏ ଅବଶିଷ୍ଟ ଜୀବନର ବିଫଳତା ଯୋଗାଡ଼ କରିଥାନ୍ତି । କିନ୍ତୁ ସେଇ ଚିତ୍ରକୁ ଆମର ଓଡ଼ିଆ ଉପନ୍ୟାସକୁ ନେଲାବେଳକୁ ତାହାର କିଛି ମାଧୁର୍ଯ୍ୟ ନ ଥାଏ ।

 

କାରଣ ଅନୁଭବୀର ଯେଉଁ ସୂଷ୍ମ ପ୍ରାଣଭରା ଆବେଗ ଥାଏ ସେତକ ଲେଖକର ଚିତ୍ରରେ ଉଠେ ନାହିଁ । ଲେଖକର ମନଟା ମୋଟା । ତାହାର କଲମ ଦନ୍ଥଡ଼ା । ସେ ଏହି ଚିର ପରିଚିତ ଚିତ୍ରକୁ ନିଜର କରିପାରେ ନାହିଁ ।

 

କିନ୍ତୁ ଚିତ୍ରକର ଦୁଇଟି ଫୁଲ, ଚାରୋଟି ଚଢ଼େଇ ଓ ଦିଗଣ୍ଡା ମାଛକୁ ଚିତ୍ର କରି ଜୀବନ୍ତ କରିପାରେ ଓ ସେଥିପାଇଁ ଅଜସ୍ର ପ୍ରଶଂସା ମଧ୍ୟ ଅସୁଲ କରିଥାଏ । କାରଣ ସେ ଦେଖେ, ଅନୁଭବ କରେ ଓ ମନର ଚିତ୍ରକୁ କଲମ ଓ ତୁଳୀରେ ଜୀଆଁଇ ଦିଏ । ଏଇ କାମଟି କରିବାକୁ କବି, ନାଟ୍ୟକାର ଓ ଉପନ୍ୟାସ ଲେଖକ ଅଭାଜନ ।

 

ଚିତ୍ରକର ଯଦି ଲେଖକ ହୁଅନ୍ତେ ତାହାହେଲେ କରିପାରନ୍ତେ କି ? –ନା । ଶିଳ୍ପୀଗୁରୁ ବିମ୍ବାଧର ବର୍ମା ଲେଖିଥିଲେ । କିନ୍ତୁ ଚିତ୍ରପଟର ସୌନ୍ଦର୍ଯ୍ୟ ସେ ବହିରେ ଆଣି ପାରିଲେ ନାହିଁ । ଡକ୍ଟର ମାନସିଂହ ଧୂପ ଲେଖିଥିଲେ । ତାହାର ସହଜ ସୌନ୍ଦର୍ଯ୍ୟରେ ଆଉ ତାଙ୍କର ଅସଂଖ୍ୟ ପ୍ରୟାସରେ ତାଙ୍କର ହେମପୁଷ୍ପ, ହେମଶସ୍ୟ, ପୁଷ୍ପିତା ଇତ୍ୟାଦିରେ ଆଣି ପାରିଲେ ନାହିଁ । ଏହାର କାରଣ ହେଲା ଯେ ତାଙ୍କର ମନଟି ହଠାତ୍‌ ପ୍ରୌଢ଼ ପାଲଟିଗଲା । ଆଉ ସେହି ସୂକ୍ଷ୍ମ ଝଙ୍କାର ଉଠାଇ ପାରିଲା ନାହିଁ ।

 

ଆମେ ଯେଉଁ ମାନେ ଗଡ୍‍ଡାଳିକାରେ ଜୀବନ କଟାଉ, ସେଥିରେ ଆମେ ସ୍ପଷ୍ଟ ଭାବରେ ଗଡ୍‍ଡାଳିକାର ଉପାସନା କରୁ । ହଠାତ୍‌ ସେଥିଭିତରେ ଖାଲି କଳ୍ପନାରେ ବା ମିଛ ସପନରେ ନୂଆ କଥାଟିଏ କରିବାକୁ ବସିଲେ ସେ ହୁଅନ୍ତା କେମିତି ?

 

ଆମର ଓଡ଼ିଆ ପ୍ରାଚୀନ ସାହିତ୍ୟରେ ପ୍ରୌଢ଼ା ନାୟିକା ନାହାନ୍ତି । ସମସ୍ତେ ଷୋଡ଼ଶୀ ଆଉ ଅପରୂପ ଲାବଣ୍ୟରେ ଭରା । କିନ୍ତୁ ପ୍ରାଚୀନ କାଳର ରାଜା ମହାରାଜାଙ୍କର ଚିତ୍ର ଦେଖିଲେ ଆମେ କ’ଣ ସତରେ କହିପାରିବା ଯେ ପୁରୁଣା ସମୟରେ ଅର୍ଥାତ୍‌ ଆଜିକୁ ଦେଢ଼ଶହ ଓ ଦୁଇଶହବର୍ଷ ତଳେ ଆମର ପୂର୍ବପୁରୁଷ ତୀକ୍ଷ୍ଣ ବୁଦ୍ଧିର ଅଧିକାରୀ ଥିଲେ ?

 

ଷୋଡ଼ଶୀରୁ ଉପରକୁ ନ ଗଲେ ତାହାର ରୂପବର୍ଣ୍ଣନା ଓ ଶୃଙ୍ଗାର ସମ୍ଭୋଗର ଆଲେଖ୍ୟରେ ଆମେ ଆଉ ସବୁକଥା ଲୁଚାଇ ଦେଇପାରୁ । ପ୍ରାଚୀନ ସାହିତ୍ୟରେ ସେତିକି କରା ହେଉଥିଲା । ସେତେବେଳର ସାହିତ୍ୟରେ ଅଠର ବାଇଶି ବୟସର ନାୟିକା ନାହିଁ । ଆଉ ଅସୁନ୍ଦର ନାୟିକା ମଧ୍ୟ ନାହାନ୍ତି ।

 

କେହି କ’ଣ କହିପାରିବ ଯେ ସେତେବେଳେ ସାରା ଓଡ଼ିଶା ଖାଲି ସୌନ୍ଦର୍ଯ୍ୟର ଖଣି ଥିଲା ? ନା–ନା । ଆଜି ଆଙ୍ଗିକ ସୌନ୍ଦର୍ଯ୍ୟ ଅଧିକା । ଏଥିରେ ବଳ ଓ ସ୍ୱାସ୍ଥ୍ୟ କମ୍‌ ସତ । କିନ୍ତୁ ସୌନ୍ଦର୍ଯ୍ୟ କହିଲେ ହାତେ ଚଉଡ଼ା ପୃଷ୍ଠାଭାଗ କିମ୍ବା ଚାଖଣ୍ଡେ ଉଚ୍ଚ କୁମ୍ଭକୁ ବୁଝାଏ ନାହିଁ କିମ୍ବା ପୁନେଇ ଚାନ୍ଦପରି ବର୍ତ୍ତୁଳ ଓ ପୃଥୁଳ ମୁହଁକୁ ବୁଝାଏ ନାହିଁ ।

 

ଆଉ ଗୋଟିଏ କଥା ରଖାଯାଇଥିଲା । ରାଜା ଈଶ୍ୱରଙ୍କର ଅଂଶରେ ଜନ୍ମ । ରାଣୀମାତା ସେହିପରି ଦେବ ଅଂଶରେ ଜନ୍ମ । ସେ ଥିଲେ ସାକ୍ଷାତ୍‌ ଠାକୁରାଣୀ । ଠାକୁର ଓ ଠାକୁରାଣୀଙ୍କୁ ଲକ୍ଷ୍ୟ ରଖି ସେଥିରେ ଯୌନସମ୍ଭୋଗର ଭାଗ ଦେଇ ଲେଖା ହେଉଥିଲା । ଏଣେ ଘରର ଘରଣୀ ଓ ପରିବାରର ଲୋକେ ବିକଟ ଓ ବିକଳାଙ୍ଗ ଥିଲେ ।

 

ଚାରିଆଡ଼େ କିଟିକିଟି ଅନ୍ଧାରୁଆ ପରଦା । କେହି କାହାକୁ ଦେଖି ଖୁଣି ଦେବାର ସୁବିଧା ନାହିଁ । ଏପରିକି ସ୍ୱାମୀ ଓ ସ୍ତ୍ରୀ ଦିନର ସ୍ପଷ୍ଟ ଆଲୁଅରେ ଦେଖାଚାହାଁ ହେଲା ବେଳକୁ ସୌନ୍ଦର୍ଯ୍ୟ ବହୁତ ଆଗରୁ ଅସ୍ତ ହେଇଯାଇଛି । ଛାଡ଼ିଯାଇଛି ଦୁଇଟି କଙ୍କାଳ । ବହୁତ ଦିନ କଙ୍କାଳ ସାଙ୍ଗରେ କାଙ୍ଗାଳ ମନ ନେଇ ବାନ୍ଧି ହେଇ ରହିଯାଇଥିବାରୁ ଆଉ ସେ କଙ୍କାଳ ପ୍ରତି ଘୃଣା ନାହିଁ । ବରଂ ଆସିଯାଇଛି ଶ୍ରଦ୍ଧା ।

 

ମୋଗଲ, ମରହଟ୍ଟା ଓ ଫିରଙ୍ଗି ଅମଳର ସାହିତ୍ୟ ଭିତରେ କେବଳ ଗୋଟିଏ ଧାରା ରହିଛି । ସେଇଟା ହେଲା କବିତା ବା କାବ୍ୟର ଆଙ୍ଗିକରେ ବ୍ୟାକରଣ ଉପରେ ଆଧାରିତ ସାହିତ୍ୟ-। କଥାବସ୍ତୁ ହେଲା ଭକ୍ତି ଓ ଶୃଙ୍ଗାରର ଗୋଟିଏ ମିଶ୍ରଣ–ଭକ୍ତି ଚାରିଭାଗ ଓ ଶୃଙ୍ଗାର ବାରଭାଗ-। ଠିକ୍‌ ପୁରୁଣା ଦେଉଳର ବେଢ଼ା ପରି–ଭିତରେ ଠାକୁର ଓ ବାହାରେ ଯୌନରସର ପରିପ୍ରକାଶ-

 

ଏହି ସମୟରେ କ’ଣ ଅତ୍ୟାଚାର ନ ଥିଲା ? କେମିତି ଅତ୍ୟାଚାରୀ ଓ ଅତ୍ୟାଚାରର ଚିତ୍ର ଅତି ଅଳ୍ପ । ଅତ୍ୟାଚାର କହିଲେ ବୁଝାଉଥିଲା ତାନ୍ତ୍ରିକର ଅତ୍ୟାଚାର ଅର୍ଥାତ୍‌ ଗୁଣିଗାରିଡ଼ି ଦ୍ୱାରା କ୍ଷତି । କିନ୍ତୁ ମଣିଷର ମଣିଷ ପ୍ରତି ଅତ୍ୟାଚାରର ସ୍ପଷ୍ଟ ସୂଚନା ନାହିଁ ।

 

ଯେଉଁଠି ଅତ୍ୟାଚାର କଥା ଅଛି ସେଠି ତାହାର ବର୍ଣ୍ଣନାରେ ଗୋଟିଏ ଭାବ ଦେଖାଯାଏ–ରାଜା ରାଜଦରବାରର କାହାକୁ କିଛି ଦେବାକୁ କହିଲାବେଳେ ଦରବାରର ଅମଲାତନ୍ତ୍ର ସେଥିରେ କେମିତି ବାଧା ଦେଇଛି । ମୋଟାମୋଟି କଥା ହେଲା ଯେ ରାଜାଙ୍କର ଦାନ ତାଙ୍କର ଗ୍ରହୀତା ପାଖକୁ ଯିବାରେ କ’ଣ ବାଧା ସୃଷ୍ଟି ହୋଇଛି । ସମାଜ କହିଲେ ସତେ ଯେପରି ବୁଝାଉଥିଲା ସର୍ବୋଚ୍ଚ ରାଜାଙ୍କୁ ଓ ତାଙ୍କର ବିଶେଷ କରୁଣାର ଦୃଷ୍ଟି–ଆକର୍ଷଣକାରୀ ସେବକକୁ । ସେତିକିରେ ଶେଷ ।

 

ଓଡ଼ିଶା ସାହିତ୍ୟର ସ୍ୱର୍ଣ୍ଣଯୁଗ କହିପାରୁ ବା କହିବାକୁ କୁଣ୍ଠିତ ହୋଇପାରୁ କିନ୍ତୁ ସେହି ତଥାକଥିତ ସ୍ୱର୍ଣ୍ଣଯୁଗରେ ଯୁବକ ଯୁବତୀଙ୍କର ପରସ୍ପର ଆକର୍ଷଣ ଓ ମିଳନର ପୃଷ୍ଠଭୂମିରେ ସତେ ଯେପରି ସମାଜର ସବୁ ସମସ୍ୟା ଶେଷ ହୋଇ ଯାଇଥିଲା । ସାହିତ୍ୟ କହିଲେ ବୁଝାଉଥିଲା ରଚନାର ଶୈଳୀ । କିଏ କିପରି ସାହିତ୍ୟିକ ଅର୍ଥାତ୍‌ ବିଶେଷ ପାଣ୍ଡିତ୍ୟରେ ସାଧା କଥାଟିକୁ ବୁଝାଇ ପାରିବ ।

 

ଆସନ୍ତୁ । ଆସିବା ହେଉନ୍ତୁ । ପାଦ ଦେବା ହୁଅନ୍ତୁ । ଗରିବର ଦୁଆରେ ବିରାଜମାନ ହୁଅନ୍ତୁ । –ଇତ୍ୟାଦି ବହୁବିଧ ଭାଷାରେ ଯେପରି ‘‘ଆସନ୍ତୁ’’ ବୋଲି ଆମେ କହୁଛୁ ଠିକ୍‌ ସେହିପରି ବହୁବିଧ ଚିତ୍ରକଳ୍ପ ଓ ବୌଦ୍ଧିକ ପ୍ରଚୋଦନା ଦେଇ ଆମେ ମୋଟାମୋଟି ସାଧାରଣ କଥାକୁ ଲେଖିବାକୁ, କହିବାକୁ ଆଉ ବୁଝିବାକୁ ଚେଷ୍ଟା କରୁଥିଲୁ । ଏହି ସାଧନାକୁ କୁହା ଯାଉଥିଲା ସାହିତ୍ୟ-

 

ଓଡ଼ିଆ ସାହିତ୍ୟର ସ୍ୱର୍ଣ୍ଣଯୁଗର ସାହିତ୍ୟର ଧାରାକୁ ଆଜି ଯଦି ଆମେ ଆଣି ଚଳାଇବାକୁ ଚେଷ୍ଟା କରୁ ତାହା ହେଲେ ନିଶ୍ଚିତ ଭାବରେ ଅପ୍ରିୟ ହେବା । ବୌଦ୍ଧିକତାର ଅର୍ଥ ପାଣ୍ଡିତ୍ୟ ନୁହେଁ କିମ୍ବା ପଣ୍ଡିତଟିଏ ବୌଦ୍ଧିକତାର ରୂପାନ୍ତର ନୁହେଁ ।

ଓଲଟାଇ କହିବା ଓ ଓଲଟା କଥାରୁ ଗୋପନ ଅର୍ଥ ବାହାର କରିବା ଥିଲା ତିନିଶହବର୍ଷ ତଳେ ଆମର ଓଡ଼ିଆ ସାହିତ୍ୟ । ଆଜି ସେଇଟା ହେଇଯାଇଛି ସାଧା କଥାକୁ ଅତି ସରଳ ଓ ସ୍ପଷ୍ଟ ଭାବରେ ଓ ସ୍ପଷ୍ଟ ଭାଷାରେ କହି ସେଥିରେ ମନ ଭିତରେ ପ୍ରଶ୍ନ ଉଠାଇବା ।

 

ତେଣୁ ପୁରୁଣାର ଅନୁକରଣରେ ଆଜି ଲେଖିଲେ ଓ ପୁରୁଣା ବିଷୟ ଓ ଶୈଳୀରେ ଆଧୁନିକ ରୂପ ଦେଲେ ସେଇଟା ଆମର ସାହିତ୍ୟର ଉପଯୁକ୍ତ ହେବ ନାହିଁ ।

 

ଆଜିର ସାହିତ୍ୟ ହେଉଛି ଜୀବନର ପ୍ରଶ୍ନ–ସମକାଳୀନ ସମାଜର ପ୍ରଶ୍ନ । ସେ ପ୍ରଶ୍ନ କ’ଣ ? ସେ ପ୍ରଶ୍ନ ହେଉଛି ଯେ ମୁଁ ମଣିଷ ଜନ୍ମପାଇ ମଣିଷ ହେଇ ଗୋଟାଏ ଜୀବନ କଟାଇ ଦେଲି । ମୁଁ କ’ଣ ସୁଖୀ ? ଯଦି ସୁଖୀ ନୁହେଁ, ତେବେ କ’ଣ ମୋର ଅଭାବ ? ମୋର ଅଭାବ ପାଇଁ କ’ଣ ମୁଁ ଦାୟୀ ? –ନା ଦାୟୀ ମୋର ବାପା’ମା ? ? –ନା ଦାୟୀ ହେବେ ମୋର ପରିବାର ଓ ସମାଜ ? –ନା ଦାୟୀ ହେବ ଦିଲ୍ଲୀ ସରକାର ?

 

ରାଜନୀତିର ପେଷାଦାରମାନେ ଏହି ସୁଖ ଦୁଃଖର ପ୍ରଶ୍ନକୁ ରାଜନୀତି ଆଡ଼କୁ ଆଉ ସାଧାରଣ ଲୋକେ ଏହାକୁ ଧର୍ମନୀତି ଆଡ଼କୁ ଟାଣୁଛନ୍ତି । ତେଣୁ ଆଜି ତେସ୍ତରି ମସିହାରେ ଦେଖା ଯାଉଛି ଯେ ଦୁଇ ପ୍ରକାରର ଅନୁଷ୍ଠାନ ବଡ଼ ଲୋକପ୍ରିୟ । ଗୋଟାଏ ହେଲା ଧର୍ମପୁରୁଷ ବା ଦେବ ଅଂଶର ଅବତାର । ଆରଟି ହେଲା ରାଜନୈତିକ ନେତା ବା ଗଣ ଅଂଶର ପ୍ରତିନିଧି ।

 

ଦୁଇପକ୍ଷରୁ ଅର୍ଥାତ୍‌ ଦେବତାଙ୍କ ପକ୍ଷରୁ ତଥା ପଞ୍ଚପରମେଶ୍ୱରଙ୍କ ପକ୍ଷରୁ ଦୁଃଖର ଔଷଧ ବଣ୍ଟାଯାଉଛି । ପ୍ରତିକାରର ବିବରଣ ଦିଆଯାଉଛି । ମଣିଷ ଖାଲି ଆଶାରେ ରହିଛି ।

 

ଏହି ଆଶାର ସନ୍ଧାନ ଯେଉଁ ସାହିତ୍ୟିକ ବା ଯେଉଁ ସାହିତ୍ୟ ଦେଇପାରେ ସିଏ ସେତେ ହୃଦୟସ୍ପର୍ଶୀ । ଏହାକୁ ଦେବାକୁ ରବୀନ୍ଦ୍ରନାଥ ଓ ଶରତଚନ୍ଦ୍ର ଯେମିତି ବଙ୍ଗଳା ସାହିତ୍ୟରେ ଚେଷ୍ଟା କରିଥିଲେ ଓଡ଼ିଆ ସାହିତ୍ୟରେ ସେମିତି ଅସଂଖ୍ୟ ସାହିତ୍ୟିକ ଦେବାକୁ ଉଦ୍ଭଟ ପ୍ରୟାସ କରିଛନ୍ତି–ନିମ୍ନପ୍ରାଥମିକ ବିଦ୍ୟାଳୟର ଗୁରୁଜୀ ଭୂଗୋଳ ଓ ସାମାଜିକ ପାଠ ପଢ଼ାଇଲା ପରି ।

 

ତେଣୁ ସାହିତ୍ୟ ମନକୁ ଟାଣି ପାରିନାହିଁ । ସାହିତ୍ୟ କହିଲେ ଅନେକ ମନେ କରନ୍ତି–ବିଚରା ଅନାଡ଼ିର ଇଲମ ଦେବାର ଅପଚେଷ୍ଟାର ଅନ୍ୟ ନାମ ସାହିତ୍ୟ । ଓଡ଼ିଆ ସାହିତ୍ୟକକୁ ଯିଏ ଏତେ ତଳେ ରଖିବାର ଅସୌଜନ୍ୟ ଦେଖାଇ ନାହାନ୍ତି ସେମାନେ ଏହାକୁ ବୁଝାଇ ଦେଲେ ମନୋରଞ୍ଜନ ହେଉଛି ସାହିତ୍ୟ ।

 

ତେବେ ଗୀତନାଚ ପରି ମନୋରଞ୍ଜନ କାର୍ଯ୍ୟକ୍ରମର ବେଶ୍‌ ତଳେ ରହିଯାଇଛି ଓଡ଼ିଆ ସାହିତ୍ୟ । ମନକୁ ମୁଗ୍‌ଧ କରିବାକୁ କିଏ ସାହିତ୍ୟର ଛଟା ଦେଇ ପ୍ରବନ୍ଧ ଲେଖୁଛି । ଆଉ କିଏ ସେଥିରେ ପୁଳାଏ ଭଣ୍ଡସଣ୍ଢ କଥା ଭରିଦେଇ ମନୋରଞ୍ଜନ କରୁଛି । ଆଉ ଯେଉଁ ମାନଙ୍କୁ ଏବସୁ ସୁବିଧା ହେଲା ନାହିଁ ସେମାନେ ଚଳାଇ ଦେଉଛନ୍ତି ରହସ୍ୟ ରୋମାଞ୍ଚ ।

 

ଏହି ପ୍ରକାରର ମନୋରଞ୍ଜନ ହେଉ ଅବା ଅପଭ୍ରଷ୍ଟ ବୌଦ୍ଧିକତାର ବେକୁବି ଦ୍ୱାରା ମନୋରଞ୍ଜନ ହେଉ ଏବେ ଆମେ ଓଡ଼ିଆ ଲେଖକମାନେ ସବୁ ଉପାୟରେ ଗଣ ପାଠକର ଓ ପାଠକଗଣଙ୍କର ମନୋରଞ୍ଜନ ପାଇଁ ଝାଳନାଳ ହେଉଛି । ନନାଙ୍କର ବସ୍ତାନି ଭିତରୁ ବିଦ୍ୟା ସଂଗ୍ରହ କରି କାମ ଚଳାଇବାରେ ଲାଗିଯାଉଛୁ ।

 

ବାପ ଗୋସାପଙ୍କ ପୃଷ୍ଠଭୂମିରୁ ଧାପେ ଦି’ଧାପ ଉପରକୁ ଉଠି ସେହି କଥା ଓ ସେହି ଚିତ୍ରକୁ ଆଣି ଆଧୁନିକ ଭାଷାରେ ତେସ୍ତରି ମସିହାରେ ଲେଖି ଆନନ୍ଦ ପାଉଛୁ । ବହିକୁ ପୁରା ନ ପଢ଼ି ହେଡ଼ିଂ ଦେଖିଲେ ବି ଜାଣି ହେବ ।

ନାକଫୋଡ଼ିଆ ରାଜା ହେଇଛି । ଖନି ରାଣୀ ହେଇଛି । ଏଇ ନାକଫୋଡ଼ି ଆଉ ଖନିକୁ ନେଇ ଓଡ଼ିଆ ଲେଖକ ବୌଦ୍ଧିକତାର ଓ ଆଧୁନିକତାର ଗୋଟାଏ ରକମର ଫାର୍ଶ କରୁଛି । ଆଉ ତା’କୁ କହୁଛି ସାହିତ୍ୟ ।

ଇଏ ହେଉଛି ଖରାପ ରୋଷେଇ ପରି ଗୋଟିଏ କାମ । ତରକାରୀରେ ପ୍ରକାରଭେଦରେ ଲୁଣ, ଖଟା, ମିଠା, ରାଗ ଦିଆଯାଏ । କାହାକୁ କେତେ ପସନ୍ଦ ଓ କେଉଁଟା ପସନ୍ଦ-। ଏହି ଖଟା, ମିଠା ଓ ରାଗକୁ ମନ ଇଚ୍ଛା ଆଣି ଜଣେ ଫୋପାଡ଼ି ଦେଇ ଏଣେ ପାଟିକରେ–ସୁଆଦିଆ ଲାଗୁଛି । ଆଉ ଯିଏ ଚାଖିବ ତାକୁ ବି ସୁଆଦିଆ ଲାଗିବ । ତେବେ ସେ ଲୋକହସା ରାନ୍ଧୁଣିଆ ହେବ ।

ଏବେ ଚଳନ୍ତି ଓଡ଼ିଆ ସାହିତ୍ୟରେ ସେମିତି ଆମେ ମନ ଇଚ୍ଛା ସାହିତ୍ୟର ଉପାଦାନ ସଂଗ୍ରହ କରି ଖୁନ୍ଦି ଦେଇ ପାଟି କରୁଛୁ ଯେ ଭଲ ସାହିତ୍ୟକୁ ଏହି ଓଲୁ ପାଠକମାନେ ଧରିପାରୁ ନାହାନ୍ତି । ଏଥିରେ ପାଠକ ନିର୍ଦ୍ଦୋଷ । ଲେଖକ ମଧ୍ୟ ନିର୍ଦ୍ଦୋଷ । ଭୁଲ ହେଉଛି ଯେ ଲେଖକ ନ ହେବା ଲୋକ ଲେଖାଲେଖି କାମରେ ଲାଗି ଯାଇଛି ।

ଲେଖିବା ପାଇଁ ଏମିତି କିଛି ବାଧ୍ୟବାଧକତା ନାହିଁ । ଅବା ଲେଖାଟି ସୁନ୍ଦର ନ ହେଲେ ସଂସାର ଅଚଳ ହୋଇଯିବ ନାହିଁ । ଗଳଦ୍‌ଘର୍ମ ସାହିତ୍ୟକୁ ସାହିତ୍ୟିକ ସାଧନା କହିବା ଯାହା ଭାଗମାପ ନ ଥିବା ବା ମାତ୍ରାଜ୍ଞାନ ନ ଥିବା ଉଚ୍ଚାଙ୍ଗ ସାହିତ୍ୟ କହିବା ମଧ୍ୟ ସେଇଆ । ଠକେଇ ବା ଧରାଧରିରେ କୋଠାବାଡ଼ି ଓ ପଦପଦବୀ ମିଳି ଯାଉଛି ବୋଲି ଆମେ ମନେ କରି ନେଉଛୁ ଯେ ଭଲ ସାହିତ୍ୟ ମଧ୍ୟ ସେମିତି ଆସିଯିବ । ଏହି ପଦ୍ଧତିରେ ଅନେକ ଲୋକଙ୍କର ଭାରି ଆସ୍ଥା । ସେମାନେ ଯଶସ୍ୱୀ ନ ହେଲେ ବି ସାମୟିକ ଯଶ ପାଇ ଯାଉଛନ୍ତି । ଆଉ ଜୀବନ କ୍ଷଣସ୍ଥାୟୀ । ତେଣୁ ଯଶ ମଧ୍ୟ ଆହୁରି କ୍ଷଣସ୍ଥାୟୀ । ଲେଖକର ଜୀବନକାଳ ଆଉରି ଅଳ୍ପାୟୁ । ତାହାହେଲେ ସବୁ ମିଶାଇ ଗୋଟାଏ ଲାଭଜନକ ବ୍ୟବସାୟ ହୋଇଗଲା । କ୍ଷତି କ’ଣ ? ମନ୍ଦ କ’ଣ ?

ଚିରସ୍ଥାୟୀ ସାହିତ୍ୟ ବା ଅମର ସାହିତ୍ୟ ଲେଖିବା ପାଇଁ ଚେଷ୍ଟା ନ କରିବା ଭଲ । ନିଜେ ଯାହା ସେତିକିରେ ଲାଗିବା ଭଲ । ବାହାରୁ ଆଣ ବା ଘରୁ ନିଅ–ମାଲମସଲାରେ ଏଣୁତେଣୁ ଜିନିସ ଲଦି ଦେଇ ତାକୁ ଆକର୍ଷଣୀୟ କରିବାକୁ ଚେଷ୍ଟା କଲେ ତାହା ଏଡ଼େ ବିକୃତ ହେଇଯାଉଛି ଯେ ସମସ୍ତେ ମୁହଁମୋଡ଼ି ଦେଇ ବାଟ ଭାଙ୍ଗୁଛନ୍ତି । ଏଣେ ଲେଖକଟି ଦୁନିଆଯାକ ଲୋକଙ୍କୁ ଗାଳି ଦେଉଛି ।

ଏମିତି ଗାଳି ଦିଆଦିଇ ଚାଲିବା ହେଉଛି ସାହିତ୍ୟ । ସମାଲୋଚନାର ଅର୍ଥ ହେଉଛି ଏମିତି ଗାଳିଗୁଲଜ । ସାହିତ୍ୟର ଅର୍ଥ ହେଉଛି ସଂସ୍କାର କରିବା ନାଁରେ ଗାଳିଦେବା । ତେଣୁ ସାହିତ୍ୟିକ କହିଲେ ଗୋଟାଏ ରକମର ଅସହିଷ୍ଣୁ କଳିହା ଲୋକକୁ ବୁଝାଏ । ସେ ସବୁ କଥାକୁ ନାକ ଟେକିବ । ନୂଆ କିଛି କରିବାର ଶକ୍ତି ତାହାର ନ ଥିବ । ତେଣୁ ପୁରୁଣା ବିରୁଦ୍ଧରେ ସ୍ୱର–ଉତ୍ତୋଳନ କରିବ ଅର୍ଥାତ୍‌ ପୁରୁଣାକୁ ଗାଳିଦବ ।

ଏହି ପ୍ରକାରର ଗାଳିମନ୍ଦ କରିବା ଗୋଟାଏ ପ୍ରକାରର ଜନ୍ମଗତ ପ୍ରବୃତ୍ତି । ଏତକ ନ ଥିଲେ ସାହିତ୍ୟିକ ହେବା ବୋଧହୁଏ କଷ୍ଟକର । ଯିଏ ଯେତେ ସଫଳ ଭାବରେ ଏହି କାମଟିକୁ କରିପାରେ ଆମେ ତା’କୁ ସେତେ ସାବାସ କରିଥାଉ । କିନ୍ତୁ ଏହି ଗାଳି ଭର୍ତ୍ସନାରେ କ’ଣ ସଂସ୍କାର ହୁଏ ନା ପୁରୁଣା ଅନୁଷ୍ଠାନ ଓ ଅନୁଶାସନ ଭୁଷୁଡ଼ି ପଡ଼େ ?

 

କିଛି ହୁଏ ନାହିଁ । ଯେତେବେଳେ ଯାହାକୁ ଯାହା ଭଲ ଲାଗିଲା ସେ ସେତକ କରେ । ସାହିତ୍ୟରୁ ଜୀବନର ମହୁ ଖୋଜିବା ବିଡ଼ମ୍ବନା । ତଥାପି ଆମେ ସମସ୍ତେ ନିଜର ଜୀବନର ସମୀକ୍ଷା କରିବାକୁ ଅଳସୁଆ ଲାଗିବାରୁ ଖଣ୍ଡେ କିତାପ୍‌ ଉଠାଇ ନେଇ ସେଥିରୁ ଜୀବନର ତତ୍ତ୍ୱକୁ ଖୋଜିବାକୁ ଚେଷ୍ଟା କରୁ । ଦୁଇ ଚାରିଟଙ୍କା ଫୋପାଡ଼ି ଦେଇ ଖଣ୍ଡେ ବହି କିଣି ଓଳିକ ଭିତରେ ଜୀବନ ଓ ଯୌବନର ସାରାଂଶକୁ ଧରି ଆୟତ୍ତ କରିବାକୁ ଚେଷ୍ଟା କରୁ ।

 

ଶୀଘ୍ର ଶୀଘ୍ର ଟଙ୍କା ଆସିଯିବ ବୋଲି ଲେଖକ ତେଣେ ତାହାର ଭଉଁରୀ ଜାଲ ଥରକୁ ଥର ଫିଙ୍ଗି ବେଶି ମାଛ ଧରିବାକୁ ଚେଷ୍ଟା କରୁଛି । କି ମାଛ ଓ କେତେ ମାଛ ? –ସେ କଥା ଭାବୁ ନାହିଁ । ସେମିତି ଲେଖକ ତାହାର କଲମକୁ ଠେଲି ଚାଲିଛି । ହାତ ରହିଲାଣି । କଲମରୁ କାଳି ଶୁଖି ଆସି ଥୋପେ ଥୋପା ପଡ଼ିଲାଣି କାଗଜ ଉପରେ । ନିଜେ ସେ ଅସହାୟ ଅପୋଗଣ୍ଡ ଲୋକଟିଏ । ତଥାପି ଯାତ୍ରାର ନାୟକ ପରି ଥୋଡ଼ା ଶୁଣି ଆଉ ବହୁତ୍‌ ଥୋଡ଼ା ବୁଝା ତତ୍ତ୍ୱକୁ ଆଣି ତାହାର ନାୟକ ନାୟିକା ତୁଣ୍ଡରେ କୁହାଉଛି ।

 

ଏହା ଉପରେ ଆନ୍ଦୋଳନ କାହିଁକି ? ଖବର କାଗଜର ଭୁଲ୍‌ ଖବର ବା ଉଦ୍ଦେଶ୍ୟମୂଳକ ପ୍ରଚାର ହେଉଛି ବୋଲି କ’ଣ କେହି ଖବର କାଗଜକୁ ବାସନ୍ଦ କରୁଛି କି ? ତେବେ ଲେଖା ଖରାପ ହୋଇଗଲା ବୋଲି କ’ଣ ଲେଖକକୁ ବା ସାହିତ୍ୟିକକୁ ବାସନ୍ଦ କରାଯିବ ?

 

କାହିଁକି ? –କାହିଁକି ? ଶାସନର ମୁଖ୍ୟମାନେ ମିଛ, ଶଠତା ଓ ଚୋରି କଲେ ବୋଲି କ’ଣ ଆମେ ତାଙ୍କୁ ଫୁଲମାଳ ଦେଇ ସ୍ତବ କରୁ ନାହୁଁ ? ସେମାନେ ଚାଲିଗଲେ–ଯିଏ ଆସିଲେ ସେମାନେ କ’ଣ ସାଧୁ ସନ୍ଥ ? କାହିଁ ଗଲା ପଚିଶିବର୍ଷର ଶାସନରେ ସାଧୁମାନେ ଆସି ସାଧୁତା ଦେଖାଇବାର ସମ୍ବାଦ ମିଳି ନାହିଁ । ଓଲଟି ପରେ ଆସିବା ଲୋକ ଠକାମିର ଗୋଟାଏ ଅଭିନବ ଫନ୍ଦା ଦେଖାଇବାରୁ ଚେଷ୍ଟା କରିଛି । ଆମେ ପ୍ରଜାମାନେ ଶାସକଙ୍କୁ ମନ୍ଦ ଖୋସାମଦ କରି ନାହୁଁ ।

 

ସେମିତି ସ୍ତରସ୍ତର ହୋଇ ଅନେକ ଲେଖକ ମୋର, ତମର ଓ ତାଙ୍କର ଜାତିଭାଇ ହିସାବରେ ଓଡ଼ିଆ ସାହିତ୍ୟକୁ ବଢ଼ିଆ ତାରିଫ୍‌ କରିଦେବେ ବୋଲି କେତେ କଥା କହିଲେ । କିନ୍ତୁ କାମରେ ଦେଖାଇଲାବେଳକୁ କିଛି ବାହାଦୁରୀ ଜଣାଗଲା ନାହିଁ । ଜଣାପଡ଼ିଲା ଯେ ବିଚରାଟା ପାକଳ ହେବା ଆଗରୁ ସୃଷ୍ଟି କରିବାରେ ଲାଗିଗଲା ।

 

ନିଜର ଅଟକଳ ନେଇ ଅବା ନିଜକୁ ଓଜନମାପ କଲାପରେ କେହି କାମ ଆରମ୍ଭ କରେ ନାହିଁ । ଯିଏ ଯାହା କରିବା ଲୋକ ସେ ତାହାର କ୍ଷଣିକ ଉନ୍ମାଦନାରେ କାମ ଆରମ୍ଭ କରିଦିଏ । ଏହା ବୋଧହୁଏ ଈଶ୍ୱରଙ୍କର ଇଚ୍ଛା ।

 

ବିଶ୍ୱନିୟନ୍ତାଙ୍କର ସେହି ପ୍ରହେଳିକାମୟ ଇଚ୍ଛାରେ ସବୁ କଥା ଘଟେ । ଏହି ଇଚ୍ଛାର ପରିପ୍ରକାଶରେ କଲେଜ ଛାତ୍ରଟିଏ ତାହାର ସହପାଠିନୀକୁ ଜୀବନସଙ୍ଗୀନୀ କରିବାକୁ ପ୍ରାଣକୁ ପଣ କରି ଚେଷ୍ଟା କରେ । ଆଉ ମଧ୍ୟ ଦିନେ ସେ ରକ୍ତ ଦିଅ–ଡାକରା ଡାକବାଜି ଯନ୍ତ୍ରରେ ରାଜନୈତିକ ଦଳଙ୍କଠାରୁ ସତକୁ ସତ ରକ୍ତ ଦେବାକୁ ଆଗେଇ ଯାଏ । ପୁଣି ଦିନେ ସେହି ପରୀକ୍ଷାର ଡରରେ ଯାଇ ରେଳ ତଳେ ବେକକୁ ଛାଡ଼ିଦିଏ ।

 

ଏହିସବୁ ବଡ଼ ବଡ଼ ଜୀବନ–ମରଣ ସମସ୍ୟା ଭିତରେ ଖଣ୍ଡେ ଉପନ୍ୟାସ, ଚାରୋଟି ଗଳ୍ପ ବା ବାରୋଟି କବିତା ଲେଖିବା ଅତି ସାଧାରଣ କଥା । ପରିପ୍ରକାଶ ହେଉଛି ସୃଷ୍ଟିର ଆନନ୍ଦ । ଭିତରର ଇଚ୍ଛାକୁ ଦମନ କରିବା ବା ଶାସନ କରିବା ଭାରି କଷ୍ଟକର–ଅସମ୍ଭବ । ସେହି ଅଦମ୍ୟ ଇଚ୍ଛା ପାଇଁ ସାହିତ୍ୟ ସୃଷ୍ଟି । ସେତେବେଳେ ଯିଏ ବାରଣ କରିବ–ସେ ଶତୃ । ତେଣୁ ଯୋଗ୍ୟତାକୁ ଦେଖି ଲେଖା ଆରମ୍ଭ କରିବାକୁ ପରାମର୍ଶ ଦେବା ଏକାବେଳକେ ବେକୁବି କାମ ।

 

ତଥାପି ଆମେ ଲେଖକ ଓ ପାଠକମାନେ ମିଶି ବ୍ରେକ୍‌ ନ କଷିଲେ ଆଉ କ’ଣ ସାହିତ୍ୟ ରହିବ ? ସବୁ ହାଇସ୍କୁଲ, ମାଇନର ସ୍କୁଲ ପତ୍ରିକା ଚଳାଇବାକୁ ଯୋଜନା କରି ପ୍ରତ୍ୟେକ ଛାତ୍ରଠାରୁ ଗ୍ରାହକ ଚାନ୍ଦା ଅସୁଲ କରି ନେଉଛନ୍ତି । କଲେଜ ଗୁଡ଼ିକ ଆଗରୁ ଥିଲେ । ଏବେ ଥାନାକୁ ଧରି ପତ୍ରିକା ବାହାରିବା ଯୋଜନା ହେଉଛି । ସମସ୍ତେ ହେଲେ ସ୍ରଷ୍ଟା ସମୀକ୍ଷକ । ତେଣୁ ପୁରୁଣା ଓ ବୁଢ଼ା ଲେଖକ ଗୁଡ଼ାକ ରାମ୍ପି ବିଦାରି ହେଉଛନ୍ତି ଯେ ସାହିତ୍ୟ ବିଗିଡ଼ିଗଲା ।

 

ବିଗିଡ଼ିଯିବାର କାରଣ ହେଲା ଯେ ଅଘୋରଦୁଆରୀ ସମସ୍ତେ ଲେଖିଲେଣି । ତାଙ୍କର ଲେଖାରେ ଉତ୍ସାହ ଅଛି–ତାରୁଣ୍ୟ ଅଛି । ସେ ଯୁଗ ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛି । ଏଣେ ମୁଁ ଉତ୍ସାହ–ହୀନ ଓ ଜରାଜୀର୍ଣ୍ଣ । ଯୁଗ ସୃଷ୍ଟି ଦୂରରେ ଥାଉ ନିଜେ ନିଜର ସ୍ୱ-ଉପାର୍ଜିତ ଇଜ୍ଜତ ଟିକକ ରଖି ବଞ୍ଚି ରହିବା କଷ୍ଟକର । ନୂଆଙ୍କ ସାଙ୍ଗରେ ଲଢ଼େଇ ଭିଡ଼େଇରେ ଲାଗିଲେ ପରାଜୟ ସୁନିଶ୍ଚିତ-

 

ଏହି ପରାଜୟର ଆଶଙ୍କା ଏବେ ଓଡ଼ିଆ ସାହିତ୍ୟରେ ଭାରି ପ୍ରବଳ । କି କାହ୍ନୁଚରଣ ନିତ୍ୟାନନ୍ଦ ଅବା କାଳିନ୍ଦୀଚରଣ ବୈକୁଣ୍ଠ ଅବା ସୂର୍ଯ୍ୟନାରାୟଣ ସଚ୍ଚିଦାନନ୍ଦ ସମସ୍ତେ ବ୍ୟସ୍ତ ଯେ ନୂଆମାନେ ଅଗଣିତ ସଂଖ୍ୟାରେ ପଙ୍ଗପାଳ ପରି ଓଡ଼ିଆ ସାହିତ୍ୟକୁ ଆକ୍ରମଣ କରିବାକୁ ଧାଇଁ ଆସୁଥିଲାବେଳେ ସର୍ଦାରି ପଗଡ଼ି ରହିବ କେମିତି ?

 

ଏକଥା ସବୁ କ୍ଷେତ୍ରରେ ଫୁଲକା ଆଖଡ଼ାରୁ ଆରମ୍ଭ କରି ନୃତ୍ୟଶାଳା, ଗୀତଶାଳା ସବୁଠାରେ ଚାଲିଛି । ନୂଆ ଲୋକ ଆଣିବା ପାଇଁ ଚେଷ୍ଟା ଚାଲିଛି । ସର୍ବସାଧାରଣ କ୍ଷେତ୍ରରେ ଅବସର ନେବା ପାଇଁ ବାଧ୍ୟ ବାଧକତା ନାହିଁ । ତେଣୁ ଠେଲି ନିକାଲି ଦେବା ହେଉଛି ଗୋଟାଏ ବାଟ ।

 

ଏହି ଠେଲାପେଲାରେ ନିର୍ଭୟ ଓ ନିଦକ ସାହିତ୍ୟିକ ଓଡ଼ିଶାରେ ମଧ୍ୟ ଅଛନ୍ତି । ସେମାନେ ହେଲେ ଡକ୍ଟର ହରେକୃଷ୍ଣ ମହତାବ, ଡକ୍ଟର ମାୟାଧର ମାନସିଂହ, ଡକ୍ଟର ରାଧାଚରଣ ପଣ୍ଡା, ଶ୍ରୀ ଅନିରୁଦ୍ଧ ଦାସ ଓ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି । ଏମାନଙ୍କର ମନରେ ଏହି ନୂଆ ପୁରୁଣା ଆନ୍ଦୋଳନ କିଛି ରେଖାପାତ କରେ ନାହିଁ । ଏମାନେ ପ୍ରକୃତରେ ସ୍ୱଭାବ ସହଜ ସାହିତ୍ୟିକ-। ନିଜ ବିଷୟରେ ଏମାନେ ଆତ୍ମମ୍ଭର ଓ ସ୍ୱୟଂସଂପୂର୍ଣ୍ଣ ।

 

ଏହି ମତରେ ଅର୍ଥ ନୁହେଁ ଯେ ଅନ୍ୟମାନେ ଭାରି କାତର ଓ ଅବସନ୍ନ । ପ୍ରକୃତରେ କୌଣସି ଲେଖକ କେବେହେଲେ ଅନ୍ୟର ସୃଷ୍ଟି ସର୍ଜନାର ପ୍ରୟାସରେ ସେପରି ବିବ୍ରତ ନୁହେଁ । ତଥାପି ସେମାନେ ଅନ୍ୟମାନଙ୍କର ଆଗମନ ଓ ଆବିର୍ଭାବର ଫଳାଫଳ ନେଇ ସଚେତନ । କିନ୍ତୁ ଡକ୍ଟର ମହତାବ ପ୍ରମୁଖ ଏକାବେଳେକେ ନିର୍ବିକାର । ସେଥିପାଇଁ ସେମାନେ ଓଡ଼ିଆ ସାହିତ୍ୟର ଚିନ୍ତାନାୟକ ନ ହୋଇ ଅନ୍ୟ ଫାଲତୁ ମାନେ ହୁଅନ୍ତେ କେମିତି ? କିନ୍ତୁ ସମସ୍ତଙ୍କର ଭିତରର ଅନୁରାଗ କେମିତି ଚିନ୍ତାନାୟକ ହୋଇଯାନ୍ତେ ।

 

ଚିନ୍ତା କରୁଛନ୍ତି ସମସ୍ତେ–କୁକୁର ଓ ମୂଷା ବି ଚିନ୍ତା କରିପାରନ୍ତି । କିନ୍ତୁ ଚିନ୍ତାନାୟକ ହେବା ପାଇଁ ଚିନ୍ତାର ଯେଉଁ ପ୍ରଖରତା ଓ ପରିସର ଦରକାର ସେତକ ସମସ୍ତଙ୍କୁ ସବୁବେଳେ ମିଳେ ନାହିଁ । ତେଣୁ ଖାଲି କୁଞ୍ଚକୁଞ୍ଚିକିଆ କପାଳକୁ ଦେଖି ଚିନ୍ତାର ପ୍ରଖରତା ବୁଝାଯାଇପାରେ । କିନ୍ତୁ ଏଥିରୁ ଚିନ୍ତାନାୟକତ୍ୱ ପାଇବା ଦୁସାଧ୍ୟ ।

 

ଚିନ୍ତାର ପ୍ରଖରତା ସାହିତ୍ୟ ସୃଷ୍ଟି ପାଇଁ ବିଶେଷ ଦରକାର ନୁହେଁ । ଏଠି ଦରକାର ହୁଏ ଏକାଗ୍ରତା । ଏହି ଏକାଗ୍ରତା ବଳରେ ଚିତ୍ରରୂପକୁ ଜୀବନ୍ତ କରିହୁଏ । ଭଲ ଛବିଟିଏ ବୋଲି ଜାଣିହୁଏ ତାହାର ଚିତ୍ରକରର କଥାରୁ ।

 

ଯେଉଁ ଚିତ୍ରକର ଜଣେ ଜୀବନ୍ତ ମଣିଷର ଚିତ୍ର ଆଙ୍କିଲା । ଜୀବନ ସୁଲଭ ଚିତ୍ର ଆଙ୍କିଲା ନିଶ୍ଚିତ ଭାବରେ ସେହି ଲୋକଟି ସାଙ୍ଗରେ ଚିତ୍ରକରର ଦେଖା ହେବ । ସେମିତି ଏକାନ୍ତ ମନରେ ଜଣକର ଜୀବନର ଆଲେଖ୍ୟ ଗଳ୍ପ ଉପନ୍ୟାସରେ ଲେଖି ବସିଲେ ପ୍ରାୟ ଦେଖାଯାଏ ଯେ ପୁସ୍ତକର ନାୟକ ଓ ନାୟିକା ଆସି ଦେଖା ଦେଉଛନ୍ତି । ଏହି ସୂଚକଟି ହେଉଛି ଭଲ ଖରାପ ଲେଖାର ଅଟକଳ ।

 

ବହି ଖଣ୍ଡେ ଲେଖିଲାବେଳେ ଯଦି ନାୟିକା ସାଙ୍ଗରେ ସମୟ ଓ ସ୍ଥାନର ବ୍ୟବଧାନକୁ ଦୂର କରି ଯୋଗାଯୋଗ ହୋଇ ନ ପାରେ ତାହାହେଲେ ନିଶ୍ଚିତ ଭାବରେ ବୁଝିବାକୁ ହେବ ଯେ ନାୟିକାର ଚରିତ୍ର ସ୍ପଷ୍ଟ ହେଲା ନାହିଁ । ପୁସ୍ତକର ଚିତ୍ର ଯେତେବେଳେ ଏକାଗ୍ର ମନର ସ୍ପନ୍ଦନରେ ଝଙ୍କାର ତୋଳିବ ସେତେବେଳେ ନାୟିକା ସହିତ ଅବଶ୍ୟ ଭେଟ ହେବ ।

 

ଠିକ୍‌ ସେମିତି ଖଣ୍ଡେ ବହି ପଢ଼ିଲାବେଳେ ମନରେ ପୁସ୍ତକର ଚରିତ୍ର ସହିତ ପରିଚୟ ଥିବା ପରି ଜଣାପଡ଼େ । ଯେତେବେଳେ ଦେଖାଯାଏ ଯେ ବର୍ଣ୍ଣନା ହୋଇଥିବା ଚରିତ୍ରର ଚିତ୍ରଟି ଆମର ଜୀବନର କୌଣସି ଚରିତ୍ର ସାଙ୍ଗରେ ଆଠଅଣା ବାରଅଣା ମିଶିଯାଉଛି ସେତେବେଳେ ବୁଝାପଡ଼େ ଯେ ବହିଟି ଉଚ୍ଚ ଶ୍ରେଣୀର ।

 

ଲୋକପ୍ରିୟ ଉପନ୍ୟାସରେ ଏହି ସାଧାରଣ ସତ୍ୟଟି ପ୍ରାୟ ପରିକ୍ଷିତ । କାହ୍ନୁଚରଣଙ୍କର ଲୋକପ୍ରିୟ ଉପନ୍ୟାସ ବର୍ଣ୍ଣିତ ସମାଜର ପାଠକ ସ୍ତରରେ ସ୍ପନ୍ଦନ ଉଠାଏ । ପରିଚୟର ସ୍ପନ୍ଦନ । ସେହି ସ୍ପନ୍ଦନର ଝଙ୍କାର ଲେଖକକୁ ପାଠକ ପାଖରେ ପରିଚିତ ଓ ପ୍ରିୟ କରିଦିଏ ।

 

ସାଧାରଣ ସ୍ତରରେ ସାଧାରଣ ସୁଖଦୁଃଖର ସ୍ତର ନୂଆ ଗ୍ରୀଷ୍ମ ଦିନର ହାଲୁକା ମେଘର ମାଳା ପରି ରହିଥାଏ । ଏହି ସ୍ତର ମଧ୍ୟ ଚିରସ୍ଥାୟୀ ନୁହେଁ । ଏହି ସୁଖ ଦୁଃଖର ଆଧାର ବଦଳି ବଦଳି ଚାଲିଥାଏ । ଯେତେବେଳେ ଏହି ଦିଗଟି ବଦଳିଯାଏ ସେତେବେଳେ ଦିନକର ଲୋକପ୍ରିୟ ବହିଟି ନିର୍ଜୀବ ହୋଇଯାଏ ।

 

ସମାଜର ସାମଗ୍ରିକ ଚିନ୍ତାଧାରାରେ ଗୋଟିଏ ଅଞ୍ଚଳରେ ଜଣେ ଲୋକ କିଛି ସମସ୍ୟା ବା କିଛି କଥା କହିଲା ସେତେବେଳେ ଦେଖାଯାଏ ଯେ ସେହି ଅଞ୍ଚଳରେ ଶତାଧିକ ଓ ସହସ୍ରାଧିକ ଲୋକ ସେହି କଥାକୁ ସେହି ପ୍ରକାରରେ ଓ ଅନ୍ୟ ପ୍ରକାରରେ କହୁଛନ୍ତି । ଏହାର ପ୍ରକୃତ କଥା ହେଲା ଯେ ସମସ୍ୟା କେତେବେଳେ ହେଲେ ବ୍ୟକ୍ତିର ଏକଚାଟିଆ ନୁହେଁ । ଏହା ତମର ଆମର–ସମସ୍ତଙ୍କର ସମସ୍ୟା ।

 

ସମସ୍ତଙ୍କର କଥା ଯେ କେହି ସମାଧାନ କରିପାରେ । ସେହି ହେଉଛି ଗଣଧର୍ମୀ ଲେଖକ । ଅର୍ଥାତ୍‌ ସମସ୍ତଙ୍କର ବିଷୟକୁ ଯିଏ ନିଜର କରି ପାରିଲା ସେହି ହେଉଛି ମୋର ପ୍ରିୟ ସାହିତ୍ୟିକ ।

 

ଏଇ ଲୋକପ୍ରିୟତା ଈଶ୍ୱରଙ୍କର ଦାନ । ଏହାକୁ ଖୋଜିଲୋଡ଼ି କେହି ପାଏ ନାହିଁ । ରାଜନୀତି, ସାହିତ୍ୟ ଓ ସମାଜ ପ୍ରତ୍ୟେକ କ୍ଷେତ୍ରରେ ଭଲ ମଣିଷଟିଏ ହେଇ ରହିବା ସମସ୍ତଙ୍କର ଚେଷ୍ଟା ଭିତରେ ସମ୍ଭବ । କିନ୍ତୁ ଲୋକପ୍ରିୟ ହେବା ଈଶ୍ୱରଙ୍କର ଆଶୀର୍ବାଦ ଛଡ଼ା ସମ୍ଭବ ନୁହେଁ ।

 

ତେଣୁ ଲୋକପ୍ରିୟତା ଗଣ–ସମାଜର ସ୍ୱୀକୃତି ହେଇଥିବାରୁ ଲୋକପ୍ରିୟ ହେବା ପାଇଁ ପ୍ରତ୍ୟେକ ଈଶ୍ୱର ବିଶ୍ୱାସୀ ହୁଅନ୍ତି । ଆମର ଓଡ଼ିଆ ସାହିତ୍ୟିକଙ୍କ ଭିତରେ ଈଶ୍ୱରଙ୍କର ଦୟା କୃପା ଓ କରୁଣାକୁ ଅହରହ ପ୍ରାର୍ଥନା କରୁଥିବା ଲୋକ ଅଛନ୍ତି ।

 

ସାହିତ୍ୟିକ ଗୋପୀନାଥ ମହାନ୍ତି ଦେବୀ ଭକ୍ତ । ଚଣ୍ଡୀମନ୍ତ୍ର ସହିତ ସେ ଊଣା ବହୁତରେ ଚବିଶି ଘଣ୍ଟା ସଂପୃକ୍ତ । ସେହିପରି ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ର । ଶନିବାର, ମଙ୍ଗଳବାର ଓ ଗୁରୁବାରର ଗୁରୁତ୍ୱ କଥା ବାଦ ଦେଇ ପ୍ରତିଦିନ ଚଣ୍ଡୀଦର୍ଶନ ଓ ଦେବୀ ଦର୍ଶନରେ ଦିନଟିକୁ ଆରମ୍ଭ କରନ୍ତି । ସାହିତ୍ୟିକ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ଦେବୀ ଆଶୀର୍ବାଦରେ ଜନ୍ମ । ସାହିତ୍ୟିକ ଗୌରୀ କୁମାର ବ୍ରହ୍ମା ଦେବୀ ପୂଜାର ଜଣେ ନିଷ୍ଠାପର ଭକ୍ତ । ସାହିତ୍ୟିକ ଶ୍ରୀଯୁକ୍ତ ଶ୍ରୀଧର ମହାପାତ୍ର ପ୍ରତ୍ୟେକ ଦିନ ବେଦ ପାଠ କରନ୍ତି ଓ ଯଜ୍ଞ କରିଥାନ୍ତି ।

 

ସାହିତ୍ୟର ଅଧିଷ୍ଠାନ୍ତ୍ରୀ ଦେବୀ ହେଲେ ସରସ୍ୱତୀ । ସରସ୍ୱତୀ ଆରାଧନା ଓ ସରସ୍ୱତୀ କବଚକୁ ଆଶ୍ରୟ କରି ଅନେକ ସାହିତ୍ୟିକ ତାଙ୍କର ସାହିତ୍ୟ ସାଧନାରେ ଦେବାଦେବୀ ଆଶ୍ରିତ । ପ୍ରକୃତ କାର୍ଯ୍ୟରୁ ଦେଖା ଯାଉଛି ଯେ ଈଶ୍ୱରବିଶ୍ୱାସୀ ଓ ଦେବାଦେବୀ ଆଶ୍ରିତ ସାହିତ୍ୟିକ ଓଡ଼ିଆ ସାହିତ୍ୟରେ ବିଶେଷ ସୁବିଧା ସ୍ଥାନ ଗ୍ରହଣ କରି ପାରିଛନ୍ତି । ସେମାନଙ୍କର ସାହିତ୍ୟିକ ସାମର୍ଥ୍ୟ ଓ ସାହିତ୍ୟିକ ସ୍ୱୀକୃତି ଦେଖିଲେ ଏଥିରେ ଦ୍ୱିଧା ବା ସନ୍ଦେହ ଆସେ ନାହିଁ ।

 

ସେହିପରି ଦେବାଦେବୀଙ୍କ ସହିତ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ମଧ୍ୟ ସାହିତ୍ୟରେ ଅଧିଷ୍ଠିତ । ଶ୍ରୀଯୁକ୍ତ କାହ୍ନୁଚରଣ ମହାନ୍ତି, ଶ୍ରୀଯୁକ୍ତ ରବି ନାରାୟଣ ମହାପାତ୍ର ଓ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସିଂହ ପ୍ରମୁଖ ଓ ବାଉଁଆ ମତର ଅନେକ ଲେଖକ ଏହିସବୁ ନିମତ୍ତି ଓ ଉପାୟରେ ବିଶ୍ୱାସ ରଖି ନାହାନ୍ତି । ତଥାପି ସେମାନେ ମଧ୍ୟ ପ୍ରତିଷ୍ଠିତ ।

 

ଶ୍ରୀ ପ୍ରାଣନାଥ ପଟ୍ଟନାୟକ, ଶ୍ରୀ ଗୁରୁଚରଣ ପଟ୍ଟନାୟକ, ଶ୍ରୀ ବ୍ରଜନାଥ ରଥ ପ୍ରମୁଖ ଲେଖକମାନେ ଏମିତି ଗୋଟିଏ ଦିଗ ପ୍ରତି ସଚେତନ ନୁହନ୍ତି । ସେମାନଙ୍କର ଲେଖା ଆଉ ଇଶ୍ୱର–ଭକ୍ତ ଲେଖକମାନଙ୍କର ଲେଖାରେ ଗୋଟାଏ ପ୍ରଧାନ ପାର୍ଥକ୍ୟ ଅଛି ।

 

ଈଶ୍ୱର ଭକ୍ତ ଓ ଦେବାଶ୍ରିତ ଲେଖକମାନେ ପ୍ରାୟ ମାନ୍ଦାଦଳିଆ ଓ ଗଡ଼୍‌ଡାଳିକାର ପୂଜକ-। ଅନ୍ୟ ଶ୍ରେଣୀର ଲେଖକମାନେ ଯଥେଷ୍ଟ ସ୍ପଷ୍ଟ ଓ ନିର୍ଭୀକ । ସେମାନେ ସମଧିକ ସ୍ୱୟଂସମ୍ପୂର୍ଣ୍ଣ-

 

ତେଣୁ ଆମେ ଦେଖିପାରୁଛୁ ଯେ ସାହିତ୍ୟିକ ଯେତେବେଳେ ନିଜକୁ କେନ୍ଦ୍ର ନ କରି ନିଜକୁ ଅପର ଉନ୍ନତ ଈଶ୍ୱର ସତ୍ତାର ଗୋଟିଏ କ୍ଷୁଦ୍ର ଅଂଶ ବୋଲି ମନେ କରେ ସେତେବେଳେ ତାହାର ଲେଖନୀ ଶିଥିଳ । ତାହାର କଥା ଇତସ୍ତତ । ଏହାକୁ ବୁଝାଇଲେ ବିଶେଷ ଲାଭ ହେବ ନାହିଁ । ପାଠକମାନଙ୍କର ସମୀକ୍ଷାର କଷଟିରେ ଏହି ମତର ଅଟକଳ ନେଇ ହବ ।

 

ଆଜିର କଥା ନୁହେଁ । କାଳିଦାସଙ୍କ ସମୟରେ ମଧ୍ୟ ଏହି ଆରାଧନାର ପ୍ରଭାବ ସାହିତ୍ୟ ଉପରେ ଥିଲା । କବି କାଳିଦାସ କହିଥିଲେ ଯେ ଦେବଦ୍ୱିଜଙ୍କର ଦୟାରେ ତାଙ୍କର ଜିହ୍ୱାଗ୍ରରେ ସରସ୍ୱତୀ ବିରାଜମାନ କରନ୍ତି ।

 

ତେଣୁ ସେ ନୀତିକଥା ମଧ୍ୟ କହୁଥିଲେ । ସେ କହୁଥିଲେ ସେତୁବନ୍ଧ ସମୁଦ୍ରର ତୀର୍ଥ, ଗଙ୍ଗାସାଗର ତୀର୍ଥରେ ସ୍ନାନ କଲେ ବ୍ରହ୍ମହତ୍ୟା ପାପ ଦୂର ହୋଇପାରେ କିନ୍ତୁ ବିଶ୍ୱାସ–ଘାତକତା ଦୋଷରୁ ମିତ୍ର ଦ୍ରୋହୀର ମୁକ୍ତି ନାହିଁ–ନାହିଁ ।

 

ଚଳନ୍ତି ଯୁଗଟା ହେଉଛି ମିତ୍ରଙ୍କର ଯୁଗ–ମିତ୍ରଯୁଗ । ଗୋଳମାଳ ହେଲେ ଲାଉଡ଼ ସ୍ପିକର୍‌ ଡାକୁଛି–ସାଥିଓଁ ସାଥ୍‌ ଦୋ । ବାସ୍‌ ଆସିଗଲେ ସାଥୀ । କଥା କ’ଣ ?

 

ମାଷ୍ଟ୍ର ନମ୍ବର ଦେଲେ ନାହିଁ–ସେ ବାବୁ ମତେ ବେହେଡ଼ା କଥା କହିଲା–ଦରମା ବଢ଼ିଲା ନାହିଁ–ପରୀକ୍ଷା ଚଞ୍ଚଳ ହୋଇଗଲା ମୋର ସେଇ ଝିଅ ସାଙ୍ଗରେ ମନ ମିଶିଛି । ବାପା ଆଉ ମାମୁଁ ସେଥିରେ ବାଧା ହଉଛନ୍ତି–ସାଥିଓ ସାଥ୍‌ ଦୋ ।

 

ଏଇ ଡାକରା ସ୍ପଷ୍ଟ । ଏଥିରେ ଲୁଚାଛପା ନାହିଁ । ଅବା ଠକାଠକି ନାହିଁ । ତମେ ଦୋକାନର ମାଲିକ ହୁଅ ଅବା ତମର ପିଲାପିଲିଙ୍କର ଅଭିଭାବକ ହୁଅ, ପୁଲିସ ବା ହାକିମ ଯିଏ ହେଇଥାଅ–କଥା ଉଠିଲା । ଆସ ମୁକାବିଲା କର । ସମସ୍ୟାକୁ ସାମନାସାମନି ହୁଅ । କାନକୁହା ଚୁଗୁଲି ନାହିଁ ।

 

ଇଏ ଯଦି ସତୁରୀ ମସିହାର ଆଭିମୁଖ୍ୟ, ତାହାହେଲେ ଗୋପନ ପୀରତି ବୋଲି କଥାଟିଏ କୁଆଡ଼େ ବାହାରିବ ? ଗୋପନତା କାହିଁକି ? ଆମେ କ’ଣ ଚୋର ତସ୍କର ? ଆମ ଭିତରେ ସମାଜର ଶ୍ରେଣୀର ଅବା ଧନର ପ୍ରଭେଦ ଥାଇପାରେ । କିନ୍ତୁ ଆମେ ନୂତନ ଯୁଗର ମଣିଷ ସେହି ମଣିଷ ମନର ଗଢ଼ା ଓ କୁସଂସ୍କାରରେ ଗଢ଼ା ପ୍ରତିବନ୍ଧକକୁ ଆମେ ଖାତିରି କରିବୁ ନାହିଁ । ଚାହିଁଲେ ବଳପ୍ରୟୋଗ କରିବୁ । ତା’କୁ ତମେ ଦଳ କହ–ବଳ କହ–ଜୁଲୁମ କହ । ଯାହା ଇଚ୍ଛା ତାହା କହିପାର ।

 

କେଉଁଦିନ କିଏ କାହାର କ’ଣ ଉପକାର କରିଥିଲା ସେଇକଥାକୁ କୃତଜ୍ଞତାର ଡୋରିରେ ବାନ୍ଧି ବରଦେବା ଉପଲକ୍ଷ୍ୟରେ ରାମଚନ୍ଦ୍ରଙ୍କୁ ବଣକୁ ପଠାଇ ଭରତଙ୍କୁ ରାଜଗାଦି ଦେଲା ପରି କ’ଣ ଆଜି ସତୁରୀ ପଚସ୍ତରୀ ମସିହାରେ କିଏ ଆଶା ରଖୁଛି ଯେ କେଉଁ ଦିନ କ’ଣ ସୁବିଧା ଅସୁବିଧାରେ ଉପକାରର ପ୍ରତି ଉପକାର ?

 

ନା–ନା । ଏଇ ମିତ୍ର ଯୁଗରେ ମିତ୍ରକୁ ବିରୋଧ କରି ଖତରା କରିଦେବା ଯେମିତି ଠିକ୍‌ ପୁଣି ସେମିତି ସେହି ମିତ୍ର ପାଇଁ ନିଜକୁ ଖତ କରି ଫୋପାଡ଼ି ଦବା ସେମିତି ଠିକ୍‌ । ପୁରୁଣା କଥାରେ ତମେ ମାଦକତା ପାଉଥିଲ–ସତ ପାଳିବ । ଆଜି ଯଦି ପଚରାଯାଏ ତାହାହେଲେ ଉପଯୁକ୍ତ ଉତ୍ତର ହେବ ଯେ ସତଟା କ’ଣ ପାଳିବା ପାଇଁ ହୋଇଛି ?

 

ଆସ ସଖା ଆସ । ଇଚ୍ଛା ଯଦି ହେଉଛି ପୁଳାଏ ସତ୍ୟ କରି ପକାଅ । ପୁଞ୍ଜାଏ ବର ଯାଚିଦିଅ । ଆଉ ଦଶ ପଚିଶବର୍ଷ ପରେ ସେହି ସତ୍ୟକୁ ଆଉ ଯାଚିଥିବା ବରକୁ ଚକ୍ରବୃଦ୍ଧି ହାରରେ ହିସାବ କରି ପରିଶୋଧ କର ।

 

ସେଇକଥା ଖାତକ କରୁଛି । ମହାଜନ ପାଖରେ ଚୁକ୍ତିକରି ଚଢ଼ା ସୁଧ ହାରରେ ଅଳ୍ପ ଟଙ୍କା ନେଇଥିଲା । ଶୁଝିବାରେ ଲାଗିଛି ଯୁଗେ, ଦି’ଯୁଗ–ତଥାପି ମୂଳ ଶୁଝଟ ହେଇ ନାହିଁ । ତମେ ଆଇନ କରି ଦଉଛ ଯେ ସେ ଆଉ ଶୁଝିବ ନାହିଁ । ସେ ତାହାର ଅଙ୍ଗୀକାରକୁ ମାନିବ ନାହିଁ । ସେ ସଫା ମନା କରିଦବ ।

 

ଦେଶ ଓ ଜାତି ହିସାବରେ ତମେ ସାଫ୍‌ ସାଫ୍‌ କହିଦେଇପାର–ହେ, ମହାଜନର ଦେଶ-। ଆମେ ଟଙ୍କା ଆଣିଥିଲୁ ସତ । ଗରିବ ହେଇଗଲୁ । ଆଉ ସେ ଟଙ୍କାକୁ ଶୁଝିବୁ ନାହିଁ-। ତମର ଧାର କରଜ ଉଡ଼ିଗଲା ।

 

ଏହିପରି କଥାରେ ଯଦି ଆମେ ନିଜକୁ ସାବାସ ଦେଉ ତାହାହେଲେ ଏଣେ ନୂଆ ଲେଖକ ଆସି ସାଥୀ ସହଚରଙ୍କର ସମଭିବ୍ୟହାରରେ ଜଲୁମବାଜି କଲେ କ’ଣ ଆମେ କହିବା–ଏଇଟା ଭୁଲ ? ଏଇ ନୀତିର ଖିଲାପ ହେଲା ?

 

ପାଠକମାନେ ଆଜି ଯଦି ବୁଲି ବୁଲି ପଚାଶ ଷାଠିଏ ସତୁରୀବର୍ଷ ବୟସର ଓଡ଼ିଆ ଲେଖକମାନଙ୍କୁ ଏଇ ପ୍ରଶ୍ନ ପଚାରନ୍ତି ତେବେ କି ଉତ୍ତର ପାଇବେ ?

 

ନିଶ୍ଚିତ ଭାବରେ ଉତ୍ତର ପାଇବେ–ଭାଇମାନେ, ପିଲାମାନେ ! ଅଧିକାରର ଦାବୀ ଜାହିରି କରିବାକୁ ବଳତ୍କାର କର ନାହିଁ । ଅହିଂସ ଯୁକ୍ତିସମ୍ମତ ଉପାୟରେ ନିଜର ଦାବୀ ହାସଲ କର-

 

କାହିଁ କେଉଁ ଲେଖକ ମହାଜନୀ ଆଇନର ଅନ୍ୟାୟ ବିଷୟରେ ଅବା ସରକାରୀ କର୍ମଚାରୀଙ୍କର ପକ୍ଷପାତିତା ବିଷୟରେ ଦି’ପୃଷ୍ଠା ଲେଖିଲା ନାହିଁ । ସେମାନେ ସମସ୍ତେ ସ୍ୱେଚ୍ଛାଚାରୀ-। ତେଣୁ ସ୍ୱେଚ୍ଛାଚାରିତା ସପକ୍ଷରେ କଲମ ଚଳାଇ ଫୁଲ ଫାଲି ଆନନ୍ଦରେ ଅଛନ୍ତି । ମରିବା ପୂର୍ବରୁ ସେମାନଙ୍କ ମନରେ ଥରେ ହେଲେ ଭୟ ଓ ଆଶଙ୍କାର ବଜ୍ରବିଦ୍ୟୁତ ଖେଳାଇ ଦିଅ-

 

କଲମର ସୃଷ୍ଟି ଅନ୍ୟାୟ ବିରୁଦ୍ଧରେ ଚାଲିବା ପାଇଁ । କଲମ ଖାଲି ନକଲ କରି ପୁରୁଣାକୁ ତାରିଫ୍‌ କରିବା ପାଇଁ ଗଢ଼ା ହେଇ ନାହିଁ । କଲମର ଶକ୍ତି ପରଖ ହୁଏ ସ୍ଥାଣୁ ଅବସ୍ଥା ବିରୁଦ୍ଧରେ ଲେଖିଲା ବେଳେ । କଲମ ଯଦି ତାହାର ଉପଯୁକ୍ତ କାମରେ ଲାଗି ନ ପାରିଲା ତାହାହେଲେ ଦେ କଲମକୁ ଆଶୀର୍ବାଦ କରି ଲାଭ କ’ଣ ?

 

କଲମ ହେଉଛି ଦରିଦ୍ର ଅସମର୍ଥର ତରବାରୀ । ତରବାରୀ ଦେଖିଲେ ଯଦି ତମର ହାତ ଥରୁଛି ତାହାହେଲେ ପାଞ୍ଚଟଙ୍କିଆ ଝର କଲମରେ କାମ ଚଳାଅ । ପ୍ରଚଳିତ ସଂସ୍ଥାକୁ ଭାଙ୍ଗିଦିଅ ।

 

ଏଇ ସଂସ୍ଥାର ଫୁଲଗୁଡ଼ିକ ହେଲେ ନା–ମରଦା ମଲାଙ୍ଗ ଗୁଡ଼ିକ । ସେମାନଙ୍କର ବିଷୟରେ ସଚେତନ ହୋଇ ସେମାନଙ୍କୁ ବସବାସ ଦେଇ ଦିଅ ସାହିତ୍ୟ ରାଜ୍ୟରୁ । ସେତକ ନ କରି ସେମାନେ ଭଲ–ବିଚରାଟି ଭାରି ଭଲ–କହିବାର ଅର୍ଥ ନାହିଁ ।

 

ସମାଜ ବଦଳିଛି । ସମାଜର ମୂଲ୍ୟବୋଧ ବଦଳିଛି । ତେଣୁ ଆମେ ମାଇଲ, ସେର, ପାଆ ସବୁ ଛାଡ଼ି ଦେଇ ନୂଆ ମାପ ଓଜନ ଧରିଛୁ । ମଣିଷର ବଡ଼ପଣିଆ ଆଉ ମହତପଣିଆର ନୁଆ ମେଟ୍ରିକ୍‌ ପଦ୍ଧତିର ମାପ ବାହାର କରିଛୁ । ସେଥିରେ ପୁରୁଣା ସେର, ବିଶା, ଦଣ୍ଡୀ ଗଜ ଓ ଫୁଟ ସମସ୍ତେ ଚାଲିଗଲେ । ଆଉ ତମେ ପୁରୁଣାଗୁଡ଼ାକ ନୂଆ ମାପରେ ଓଜନ ହେଇ ନ ପାରିଲେ ରହିବ କାହିଁକି ?

 

ଏଥିରେ ଅଡ଼ୁଆ ହେଉଛି ଯେ ତରୁଣ ସାହିତ୍ୟକକୁ ହରଦରରେ ବିପ୍ଳବୀ ବୋଲି ଠଉରାଇବା ଭୁଲ୍‌ । ସେଥିରେ ଅସଂଖ୍ୟ ବାଦୁଡ଼ି ଅଛନ୍ତି । ସେମାନେ ବୁଢ଼ାଙ୍କୁ ଯାଇ ଘରେ କହୁଛନ୍ତି–ଇଏ କି କଥା ହେଲା ଯେ ତରୁଣମାନେ କିଛି ନ ଜାଣି ନିଜକୁ ସବ୍‌ଜାନ୍‌ତା କରୁଛନ୍ତି । ଏତେ ପିଲାଙ୍କୁ ଯାଇ ବଖାଣୁଛନ୍ତି–ମାର ଏହି ଜରଦ୍‌ଗବଙ୍କୁ ।

 

ଫଳରେ କିଛି ବାଦୁଡ଼ୀ ନୁହେଁ ଆଧୁନିକ–ନୁହେଁ ବିପ୍ଲବୀ–ନୁହେଁ ସ୍ଥିତାବସ୍ଥାର ଭକ୍ତି–କିଛି ନ ହୋଇ ସୁବିଧାବାଦୀ ଭୂମିକାରେ ରହି ନିଜକୁ ପ୍ରକାଶ କରାଇବାରେ ଲାଗିଛନ୍ତି । ପ୍ରତ୍ୟେକ ସଂଘର୍ଷ ଗୁଡ଼ାଏ ନିମକହାରାମ, ବିଶ୍ୱାସହାରାମ ଗଢ଼ି ସମାଜ ଭିତରକୁ ଛାଡ଼ିଦିଏ । ସୁବିଧାବାଦ ଆଜିର କଥା ନୁହେଁ । ଲକ୍ଷ ଲକ୍ଷ ବର୍ଷ ହେଲା ମଣିଷର ସମାଜର ଅଭିବୃଦ୍ଧି ସାଙ୍ଗରେ ଯୋଡ଼ା ହୋଇ ରହିଛି ।

 

ସାହିତ୍ୟିକର ପୃଷ୍ଠଭୂମି ଓ ଜୀବନୀର ସାରାଂଶ ଅନୁଧ୍ୟାନ କଲେ ଆମେ ଦେଖିପାରିବା ଯେ ସୁବିଧାବାଦୀ ଭୂମିକାରେ ଥିବା ଲୋକେ ସାହିତ୍ୟର ଫୁଲଫଳ ଆଦାୟ କରି ନେଇଛନ୍ତି । ଏଇଟା ଗୋଟାଏ ପ୍ରକାରର ରାଜନୀତି ବା କୁଟନୀତିର ପଶାପାଲି ।

 

ପଦ୍ମଭୂଷଣ କାଳିନ୍ଦୀଚରଣ ସଇଁତିରିଶି ମସିହା ବେଳୁ ଜଣେ ବାଉଁଆ ମତର ଲୋକ ବୋଲି ଲୋକମୁଖରେ ଚାଲିଛି । ଗଲା ଛତିଶିବର୍ଷ ଭିତରେ ସେ ବାଉଁଆ ମତର ଲୋକଙ୍କର ସଂଖ୍ୟା ପାଇଥାଇ ପାରନ୍ତି କିନ୍ତୁ ବାଉଁଆ ମତ ପ୍ରକାଶ କଲେ କେତେବେଳେ–ଏତକ ବୁଝିହୁଏ ନାହିଁ ।

 

ହୁଏ ତ କାଳିନ୍ଦୀ ରଚନାଚୟ (ନିଉଷ୍ଟୁଡ଼େଣ୍ଟସ୍‌ ଷ୍ଟୋର ଦୋକାନର) ଦେଖିଲେ କେହି ପାଠକ ଏଥିରୁ ଉଗ୍ର ସଂସ୍କାର ମନୋଭାବ ପାଇପାରନ୍ତି । କିନ୍ତୁ ଆମେ ଦେଖି ପାରୁଛୁ ଯେ ଗଲା ପଇଁତିରିଶି ବର୍ଷରେ ସେ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କର ଓଡ଼ିଆ ସାହିତ୍ୟ ପ୍ରଚାର ସଂଘରୁ ଆରମ୍ଭ କରି ଡକ୍ଟର ହରେକୃଷ୍ଣ ମହତାବଙ୍କର ପ୍ରଜାତନ୍ତ୍ର ପ୍ରଚାର ସମିତି ଓ ଶ୍ରୀ ବିଶ୍ୱନାଥ ଦାସଙ୍କର ଗୋପବନ୍ଧୁ ସାହିତ୍ୟ ମନ୍ଦିର ଇତ୍ୟାଦି ବିଭିନ୍ନ ବାମ–ପନ୍ଥୀ ଅନୁଷ୍ଠାନର ଜଣେ ସୁଯୋଗ୍ୟ ସଭ୍ୟ ।

 

ସେ ଏପରି ଜଣେ ପ୍ରହେଳିକା ଯେ ଦକ୍ଷିଣପନ୍ଥୀ, ବାମପନ୍ଥୀ, ରାଜପନ୍ଥୀ, ଚରମପନ୍ଥୀ ଆଓ ବିପ୍ଳବପନ୍ଥୀ ସମସ୍ତେ ତାଙ୍କୁ ସମାନ ଭାବରେ ଦେଖି ପାରନ୍ତି । ସାହିତ୍ୟିକ ଏପରି ଜଣେ ପ୍ରହେଳିକା ପର୍ଯ୍ୟାୟର ଜୀବନଖେଳ ଦେଖାଇଲେ ଆମେ କ’ଣ ତାକୁ ସାହିତ୍ୟିକ କହିବା ନା କହିବା ଜଣେ ପେଷାଦାର କଲମ–ପେଷା ?

 

କିନ୍ତୁ ଓଡ଼ିଆ ସାହିତ୍ୟର ସାହିତ୍ୟିକ ବିଭାଗରେ ସେ ସର୍ବୋଚ୍ଚ ସ୍ଥାନରେ ରହିପାରନ୍ତି ନିଜର ସ୍ୱକୀୟ ଗୁଣରେ । ଏଇ ଗୁଣକୁ କ’ଣ ବୁଝାଯିବ–ସାହିତ୍ୟ ?

 

ଏହି ମନ୍ତବ୍ୟରୁ ବଚଝାଯିବା ଉଚିତ୍‌ ନୁହେଁ ଯେ କାଳିନ୍ଦୀବାବୁ ଜଣେ ଗୌଣ୍ୟ ସାହିତ୍ୟିକ-। ମୋଟେ ନୁହେଁ । କାରଣ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ଆରମ୍ଭରେ ଯେତେବେଳେ ଓଡ଼ିଆ ସାହିତ୍ୟ ନିଖିଳ ଭାରତୀୟ ମର୍ଯ୍ୟାଦା ପାଇ ନ ଥିଲା ସେତେବେଳେ କାଳିନ୍ଦୀବାବୁ ତାଙ୍କର ବିଶେଷ ବିଚକ୍ଷଣତାରେ ଓଡ଼ିଆ ସାହିତ୍ୟର ପ୍ରତିନିଧିତ୍ୱ କରି ଓଡ଼ିଆକୁ ସମ୍ମାନାସ୍ପଦ ସ୍ଥାନ ଦିଆଇଥିଲେ-

 

ସେ ଥିଲେ ଏକାଧାରାରେ ପ୍ରାବନ୍ଧିକ, ଗାଳ୍ପିକ, ଉପନ୍ୟାସ ରଚୟିତା ଓ କବି । ଏତେଗୁଡ଼ିଏ ବିଭାଗରେ ଲେଖିବାରେ ପାରଦର୍ଶିତା ଗତ ଚାଳିଶିବର୍ଷରେ କେହି ଆୟତ୍ତ କରିପାରି ନାହାନ୍ତି । ଏହାଛଡ଼ା ବିବିଧ ଶ୍ରେଣୀର ବିରୋଧ ସତ୍ତ୍ୱେ କାଳିନ୍ଦୀବାବୁ ସମସ୍ତଙ୍କର ଏକାନ୍ତ ନ ହେଲେ ମଧ୍ୟ ଚଳନୀୟ ଆତ୍ମୀୟ ହୋଇ ରହିପାରିଛନ୍ତି ।

 

ଏହି ବିଷୟରେ ପରୀକ୍ଷା ହୋଇଥିଲା ଓଡ଼ିଶା ସାହିତ୍ୟ ଏକାଡେମିର ଅଣସ୍ତରୀ ମସିହାର ସିନେଟ୍‌ ଭୋଟ ବେଳେ । ପଦ୍ମଶ୍ରୀ ସଚ୍ଚି ରାଉତରାୟ ଓ ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ ମୋଟ କୋଡ଼ିଏ ବାଇଶି ଭୋଟରଙ୍କର ସମର୍ଥନ ଖୋଜିଥିଲେ । ସେଥିରେ ଦେଖା ଯାଇଥିଲା ଯେ ବିପୁଳ ସମର୍ଥନ କାଳିନ୍ଦୀବାବୁଙ୍କ ସପକ୍ଷରେ ରହୁଛି । ଯେକୌଣସି ସାହିତ୍ୟ ସଂସ୍ଥାକୁ ଆଧାର କଲେ ଦେଖା ଯାଇଥାଏ କାଳିନ୍ଦୀବାବୁ ଜଣେ ପ୍ରିୟ ବ୍ୟକ୍ତି ।

 

ଏହି ଲୋକପ୍ରିୟତାର ପୁଞ୍ଜି କାଳିନ୍ଦୀବାବୁଙ୍କୁ ଓଡ଼ିଆ ସାହିତ୍ୟରେ ଦୀର୍ଘ ଚାଳିଶିବର୍ଷ ହେଲା ବଞ୍ଚେଇ ରଖିଛି । ତାଙ୍କୁ ପରୋକ୍ଷରେ ଯିଏ ଯାହା କହୁନା କାହିଁକି ପ୍ରତ୍ୟକ୍ଷରେ ତାଙ୍କୁ କେହି ଦୃଢ଼ ପ୍ରତିବାଦ କରନ୍ତି ନାହିଁ କିମ୍ବା ତାଙ୍କୁ ଅପଦସ୍ଥ କରନ୍ତି ନାହିଁ ।

 

ଉତ୍କଳ ସାହିତ୍ୟ ସମାଜର ଗୋଟିଏ ସଭାରେ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଯୁକ୍ତି ଛଳରେ କାଳିନ୍ଦୀବାବୁଙ୍କୁ ସାମାନ୍ୟ ଅପଦସ୍ଥ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦେଖା ଯାଇଥିଲା ଯେ କାଳିନ୍ଦୀ ବାବୁଙ୍କୁ ଯୁକ୍ତିରେ ଅପଦସ୍ଥ କରିବା କଷ୍ଟକର । ବରଂ ଗୋପୀନାଥ ବାବୁଙ୍କର କଥା ପ୍ରମାଦପୂର୍ଣ୍ଣ ଜଣାଗଲା ।

 

ଏହି ବିଶେଷତ୍ୱ ବଳରେ ନିଜର ଉପସ୍ଥିତ ବୁଦ୍ଧି ଓ ଜ୍ଞାନର ପରିସର ପାଇଁ କାଳିନ୍ଦୀବାବୁ ଓଡ଼ିଆ ସାହିତ୍ୟରେ ବାମରୁ ଡ଼ାହାଣ ଯାଏ ସବୁ ସ୍ତରରେ ନିଜକୁ ସମର୍ଥନଯୋଗ୍ୟ କରିପାରିଛନ୍ତି ।

 

କିନ୍ତୁ ବିଦ୍ୟା ଓ ଜ୍ଞାନରେ ସେ ଡକ୍ଟର ମାୟାଧର ମାନସିଂହଙ୍କର ସମକକ୍ଷ ନୁହନ୍ତି । ଓଡ଼ିଆ ସାହିତ୍ୟର ପ୍ରତିନିଧିତ୍ୱ ପାଇଁ ଯେତେବେଳେ ଚେଷ୍ଟା ହୋଇଛି ପ୍ରତ୍ୟେକ ଥର କାଳିନ୍ଦୀବାବୁ ମାୟାଧରବାବୁଙ୍କୁ ପଛକୁ ପକାଇ ଦେଇଛନ୍ତି । ତେଣୁ ସାହିତ୍ୟ ଯେ ଖାଲି ଜ୍ଞାନ ଓ ଜ୍ଞାନୀଙ୍କର ସମଜାଦାରୀ ବା ଗ୍ରାହକତା ନୁହେଁ–ଏକଥା ଅତି ସ୍ବଷ୍ଟ ଭାବରେ ଆମେ ଓଡ଼ିଶାରେ ପ୍ରମାଣ କରିଛୁ ।

 

ଆଉ ମଧ୍ୟ ଦେଖାଇ ଦେଉଛୁ ଯେ ସ୍ପଷ୍ଟବାଦିତା ଓଡ଼ିଆ ସାହିତ୍ୟିକଙ୍କର ଆକର୍ଷଣୀୟ ଗୁଣ ନୁହେଁ ଏହି ଓଡ଼ିଶା ପରିବେଶରେ ଛଳ ଓ କୌଶଳ ଯଥେଷ୍ଟ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ । ତେଣୁ ଏଠି ଅପେକ୍ଷାକୃତ ଅଧିକ ଗୋଷ୍ଠିଗଠନ ବହୁତ ଦିନରୁ ଚଳି ଆସିଛି ।

 

ଗୋଷ୍ଠି ବା ଦଳର ମୂଳମନ୍ତ୍ର ହେଲା–ସାଥିଓଁ ସାଥ୍‌ ଦୋ । କାଳିନ୍ଦୀବାବୁ ଏହି ମତବାଦର ଜଣେ ସୁବିଧାଭୋଗୀ ମନିଷୀ । ବିଶେଷ ପ୍ରତିଭାର ଅଧିକାରୀ ହୋଇଥିଲେ କାଳିନ୍ଦୀବାବୁ ନିଶ୍ଚିତ ଭାବରେ ଓଡ଼ିଆ ସାହିତ୍ୟରେ ଅମର ଶିଳ୍ପୀ ହୋଇ ପାରିଥାନ୍ତେ । ନ ହେଇ ପାରିବାର କାରଣ ହେଲା ଯେ ସେ ସାଧନାକୁ ମୁଖ୍ୟସ୍ଥାନ ନ ଦେଇ ତଦ୍‌ବିରକୁ ମୁଖ୍ୟସ୍ଥାନ ଦେବା ପରି ଜଣାପଡ଼ନ୍ତି ।

 

କଳିନ୍ଦୀବାବୁଙ୍କର ଗତ ଅର୍ଦ୍ଧଶତାବ୍ଦୀର ସାହିତ୍ୟ ସୃଷ୍ଟିର ମୂଲ୍ୟାୟନ କଲେ ଦେଖାଯାଏ ସେ ଜଣେ କୌଶଳୀ ପ୍ରଚାରଧର୍ମୀ ସାହିତ୍ୟିକ । ସୃଷ୍ଟିଶୀଳ ସାହିତ୍ୟିକ ଭୂମିକାରେ ସେ ସେତେ ସର୍ବଜନ ସମ୍ମତ ସ୍ଥାନ ପାଇବାରେ ହକ୍‌ଦାର ହେଇ ପାରିବେ ନାହିଁ । ତଥାପି ତାଙ୍କ ସମୟର ସାହିତ୍ୟିକଙ୍କ ଭିତରେ ସେ ଜଣେ ବିଶେଷ ସଂଗଠକ ଏଥିରେ ସନ୍ଦେହ ନାହିଁ ।

 

କାଳିନ୍ଦୀ ବାବୁଙ୍କର ଯେମିତି ମତ ଅସ୍ପଷ୍ଟ ଠିକ୍‌ ତାହାର ଓଲଟା ହେଲେ ଡକ୍ଟର ମାନସିଂହ । ପ୍ରତ୍ୟେକ ବିଷୟରେ ସେ ଅତି ସ୍ପଷ୍ଟ ମତ ଦିଅନ୍ତି । ଓଡ଼ିଆ ସାହିତ୍ୟିକଙ୍କ ଭିତରେ ଗତ ପଚାଶବର୍ଷରେ ମାୟାଧରବାବୁ ଯେତେ ଉତ୍କଟ ସତ କହି–ସତ୍‌ କହିଲେ ଛାତି ଫାଟେ ପ୍ରମାଣ କରି ଦେଇଛନ୍ତି ଆଉ ପାଞ୍ଚ ପଚିଶଜଣ ଏକାଠି ହେଲେ ତାହାର ଅଧା କି ଚଉଠ ଦେଇ ପାରିବେ ନାହିଁ । କିନ୍ତୁ ମାନସିଂହଙ୍କୁ ସମକାଳୀନ ସମାଜ ବିରୋଧ କରିଛି । ଅନଗ୍ରସର ସୁଧୀ ସମାଜରେ ସେ ସ୍ପଷ୍ଟବାଦିତାକୁ ସାହିତ୍ୟିକର ମାନଦଣ୍ଡ ବୋଲି ପ୍ରମାଣ କରିବାକୁ ଯାଇ ଭୁଲ୍‌ କଲେ । ତେଣୁ ଡକ୍ଟର ମାନସିଂହଙ୍କ ବିରୁଦ୍ଧରେ ସବୁବେଳେ ଗୋଟାଏ ବିରୋଧର ଝଙ୍କାର ରହିଗଲା ।

 

ଅସମର୍ଥ ଲୋକର ମନରେ ଅଭିମାନ ସବୁବେଳେ ବେଶି । ଛଳ ମଧ୍ୟ ବେଶି । ଉଦାରତା ଅତି କମ୍‌ । କ୍ଷମା ଦେବାର ଶକ୍ତି ନାହିଁ କହିଲେ ଚଳେ । ସେ ମୋଫତ୍‌ରେ ସବୁକଥା ଖୋଜେ । ନ ପାଇଲେ ଚିରଶନ୍ତ୍ରୁ ହୋଇ ରହିଯାଏ ।

 

କାଳିନ୍ଦୀ ଓ ମାୟାଧର ଯୁଗରେ ଓଡ଼ିଆ ସାହିତ୍ୟ ଏହି ପ୍ରତିଭା ଓ ସାଧନାର ଅଭାବରୁ ଅନ୍ୟର ମର୍ଜି ଉପରେ ବଞ୍ଚି ରହିବାକୁ ଚେଷ୍ଟା କରିଥିଲା । ତେଣୁ କଲେଜ ଡିଗ୍ରି ଅବା ସରକାରୀ ଚାକିରିର ଆଢ଼ୁଆଳରେ ସାହିତ୍ୟକୁ ରଖି ଚଳାଇବାକୁ ହେଇଥିଲା । ସେଇଟା ଥିଲା ଭୟ ଓ ସଂକୋଚର ସାହିତ୍ୟ ।

 

ମୁଁ ଏମିତି ଲେଖିଲେ ଲୋକେ କ’ଣ କହିବେ ? ମୋର ଝିଅ ଝିଆରୀ ଶାଶୁ ଦେଢ଼ଶାଶୁ କ’ଣ କହିବେ ? –ଇଏତ ସାର୍ବଜନୀନ ସାହିତ୍ୟିକର ଆଭିମୁଖ୍ୟ ନୁହେଁ । ଏଇ ଇତସ୍ତତ ଆଭିମୁଖ୍ୟକୁ ସମ୍ବଳ କରି ଯାହାତାହି ଲେଖା ହୋଇଯାଇଛି । ଖାଲି ସାହିତ୍ୟ ସୃଷ୍ଟି କ୍ରମ ରଖାଯାଇଛି–ଏତିକି ।

 

ଆଜିର ପାଠକ ପୁରୁଣା ଲେଖକଙ୍କର ବହିଖଣ୍ଡେ ପଢ଼ିଲେ ଆସି ପଚାରେ–କହନି ବାବୁ-। ଯିଏ ସ୍ତ୍ରୀକୁ ଦେବୀ ବୋଲି ମୁଣ୍ଡିଆ ମାରେ ଆଉ ସ୍ତ୍ରୀଙ୍କର ନାମ ଶୁଣିଲେ ଭିତରେ କମ୍ପିଯାଏ ସେ ପୁଣି ଲେଖିବସେ ଉପନ୍ୟାସ । ଏକଥା ଶୁଣିଛ ?

 

ଶୁଣିବ କ’ଣ ଦେଖି ପାରିବ–ଆମର ଏହି ଓଡ଼ିଆ ସାହିତ୍ୟରେ । ଗଲା ପଚାଶ ବର୍ଷର ଉପନ୍ୟାସ ନିଅ । ତାକୁ ଭଲକରି ତନଖି କର । ଦେଖିପାରିବ ଯେ ଏଥିରେ କିଛି ନାହିଁ । ବିଚରା ଉପନ୍ୟାସ ଲେଖକ ଗୋଟାଏ ସତୀ ସାଧ୍ୱୀ କୁଳବଧୂ ଗଢ଼ିପାରି ନାହିଁ କିମ୍ବା ସ୍ୱାଧୀନ ମନା ଉଦାର ନାରୀଟିଏ ଗଢ଼ିପାରି ନାହିଁ ।

 

ଲେଖକ ମହାଶୟ ନିଜକୁ ଆଦର୍ଶ ସ୍ୱାମୀ କରିପାରି ନାହାନ୍ତି । କର୍ତ୍ତବ୍ୟର ଓ ସଂସ୍କାରର ଚାପରେ ସେ ଜଣେ ଖାଉନ୍ଦ । କିନ୍ତୁ ମନଟା ଥାଏ ଆଉ କେଉଁଠି କିଛି ଖୋଜିବାରେ । ଲେଖିଲା ବେଳକୁ ଦୁଇ ପ୍ରକାରର ରଙ୍ଗ ଲେଖାକୁ ଓହ୍ଳାଇ ଆସେ । ଲେଖା ଭିତରେ ନାରୀ ତାହାର ସ୍ୱାଭାବିକତା ହରାଇ କେଉଁଠି ଗୋଟାଏ ଛୋଟକାଟିଆ ଦେବୀ ନ ହେଲେ ବିକଟାଳ ଦାନବୀ ହୋଇଯାଏ । ଉପନ୍ୟାସର ନାୟିକାକୁ ନିଜର ନାୟିକା କରିବାକୁ ଇଚ୍ଛା ଅବା କାହିଁକି ଆସିବ ?

 

ସେଥିପାଇଁ ଗତ ଅର୍ଦ୍ଧ ଶତାବ୍ଦୀର ପ୍ରେମ–ଆଧାରିତ ଉପନ୍ୟାସର ମାଳାରେ ପ୍ରେମ ନାହିଁ । ଲେଖକକୁ ପ୍ରେମର ସଂଜ୍ଞା ଯେତିକି ଜଣାଅଛି ତହିଁରୁ ଅଧିକ ଜାଣିଛି ପୋଷା ପାରା, ପୋଷା କୁକୁର ଆଉ ଇତର ପ୍ରାଣୀ । ଇଏ ହେଲା ଗୋଟିଏ ଆଶ୍ଚର୍ଯ୍ୟ ।

 

ପୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ଯେ ଏହିପରି–ନୁହେଁ ଅନ୍ଧାର ତ ନୁହେଁ ଆଲୁଅ–ଯୁଗରେ ବିଶିଷ୍ଟ ସଂପାଦିକା ଶ୍ରୀମତି ବୀଣା ମହାପାତ୍ର ଓ ଶ୍ରୀମତୀ ନିରୂପମା ଷଡ଼ଙ୍ଗୀ ସ୍ପଷ୍ଟ ଭାଷାରେ ଗଳ୍ପ ଓ ଉପନ୍ୟାସ ରଚନା କରିବାକୁ ଇତସ୍ତତ ହୋଇ ନାହାନ୍ତି । ସେମାନଙ୍କର କଲମର ଆସ୍ପର୍ଦ୍ଧା ପାଖରେ ବହୁ ପୁସ୍ତକର ପ୍ରଣେତାମାନେ ନିଷ୍ପ୍ରଭ ।

 

ଏଥିରେ ପ୍ରଶ୍ନ ଆସେ ଯେ ଅତ୍ୟନ୍ତ ରୁଦ୍ଧିମନ୍ତ ସଂସ୍କୃତିର ଭାଗୀଦାର ପରିବାରର ଝିଅ ଓ ବୋହୂମାନେ ଷାଠିଏ ମସିହା ସେ ପାଖରେ ଏହିପରି ମୁକ୍ତ ଓ ସ୍ୱାଧୀନ ଧାରାର ଉତ୍ସ ବୁହାଇ ପାରିଲେ କେମିତି ?

 

ଏହାର ଉତ୍ତର ହେଉଛି–ରାଜନୀତି । ଏହି ରାଜନୀତିର ଧାରା ବୟାଳିଶିରୁ ଆରମ୍ଭ ହୋଇ ପ୍ରତ୍ୟେକ ନାଗରିକକୁ ଭୟ ସଂକୋଚ ଓ କୁସଂସ୍କାର ଛାଡ଼ି–ମୁଁ ଯାହା ମତେ ଦେଖିବ ସେଇଆ ଏହି ରୂପ ଦେଖାଇବାକୁ ପ୍ରେରଣା ଦେଲା । ସେହି ପୁରୁଣା ଯୁଗର ସାତ ପ୍ରସ୍ତ ଢାଙ୍କୁଣୀ ତଳେ ସାଧବ ବୋହୂ ବସିଛି–ଏହିପରି କଥାଟି ଅତ୍ୟନ୍ତ ହାସ୍ୟାସ୍ପଦ ମନେ ହେଲା ।

 

ଆଜି ଓଡ଼ିଆ ଆଧୁନିକାନାରୀ କହିଲେ ସେହି ଲାଜ ସରସର ନାଲି ଟହଟହ ନାହୁଲୀ ଝିଅକୁ ବୁଝାଇବା କଷ୍ଟ । ଏବେ ବାସ୍ତରୀ ମସିହା କଟକ ସହର ଭୋଟ୍‍ ବେଳେ ଯେତେବେଳେ ନାରୀ ପ୍ରାର୍ଥୀଙ୍କର ଚରିତ୍ର ଉପରେ ଆକ୍ଷେପମୂଳକ ପ୍ରଚାର ଚାଲିଲା ସେତେବେଳେ ବିଭିନ୍ନ ଅଞ୍ଚଳରେ ଯୁବତୀମାନେ ଆଲୋଚନାରେ ଲାଗିଗଲେ–ଦେଖ ମ’ । ଚରିତ୍ର ଉପରେ କାଳି ବୋଳି ଏମାନେ କେମିତି ପ୍ରଚାର କରୁଛନ୍ତି । ଚରିତ୍ର କାହାର ଅବା ଭଲ ? ଚରିତ୍ରକୁ ନେଇ ସେ କ’ଣ କେବେ ବଡ଼େଇ କରୁଥିଲା ?

 

ଇଏ ହେଉଛି ସ୍ୱାଧୀନତାର ଆଙ୍ଗିକ । ସ୍ୱାଧୀନତାର ଆଗ୍ରହ ଥରେ ଆରମ୍ଭ ହେଲେ ସେଇଟା ସମସ୍ତ ପ୍ରକାରର ପରାଧୀନତା ବିରୁଦ୍ଧରେ ବିଦ୍ରୋହ କରେ । ନାରୀ ପ୍ରାର୍ଥୀଙ୍କର ଚରିତ୍ର ଉପରେ କାଦୁଅ ଫୋପଡ଼ାର ପ୍ରତିବାଦ ଯୁବତୀମାନେ ପ୍ରକାଶ୍ୟରେ ତାଙ୍କର ଗୁରୁଜନଙ୍କ ଆଗରେ କରିପାରିଲେ ।

 

ଏହିସବୁ ଚିନ୍ତାର ସ୍ରୋତକୁ ଗାଳ୍ପିକ ଧରିବା କଥା । ଏହି ଚିନ୍ତାର ଆଭିମୁଖ୍ୟକୁ ସମାଜର ସମକାଳୀନ ଆଭିମୁଖ୍ୟ ବୋଲି ଗ୍ରହଣ କରାଯିବା କଥା । ଗାଳ୍ପିକ ବା ଉପନ୍ୟାସ ଲେଖକ ସମାଜର ଜଣେ ବେସରକାରୀ ପୁଲିସ ନୁହେଁ ଅବା ପାଠଶାଳାର ଗୁରୁଜୀ ନୁହେଁ । ସେ କଥାକୁ ଲୁଚାଇ ଦେଇ ସବୁ ଭଲ–ସବୁ ସୁନ୍ଦର–ବୋଲି କହି ବୁଲିବ ।

 

ସିଏ ଗୋଟିଏ କାମ–ହୁଏତ ସମୀକ୍ଷକର ହେବା ଉଚିତ । କିନ୍ତୁ କବି, ଗାଳ୍ପିକ ଓ ଉପନ୍ୟାସକାରମାନେ ସମାଜରେ ଉଠୁଥିବା ଭାବଧାରାକୁ ନିଜର ସ୍ୱକୀୟ ମତରେ ସମ୍ମାର୍ଜନ କରି ସୁନ୍ଦର ସମାଜ ଗଢ଼ିବାର ଦାୟିତ୍ୱ ନେବାକୁ ଚେଷ୍ଟା କରିବା ହେଉଛି ପ୍ରଚାରଧର୍ମୀ ସାହିତ୍ୟିକର ସୂଚନା ।

 

ବିଶିଷ୍ଟ ଉପନ୍ୟାସ ଲେଖକମାନେ ଉପନ୍ୟାସ ଲେଖି ପ୍ରିୟ ପାଠକମାନଙ୍କର ବରଣୀୟ ହେଇଛନ୍ତି । ସେମାନେ ଦେଖାଇ ଦେବା ଉଚିତ୍‌ ଯେ ସମାଜର ସ୍ରୋତ ବିଭିନ୍ନ ସମୟରେ ନୂତନ ଭାବଧାରାକୁ ନେଇ ଇଚ୍ଛ୍ୱସିତ ଓ ଉଦ୍‌ବେଳିତ । ଏଥିରେ ନଗ୍ନତା ଥାଇପାରେ । ଅଶ୍ଳୀଳତା ଥାଇପାରେ । ଏହାକୁ ନେଇ ଚିତ୍ର କଲେ ପୁଲିସ ଜୁଲୁମ କରିପାରେ ।

 

କିନ୍ତୁ ତମେ କି ସାହିତ୍ୟିକ ? –ଏହି ସବୁ ଭୟ ଓ ଆଶଙ୍କାରେ ନିଜର ନିରାପତ୍ତାକୁ ବିପନ୍ନ କରିବାକୁ ଯାହା ହବା ଉଚିତ୍‌ ଥିଲା ସେଇଆକୁ ଖାଲି କ’ଣ ଦେଖିବ ଓ ଲେଖିବ ।

 

ଏହି ଦିଗରୁ ଦେଖିଲେ ଆମର ଓଡ଼ିଶାର ଓଡ଼ିଆ ଉପନ୍ୟାସକାର ମାନେ ନିର୍ଜୀବ ଓ ଗତିହୀନ । ବରଂ କବି ଗଡ଼ନାୟକ ବନ୍ଦନୀୟ । ସେ ତାଙ୍କର କବିତାରେ ଏହି ପ୍ରକାରର ସ୍ୱତଃସ୍ପୂର୍ତ୍ତ ଓ ସହଜ ସରଳ ଚିନ୍ତାଧାରାକୁ ଦେଖାଇଛନ୍ତି । ଏହାଙ୍କ ତୁଳନାରେ ବାବୁ କାହ୍ନୁଚରଣ ଓ ବିଭୂତି ପଟ୍ଟନାୟକ ପ୍ରମୁଖ ବରେଣ୍ୟ ସାହିତ୍ୟିକମାନେ ଅତ୍ୟନ୍ତ ନିଷ୍ପ୍ରଭ ।

 

କାରଣ ସେମାନେ ନିଜର ଚିନ୍ତାରେ ଏତେ ମତୁଆଲ ଯେ ତାଙ୍କର ଆଖପାଖରେ ଜୀବନଧାରାର ଯେଉଁ ପ୍ରବାହ ଚାଲିଛି ସେଥିକି ବାଙ୍କ ଚାହାଣୀଟିଏ ପକାଇବାକୁ ରାଜି ନୁହନ୍ତି । ତେଣୁ ଉପନ୍ୟାସ ସମାଜର ଛବି ହୋଇପାରୁ ନାହିଁ ।

 

ତେବେ ହେଉଛି କ’ଣ ? –ଏହା ହେଇଯାଉଛି ଗୋଟାଏ ରକମର ପାପୀ ବା ପାପଦୁଷ୍ଟ ଲୋକର ଅତୀତର କଥା । ଅତୀତ ଚାଲି ଯାଇଛି । ଅତୀତର ଧାରା ଶୁଖି ଯାଇଛି । ସଂପୃକ୍ତ ନାୟକ ନାୟିକା ମରି ଯାଇଛନ୍ତି । ସେହି ସମୟର ଦି’ ଚାରି କଥାକୁ ଧରି ଆଣି ସଜେଇବାର ହେଇଛି ଚେଷ୍ଟା ।

 

ମହତାବବାବୁ ଯାହା ସବୁବେଳେ କହି ଆସୁଛନ୍ତି ଯେ ଓଡ଼ିଆ ସମାଜ ସାଙ୍ଗରେ ଓଡ଼ିଆ ସାହିତ୍ୟ ତାଳ ଦେଇ ପାରୁ ନାହିଁ । ସେହି କଥାଟିର ଏତକ ହେଉଛି ଅର୍ଥ । ଲେଖିବା ଲୋକ ସଙ୍କୁଚିତ ଦୃଷ୍ଟି ଓ ସଂକୀର୍ଣ୍ଣ ମତର ଲୋକ । ସେ ଗୋଟାଏ ଚରିତ୍ର–ଚୋର । କାଳେ ଚିହ୍ନା ପଡ଼ିଯିବ ବୋଲି ନିଜକୁ ଲୁଚାଇବାକୁ ଏହିସବୁ କଥା କହିବାକୁ ନାରାଜ ।

 

କେଳୁଣୀ ଆସିଥିଲା କଚେରୀକୁ ଛାଡ଼ପତ୍ର ପାଇଁ–ବାରବର୍ଷର ବାହାଘର ଆଉ ଚାରୋଟି ପିଲା ।

 

ହାକିମ ପଚାରିଲେ–କାହିଁକି ଆଉ ଜଣକ ସାଙ୍ଗରେ ଘର କରିବୁ ? କହିଲୁ ।

 

କ’ଣ ମଣିମା ? ବାର ହାତ କୂଅକୁ ଛଅ ହାତ ଦଉଡ଼ି ।

 

ତେବେ ଚାରିଢ଼ାଳ ପାଣି କାଢ଼ିଲୁ କେମିତି ?

 

ମଣିମା, ସେତେବେଳେ ବର୍ଷା ଦିନ । କୂଅ ଊଛୁଳୁ ଥିଲା ପାଣିରେ । ଆଜି ଆଉ କ’ଣ ବୋଲି କହିବି ?

 

ଇଏ ବିତ ସମାଜର ଚିତ୍ର । ଡାକ୍ତର ଡାକ୍ତରିଆଣୀ, ଓକିଲ ଓକିଲିଆଣୀ, ଆଉ ନାରୀ ପୁରୁଷର ସମ୍ପର୍କର ଚିତ୍ର । ଏହାର ସମାଧାନ କରିବ କିଏ ? ପାଖ ଦେଉଳର ପୁରୋହିତ ? –ନା କଚେରୀ ମିସଲର ହାକିମ ? ନା, ପାଖ ପଡ଼ୋଶୀଙ୍କର ଠେଙ୍ଗାବାଡ଼ି ?

 

କେହି ସମାଧାନ ଦେଇ ପାରିବେ ନାହିଁ ? ଏହାକୁ ଦବ ଗାଳ୍ପିକ ? ଉପନ୍ୟାସର ଲେଖକ ? କବି ? ଆମର ଓଡ଼ିଶାରେ ଏମାନେ କିଏ ? ଯିଏ ଆମକୁ ଏଇ ବିଷୟର ସମାଧାନ ଦେଇପାରିବ ? ଯିଏ ଆମକୁ ସ୍ପଷ୍ଟ ଭାବରେ ମନକୁ ଘେନିଲା ପରି ବୁଝାଇ ଦେଇପାରିବ ଭୋଟର ନାରୀ ପ୍ରାର୍ଥୀର ଚରିତ୍ର ତାହାର ରାଜନୈତିକ ଜୀବନର ଚିତ୍ର ନୁହେଁ । ଯିଏ ଆମକୁ ଖୋଲାଖୋଲି କହିପାରିବ ଯେ ଦାମ୍ପତ୍ୟ ଜୀବନର ଅସମାନତା ମନୁଷ୍ୟ ଜୀବନର ମୂଲ୍ୟବୋଧ ନୁହେଁ ।

 

ଏହାର ଉତ୍ତର ଦେଇ ପାରିଛନ୍ତି ପାର୍ଲ ବକ୍‌ । ଡି. ଏଚ୍‌. ଲରେନ୍‌ସ, ବାଲଜାକ, ମୋ’ ପାସାଁଙ୍କ ପରି ଲୋକ ।

 

ଏହାର ଉତ୍ତର ଦେଇ ପାରିଛନ୍ତି ଶରତଚନ୍ଦ୍ର ଚାଟର୍ଜୀ, ବୁଦ୍ଧଦେବ ବସୁ, ମନୋଜ ବସୁ, ଶ୍ରୀମତୀ ବାଣୀ ରାୟ ଓ ଶ୍ରୀମତୀ ଆଶାପୂର୍ଣ୍ଣା ଦେବୀ ପ୍ରମୁଖ ଆମର ଆରପାଖ ବାଲେଶ୍ୱର ଜିଲା ଆର ପାଖ ବଙ୍ଗଳାରେ ।

 

ଏହାର ଉତ୍ତର ଚାଲ ମାଗିବା ଆମର ଓଡ଼ିଆ ସମ୍ରାଟମାନଙ୍କୁ ଗୋପୀନାଥ, କାହ୍ନୁଚରଣ, ବିଭୂତିଭୂଷଣ, ମାନସିଂହ, ଗଡ଼ନାୟକ, ନେପାକ, ଡକ୍ଟର କୃଷ୍ଣ ଚରଣ, ଡକ୍ଟର କୃଷ୍ଣ ପ୍ରସାଦ ଓ ଶାନ୍ତନୁ ପ୍ରମୁଖ ଅସଂଖ୍ୟ ଲୋକଙ୍କୁ । ଆମର ମନରେ କ’ଣ ଆଶା ହେଉଛି ଯେ ଏମାନେ ସମସ୍ତେ ଏହାର ସଠିକ ଉତ୍ତର ଆମକୁ ଦେଇପାରିବେ ? ଯେଉଁଠି ଆଶା ହେବ ସେହିମାନେ ଓ କେବଳ ସେହିମାନେ ଅମର ସାହିତ୍ୟିକ ହେବାର ଉପଯୁକ୍ତ । ଅନ୍ୟମାନେ ସେଥିରେ ମାତ୍ର ପ୍ରାବନ୍ଧିକ ଶ୍ରେଣୀର କେତେକ ବୃତ୍ତିଜୀବୀ–ପାଲାର ପାଳିଆ ଅବା ମଣିଷର ନକଲ କରୁଥିବା ମାଙ୍କଡ଼ ।

 

ଏଇ ସାହିତ୍ୟିକ ମାଙ୍କଡ଼ମାନେ କିଏ ? ରାଜକିଶୋର ରାୟ ନା ପଟ୍ଟନାୟକ ? ଗୋପୀନାଥ ନା କାହ୍ନୁଚରଣ ? ନିତ୍ୟାନନ୍ଦ ମହାପାତ୍ର ନା ସତ୍ୟାନନ୍ଦ ବେହୁରା ? ବିଭୂତି ନା ମହାପାତ୍ର ନୀଳମଣି ? ଚିନ୍ତାମଣି ମିଶ୍ର ନା ଗୋବିନ୍ଦ ତ୍ରିପାଠୀ ? ଆଶୁତୋଷ ରାୟ ନା ଦୁର୍ଗାମାଧବ ମିଶ୍ର ? ମାନସିଂହ ନା କାଳିନ୍ଦୀ ପାଣିଗ୍ରାହୀ ? ସଚ୍ଚି ରାଉତରାୟ ନା ଗଡ଼ନାୟକ ?

 

ଏଇ ମାଙ୍କଡ଼ ଓ ମଣିଶଙ୍କୁ ଅଲଗା କରି ଚିହ୍ନ ଦେବା ସମୀକ୍ଷକଙ୍କର କାମ ? ଏହି କାମ କରିବାକୁ କିଏ ସମର୍ଥ ? ଅଧ୍ୟାପକ ପଠାଣି, ଅଧ୍ୟାପକ ଭରଦ୍ୱାଜ, ଅଧ୍ୟାପକ ଗୋପାଳ, ଅଧ୍ୟାପକ କାହ୍ନୁଚରଣ ନା ଅଧ୍ୟାପକ ବଂଶୀଧର–କିଏ ? କେଉଁମାନଙ୍କର ସାହାସ ଅଛି ଯେ ବିପୁଳ ଭାବରେ ପ୍ରତିଷ୍ଠା ଅର୍ଜନ କରିଥିବା ବିବିଧ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ସାହିତ୍ୟରଥୀ ମାନଙ୍କର ମୂଲ୍ୟାୟନ କରିବ ? ଆଉ ତାହାର ଅବଶିଷ୍ଟ ଜୀବନ ପାଇଁ ଏକଘରିଆ ହୋଇ ରହିଯିବ ?

 

ଯେଉଁ ସାହାସରେ ଅଭାବ ଲେଖକଙ୍କୁ ଷୋଳଅଣା ଲେଖକ କରି ପାରିଲା ନାହିଁ ସେହି ସାହାସର ଅଭାବ ସମୀକ୍ଷକଙ୍କୁ ମଧ୍ୟ ଷୋଳଅଣା ସମୀକ୍ଷକ କରି ପାରୁନାହିଁ । ସମସ୍ତେ ଏହି ମାଟିଧୂଳିର ସଂସାରରେ ସୁଖଦୁଃଖ ନେଇ ବଞ୍ଚିବେ । ନା, ହକ୍‌ କଥା ଓ ଉଆଜିବ୍‌ କଥା କହି ଶେଷକୁ ସମାଜଦ୍ରୋହୀ ଓ ବନ୍ଧୁଦ୍ରୋହୀ ହୋଇ ଚାଲିଯିବେ ବିସ୍ମୃତିକୁ ।

 

କାହାକୁ ଭଲ ଲାଗେ ହଜିଯିବାକୁ ? ଜୀବନର ମାୟା ଏତେ ପ୍ରଗାଢ଼ ଯେ ହଜିଯିବା ବାସ୍ତବିକ୍‌ ଯନ୍ତ୍ରଣାଦାୟକ । ବହିର ପ୍ରକାଶକ ରାଜି ନୁହେଁ । ବହି କିଣିଲା ଲୋକ ମଧ୍ୟ ରାଜି ନୁହେଁ । ବହି ଲେଖିବା ଲୋକ ରାଜି ନୁହେଁ । ତେବେ ରାଜି କିଏ ?

 

ଯେଉଁମାନଙ୍କର ଆଜି କିଛି ନାହିଁ–ହୋଇପାରି ନାହାନ୍ତି ଅବା ହେବେ ମଧ୍ୟ ନାହିଁ–ସେହି ଅଗଣିତ ସଚେତନ ଶିକ୍ଷିତ ପାଠକ ସଂପ୍ରଦାୟରୁ ଜଣେ ମୁଣ୍ଡ ଟେକୁଛନ୍ତି, ସେମାନେ ବେଳେବେଳେ ତାଙ୍କର ସ୍ପଷ୍ଟ ମତ ଦେଇ ପାରୁଛନ୍ତି । ଚିହ୍ନା ଲୋକଙ୍କ ଭିତରୁ ପାଞ୍ଚଜଣଙ୍କର ନାମ ଦେବାକୁ କହିଲେ କହିହେବ ଯେ–ବାବୁ ପ୍ରଦ୍ୟୁମ୍ନ ବଳ, ବାବୁ ଅନ୍ନଦା ପ୍ରସାଦ ରାୟ, ବାବୁ ସଦାଶିବ ଦାସ, ବାବୁ ଅଚ୍ୟୁତାନନ୍ଦ କର ଓ ବାବୁ ରବି ମହାପାତ୍ର ପ୍ରମୁଖ ।

 

କିନ୍ତୁ ପ୍ରତ୍ୟେକଙ୍କର ଗୋଟିଏ ଅସୁବିଧା ରହୁଛି । ସେଇଟା ହେଲା କ’ଣ କରି ସେମାନେ ନୂଆ ଓ ପୁରୁଣାଙ୍କର ସମନ୍ନୟ କରି ଉଭୟ କ୍ଷେତ୍ରରୁ ବାଳୁଙ୍ଗା ବାଛି କେତେକଙ୍କୁ ଆଣି ଠିଆ କରାଇବେ । ଏଇଟା ସବୁ ପ୍ରକାରର ସଙ୍ଗଠନର ଗୋଟିଏ ବଡ଼ ଅସୁବିଧା । ତେଣୁ ସଂଖ୍ୟାଗରିଷ୍ଠ ନକଲି ପାଖରେ ସେମାନେ ସଂଖ୍ୟାଲଘୁ ହୋଇ ଯାଉଛନ୍ତି । ଏଣେ ରାଜନୀତିର ସୁଲଭ କଥା ଚାଲୁଛି ଓଡ଼ିଆ ସାହିତ୍ୟରେ ।

 

ଦୁର୍ନୀତି ଦୂର କର–ପ୍ରଥମ ଶ୍ରେଣୀର କର୍ମଚାରୀଙ୍କର ପରିସରୁ । ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କର ଦୁର୍ନୀତିକୁ ଆଖି ବୁଜି ଦିଅ ।

 

ସେମିତି ଏବେ କଥା ହେଉଛି ଯେ ନୂଆଭୂଆଙ୍କୁ ଛାଡ଼ିଦିଅ । ପୁରୁଣା ମୂଷାଙ୍କୁ ଧର । ଆଗେ ପରୀକ୍ଷାର ନୀତି ଓଲଟା–ପୁରୁଣା ମୂଷାଙ୍କୁ ଛାଡ଼ିଦିଅ । ନୂଆଭୂଆଙ୍କୁ କଷି କଷଟି କରି ନିଅ । ତେଣୁ ସାହିତ୍ୟରୁ ବାଧା ଦୂର କରିବାକୁ ନୂଆପୁରୁଣାର ଭେଦ ନ ରଖି ସମସ୍ତଙ୍କ ପ୍ରତି ଏକା ମାପ ଚଳାଇବା ଉଚିତ୍‌ ।

 

ଏଥିରେ ତରୁଣମାନେ ଏକମତ ନୁହନ୍ତି । ସେମାନେ ଚାହୁଁଛନ୍ତି ସ୍ୱୀକୃତି–ଅର୍ଥାତ୍‌ କଲେଜ ଡିଗ୍ରି ପରି ଗୋଟାଏ ଚିହ୍ନ । ସେଇଠୁ ପାଟି କରୁଛନ୍ତି–ମୁଁ ଅମୁକ ଜାଗାର ଅମୁକ ଲୋକ । ବହୁତ ଲେଖିଲାଣି । ମତେ ଗ୍ରହଣ କରି ନିଆଯାଉ ।

 

ଏହି ଦୃଷ୍ଟିକୋଣରୁ ବିଚାର କରିବାକୁ ଯାଇ ଆମେ ସମସ୍ତେ ମୋର ଦଳର ବା ମୋର ଜିଲାର ପାଞ୍ଚଜଣଙ୍କୁ ନେଉ ନେଉ ସାହିତ୍ୟ ଗୋଟାଏ ବିଚିତ୍ର ଖତଗଦା ଅବା ପଙ୍କଭରା ପୋଖରୀ ହେଇଯାଉଛି । ସେଇଠୁ ଆମେ ପାଟି କରୁଛୁ... କାଢ଼, ବାଛ, ବାହାର କର ।

 

ଏହି କାମ କରିବ କିଏ ? ଆଉ ଯିବ ମଧ୍ୟ କିଏ ?

 

ଘର ଭିତରୁ ବେଙ୍ଗ, ଚୁଚୁନ୍ଦ୍ରା, କୁକୁର, ବିଲେଇ, ଚଟିଆ, ଓଡ଼ଶ କେହି ବାହାରୁ ନାହାନ୍ତି । କାହାରିକୁ ମଧ୍ୟ ବାହାର କରିବା ସମ୍ଭବ ନୁହେଁ । ଯିଏ ବସା ବାନ୍ଧିଲା ତାହାର ସେଠି ହକିୟତ ଆସିଗଲା । ଓଡ଼ିଆ ସାହିତ୍ୟ ବା ଯେ କୌଣସି ସମୁଦ୍ରରେ କିଏ କାହାକୁ ବାଧା ଦବ ? କିଏ କାହାକୁ ବାହାର କରିପାରିବ ?

 

ତେବେ ପ୍ରକୃତ ସମାଧାନ ହେଉଛି ପ୍ରତ୍ୟେକ ଶ୍ରେଣୀର ଲେଖକ ଓ ତାଙ୍କର ସାହିତ୍ୟ କୃତିକୁ ଉତ୍ସାହ ଦିଆଯାଉ । ଦୈନିକ ପ୍ରଜାତନ୍ତ୍ର, ମାତୃଭୂମି ଓ ସ୍ୱରାଜ୍ୟ ପତ୍ରିକା ମାନେ ଏହି କାର୍ଯ୍ୟ କରୁଛନ୍ତି । ସେମାନଙ୍କର କଲମନବିଶ୍‌ମାନଙ୍କୁ ଦେଉଥିବା ଉତ୍ସାହ ଦ୍ୱାରା ସାହିତ୍ୟିକ ସୃଷ୍ଟି ହେଉଛନ୍ତି-। ସଅଳ ଉଛୁରରେ ସେମାନେ କହିପାରୁଛନ୍ତି ତ ଦିନେ ଲେଖୁଥିଲେ ବୋଲି ।

 

ପ୍ରତ୍ୟେକ ଶ୍ରେଣୀର ସାହିତ୍ୟର ସମଜଦାର ଅଛନ୍ତି, ପ୍ରତ୍ୟେକ ସାହିତ୍ୟିକର କିଛି ବିଶେଷ ଆଗ୍ରହୀ ପାଠକ ଅଛନ୍ତି । ସାହିତ୍ୟ ଦୃଷ୍ଟିରୁ ନ ହେଲେ ମଧ୍ୟ ପାଠକଙ୍କର ଆଗ୍ରହ ଓ ସହଯୋଗର ଦୃଷ୍ଟିକୋଣରୁ ଆମ ମତରେ ନିରସ ଓ ନିକୃଷ୍ଟ ସାହିତ୍ୟକୁ ମଧ୍ୟ ଉତ୍ସାହ ଦେବା ଦରକାର ।

 

କେହି କାହାର ମତ ନେଇ ଲେଖାଲେଖି କରୁନାହିଁ । କିନ୍ତୁ ଅନଗ୍ରସର ସାହିତ୍ୟ ସମାଜରେ ଭଲ ଓ ଖରାପର ଭେଦ ନ ରଖିବା ଶ୍ରେୟସ୍କର । ଆମେ ଯାହାକୁ ଭଲ ବେଲି କହୁଛୁ ସେହି ସୃଷ୍ଟି ଗୁଡ଼ିକ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମୂଳକ ସାହିତ୍ୟରେ ଉଚ୍ଚାଙ୍ଗ ବୋଲି ଧରାଯାଇପାରିବ କି ?

 

ଏହା ହୀନମନ୍ୟତାର ପରିଚୟ ନୁହେଁ । ପ୍ରତ୍ୟେକ ବିଭାଗରେ ଆମେ ଦେଖୁଛୁ ଯେ ଏଇଟି ଅସଲ କଥା–ଏଇଠୁ ସହରୀ ଗାଉଁଲି, ସଭ୍ୟ ବଣୁଆ, ଶିକ୍ଷିତ, ମାର୍ଜିତ ଓ ଅମାର୍ଜିତ ଇତ୍ୟାଦି ବିଭିନ୍ନ କିସମର ସୃଷ୍ଟି । ଅନଗ୍ରସର ସାହିତ୍ୟ କହିଲେ ତାହାହେଲେ ଆମେ ବୁଝିବା କ’ଣ ?

 

ସମାଜ ଅନଗ୍ରସର ହୋଇପାରେ । କିନ୍ତୁ ସେହି ସମାଜ ଉପରେ ଆଧାରିତ ସାହିତ୍ୟ ହୁଏ ତ ଅନଗ୍ରସର ନ ହୋଇ ପାରେ । ସେଇଠି ଜଣଙ୍କର ଲେଖା ଆଉଜଣଙ୍କର ଲେଖାର ବ୍ୟବଧାନ । ସମସ୍ତେ ଯଦି ଏକାକଥା କହୁ–ଗୋଟିଏ ଜଣାଯିବ ସ୍ୱାଭାବିକ ଆରଟିକୁ ବୁଝିହେବ ଅସ୍ୱାଭାବିକ ।

 

ତେଣୁ ଅଗ୍ରଗାମୀ ସାହିତ୍ୟ ସାହିତ୍ୟିକ ଉପରେ ନିର୍ଭର କରିବା କଥା । ଅନାଡ଼ି ଲୋକଟିଏ ସାହିତ୍ୟିକ ବନିଗଲେ ଯେ ଖାଲି ଲେଖିଛି ବୋଲି ଅଗ୍ରଗାମୀ ସାହିତ୍ୟ ସୃଷ୍ଟି କରିଦେବ–ଏଇ ଧାରଣା ଭୁଲ । ଲେଖା ପଢ଼ିବା ଆଗରୁ ଲେଖକକୁ ଜାଣିବା ଦରକାର ।

 

ମନେ କରାଯାଉ ଆମର ଓଡ଼ିଶାରେ ପ୍ରାୟ ସବୁ ଶିକ୍ଷିତ ଲୋକ ଷାଠିଏ ମସିହାଯାଏ କିଛି ନା କିଛି ଚାକିରି ନେଇ ରହିଥିଲେ । ମାସ ପହିଲାରେ ଦରମା ପାଆନ୍ତି । ତାଙ୍କର ଚାକିରି କ୍ଷେତ୍ରରେ ସରକାରଙ୍କର ଦୋଷ ତୃଟି ବହୁତ ଦେଖି ପାରନ୍ତି । ଘରେ ଓ ବଜାରରେ ଦେଶକଥା ପର୍ଯ୍ୟାପ୍ତ ପରିମାଣରେ କହନ୍ତି । କିଛି ପୋଲା କଥା ନୁହେଁ–ପ୍ରତ୍ୟେକ ବିଷୟରେ ତଥ୍ୟ ଥାଏ । ଏମାନେ ଆଉ ବିପ୍ଳବୀଙ୍କ ଭିତରେ ପ୍ରଭେଦ ହେଉଛି ଯେ ଦରମାଖିଆ ନୌକର ବିପ୍ଳବୀଠାରୁ ଅଧିକ ତେଜିୟାନ୍‌ ।

 

ଏହି ନୌକରସାହୀର ଖିଜମଦଗାରମାନେ ସାହିତ୍ୟ ଆଡ଼କୁ ବେଳେବେଳେ ହାତ ବଢ଼ାନ୍ତି । କହିବା କଥା କଲମକୁ ଆସିଗଲେ ସାହିତ୍ୟ ହେଲା । ପଢ଼ିବା ଲୋକ ଏତକ ପଢ଼ି ନିଜର ଜ୍ଞାନଚକ୍ଷୁ ଫିଟାଇ ପାରିଲେ ଲେଖାଟି ତାରିଫ୍‌ ପାଇଲା । ଏଥିରେ ସବୁ ଅଛି–ଅତୀତ, ବର୍ତ୍ତମାନ୍‌ ଓ ଭବିଷ୍ୟତ୍‌ । ତାହାହେଲେ ଏହା ଉଚ୍ଚାଙ୍ଗ ସାହିତ୍ୟ ନ ହେବ କାହିଁକି ?

 

ଏହି ଯୁକ୍ତିର ଦୁର୍ବଳତା ବୁଝିବାକୁ ଗୋଟିଏ ଉଦାହରଣ ଦରକାର । ପ୍ରତ୍ୟେକ ଜୀବ ଦେହରେ ପରମାତ୍ମା ଅଛନ୍ତି । ତେଣୁ ଆମ ଭିତରେ ସବୁଠାରୁ ଅଶିକ୍ଷିତ, ଅସଂସ୍କୃତ, ବିଭିନ୍ନ ଦୋଷରେ ବିଷାକ୍ତ ଲୋକଟିକୁ ଆମେ ନେଇ ଆମ ଭିତର ଶିକ୍ଷିତ, ମାର୍ଜିତ ଓ ବିଭିନ୍ନ ଗୁଣର ଆଧାର ସହିତ ସମାନ କରି ମହାନୁଭାବକତା ଓ ମାନବତା ଦେଖାଇଲେ କ’ଣ ସାହିତ୍ୟ ହେବ ? ପାଦତଳେ ଚିପି ହୋଇ ଯାଇଥିବା ବେଙ୍ଗର ଫଟା ପେଟକୁ ଧରି କାନ୍ତି ବାହୁନି ଝାଳନାଳ ହୋଇ ଅପରୂପ କବିତା ଲେଖିଲେ ଆମେ କ’ଣ ବଡ଼ କବିଟିଏ ହେଇଯାଇ ପାରିବୁ ?

 

ଏବେ ସାହିତ୍ୟ ପିଲାଙ୍କର ଚିତ୍ରାଙ୍କନ ପରି ହେଇଯାଉଛି । ହାତ ଦୋରସ୍ତ କରିବାକୁ କରୁଥିବା କାମକୁ ଆମେ ଉଚ୍ଚାଙ୍ଗ ସାହିତ୍ୟ ବୋଲି ବଜାରରେ ପାଟି କରୁଛୁ । ସୌଭାଗ୍ୟର କଥା ଏହି କଳରବକୁ କେହି ଗୁରୁତ୍ୱ ଦେଉ ନାହିଁ । ଶେଷକୁ ଆମେ ମଧ୍ୟ ବେହାଲ ହେଇ ଯାଉଛୁ । କିଏ କୋଠା ତିଆରି କଲା ତ ଆଉ କିଏ ସ୍ତ୍ରୀର ମନୋରଞ୍ଜନ କରିବାକୁ ତାକୁ ଘର କାମରେ ସାହାଯ୍ୟ କଲା । ପୁଣି କିଏ ଯାଇ ପିଲାଙ୍କୁ ପାଠପଢ଼ାଇ ମଣିଷ କଲାଣି ତ ଆଉ ଜଣେ ଯାଇ ଧର୍ମସଭାରେ ବସି ଆଖି ମିଞ୍ଜି ମିଞ୍ଜି କରୁଛି ।

 

ଏହି ପ୍ରକାରର ଲୋକଙ୍କୁ ଆମେ କହୁ ଶିକ୍ଷିତ ଆଉ ଅର୍ଦ୍ଧଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ । ଏହି ସୂଚନାର ପ୍ରତ୍ୟେକ ଶବ୍ଦ ଆପେଷିକ । ମଧ୍ୟବିତ୍ତ କହିଲେ ଦିନକୁ ପାଞ୍ଚଟଙ୍କା ପାଇବା ଲୋକଙ୍କୁ କେଉଁଠି ବୁଝାଇବ ତ ଆଉ କେଉଁଠି ଦିନକୁ ଶହେଟଙ୍କା ପାଇବା ଲୋକକୁ ବୁଝାଇବ । ଏହିମାନଙ୍କର ମନ ଓ ରୁଚିକୁ ନେଇ ସାହିତ୍ୟ ତିଆରି ହେଉଛି–ଆମର ସହର ବଜାରର ବା ସାହୀର ମିଠାଇ ଦୋକାନ ପରି । ତା’କୁ ଆଣି ସ୍ୱାସ୍ଥ୍ୟରକ୍ଷାର ନିୟମରେ ଓଜନ ନ କରି ଆମର ସେହି ଦୋକାନ ଆମର ଜୀବନର ପରିପୂରକ ବୋଲି ଧରିନେବା ଉଚିତ୍‌ ।

 

ସାହିତ୍ୟିକ ହେଲା ଗୋଟାଏ ରକମର ମିଠେଇ କାରିଗର । ଏହାର ଗରାଖ ହେଲେ ସେହି ଦୋକାନର ପରିସର ଭିତରେ ମିଳୁଥିବା ମଧ୍ୟବିତ୍ତ ଓ ଶିକ୍ଷିତ ଲୋକ–ଯିଏ ସକାଳୁ ପଖାଳ କି ଚାଉଳଭଜା ନ ଖାଇ ଦୋକାନ ଜଳଖିଆ ଖୋଜିବେ । ସେହିମାନଙ୍କୁ ଆଖି ଆଗରେ ରଖି ମିଠାଇ ଦୋକାନ ଚାଲିବ । ତେଣୁ ଗରାଖମାନେ ଯେଉଁ କଦରର ଓ ଫାଇଦାର ଲୋକ ହେବେ ଆମେ ଲେଖକମାନେ ସେତିକିର ହେବୁ ।

 

ଏଥିରେ କ୍ଷୁଣ୍ଣ ହୋଇ ଆମେ ଯେ ମଝିରେ ମଝିରେ ହଠାତ୍‌ ବୌଦ୍ଧିକ ପାଲଟି ଯାଇ–ତୁ ଟା ଓଲୁ, ତୁ ମୁର୍ଖ, ତୁ ବେକୁବ୍‌–କହି ବୌଦ୍ଧିକତାର କସରତ ଦେଖାଇବାକୁ ବାହାରି ପଡ଼ୁଛୁ ସେଥିରେ ବୌଦ୍ଧିକତା ନାମରେ ବୁଦ୍ଧିହୀନତା ପ୍ରକାଶ ପାଉଛି । ଅର୍ଥାତ୍‌ ଆମେ ଛୋଟ ହେଇ ବଡ଼ ବଡ଼ କଥା କହୁଛୁ–ମାଙ୍କଡ଼ ଖେଳ ଦେଖାଇଲା ପରି ।

 

ସାହିତ୍ୟିକ ମନେ ରଖିବା ଉଚିତ୍‌ ଯେ ସେ ଯେଉଁ ସମାଜର ଲୋକ ସେହି ସମାଜକୁ ସାଜିଲା ସେ ଯଦି କଥା ଓ କାମ ନ ଦେଖାଏ ତାହାହେଲେ ସାର୍ବଜନୀନ ଓଲୁଟିଏ ପାଲଟି ଯିବ । ଏହି ଓଲୁ ପାଲଟିବାର ପ୍ରକୃଷ୍ଟ ସମୟ ହେଉଛି ଯୌବନର ତାରୁଣ୍ୟ–ମୁଁ କ’ଣ ଗୋଟାଏ ନୂଆ କଥା କରିବି । ଏଇଠି ଆମେ ଭୁଲି ନ ଯିବା ଉଚିତ୍‌ ଯେ ପ୍ରତ୍ୟେକ ନୂଆ କଥାର ଗୋଟିଏ ଭିତ୍ତିଭୂମି ଅଛି-। କଟକ ସହରରେ ଲଣ୍ଡନ ବା ନିୟୁୟର୍କର ଆକାଶଛୁଆଁ କୋଠାବାଡ଼ି ହେବା ଅନୁଚିତ୍‌ ଓ ଅବାସ୍ତବ-

 

ଲୋକପ୍ରିୟ ଉପନ୍ୟାସକାର କାହ୍ନୁଚରଣଙ୍କର କଥା ଦେଖାଯାଉ–ଅନ୍ତରାୟ, ଉଦ୍ଦଣ୍ଡୀ, ଚୋରା ଚାହାଣୀ, ମନ ଜାଣେ ପାପ, ଶାସ୍ତି, ଝନ୍‌ଜା ଇତ୍ୟାଦି ଚାଳିଶିଖଣ୍ଡ ବହି ପଚାଷବର୍ଷ ସମୟରେ ଲେଖି ସେ ଓଡ଼ିଆ ସାହିତ୍ୟରେ ଉପନ୍ୟାସର ଧାରାକୁ ତାଙ୍କର ଶକ୍ତି, ସାମର୍ଥ୍ୟ ଓ ଅନୁଭବରେ ଠେଲି ଚାଲିଛନ୍ତି । ତାତ୍ତ୍ୱିକ ବିଚାରରେ ସେ ଜଣେ ମାନ୍ଦାଦଳିଆ ଲେଖକ ଓ ତାଙ୍କର ଲେଖାର ଆଭିମୁଖ୍ୟ ମନୋରଞ୍ଜନ । କିନ୍ତୁ ସାର୍ବଜନୀନ ମନୋରଞ୍ଜନ ନୁହେଁ । କେବଳ ଗୋଟିଏ ଶ୍ରେଣୀର ମନୋରଞ୍ଜନ ।

 

ଆଜି ତେସ୍ତରୀ ମସିହାରେ ଆମେ ଏହାକୁ ନିମ୍ନ ସ୍ତରର ବୋଲି ଆକ୍ଷେପ କରିପାରୁ । କିନ୍ତୁ ତାଙ୍କର ବିଶେଷତ୍ୱ ହେଲା ଯେ ଅସୀମ ଅଧ୍ୟବସାୟ ଓ ନିରବଚ୍ଛିନତାର ଭାଗ ଦେଇ ସେ ଓଡ଼ିଆରେ ଗଳ୍ପ ଓ ଉପନ୍ୟାସ ଲେଖି ଚାଲିଛନ୍ତି । ଆମେ ସମସ୍ତେ ଏହି ଅଧ୍ୟବସାୟ ଓ ଉତ୍ସାହ କ’ଣ ରଖିପାରିବୁ ? ନା, ରଖି ପାରିଛୁ ?

 

କାହ୍ନୁ ବାବୁ ଯେତିକି ଓଡ଼ିଆ ସାହିତ୍ୟ ପାଇଁ କଲେ ସେତକ ନିକୃଷ୍ଟ ମନେ ହେଲେ ଆମେ ତହିଁରୁ ସରସ ଓ ତହିଁରୁ ଅଧିକ ସୃଷ୍ଟି କରି ପାରିବାର ଶକ୍ତି ରଖିବା ଉଚିତ୍‌ । ନ ହେଲେ ଆମର କଥା ହେବ ଖାଲି ଆକ୍ରୋଶମୁଳକ ଆସ୍ଫାଳନ । ଏମିତି ବାଜେ ବହି ଥାକେ ନ ଲେଖି ଭଲ ବହି ଖଣ୍ଡିଏ ଲେଖିବା ବେଶି ସୁନ୍ଦର ଓ ଦରକାରୀ ।

 

ବେଶ୍‌ କଥା । ଲେଖି ପ୍ରମାଣ କରି ଦେବା ଉଚିତ୍‌ । ଖାଲି କଥାରେ ଭଲ ଓ ବାଜେ ବୋଲି କହି ଦେଇ ଘରେ ଯାଇ ଶୋଇଲେ ସେ କଥାଟା ଦାୟିତ୍ୱହୀନ ମନେ ହେଉଛି । ନିଜକୁ ବଢ଼ିଆ ବୋଲି କହିବା ଯେମିତି ଭୁଲ୍‌ ସେମିତି ଠିକ୍‌ ସେମିତି ନିଜକୁ ମଢ଼ିଆ ବୋଲି ଭାବିବା ।

 

ଓଡ଼ିଆ ଉପନ୍ୟାସର ଲେଖକ ଲେଖା ଆରମ୍ଭ କଲାବେଳେ ଗୋଟାଏ ବଢ଼ିଆ ବିଷୟ ଲେଖିବ ବୋଲି ଆରମ୍ଭ କରେ । ଏଣେ ସେ ଯଦି ମଢ଼ିଆ ନ ହୋଇଥାଏ ତାହାହେଲେ କିଛି କିଛି ଲେଖିବ । ନ ହେଲେ ଲେଖିବ ଗୋଟାଏ ବର୍ଣ୍ଣଶୈଳୀର ସବୁଜା କଥା । ସେ ଏହାକୁ କହେ ଆଭିମୁଖ୍ୟ–ଆଙ୍ଗିକ–ରୂପସଜ୍ଜା ଇତ୍ୟାଦି ବିଭିନ୍ନ ଶବ୍ଦରେ ।

 

କଥା ଉଠେ ଉପନ୍ୟାସ କ’ଣ ? ଏହା ଯଦି ଜୀବନର ପ୍ରତିଛବି ହୁଏ ତାହାହେଲେ ଲେଖକର କଲମ–ନିପୁଣତା ଏହାର ବିଶେଷ ଅଂଶ । ତାହାର ମନ ହୋଇଥିବ ନିର୍ମଳ ଓ ସହାନୁଭୂତିରେ ଭରା । ସେ ବେଶି ପାଠ ପଢ଼ି ନ ଥିବ । ଆଉ ପଢ଼ିଥିଲେ ବି ପାଠ ଦ୍ୱାରା ଭାରାକ୍ରାନ୍ତ ହୋଇ ନ ଥିବା । କଥାଟିଏ ବୁଝିବାକୁ ହେଲେ ସେ ତାହାର ମନ ଚିତ୍ରପଟର ସାହାଯ୍ୟ ନେଉଥିବ–ମସ୍ତିଷ୍କର ମାପକୁ ବ୍ୟବହାର କରୁ ନ ଥିବ ।

 

ଏହି ମନର କଥା ସକ୍ଷିପ୍ତ, ଅସଂପୂର୍ଣ୍ଣ ଓ ଅସମାପ୍ତ ହେଲେ ମଧ୍ୟ ହେବ ସୁନ୍ଦର ଉପନ୍ୟାସ । ମସ୍ତିଷ୍କର କଥା ଯେତେ ବିସ୍ତୃତ, ସଂପୂର୍ଣ୍ଣ, ମାର୍ଜିତ ଓ ପର୍ଯ୍ୟାପ୍ତ ହେଲେ ମଧ୍ୟ ଉପନ୍ୟାସ ହେବ ନାହିଁ ।

 

ଓଡ଼ିଆ ସାହିତ୍ୟରେ ବିଶିଷ୍ଟ ଜନପ୍ରିୟ ଉପନ୍ୟାସ ଲେଖକ ଶ୍ରୀ ଚନ୍ଦ୍ରମଣି ଦାସ ତାଙ୍କର ସୀମିତ ଜ୍ଞାନ ଓ ଅନୁଭବରେ ଲେଖିଲାବେଳେ ବେଶ୍‌ ଜନପ୍ରିୟ ପୁସ୍ତକ ରଚନା କରୁଥିଲେ । ମଣିଷର ସ୍ୱଭାବ ସହଜ ପ୍ରବୃତ୍ତି ଯେ ସେ ଦିନେ ଅନ୍ୟମାନଙ୍କ ପରି ଆଖି ଦିରିଶିଆ ହେବ ଲୋକେ ତା’କୁ ପାଣ୍ଡିତ୍ୟ ପାଇଁ ତାରିଫ୍‌ କରିବେ । ସେଇଠୁ ଚନ୍ଦ୍ରମଣି ବାବୁ ବଢ଼ିଆ ବିଷୟ ଖୋଜି ନୂଆ ପଦ୍ଧତିରେ ଲେଖିବାକୁ ଆରମ୍ଭ କଲେ । ଆଉ ଓଡ଼ିଆ ଉପନ୍ୟାସ ବଜାରରୁ ଲୁଚିଗଲେ ।

 

ଆମେ ସମସ୍ତେ ସଂସାରର ଅସଂଖ୍ୟ ଗଛ ଓ ଲଟାପରି–ନଡ଼ିଆ, ତାଳ, ଖଜୁରି, ଆମ୍ବ, ପଣସ ଆଦି ବିଭିନ୍ନ ଜାତିର । ସେଥିରେ ଆମେ ପରିବର୍ତ୍ତନ ଆଣିଲେ ଯେମିତି ହଠାତ୍‌ ବେଖାପ ଓ ବେଢ଼ଙ୍ଗ ହୋଇଯାଉ ସେମିତି ଯିଏ ଯାହା ତହିଁରୁ ଅଲଗା ହେବାକୁ କାମନା କଲେ ଜୀବନ ତାହାର ମହୁ ହରାଏ ।

 

ଆମର ଘରୋଇ ଜୀବନରେ କାହାର ଘରଣୀ କଳିହୁଡ଼ି, ବିଳାସୀ, ମିଛେଇ, କାମିକା ଆଦି ବିଭିନ୍ନ ଶ୍ରେଣୀର ଅଛନ୍ତି । ସେମାନଙ୍କର ସେହି ଦୋଷଗୁଣ–ଭରା ବ୍ୟକ୍ତିତ୍ୱ ହେଉଛି ସେହି ପରିବାରର ବିଶେଷତ୍ୱ । କିନ୍ତୁ ବହିରୁ ଦେଖି ବା ଆଉ ପାଞ୍ଚଜଣଙ୍କର ମତ ନେଇ ଆମେ ଯେତେବେଳେ ନିଜର ରୂପ, ନିଜର ଛନ୍ଦ ଓ ମାତ୍ରାକୁ ବଦଳାଇ ଦେଉ ସେତେବେଳେ ଆମର ମୃତ୍ୟୁ ଘଟେ ।

 

ଲେଖକ ସେହିପରି ତାହାର ଜନ୍ମଲବ୍‌ଧ ପାରଦର୍ଶୀତାକୁ ଅଭିନବ ରୂପରେ ରୂପାୟିତ କରିବାକୁ ଚାହିଁଲେ ବିଲୟ ଭଜେ ।

 

କବିର ହୁଏତ ଆଗୁଆ ଦୃଷ୍ଟି ବା ଆକାଶ ଆଡ଼େ ଚାହିଁବା ଦରକାର ହୋଇପାରେ । ଉପନ୍ୟାସ ଲେଖକର ଥିବା ଦରକାର କେବଳ ନିମ୍ନଗାମୀ ଦୃଷ୍ଟି । ସେ କ’ଣ ଦେଖିଲା ?

 

ଜୀବନର ପ୍ରତିମ୍ବକୁ ଉପନ୍ୟାସରେ ଫୁଟାଇବାକୁ ହେଲେ ନିଜେ ଜୀବନ ସହିତ ଏକାକାର ହୋଇଥିବା ଦରକାର । ମଣିଷର ରାଗ, କ୍ରୋଧ, ଲୋଭ, ହିଂସା, ଶଠତା ଲମ୍ପଟତା ଆଦିରେ ଭାଗୀଦାର ନ ହୋଇ ଯେଉଁମାନେ ଶୃଙ୍ଖଳିତ ଜୀବନ ସରକାରୀ କୋଠିରେ, ସରକାରୀ ଛତା ତଳେ କଟାଇଥାନ୍ତି ସେହିମାନେ କିପରି ଜୀବନର ପ୍ରତିଛବି ଉପନ୍ୟାସରେ ଆଣିବେ ?

 

ସମୀକ୍ଷକମାନେ ବୁଝିବାକୁ ଅରାଜ ଥିବାରୁ ଅନେକ ସମୟରେ ଲେଖାକୁ ବିକୃତ ଅର୍ଥ କରି ପଢ଼ିଥିବା ବହିରୁ କ’ଣ ମେଞ୍ଚାଏ ପାଇଗଲେ ବୋଲି କହନ୍ତି ଓ ଲେଖନ୍ତି । ଇଏ ହେଉଛି ଯେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖି ଆନନ୍ଦରେ କୁଳୁକୁଳୁ ହେବା ପରି ଜିନିସ । ଆମେ ଚିଲିକା କୂଳରେ ଅବା ପୁରୀ ସମୁଦ୍ରକୂଳକୁ ଦଶମିନିଟ୍‌ ଦେଖି ଜୀବନକୁ ଭରିଦେଲା ପରି ଆନନ୍ଦ ପାଇପାରୁ । ସମୁଦ୍ରର ନୋଳିଆ ଅବା ସମୁଦ୍ର ପାଖରେ ରହୁଥିବା ଲୋକ ସେହିପରି ଆନନ୍ଦ ପାଇପାରେ ନାହିଁ କାହିଁକି ?

 

ଓଡ଼ିଆ ଔପନ୍ୟାସିକଙ୍କର ଲେଖା ପଢ଼ି ଅନେକ ଲୋକ ଭାରି କୃତକୃତ୍ୟ ଆଉ କୃତାର୍ଥ । ଆହା, କ’ଣ ନ ହେଲା ? ସେହି ଅସୁନ୍ଦରୀ ଅଜାତି ଝିଅଟା ସ୍ୱର୍ଗର ପରି ହୋଇଗଲା । ଅମୁକ ସ୍ତ୍ରୀ ଲୋକଟି ତାହାର ସ୍ୱାମୀର ମନୋରଞ୍ଜନ ପାଇଁ ସେହି ଅବିବେକୀ ସ୍ୱାମୀକୁ ଆଉ ଗୋଟିଏ ସ୍ତ୍ରୀ ଆଣି ଭେଟି ଦେଲା ।...ବାଃ, ବାଃ ।

 

ଏହି ବାହା–ବାହା ରଡ଼ି ହେଉଛି ସାହିତ୍ୟର ମୂଲ୍ୟାୟନ । ନିଜର ଅବିବେକୀପଣିଆର ସରଳ ଅର୍ଥ । ଏମାନେ କହନ୍ତି ଯେ ଯଦି ଜଣକୁ ସାର୍ଟିଫିକେଟ୍‌ ଦବା ଦରକାର ଥାଏ, ତାହାହେଲେ ଭଲ ସାର୍ଟିଫିକେଟ ଟାଏ ଦିଅ–ଯେମିତି ତମେ ତମର ଅପଦାର୍ଥ ପୁଅ, କୁଳାଙ୍ଗାର ଜୋଇଁ ଅବା ତମର ଢିଅ କୁତାକୁ ଆନନ୍ଦରେ ଆଉଁସୁଛ । ସେମିତି କିଛି ଭଲ ଭଲ କଥା ଆମକୁ ଶୁଣାଇ ଖୁସି କର ।

 

ଜୀବନର କଷଟି ହେଉଛି ଏହି ପ୍ରକାରର ମିଛ ପ୍ରଶଂସା । ସଭାସମିତିର ହାତତାଳି ବା ଧନ୍ୟବାଦ ଅର୍ପଣ ପରି ଗୋଟାଏ ପ୍ରକାରର କାମ ।

 

ଆଜି ଓଡ଼ିଆ ସାହିତ୍ୟରେ ଏହି ପାଟିସୁଆଦିଆ ଆଉ କାନ ସୁଆଦିଆ କଥାର ପୂର୍ଣ୍ଣଚ୍ଛେଦ ପଡ଼ିବା ଦରକାର । କାରଣ ସମସ୍ତେ ଏହି ମିଛ କଥାକୁ ସତ ବୋଲି ଧରି ନେଇ ଆନନ୍ଦରେ ଫୁଲି ମୋଟା ହେଉଛନ୍ତି । ସାହିତ୍ୟକୁ କହୁଛନ୍ତି ଯେ ବସ୍ତୁ–ତାନ୍ତ୍ରିକ ନଗର–କେନ୍ଦ୍ରିକ ଜୀବନର ଅପରିହାର୍ଯ୍ୟ ଅଂଶ ।

 

ଆଉ ଟିକିଏ ଖୋଲି ବୁଝାଇବାକୁ କହିଲେ ସେମାନେ କହିବେ ଯେ ଯେଉଁ ଲୋକେ ବେଶି ସୁବିଧାରେ ରହିବେ ବୋଲି ଆଶା କରି ନିଜର ଭିଟାମାଟି ଘରଦୁଆରର ମାୟା ଛାଡ଼ି ସହରରେ ମାସକୁ ଦେଢ଼ଶହ ଦି’ଶହ ଟଙ୍କା ରୋଜଗାର କରି ପଚାଶଟଙ୍କା ଭଡ଼ାରେ ଦେଢ଼ବଖୁରିଆ ଘର ଭଡ଼ା ନେଇ ଅଧା ଉପାସରେ ରହି ରାତିରେ ଜହ୍ନ ଆଲୁଅକୁ ତାରିଫ୍‌ କରନ୍ତି ସେହିମାନେ ଏହି ବସ୍ତୁ–ତାନ୍ତ୍ରିକ ଓ ନଗରକେନ୍ଦ୍ରିକ ଲୋକ । ୟାଙ୍କରି ପାଇଁ ଲେଖା ହେଉଛି ସାହିତ୍ୟ-

 

ଆସ ତାହାହେଲେ ପଚାରିବା ଆମର ଓଡ଼ିଶାର ଉପନ୍ୟାସ ରାଜ୍ୟର ରଥୀ ମହାରଥୀମାନଙ୍କୁ–ଏଇ ଗାଁ ଛଡ଼ା ସହରମୁହାଁ ପରିବାରମାନେ ମଣିଷ ନା ପଶୁ ? ସେମାନଙ୍କର ଜୀବନର ଦର୍ଶନ ଉନ୍ନତ ନା ଅବନତ ? ଏମାନେ ମଣିଷରୁ ପଶୁ ପାଲଟି ଗଲେ ନା ପଶୁରୁ ମଣିଷ ହେଲେ ?

 

ଆମର କେଉଁ ସାହିତ୍ୟିକ ଏହାର ଉତ୍ତର ଦେଇଛି ? ବା ନିକଟରେ ଉତ୍ତରଟିଏ ଦେବ ବୋଲି ଆଶା କରି ପାରିବା ? ଆମେ ପାଇଥିବା ଜୀବନର ଭିତ୍ତିଭୂମି ଘୃଣାର ବା ଅବଜ୍ଞାର ବସ୍ତୁ ନୁହେଁ–କିଏ ଲେଖିଛି ଏକଥା ? ମୁଁ ହୁଏତ ମୁର୍ଖ–ଜାଣି ନାହିଁ । ତମେ ଜଣେ ବିଦଗ୍‌ଧ ପାଠକ–କହିଲ ଦେଖି, ନିଜର ଜୀବନକୁ ସରଳ ସୁସ୍ଥ ଓ ସବଳ ବୋଲି କେଉଁ ଓଡ଼ିଆ ଲେଖକ ଆମକୁ ଏହି ପଚିଶିବର୍ଷରେ ଆଶାରେ ଆଶାର କଥା ଦି’ପଦ ବିଶ୍ୱାସଯୋଗ୍ୟ ବର୍ଣ୍ଣନାରେ ବୁଝାଇଲା ?

 

ଯଦି ଓଡ଼ିଆ ସାହିତ୍ୟିକ ବିଧର୍ମୀ ନୌକର–ସାହୀ ହୋଇ ନ ଥାନ୍ତା ତାହାହେଲେ ଆମେ ଅପନ୍ତରାକୁ ସ୍ୱର୍ଗ ବୋଲି ଭାବିବାକୁ ଦର୍ଶନ ଓ ତତ୍ତ୍ୱ ପାଇଥାନ୍ତି । ଏବେ ସ୍ୱର୍ଗର ରୂପ ହେଉଛି ଯେ ତମେ ଭଣ୍ଡାମି ଓ ଧପ୍‌ପାବାଜି କରି ଅନ୍ୟକୁ ଶୋଷି ଖାଇ ବଳୁଆ ହୁଅ । ଏତକ ମଧ୍ୟ ଖୋଲାଖୋଲି ଲେଖିଲା କିଏ ?

 

ଗତ ପଚାଶ ବର୍ଷରେ ଲେଖା ହୋଇଥିବା ସାହିତ୍ୟ କୃତିରେ ଆଶା ଓ ଉତ୍ସାହ ପାଠକକୁ ଦିଆ ହୋଇ ନାହିଁ । କାରଣ ଲେଖକ କହିଲେ ବୁଝାଇଲା ପାଠପଢ଼ି ସୁବିଧାରେ ଥିବା ଲୋକ କେଇଟିଙ୍କୁ । ସେମାନେ ନିଜର ସୁଖ ସଂପଦ ଓ ଭବିଷ୍ୟତ ନେଇ ପୂର୍ଣ୍ଣପ୍ରାଣରେ ଲାଗୁଥିଲେ ।

 

ଉପନ୍ୟାସ ଲେଖକ ଶ୍ରୀ ବୈଷ୍ଣବଚରଣ ଦାସ ତାଙ୍କର ପୁଲିସ ଡେପୁଟି ସୁପରିଟେଣ୍ଡେଣ୍ଟ ଚାକିରିରୁ ଉପରକୁ ଉଠିବାରେ ଲାଗିଲେ । ଶ୍ରୀ ଗୋବିନ୍ଦ ତ୍ରିପାଠୀ ଡିପୋଟି ଚାକିରିରୁ ଉପରକୁ କେତେ ଦୂରକୁ ଯିବା କଥା–ସେଥିରେ ରହିଲେ । ଶ୍ରୀ ଗୋପୀନାଥ ମହାନ୍ତି ସେହିପରି ସବ୍‌ ଡେପୁଟି ଚାକିରିରୁ ଉପରକୁ ଉଠିବାରେ ମନ ଦେଲେ । ଶ୍ରୀ କାହ୍ନୁ ଚରଣ ମହାନ୍ତି ସେକ୍ରେଟେରିଏଟରୁ ଉଠି କିଲଟର ହେବା କାମରେ ଲାଗିଲେ । ଶ୍ରୀ ଅନନ୍ତ ପ୍ରସାଦ ପଣ୍ଡା ତାଙ୍କର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଚାକିରିରୁ ସମବାୟ ବିଭାଗର କର୍ତ୍ତା ହେବାରେ ଲାଗିଲେ । ଶ୍ରୀ ବୈକୁଣ୍ଠ ନାଥ ପଟ୍ଟନାୟକ ଶିକ୍ଷାବିଭାଗର ମାଇନର ସ୍କୁଲ ହେଡ଼ମାଷ୍ଟର କାମରୁ ଉପରକୁ ଉଠିବାରେ ମନ ଦେଲେ ।

 

ଏମିତି ଚାଲିଲେ ସମସ୍ତେ । ଶ୍ରୀ ବୈଦ୍ୟନାଥ ରଥ ଟ୍ରେନିଂ କଲେଜର ଅଧ୍ୟାପକ ପଦବୀରୁ ସେହି ହତା ଭିତରେ ଉପରକୁ ଉଠିବାରେ ଚାଲିଲେ । ଏମିତି ଆମର ଯେତେ ଅଧ୍ୟାପକ, ଡିପୋଟି ଇତ୍ୟାଦି ଚାକିରିର ସାହିତ୍ୟସେବୀ ବାହାରିଲେ ସମସ୍ତଙ୍କର ପ୍ରଗାଢ଼ ଯତ୍ନ ରହିଲା ନିଜର ସ୍ଥିତିର ଉନ୍ନତି କରିବାରେ । ପ୍ରାୟ ପଚାଶ ମସିହା ଯାଏ ନିୟମ ଥିଲା ଯେ ସରକାରୀ ଚାକିରିଆମାନେ ସ୍ୱାଧୀନ ମତ ଦେଇ ଲେଖାଲେଖି କରିବେ ନାହିଁ । ଏହି ନିୟମ ଅଦ୍ୟାବଧି ଅଧ୍ୟାପକ ପ୍ରାଣବନ୍ଧୁ କର ମାନିବାକୁ ନିଜର ଗୌରବ ମନେ କରନ୍ତି ।

 

ଏଥିରେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯେଉଁମାନେ ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରି ପଦୋନ୍ନତି ନ ପାଇଲେ ସେମାନେ ମଧ୍ୟ ଲେଖକ ରାଜ୍ୟରେ ସମୁଚିତ ପଦପଦବୀ ପାଇ ପାରିଲେ ନାହିଁ । ଆମେ ଯେମିତି ସମସ୍ତେ ଗୋଟାଏ ଉଚ୍ଚ ପଦବୀର ସରକାରୀ ଚାକର ନ ପାଇଲେ ଆଉ ତାଙ୍କର ସୁଚିନ୍ତିତ ମତାମତର ପୃଷ୍ଠାପୋଷକତା ନ ପାଇଲେ ଜୀବନକୁ ଧନ୍ୟ ମନେ କରି ପାରୁ ନାହୁଁ ।

 

ଆଜି ସେମାନଙ୍କୁ ଗାଳି ଦେଲେ ଲାଭ କ’ଣ ?

 

ଗାଳି ଦେବାରେ ଲାଭ ଅଛି । ସେମାନେ ଏକାପ୍ରକାରର ସ୍ଥିତିର ଲୋକ ହେଇଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ମତକୁ ସାରା ଓଡ଼ିଆ ସାହିତ୍ୟର ମତ ବୋଲି ଜାହିର କରି ପାରିଛନ୍ତି । ତେଣୁ ଉଚ୍ଚାଙ୍ଗ ସାହିତ୍ୟ କହିଲେ ସେମାନେ ଲେଖୁଥିବା ପ୍ରକାରର ସାହିତ୍ୟକୁ ବୁଝାଉଛି-

 

ହିନ୍ଦୀ ସାହିତ୍ୟର ମୁନ୍‌ସି ପ୍ରେମଚନ୍ଦ ବା ବଙ୍ଗଳା ସାହିତ୍ୟର ଶରତଚନ୍ଦ୍ରଙ୍କ ପରି ଓଡ଼ିଆ ସାହିତ୍ୟରେ ସେହି ଶ୍ରେଣୀର ଲେଖକ କାହିଁକି ଆସି ପାରିଲେ ନାହିଁ–ବିଚାରିବାର କଥା ।

 

ଏହାର ମୂଳ କାରଣ ହେଲା ଯେ ସେହି ପ୍ରତିଷ୍ଠିତ ଲେଖକମାନେ ଅନ୍ୟ ଶ୍ରେଣୀର ସାହିତ୍ୟ ସୃଷ୍ଟିକୁ ନିଜର ସ୍ଥିତିର ସୁବିଧା ନେଇ ଦବାଇ ଦେଲେ । ଆଜି କବି ରବି ସିଂ ସେହି ଅଭିଯୋଗ କରୁଛନ୍ତି ଆଇ. ଏ. ଏସ. ଓ ଓ. ଏ. ଏସ. କବିମାନଙ୍କର ବିରୁଦ୍ଧରେ । ଏହି ଅଭିଯୋଗ ଠିକ୍‌ ।

 

ପୁଲିସ ମେଡ଼ାଲ ଦିଆଯାଉଛି ଆଇ. ପି. ଏସ୍‌. ଅଫିସରଙ୍କୁ । ବଡ଼ ହାକିମଙ୍କର ପିଲାମାନେ ସଂସାରର ସବୁ ସରଲହୁଣୀ ନେଇ ଯାଉଛନ୍ତି ଶେଷରେ ସେମାନେ ସମାଜର ନ୍ୟାୟ ମାଗି କହୁଛନ୍ତି–ମୋର କି ଦୋଷ ? ମୋର ବାପଦାଦି ବଡ଼ ହୋଇଥିଲେ ବୋଲି କ’ଣ ମୋର ପ୍ରତିଭାର ଯଥା ଉପଯୁକ୍ତ ସ୍ୱୀକୃତି ପାଇପାରିବି ନାହିଁ ? ମତେ ତମେ ଓଡ଼ିଆ ପାଠକମାନେ ସେଥିରୁ ବଞ୍ଚିତ କରିବ ?

 

ଏଇ କଥା ମଧ୍ୟପ୍ରଦେଶର ଚମ୍ବଲ ଉପତ୍ୟକାର ଡକାଏତ ସର୍ଦ୍ଦାରଙ୍କର ସ୍ତ୍ରୀ ଓ ମାଆମାନେ ଜନତାକୁ ପଚାରିଥିଲେ । ବାପା ଦାଦି ଡକାଏତ ହେଇ ଖୁଣୀ ଆସାମୀ ହୋଇଛନ୍ତି ସତ । କିନ୍ତୁ ଏଇ ପିଲାମାନଙ୍କର ଦୋଷ କ’ଣ ?

 

ଇନ୍‌ ବଚୋଁକା କ୍ୟା କସୁର୍‍ ?

 

ଏହାର ଉତ୍ତର କେହି ଦେଇପାରିବ ନାହିଁ । ଇହୁଦୀ ହତ୍ୟାର ଉତ୍ତର ସଭ୍ୟସମାଜ ଦେଇ ପାରିଲା ନାହିଁ । ପରସ୍ୱ ଅପହରଣକାରୀ ରାଷ୍ଟ୍ରର ଯୁଦ୍ଧ ଘୋଷଣାର ଉତ୍ତର ସୃଷ୍ଟିର ଆରମ୍ଭରୁ ଆଜିଯାଏ କେହି ଦେଇ ପାରିଲେ ନାହିଁ । ଛୋଟ ସ୍ତରରେ ମାଲିମକଦ୍ଦମାର ସର୍ଜନାର କାରଣ ଓ ପ୍ରତିକାର କେହି ଦେଇପାରିଲେ ନାହିଁ ।

 

ତେଣୁ ଆମେ ସାହିତ୍ୟିକମାନେ କାହିଁକି ଅନ୍ୟର ସାହିତ୍ୟ କୃତିକୁ ଉପଯୁକ୍ତ ସମୀକ୍ଷା ନ କରି ସ୍ୱୀକୃତି ଦେବୁ ? ଦିନେ ଏହାକୁ ଉପଯୁକ୍ତ ବୋଲି କହି ଦେଇଥିଲୁ ବୋଲି ଆଜି ଆଉ ଥରେ କାହିଁକି ମତ ବଦଳାଇବୁ ନାହିଁ ?

 

ଏହି ମତାମତର ପରଖ ନେବାକୁ ଆମକୁ ବାଧ୍ୟତାମୂଳକ ଭାବରେ ଲେଖକର ବ୍ୟକ୍ତିଗତ ଜୀବନ ସହିତ ତାହାର ଲେଖାକୁ ଆଲୋଚନା କରିବାକୁ ବାଧ୍ୟ । ଏହାଦ୍ୱାରା କିଛି ଅଂଶରେ ତାଙ୍କର ଘରୋଇ ଜୀବନର ସମୀକ୍ଷା କରା ହେଉଥିଲେ ମଧ୍ୟ ଏହାଛଡ଼ା ଅନ୍ୟବାଟ ନାହିଁ-

 

ଓଡ଼ିଆ ସାହିତ୍ୟରେ ସ୍ୱଧୀନତା ପରେ ପ୍ରଥମେ ଲବ୍‌ଧପ୍ରତିଷ୍ଠ ହେଲେ ଶ୍ରୀ ଗୋପୀନାଥ ମହାନ୍ତି । ସେତେବେଳେ ତାଙ୍କର ବୟସ ଚାଳିଶି । ସେ ଓଡ଼ିଆ ସାହିତ୍ୟର ପ୍ରଥମ କେନ୍ଦ୍ର ସରକାରଙ୍କର ପୁରସ୍କୃତ ସାହିତ୍ୟିକ । ସାହିତ୍ୟିକ ଖ୍ୟାତି ଏହି ବୟସରେ ହେବା ଉଚିତ୍‌ । ଯେଉଁମାନଙ୍କର ଏତକ ନ ହୁଏ ସେମାନେ ସାଧାରଣରେ ନିକୃଷ୍ଟ ଶ୍ରେଣୀର ସାହିତ୍ୟିକ ।

 

ଏହି ସାହିତ୍ୟ ପୁରସ୍କାର ପାଇଲାବେଳକୁ ତାଙ୍କର ସାହିତ୍ୟ ସାଧନା ହାରାହାରି କୋଡ଼ିଏ ବର୍ଷର ଓ ଚାକିରି ପନ୍ଦର ବର୍ଷର । ଏହି ସମୟ ଭିତରେ ସେ ଗଡଡାଳିକାରେ ବିବାହିତ ସଂସାରୀ ଓ ପରିବାରର ମୁଖ୍ୟ । ଜଣେ ସରକାରୀ କର୍ମଚାରୀ ଓ ସାହିତ୍ୟ ସେବୀ ।

 

ତାଙ୍କୁ ଚଉବନ ମସିହାରେ ଯେଉଁ ସାହିତ୍ୟ ଯଶ ମିଳିଲା ତାହାରି ପଛରେ ତାଙ୍କର ପ୍ରତିଭା ଥିଲା କି ନ ଥିଲା ଏତକ ହେଉଛି ପ୍ରଶ୍ନ ।

 

ଫକୀରମୋହନଙ୍କ ପରେ ବହୁତ ବର୍ଷ ଧରି ଓଡ଼ିଆ ସାହିତ୍ୟରେ ଧାରାବାହିକ ଉପନ୍ୟାସ ରଚୟିତା କେହି ନ ଥିଲେ । ଯିଏ ଜଣେ ଅଧେ ଆସୁଥିଲେ ଶହେ କୋଡ଼ିଏ ପୃଷ୍ଠାର ବହି ଦି’ଖଣ୍ଡ ଖଣ୍ଡେ ଲେଖି ଉପନ୍ୟାସ ରଚୟିତା ହେଉଥିଲେ । ଗୋପୀନାଥ ବାବୁ ଏହାର ବ୍ୟତିକ୍ରମ ।

 

ସେ ସ୍ୱାଧୀନତା ସମୟରେ ଦୀର୍ଘ ଉପନ୍ୟାସ ରଚନା କରିବାରେ ପ୍ରଥମ । ସେତେବେଳେ ପଇଁଚାଳିଶିରୁ ବାଉନ ମସିହା ସାତବର୍ଷ ମଧ୍ୟରେ ଗୋପୀନାଥବାବୁ ଓଡ଼ିଆ ସାହିତ୍ୟରେ ପ୍ରତିଷ୍ଠିତ । ତାଙ୍କର ଉପନ୍ୟାସର ତୁଳନାରେ ଅନ୍ୟ ସମସ୍ତ ଲେଖା ନିଷ୍ପ୍ରଭ । ତେଣୁ ଗୋପୀନାଥ ବାବୁ ବିଷିଷ୍ଟ ସ୍ଥାନ ଗ୍ରହଣ କରିଥିଲେ । ପୁରସ୍କାର ପାଇବା ସେହି ସାଧନାର ଆନୁଷ୍ଠାନିକ ସ୍ୱୀକୃତି ।

 

ସେତେବେଳକୁ ଗୋପୀନାଥବାବୁ ଆଦିବାସୀ ସମାଜ ଉପରେ ତାଙ୍କର ଉପନ୍ୟାସ ରଚନା କରୁଥାନ୍ତି । ଏହାଛଡ଼ା ସମାଜର ଅନ୍ୟାନ୍ୟ ଶ୍ରେଣୀ ଉପରେ ମଧ୍ୟ ଲେଖିଥାନ୍ତି । ତାଙ୍କର ଲେଖାର ବିଶେଷତ୍ୱ ଥିଲା ଯେ ସେ ଘଟଣାର ଚିତ୍ର ସହିତ ନିଜର ମତାମତ ଦେବାର ଶକ୍ତି ମଧ୍ୟ ଦେଖାଇଥିଲେ ।

 

ଏହା ପୂର୍ବରୁ ଉପନ୍ୟାସ ଗଳ୍ପ କହିଲେ କେବଳ ଘଟଣାର ବର୍ଣ୍ଣନାକୁ ବୁଝାଉଥିଲା । ଘଟଣାର ଆରମ୍ଭ ଠିକ୍‌ ଭାବରେ ହେଉଥିଲା । କିନ୍ତୁ ଶେଷ କରିବା ବଡ଼ ଦୁରୂହ ଥିଲା । କାରଣ ଲେଖକର ଜୀବନର ଆଦ୍ୟଭାଗରେ ଯେଉଁ ଚିତ୍ରଟି ତାକୁ ଆଘାତ ଦେଉଥିଲା ସେଇଥିରୁ ଲେଖାଟି ଆରମ୍ଭ କରିପାରୁ ଥିଲା ସିନା । କିନ୍ତୁ ଶେଷଟି ଲେଖିବା ତାହାର ଅନୁଭବର ବାହାରେ ଥିଲା ।

ଗଳ୍ପରେ ଏହି ଅସୁବିଧା ନ ଥିବାରୁ ଅଧିକାଂଶ ଲେଖକ ଗଳ୍ପରେ ମନ ଦେଇଥିଲେ–ଜାଗା କମ୍‌ । ବିଷୟ କମ୍‌ । ଆରମ୍ଭ ଓ ଶେଷରେ ଅଡ଼ୁଆ ନାହିଁ । ତଥାପି ଗଳ୍ପର ସଂଖ୍ୟା ଥିଲା ଅତି କମ୍‌ । କାରଣ ଗଳ୍ପଟିଏ ଲେଖିବା ପାଇଁ ଯେତିକି ନୂଆ ଅନୁଭୂତି ଦରକାର ତାହାର ଉପଯୁକ୍ତ କ୍ଷେତ୍ର ଓଡ଼ିଶାରେ ନ ଥିଲା । ମୋଟାମୋଟି ସ୍ୱାଧୀନତା ବର୍ଷ ପର୍ଯ୍ୟନ୍ତ ଜୀବନଟା ବୈଚିତ୍ର୍ୟମୟ ହୋଇ ପାରୁ ନ ଥିଲା ।

ସମସ୍ତେ ଥିଲେ ଭଲ ପିଲା ପରି । ସମାଜ ସହିତ ବିରୋଧ ନାହିଁ । ଗଡଡାଳିକା ବାହାରେ ଚଳିବାର ପ୍ରବୃତ୍ତି ନାହିଁ । ବାପା ମଉସା କହିଥିଲେ–ବାବୁରେ ! ଆମେ କି କଷ୍ଟରେ ତତେ ମରଣିଷ କରିଛୁ ସେତିକି ବୁଝି ବିଚାରି ନିଜର ପେଟ ପୋଷିବୁ । କୁଳରେ କଳଙ୍କ ହେବୁ ନାହିଁ ।

ପିଲା ବି ଥିଲା ସୁଧାର । ସେ ତ ଗୋଟିଏ ରୋଗୀ–ରୋଗରୁ ଉଠି ପଥି ଧରିଛି । ପାଣି ପବନକୁ ଡରି ସେ ଚଳୁଛି । ସେ ଅନିୟମ କରିବ କେମିତି ?

ସେତିକି ବହୁତ ଦୁଃଖ ଭିତରେ ଦେଇ ଯିଏ ଖଣ୍ଡେ ଖଣ୍ଡେ ଚାକିରି ପାଇଥିଲେ ସେମାନଙ୍କର ମନଧ୍ୟାନ ଓ କାମନା ଥିଲା ସେହି ଛତା ଖଣ୍ଡିକ ଯତ୍ନରେ ରଖିବାରେ । ସେଥିରେ ପରେ ଦୁଃଖ କଥା ଗୋଟାଏ କଳ୍ପନାବିଳାସ । ଅନ୍ୟପାଇଁ ନିଜକୁ କାଟି ଫୋପାଡ଼ି ଦବା ଅନୁଭବର ବାହାରେ ।

ଭୋକିଲା ପଶୁ ତାହାର ଆହାର ଓ ଶିକାର ପାଇଁ ଜୀବନ ପଣ କରି ରହିଲା ପରି ସେତେବେଳେ ସମସ୍ତେ ନିଜ ନିଜର ପେଡ଼ିପେଟରା ହାଣ୍ଡିପଲମକୁ ଜଗି ବସିଥିଲେ । ନିଜ ପାଇଁ ଆଗ୍ରହ ଥିଲା–ପର ପାଇଁ କିଛି ନ ଥିଲା ।

ନିଜର ସୀମିତ ବୁଦ୍ଧିବଳ ଓ ଅଧ୍ୟବସାୟରେ ସାହିତ୍ୟ ଥିଲା ଗୋଟାଏ ସୌଖିନ ପେଶା-। ଦି ମାସ ମାସକରେ କିଏ ଗଳ୍ପ ବା କବିତାଟିଏ ଲେଖିଲେ କୁହା ଯାଉଥିଲା–ବାବୁ ଲେଖିଛନ୍ତି । ବାବୁ ଲେଖିବେ । ଲେଖିବା ଆଗରୁ ମୁଣ୍ଡରେ ବାସନା ତେଲ ଆଉ ମୁହଁରେ ସ୍ନୋ ପାଉଡ଼ର ଲଗାଇ କଲମ ଧରିବାକୁ ଲୋକେ ଯାଉଥିଲେ ।

ହେବାର କଥା–କାରଣ ବାବୁମାନେ ସାହିତ୍ୟ ଚର୍ଚ୍ଚା କରୁଥିଲେ । ଆଗ କାଳର ପାଇକ ସରଦାର ଯୁଦ୍ଧ କଲାପରି । ଚାରିଜଣ ଲୋକ ତୈଳ ମର୍ଦ୍ଦନ କରିବେ । ଦି’ଜଣ ନିଶରେ ମହମ ଲଗାଇବେ । ପ୍ରିୟତମା ଆସି କପାଳରେ ସିନ୍ଦୂର କଲି ଦେଇଯିବ । ସରଦାର ସାହେବ ଇଷ୍ଟଦେବଙ୍କୁ ସ୍ମରଣ କରି ଯୁଦ୍ଧକୁ ଯିବେ । କାରଣ ସରଦାରଙ୍କର ଥିଲା ଜାଗିରି ଓ ଜମିଦାରୀ ।

ସେହିପରି ବାବୁଭୟା ଲେଖିବା ଆଗରୁ ବିବିଧ ହାତ ହତିଆରରେ ସଜ୍ଜିତ ହୋଇ ଚିନ୍ତା କରିବାକୁ ବସୁଥିଲେ । ଏହାର ବ୍ୟତିକ୍ରମ ଥିଲେ ଗୋପୀନାଥବାବୁ ।

ସାହିତ୍ୟ ସୃଷ୍ଟିକୁ ଆୟାସସାଧ୍ୟ କଳାର ସାଧନା ରୂପେ ନ ନେଇ ସେ ଏହାକୁ ଗୋଟିଏ ସହଜ ଶ୍ରମଶିଳ୍ପ ରୂପେ ନେଇ ପାରିଥିଲେ । ଅନ୍ୟ ମାନଙ୍କଠାରୁ ତାଙ୍କର ସ୍ୱାତନ୍ତ୍ର୍ୟ ଏଇଠି ଥିଲା ।

ସେତେବେଳେ କାହ୍ନୁଚରଣ ବାବୁଙ୍କର ଉପନ୍ୟାସ ଛୋଟ ଛୋଟ କଥାକୁ ଆଧାର କରି ଚାଲୁଥିଲା । ବାବୁ ରାଜକିଶୋର ରାୟ ଦି’ଡଜନ ଗଳ୍ପ ଲେଖି ଗାଳ୍ପିକ । ବାବୁ ରାଜକିଶୋର ପଟ୍ଟନାୟକ ଆଉରି ଛୋଟ କାଟିଆ । କାଳିନ୍ଦୀବାବୁ ମନ ଦେଲେଣି ବିଷୟ ସଂପତ୍ତି କରିବାରେ । ବୈକୁଣ୍ଠବାବୁ ତାଙ୍କର ଶ୍ୟାମଳତା ହରାଇ ରୁକ୍ଷ ହେଲେଣି । ଡକ୍ଟର ମାନସିଂହ ତାଙ୍କରି ଧୂପ ବହି ପାଇଁ ଉତ୍ପୀଡ଼ିତ ।

 

ସେହି ଚଉବନ ମସିହାରେ ଓଡ଼ିଶାର ସାଂସ୍କୃତିକ ପରିବେଶ ଶୁଖିଲା । ବିଷୟ କାହିଁ-?-ନାୟକ କିଏ ? ନାୟିକାର ମୂଲ୍ୟାୟନ ଅତି ନୀଚ ? ଲେଖାଯିବା କ’ଣ ?

 

ଶ୍ରେଣୀ ଥିଲା; କିନ୍ତୁ ଶ୍ରେଣୀସଚେତନ ନାଗରିକ ଅଳ୍ପ ଥିଲେ । ସୂର୍ଯ୍ୟ ଚାରିପାଖରେ ପୃଥିବୀ ବୁଲିବା ପରି ସମସ୍ତେ ଶ୍ରେଣୀର ସ୍ଥିତି ବିଷୟରେ ଅଜ୍ଞ ନ ଥିଲେ ମଧ୍ୟ ଅଭିଜ୍ଞ ନ ଥିଲେ । ଏହି ଶ୍ରେଣୀ କଥା ସାର୍ବଜନୀନତାର ବିରୋଧି । ଏହାର ଆମଦାନି ହେଲା ଇଂରାଜି ପଢ଼ୁଆ ସାହିତ୍ୟିକମାନଙ୍କ ଦ୍ୱାରା ।

 

ସେହିମାନେ ଆସି ଉସୁକେଇବା ଆରମ୍ଭ କରି ଦେଲେ । ଏହି ସଚେତନତା ଆଣିବା କାମ ରାଜନୈତିକ ଦଳମାନେ କରୁଥିଲେ । ତାଙ୍କର ପାଳିଆ ହେଇ ସାହିତ୍ୟିକମାନେ ଏଇ କାମରେ ଲାଗିଗଲେ ।

 

ବାଉଁଆ ଗୋଷ୍ଠୀର ସ୍ୱାଧୀନତା ପୂର୍ବବର୍ତ୍ତୀ ସାହିତ୍ୟିକ ଆଇନଜୀବୀ ଶ୍ରୀ ରଘୁନାଥ ଦାସ ପ୍ରତ୍ୟେକ ସାହିତ୍ୟ ସୃଷ୍ଟିରୁ ଏହି ଆଲୋଚନାମୂଳକ ତତ୍ତ୍ୱ ଖୋଜିଲେ । ମୂଷାକୁ ବିଲେଇ ଖାଇଗଲା–ଘଟଣା ହେଲା ଏତିକି ।

 

କାହିଁକି ଖାଇଲା ? ମାଲିକ ଘରେ ଧାନ ଅଛି । ମୂଷା ସେତକ ଉଜାଡ଼ୁଛନ୍ତି । ମୂଷା ମାରିବାକୁ ସେ ପାପ ବୋଲି ଭାବୁଛି । ସେ ବିଲେଇଟିଏ ପୋଷିଲା । ମୂଷାଙ୍କୁ ସେହି ନିପାତ କରୁଥାଉ । ମାଲିକ ବିଲେଇକୁ ଦୁଧଭାତ ଓ ମାଛ ଭାତ ଦେଇ ଧର୍ମ କରୁଥିବ । ଏଣେ ମୂଷା ମରୁଥିବେ ।

 

ଏଇ ଘଟଣାରେ ଲୁଟିଖିଆ, ଖଟିଖିଆ ତତ୍ତ୍ୱ ଅଛି । ଏଥିରେ ଅଛି କୁସଂସ୍କାର ଓ ଧର୍ମକୁ ଆଖିଠାରିବା କାମ । ଏଇଥିରେ ରହିଛି ପୁରୁଣା ଲୋକଙ୍କର ଚିନ୍ତାର ଗତିପଥ । ପୁଣି ସେଥିରେ ଅଛି ଧର୍ମ ଓ ନୀତିର ବିଭିନ୍ନ ତତ୍ତ୍ୱ । ଧନୀ କେଉଁଠୁ ଧାନ ଆଣି ସାଇତିଲା ? ଆଉ କେତେଦିନ ପାଇଁ ରଖିଛି ? ସେମିତି ସେ ରଖିବ କାହିଁକି ? ଏହି ଅଧିକାର ଉପରେ ଦେଶର ଶାସନ କାହିଁକି ନିୟନ୍ତ୍ରଣ ଆଣିବ ନାହିଁ ? ନିଜେ ହାତରେ କାମୁଡ଼ା ଯନ୍ତା କି ଫାଶ ଯନ୍ତା ବସାଇ ମୂଷା ନ ଧରି ଅବା ମୂଷାମାରି ବିଷରେ ମୂଷାଙ୍କୁ ନିପାତ ନ କରି ସେ କାହିଁକି ଏମିତି ମୂଷାମାରି ବିଲେଇ ପୋଷିବ-?

 

ତତ୍ତ୍ୱ ନେଇ ତାହାର ଉପସଂହାର ଆଣିଲେ ଏଇ ସାମାନ୍ୟ କଥାରୁ ଶହେଟି ଗଳ୍ପ ଓ ପନ୍ଦରଟି ସନ୍ଦର୍ଭ ଓ ବିଭିନ୍ନ କିସମର ସମୀକ୍ଷା ଲେଖି ସାହିତ୍ୟର ପେଟକୁ ଭରି ହେବ । ଏଇଆ ଚାଲେ ସାହିତ୍ୟର କ୍ରମବର୍ଦ୍ଧମାନ ଓ କ୍ରମଗତିଶୀଳ ରାସ୍ତାରେ ।

 

କାହ୍ନୁଚରଣଙ୍କ ପରି ଲେଖକମାନେ ଏଇ ବିଲେଇ କଥା ଲେଖିଲେ ସାଧାସିଧା ଲେଖିଦେବେ । ଗୋପୀନାଥବାବୁ ଏଥିରେ ପଚିଶ ପୃଷ୍ଠା ଯୋଗ କରିଦେବେ ମୂଷାର ବିବର୍ତ୍ତନର ଇତିହାସ । ବାବୁ ସୁରେନ୍ଦ୍ର ମହାନ୍ତି ଏହାକୁ ଲେଖିଲେ ଏଇଥିରୁ ଅନେକ ପ୍ରକାରର ଉପସଂହାର କାଢ଼ି କହିବେ ବେଶ୍‌ ଚେତନଧର୍ମୀ ହେଲା । ବାବୁ ମଧୁ ମହାନ୍ତି ଏହି କଥାକୁ ନେଇ ଆମର ଶାସନକଳର ପୁରା ସମୀକ୍ଷା କରି ଦେବେ । ଏଣେ ପାଠକ ଦେଖୁଛି ଯେ ବିରାଡ଼ି ସମସ୍ତଙ୍କ ଘରେ ମୂଷାକୁ ଖାଇ ଅଡ଼ୁଆ ତୁଟାଉଛି ।

 

ଏମିତି କଥାକୁ ଛନ୍ଦରାଇ ଲେଖିଲେ ସାହିତ୍ୟ ହୁଏ ବୋଲି ଗୋପୀନାଥ ବାବୁ ପ୍ରମୁଖ କେତେ ଜଣଙ୍କର ଧାରଣା । ପାଠକ ଏଥିରେ ଧୈର୍ଯ୍ୟ ହରାଇ ବିରକ୍ତ ହୁଏ । ଏହି ଲେଖକ ଗୁଡ଼ାକ ଗୋଟାଏ ବିଚିତ୍ର ଜୀବ–କିଏ ଗୋଟିଏ ଚାଉଳରେ ଛବିଟିଏ ଆଙ୍କି ଆମକୁ ଦେଖାଉଛି ତ ଆଉ ଜଣେ ଚାଉଳଟିକୁ ନେଇ ଳେଖିଲାଣି ଦେଢ଼ଶହ ପୃଷ୍ଠା । ତାହାର ସେ ଲେଖୁଥାଉ । ମତେ ପଚାରିଲେ କହିଦେବି–ଭାରି ଭଲ ବହି । ମୁଁ ମୋଟେ ପଢ଼ି ପାରିଲି ନାହିଁ । ହେଲେ କ’ଣ ହେଲା ? ସିଏ ଲେଖକର ଦୋଷ ନୁହେଁ–ପାଠକର ଦୋଷ ? ଏହି ସ୍ୱୀକାରୋକ୍ତି ପାଇ ଲେଖକ ମଧ୍ୟ ବିହ୍ୱଳ । ବାବୁ ଗୋପୀନାଥ ମହାନ୍ତି ପ୍ରମୁଖ ବିହ୍ୱଳ ।

ଚିନ୍ତା ନାହିଁ । ସମୟ ଆସୁଛି । ଓଡ଼ିଆ ପାଠକର ମାନ ବଢ଼ିବ । ସେ ଆଜି ଯେଉଁ ସାହିତ୍ୟକୁ ରୁଚିକର ନୁହେଁ ବୋଲି କହୁଛି ପୁଣି ଥରେ ତା’କୁ ଆଦର କରିବ । ଏହି ଇଚ୍ଛା ବା କାମନାର ବୟସ ଆଜି ପଚିଶି ବର୍ଷରୁ ଅଧିକ ହେଲାଣି–ଅର୍ଥାତ୍‌ ଲେଖାର ସମୟ ପଇଁଚାଳିଶି ମସିହାରୁ ଆଜି ତେସ୍ତରୀ ହେଲାଣି । କେଉଁ ପାଠକର ମାନ ବଢ଼ିଲା ନାହିଁ ।

ବାଧ୍ୟତାମୂଳକ କାରଣରୁ କେତେକ ଇଂରାଜି ଓ ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ଗୋପୀନାଥ ମହାନ୍ତିଙ୍କର ଲେଖାକୁ କସରତ କରି ପଢ଼ିଲେ ସେଥିରୁ ତତ୍ତ୍ୱ କାଢ଼ିବା ପାଇଁ । ପାଇଲେ ଯେ ଏହି ଲେଖାରେ ଯୁଦ୍ଧୋତ୍ତର ଓ ଯୁଦ୍ଧପୂର୍ବ ସମୟରେ ପ୍ରଚାରିତ ସାହିତ୍ୟର ଛାୟା । ତେଣୁ ଗୋପୀବାବୁ ଆହରଣ ନ କରି ଲେଖିବାରେ ଅସମର୍ଥ ଥିଲେ ଏତକ ବୁଝାପଡ଼ିଲା ।

ସେ ଯଦି ଲେଖାଟିରୁ ତାହାର ମୂଲ୍ୟାୟନ କରନ୍ତେ ତାହାହେଲେ ଦେଖି ପାରନ୍ତେ ଯେ ସମକାଳୀନ ଓଡ଼ିଆ ସମାଜର ସୁଖ ଦୁଃଖର ମହାନଦୀ ଓ ଗୁପ୍ତଗଙ୍ଗାର ସ୍ରୋତ ସହିତ ସେ ପରିଚିତ ନୁହନ୍ତି । ହେବେ କିପରି ?

 

ପାଟନାରେ ରହି ସେ କଲେଜ ପର୍ଯ୍ୟନ୍ତ ଆସିଲେ । କଟକରେ ରହି କଲେଜ ପାଠ ଶେଷ କଲେ । ସେଇଠୁ ଓଡ଼ିଶାର ବର୍ଗୋତ୍ତମ ଚାକିରି ସବ୍‌ଡ଼େପୁଟି ହୋଇ ଯୋଗ ଦେଲେ । ଏହାରି ଅବସରରେ ସେ ଦେଖି, ଶିଖି, ଠଉରାଇ ଓ ଅନ୍ଦାଜ କରି ଚରିତ୍ର ଗଢ଼ିଲେ । ଏହି କଥାର ଅର୍ଥ ହେଲା ଯେ ତାଙ୍କର ଧାରଣାକୁ ରୂପାୟିତ କରିବାକୁ ସେ ସ୍ଥାନୀୟ ଚରିତ୍ରର କଙ୍କାଳଟିକୁ ଧଇଲେ । ତେଣୁ ଭିତରେ ଉଚ୍ଛ୍ୱାସ ଆଣିବାକୁ ସେ ବର୍ଣ୍ଣନା ଉପରେ ନିର୍ଭର କରିବା ସ୍ୱାଭାବିକ ।

 

ପ୍ରଥମ ବହିର ପ୍ରକାଶ ଦିଗରୁ ଗୋପୀନାଥବାବୁ ଯେତେବେଳେ ପ୍ରକାଶକ ସହିତ ଚୁକ୍ତି କରନ୍ତି ସେଥିରେ ସେ କେତେକ ସର୍ତ୍ତ ରଖୁଥିଲେ–ତାଙ୍କର ଲେଖାର ବିଭିନ୍ନ ୟୁରୋପୀୟ ଭାଷାର ଭାଷାନ୍ତର ହେଲେ ସେ କେଉଁ ହାରରେ ଟଙ୍କା ପାଇବେ । ସମକାଳୀନ ଓଡ଼ିଆ ଲେଖକ ଯେତେବେଳେ ଓଡ଼ିଆରେ ଲେଖା ପାଇଁ ସରଳ ସହଜ ଚୁକ୍ତି କରୁଥିଲେ ସେତେବେଳେ ଗୋପୀନାଥ ବାବୁଙ୍କର ମନରେ ଅନ୍ୟ ଭାଷାକୁ ଭାଷାନ୍ତର ହେବାର ସମ୍ଭାବନା ରହୁଥିଲା ।

 

କାରଣ ସେତେବେଳେ ସମକାଳୀନ ବଙ୍ଗଳା ଓ ହିନ୍ଦୀ ସାହିତ୍ୟରେ ୟୁରୋପୀୟ ଭାଷାର (ବିଶେଷରେ ଇଂରାଜୀ) ପୁସ୍ତକମାନଙ୍କର ଆଭିମୁଖ୍ୟ ଓ ବିଷୟବସ୍ତୁ ଯେ ସ୍ଥାନୀୟ ନୁହେଁ–ଏହାର ସ୍ପଷ୍ଟ ଧାରଣା ଥିଲା । ଅନ୍ୟାନ୍ୟ ଓଡ଼ିଆ ଲେଖକଙ୍କର ସେହି ବିଷୟରେ ଅତି ସରଳ ଓ ନିରିହ ମତ ଥିଲା ଯେ ଓଡ଼ିଆରେ ତ ଲେଖି ହେଲା । ତାହାର ପୁଣି ଭାଷାନ୍ତର କ’ଣ ?

 

ସାମୟିକ ଚେଷ୍ଟା ପଦ୍ମଭୂଷଣ କାଳିନ୍ଦୀ ଚରଣ ଓ ପଦ୍ମଶ୍ରୀ ସଚ୍ଚି ରାଉତରାୟ ଚଳାଇ କିଛି ଅଂଶରେ ସଫଳ ହେଇଥାନ୍ତି । କଥା ପଡ଼ିଲେ ଲୋକେ କହନ୍ତି–ତାଙ୍କୁ କ’ଣ ଊଣା ବୋଲି ଭାବୁଛ ? ତାଙ୍କର ଲେଖା ପରା ବଙ୍ଗଳା, ହିନ୍ଦୀ ଓ ତେଲୁଗୁରେ ଅନୁବାଦ ହେଇ ପ୍ରଶଂସା ପାଇଲାଣି । ଏବେ ଯେମିତି କୁହାଯାଉଛି ଯେ ଏଇ ଓଡ଼ିଆ ଲୋକେ ଅନ୍ୟତ୍ର ଚାକିରି କରି ବା ବ୍ୟବସାୟ କରି ବହୁଜନ ସମ୍ମାନିତ ହେଲେଣି ।

 

ଗୋପୀନାଥ ବାବୁଙ୍କର ଲେଖା ଭାଷାନ୍ତରିତ ହେଲେ ସାର୍ବଜନୀନ ଜଣାଯିବ । ଅର୍ଥାତ୍‌ ଅନ୍ୟାନ୍ୟ ସାହିତ୍ୟର ରସଗ୍ରାସୀ ଲେଖକମାନେ ଯେଉଁ ପ୍ରକାରର ଭିତ୍ତିଭୂମି ଓ ସମସ୍ୟା ନେଇଛନ୍ତି ତାହାର ପ୍ରତିଚ୍ଛାୟା ଏଠି ମିଳି ପାରିବ । ଏଇ କଥାଟି ସଚ୍ଚିବାବୁ, କାଳିନ୍ଦୀବାବୁ ବା ବୈକୁଣ୍ଠବାବୁଙ୍କର ଲେଖାରେ ମିଳିପାରିବ ନାହିଁ । କାରଣ ସେମାନେ ଭିତ୍ତିଭୂମିରୁ ଧାର ନ ନେଇ ସେହି ଭୂମି ଉପରେ ଥିବା ଚିନ୍ତା–ସୌଧ ଉପରେ ଓଡ଼ିଆ ନାମଫଳକ ଲଗାଇ ଦେଇଛନ୍ତି । ଗୋପୀନାଥବାବୁ ସେମିତି ନ କରି ଯଥାସାଧ୍ୟ ପରିଶ୍ରମ କରି ଓଡ଼ିଶା–ସୁଲଭ ପରିବେଶରେ ବାହାରର ଦୃଶ୍ୟକୁ ଖଞ୍ଜିଛନ୍ତି ।

 

ୟୁରୋପୀୟ ସାହିତ୍ୟରେ ଅଳ୍ପ ସଂଖ୍ୟାର ନାୟକ ନାୟିକା ବଦଳରେ ବିପୁଳ ସଂଖ୍ୟାରେ ନାୟକ ନାୟିକା ମିଳନ୍ତି । ବହିଗୁଡ଼ିକ ମଧ୍ୟ ବେଶ୍‌ ଓଜନିଆ ପୃଷ୍ଠାଙ୍କରେ ଲେଖା ହୋଇଥାଏ । ଓଡ଼ିଆ ସାହିତ୍ୟରେ ଅଳ୍ପ ସଂଖ୍ୟାର ନାୟକ ନାୟିକା ଓ କଳେବର ମଧ୍ୟ ସଙ୍କୁଚିତ । ତେଣୁ ଓଡ଼ିଆ ଓ ବିଦେଶୀ ବହି ବାଛିବାରେ ଏହି ବଳଦିଆ ସୂତ୍ରଟି ବେଶ୍‌ କାମ ଦେଇଥାଏ ।

 

ସେହି ବିଦେଶୀ ସାହିତ୍ୟରେ ପୃଷ୍ଠାଙ୍କର ଆକାର ନେଇ ବିବିଧ ଚିତ୍ର ଦିଆ ହୋଇଥାଏ । ଓଡ଼ିଶାରେ ସେ ସୁବିଧା ନାହିଁ । ତେଣୁ ବାଧ୍ୟତା ମୂଳକ ଭାବରେ ନଈ, ପାହାଡ଼, ରାସ୍ତା, ବଣ, ଗଛ ଇତ୍ୟାଦି ଭୌଗୋଳିକ ଓ ସାମାଜିକ ଜ୍ଞାନର ଅବତାରଣା ଓ ବର୍ଣ୍ଣନା ।

 

ଏହି କାମଟି ଗୋପୀନାଥ ବାବୁ କଲେ କାହିଁକି ଓ ଅନ୍ୟମାନେ କଲେ ନାହିଁ କାହିଁକି ?

 

ଏହାର ଉତ୍ତର ହେଉଛି ଯେ ଗୋପୀନାଥ ବାବୁଙ୍କର ଲେଖା ଆତ୍ମ–କେନ୍ଦ୍ରିତ ନୁହେଁ । ସେ ନିଜେ ତାଙ୍କର ବହିରେ ଅଂଶ ଗ୍ରହଣ କରନ୍ତି ନାହିଁ । ସେ କେବଳ ବର୍ଣ୍ଣନାକାରୀ ଦ୍ରଷ୍ଟା–ସ୍ରଷ୍ଟା ବୋଧହୁଏ ନୁହନ୍ତି । ରଥଯାତ୍ରାର ବ୍ୟାଖ୍ୟାକାର ବା ଖେଳର ପ୍ରଚାରକ ପରି ନିଜେ ଧର୍ମଜ୍ଞ ବା ନ୍ତ୍ରୀଡ଼ାବୀତ ନ ହୋଇ ଯେମିତି ବର୍ଣ୍ଣନାର ଚାତୁରୀରେ ଶ୍ରୋତାଙ୍କ ସହିତ ସହଯୋଗ ଅଣାନ୍ତି ସେହିପରି ଗୋପୀନାଥ ବାବୁ ସମସ୍ୟା ସହିତ ପାଠକକୁ ପରିଚିତ କରାଇବାକୁ ବର୍ଣ୍ଣନାର ସାହାଯ୍ୟ ନେଇଛନ୍ତି ।

 

ପରିବର୍ତ୍ତୀ ଜୀବନର ସମୀକ୍ଷାରୁ ମଧ୍ୟ ଏହାର ପ୍ରମାଣ ମିଳୁଛି । ଆଦିବାସୀ ଜୀବନ ଉପରେ ଆଧାରିତ ସର୍ବାଧିକ ଉପନ୍ୟାସର ପ୍ରଣେତା ଗୋପୀନାଥବାବୁ ତାଙ୍କର ପରବର୍ତ୍ତୀ ଜୀବନରେ ଆଉ ସେହି ଅଞ୍ଚଳ ବା ସେହି ସମସ୍ୟା ଉପରେ ଦୃଷ୍ଟି ପକାଇନାହାନ୍ତି । ଆଦିବାସୀ ସଂପ୍ରଦାୟର ଉନ୍ନତି ପାଇଁ ପ୍ରସ୍ତାବ ବା ଆନ୍ଦୋଳନର ନେତୃତ୍ୱ ନେଇ ନାହାନ୍ତି । ଯେତିକି ଚୂନା ସେତିକି ପିଠା–ନୀତିରେ ସେ ଜୀବିକାର ବାଧ୍ୟକତାରେ ଯେତିକି କଲେ ତହିଁରୁ ଅଧିକ କରି ନାହାନ୍ତି-

 

କରିବାର ମଧ୍ୟ କାରଣ ନାହିଁ । ଆମେ ରେଳଭଡ଼ା ଦେଇ ତୀର୍ଥଯାନ୍ତ୍ରୀ ଗାଡ଼ିରେ ତୀର୍ଥ ପରିକ୍ରମା କଲୁ । ବିହ୍ୱଳ ବିଭୋର ହୋଇ ଆସି ଯେଉଁ ତୀର୍ଥରୁ ଯେତିକି ଅକ୍ତିଆର୍‌ କଲୁ ସେତକ ଆଣି କୋବିଦ ବିଶ୍ୱନାଥ କର ବା ସାହିତ୍ୟିକ ପରମାନନ୍ଦ ମହାନ୍ତିଙ୍କ ପରି ବହିରେ ଲେଖିଲୁ । ଏହି ତୀର୍ଥସାଥୀର ସାଥୀ ଯେ ବଂଧୁ ନୁହେଁ । ବା ମାର୍ମ୍ମିକ ସହଚର ନୁହେଁ–ଏଇ କଥା ଯେମିତି ଠିକ୍‌ ସେମିତି ଗୋପୀନାଥ ବାବୁଙ୍କର ଆଦିବାସୀ ସମାଜ ଆଧାରିତ ସାହିତ୍ୟ ।

 

ସେ ଘର କଲେ ଭୁବନେଶ୍ୱରରେ । ବୋଧହୁଏ ଓଡ଼ିଶାର କୌଣସି ଆଦିବାସୀ ଅଞ୍ଚଳରେ ଗୋପୀନାଥ ବାବୁଙ୍କର ଆଉ ସମ୍ପର୍କ ନାହିଁ । ସେ ଦେଖି ଆସିଥିବା ଅସଂଖ୍ୟ ଆଦିବାସୀଙ୍କ ଭିତରେ ନିଜର ନିବିଡ଼ ସହାନୁଭୂତି ଓ ଆକର୍ଷଣର କୌଣସି ପାତ୍ର ରଖି ନାହାନ୍ତି । ଏପରିକି ଶ୍ରୀ ସାଙ୍ଗାନ୍ନାଙ୍କ ପରି ଆଦିବାସୀଙ୍କର ସଦିଚ୍ଛାକାମୀ ପର୍ଯ୍ୟାୟରେ ସେ ରହିପାରିଥିବା ଜଣାଯାଉ ନାହିଁ ।

 

ଏଇ ଓଡ଼ିଶାରେ ମିସନାରୀମାନେ ଓଡ଼ିଆଙ୍କ ପାଇଁ କାମ କରିଥିଲେ । ଓଡ଼ିଆଙ୍କ ପ୍ରାଣରେ ଚେତନା ଆଣିବାକୁ ସ୍କୁଲ, କଲେଜ, ଡାକ୍ତରଖାନା, ଖେଳପଡ଼ିଆ, କ୍ଳବ୍‌, ଛାପାଖାନା, ଅଭିଧାନ ଓ ବ୍ୟାକରଣ ଇତ୍ୟାଦି ଅନେକ କଥା କରିଯାଇଛନ୍ତି । ସେମାନେ ଯେଉଁ ଶ୍ରେଣୀର ଅଫିସର ଗୋପୀନାଥ ବାବୁ ଓଡ଼ିଶାରେ ଓଡ଼ିଆଙ୍କ ପାଇଁ ସେହି ଶ୍ରେଣୀର ଅଫିସର ହୋଇଥିଲେ । କିନ୍ତୁ ଭିତରର ସହାନୁଭୂତି ଅଭାବରୁ ସେ ନିଜର କର୍ତ୍ତବ୍ୟ ଦୃଷ୍ଟିରୁ ଯାହା ଯେତିକି କରିବାର କଥା ସେତିକି କରିଛନ୍ତି ।

 

ଆଦିବାସୀ ଅଞ୍ଚଳରେ ଅନେକ ପ୍ରକାରର ବିଭାଗର ଅନେକ ପ୍ରକାରର ବିଚକ୍ଷଣତାର ଅଧିକାରୀ ଅଫିସର ଛତିଶି ମସିହାରୁ ତେସ୍ତରୀ ମସିହା ଯାଏ କାମ କରିଛନ୍ତି । ସେଥି ଭିତରେ ଗୁଣୀ, ତତ୍ତ୍ୱାନ୍ୱେଷୀ, କର୍ତ୍ତବ୍ୟନିଷ୍ଠ, ସେବା–ପରାୟଣ, ସଚ୍ଚରିତ୍ର ଓ ଦେଶ–ସେବୀ ମନୋଭାବର ଲୋକ କିଛି କମ୍‌ ଯାଇନାହାନ୍ତି । କିନ୍ତୁ ଆଦିବାସୀ ସମାଜରୁ ସେମାନେ ନେଲେ କ’ଣ–ଆଉ ତାକୁ ଦେଲେ କ’ଣ ?

 

ଗୋପୀନାଥବାବୁ ସେହିପରି ତାଙ୍କର ଦଶବର୍ଷର କୋରାପୁଟ ଜୀବନରେ ଓ ପରବର୍ତ୍ତୀ ସମୟର ଆଦିବାସୀ ବିଭାଗୀୟ ଜୀବନରେ ନେଲେ କ’ଣ–ଆଉ ତା’କୁ ଦେଲେ କ’ଣ ?

 

ଫକୀର ମୋହନଙ୍କର ଉପନ୍ୟାସ ମାମୁଁ, ପ୍ରାୟଶ୍ଚିତ ଓ ଛ’ମାଣ ଆଠଗୁଣ୍ଠ ଯେମିତି ସବୁ ଦିନେ ଘଟିବା ପରି ଘଟଣାର ପରିପ୍ରକାଶ ସେହିପରି ଦାଦିବୁଢ଼ା, ପରଜା, ଅମୃତର ସନ୍ତାନ ପ୍ରଭୃତି ଉପନ୍ୟାସ ସେ ବର୍ଣ୍ଣନାବହୁଳ ଚିତ୍ର ଛଡ଼ା ଆଉ କିଛି ନୁହେଁ ।

 

ସେହେବ ଲେଖିଛି–ଖରାପ କଥା । ସେ ସେମାନଙ୍କୁ ଶିଖେଇ ଭଣ୍ଡେଇ ଖ୍ରୀଷ୍ଟିଆନ କରିଦବ । ଓଡ଼ିଆ ଲୋକ ଲେଖିଛି–ଭାରି ଭଲ କଥା । ସେମାନଙ୍କର ସମାଜ ବଦଳିଯିବ ।

 

ଗୋତି ପ୍ରଥା ଖାଲି କୋରାପୁଟ ଜିଲ୍ଲାରେ ନାହିଁ । ସବୁଆଡ଼େ ଅଳ୍ପ ବହୁତ ଅଛି । କାବୁଲୀ ମହାଜନ କ’ଣ ଗୋନୀନାଥବାବୁ ଭୁବନେଶ୍ୱରରେ ଦେଖି ନାହାନ୍ତି ? ଅଭାବର ତାଡ଼ନା ବିଭିନ୍ନ ରୂପ ନେଇଥାଏ । ଆଦିବାସୀ ଯୁବତୀ ଯେମିତି କାମ୍ୟ ଏଠି ନାରୀ ଆମରି ତଥାକଥିତ ମାର୍ଜିତ ପରିବେଶରେ ସେମିତି କାମ୍ୟ । ତଫାତ୍‌ ଥିଲା ଯେ କୋରାପୁଟରେ କିଛି ଅଧିକ ସ୍ୱାଧୀନତା ଥିଲା । ଏଠି କଟକ ପୁରୀ ଜିଲ୍ଲାରେ ସେହି ସ୍ୱାଧୀନତା ଅଳ୍ପ ।

 

ଆଜି ତେସ୍ତରୀ ମସିହାରେ ବାପାର ଚାକିରି ପାଇଁ କିଏ କ’ଣ କରିବାକୁ ରାଜି ସେତକ ଗୋପୀନାଥ ବାବୁଙ୍କୁ ଅଜଣା । ଆଉ ସେହି ସାଧନାରେ କେମିତି ଫଳେ ପୁଷ୍ପେ ଇଚ୍ଛା ଓ ଅନିଚ୍ଛା ସତ୍ତ୍ୱେ ନେଣ ଦେଣ କରିବାକୁ ହୁଏ ସେତକ ମଧ୍ୟ ତାଙ୍କୁ ଅଜଣା । ତେଣୁ ଆଜି ସାହିତ୍ୟିକ ଗୋପୀନାଥବାବୁ ଜଣେ ଅଣ–ସାହିତ୍ୟିକ । ତାଙ୍କର ସହାନୁଭୂତିର ନିର୍ଝର ଶୁଖିଯାଇଛି । ଯାହା ପାଇଥିଲେ ତା’କୁ ନେଇ ସେ ସନ୍ତୁଷ୍ଟ ।

 

ଏଇ ତେସ୍ତରୀ ମସିହାର ହୋଲି ଉତ୍ସବରେ ଗୋପୀନାଥବାବୁଙ୍କ ପାଠକ ଯଦି ପ୍ରଶ୍ନ କରେ–ଆପଣ ମହାଶୟ ଜ୍ଞାନୀ ଓ ଅନୁଭବୀ । ସୁସ୍ଥ ଶରୀରରେ ଅଛନ୍ତି । ସୁବିଧାରେ ମଧ୍ୟ ଅଛନ୍ତି । ଜୀବନଯାନ୍ତ୍ରା ଆୟାସସାଧ୍ୟ ସୀମାର ବହୁତ ଊର୍ଦ୍ଧ୍ୱରେ । ଆମର ସୁଖଦୁଃଖର ସମସ୍ୟାକୁ ନେଇ ଆମକୁ ରୂପ ଦେଇ, ପ୍ରାଣ ଦେଇ ଦେଖାଇ ଦିଅନ୍ତୁ ଯେ ସାହିତ୍ୟିକର କଲମର ଝର ଶୁଖେ ନାହିଁ ! ସହାନୁଭୂତିର ନିର୍ଝର ଶୁଖେ ନାହିଁ । ସମସ୍ୟାର ସମାଧାନ ହେଇ ନାହିଁ । ଆସନ୍ତୁ–

 

ଗୋପୀନାଥବାବୁ କ’ଣ ଆଗେଇ ଆସିବେ ଏହି ଆହ୍ୱାନ ଗ୍ରହଣ କରିବାକୁ ?

 

ଏହି ଆହ୍ୱାନ ଆଜି ମଧ୍ୟ ଅଧିକ ବୟସରେ ତରୁଣ ସୁଲଭ ଉନ୍ମାଦନା ନେଇ ନିଜର ସୀମିତ ଶକ୍ତି ଓ ଉତ୍ସାହ ଭିତରେ କାର୍ଯ୍ୟକାରୀ କରିବାକୁ ବୋଧହୁଏ ଦୁଇଜଣ ରାଜି ହେବେ–ସେ ଦୁହେଁ ହେଲେ ଡକ୍ଟର ମାୟାଧର ମାନସିଂହ ଓ ଡକ୍ଟର କୁଞ୍ଜବିହାରୀ ଦାଶ । କାରଣ ସଂସାରୀର ସମସ୍ତ ନିଷ୍ଠୁର କଷଣ ଭିତରେ ଅଦ୍ୟାବଧି ସେମାନେ ସାହିତ୍ୟିକ । ସେମାନଙ୍କର ମନ ଅସୀମ ସହାନୁଭୂତିରେ ଭରା–ଦୂର୍ବଳ ପାଇଁ ଠିଆ ହେବାକୁ ସେମାନଙ୍କର ମନରେ ଦ୍ୱନ୍ଦ ନାହିଁ ।

 

ଏହି ଉକ୍ତିର ତାତ୍ପର୍ଯ୍ୟ ହେଉଛି ଯେ ସେମାନେ ସମସ୍ତେ ବିଭିନ୍ନ ବିଷୟରେ ଅନୁଭବୀ ଓ ସୁପଣ୍ଡିତ ହେଲେ ମଧ୍ୟ ପାଠକର ଚିତ୍ରକୁ ଆଖି ଆଗରେ ରଖି ସେମାନଙ୍କର ସୃଷ୍ଟି କରନ୍ତି । ଆମେ ପିଲାଙ୍କୁ ଗଳ୍ପ କହିଲାବେଳେ ଆମର କଥା, ଭକ୍ତି ଓ ଉଦାହରଣରେ ତାଙ୍କୁ ଆଖି ଆଗରେ ରଖି କାମକରୁ । ସେହିପରି ସେମାନେ ଅଦ୍ୟାବଧି ଓଡ଼ିଆଙ୍କର ସମସ୍ୟା ବିଷୟରେ ସଚେତନ । ଅଯଥା ଶ୍ରେଣୀ କଥା ଉଠାଇବାକୁ ନାରାଜ ।

 

ଏହି ପ୍ରକାରର ଥିଲେ ପଣ୍ଡିତ ଗୋଦାବରୀଶ ମିଶ୍ର । ବିପୁଳ ଜୀବନର ବହୁତର ଧାରାରେ ସଫଳ ହୋଇ ମଧ୍ୟ ସାହିତ୍ୟିକ ସୁଲଭ ସହାନୁଭୂତି ସେମାନେ ଚିରଦିନ ଅକ୍ଷୁଣ୍ଣ ରଖି ପାରିଥିଲେ । ତମର ମୋର ଜିନିସ ପୁଣି ସମସ୍ତଙ୍କର । ଆଉ ସମସ୍ତଙ୍କର ବଞ୍ଚିବାର ଅଧିକାର ରହିଛି–ଏହି ତତ୍ତ୍ୱଟିକୁ ସାହିତ୍ୟିକ ସମାଜରେ ପାଏ । ବର୍ଣ୍ଣନାଧର୍ମ୍ମୀ ସାହିତ୍ୟ–ଜୀବୀ ଏତକ ମୋଟେ ପାଇପାରେ ନାହିଁ ।

 

ବର୍ଣ୍ଣନାଧର୍ମ୍ମୀ ଲେଖକ ହୁଏ ସଂସ୍କାରବାଦୀ ଓ ନୀତିବାଦୀ । ସେ କ’ଣ ଚାହେଁ ସଂସାରର ଉନ୍ନତି ଓ ସମସ୍ତଙ୍କର ସୁଖ ?

 

ଆମ ଓଡ଼ିଆ ସାହିତ୍ୟରେ ସାମଗ୍ରିକ ଉନ୍ନତି ଓ ସମସ୍ତଙ୍କର ସୁଖକୁ ସର୍ବାନ୍ତଃକରଣରେ କାମନା କରୁଛି କିଏ ? ଲେଖିଲାବେଳେ ସହି ଲେଖା ଦ୍ୱାରା ମୋର ମଙ୍ଗଳ ନ ହୋଇ ଅପରର ମଙ୍ଗଳ ହେଉ–ଏହି କାମନା କିଛି ଅଂଶରେ ସମୀକ୍ଷକ ଓ ଗବେଶକ କରିଥାନ୍ତି । ଭଲ ପ୍ରକୃତିର ଲୋକ ହୁଏ ତ କିଛି କିଛି ଏହି ସମୁହ କାମନା କରିଥାଏ ।

 

ଏହି ଲୋକଙ୍କୁ ପାଇବା କଷ୍ଟ । ସେମାନେ ଅଛନ୍ତି । ଊଣା ଅଧିକେ ଅନେକ ଲୋକ ଏହି ଗୁଣର ଅଧିକାରୀ । କିନ୍ତୁ ନିଜେ ପ୍ରତିଦ୍ୱନ୍ଦୀ ପର୍ଯ୍ୟାୟରେ ଥିଲେ ଏହି ଗୁଣ ଲୋପ ପାଇଯାଏ । –ପାଇବାର କଥା ମଧ୍ୟ ।

 

ଶିଳ୍ପୀ ବିମ୍ବାଧର ବର୍ମାଙ୍କର ଅପରର ଲେଖା ପ୍ରତି ବିଦ୍ୱେଷ ନ ଥିଲା । ଡକ୍ଟର ମହତାବଙ୍କର ଅପରର ସାହିତ୍ୟ କୃତି ପ୍ରତି ବିରୋଧ ନାହିଁ । ମାସିକ ପତ୍ରିକାର ସମ୍ପାଦକମାନଙ୍କର ମଧ୍ୟ ବିରୋଧ ନ ଥାଏ । କିନ୍ତୁ କ୍ରିୟାଶୀଳ, ସୃଷ୍ଟିଶୀଳ ସାହିତ୍ୟିକମାନଙ୍କ ମଧ୍ୟରେ ଅପରର ଭଲ ହେଉ–ଏହି କାମନାଟି ଆଣିବା ଅତି କଷ୍ଟସାଧ୍ୟ ।

 

ତାହାଛଡ଼ା ଜାତୀୟ ଚରିତ୍ରର ଗୋଟିଏ ଲକ୍ଷଣ ମଧ୍ୟ ବିଚାରକୁ ନିଆଯିବା ଉଚିତ୍‌ । ହିନ୍ଦି ଓ ବଙ୍ଗଳା ଭାଷାରେ ଲେଖକଙ୍କର ଲେଖା ପାଇଁ ବିପୁଳ ସମର୍ଥନ ମିଳିଥାଏ । କାରଣ ସେଠାରେ ଲେଖକର ସଂଖ୍ୟା ତୁଳନାରେ ପାଠକଙ୍କର ସଂଖ୍ୟା ବହୁତ ଅଧିକ । ଲେଖକ ଓ ପାଠକଙ୍କର ମଧ୍ୟରେ ବିରୋଧ ନ ଥାଏ ।

 

ଓଡ଼ିଆ ସାହିତ୍ୟରେ ବିଦଗ୍‌ଧ ପାଠକ ଓ ଲେଖକ ପ୍ରାୟ ସମାନ ପର୍ଯ୍ୟାୟର । ପାଠକ ସଂଖ୍ୟା ଅତି ଅଳ୍ପ ଥିଲା । ଏବେ ପଚିଶି ତିରିଶି ବର୍ଷ ପରେ ପାଠକ ସଂଖ୍ୟା । ବଢ଼ିଛି । କିନ୍ତୁ ଯେଉଁ ହାରରେ ଲେଖକ ବଢ଼ିଛନ୍ତି ସେହି ଅନୁପାତରେ ଉପଯୁକ୍ତ ପାଠକ ବଢ଼ି ନାହାନ୍ତି ।

 

ତେଣୁ ଓଡ଼ିଆ ସାହିତ୍ୟ ସମାଜର ପରିସର ମଧ୍ୟରେ ଶିଳ୍ପୀ ବେଶି ଓ ଶିଳ୍ପପ୍ରେମୀ ସେତେ ସଂଖ୍ୟାଧିକ ନୁହନ୍ତି । ଯିଏ, ଲେଖେ, ତାହାର ସମଧର୍ମୀମାନଙ୍କ ପ୍ରତି ବିରକ୍ତି ଭାବ ଯେ, ଆର ଲୋକଟା ଗୁଡ଼ାଏ ଏଣୁତେଣୁ ଲେଖୁଛି । ଯିଏ ନ ଲେଖେ, ସେ ମଧ୍ୟ ଅନେକ ସମୟରେ ସ୍ଥିର ମତ ପ୍ରକାଶ କରିଥାଏ ଯେ ତାହାର ଲେଖିବାର କଥା ଅଛି । ଏହି ସମ୍ଭାବନାର ଯଥେଷ୍ଟ ପ୍ରତିଶୃତି ଥିବାରୁ ଏଠି ପାଠକ ଓ ଲେଖକ ମଧ୍ୟରେ ସମ୍ବନ୍ଧ ସେତେ ସହାନୁଭୂତିଶୀଳ ନୁହେଁ ।

 

ଓଡ଼ିଆ ଲେଖକ ଏହି କାରଣରୁ ଅପରର ମତାମତ ଦ୍ୱାରା ଚଳେ ନାହିଁ । ପୁଣି ମଧ୍ୟ ଅପରର ମତ ନେବାକୁ ଚେଷ୍ଟା କରେ । ଓଡ଼ିଆ ପାଠକର ମତାମତ ନେବାକୁ ସେ ବିମୁଖ । କିନ୍ତୁ ଅନ୍ୟ ଭାଷାଭାଷୀ ପାଠକର ମତାମତ ପାଇଁ ଆଗ୍ରହୀ ।

 

ଉପଯୁକ୍ତ ପାଠକ ହେବା ପାଇଁ ଯେତେଖଣ୍ତ ଓ ଯେତେ ପ୍ରକାରର ବହି ଦରକାର ସେତକ ଏଠି ନଥିଲା । ଏବେ ତେସ୍ତରୀ ମସିହାରେ ମଧ୍ୟ ନାହିଁ । ପ୍ରକାରଭେଦରେ ବିଭିନ୍ନ ଶ୍ରେଣୀର ଲେଖକ ମଧ୍ୟ ନାହାନ୍ତି । ଜଣେ ଯାହା କରେ ଅଧିକାଂଶ କ୍ଷେତ୍ରରେ ଦଳେଦଳେ ସେହି କଥା କରୁଥାନ୍ତି ।

 

ଗୋପୀନାଥବାବୁ ବଡ଼ ବହି ଲେଖିଲେ । ସେଇଠୁ କାହ୍ନୁଚରଣବାବୁ ଲେଖିଲେ । ମହାପାତ୍ର ନୀଳମଣି ଲେଖିଲେ । ବିଭୁତିବାବୁ ଲେଖିଲେ । ଅନ୍ୟମାନେ ମଧ୍ୟ ଆରମ୍ଭ କଲେ ।

 

ଏହି ମୋଟା ସାଇଜର ବହି ହଠାତ୍‌ ଓଡ଼ିଶାରେ ବଢ଼ିଗଲା । ବିଶେଷ ପରିମାଣରେ ଷାଠିଏ ମସିହାରୁ ପାଞ୍ଚବର୍ଷ ଯାଏ ହେଲା । ଯିଏ ୟାକୁ ସହି ପାରିଲେ ନାହିଁ ପ୍ରଚାର କରିଦେଲେ ଯେ ମୋଟା ବହିର ଭିତରେ ଖୋଲ କରା ହୋଇ ସେଥିରେ ଅବକାରୀ ଦ୍ରବ୍ୟ ଚାଲାଣ ହେଉଛି । କିନ୍ତୁ ମୋଟା ବହିର ଆସକ୍ତି ହଠାତ୍‌ ପଞ୍ଚଷଠି ମସିହାରୁ କମିଗଲା । ପୁଣି ଚାଲିଲା ଚଳନୀୟ ସାଇଜର ବହି ।

 

ମୋଟା ବହି ଗୋଟାଏ ପ୍ରକାରର ଚର୍ବିତ ଚର୍ବଣର କସରତ । ଏଥିରେ ଅନେକ ପ୍ରକାରର ବିଷୟ ଇସ୍ତମାଲ କରି ହୁଏ । କିନ୍ତୁ ଉପାଦାନ ଏତେ କମ୍‌ ଯେ ମୋଟା ବହିକୁ ପତଳା ବହିର ସମଷ୍ଟି କୁହାଯାଇ ପାରିବ । ନୂଆ ତଥ୍ୟ ବା ନୂଆ ଆଭିମୁଖ୍ୟ ହଠାତ୍‌ ହଠାତ୍‌ ଉଦ୍ଭବ ହେବା ଓଡ଼ିଆରେ ବେଶ୍‌ ସମ୍ଭବ ହୋଇ ପାରିଲା । ଗ୍ରନ୍ଥାବଳୀ ସାଙ୍ଗରେ ସାଙ୍ଗ ହୋଇ ଏମାନେ ମଧ୍ୟ ଚାଲିପାରିଲେ ।

 

ରାଜନୀତିରେ ନେତା ପ୍ରତିଦିନ ବିବୃତି ଦିଅନ୍ତି । ବିଶ୍ୱବିଦ୍ୟାଳୟର ନେତୃସ୍ଥାନୀୟ ଅଧ୍ୟାପକମାନେ ପ୍ରତ୍ୟେକ ବର୍ଷ ଅନ୍ତତଃ ପଚାଶ ଷାଠିଏଟି ବକ୍ତୃତା ଦିଅନ୍ତି । ସେହିପରି ଓଡ଼ିଆ ଲେଖକ ପ୍ରତିବର୍ଷ ସାତଶହ ପଞ୍ଚଶହ ପୃଷ୍ଠା ଲେଖିବାକୁ ଚେଷ୍ଟା କରନ୍ତି–ବାଇଶି ବଖୁରିଆ, ଅଠର ବଖୁରିଆ ଘର ପରି ।

 

ଓଡ଼ିଆରେ ଛୋଟ ବହି ଥିବାରୁ ଆନ୍ତର୍ଦେଶୀୟ ପ୍ରଦର୍ଶନୀରେ ଓଡ଼ିଆ ଭାଷା ଗୌଣ ମନେ ହେଲା । ତେଣୁ ମୋଟା ବହି ଧୀରେ ଧୀରେ ଫେସନକୁ ଅକ୍ତିଆର କରି ଏବେ ପୁଣି ଛୋଟ ବହିକୁ ଖସିଲାଣି ।

 

ଓଡ଼ିଆ ପାଠକ ଖୋଜୁଛନ୍ତି ବହିରୁ ଟିକିଏ ଜୀବନର ସୁଆଦ ପାଇବାକୁ । ଏଣେ ଲେଖକ ନିଜେ ସୁଆଦ ନ ପାଇ କଲେଜ ଲାଇବ୍ରେରୀ ଓ କଲେଜ ବହି ବିକ୍ରୀ ଦୋକାନକୁ ଧୁନ୍ଦୁଛି ।

 

ସେ ନିଜେ ସୁଆଦ ଚାଖିବ । ସେଇଠୁ ଆମକୁ ଆଣି ଚଖେଇବ । ଏହି କାମଟି ଟିକିଏ ଦ୍ରୂତ ଗତିରେ ଚାଲିଲା ବହୁତ ଲୋକଙ୍କର ଆବିର୍ଭାବ ପାଇଁ ।

 

କଲେଜଟିଏ ପାଇଲେ ସେଠି ପ୍ରାୟ ଚାଳିଶିରୁ ଦେଢ଼ଶହ ଅଧ୍ୟାପକ । ଯେଉଁ ଜାଗାକୁ ଗଲେ ବାର–କୋଡ଼ିଏ–ପଚିଶି ଏକା ବୟସର ଓ ଏକା ଯୋଗ୍ୟତାର ଅଫିସର । ସମସ୍ତଙ୍କର ଇଚ୍ଛା ନୂଆ କଥା ଜାଣିବେ । ଦେଶ କଥା ଗାଧୋଇ ଯାଉ–ବିଦେଶ କଥା ଭଲକରି ଜାଣିବେ ।

 

ଏହି ଆଳାପ ଆଲୋଚନାର ସୁବିଧାରେ ଯିଏ ଯାହା ଜାଣିଥିଲା ସେତକ ଥୋଡ଼ା ବହୁତ ସାଷ୍ଟମ ହୋଇଗଲା । ସେଇଠୁ ମନରେ ଆସିଲା ଯେ ମୁଁ ତ ଏତେ ବଢ଼ିଆ କଥା ଜାଣିଗଲି । ମୋର ଓଡ଼ିଆ ଭାଇଏ ଜାଣନ୍ତୁ । ତେଣିକି ହେଲା ଗୋଟିଏ କାମ–ଓଡ଼ିଆ ସାହିତ୍ୟରେ ଆନ୍ତର୍ଜାତୀୟତା ଆଣିବା ।

 

ଏହି କାମଟି ବେଶି ହେଉଛି ଛତିଶି ମସିହା ଆଖପାଖରେ ଜନ୍ମ ହୋଇଥିବା ଲୋକଙ୍କ ଦ୍ୱାରା । ଏହାର ମଧ୍ୟ ବଳଶାଳୀ ପ୍ରଭାବ ପଡ଼ୁଛି ସ୍ୱାଧୀନତା ପରବର୍ତ୍ତୀ ଯୁଗରେ ଜନ୍ମ ହୋଇଥିବା ଲେଖକ ଓ ପାଠକଙ୍କ ଉପରେ ।

 

ଓଡ଼ିଆ ସାହିତ୍ୟ ସ୍ପଷ୍ଟ ଭାବରେ ଦୁଇଭାଗ ହେଇ ଯାଇଛି । ଆଜି ଯେଉଁମାନେ ପଚିଶିରୁ ପଇଁତିରିଶି, ଅର୍ଥାତ୍‌ ଯୁବକବୋଲି ରାଜନୀତିରେ ପରିଚିତ, ସେମାନେ ଗୋଟାଏ ଦଳ । ଆଉ ସମସ୍ତେ ହେଲେ ଆର ଦଳ–ପୁରୁଣାକାଳିଆ ମାନ୍ଦାଳିଆ ।

 

ଆମର ଓଡ଼ିଆ ସାହିତ୍ୟରେ ଏହି ଚାଳିଶି–ବର୍ଷିଆଦଳ ଆଉ ଅପରଦଳ ଭିତରେ ସମନ୍ୱୟ ହେଉ ନାହିଁ । ମାନ୍ଦାଳିଆମାନେ ଚାହୁଁଛନ୍ତି ଓଡ଼ିଆତ୍ୱର ଉନ୍ନତି ହେଉ । ଅପରଦଳ କହୁଛନ୍ତି ଯେ ଆମେ ସାହିତ୍ୟିକ ନିଖିଳ ବିଶ୍ୱର–ତେଣୁ ଓଡ଼ିଆରେ କ’ଣ ହେଲା କି ନ ହେଲା କିଛି ଯାଏଆସେ ନାହିଁ ।

 

ଆଗୁଆ ଦଳର ଏହି ମତକୁ ଆମେ ଗୁରୁତ୍ୱ ଦେବା ଉଚିତ୍‌ । ଏହି ଯୁବକ ସମାଜରେ ଆନ୍ଦୋଳନ ଯେ ଆମେ ଅଲଗା । ଆମର ଚିନ୍ତା, ଶୈଳୀ ଓ ଆଭିମୁଖ୍ୟ ଅଲଗା । ଆମେ ଗଢ଼ିବୁ ଓଡ଼ିଆ ସାହିତ୍ୟର କୋଣାର୍କ । ଚାରିଆଡ଼େ କୋଳାହଳ ଆଉ ଉତ୍ସାହ ଯେ ସ୍ୱାଧୀନତା ପୂର୍ବବର୍ତ୍ତୀ ସାହିତ୍ୟ ସୃଷ୍ଟି ଏକାବେଳେକେ ନିରସ, ନିକୃଷ୍ଟ ଶ୍ରେଣୀର ।

 

ସମସ୍ତେ ମନରେ ଖୋଜନ୍ତି ତରୁଣ ହେବାକୁ । ଯଦି କାମରେ ସମ୍ଭବ ନ ହେଲା ତାହାହେଲେ ଅନ୍ତତଃ କଥାରେ ବଳିଷ୍ଠ ଯୁବକ ହେବାକୁ । ଏହାର କିଛି ଚିତ୍ର ଅଜା ନାତି ବା ଆଈ ନାତୁଣୀ ରହସ୍ୟରେ ବୁଝାପଡ଼େ ।

 

ଯେପରି ଦେଖାଯାଉଛି ଯେ ଯୁବକଙ୍କର ଏହି ସାହିତ୍ୟ ସଂସ୍ଥା କାଏମ୍‌ ହେବ । କାରଣ ସେମାନଙ୍କର ଚିନ୍ତା ରାଜ୍ୟର ପରିସର ସଂକୁଚିତ ନୁହେଁ । ଓଡ଼ିଆ ଭାଷା କହୁଛନ୍ତି ବୋଲି ଠିକ୍‌ ଏମାନଙ୍କୁ ସେହି ପୁରୁଣାକାଳିଆ ଓଡ଼ିଆ କୁହାଯିବ ନାହିଁ । ଏମାନେ ଅପେକ୍ଷାକୃତ ସ୍ୱାଧୀନ ଓ ମୁକ୍ତ-

 

ତରୁଣ ସମାଜର ସାହିତ୍ୟ ପ୍ରୀତି ଓ ସାହିତ୍ୟ ସାଧନା ପ୍ରଚାରଧର୍ମୀ ନ ହେବା ଉଚିତ୍‌ ବୋଲି ଗୋଟାଏ କଥା ଚାଲିଛି । ଏହାର ଅର୍ଥ ହେଲା ଯେ ନାମକୁ ଜାହିର କରିବା ନାହିଁ । କିନ୍ତୁ ଆମର ମତକୁ ପ୍ରଚାର କରାଇବା । ଏମାନେ ଛଦ୍ମବେଶୀ ନୁହନ୍ତି କିନ୍ତୁ ବ୍ୟକ୍ତିଗତ ପ୍ରଚେଷ୍ଟାକୁ ଗୌଣ ସ୍ଥାନ ଦେଇ ସମୁହ କୃତିକୁ ବଡ଼ ସ୍ଥାନ ଦେଉଛନ୍ତି ।

 

ପୁରୀର ଅନାମ ଗୋଷ୍ଠୀ ଓ ବ୍ରହ୍ମପୁରର ଅବୁଝା ଗୋଷ୍ଠୀ ମୋଟାମୋଟି ଏହି ପରୀକ୍ଷାଟି ଚଳାଇଥିଲେ । ଉଚ୍ଚ ଶ୍ରେଣୀର ଲେଖାରେ ନାମ ଓ ପରିଚୟ ଦିଆ ନ ଯାଇ ବହି କରାଗଲେ କେମିତି ହୁଅନ୍ତା ? ସାହିତ୍ୟ ହୁଅନ୍ତା ଚିନ୍ତା ଓ ଚେତନାର ପ୍ରତିଛବି–ବ୍ୟକ୍ତିଗତ ସାଧନାର ନୁହେଁ ।

 

ଏହି ଅନୁଶୀଳନ ପ୍ରାୟ ପ୍ରତି ପାଞ୍ଚଦଶ ବର୍ଷରେ ଓଡ଼ିଆ ସାହିତ୍ୟରେ ହୋଇଛି ଲେଖକଙ୍କର ଯୌଥ ରଚନାରେ । ପାଞ୍ଚ ତିନିଜଣ ମିଶି କବିତା ଗଳ୍ପ ଓ ଉପନ୍ୟାସ ଲେଖିବାର ଚେଷ୍ଟା ଏହି ପର୍ଯ୍ୟାୟର ।

 

କିନ୍ତୁ ଏହାର ପ୍ରଧାନ ଅନ୍ତରାୟ ହେଲେ ପାଠକ । ପାଠକ ଚାହେଁ ଯେ ଗୁଇନ୍ଦା ପରି ସେ ଲେଖାକୁ ପଢ଼ି ଲେଖକକୁ ଚିହ୍ନିବ । ସେହି ଲେଖାର ଚରିତ୍ର ଚିତ୍ରଣକୁ ଆଧାର କରି ସେ ଲେଖକର ରୂପଗୁଣର ଚିତ୍ରଟିଏ ଆଙ୍କିବ ମନ ଭିତରେ । ନାମ ନ ଥିଲେ ଅବା ଛଦ୍ମନାମ ଥିଲେ କିମ୍ବା ଯୌଥ ନାମ ପାଇଲେ ଏଥିରେ ତାହାର ଅସୁବିଧା ହୁଏ । ତେଣୁ ଏହି ଚେଷ୍ଟାରେ ବାଧା ଦେଖାଦିଏ ।

 

ପାଠକର ଇଚ୍ଛା ପ୍ରିୟ ଲେଖକକୁ ବାଛିବା ପାଇଁ–ପ୍ରିୟ ଲେଖାକୁ ସେ ଗୁରୁତ୍ୱ ଦେଇ ପାରେ ନାହିଁ । କାରଣ ଲେଖାର ପରିଚୟ ହେଉଛି ଲେଖକ । ଆଉ ଲେଖକ ଅଜଣା ଅଶୁଣା ହେଲେ ସେହି ପରିଚୟ ଅସଂପୂର୍ଣ୍ଣ ରହେ । ସାହିତ୍ୟ ଠିକ୍‌ ଯାହା ହେବାର କଥା ତାହା ହେଇ ପାରେ ନାହିଁ । ଲେଖକମାନଙ୍କର ଲେଖା, ଚିତ୍ର ଓ ଜୀବନର କିୟଦଂଶ ଆବଶ୍ୟକ ହେବାର ଏହାହିଁ କାରଣ ।

 

ସାହିତ୍ୟ ତାହାର ବ୍ୟବହାରିକ କ୍ଷେତ୍ରରେ ହେଲା–କିଏ କହିଲା ଓ କେମିତି କହିଲା ? କ’ଣ କହିଲା ସେଥିରେ ଅଂଶବିଶେଷ । ଯେଉଁ କ୍ଷେତ୍ରରେ ଲେଖକ ନିଜକୁ ପ୍ରଖ୍ୟପିତ କରିବାକୁ ଅନିଚ୍ଛୁକ ସେଠି ଲେଖାର ଗ୍ରାହକତା ବାଧା ପାଏ ।

 

ଓଡ଼ିଆ ସାହିତ୍ୟରେ ଶ୍ରୀଯୁକ୍ତ ଶ୍ରୀନିବାସ ମିଶ୍ର ଛଦ୍ମନାମରେ ଉପନ୍ୟାସ ରଚନା ଆରମ୍ଭ କରିଥିଲେ । ତାଙ୍କର ଗଳ୍ପ ପୁସ୍ତକମାନ ଓ ଓଡ଼ିଆର ଗୋଟିଏ ବିଶିଷ୍ଟ ଉପନ୍ୟାସ ‘ଅବଳା’ (ପ୍ରକାଶକ ଉତ୍କଳ ଷ୍ଟୋର୍ସ) ଯଥାବିହିତ ସ୍ୱୀକୃତି ପାଇପାରିଲା ନାହିଁ । କିନ୍ତୁ ଏହା ଓଡ଼ିଶାର ବିଶିଷ୍ଟ ଉପନ୍ୟାସମାନଙ୍କ ସହିତ ସମକକ୍ଷ । ଶ୍ରୀନିବାସବାବୁ ବିଶିଷ୍ଟ ଆଇନଜୀବୀ ହେଲେ । ଲୋକସଭାର ସଦସ୍ୟ ହେଲେ । ସାହିତ୍ୟ ସେବା ଓ ସାହିତ୍ୟ ପ୍ରୀତି ଥାଇ ମଧ୍ୟ ଆଜି ସାହିତ୍ୟିକ ସମାଜରେ ସେ ବିସ୍ମୃତ । କିନ୍ତୁ ପଇଁଚାଳିଶି ମସିହାରେ ସେ ଥିଲେ ଜଣେ ପ୍ରତିଶୃତିଭରା ସାହିତ୍ୟିକ ।

 

ସେହିପରି ବାବୁ ଚିନ୍ତାମଣି ମିଶ୍ର ମଧ୍ୟ ଛଦ୍ମ ନାମରେ ଲେଖିବାରେ ଆଗ୍ରହୀ । ଛଦ୍ମନାମ ମଧ୍ୟ ଏମିତି ଗୋଟାଏ କଥା ଯେ ଖୁବ୍‌ ଶୀଘ୍ର ଲୋକେ ଖୋଜିଲୋଡ଼ି ସେହି ନାମର ପରିଚୟ ନେଇଯାନ୍ତି । ତେଣିକି ଛଦ୍ମନାମୀ ମନକୁ ମନ ଲୁଚି ରହିଥାଏ । ଏଣେ ଜାଣିବା ଲୋକେ ଠିକ୍‌ ଜାଣିଥାନ୍ତି ।

 

ପଶୁପାଳନ ବିଭାଗର ଡାକ୍ତର ଗଜେନ୍ଦ୍ରନାଥ ସାମଲ ସେହିପରି ଗ–ନା–ସା ନାମରେ ଲେଖୁଥିଲେ । ସେ ସାଧାରଣରେ ହାସ୍ୟରସର ଜଣେ ରସିକ ଲେଖକ ଥିଲେ । ଏହି ହାସ୍ୟରସ ଗୋଟିଏ ଉନ୍ନତ ପର୍ଯ୍ୟାୟର ଥିଲା । ତଥାପି ପରିଚୟର ପ୍ରଚାର ଅଭାବରୁ ସେ କାଳକ୍ରମେ ଲେଖା ଛାଡ଼ିଦେଲେ । ଆଉ ମଧ୍ୟ ସେ କାହିଁକି ଲେଖୁ ନାହାନ୍ତି–ଏହି ପ୍ରଶ୍ନ ସେ ଶୁଣିବାର ବାଟ ପାଇଲେ ନାହିଁ ।

 

ତେଣୁ ଗୋପନୀୟତା ରକ୍ଷା କରି ନେପଥ୍ୟରୁ ସାହିତ୍ୟସେବା କରିବା ବିଶେଷ ଫଳପ୍ରଦ ନୁହେଁ । ଛଦ୍ମନାମ ହେଉ ଅବା ପ୍ରକୃତ ନାମ ହେଉ ନାମରେ ଧାରାବାହିକତା ରହି ଲେଖା ଆରମ୍ଭ କଲେ ସେହି ନାମଟି ସାହିତ୍ୟ ତାଲିକାକୁ ଆସିବାକୁ ବାଧ୍ୟ । ଏହାଛଡ଼ା ନାମ ଦେଇ ଲେଖିବା ଅର୍ଥ ଲେଖାର ଦାୟିତ୍ୱ ନେବା ।

 

ଆଭିଜାତ୍ୟ ହେଉ ବା ଅତି ନିଷ୍ଠୁର ଦାରିଦ୍ର୍ୟ ହେଉ ସ୍ରଷ୍ଟା ଓ ପିତା ସମାନ । ସ୍ରଷ୍ଟା ଓ ପିତାର ପରିଚୟ ନ ଥିଲେ ସୃଷ୍ଟି ଓ ସନ୍ତାନ କେତେକ ଅସୁବିଧାର ସମ୍ମୁଖୀନ ହୋଇ ନିଜର ପ୍ରାପ୍ୟ ହରାନ୍ତି । ଏହାର କି ପ୍ରକାରର ଯୁକ୍ତିସିଦ୍ଧ ଉତ୍ତର ଏହି ଅନାମୀ ଅନୁଷ୍ଠାନମାନେ ଦେବେ ଏବେଯାଏ ବୁଝାପଡ଼ି ନାହିଁ ।

 

ସାହିତ୍ୟିକ ଶ୍ରୀ ଅଶୋକ ଦାସଙ୍କର ମତ ଯେ ଛଦ୍ମ ନାମରେ ଲେଖିବା ହୀନମନ୍ୟତାର ପରିଚାୟକ । ଛଦ୍ମ ନାମରେ ଲେଖିଲେ ଦାୟିତ୍ୱବୋଧ ଆସେ ନାହିଁ । ନିନ୍ଦା ପ୍ରଶଂସା ଶୁଣିଲେ ମନରେ ମଧ୍ୟ ସୁସ୍ଥ ଭାବ ଆସେ ନାହିଁ । ନବଭାରତ ପତ୍ରିକା ଓ ସମ୍ୱାଦପତ୍ର ସହିତ ସଂପୃକ୍ତ ଥିଲାବେଳେ ସେ ଛଦ୍ମନାମର ବିରୋଧି ଥିଲେ । ଆଉ ସେତେବେଳେ ବିଭିନ୍ନ କାରଣରୁ ଚାଳିଶି ମସିହାର ଏପାଖ ସେପାଖ ଚାରିବର୍ଷ ଓଡ଼ିଆ ସାହିତ୍ୟରେ ଧୁର୍ମୁଷଧର୍ମା, ଧୁର୍ଜଟି, ଶ୍ରୀ ଇତ୍ୟାଦି ଛଦ୍ମନାମର ପ୍ରଭାବ ଦେଖା ଯାଉଥିଲା ।

 

ଛଦ୍ମ ନାମରେ ପ୍ରତିଷ୍ଠା ପାଇବା ବଙ୍ଗଳା ସାହିତ୍ୟରେ କାହିଁକି ଓଡ଼ିଆରେ ମଧ୍ୟ ଶ୍ରୀ ଫତୁରାନନ୍ଦ ସମର୍ଥ ହୋଇଛନ୍ତି । ଏଗୁଡ଼ିକ ପ୍ରକୃତରେ ଛଦ୍ମନାମ ନୁହେଁ–ସେମାନଙ୍କର ନାମାନ୍ତର । ସାମୟିକ ଲେଖାର ଲେଖକ ଭାବରେ ଛଦ୍ମ ନାମର ପ୍ରଚାରର ଆରମ୍ଭ । ଲେଖାଟି ନିଜର ଯୋଗ୍ୟତାର ଉପଯୁକ୍ତ ହେଲା କି ନାହିଁ–ସନ୍ଦେହ ଆସିଲେ ଛଦ୍ମ ନାମ ଦେଇ ଲେଖାର ପ୍ରଚାର କରାଇବା ଇଚ୍ଛା ହୁଏ ।

 

ସାହିତ୍ୟିକର ନାମ ହେଉଛି ଲେଖାର ପ୍ରାଣ । ଲେଖାଟିର ଗ୍ରାହକତା କରିବା ଆଗରୁ ଲେଖକର ନାମଟି ଦେଖିବାକୁ ହୁଏ । ଏଥିରେ କିନ୍ତୁ ଆଗନ୍ତୁକମାନଙ୍କର ଘୋର ଆପତ୍ତି ଓ ବିରକ୍ତି । ଏମାନେ ନାମ ଦେଖି ଲେଖା ବାଛୁଛନ୍ତି–ଲେଖାକୁ ଦେଖୁ ନାହାନ୍ତି ।

 

ଏହି ଅଭିଯୋଗ ସବୁଦିନେ ରହିଛି । ତେଣୁ ପ୍ରଶ୍ନ ଉଠେ–କ’ଣ କଲେ ଲୋକେ ଲେଖାକୁ ଦେଖିବେ ଓ ଲେଖକକୁ ଦେଖିବେ ନାହିଁ । ଏହି ନାମୀ ଲେଖକର ଖରାପ ଲେଖା ଓ ଅନାମୀ ଲେଖକର ଭଲ ଲେଖା କିପରି ଭାବରେ ବିବେଚନା ଓ ବିଚାରର ଯୋଗ୍ୟ ହେଇପାରିବ-?

 

ଏଇଠି ଆରମ୍ଭ ହୁଏ ନୂତନତା–ନୂଆ ଶୈଳୀ, ନୂଆ ଭାବ ଓ ନୂଆ ପରିପ୍ରକାଶ । ଏଇଠି ପୁଣି ଆରମ୍ଭ ହୁଏ ଦଳ ଓ ଗୋଷ୍ଠୀ । ଜଣକର ଚେଷ୍ଟାରେ ଯାହା ସମ୍ଭବ ହୋଇ ନାହିଁ ସେତକ ପୁଣି ଯେମିତି ବହୁ ଲୋକଙ୍କର ଚେଷ୍ଟାରେ ହବ ଓ ଲେଖାଟି ସାର୍ବଜନୀନ ହେବ ।

 

କାର୍ଯ୍ୟକ୍ଷେତ୍ରରେ ଦେଖା ଯାଇଛି ଯେ ଗୋଟାଏ ପ୍ରବଳ ବିସ୍ଫୋରଣ ପରି ନୂଆ ଲେଖକ ସାହିତ୍ୟ ରାଜ୍ୟରେ ଦେଖାଦିଏ । ଏହି ପ୍ରଥମ ପ୍ରକାଶ ବେଳେ ଯେଉଁ ଲେଖକ ଯେତିକି ଉଜ୍ଜଳତାରେ ଆତ୍ମପ୍ରକାଶ କରିଥାଏ ସେ ପ୍ରାୟ ସେହି ଅଂଶ ବା ଭାଗରେ ରହିଥାଏ ।

 

ଏହିପରି ଆସିଥିଲେ ଗୋପୀନାଥ–ପ୍ରବନ୍ଧ ରଚନାର ନୂତନ ଆଭିମୁଖ୍ୟ ନେଇ । ସେ ତାଙ୍କର ଆଦ୍ୟ ଗଳ୍ପ, ପ୍ରବନ୍ଧ, ରମ୍ୟରଚନା ଓ ବ୍ୟଙ୍ଗ ଲେଖାରେ ତାଙ୍କର ସ୍ୱୀକୃତି ଦେଖାଇଥିଲେ ।

 

ସେହିପରି ଆସିଥିଲେ ଡକ୍ଟର ମାନସିଂହ । ସେ ତାଙ୍କର ପ୍ରଥମ କବିତାଗୁଚ୍ଛ ଧୂପ ବହିରେ ନିଜକୁ ଦରଦୀ କବି ତାଲିକାକୁ ନେଇ ପାରିଥିଲେ ।

 

ଠିକ୍‌ ସେହିପରି ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ତାଙ୍କର ଆଦ୍ୟ କବିତାଗୁଚ୍ଛ ‘ମରମ’ ଓ ଆଦ୍ୟ ଉପନ୍ୟାସ ଭୁଲ୍‌ କୁ ନେଇ ।

 

କାଳିନ୍ଦୀ ବାବୁଙ୍କର ମାଟିର ମଣିଷ ସେହିପରି ତାଙ୍କର ସାହିତ୍ୟିକ ସ୍ୱୀକୃତିର ପ୍ରଥମ ରୂପ-

 

ଏହିପରି ଆସିଛନ୍ତି ସମସ୍ତେ ନାନାପ୍ରକାରର ଲେଖା–ବିଲେଇ, କୁକୁର, ନେଉଳ, ପାରା, ମଇନା ଆଦି ବିଭିନ୍ନ ରୂପର ଆଙ୍ଗିକ ନେଇ । ଆଉ ଶେଷ ପର୍ଯ୍ୟନ୍ତ ଦେଖା ଦେଇଛି ଯେ ସିଏ ଯାହା ଆଦ୍ୟ ସୂଚନା ଦେଖାଇଥିଲେ ତହିଁରୁ ବିଶେଷ ବ୍ୟତିକ୍ରମ ହୋଇନାହିଁ ।

 

ତେଣୁ ଯେତେ ପ୍ରକାରର ଆନ୍ଦୋଳନ ହେଲେ ସୁଦ୍ଧା ଆଦ୍ୟ ସ୍ୱାକ୍ଷରର ମୂଲ୍ୟାୟନ ବିଶେଷ ପରିବର୍ତ୍ତିତ ହୋଇନାହିଁ । ଧାମାଧରା ବଳଦିଆ ଲେଖକ ଆସିଛନ୍ତି । ମୋ’ପରି ଆପଣଙ୍କ ପରି ହଳ କରିଛନ୍ତି । ଲାଙ୍ଗୁଡ଼ ହଲାଇଛନ୍ତି । ମାରଣା ହେବାକୁ ଚେଷ୍ଟା କରି ପୋଷା ମାନିଛନ୍ତି । କିନ୍ତୁ ଯାହା ଥିଲେ ସେଥିରୁ ବିଶେଷ ବଡ଼ ହେଇ ପାରିଲେ ନାହିଁ ।

 

ତେବେ ଆମେ କ’ଣ କହିବା ଯେ ଲେଖକର ବିଶେଷତ୍ୱ ତାହାର ଆଦ୍ୟ ଜୀବନରୁ ଜଣାପଡ଼ିଥାଏ ? ତାହାହେଲେ ଅନ୍ୟମାନ ଲେଖିବେ କାହିଁକି ? ମୂଲ୍ୟୟନର କ୍ରମ ଯଦି ଏତେ ସ୍ପଷ୍ଟ ତାହାହେଲେ ସାଧନାର ଅର୍ଥ କ’ଣ ? ସାହିତ୍ୟିକ ସାଧନା କ’ଣ ନିରର୍ଥକ ।

 

ସତକଥା କହିଲେ କହିବାକୁ ହେବ ଯେ ସାଧନା ନିରର୍ଥକ । ଯିଏ ଯେତିକିର ଲୋକ ସେ ସେତିକିର ହେବ । ତାହାର ମନକୁ ପାଇଲେ ସେ ଥୋଡ଼ାଏ କୋସିସ୍‌ କରିପାରେ । କିନ୍ତୁ ଅଧିକ ମୂଲ୍ୟ ପାଇପାରିବ ନାହିଁ । କାରଣ ପ୍ରତିଭା ହେଉଛି ଜନ୍ମଗତ ଓ ଈଶ୍ୱରଙ୍କର ଦାନ । ଯିଏ ଯାହା ନେଇ ଆସିଛି–ସେତିକି ।

Unknown

 

ଓଡ଼ିଆ ସାହିତ୍ୟରେ ଏଇକଥା ଘଟିଲା କାହିଁକି ? ଆଜିର କଥା ନୁହେଁ–ଅନେକ ଦିନରୁ ଏହିକଥା ଘଟି ଆସୁଛି । ଯିଏ ଯେତେବେଳେ ଯେଉଁ କାରଣରୁ ବଡ଼ ବୋଲି ପ୍ରତିପାଦିତ ବା ସ୍ୱୀକୃତ ହୋଇଥିଲେ ତହିଁରୁ ଛୋଟ ହେଇ ପାରିନାହାନ୍ତି ।

 

ଅଧ୍ୟବସାୟ ଓ ସାଧନା ବଳରେ ଜଣେ ବହୁବିଧ ବିଦ୍ୟା ହାସଲ କରିପାରେ । କିନ୍ତୁ ପାଣ୍ତିତ୍ୟ ପାଇବା ବିଡ଼ମ୍ବନା । ଯଦି ସେ ପାଣ୍ତିତ୍ୟର ଅଧିକାରୀ ହୁଏ ତାହାହେଲେ ସେହି ପାଣ୍ତିତ୍ୟକୁ ଅପର ଦ୍ୱାରା ଗ୍ରହଣୀୟ କରାଇବାରେ ଯୋଗ୍ୟତା ପାଇ ପାରିବ ନାହିଁ । ତେଣୁ ଯେଉଁମାନେ ଦଶ ପନ୍ଦରବର୍ଷ ସାହିତ୍ୟ ସେବା କଲାପରେ ଉପଯୁକ୍ତ ସ୍ୱୀକୃତି ପାଇନାହାନ୍ତି ସେମାନେ ସେହି କାର୍ଯ୍ୟଟିକୁ ଛାଡ଼ି ଅନ୍ୟ ପ୍ରକାରର କାର୍ଯ୍ୟରେ ନିଜକୁ ଲଗାଇବା ଉଚିତ୍‌ ।

 

ଏଥିରେ ଯେଉଁମାନଙ୍କର ଅମତ ହୁଏ ସେମାନେ ଦୁଆର ଦୁଆର ବୁଲି ସ୍ୱୀକୃତି ଭିକ୍ଷା କରୁଥାନ୍ତି । ଓଡ଼ିଆ ସାହିତ୍ୟରେ ଏଇ ସ୍ୱୀକୃତି ଭିକାରୀ ବହୁତ ଅଛନ୍ତି । ପ୍ରତ୍ୟେକ ଅଗ୍ରସର ସାହିତ୍ୟରେ ମଧ୍ୟ ଅଛନ୍ତି । ବିବିଧ ଉପଚାରରେ ସେମାନେ ସ୍ୱୀକୃତିଦେବୀଙ୍କୁ ସନ୍ତୁଷ୍ଟ କରିବାରେ ଲାଗିଥାନ୍ତି ।

 

ଏତକ ବୁଝିବାକୁ ଉଦାହରଣ ଦରକାର । ଯୋଡ଼ିଏ ଉଦାହରଣ ହୁଏ ତ ଯଥେଷ୍ଟ ହେବ-। ବାବୁ କାହ୍ନୁଚରଣ ଲେଖା ଆରମ୍ଭ କରିବାର ବାରବର୍ଷ ପରେ ବାବୁ ଗୋପୀନାଥ ଲେଖା ଆରମ୍ଭ କଲେ । କିନ୍ତୁ ଗୋପୀନାଥବାବୁ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇବାର ପାଞ୍ଚବର୍ଷ ପରେ କାହ୍ନୁଚରଣ ସେହି ପୁରସ୍କାର ଗ୍ରହଣ କଲେ ।

 

ଇଏ ହେଉଛି ଅମଲାତାନ୍ତ୍ରିକ ମନୋଭାବ । ମୁଁ ଏବର୍ଷ ପଦୋନ୍ନତି ପାଇଲି ନାହିଁ–ଆର ବର୍ଷକୁ–ତହିଁଆର ବର୍ଷକୁ–ନ ହେଲେ ଆଉରି ପରେ ପାଇବାକୁ ଆଶା ରଖିବି । ଏଥିରେ ପୁରୁଷକାରର କଥା ନାହିଁ । ଏଥିରେ ଅଛି ମଣିଷର ଚରିତ୍ରସୁଲଭ ଦୈନ୍ୟ । ପୁରସ୍କୃତ ହୋଇ ନ ପାରିଲେ ମୁଁ ହେବି ତିରସ୍କୃତ । ତେଣୁ ପୁରସ୍କାର ମୋର କାମ୍ୟ–ନାମ ରହିବ ତ ।

 

ଆଜି ଚଉବନ ମସିହାରୁ ତେସ୍ତରୀ ଯାଏ ବିବିଧ ଶ୍ରେଣୀର ସାହିତ୍ୟିକ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇଲେଣି । କିନ୍ତୁ ଅଦ୍ୟାବଧି ଗୋପୀନାଥ ବାବୁଙ୍କର ସ୍ୱୀକୃତିର ସମକକ୍ଷ ଅନ୍ୟ ପୁରସ୍କୃତ ଲୋକେ ହେଲେ ନାହିଁ ବୋଲି ଅନେକଙ୍କର ଧାରଣା ।

 

ଓଡ଼ିଶାରେ ଅଦ୍ୟାବଧି ଏହି ପୁରସ୍କାରର ଊର୍ଦ୍ଧ୍ୱରେ ଥିବା ସାହିତ୍ୟିକ ହାତଗଣତା । ସେମାନଙ୍କର ନାମ ଲେଖିବା ନିରର୍ଥକ । କାରଣ ହଠାତ୍‌ କିଏ କେତେବେଳେ ସେହି ପୁରସ୍କାରକୁ ଗ୍ରହଣ କରି ତମର ମତାମତକୁ ତୁଚ୍ଛ ତାଚ୍ଛଲ୍ୟ କରିବ ।

 

ଏମିତି କରିଛନ୍ତି ଓଡ଼ିଶାର ଓଡ଼ିଆ ଲେଖକ । ପୁରସ୍କାରର ଊର୍ଦ୍ଧ୍ୱରେ ଅଛନ୍ତି ବୋଲି ପ୍ରଚାରମୂଳକ ଲେଖା ଲେଖି ବାହାବା ନେଇ ସାରି ପୁଣି ସେହି ପୁରସ୍କାର ପାଇବାକୁ ସାହିତ୍ୟିକ ପରିକ୍ରମା କରିଛନ୍ତି ।

 

ସେମାନଙ୍କର ନାମ ଲେଖିଲେ ସେମାନେ ପୁଣି ବିବଦମାନ ବିବୃତି ଦେବାକୁ ଆରମ୍ଭ କରିଦେବେ । ଓଡ଼ିଆ ସାହିତ୍ୟିକ ଅଦ୍ୟାବଧି ଏହି ପୁରସ୍କାର ପ୍ରାପ୍ତିର ପରିସର ବାହାରକୁ ଯିବାକୁ ନାରାଜ । କିନ୍ତୁ ସେମାନଙ୍କର ସାହିତ୍ୟିକ ପ୍ରତିଷ୍ଠା ଅନେକ କ୍ଷେତ୍ରରେ ପୁରସ୍କୃତ ସାହିତ୍ୟିକମାନଙ୍କଠାରୁ ଉର୍ଦ୍ଧ୍ୱରେ ନୁହେଁ ।

 

ଏହି ପାଇବା ଓ ହରାଇବାର ଲାଳସା ଓ ଆଶଙ୍କା ସାହିତ୍ୟିକର ପ୍ରକୃତ ମୂଲ୍ୟର ନିୟାମକ । ଯେଉଁ ଲେଖକମାନେ ଲେଖି ଲେଖକ ହୋଇ ପ୍ରତିଷ୍ଠିତ ଓ ସୁପ୍ରତିଷ୍ଠିତ ହୋଇ ସାରିଲା ପରେ ସ୍କୁଲ ଛାତ୍ର ପରି ପୁରସ୍କାର ଦ୍ୱାରା ନିଜକୁ ସିଦ୍ଧ କରିବାକୁ ଚାହାନ୍ତି ସେମାନେ ନିକୃଷ୍ଟ ଶ୍ରେଣୀର-

 

ପୁରସ୍କାର ଦେବା ଓ ନେବାର ମଧ୍ୟ ନିୟମ ରହିବା ଉଚିତ୍‌ ଯେ ପ୍ରଥମ ଲେଖାର ପ୍ରକାଶକାଳର ପନ୍ଦରବର୍ଷ ଭିତରେ ଅବା ପଇଁଚାଳିଶିବର୍ଷ ବୟସ ମଧ୍ୟରେ ଯେଉଁମାନେ ଓଡ଼ିଆରେ ଲେଖି ମଧ୍ୟ ଯେଉଁ ପ୍ରକାରର କଳା ଓ ଧଳା କାରଣ ପାଇଁ ପୁରସ୍କାରର ଉପଯୁକ୍ତ ବୋଲି ବିବେଚିତ ହୋଇ ନାହାନ୍ତି ସେମାନେ ପୁରସ୍କାର ଗ୍ରହଣ ନ କରି ବରଂ ଓଡ଼ିଆ ସାହିତ୍ୟ ଏକାଡେମୀର ବର୍ଷୀୟାନମାନଙ୍କର ଉପାୟନ ଗ୍ରହଣ କରିବା ଉଚିତ୍‌ ।

 

ଏଥିରୁ କେହି ଯେପରି ନ ବୁଝନ୍ତି ଯେ ପ୍ରତ୍ୟେକ ସାହିତ୍ୟିକ ପୁରସ୍କାର ପାଇବାରେ ଆଶାୟୀ ବା ବ୍ୟଗ୍ର । ଅଧ୍ୟାପକ ଭରଦ୍ୱାଜ ଜାନକୀ ମହାନ୍ତି, ଅଧ୍ୟାପକ କ୍ଷେତ୍ରବାସୀ ନାୟକ, ଅଧ୍ୟାପକ ପଠାଣି ପଟ୍ଟନାୟକ, ଶ୍ରୀଯୁକ୍ତ ଭଗବାନ ପତି ଓ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା ପ୍ରମୁଖ ଅନେକ ସ୍ୱୟଂସମ୍ପୂର୍ଣ୍ଣ ସାହିତ୍ୟିକ ମନଭିତରେ ପୁରସ୍କାର କଥା ବୋଧହୁଏ ଭାବନ୍ତି ନାହିଁ । ସେମାନଙ୍କ ମଧ୍ୟରୁ କେତେକଙ୍କର ମତ ଯେ ସେମାନେ ନିସମ୍ୱଳ ଓ ପ୍ରବଳ ବନ୍ଧୁହୀନ । ତାଙ୍କର ଜୀବନରେ ସ୍ୱୀକୃତି ନାହିଁ ।

 

ଏହି ସ୍ୱୀକୃତି ପାଇବା ଓ ହରାଇବା ସମସ୍ୟା ସାହିତ୍ୟରେ କେତେକ ଅଦ୍ଭୁତ ପ୍ରସଙ୍ଗ ଆଣିଛି । ଯିଏ ସୁବିଧାରେ ରହିଛି ସେ ଅନ୍ୟମାନଙ୍କର ବାବୁ–ବାବୁ–ଡାକକୁ କାନ ଡେରିଛି । ସେହି ଡାକ ବା ହାବଭାବ ନ ଦେଖିଲେ ଭାରି ବିରକ୍ତ ହୋଇଯାଉଛି । ଆଉ କେତେକ ସୁବିଧାରେ କାଳେ ରହିଯିବେ ଭାବି ତାଙ୍କରିଠାରୁ ଛୋଟଙ୍କ ପାଖରେ ଅଧସ୍ତନ ପରି ହୋଇ ଭିକ୍ଷା ମାଗୁଛନ୍ତି । ଆଉ ସେହି ମନ୍ତ୍ରୀ ଓ ସେକ୍ରେଟାରୀଙ୍କୁ ତାରିଫ୍‌ କରିବାକୁ ଯାଇ ଓଡ଼ିଆ ସାହିତ୍ୟର ସାହିତ୍ୟିକର ଓଜନ ଓ ମାପକୁ ବିଭ୍ରାନ୍ତ କରୁଛନ୍ତି । କବିବର ରାଧାନାଥ ଓ କବିଶେଖର ଚିନ୍ତାମଣିଙ୍କର ରାଜା–ପ୍ରଶସ୍ତିକୁ ବଳି ପଡ଼ିଛି ଚଳିତ ଯୁଗର ମନ୍ତ୍ରୀ–ପ୍ରଶସ୍ତି ।

 

ବାସ୍ତରୀ ମସିହା ଜୁନ୍‌ ମାସରେ ଶ୍ରୀମତୀ ନନ୍ଦିନୀ ଶତପଥୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ । କାଳକ୍ରମେ ସେ ମଧ୍ୟ ଆମର ଓଡ଼ିଶା ସାଂସ୍କୃତିକ ବ୍ୟାପାର ବିଭାଗର ସର୍ବୋଚ୍ଚ ପଦବୀ ଗ୍ରହଣ କରି ସାହିତ୍ୟିକମାନଙ୍କର ସ୍ୱୀକୃତିର ମାଆବାପା ହୋଇଗଲେ । ଏଣେ ଓଡ଼ିଆ ସାହିତ୍ୟିକଙ୍କ ଭିତରେ ଚହଳ ପଡ଼ିଗଲା–କ’ଣ କରାଯିବ ? କିଏ କାଳିନ୍ଦୀ ବାବୁଙ୍କର ବିରୋଧି ହୋଇ ପାଟିସୁଆଦ କରୁଥିଲା । କାଳିନ୍ଦୀବାବୁ ବଞ୍ଚିଛନ୍ତି । କେମିତି ଯାଇ ନନ୍ଦିନୀ ଦେବୀଙ୍କୁ ପ୍ରଶସ୍ତି ଶୁଣାଇବେ ?

 

ଦେଖୁ ଦେଖୁ ନନ୍ଦିନୀ ଦେବୀ ଟାଣ ହୋଇ ବସିଗଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କର ମନକୁ ପାଇଲା ପରି ପ୍ରଶଂସା କରିବାକୁ ହେବ । ପ୍ରଶଂସା ଓ ସ୍ତୁତିର ବାଦିପାଲା ଆରମ୍ଭ ହୋଇଗଲା ।

 

ବାସ୍ତରୀ ମସିହାରୁ ତେସ୍ତରୀ ଭିତରେ ଯେତୋଟି ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ଉପରେ ଆଲୋଚନା ପୁସ୍ତକ ପ୍ରକାଶ ପାଇଛି ସେଥିରେ ନନ୍ଦିନୀ ଦେବୀଙ୍କୁ ଯଥେଷ୍ଟରୁ ଅଧିକ ସାହିତ୍ୟିକ ସ୍ୱୀକୃତି ଓଡ଼ିଆ ସାହିତ୍ୟିକମାନେ ଦେଇଛନ୍ତି । କାରଣ ତାଙ୍କର ମତାମତ ଉପରେ କେନ୍ଦ୍ର ସାହିତ୍ୟ ପୁରସ୍କାର ଓ ବହୁତ ଅଂଶରେ ଜ୍ଞାନପୀଠ ପୁରସ୍କାର ମିଳି ପାରିବ ।

 

କିଏ କହୁଛି–ଅଭାବରେ ପଡ଼ିଛି ଟଙ୍କା ମିଳିବ ତ । ଆଉ କିଏ କାରଣ ଦେଖାଉଛି–ଏବେ ସଂସାର ଭାଣ୍ତ ହୋଇ ଗଲାଣି । ନ୍ୟାୟ ମରିଗଲାଣି । ଆମେ ଯାଇ ତାଙ୍କ ପାଖରେ ବଶ୍ୟତା ସ୍ୱୀକାର ନ କଲେ ଏଇ ଟେରିଲିନ ପ୍ୟାଣ୍ଟ ଓ ଶାଢ଼ୀ ରହିବ କି ?

 

ଓଡ଼ିଆ ସାହିତ୍ୟିକମାନେ ଜଣ ଜଣ ହୋଇ ଚାଲିଲେ ନନ୍ଦିନୀ ଦେବୀଙ୍କର ପ୍ରଶସ୍ତି ପାଇଁ-। ଏମିତି ଯାଉଥିଲେ ସେମାନେ ମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ସାହୁଙ୍କ ପାଖକୁ । ଏମିତି ଯାଇଥିଲେ ବିଶିଷ୍ଟ ସାହିତ୍ୟିକ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ପାଖକୁ । ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ କଥା ଅଲଗା ଥିଲା । କିନ୍ତୁ ଠିକ୍‌ ପରେ ଆସିଗଲା ପ୍ରଶସ୍ତିର ମାହେନ୍ଦ୍ର ଯୋଗ–ଶ୍ରୀମତୀ ନନ୍ଦିନୀ ଶତପଥୀ-

 

କହିବାର କଥା ଓ ଲେଖିଥିବା ଲେଖାର ମୂଲ୍ୟ ଥାଏ ବୋଲି ସାହିତ୍ୟ ଜଗତରେ ଗୋଟାଏ ଧାରଣା ବହୁତ ଦିନରୁ ଗଡ଼ି ଆସିଛି । ସେହି କଲମର ଅଧିକାରୀ ମାନେ କଲମରେ ଦେଇଗଲେ ସ୍ୱୀକୃତି ।

 

ମହାଶୟା, ଆପଣ ବେଶି ବା କମ୍‌ ଯାହା ଲେଖିଥାନ୍ତୁ ଆପଣ ସାହିତ୍ୟରେ ନିଶ୍ଚିତ ରୂପେ ଉଚ୍ଚ ପଦବୀର ଅଧିକାରୀ । ଏଣେ ବମ୍ୱେଇ, ମାନ୍ଦ୍ରାଜ ଆଦିର ସାହିତ୍ୟପତ୍ରରେ ଲେଖିକା ନନ୍ଦିନୀଙ୍କର ପ୍ରତିଭା ବିଷୟରେ ଲେଖା ବାହାରୁ ଥାଏ । ଆମର ଓଡ଼ିଶାରେ ମଧ୍ୟ ରଥି ମହାରଥିମାନେ ପ୍ରତିବାଦ କରି ନାହାନ୍ତି–ମୌନ ସମର୍ଥନ ଦେଇଛନ୍ତି ।

 

ଏଇ ନଅମାସର ବିଚାର ଧାରାରେ ନନ୍ଦିନୀ ଦେବୀ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ହେଲେ-। ଅବସରର ସୁବିଧା ମିଳିଲେ ସେ ସାହିତ୍ୟର ସମସ୍ତ ଫୁଲ ଫଳ ଓ ସନନ୍ଦର ଅଧିକାରୀ ହୋଇପାରିବେ । ବୟସ ବୟାଳିଶି ବର୍ଷ । ଠିକ୍‌ ସେହି ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମିର ପୁରସ୍କାର ପାଇଲେ ଶ୍ରୀ ମନୋଜ ଦାସ-। ତାଙ୍କର ବୟସ ମଧ୍ୟ ସେହି ଚାଳିଶି ପାଖାପାଖି କେଡ଼େ ସୁନ୍ଦର ନହେଲା ?

 

ସାହିତ୍ୟର ମୂଲ୍ୟାୟନ ଏମିତି ହୋଇଥାଏ । ଏହିପରି ସାହିତ୍ୟିକମାନେ ପ୍ରତିଭାକୁ ଖୋଜି ସନାକ୍ତ କରନ୍ତି । ତେଣିକି ପ୍ରତିଭା ଚାଲେ ଉନ୍ନତି ପଥରେ ।

 

ଯେଉଁମାନେ ଏହି ପ୍ରକାରର ଆବିଷ୍କୃତ ପ୍ରତିଭାର ପୂଜା କରି ଜାଣି ନାହାନ୍ତି ସେମାନଙ୍କୁ ତାଙ୍କର ଅବିବେକୀ–ପଣିଆର ପୁରସ୍କାର ଦେବାକୁ ଅଛନ୍ତି ଓଡ଼ିଶାର ଶିକ୍ଷା ବିଭାଗର ଅସଂଖ୍ୟ ଦରମାଖିଆ ସୈନ୍ୟ ।

 

ତେଣୁ ପ୍ରଚଳିତ ଯୁଗରେ ଅର୍ଥାତ୍‌ ସ୍ୱାଧୀନତା ପରବର୍ତ୍ତୀ ଚଉଠ ଶତାଦ୍ଦୀରେ ସାହିତ୍ୟର ମୂଲ୍ୟାୟନ କେତେକ ନୂଆ ନିୟମର ଅଧିନ ହୋଇ ଚାଲିଛି । ସବୁଦିନେ ଏହି ଦେଶକାଳପାତ୍ରର ପୃଷ୍ଠଭୂମିରେ ସ୍ୱୀକୃତିର ସମୀକ୍ଷା ହେଉଥିଲା । ନିରପେକ୍ଷ ଭାବରେ ସାହିତ୍ୟର ମୂଲ୍ୟାୟନ କେବେ ହୋଇ ନ ଥିଲା । ଆଜି ମଧ୍ୟ ହେବ କେମିତି ?

 

ସମସ୍ତେ ଆଜି ବୁଭୁକ୍ଷୁ–ଭାତପାଇଁ ଆଉ ଜୀବନପାଇଁ । ସେଥିରେ ସର୍ବତ୍ୟାଗୀ ବୈଷ୍ଣବର ଦୀକ୍ଷା କେଉଁ ସାହିତ୍ୟିକ ନେବ ? ଅବା ସାହିତ୍ୟ ସାଧନାରୁ ଆଡ଼େଇ ଯାଇ ଏହି ପଥରୁ ଅବସର ନେବ ?

 

ଅବସର କାହିଁ ? କିଏ କାହାକୁ ଅବସର ଦେବ ? ତରୁଣ ବିପ୍ଳବୀ ଲେଖକମାନେ ପାଟି କରୁଛନ୍ତି–ହେ, ପୁରୁଣା ଖତରା ଲେଖକ ! ଆଡ଼େଇ ହୋଇ ଯାଅ । ଶୁଣିଲେ ଛାତି ଥରି ଉଠୁଛି । ମାରଧର କରିବେ କି ? ଗଣତନ୍ତ୍ର କ’ଣ ଭୁଷୁଡ଼ି ପଡ଼ିଛି ? ଆମେ ଆମର ଲେଖୁଛୁ । ଆମକୁ ବାହାର କରିଦବ କାହିଁକି ? ଖୁବ୍‌ ଶୀଘ୍ର ଆମେ ଆରପାରିକୁ ଚାଲିଯିବୁ ।

 

ଏଇଟା କ’ଣ ସାହିତ୍ୟିକର ସମସ୍ୟା ନୁହେଁ ? ଏହାର କି ସମାଧନ ଦେଲେ ଆମର ପୁରସ୍କୃତ ଲେଖକମାନେ ? କ’ଣ ପାଇଁ ସେମାନେ ଆମପରି ଅସଂଖ୍ୟ ଆଶ୍ରିତ ପାଠକଙ୍କର ଶୁଭେଚ୍ଛା ପାଇବେ ? ଆମେ ତାଙ୍କୁ ଯଦି କହୁ ଦରମାଖିଆ ଓ ଭଡ଼ାଟିଆ–ତାହା ହେଲେ ସେମାନେ କାହିଁକି ଛଳ କରିବେ ?

 

ଛଳ କରିବାର କାରଣ ହେଲା ଯେ ସେମାନେ ଏକ–ବୃତ୍ତିଧାରୀ ସାହିତ୍ୟିକ ନୁହନ୍ତି । ତାଙ୍କର ଅଲଗା ସଂସ୍ଥା ଅଛି । ସେହି ଅଲଗା ସଂସ୍ଥାର ପତିଆରା ଦେଖାଇ ସେମାନେ ଏଠୁ ମଧ୍ୟ ସବୁ ସୁବିଧା ମାରି ନେଉଛନ୍ତି ।

 

ଜିଲା କଲେକ୍ଟରଙ୍କର ବଗିଚାଫୁଲ ଫୁଲପ୍ରଦର୍ଶନୀରେ ପ୍ରଥମ ହେବ । ଜିଲା ହାକିମଙ୍କର ପିଲା ଶିଶୁମେଳାରେ ସର୍ବୋତ୍କୃଷ୍ଟ ଶିଶୁ ହେବ । ଜିଲାପାଳଙ୍କର ଝିଅ ଭଲ ଗାଇବ ଓ ଭଲ ନାଚିବ । ତାଙ୍କର ଘରଣୀ ସବୁ ପ୍ରକାରର ବିଶେଷତ୍ୱର ଅଧିକାରୀ ହେବେ । ଆଉ ସେମାନେ ଯଦି ଲେଖାଲେଖି କରନ୍ତି ତାହାହେଲେ ସେମାନେ ମଧ୍ୟ ବର୍ଗୋତ୍ତମ ହେବେ ।

 

ଏମିତି ଏଇ ଓଡ଼ିଶାରେ ଓଡ଼ିଆ ସାହିତ୍ୟ ଏକାଡେମି ବିଭିନ୍ନ ବିଦ୍ୱାନ ଓ ପଣ୍ତିତଙ୍କୁ ନେଇ ସମୀକ୍ଷା କରି ତାହାରି ପ୍ରଥମ ବର୍ଷର ପ୍ରଥମ ଗଳ୍ପ ସାହିତ୍ୟ ପୁରସ୍କାର ଦେଇଥିଲା ଡାକ୍ତର ଶ୍ରୀମତୀ ରାଜେଶ୍ୱରୀ ଦଳବେହେରାଙ୍କୁ । ସେ ତାଙ୍କର ପ୍ରଥମ ଓ ଶେଷ ଗଳ୍ପ ପୁସ୍ତକରେ ଓଡ଼ିଆ ଗାଳ୍ପିକଙ୍କ ମଧ୍ୟରେ ସର୍ବେଶ୍ରେଷ୍ଠ ହୋଇଥିଲେ । ତାଙ୍କର ସ୍ୱାମୀ ସେତେବେଳେ ଓଡ଼ିଶାର ଆଇ. ଏ. ଏସ୍‌. ପଦବୀରେ ।

 

ଆମର ଓଡ଼ିଆ ସମୀକ୍ଷକ ଓ ସାହିତ୍ୟ ସଂସ୍କୃତିର ନେତାମାନେ ଯେ ସ୍ୱାଧୀନ ନ ହୋଇ ସ୍ୱାର୍ଥପରାୟଣ ଏଥିରେ ଏକମତ ହେବା କଷ୍ଟକର ନୁହେଁ । କାରଣ ଏଠି ସାହିତ୍ୟିକଙ୍କ ଭିତରେ ମଣିଷ ଅତି ଅଳ୍ପ ।

 

ଏହି ଯେଉଁ ଅମଣିଷମାନେ ଆଜି ଛତିଶିରୁ ତେସ୍ତରୀ ଭିତରେ ମେଳାବାନ୍ଧି ସାହିତ୍ୟ ନାଆଁରେ ଉଠବସ ହେଉଛନ୍ତି ଆଉ ଓଡ଼ିଆ ସାହିତ୍ୟକୁ ଆକାଶକୁ ଉଠାଇବେ ବୋଲି ଗର୍ଜନ କରୁଛନ୍ତି ସେମାନଙ୍କର ମାନବିକ ଗୁଣ ଏତେ କମ୍‍ ଯେ ସେଥିରୁ ଭଲ ଓ ଭେଲ ବାଛିବା କଷ୍ଟକର ।

 

ଓଡ଼ିଶା ସାହିତ୍ୟ ରାଜ୍ୟରେ ଭୟ ଦେଖାଇ ସବୁ କାମ ଅସୁଲ କରାଯାଇପାରେ । ବକ୍‌ସିସ୍‌ ଦେବା ଦରକାର ନାହିଁ । ସାହିତ୍ୟିକଙ୍କର କିମତ୍‌ ଏତେ ଅଳ୍ପ ଯେ ସେମାନଙ୍କୁ ସାହିତ୍ୟିକ ନ କହି ସାହିତ୍ୟର ପାଳିଆ କହିଲେ ଯଥେଷ୍ଟ ହେବ ।

 

ସାହିତ୍ୟ ଅନୁଷ୍ଠାନମାନଙ୍କରେ ଏହି ସାହିତ୍ୟସେବୀ ଓ ସାହିତ୍ୟ ପ୍ରେମୀଙ୍କର ଦ୍ୱନ୍ଦ୍ୱ ପାଇଁ ଆମେ ବିରକ୍ତ ହେଉଛୁ । ସାହିତ୍ୟର ଯେଉଁ ପ୍ରକାରର ସମୀକ୍ଷା ଓ ନିର୍ବାଚନ ଗଲା କୋଡ଼ିଏବର୍ଷ ହେଲାଣି ସାହିତ୍ୟିକ ଓ ସାହିତ୍ୟର ପାଳିଆଙ୍କ ଭିତରେ ଚାଲିଛି ସେଥିରେ ବିରକ୍ତ ନ ହେବା ଛଡ଼ା ଅନ୍ୟ କ’ଣ ବାଟ ଅଛି ?

 

ଓଡ଼ିଆ ସାହିତ୍ୟ ପାଇଁ କାମ କରି ଏହି ସରଦାର ଓ ସିପାହୀ ବଚନିକାରେ ଓଡ଼ିଆ ସାହିତ୍ୟିକ ରହିବାକୁ ବାଧ୍ୟ । ସରଦାରର ପୁଅ, ରାଜାର ପୁଅ, ମନ୍ତ୍ରୀଙ୍କର ଭାଇ, ଜଜ୍‍ଙ୍କର ପୁତୁରା ସରଦାର ହେବେ । ଅନ୍ୟମାନେ ହେବେ ସିପାହୀ । –ତାଙ୍କର କାମ ହେବ ସରଦାରଙ୍କର ଶୋଭା ବଢ଼ାଇବା ।

 

ଏହି ସାହିତ୍ୟିକ ସିପାହୀ କାମରେ ଅସଂଖ୍ୟ ଶିଳ୍ପୀ ଲାଗିଛନ୍ତି । ତାଙ୍କର ନାମ ସାହିତ୍ୟରେ ଦରଜ ହେବ ନାହିଁ । ସେମାନେ ସାହିତ୍ୟ ପାଇଁ ଗଧ–ଶ୍ରମ ଛଡ଼ା ଆଉ କିଛି ପାଇବେ ନାହିଁ । ସାହିତ୍ୟିକ ଦୃଷ୍ଟି–କୋଣ ଦେଖାଇଲେ ନିଜେ ଖରଚରେ ପଡ଼ିବେ ।

 

ଛତିଶି ମସିହାରେ ଏତକ ଆଶା କରାଯାଉ ନଥିଲା । ମୋଟାମୋଟି ସମସ୍ତେ ଭାବିଥିଲେ ଓଡ଼ିଆରେ ଖଣ୍ତେ ବହି ଲେଖିଲେ ଓଡ଼ିଆ ସାହିତ୍ୟ ସମୃଦ୍ଧ ହେବ ଓ ଓଡ଼ିଶାର ଲୋକେ କୃତଜ୍ଞ ହେବେ ।

 

ହଠାତ୍‌ ବିଶ୍ୱାସଘାତକତା ଓ କୃତଘ୍ନତାର ଯୁଗ ଆସିଗଲା । ସ୍କୁଲର ସେକ୍ରେଟାରୀ ଅବା ମୁଖ୍ୟଙ୍କର ପିଲା କ୍ଲାସରେ ପ୍ରଥମ ହେବ । ଅନ୍ୟ ପଢ଼ା ପିଲାର ସେଥିରେ ଦାବୀ ନାହିଁ । ସେ ଆସିବ–କ୍ଲାସରେ ବସିବ .... କ୍ଲାସ ଉଠିବ–ଏତିକି ।

 

ସେମିତି ଓଡ଼ିଆ ସାହିତ୍ୟରେ କାମ କଲେ ସ୍ୱୀକୃତି ପାଇଁ ଇଚ୍ଛା କଲେ ନିଜକୁ ବିଫଳ ବୋଲି ଧରିନେବାକୁ ହେବ । କାରଣ ତମେ ସାହିତ୍ୟ ଛଡ଼ା ଅନ୍ୟ କୌଣସି ବିଭାଗରେ ଜଣେ ମାତବର ନୁହଁ । ତେଣୁ ତମେ ସାହିତ୍ୟରେ ମଧ୍ୟ ଗୌଣ ଲୋକ ।

 

ଏହି ଆଭିମୁଖ୍ୟ ବିରୁଦ୍ଧରେ ଖୋଲାଖୋଲି ବିଦ୍ରୋହ ହେବା ଉଚିତ୍‌ । ଓଡ଼ିଆ ଲେଖାର ଆଉ ଥରେ ମୂଲ୍ୟାୟନ ହେବା ଉଚିତ୍‌ । ସେତକ ପୁଣି କାନକୁହା ଫିସ୍‌ଫିସ୍‌ କଥା ଓ ଚୁଗୁଲି ପର୍ଯ୍ୟାୟରେ ନୁହେଁ । ଲେଖାରେ ଓ ଛପାରେ ସ୍ପଷ୍ଟ ମତ ପ୍ରକାଶ ପାଇବା ଉଚିତ୍‌ ।

 

ଅନେକ ସାହିତ୍ୟପ୍ରେମୀ ଓ ଲେଖକ ମତ ଦେଉଛନ୍ତି ଯେ ସ୍ପଷ୍ଟ ଓ ନିର୍ଭୀକ ସମାଲୋଚନାର ସମୟ ଆମର ଓଡ଼ିଶାରେ ଆସି ନାହିଁ । ଭୁଲ୍‌ ହେଉ ଠିକ୍‌ ହେଉ ଆମେ ଓଡ଼ିଆ ଲେଖକମାନେ ସମସ୍ତଙ୍କର ବିଶେଷତ୍ୱ ଅଛି । ସମସ୍ତେ ବଡ଼ ଲେଖକ–ଏମିତି ମତ ଓ ଏହି ପ୍ରକାରର କଥା କହି ଚାଲିବା ଉଚିତ୍‌ । ତାହାହେଲେ ନିଖିଳ ଭାରତ ସ୍ତରରେ ଆମର ଜଣେ ବା ବହୁତ ଓଡ଼ିଆ ଲେଖକ ସ୍ୱୀକୃତି ପାଇବେ ।

 

ଇଏ ହେଉଛି ପୂରାପୂରି ଆଞ୍ଚଳିକତା । ଭାରତର ସମ୍ୱିଧାନର ବିଭିନ୍ନ ଭାଷାରେ ଯେଉଁ ଲେଖା ସବୁ କେନ୍ଦ୍ର ସାହିତ୍ୟ ଏକାଡେମି ବା ଜ୍ଞାନପୀଠ ତରଫରୁ ପୁରସ୍କୃତ ହେଲାଣି ସେମାନଙ୍କର କି ପ୍ରଭାବ ଆମପରି ଅକିଞ୍ଚନ ଓଡ଼ିଆ ଲେଖକଙ୍କର ଲେଖାରେ ପଡ଼ିଲା ? ପୁରସ୍କାରର ନୀତି ନିୟମ ଯେପରି ହୋଇଛି ସେଥିରେ ଯେ ଲେଖକ ବିନା ଯୋଗାଡ଼ରେ ପୁରସ୍କାର ପାଇବ–ଏମିତି ଧାରଣା କରିବା ଭୁଲ୍‌ ।

 

ଓଡ଼ିଶାରେ ଓଡ଼ିଆ ବହିର ପୁରସ୍କାର କେମିତି ମିଳେ–ପାଉଥିବା ଲୋକ ଭଲ କହିବେ । ଖାଲି ପୁରସ୍କାର କାହିଁକି ପଦ୍ମଶ୍ରୀ ପଦ୍ମଭୂଷଣ ହେବା ପାଇଁ ଲୋକ ତାଙ୍କର ଜନ୍ମ ତାରିଖରୁ ଆରମ୍ଭ କରି ହରେକ ରକମର ତଥାକଥିତ ଚିତ୍ରବହୁଳ ବିଚିତ୍ର ଜୀବନର ବିବରଣୀ ଟାଇପ କରି ଓଡ଼ିଶାରେ ବାଣ୍ଟୁଛନ୍ତି । ଆପତ୍ତି କଲେ କହୁଛନ୍ତି ଯେ ଓଡ଼ିଶାରେ ସିନା ଓଡ଼ିଆଙ୍କୁ ଏକଥା ମନକୁ ଘେନୁ ନାହିଁ । ଯାଅ ଦେଖିବ ଅନ୍ୟଠାରେ କ’ଣ ହେଉଛି ?

 

ଇଏ ଯଦି ନିଖିଳ ଭାରତର ଚିନ୍ତାଧାରା ହୋଇଥାଏ ତାହାହେଲେ ବି ଦୁଃଖ କ’ଣ ? ବାଧ୍ୟରେ ଆମେ ନିଜର ସନ୍ତୋଷ ପାଇଁ ରାସ୍ତାଘାଟକୁ ଆଖି ପକାଇବା ଉଚିତ୍‌ । ସେଠି ଆମେ ଦେଖି ପାରିବୁ ପ୍ରଥମ ଶ୍ରେଣୀର କଣ୍ଠଶିଳ୍ପୀ ଆଉ ବାଦ୍ୟର ଯନ୍ତ୍ର–ଶିଳ୍ପୀ । ତାଙ୍କୁ ଆକାଶବାଣୀ ଡାକେ ନାହିଁ । ଜଜ୍‌ ମେଜେଷ୍ଟରଙ୍କର ଦୁଆରେ ତାଙ୍କୁ ଅଭ୍ୟର୍ଥନା ମିଳେ ନାହିଁ । ତାକୁ ମଧ୍ୟ ଖାଇବାକୁ ଓ ପିନ୍ଧିବାକୁ ମିଳେ ନାହିଁ । ତାଙ୍କର ନାମ ଓ ପରିଚୟ କେଉଁଠି ହେଲେ ମିଳେ ନାହିଁ ।

 

ସେହିମାନଙ୍କୁ ନିଜର ଆଦର୍ଶ କରି ନିଅ । ପ୍ରତିଦିନ ସକାଳେ ଇଷ୍ଟଦେବଙ୍କୁ ଜଣାଅ–ପ୍ରଭୁ ହେ ! ମଣିଷ ଉପରେ ମଣିଷ ମୁଖା ପିନ୍ଧିଥିବା ପଶୁ ଆସି ରାଜତ୍ୱ କରେ । ଏଇ ରାଜତ୍ୱ ଦୀର୍ଘଜୀବୀ ହେଉ ।

 

ଆଉ ତା’ପରେ ଯଦି ମନେ ହୁଏ ଯେ ଭିତରେ ଈର୍ଷା, ଅହଙ୍କାର ଓ ଅଭିମାନର ଗରମ ନିଆଁ ଛୁଟୁଛି ତାହାହେଲେ ଫୋପାଡ଼ି ଦିଅ କଲମକୁ । ଅନ୍ୟାୟର ପ୍ରତିକାର ପାଇଁ ଅନ୍ୟପ୍ରକାରର ଅସ୍ତ୍ର ଖୋଜ ।

 

ଯଦି ଏତେ କଥାକୁ ବଳପାଉ ନାହିଁ ତାହାହେଲେ ସେହି ରାସ୍ତାଘାଟର ଚିତ୍ରକର ପରି ଭଙ୍ଗା ଘର ଆଉ ଘର ପାଚେରିରେ ଲେଖି ଯାଅ ଯେ ଅନ୍ୟାୟ କିପରି ଭାବରେ ରୂପ ପାଇ ବଞ୍ଚିଛି-। ଅନ୍ୟାୟର ପ୍ରତିରୋଧ କରିବା ହେଉଛି ସାହିତ୍ୟ । ସ୍ପଷ୍ଟବାଦିତା ଏହାର ଅସ୍ତ୍ର ।

 

ଯଦି ଅନ୍ତରର କଥାକୁ ଲୁଚାଇବା ପାଇଁ ଆମର ପରିସ୍ଥିତି ଓ ପରିବେଶ ଆମକୁ ବାଧ୍ୟ କରୁଛି ତାହାହେଲେ ସାହିତ୍ୟସେବୀ ନ ହୋଇ ଅଭିନେତା ହେବାକୁ ଚେଷ୍ଟାକର । ଅଭିନୟର ସୁବିଧା ନ ମିଳିଲେ ନିଜେ ମନକୁ ମନ ସ୍ୱସ୍ତିବଚନ ଆଉଡ଼ାଅ–ସମସ୍ତେ ଆନନ୍ଦରେ ରହନ୍ତୁ । ସମସ୍ତଙ୍କର ଭଲ ହେଉ ।

 

ଆଶୀର୍ବାଦ ଦେବା ପାଇଁ ଦରକାର ଦାରିଦ୍ର୍ୟ । ଯିଏ ଯେତେ ଦୁଃଖୀ ସେ ସେତେ ଉଚ୍ଛ୍ୱାସରେ ଆଶୀର୍ବାଦ ଦିଏ । ଗରିବର ସମସ୍ତେ ବାବୁ । ଦୁଃଖୀର ସମସ୍ତେ ଦାତା । କିନ୍ତୁ ଏଇ ଅଭିଶପ୍ତ ଗରିବମାନେ କ’ଣ ଦାତା ଓ ଦାନର ସମୀକ୍ଷା କରି ସାର୍ଟିଫିକେଟ୍‌ ଦିଅନ୍ତି ନାହିଁ ? ଏମାନଙ୍କର ସାର୍ଟିଫିକେଟ୍‌ କ’ଣ କାହାର କ୍ଷତି କରିଛି ?

 

ଧରିନିଅ ଯେ ଓଡ଼ିଆ ଲେଖକମାନେ ଆଜି ତେସ୍ତରୀ ମସିହାରେ ହଠାତ୍‌ ବାଚାଳ ହୋଇ ନିଜର ଭାରସାମ୍ୟ ହରାଇ ଓଡ଼ିଆ ଲେଖକ ଆଉ ତାଙ୍କର କୃତି ବିଷୟରେ ମତାମତ ଖୋଲାଖୋଲି ଭାବରେ ଦେଇ ଓଡ଼ିଆ ସାହିତ୍ୟର ସମୀକ୍ଷା କଲେ । ତାହାହେଲେ କ’ଣ କେନ୍ଦ୍ର ସାହିତ୍ୟ ପୁରସ୍କାର ବା ଅନ୍ୟ ପ୍ରକାରର ନିଖିଳ ଭାରତୀୟ ପୁରସ୍କାର ଓଡ଼ିଆ ପାଇବେ ନାହିଁ ?

 

ପାଇବେ ଓ ନିଶ୍ଚିତ ଭାବରେ ପାଇବେ । କାରଣ ଏହି ପୁରସ୍କାର ଆଞ୍ଚଳିକ ଭିତ୍ତିରେ ଓ ରାଜନୈତିକ କାରଣରୁ ଦିଆଯାଉଛି । କେହି ନିର୍ଭୀକ ସ୍ପଷ୍ଟବାଦୀ ସାହିତ୍ୟିକ ଏହି ପୁରସ୍କାର ପାଇବାର ଯୋଗ୍ୟତା ପାଇବେ ନାହିଁ । ଯିଏ ପାଇବେ ସେତକ ପାଇବେ କେତେକ ବିଶେଷ କାରଣରୁ ।

 

ଓଡ଼ିଶାରେ ଓଡ଼ିଆ ପ୍ରୀତି ଆଉ ଚାକିରି ବା ସମ୍ମାନ ସ୍ତରରେ ନାହିଁ । ଛତିଶି ମସିହାରେ ଓଡ଼ିଶାରେ ଆନନ୍ଦ ହେଉଥିଲା ଯେ ଓଡ଼ିଆ ଲୋକ ଅମୁକ ମୁକ ବଡ଼ ଚାକିରୀକୁ ଗଲେ । ଓଡ଼ିଆ ଲୋକ ଅମୁକ ଅମୁକ ସମ୍ମାନ ପାଇଲେ । ଶେଷରେ କ’ଣ ହେଲା ? ଓଡ଼ିଆ ବାନାଧରି ଯିଏ ଗଲେ ସେହିମାନେ ହେଇଗଲେ ଓଡ଼ିଶାର ଶତ୍ରୁ । ଆଉ ହେଲେ ନିଜର ପ୍ରଧାନ ବନ୍ଧୁ–ମିତ୍ର–ଦୋସ୍ତ । ଉନ୍ନତି ଓଡ଼ିଶାର ଯେତିକି ହେଲା ତହିଁରୁ ଅଧିକ ହେଲା ଏହି ଓଡ଼ିଆ–ଭେକାଙ୍କର ।

 

ଉଦାହରଣ ଦରକାର । ଛୋଟ ଡାକ୍ତର ଉଠି ଉଠି ବିଲାତ ଆମେରିକା ଗଲେ । ଛୋଟ ଓଭରସିଅର ଉଠି ଉଠି ବିଦେଶ ଗଲେ । ଛୋଟ ଦୋକାନୀ ସେମିତି ପୃଥିବୀ ବୁଲି ଆସିଲେ । ଶେଷକୁ ତାଙ୍କରି ଭାଉ ବଢ଼ିଲା । ଆଉ ସବୁ ପ୍ରକାରର ସୁଖ ସମୃଦ୍ଧି ତାଙ୍କରି ଘରେ ଠୁଳ ହେଲା–ତାକୁ ଅଳ୍ପ ବହୁତ କରି ଯୋଗାଇଲେ ଓଡ଼ିଆ ଭାଇ ।

 

ତେଣୁ ଓଡ଼ିଶାର ସ୍ଥାନୀୟ ମତ ସ୍ପଷ୍ଟ ଆଉ ବହୁତ ସ୍ପଷ୍ଟ ହୋଇ ବିଭିନ୍ନ ସାହିତ୍ୟସେବୀଙ୍କର କଲମରୁ ବାହାରିବା ଉଚିତ୍‌ । ଏହି ସମୀକ୍ଷା ଭିତରେ ଯିଏ ପାର ହୋଇ ନିଜର ପ୍ରତିଭା ବଳରେ ଶ୍ରେଷ୍ଠ ବିବେଚିତ ହେବେ ତାଙ୍କର ପ୍ରତିଭା ପାଖରେ ଈଷାପ୍ରଣୋଦିତ ମତାମତ ମୂଲ୍ୟହୀନ । ତେଣୁ ଏଥିରେ ସାହିତ୍ୟର କ୍ଷତି କ’ଣ ଓ କିପରି ହେବ ?

 

ସାହିତ୍ୟର ବ୍ୟବହାରିକ ଅର୍ଥ ହେଉଛି ପ୍ରକାଶ କରିବାର ସ୍ୱାଧୀନତା । ଯିଏ ଯାହା ଚାହିଁଲା ସେତକ ତାହାରି ପ୍ରକାରରେ ଲେଖୁଛି ଆଉ ଆମେ ପାଠକଙ୍କୁ ତାହାର ମୂଲ୍ୟାୟନ କରିବାକୁ କହୁଛି ।

 

ବହି ଛାପା ହୋଇ ଆମକୁ ବିକା ହେଉଛି । ଏଣେ ପୁଲିସ ସେହି ବହିକୁ ଅଶ୍ଳୀଳତା ବା ରାଷ୍ଟ୍ରଦ୍ରୋହ ବା ଅନ୍ୟ କାରଣରୁ ଗିରଫ କରି ନେଉଛି । ସେଥିରେ ଆମେ କ’ଣ ବା କରୁଛୁ ? ଆମ ମତ ଓ ଆଇନ ଶାସନର ମତ ଭିତରେ ସମନ୍ୱୟ ନାହିଁ ।

 

ଏବେ ରାଷ୍ଟ୍ର ଚାହୁଁଛି ଯେ ବହିକୁ ବନ୍ଦ କରିବାଠାରୁ ବହିର ଲେଖକ ଯେପରି ଲେଖିବାକୁ ଆଗ୍ରହୀ ନ ହୁଏ–ତାହା ଆଉରି କାମ୍ୟ । ଓଡ଼ିଶାର ଓଡ଼ିଆ ମନ୍ତ୍ରୀମଣ୍ତଳ ଚାହୁଁଛି ଓଡ଼ିଆ ଲେଖକ ସେମାନଙ୍କର ଦାସାନୁଦାସ ମନକୁ ମନ ହୋଇଯାନ୍ତୁ । ଏମିତି କରିବା ଶାସନ ଦୃଷ୍ଟିରୁ ହୁଏ ତ ଭଲ-। କିନ୍ତୁ ସେଥିରେ ଆମେ ପାଠକ ଓ ଲେଖକମାନେ ସହଯୋଗ କରିବା କାହିଁକି ?

 

ଦିନଥିଲା ଯେତେବେଳେ ଆମେ ଓଡ଼ିଶାରେ ଓଡ଼ିଆ ପାଠ୍ୟପୁସ୍ତକରେ ଇଂଲଣ୍ତର ସମ୍ରାଟ୍‌ ଓ ସାମ୍ରାଜ୍ଞୀଙ୍କ ନାମରେ ଭକ୍ତିଫୁଲ ଲେଖି କୃତାର୍ଥ ହୋଇଥିଲୁ । ଆଜି ତାହା ବଦଳରେ ଭାରତରେ ବା ଓଡ଼ିଶାର ଶାସନ ମୁଖ୍ୟ ଅବା ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କର ବନ୍ଦନା କରି ମଧ୍ୟ ଧନ୍ୟ ହେବୁ ।

 

ସେହି ପଚାଶବର୍ଷ ଆଗର କଥା । ବିଦେଶୀ ରାଜାଙ୍କର ପ୍ରଶଂସା ଯେମିତି ଲେଖିବା ଥିଲା ସାହିତ୍ୟିକର କାମ, ଠିକ୍‌ ସେମିତି ବିଦେଶୀ ରାଜାଙ୍କର ନିନ୍ଦା କରି ଲେଖିବା ମଧ୍ୟ ଥିଲା ଆମର କାମ ।

 

ସାହିତ୍ୟ କହିଲେ ବୁଝାଏ ରାଜସେବା ଓ ରାଜନିନ୍ଦା । ସାହିତ୍ୟ କହିଲେ ବୁଝାଏ ଉଆଜିବ୍‌ କଥା ଆଉ ମନରଖା ଖୋସାମଦ୍‌ । ସାହିତ୍ୟିକ କହିଲେ ବୁଝାଏ ଜେଲ କଏଦୀ ଆଉ ଶିରିପା ବନ୍ଧା ସାହିତ୍ୟ ବୀର । ଏମାନେ ସମସ୍ତେ ସାହିତ୍ୟର ଅଙ୍ଗ । ଏମାନେ ନ ଥିଲେ ସାହିତ୍ୟ ଅଚଳ । ଆଉ ସାହିତ୍ୟ ସ୍ଥିର ଓ ଅଚଞ୍ଚଳ ପୋଖରୀ ହେଇଗଲେ ସମାଜ ହେଇଯିବ ମୂକ । ଆମେ ପୁଣି ଫେରିଯିବା ଅନ୍ଧାରର ଯୁଗକୁ ।

ଆଜି ତେସ୍ତରୀ ମସିହାର ଓଡ଼ିଆ ସାହିତ୍ୟ ପୁସ୍ତକ ପ୍ରକାଶନର ଅଭ୍ୟୁଦୟ ଓ ସମୃଦ୍ଧି ଭିତରେ ପଛକୁ ଫେରି ଚାଲିଛି–ସାହିତ୍ୟ ସେବା ପାଇଁ ସାହିତ୍ୟର ଚାଲବାଜି ପାଇଁ ।

ତେଣୁ ସାହିତ୍ୟର ସେବକ ଉପରେ ଆଜି ଗୁରୁଦାୟିତ୍ୱ ଆସି ପଡ଼ିଛି । ସେ ଏବେ ଶୀଘ୍ର ଶୀଘ୍ର ଓଡ଼ିଆ ସାହିତ୍ୟର ଚଉଠ ଶତାଦ୍ଦୀ ଉପରେ ଥରେ ଆଖି ନ ପକାଇଲେ ଓ ନିଜର ମତାମତକୁ ଥରେ ପରଖି ନ ନେଲେ ଆମେ ସମସ୍ତେ ଓଡ଼ିଆ ଆଞ୍ଚଳିକତା ଦେଖାଇବାକୁ ଯାଇ ନିଜେ ପଛକୁ ଫେରି ଆସିବା ।

ଯୋଗ୍ୟତା ଓ ପ୍ରତିଭାକୁ କେହି କେଉଁଠି ହେଲେ ଦବାଇ ପାରିବ ନାହିଁ । ଦିନେ ବା ଦିନେ ଇଏ ଫୁଟି ଉଠିବ । ଏକଥା କହିଛନ୍ତି ସନ୍ଥ ତୁଳସି ଦାସ । ଏଇ କଥା ଜାଣିଛନ୍ତି ସମସ୍ତେ । ତେଣୁ ଅପ୍ରୀତିକର ସମୀକ୍ଷାକୁ ଭୟ କରିବା ବା ନିନ୍ଦା କରିବା ସାହିତ୍ୟର ପରିପନ୍ଥୀ ।

ଆଜି ଓଡ଼ିଆ ପାଠକ ହୁଏ ତ କହିବ ଯେ ଓଡ଼ିଶା ସାହିତ୍ୟ ଏକାଡେମିର ସାହିତ୍ୟର ମୂଲ୍ୟାୟନ ଅମଲାତାନ୍ତ୍ରିକ ଦୋଷରେ କଳାବଜାର ପାଲଟି ଗଲାଣି । ଯିଏ ପୁରସ୍କାର ପାଇଲା ସେ ତାହାର ହଜାରେଟଙ୍କା ନେଇ ଖୁସି । ସାଧାରଣ ସାହିତ୍ୟ କ୍ଷେତ୍ରରେ ସେ ପୁରସ୍କାର ଜନସ୍ୱୀକୃତି ବା ଗଣ–ସ୍ୱୀକୃତି ହେଇ ପାରୁ ନାହିଁ । ସେହି ବି. ଏ. ପାସ୍‌ କରି କିଏ ନିମ୍ନ ଶ୍ରେଣୀର ଅମଲା । ଆଉ କିଏ ଜଣେ ଉଚ୍ଚ ଶ୍ରେଣୀର ହାକିମ । ଓଡ଼ିଶା ସାହିତ୍ୟ ଏକାଡେମିର ପୁରସ୍କାର ନିଜର ଅବିବେକିତା ଦ୍ୱାରା ଏଇ ବି. ଏ. ଡିଗ୍ରିପରି ମୂଲ୍ୟବାନ୍‌ ବା ମୂଲ୍ୟହୀନ ହୋଇପଡ଼ିଛି । ସେମାନେ ଆପଣା ମନକୁ କିମତ୍‌ଦାର ସାହିତ୍ୟିକ ହୋଇ ବିଶିଷ୍ଟ ସ୍ଥାନ ଗ୍ରହଣ କରିଛନ୍ତି କି ନାହିଁ ତାହାର ଉତ୍ତର ନିର୍ଭୁଲ ଭାବରେ ଦେବ କିଏ ? ପୁରସ୍କୃତ ବ୍ୟକ୍ତି ନା ତାଙ୍କର ନିର୍ବାଚକ ଓ ସମୀକ୍ଷକ ? ନା ସାଧାରଣ ପାଠକ ? ନା ନିଖିଳ ଓ ଉତ୍କଳର ଲେଖକ ସମାଜ ?

ଯିଏ ଯାହା ଉତ୍ତର ଦେଉ ପୁରସ୍କାର ଓ ଶ୍ରେଷ୍ଠତ୍ୱ ବିନିମୟ ଶଦ୍ଦ ନ ହୋଇ ପରସ୍ପରରୁ ଅଲଗା ହେଇ ଯାଇଛନ୍ତି । କାରଣ ସାଧନାର ଅର୍ଥୀକରଣ ହୋଇଛି । ସାଧନା ସାଧକର ମୂଲ୍ୟ ନ ହୋଇ ହାଟ ସଉଦା ହେଇଯାଇଛି ।

ଭାରତୀୟ ସାହିତ୍ୟ ଏକାଡେମି ଠିକ୍‌ ଏହି ପର୍ଯ୍ୟାୟକୁ ଆସିବା ଆରମ୍ଭ କରି ଦେଲାଣି । କାରଣ ଖାଲି ଭାରତୀୟ ସ୍ତର ଲାଗିଲେ ମଧ୍ୟ ଆଞ୍ଚଳିକ ସ୍ତର ଓ ନିଖିଳ ଭାରତୀୟ ସ୍ତରରେ ବିଚାର ବିବେଚନା ଓ ମୂଲ୍ୟାୟନର ପ୍ରଣାଳୀ ସମାନ । ଏହା ବିରୁଦ୍ଧରେ ବଙ୍ଗଳା ଓ ତାମିଲରେ ଯଥେଷ୍ଟ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି । ଆଞ୍ଚଳିକ ଭାଷାର ଶ୍ରେଷ୍ଠ ସାହିତ୍ୟ କୃତିର ନିର୍ବାଚନ ଆସି ସ୍ଥାନୀୟ ମୁଖ୍ୟମନ୍ତ୍ରୀଙ୍କର ବିଶେଷ ବିଭାଗ ରୂପେ ରହିଯାଇଛି । ମେଧା ଓ ପ୍ରତିଭା ଯାଇ ମୁଖ୍ୟମନ୍ତ୍ରୀଙ୍କର ସେବା ଓ ମନୋରଞ୍ଜନର ବିଭିନ୍ନ ରୂପ ନେଇଛି ।

ତଥାପି ସାହିତ୍ୟ ଚାଲିଛି । ଅସଂଖ୍ୟ କଳାକାର ପ୍ରତ୍ୟେକ ଦିନ ଏହି ଶ୍ରୀଣୀକୁ ଆସୁଛନ୍ତି ଆଉ ଫେରୁଛନ୍ତି । ପାଠକଙ୍କର ସଂଖ୍ୟାର ସ୍ଫୀତି ନୂତନ ସାଧକଙ୍କୁ ଆଣି ତଉଲୁଛି । ସେମାନଙ୍କର ସ୍ଥିତି ଏହି ପାଠକମାନଙ୍କର ସୌହାର୍ଦ୍ୟତା ଉପରେ ରହିଛି । କିନ୍ତୁ ସୁବିଧାରେ ରହିଯାଇଥିବା ସୁବିଧାବାଦୀ ସାହିତ୍ୟିକମାନେ ଠିକ୍‌ ଅମଲାତନ୍ତ୍ରରେ କ୍ଷେତ୍ରପତିଙ୍କ ପରି ସଲାମ୍‌ ଓ ସଲାମି ଆଦୟ କରିବାର ଯୋଜନାରେ ବ୍ୟସ୍ତ ।

 

ପରର ହୁକୁମତ୍‌ ଓ ସଲାମତ ଉପରେ ଜୀବନଯାତ୍ରାର ସୁବିଧା ନିର୍ଭର କରେ ବୋଲି ଅନୁଭବୀର ଅନୁଭବ କହେ । ଏହି କାରଣରୁ ବସ୍‌ର ଯାତ୍ରୀମାନେ ଡ୍ରାଇଭର ଓ କଣ୍ତକ୍ଟରଙ୍କର ବନ୍ଧୁତା ପାଇଁ ବ୍ୟାକୁଳ ହୁଅନ୍ତି । ରେଳଗାଡ଼ିର ଟିକଟ ଚେକର, ହାକିମଙ୍କର ଅର୍ଦ୍ଦଳୀ ଆକାଶବାଣୀର ଅଭ୍ୟର୍ଥନାକାରୀ ରିସେପସନିଷ୍ଟ, ଡାକ୍ତରଖାନାର ନର୍ସ ଓ ବେହେରା, ଦ୍ୱାରପାଳଙ୍କଠାରୁ ଆରମ୍ଭ କରି ଉଡ଼ାଜାହାଜର ପାଇଲଟ ପର୍ଯ୍ୟନ୍ତ ଅଧିକାଂଶ ଏହି ଶ୍ରେଣୀର କର୍ମଚାରୀ ଖାଲି ଯାତ୍ରାପଥକୁ ସୁଗମ କରାଇ ଦେବାର ସମ୍ଭାବନା ଥିବାରୁ ହକ୍‌ ଟିକଟ କିଣିଥିବା ବା ଅନ୍ୟ ଭାବରେ ମାତବର ହୋଇଥିବା ଲୋକଙ୍କର ଅଯାଚିତ ବନ୍ଧୁତାର ଅଧିକାରୀ ହୋଇଥାନ୍ତି ।

 

ବ୍ୟବହାରିକ ଜୀବନରେ ଯାହା ଘଟିଥାଏ ସେଇଟା ସାହିତ୍ୟିକର ଜୀବନରେ ଘଟିବାର ସମ୍ଭାବନା ଅଳ୍ପ ବୋଲି ସାଧାରଣରେ ସ୍ୱପ୍ନବିଳାସୀ ବେକୁବ୍‌ ମହଲର ଧାରଣା । ଆଉ ଏଣେ ଦେଖିଲା ବେଳକୁ ସାହିତ୍ୟିକ ମହଲରେ ବ୍ୟବହାରିକତାର ମୂଲ୍ୟବୋଧ ଏତେ ଅଳ୍ପ ଯେ ସାମାନ୍ୟ ଦି’ପଦ ଦାନ୍ତନିକୁଟା କଥା ଅବା କ୍ଷଣପ୍ରଭା ଇନ୍ଦ୍ରଧନୁର ପରମାୟୁର ପ୍ରଶଂସା ଅବା ଦଶ ପନ୍ଦର ଟଙ୍କାରେ ସାହିତ୍ୟିକମାନେ ମାଛଠାରୁ ବେଶି ଲୋଭୀ ପରି ଜଣାପଡ଼ନ୍ତି ।

 

ଏକାଡେମି ପରି ସରକାରୀ ସଭାସମିତି ବା ଉତ୍ସବରେ ଗସ୍ତ ଖର୍ଚ୍ଚର ଲୋଭ ଏପରି ବିବ୍ରତ କରେ ଯେ ସାହିତ୍ୟିକକୁ ସାମାନ୍ୟ ଲୋଭ ଦେଖାଇଲେ ସେ ଆସି ଆମ ଘର ଝାଡ଼ୁ ଦେବା ପାଇଁ ରାଜିଥିବା ପରି ଜଣାଯିବ । ତେବେ ଏତିକି ସୌଭାଗ୍ୟ ଯେ ଅନେକ ସାହିତ୍ୟିକ ସରକାରୀ ସ୍ୱୀକୃତିର ଅଧିକାରୀ ହୋଇପାରନ୍ତି ନାହିଁ । ଆଉ ଏହି ପାଇ ନଥିବାର ସୁଯୋଗ ପାଇଁ ସେମାନଙ୍କ ମଧ୍ୟରେ ଅନେକ ଦମ୍ଭବାଲା ଲୋକ ରହିଯାନ୍ତି ।

 

ଯେତେଦିନ ଯାଏ ଆମେ ସାହିତ୍ୟିକମାନଙ୍କୁ ଏହି ଯୁଦ୍ଧରେ ଲାଗିଥିବାର ଦେଖୁ ସେତିକି ଦିନ ଯାହା କିଛି ସମ୍ଭାବନା ଥାଏ । ଯେଉଁ ସମୟର ସେ ଯୁଦ୍ଧ ଶେଷ କରି ଜଣେ ବାବୁ ହେଇ ଓହ୍ଲାଇ ଗଲେ ଆମେ ସମସ୍ତେ ଦେଖିପାରୁ ସେହି ବାବୁଙ୍କର ଅତି କଦର୍ଯ୍ୟ ରୂପ । ଏହି କଥା ଚିର ବନ୍ଦନୀୟ ସାହିତ୍ୟିକ ବର୍ଣ୍ଣାଡ଼ ସ କହିଥିଲେ–ସଫଳତା ହେଉଛି ଶିଳ୍ପୀର ମୃତ୍ୟୁ ।

 

ସଫଳତାର ଏବେ ନୂଆ ଅର୍ଥ ଦିଆ ହୋଇଛି ଆର୍ଥିକ ପୁରସ୍କାର ଠିକ୍‌ ଜ୍ଞାନର ସାର୍ଟିଫିକେଟ୍‌ ଚାକିରି ପରି । ପୁରସ୍କୃତ ସାହିତ୍ୟିକ ଓ ଅବସରପ୍ରାପ୍ତ ସରକାରୀ ଅଫିସରଙ୍କ ମଧ୍ୟରେ ପ୍ରଭେଦ ନାହିଁ । କାଳେ ପ୍ରଭେଦ ହେଇଯିବ ସେଥିପାଇଁ ଶାସନ ସଂପ୍ରଦାୟ ବହୁବିଧ ଓ ବହୁ ସଂଖ୍ୟକ ପୁରସ୍କାର ଦିଆଇ ଗୋଟାଏ ନରମା ଗୋଷ୍ଠୀ ଗଢ଼ୁଛନ୍ତି । ଦରକାର ବେଳେ ଏମାନେ ବିଧିବଦ୍ଧ ସରକାରକୁ ରକ୍ଷା କରିବାର କାମରେ ଲାଗିବେ ।

 

ଇତିହାସ କହୁଛି ଯେ ବିଧିବଦ୍ଧ ନ୍ୟସ୍ତସ୍ୱାର୍ଥକୁ ସାହିତ୍ୟ ଓ ସାହିତ୍ୟିକ ଭାଙ୍ଗି ଦିଅନ୍ତି । ତେଣୁ ଆଜି ମଧ୍ୟ ଆମର ଏହି ସଂସାରର ଛୋଟବଡ଼ ନ୍ୟସ୍ତସ୍ୱାର୍ଥର ବିଧିବଦ୍ଧତାର ସୁରକ୍ଷା ପାଇଁ କ୍ରୀତଦାସ ଶ୍ରେଣୀର ସାହିତ୍ୟଗୋଷ୍ଠୀ ରଖାଯିବା ଦରକାର ।

 

ସମସ୍ତେ ଗୁଇନ୍ଦା, ଚୁଗୁଲିଆ କିମ୍ୱା ପୁଲିସ ହେବାକୁ ଯେମିତି ଚାହାନ୍ତି ନାହିଁ ଠିକ୍‌ ସେହିପରି ସମସ୍ତେ ବର୍ତ୍ତନଖିଆ ଖୋସାମତିଆ ହେବାକୁ ଚାହାନ୍ତି ନାହିଁ । ସବୁ ସାହିତ୍ୟିକଙ୍କୁ କିଣି ନେବା କଷ୍ଟ । ତେଣୁ ମୁଣ୍ତିଆଳମାନଙ୍କୁ ଧରି ପୋଷା ମନାଇବା ହେଲା ସରକାରୀ ଯୋଜନା ।

 

ସ୍ୱୀକୃତି ଆଉ ଷଡ଼ଯନ୍ତ୍ର ଏକା କଥା ନୁହେଁ । ଏତକର ପାର୍ଥକ୍ୟ ଦେଖାଇବାକୁ ଓଡ଼ିଆ ସାହିତ୍ୟିକ ନାରାଜ । ପୁରସ୍କାର ଯୋଜନାରେ ସମର୍ଥନ ଓ ସକ୍ରିୟତା ନ ଦେଖାଇ ସାହିତ୍ୟକୁ ସାହିତ୍ୟ ରୂପେ ଗ୍ରହଣ କରିବା ବାଞ୍ଛନୀୟ–ଏତକ ଆମର ବିବିଧ ବାନାଧାରୀ ପୁରସ୍କୃତ ସାହିତ୍ୟିକମାନେ କହିବାକୁ ନାରାଜ ।

 

ଏଣେ ଯଦି କେହି ନିଜର ବଳବୟସ ବିଦ୍ୟା ଓ ଅନୁଭବକୁ ବେଖାତିର କରି ବିରୋଧୀ ସ୍ୱର ଉଠାଇଲା, ସାହିତ୍ୟିକ ବନ୍ଧୁମାନେ ଆସି ତାକୁ ବୁଝାଇବେ–ଭୁଲ ବାଟରେ ଯାଅ ନାହିଁ । ବିରୋଧ ଓ ଯୁକ୍ତିତର୍କର ଦୁର୍ଗମ ରାସ୍ତାରେ ସାହିତ୍ୟିକ ତାହାର ସ୍ୱୀକୃତି ପାଏ ନାହିଁ ।

 

ଏଣେ ଆବହମାନ କାଳରୁ ସାହିତ୍ୟିକକୁ ମସିଯୋଦ୍ଧା ବୋଲି ଶିରିପା ଦିଆହୋଇ କୁହା ହେଉଛି ଯେ ଦୀନ ଦରିଦ୍ର ଅଭାଗା ଓ ହତଭାଗାଙ୍କ ପାଇଁ କହିବାକୁ କେହି ରାଜି ନ ଥିଲେ ଏହି ସାହିତ୍ୟିକର କଲମ ଅନ୍ତତଃ ପଛଘୁଞ୍ଚା ଦବ ନାହିଁ ।

 

ଓଡ଼ିଆ ସାହିତ୍ୟର ଆଜିର ଏହି ଅବସନ୍ନ ଅବସ୍ଥାରେ ନିର୍ଭୟ ନିଦକ ବେପରୁଆ କଲମ କେଇଟି ଚାଲିଛି ? ସଭାସମିତି ନାମରେ ଡରୁଆ, ଛେରୁଆ, ଦୁକ୍‌ ଦୁକ୍‌ ଛାତିର କେତେ ସାହିତ୍ୟିକ ଆସି ବଡ଼ ପାଟିରେ ଉଦ୍‌ବୋଧନ ଦେବାକୁ ରାଜି । କିନ୍ତୁ ନ୍ୟସ୍ତସ୍ୱାର୍ଥ, ବିଧିବଦ୍ଧତା ବିରୁଦ୍ଧରେ ପଦେ କହିବାକୁ ନାରାଜ । କାଳେ ବାଧ୍ୟ ବାଧକତାରେ ପଡ଼ିଯିବେ ବୋଲି ଦରମା ପାଉଥିବା ପୁଲିସ ସାହେବ, ହାକିମ ସାହେବ, ଅଧ୍ୟାପକ ସାହେବ ଓ ବିଭିନ୍ନ ବଡ଼ ସାହେବଙ୍କୁ ଡାକିଆଣି ସାହିତ୍ୟ କରୁଛନ୍ତି । ଅଥଚ ଏହି ବିଷୟରେ ବାଦ ବିସମ୍ୱାଦ ନାହିଁ ।

 

ଏହାର ଜୀବନ୍ତ ସାକ୍ଷୀ ଓଡ଼ିଆ ସାହିତ୍ୟ । ସ୍ୱାଧୀନତା ପୂର୍ବରୁ ଯେଉଁ ବିପ୍ଳବ ବୋହିଗଲା ତାହା ସାହିତ୍ୟରେ ଅନ୍ୟାନ୍ୟ ପ୍ରାନ୍ତରେ ଫୁଟି ଉଠିଥିଲେ ମଧ୍ୟ ଏହି ଓଡ଼ିଶାରେ ତାହାର ବିଶେଷ ସୂଚନା ମିଳିଲା ନାହିଁ । ଏହାର କାରଣ ହେଲା ଯେ ସେହି ଯୁଗରେ ନ୍ୟସ୍ତସ୍ୱାର୍ଥର ପୃଷ୍ଠପୋଷକତା ଥିଲା ସାହିତ୍ୟ । ଆଜି ମଧ୍ୟ ସେଇଆ ।

 

ଆଗେଇ ଯାଉଥିବା ଯୁଗର ଉଦ୍ଦାମ ବିପ୍ଳବର ସ୍ରୋତରେ ଓଡ଼ିଆ ସାହିତ୍ୟିକ ତାହାର ଚିରାଚରିତ ପନ୍ଥା ଗ୍ରହଣ କରି ପଛେଇ ଯିବ ଓ ପଛକୁ ରହିବ । ଭାଗ୍ୟର କଥା ସମସ୍ତେ ସେଇଆ ନୁହନ୍ତି ।

 

ଚିଲିକା କୂଳର ବାଣପୁର ଓ ବାଲୁଗାଁ ଅଞ୍ଚଳରେ କେତେକ ସାହିତ୍ୟିକ ବୀର ଖୋଲାଖୋଲି ଡାକରା ଦେଉଛନ୍ତି–ସାହିତ୍ୟିକମାନେ ଆଗେଇ ଆସନ୍ତୁ । ଧରାବନ୍ଧା ଶଗଡ଼ଗୁଳାରୁ ଗୋଡ଼ ଖସାଇ ଥରେ ବିପ୍ଳବର ଅନିଶ୍ଚିତ ଶଙ୍କାକୁଳ ବାଟରେ ଚାଲନ୍ତୁ ।

 

କିନ୍ତୁ ସର୍ବଶ୍ରୀ ପ୍ରସନ୍ନ କୁମାର ପାଟଶାଣୀ, ଦେବେନ୍ଦ୍ର ମାନସିଂ, ସଦାଶିବ ଦାସ ପ୍ରମୁଖଙ୍କର ସେହି ଡାକ ଅଦ୍ୟାବଧି ଓଡ଼ିଆ ସାହିତ୍ୟିକ ମାନଙ୍କର ତୁଙ୍ଗ ମହଲରେ ପହୁଞ୍ଚି ତାଙ୍କର ଭ୍ରାନ୍ତି ଦୂର କରି ପାରିନାହିଁ । ଏବେ ଓଡ଼ିଶାରେ ଯେଉଁ ବିପ୍ଳବୀ ଗୋଷ୍ଠୀ ଗଢ଼ି ଉଠୁଛି ତାହାର କାରଣ ହେଲା ଅଣ–ବିପ୍ଳବୀମାନେ ବିପ୍ଳବକୁ ବାଧା ଦେଉଛନ୍ତି ନିଜର ସୁବିଧା ପାଇଁ ।

 

ଏଇଠି ପ୍ରଶ୍ନ ଆସେ–ସାହିତ୍ୟ କ’ଣ ଖାଲି ବିପ୍ଳବ ? ନା ଏଇଟା ବିଧିବଦ୍ଧତାର ରକ୍ଷା ଓ ସୁରକ୍ଷା ପାଇଁ ମଧ୍ୟ ଉଦ୍ଦିଷ୍ଟ ? ଯଦି ଶେଷ କଥାଟି ପ୍ରକୃତ କଥା ହେଇଥାଏ ତାହାହେଲେ ସାହିତ୍ୟର ବିପ୍ଳବ କହିଲେ ବୁଝିବାକୁ ହେବ–ଶୈଳୀର, ଆଙ୍ଗିକର, ବ୍ୟାକରଣର ବିପ୍ଳବ । ଇଏ ତ ହେଲା ସାହିତ୍ୟର ଗୋଟିଏ ହାସ୍ୟାସ୍ପଦ ଅର୍ଥାନ୍ତର । କିନ୍ତୁ ଗଲା ପଚିଶ ବର୍ଷର ଓଡ଼ିଆ ସାହିତ୍ୟ ଏହି ଅର୍ଥଟି ସୁଧୀ ସମାଜକୁ ଶୁଣାଉଛି–ବିପ୍ଳବର ଅର୍ଥ ସ୍ଥିତାବସ୍ଥାର ସୁରକ୍ଷା ।

 

ପଣ୍ତିତ ଶ୍ରୀ ସୂର୍ଯ୍ୟନାରାୟଣ ଦାସ ଓ ଗବେଷକ ଶ୍ରୀ ସୁଧାକର ପଟନାୟକ ଆମର ଓଡ଼ିଆ ଜାତିର ବ୍ରିଟିଶ ମରହଟ୍ଟା ଓ ମୋଗଲ ବିରୁଦ୍ଧରେ ହୋଇଥିବା ଯୁଦ୍ଧର ବୀରତ୍ୱ ବିଷୟରେ ଓଡ଼ିଆ ସୁଧୀ ସମାଜକୁ ଜଣାଇଛନ୍ତି । କିନ୍ତୁ ଗଲା ପଚିଶ ବର୍ଷର ଶାସନ ବିଭାଗ ଓ ବିଚାର ବିଭାଗ ଉପରେ ଦି’ପୃଷ୍ଠା ଲେଖିବାକୁ ଇଚ୍ଛା କରି ନାହାନ୍ତି ।

 

ସେହିପରି ବିଚାର ବିଭାଗର ଗଭୀର ତତ୍ତ୍ୱ ଜାଣି ମଧ୍ୟ ଶ୍ରୀ ଗୋପୀନାଥ ମହାନ୍ତି, ଶ୍ରୀ କାହ୍ନୁଚରଣ ମହାନ୍ତି, ଶ୍ରୀ ବିଭୂତି ତ୍ରିପାଠୀ, ଶ୍ରୀ ବାମାଚରଣ ମିତ୍ର ଓ ଶ୍ରୀ ରଘୁନାଥ ଧଳ ସାମନ୍ତ ପ୍ରଭୃତି ମହାଶୟ ମାନେ ମହାଜନର ଉତ୍ପାତ ବିଷୟରେ ପ୍ରେରଣା ପାଆନ୍ତି । କିନ୍ତୁ ତାଙ୍କରି ପାଦ ପାଖରେ ବିଚାରାଳୟର ନ୍ୟାୟ ବିଚାର ଧାରାର ବିଶେଷତ୍ୱ ଦେଖାଇବାକୁ ଉତ୍ସାହ ପାଆନ୍ତି ନାହିଁ ।

 

ଓଡ଼ିଶାର ଦୁର୍ଭାଗ୍ୟକୁ ଏଇମାନେ ହେଲେ ଓଡ଼ିଆ ସାହିତ୍ୟର ଭାଗ୍ୟବାନ ସାହିତ୍ୟିକ । ଯେଉଁମାନେ ସାହିତ୍ୟ ମାଧ୍ୟମରେ ଦୁଃଖୀର ଦୁଃଖର ଚିତ୍ର ଆଙ୍କିବେ ନାହିଁ–ଯେଉଁମାନେ ଦୁଃଖର ପ୍ରଚାର କରି ଅନ୍ୟର ଦୃଷ୍ଟି ସେଥିପ୍ରତି ଆକର୍ଷଣ କରିବେ ନାହିଁ–ଯେଉଁମାନେ ଦୁଃଖପ୍ରଦ ସମସ୍ୟା ଦେଖାଇ ତାହାର ଗୋଟାଏ ସମାଧାନ ଦେବାକୁ ଚେଷ୍ଟା କରିବେ ନାହିଁ–ସେହିମାନେ ହେବେ ଆମର ବରେଣ୍ୟ ସାହିତ୍ୟିକ ।

 

ଗୋପୀନାଥ ବାବୁ ବନବାସୀ ଓ ହରିଜନଙ୍କର ଦୁଃଖରେ କାନ୍ଦି ଜାଣନ୍ତି, କିନ୍ତୁ ଗ୍ରାମବାସୀ ବା ରାମଜନଙ୍କର ସୁଖ ଦୁଖ ବୁଝନ୍ତି ନାହିଁ । ସେ ନିଜର ସୁଖ ସୁବିଧା ବୁଝି ପାରନ୍ତି କିନ୍ତୁ ଦେଶର ଛୋଟ ଛୋଟ ସମସ୍ୟା, ଅନାହାର ଓ ଅତ୍ୟାଚାର କଥା ବୁଝି ପାରନ୍ତି ନାହିଁ ।

 

କାହ୍ନୁଚରଣବାବୁ ଓଡ଼ିଶାର ଦୁର୍ଭିକ୍ଷ କଥା ଓ କୋରାପୁଟର ବାସ୍ତୁହରାଙ୍କର କଥା ବୁଝନ୍ତି; କିନ୍ତୁ କଟକ ସହରର ସ୍ୱାସ୍ଥ୍ୟ ପରିବେଶ ବିଷୟରେ ଅଜ୍ଞ ।

 

କାଳିନ୍ଦୀବାବୁ କବିତା ଦ୍ୱାରା ଏକ ରାଷ୍ଟ୍ର ଓ ଏକ ଓଡ଼ିଶା କଥା କହି ପାରନ୍ତି । କିନ୍ତୁ ରାଷ୍ଟ୍ରରେ ବିଭିନ୍ନ ଶ୍ରେଣୀର ସଂଘର୍ଷ ବିଷୟରେ ନିରବ ।

 

ଏହିପରି ସମସ୍ତେ ଶୋଇପଡ଼ିଛନ୍ତି । ଯେତେ କବି, ନାଟ୍ୟକାର, ଗାଳ୍ପିକ ଓ ଉପନ୍ୟାସକାର ଏପରିକି ପ୍ରାବନ୍ଧିକ ଓ ସଙ୍ଗଠକ ସମସ୍ତେ ଶୋଇପଡ଼ିଛନ୍ତି ସ୍ଥାନୀୟ ଓ ସଦ୍ୟଜାତ ସମସ୍ୟା ବିଷୟରେ । ସେମାନଙ୍କର ଦୃଷ୍ଟିଶକ୍ତି କ୍ଷୀଣ । ସେମାନଙ୍କର ମସ୍ତିଷ୍କର ଗ୍ରହଣ କରିବା ଶକ୍ତି ଅତ୍ୟନ୍ତ ଦୁଃସ୍ଥ ଓ କାତର । ତାଙ୍କ କାନରେ ପାଖ ପଡ଼ିଶାଙ୍କର ଦୁଃଖର କାତର କଣ୍ଠସ୍ୱର ବାଜେ ନାହିଁ ।

 

ଖବରକାଗଜ ପଢ଼ୁଥିଲେ ସେମାନେ ପଢ଼ିଥିବେ ଯେ ଛାତ୍ରମାନେ ଶିକ୍ଷାଦାନର ମୂଲ୍ୟ ଓ ମୂଲ୍ୟାୟନ ନେଇ ଚିତ୍କାର କରୁଛନ୍ତି । ରାସ୍ତାରେ ଗଲାବେଳେ ଦେଖୁଥିବେ ଯେ ଦୁଇ ପାଖ ଚୂନ ଧଉଳା ପାଚିରୀ ଉପରେ ଅସଂଖ୍ୟ ସ୍ଳୋଗାନ୍‌ ଲେଖା ଯାଇଛି–ଦାନା, କନା, ପାଠ ଓ ପେଟପୋଷାର ସ୍ଳୋଗାନ୍‌ । କାହାନ୍ତି ସେମାନେ ସାହିତ୍ୟରେ ?

 

ପୁରୁଣା–କାଳିଆ ଲୋକ ପୁରୁଣା ଅମଳରେ ଯାହା ଦେଖି ନ ଥିଲା ସେତକ ବୁଝିବାକୁ ଅକ୍ଷମ ଥାଇପାରେ । କିନ୍ତୁ ସେ ଦେଖୁଛି ଆଉ ବୁଝିପାରୁ ନାହିଁ–ଏତକ ବି ଲେଖିବାକୁ ନାରାଜ ।

 

ଆମର ଓଡ଼ିଆ ସାହିତ୍ୟର ଗୋଟାଏ ସୁବିଧା କଥା ଘଟିଛି ଯେ ସରକାରୀ ଚାକିରିଆ ଭାବରେ ଅବସର ନେଇ ସାରି ଏହି ସାହିତ୍ୟିକମାନେ ସାମୟିକ ସାହିତ୍ୟକାରରୁ ଅଷ୍ଟପ୍ରହରୀ ସାହିତ୍ୟକାର ହେବାର ସୁବିଧା ଓ ସୁଯୋଗ ପାଇଲେ । ପେଟ ପୋଷିବାର ଧନ୍ଦା ନାହିଁ । କହୁଣୀ ଓ ଆଣ୍ଠୁ କାହାରି ଜଖମ ନୁହେଁ । ସମସ୍ତେ ବେଶ ସୁସ୍ଥ ସୁନ୍ଦର । କିନ୍ତୁ ସାହିତ୍ୟିକ ପୁଞ୍ଜି ଓ ରସବୋଧ କ’ଣ ଶେଷ ହୋଇଯାଇଛି ?

କିଛି ହୋଇ ନାହିଁ । ହୋଇଛି ଗୋଟାଏ ପ୍ରକାରର ଛୋଟକାଟିଆ ସ୍ୱୟଂସଂପୂର୍ଣ୍ଣତା । ଏଗୁଡ଼ାକ କ’ଣ ମୁଁ ଲେଖିବି ? ଲେଖିଲେ କ’ଣ ପୁରସ୍କାର ପାଇ ପାରିବି ? ଏଗୁଡ଼ିକ କ’ଣ ନିଖିଳ ଭାରତୀୟ ବା ବିଶ୍ୱସାହିତ୍ୟ ହୋଇପାରିବ ? ଆଉ ଲେଖିଲେ ଅବା କ’ଣ ହେବ ? ଶୁଣିବ କିଏ ? ବୁଝିବ କିଏ ?

ଏସବୁ ହେଉଛି କର୍ମକୂଢ଼ ବୁଦ୍ଧିହୀନ ଲୋକର କୈଫିୟତ୍‌ । ବିଧବା ବିବାହ, ଅମଲାତନ୍ତ୍ରର ଅତ୍ୟାଚାର, ପ୍ରବଳର ଆକ୍ରମଣ ଇତ୍ୟାଦି ବିଷୟରେ ଲେଖିଲେ କ’ଣ ହଠାତ୍‌ ଅମୁକବାବୁ ବହି ଲେଖି ପକାଇଲେଣି ବୋଲି ରାଜଭବନ ଓ ସଚ୍ଚିବାଳୟ ଥରି ଉଠୁଛି ଆଉ ଆଖି ଆଗର କଥା ଲେଖିଲେ କିଛି ଟିକିଏ ବି ହେବ ନାହିଁ । ଫଳପ୍ରାପ୍ତି ଆଉ ସାହିତ୍ୟ ସାଧନା ଭିତରେ ଏହି ଯୋଗସୂତ୍ର କିଏ ଆଣି ଖଞ୍ଜିଲା ?

ଖଞ୍ଜିଛି ସରକାର । ଏମାନଙ୍କୁ ବିଗଡ଼ କରିବା ପାଇଁ । ପ୍ରକୃତରେ ଲୋଭ ଏତେ ହୋଇଛି ଯେ କାଳେ ପଗଡ଼ି ମୁଣ୍ତରୁ ଖସିପଡ଼ିବ ବୋଲି ସେମାନେ ପଗଡ଼ିକୁ ଦୁଇ ହାତରେ ମୁଠେଇ ବସି ରହିଛନ୍ତି । ଏହି ପଗଡ଼ି ହେଉଛି ମିଛ ସ୍ୱୀକୃତିର ପଗଡ଼ି, ନକଲ ପ୍ରତିଭାର ମୂଲ୍ୟବାନ ପଗଡ଼ି । ଇଏ ବି ହେଉଛି ଭୟାତୁର । ନରମପନ୍ଥୀ ନାରୀପରି କୋମଳ ମନର ମୂଲାଏମ୍‌ ଚିତ୍ର ।

 

ପାଠକମାନେ ପଚାରୁଛନ୍ତି ଏଇ ଗଳ୍ପ ଉପନ୍ୟାସ ପଢ଼ିଲେ ଆମେ ଖୁସି ହେଉଛୁ ନା ନାହିଁ ? ଲେଖକମାନେ ସେତେବେଳେ ତାଙ୍କୁ ବୁଝାଉଛନ୍ତି–ଖୁସି ହେବ ନାହିଁ ? ଅଲବତ୍‌ ଖୁସି ହେବ । କେତେ ଦୁଃଖ ସହି କେତେବେଳେ ମୁଁ ବସି ବସି ଏହିସବୁ ଲେଖିଛି ଖାଲି ପାଠକଙ୍କ ପାଇଁ–ମୋ’ ପାଇଁ ନୁହେଁ ।

 

ଓଃ, ବୁଝିପାରୁ ନାହଁ ପରା । ସାହିତ୍ୟିକମାନେ ହେଉଛନ୍ତି ଭଡ଼ାଟିଆ ଶ୍ରେଣୀର ଲୋକ । ତମେମାନେ କେବେ କେମିତି ପୁଣ୍ୟତିଥିରେ ଅବା ବିଶେଷ ଦିନରେ ଦାନ ଖଇରାତ କରୁଛ–କିଛି ଧର୍ମ ସଞ୍ଚିବା ପାଇଁ କି ଧର୍ମ ଅର୍ଜିବା ପାଇଁ । ତମର ସମସ୍ତଙ୍କର ଅନୁଭବ ରହିଛି ଏଇ ଦାନ ଖଇରାତ ଲାଇନ୍‌ରେ ।

 

ତେଣୁ ତୁମକୁ କବିତା, ଗଳ୍ପ ଆଉ ନାଟକ ଲେଖି ଶୁଣାଇ ଦିଆଯିବ–ଭିକାରୀର କଥା । ଦାନ ଦେଲେ ପୁଣ୍ୟ ହୁଏ । ମାଗିଲେ ଦାନ ଦିଆଯାଏ । ଯିଏ ମାଗିବାକୁ ବେଉଷା କରେ ତାକୁ ବାଛି ବାଛି ଦାନ ଦେଲେ ଧର୍ମ ହୁଏ । ...ଏତିକି । ଆଉ ଅଧିକା ପଚାର ନାହିଁ ।

 

ମାଗିବା ଲୋକ ଧନୀ କି ଦେବା ଲୋକ ଧନୀ–ସେ ତତ୍ତ୍ୱ ବୁଝ ନାହିଁ । ଦାନକୁ ପଇସା ଆକାରରେ, କି ଲୁଗା ଆକାରରେ କି ଖାଦ୍ୟ ଆକାରରେ ଦେଲେ ଭଲ–ସେକଥା ବି ପଚାର ନାହିଁ-। ଜୀବନଯାତ୍ରାର ଅସଂଖ୍ୟ ପୂଜା ଉପବାସ ବ୍ରତ ପରି ଗରିବକୁ ଦାନ, ଦେ–ଦେଉଣିଙ୍କୁ ଦବା ଆମର କର୍ତ୍ତବ୍ୟ । ତେଣୁ ଆମେ ଲେଖକମାନେ ଗଳ୍ପ ଲେଖୁଛୁ, କବିତା ଲେଖୁଛୁ, ନାଟକ ଲେଖୁଛୁ-

 

ଆମେ ଦାନୀ କି ନୁହଁ ଆଉ ଦେଲୁ କେତେ ବା କେତେ ଥର–ସେ କଥାରେ କି କାମ ? ଆମର କର୍ତ୍ତବ୍ୟ ଶେଷ ହୁଏ ଦିଓଟି ଗଳ୍ପ ବା ଦଶପୃଷ୍ଠା ଏହି ଭିକାରୀଙ୍କ ବିଷୟରେ ଲେଖି ଦେଲେ ।

 

ଦାନ ଖଇରାତର ଅନୁଭବ ନ ଥାଇ ଓ ଦାନ ଦ୍ୱାରା ନିଜେ କାଙ୍ଗାଳ ନ ହୋଇ ମଧ୍ୟ ଆମେ ଦାନ, ଦାତା, ଗ୍ରହୀତା ଇତ୍ୟାଦି ହରେକ କିସମର କଥା ଲେଖିବାକୁ ଆଗ୍ରହୀ । କାରଣ ଲେଖକମାନଙ୍କର ମନରେ ଲାଜ ନ ଥାଏ–ତାଙ୍କର କଲମ ଭାରି ବେହିଆ । ସେମାନେ ବେଶ୍‌ ଛଳନା କରିପାରନ୍ତି–ବାହୁନି କାନ୍ଦିବା ପରି । ଆଖିରୁ ଲୁହ ଝରୁ ନ ଥିବ କିନ୍ତୁ ଏଣେ ଏଡ଼େ ବିକଟାଳ ରଡ଼ି କରି କାନ୍ଦଣା ସ୍ୱର ବାହାରୁଥିବ ଯେ ଚାଲିଗଲା ଲୋକ ଠିଆ ହୋଇଯିବ ପହରେ ।

 

ଆମେ ସାହିତ୍ୟିକମାନେ ସେହି ପ୍ରକାରର ଲୋକ । ଆମେ ସାହିତ୍ୟିକ ଶ୍ରୀ ରାଧାନାଥ ରଥଙ୍କ ପରି ଯେ କୌଣସି ପରିସ୍ଥିତିରେ ପାଞ୍ଚମିନିଟ୍‌ ବକ୍ତୃତା ଦେଲା ପରେ ସତକୁ ସତ କାନ୍ଦିପାରୁ-। ଏହା କ’ଣ ଅଭିନୟ ନା ହୃଦୟର ମହତ୍ତ୍ୱ ?

 

ଉତ୍ତର ହେଉଛି ଯେ ସାହିତ୍ୟ ସୃଷ୍ଟି ଗୋଟାଏ ପ୍ରକାରର ଅଭିନୟ । ତେଣୁ ପ୍ରଥମ ଥର ଭଲ ଲାଗେ । ଦ୍ୱିତୀୟ ତୃତୀୟ ଥରକୁ କୁଣ୍ତାତସୁ ପରି ଲାଗେ । ଓଡ଼ିଆ ବହିକୁ ଦ୍ୱିତୀୟ ଥର ପାଇଁ ପଢ଼ିଲେ ଜାଣିହୁଏ ଯେ ଲେଖକ ମଣିଷ ନୁହେଁ–ସିଏ ଗୋଟାଏ କଳ ଅବା କେଁକଟର ଶଦ୍ଦ କରୁଥିବା ଶଗଡ଼ଟିଏ କି ପୁରୁଣା ସାଇକଲ୍‌ ଅବା ମଟରଟିଏ ।

 

ପ୍ରାଣହୀନ ଲେଖକ ତାହାର ନିରସ ମନ ନେଇ ସାହିତ୍ୟର ଅଭିନୟ କରେ । ପ୍ରତ୍ୟେକ ଚଡ଼ଡାଳିକା ଜୀବନରେ ମଣିଷ ତାହାର ଅଭ୍ୟାସ ଯୋଗୁଁ କେମିତି କାମ କରି ଚାଲିଥାଏ । ସ୍ୱାମୀର ସ୍ତ୍ରୀ, ସ୍ତ୍ରୀର ସ୍ୱାମୀ, ବାପମାଙ୍କର ପିଲା ଅବା ଆମର ନିତିଦିନିଆ ଦେହଘସା ରୋଷେଇ, ଘର ପହଁରା, ଚଉରା ପୂଜା, ସନ୍ଧ୍ୟା ଆହ୍ନିକ ପରି ଶୁଷ୍କତା ବିଷର୍ଣ୍ଣତା ଆଉ ହୃଦୟହୀନତାରେ ଭରା ଅସଂଖ୍ୟ ପ୍ରକାରର କାମ ପରି ସାହିତ୍ୟ ମଧ୍ୟ ଗୋଟିଏ ।

 

ଏହି ସାହିତ୍ୟର ସେବା କୋଥଳି ନିର୍ମାଲ୍ୟ ସେବା ପରି ଯେମିତି ସୁଖପ୍ରଦ ସେମିତି ଲାଭପ୍ରଦ । ଅଭ୍ୟାସର ଟାଣରେ କଲମ ଚାଲିଯାଏ ଗାଈ ଦୁହିଁଲା ପରି ଅବା ପିଲାର ପାଠଘୋଷା ପରି । ଏଥରୁ ଜୀବନର ଚିତ୍ର କିଏ ବା କିପରି କାଢ଼ିବ ?

 

ବିଭିନ୍ନ ଜୀବନ୍ତ ଲୋକଙ୍କର ଜୀବନର ହସକାନ୍ଦ ଦିଆ ହୋଇ ଯେଉଁ ଚିତ୍ର ଯିଏ ଆଙ୍କେ ସେତକ ହୁଏ ସାହିତ୍ୟ । ଆଉ ସେହି ଚିତ୍ରର ଯାପାନୀ ନକଲ ଯିଏ ବସି ବସି କରୁଥାଏ ସେ ବି ସାହିତ୍ୟିକ । ମଟର ଡ୍ରାଇଭର ଓ ମଟର ମାଲିକକୁ ବାରିଦେବା ଯେପରି କଷ୍ଟକର ଠିକ୍‌ ସେମିତି ସାହିତ୍ୟିକ ଓ ରଚନାକାରକୁ ବାରିବା କଷ୍ଟକର ।

 

ଓଡ଼ିଆ ସାହିତ୍ୟ ଯେ ଆମ ଓଡ଼ିଆ ପାଠକଙ୍କୁ ଅନୁପ୍ରାଣିତ କଲା ନାହିଁ ତାହାର କାରଣ ହେଲା ଏତିକି । ମିଛୁଆ ହାତରେ ମିଛ କଥାର ଛବି ସତ ହୁଏ କି ନାହିଁ ବୁଝିବାକୁ ଚାଳିଶିବର୍ଷର ଓଡ଼ିଆ ସାହିତ୍ୟ ପଢ଼ିଦେଲେ ଯଥେଷ୍ଟ ।

 

ଚିତ୍ରକରମାନେ ଏହି କାମକୁ ଭାରି ଚିଡ଼ନ୍ତି । ସେମାନଙ୍କର ଅଭିଯୋଗ ଯେ ବହି ପ୍ରକାଶକମାନେ ଚିତ୍ରକଳାର ଶତୃ । କାରଣ ତାଙ୍କର ଫରମାସ ବଡ଼ ବିଚିତ୍ର ।

 

–ହେ ବାବୁ, ଗୋଟାଏ ଛବି ଆଙ୍କିବେ ଯେ ଗାଈଟିଏ ଘାସ ଖାଉଛି । ଏଥିରେ ଆଉ ସେ ବାଛୁରୀକୁ କେମିତି ଚାହିଁବ କି ନ ଚାହିଁବ ସେକଥା ଉଠାଇବେ ନାହିଁ ।

 

ବଗ ସେମିତି ଏକ ଧ୍ୟାନରେ ମାଛକୁ ଚାହିଁଥିବ । ସେତେବେଳେ ଆକାଶର ମେଘ, ପାଣି ପାଖର ଗଛ ଇତ୍ୟାଦିର କାମ କ’ଣ ? ଯେତେ ବଡ଼ ଆଉ ବିଚିତ୍ର ଛବି ହେବ ସେତେ ଅଧିକ ଖର୍ଚ୍ଚ ପଡ଼ିବ ।

 

ଚିତ୍ରକର ଭାରି ବିରକ୍ତ ଯେ କଳାର ମହିମା ଆଉ ଯିଏ ବୁଝିବାକୁ ସମର୍ଥ ଥାଉ ନା କାହିଁକି ଏହି ଟଙ୍କାମୁଣିଗୁଡ଼ିକ ଅନ୍ତତ ନୁହନ୍ତି । କିନ୍ତୁ ସାହିତ୍ୟିକର ଏହି ବିଷୟରେ ପ୍ରତିବାଦ ନାହିଁ । ସେ ରାଜି ଟଙ୍କା ମୁଣି ଲୋଭରେ ଯାହାଇଚ୍ଛା ତାହା ଲେଖିଦବା ପାଇଁ ।

 

ପ୍ରତ୍ୟେକ ଦୁର୍ବଳ ଓ ଅସମର୍ଥ ଲୋକ ପ୍ରତ୍ୟେକ କଥାକୁ ଆତୁର । ଆଉ ଏହି ଦୁର୍ବଳ ଓ ଅସମର୍ଥ ଲୋକ ଲେଖକ ହେବା ବିଡ଼ମ୍ୱନା । ବିଶିଷ୍ଟ ଓଡ଼ିଆ ଅଧ୍ୟାପକ ଶ୍ରୀ ଦାଶରଥି ଦାସ ଏହି ନିକିତିରେ ଲେଖାକୁ ତଉଲିଥାନ୍ତି । ଏହି ନିକିତିରେ ଅବା ଭୁଲ କ’ଣ ରହିଲା ?

 

ଯେଉଁମାନେ ମତଟିଏ ପୋଷିପାଳି ବଳୁଆ କରିବାକୁ ଅକ୍ଷମ ସେମାନେ ସାହିତ୍ୟରେ ହାତ ନ ଦେଇ କେବଳ ପାଠକ ପର୍ଯ୍ୟାୟରେ ଅବା ଅଧିକ ହେଲେ, ସମୀକ୍ଷକ ଶ୍ରେଣୀରେ ରହିବା ଉଚିତ୍‌ । କିନ୍ତୁ ମୁଁ ଜଣେ ଅଥର୍ବ ଅଥଚ ମୁଁ ଲେଖିବି–ଏଇଟା ସାହିତ୍ୟ ସୃଷ୍ଟିର ବିଡ଼ମ୍ୱନା । ଅସୁନ୍ଦରର ହସ ପରି । ବେକୁବ୍‌ର କଥା କହିବା ପରି–ଏଗୁଡ଼ିକ ଆରମ୍ଭରୁ ଶେଷଯାଏ ବେଖାପ କଥା ।

 

କିନ୍ତୁ ଅସମର୍ଥ ଲୋକଙ୍କର ମଧ୍ୟ କହିବାର କଥା ଅଛି । ତାଙ୍କର ମଧ୍ୟ ସାହିତ୍ୟ ସୃଷ୍ଟିର ଲାଳିଚା ଅଛି । ସେମାନେ ମଧ୍ୟ ତାଙ୍କର ଦୁର୍ବଳତାର ସ୍ୱାକ୍ଷର ସାହିତ୍ୟ ଉପରେ ରଖିବାକୁ ଦାବୀ କରନ୍ତି । ଏଥିରେ କିଛି ଆପତ୍ତି ଆସିବାର କାରଣ ଅଛି କି ?

 

ପାଠକଙ୍କର ଆପତ୍ତି ହେଉଛି ଯେ ସଢ଼ା ମାଂସ, ପଚା ମାଛ, ଗୋଡ଼ିମିଶା ଚାଉଳ, ଚୋକଡ଼ ମିଶା ଅଟା ବିରୁଦ୍ଧରେ ଖାଉଟି ପକ୍ଷରୁ ଆନ୍ଦୋଳନକୁ ସାବାସି ଦିଆ ହେଲାବେଳେ ପଚାସଢ଼ା ସାହିତ୍ୟ ସୃଷ୍ଟି ଉପରେ କଟକଣା କାହିଁକି ରଖାଯିବ ନାହିଁ ? ପାଠକଙ୍କ ପକ୍ଷରୁ ଆନ୍ଦୋଳନ ନ ହେବ କାହିଁକି ?

 

ଏମିତି ଆନ୍ଦୋଳନ ହେବା ଉଚିତ୍‌ ହେବ କି ନାହିଁ–ଏକଥା ପାଠକକୁ ଯେତେ ବିଚଳିତ ନ କରେ ଲେଖକକୁ ତହିଁରୁ ଅଧିକ କରିଥାଏ । ତଥାପି ସ୍ୱାଧୀନତାର ଅଧିକାରି ପ୍ରତ୍ୟେକ ଲୋକ ଲେଖକର ଏହି ସ୍ୱାଧୀନତାକୁ କାଢ଼ି ନେବାକୁ ଚାହେଁ ନାହିଁ । ତେଣୁ ସାହିତ୍ୟିକ ବିରୁଦ୍ଧରେ ଆନ୍ଦୋଳନ ହେଇପାରି ନାହିଁ । କେବେ ହେଇ ନ ଥିଲା–ଆଜି ମଧ୍ୟ ହେଉ ନାହିଁ ।

 

ହେଉଛି ଖାଲି କଳିକନ୍ଦଳ ଓ ଗାଳିଗୁଲଜ–ଯେମିତି ହୁଏ କଚେରୀରେ । ଗୋଟାଏ ପାଖରେ ନ୍ୟାୟ ଓ ଧର୍ମ । ଆର ପାଖରେ ଅନ୍ୟାୟ ଓ ଅଧର୍ମ । ଦିହେଁ ଯାଆନ୍ତି ବିଚାରପତି ପାଖକୁ-। ଯିଏ ହାରିଯାଏ ତାହାର ଆପତ୍ତି ହୁଏ ଯେ ଉପଯୁକ୍ତ ବିଚାର ମିଳିଲା ନାହିଁ ।

 

ଆମେ ଆମର ସଉକକୁ ଆନନ୍ଦ ଦେବା ପାଇଁ ଯେତେ ପ୍ରକାରରେ ମୂଲ୍ୟାୟନ କଲେ ବି ଅସଲ ସତଠି ପହୁଞ୍ଚି ପାରିବା ନାହିଁ । ଲେଖକ ନିଜେ ବୁଝାଇଦବ କ’ଣ ପାଇଁ ସେ ସେମିତି ଲେଖିଲା । ସେଥିରେ ସେହି ପିଲା ଦିନର ଶୁଣିବା କଥା–

 

ଫୁଲ ଗଛ କାହିଁକି ମଲା ?

 

ସେ ପାଣି କାହିଁକି ଦେଲା ନାହିଁ ?

 

ତାହାରି ପିଲା କାହିଁକି କାନ୍ଦିଲା....ଇତ୍ୟାଦି ଇତ୍ୟାଦି ।

 

ସେମିତି ଯିଏ ଯାହା ଯେତେବେଳେ ଲେଖିଛି ଓ ଲେଖିସାରି ଛପାଇ ସାରିଛି ତାହାର ଅସଂଖ୍ୟ କୈଫିୟତ ଲେଖକ ଓ ପାଠକ ସମସ୍ତଙ୍କ ଆଡ଼ୁ ଦିଆଯାଇ ପାରିବ । କିଏ ଯଦି ପାଇଗଲା ଖତରା କାଠ ଆଉ ଜଣେ ପାଇଯିବ ଦାମିକା ଜିନିସ । ପ୍ରକୃତ କଥା ହେଉଛି ଯେ କେହି କିଛି ପାଆନ୍ତି ନାହିଁ । କ’ଣ ଏମିତି ଥିଲା ଯେ ଜଣେ ସେଠି ପାଇଯିବ ।

 

ଜୀବନ ଭାରି ମୂଲ୍ୟବାନ୍‌–ପୁଣି ସେମିତି ଏକାବେଳେକେ ମୂଲ୍ୟହୀନ । ସେହି ଜୀବନରେ ସୁଖ ଦୁଃଖର ଅସଂଖ୍ୟ ମୂହୂର୍ତ୍ତ । ସେହି ମଣିଷର ଅସଂଖ୍ୟ ରୂପ ଅଛି–ଅସୁରରୁ ଠାକୁର ଯାଏ । ମଣିଷ ଆଉ ମଣିଷ ଭିତରେ ଫରକ୍‌ ଅତି ଅଳ୍ପ । ପରମାତ୍ମା ସମସ୍ତଙ୍କ ଦେହରେ ଅସଂଖ୍ୟ ରୂପରେ । ଲେଖା ସେମିତି ଅସଂଖ୍ୟ ଭଙ୍ଗୀର । ଭଲ ଖରାପ ବାଛିବ କ’ଣ ?

 

ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଔପନ୍ୟାସିକ ଓ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି (ନମ୍ୱର ଦୁଇ) ଗାଳ୍ପିକ, ପ୍ରାବନ୍ଧିକ ସମାନ କି ଅସମାନ ବୁଝିବା ପାଇଁ ପ୍ରୟାସ ଦରକାର । ଆମେ ଶୁଣିଲେ ବିରକ୍ତ ଲାଗିବ ଯେ ପାଠକମାନେ ବିଶେଷ ଜ୍ଞାନୀ ହୋଇ ନ ଥିବାରୁ ପୁରୁଣା ଗୋପୀନାଥ ଆଉ ନୂଆ ଗୋପୀନାଥଙ୍କୁ ମନ ଭିତରେ ବାରିପାରନ୍ତି ନାହିଁ ।

 

ଅନ୍ଧାର ଆଉ ଅଜ୍ଞତା ସମାନ । ତେଣୁ ଆମେ ପାଠକମାନେ ଆନନ୍ଦ ପାଇବା ପାଇଁ ବିଶେଷ ଚତୁର, ଜ୍ଞାନୀ ଓ ବିଚକ୍ଷଣ ହେବା ଦରକାର କି କିଛି ନ ହୋଇ ସାଧାସିଧା ଅଳ୍ପ ଅନୁଭବୀ ହେବା ଦରକାର ସେ କଥାରେ କ’ଣ ଆମେ ପାଞ୍ଚଜଣ ଲେଖକ ଓ ପାଠକ ଏକମତ ହୋଇ ପାରିବୁ-?

 

ସାରଳା ମହାଭାରତରେ ଅଛି ଯେ ଶ୍ରୀକୃଷ୍ଣ ରାଧା ବୋଲି ଭାବି ତାଙ୍କର ଲୁଗା ଓ ଘୁଙ୍ଘୁର ପିନ୍ଧିଥିବା ପ୍ରୌଢ଼ା ଦୂତୀକୁ ରାଧା–ଉପଯୁକ୍ତ ସମସ୍ତ ସତ୍କାର ଦେଇଥିଲେ । କାରଣ ଅନ୍ଧାରରେ ଓ ଉତ୍ତେଜନାର ଅନ୍ଧାର ଭିତରେ ଶ୍ରୀକୃଷ୍ଣଙ୍କ ପରି ଲୋକର ମଧ୍ୟ ଭୁଲ୍‌ ହୋଇଥିଲା ।

 

ଆଗେ ଅନ୍ଧାର ସମୟରେ ଏହିପରି ଅସଂଖ୍ୟ ଭୁଲ ଘଟୁଥିଲା । ଲୋକ କ’ଣ ଭାବି କାହାକୁ ଧରି ପକାଉଥିଲେ । ସାହିତ୍ୟର ଚିତ୍ରପଟ ଥିଲା ଅନ୍ଧାର ଓ ପରିଚୟହୀନତା ।

 

ବରଗୁଡ଼ି ପାଇଁ ଭାଡ଼ି ରଞ୍ଜେଇଥିଲା ଯେ ସୀମ ସେଠି ମାଡ଼ିଗଲା । ସେମିତି ବରପାଇଁ ଶେଜ ସଜାଉଥିଲା ଯେ ନଣନ୍ଦେଇ ଭୋଗ କଲା ।

 

ଇଏ ଥିଲା ସାହିତ୍ୟର ଗୋଟିଏ ପୃଷ୍ଠଭୂମି । ଖାଲି ଏଠି ଓଡ଼ିଆରେ କାହିଁକି ଅନ୍ୟ ସାହିତ୍ୟରେ ମଧ୍ୟ ହେଉଥିଲା ଯେତେବେଳେ ଆଲାହାବାଦ ସହରରେ ପ୍ରଥମେ ବିଜୁଳି ଆଲୁଅ ଦିଆଗଲା ସେତେବେଳେ ଜଣେ କବି ଉର୍ଦ୍ଦୁରେ ଗଜଲ୍‌ ଦି’ଧାଡ଼ି ଲେଖି ଏକାବେଳେକେ ପ୍ରସିଦ୍ଧ ହୋଇଗଲେ ।

 

ଆହା, ଏଇ ଆଲୁଅ ସବୁ ନଷ୍ଟ କରିଦେଲା । ରାସ୍ତାରେ ଆଲୁଅ ଜଳିଲା । ଆମେ ତ ପରସ୍ପରକୁ ଦେଖି ପାରିଲୁ । ଲୋକେ ଗାଇ ବୁଲିଲେ ।–ଯବ୍‌ ସେ ଲଗ୍‌ ଗୟୀ ରାସ୍ତେ ମେ ବତୀ....

 

ଏଇଠି ଆମରି ଓଡ଼ିଶାରେ ମଧ୍ୟ କୌତୁହଳର କଥା ଘଟୁଥିଲା । ଖରାଦିନେ ଅଶୋକାଷ୍ଟମୀକୁ କଟକରୁ ଜଣେ ବେପାରି କିଛି ବରଫ ନେଉଥିଲା ଭୁବନେଶ୍ୱରକୁ । ବରଫ ସେତେବେଳେ ସେତେ ପରିଚିତ ହୋଇ ନ ଥିଲା ।

 

ବରଫବାଲାର ବିରୋଧି ଲୋକ ଆଗରୁ ଯାଇ ଭୁବନେଶ୍ୱର ରେଳଷ୍ଟେସନରେ ପ୍ରଚାର କରି ଦେଲା ଯେ–ଭାଇମାନେ ଜାଣିଛ ନା ଆଜି ଜଣେ ମହାଜନ ବରଫ୍‌ ନେଇ ଆସୁଛି । ହାତ ମାରିଲେ ଭାରି ଥଣ୍ତା । ଯେମିତି ଖରା ପଡ଼ିବ ସେତେବେଳେ ବରଫ ଚିକ୍‌ ଚିକ୍‌ ହୋଇ ଶେଷକୁ ଜଳି ଉଠିବ । ଏମିତି ଭାବରେ ଏହି ଅଭିନବ ତଥ୍ୟ ପ୍ରଚାର ହୋଇଥିଲା ଯେ ସେ ବେପାରୀ କୁଲି ବା ଶଗଡ଼ ଦ୍ୱାରା ବରଫକୁ ଷ୍ଟେସନରୁ ନେଇ ପାରି ନଥିଲା ।

 

ପରିବେଶ ନେଇ ଓ ଚାତୁରୀର ମାତବରୀରେ ମାତ୍ର ଅଠେଇଶି ମସିହାରେ ଏଇପରି ଗୋଟିଏ ଘଟଣା ଘଟିପାରିଲା । ଏଥିରେ ବିଷର୍ଣ୍ଣ ହେବାର କିଛି ନାହିଁ ।ଏବେ ତେସ୍ତରୀ ମସିହାରେ ଅନେକ ଲୋକ ବେଶ୍‌ ବଡ଼ ପାଟିରେ ଯୁକ୍ତି କରୁଛନ୍ତି ଯେ ଚନ୍ଦ୍ରରେ ମଣିଷ ଠିଆ ହେବା ଓ ଚାଲିବା ଖାଲି ମିଛ ପ୍ରଚାରର ବାହାଦୁରୀ । ଇଏ ବି କିଛି ଅପନ୍ତରା ନୁହେଁ । ଏହି କଟକ ସହରରେ ଏହିପରି ଆଲୋଚନା ଠାଏ ଠାଏ ହେଉଛି । ଆଉ ଆଲୋଚକମାନେ ନିଜକୁ ଶାସ୍ତ୍ରଜ୍ଞ ଓ ଧର୍ମପ୍ରଚାରକ ବୋଲି ତାଙ୍କର ପାରିପାର୍ଶ୍ୱିକ ମହଲରେ ଅଭିନନ୍ଦିତ ।

 

ଏଠି ଯଥେଷ୍ଟ ଶିକ୍ଷିତ ଲୋକ ହେଲେଣି । ଖବର କାଗଜ ଚାଲିଛି । ପାଞ୍ଚଟା କଲେଜ ଚାଲିଛି । ବହୁତ ପ୍ରକାରର ଜ୍ଞାନୀ ଲୋକ ଅଛନ୍ତି । ତାହାହେଲେ ଏହିପରି ଆଲୋଚନା ହୋଇ ପାରୁଛି କେମିତି ?

 

ସାହିତ୍ୟିକ ରାଧାନାଥ ରଥ ମଟରରେ କଟକରୁ ପାରାଦୀପ ଗଲାବେଳେ ଯଦି ପାରାଦୀପରୁ ତିନି ମାଇଲ ଦୂରରେ ତାଙ୍କର ମଟର ଆଗରେ ବିରାଡ଼ିଟିଏ ରାସ୍ତାକୁ ଡେଇଁ ପାର ହୋଇଯାଏ ତାହାହେଲେ ସେ ଗାଡ଼ି ଫେରାଇ ପଚାଶ ମାଇଲ ପଛକୁ ଫେରି ଘରେ ପହୁଞ୍ଚିବେ ।

 

ତେଣୁ ଆମର ଜ୍ଞାନର ସାଇଜ ଓ ଆମର ସ୍ଥିତିର ସାଇଜ ଏକା ନୁହେଁ । ଏହିପରି ଲୋକଙ୍କ ହାତରେ ଭଲ ସାହିତ୍ୟର ସମୀକ୍ଷା ପଡ଼ିଲେ ସେ ଯେମିତି ଭାବରେ ତାହାକୁ ରସିବେ ସେଥିରେ ସନ୍ତୁଷ୍ଟ ରହିବାକୁ ହେବ ।

 

ଲେଖକ ଲେଖୁଛି ବୋଲି ଜଣେ ଭାରି ବଡ଼ ମଣିଷ ଅବା ପାଠକ ବହିଖଣ୍ତିକ ଧରିଛି ବୋଲି ଆଉ ଜଣେ ପଣ୍ତିତ ମଣିଷ–ଏକଥା ଭାବିବା ନିରର୍ଥକ । ଆମେ ସମସ୍ତେ ଆମର ଅନୁଭବର ତଉଲରେ କଥାକୁ ମାପି ଦେଇ ମତାମତ ଦେଉ । ମତାମତ ଦେବା ପାଇଁ କେହି ଯାଇ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ରସ–ତତ୍ତ୍ୱ ପଢ଼ିବା ଦରକାର ନାହିଁ । ସେଥିପାଇଁ ପାଠକକୁ ଆଖି ଆଗରେ ରଖି ଯିଏ ଲେଖିପାରେ ସେହି ସାହିତ୍ୟରେ ସ୍ୱୀକୃତି ପାଏ । ଲେଖକର ଭାଷା ଓ ଭାବ ଯଦି ପାଠକର ଭାଷା ଓ ଭାବରୁ ଅଲଗା ହୋଇଗଲା ତାହାହେଲେ ଲେଖକ ବାଧ୍ୟରେ ଅକଳରେ ପଡ଼ି ଖତରା ହୋଇଯାଏ ।

 

ଅନୁଭବୀ ଲୋକ ବହୁତ କଥାକୁ ଅଳ୍ପରେ କହିଦିଏ । ଆଉ ନୂଆ ଲୋକ ସେହି ସେତକ କଥାକୁ ବହୁତଗୁଡ଼ାଏ କହି ନିଜେ ବୁଝେ । ଏଣେ ମନେ କରେ ଯେ ସେ ଖାଲି ମୂର୍ଖକୁ ବୁଝାଉଛି ।

 

କଟକର ବସ୍ତିରେ ଯେତେବେଳେ ଜନାକାରୀ ଘଟେ ସେଠି ଗୋଟିଏ କଥା ଶୁଣାଯାଏ–ଏଇ ଟୋକି ଭାରି ଖର ଅଛି । ଟେକି ଲିଅ ବେ–

 

ଏହି ଚାଳିଶିବର୍ଷର ଉପନ୍ୟାସରେ ଅସଂଖ୍ୟ ପ୍ରେମ–ଆଧାରିତ ଉପନ୍ୟାସକୁ ନେଇ ସମୀକ୍ଷା କଲେ ଦେଖାଯିବ ଯେ ଉପରେ ଦିଆ ହୋଇଥିବା ଦି’ଧାଡ଼ି କଥାରେ ଯେତେ ପ୍ରକାରର ଯୌନତତ୍ତ୍ୱ ସମାଜତତ୍ତ୍ୱ ଓ ବ୍ୟବହାରର ତତ୍ତ୍ୱ ଦିଆଗଲା ତା’କୁ ଲେଖକ ନିଜେ ଆଗ ତା’ର ଜୀବନରେ ଠଉରାଇ ପାରିଛି କି ?

 

ଲେଖକ କଲେଜ ପଢ଼ୁଆ–ଚଷମା ପିନ୍ଧେ । ଫାଉଣ୍ଟେନ୍‌ ପେନ୍‌ରେ ଲେଖେ । ସେ ୟୁରୋପୀୟ ସାହିତ୍ୟ, ମାର୍କିନ ସାହିତ୍ୟ, ରୁଷ ସାହିତ୍ୟ ଓ ଭାରତୀୟ ସାହିତ୍ୟ ପଢ଼ି ବେଶ୍‌ ଟାଣୁଆ ହେଇ ଓଡ଼ିଆ ସାହିତ୍ୟର ଉନ୍ନତିରେ ଲାଗିଛି ।

 

ତା’କୁ ଯାଇ ପାଠକ ପଚାରୁ ଏଇ ବସ୍ତି କଥାଟି । ସେ କ’ଣ ଆଉ କେତେ ବୁଝାଇ ଦବ–ଭଲ ଜାଣି ହବ ।

 

ଏଠି ଆମେ ଆମର ପ୍ରସିଦ୍ଧ ଔପନ୍ୟାସିକ କାହ୍ନୁଚରଣ, କାଳିନ୍ଦୀଚରଣ, ଗୋପୀନାଥ, ବ୍ରଜମୋହନ, ଅନନ୍ତ ପ୍ରସାଦ ପ୍ରମୁଖଙ୍କୁ ପଚାରିଲେ ସେମାନେ ଯେ ପ୍ରକୃତରେ ଏହାକୁ ମନଲାଖି କରି ବୁଝାଇଦେବେ, ଏହି ବିଶ୍ୱାସ ଓ ଆସ୍ଥା ଆମର ଆସିବା ଉଚିତ୍‌ ।

 

ତେଣୁ ଲେଖକର ମୂଳତତ୍ତ୍ୱ ହେଲା ତାହାର ଅନୁଭବ–ତାହାର ପାଠପଢ଼ା ନୁହେଁ ।

 

ଏହି ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକମାନେ ଅନଭିଜ୍ଞ ଶ୍ରେଣୀର ଲୋକ । ସେମାନଙ୍କଠାରୁ ଅନୁଭବର ନିର୍ଯ୍ୟାସ ପାଇବା କଷ୍ଟ । ସେମାନେ ଗୋଟାଏ ରକମର ଗାଉଁଲୀ ରେଜା ଦୋକାନୀ ଅବା ଗାଉଁଲୀ ମହାଜନ । ସରପଞ୍ଚ ବା ୱାଡ଼୍‌ ମେମ୍ୱର କାଟର ଲୋକ–ସୁବିଧା ପାଇ ମେମ୍ୱର କି ମନ୍ତ୍ରୀ ହୋଇ ଯାଇଛନ୍ତି । କେତେ ଦୂର ଅବା ଉଠିବେ ?

 

ନିଜର ସାମର୍ଥ୍ୟହୀନତା ବୁଝି ପାରିଥିଲେ ସେମାନେ କଲମ ନ ଧରି ଶ୍ରୀଯୁକ୍ତ ଭୂପେନ ଗୋସ୍ୱାମୀ ବା ଶ୍ରୀ କଣ୍ତୁରି ଚରଣ ଦାସ ପ୍ରମୁଖଙ୍କୁ ପଢ଼ିବାକୁ ଚେଷ୍ଟା କରି ଦେଖନ୍ତେ । ତେବେ ବୁଝି ପାରନ୍ତେ ଯେ ଦୈବ ସେମାନଙ୍କ ପ୍ରତି ଅତ୍ୟନ୍ତ ପ୍ରସନ୍ନ ।

 

ଯାହାର ଜୀବନରେ ତିକ୍ତତା ବା ମଧୁରତା ଆସି ନାହିଁ । ଅବା ଯିଏ ଚିନି ଓ ସାକାରିନ୍‌କୁ ଭଲ କରି ଜୀବନରେ ଆୟତ୍ତ କରିପାରି ନାହିଁ ସେ ମନେ କରିବା ସ୍ୱାଭାବିକ ଯେ ଯାହା ହେଲା ସେତିକି ଯଥେଷ୍ଟ ।

 

ଜଣେ ମହିଳାଙ୍କୁ ଗୋଟାଏ ପ୍ରଦର୍ଶନୀରେ ଜଣେ ଲେଖକ କହିଥିଲେ–କ’ଣ ଆଜ୍ଞା, ଏତେ ଲୋକ ଆସିଛନ୍ତି । ଆପଣ ଏଠିକି ଟିକିଏ ସଜେଇ ଗୁଜେଇ ହୋଇ ଆସିଥିଲେ ଖରାପ କ’ଣ ହୋଇଥାନ୍ତା ?

 

–ଏଁ, ଇଏ କ’ଣ ହେଇ ନାହିଁ ?

 

ଲେଖକ ଚମକି ପଡ଼ିଥିଲେ । କଥାକୁ ବୁଲାଇବାକୁ କହିଲେ–ସେମିତି କହୁଥିଲି ଆଜ୍ଞା । ଇଆଠାରୁ ବେଶି କିଏ ?

 

ଆମର ଏବର ବିଶିଷ୍ଟ ଗ୍ରନ୍ଥକାରମାନଙ୍କୁ ଏହି ଯୁକ୍ତିରେ ପଚାରି ହେବ–ସେମାନେ କ’ଣ ଓ କେତେ ବଡ ?

 

ପାଠକଙ୍କ ମନରେ ସବୁବେଳେ ପ୍ରଶ୍ନ ଆସୁଛି ଯେ ଆମର ଓଡ଼ିଆ ଲେଖକମାନେ ବେଶ୍‌ ଅଳ୍ପ ପରିସର ଭତିରେ ବନ୍ଦୀ ହୋଇ ରହି ବେଶ୍‌ ନାମଜାଦା ଲେଖକ ହୋଇ ପାରୁଛନ୍ତି ସେତେବେଳେ ଜେଲଖାନାର ଶିକ୍ଷିତ କଏଦୀମାନେ ଲେଖି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରୁନାହାନ୍ତି କାହିଁକି ?

 

ବୋଧହୁଏ ସେମାନଙ୍କ ମନରେ ଗୋଟିଏ ହୀନମନ୍ୟତା ଆସିଛି ଯେ ଭଲ ସାହିତ୍ୟ ଜ୍ଞାନ ନ ଥିଲେ ମୋଟେ ହୋଇପାରିବ ନାହିଁ । ପ୍ରକୃତରେ ଚିଲିକା, ଉଷା ଆଦି ରାଧାନାଥ ଯୁଗର ସାହିତ୍ୟ ସ୍ତମ୍ଭମାନ ଦେଖିଲେ ହୀନମନ୍ୟତା ଆସିବା ସ୍ୱାଭାବିକ । ମୂର୍ଖଟିଏ–ଲେଖିବାକୁ ବସିଛି । ଏହି ଯୁଗଟା ନଷ୍ଟ ହୋଇଗଲା ।

 

ବିମାନ ଆକାରେ ଭାସେ ଶତ ଶତ

ନୀଳ ରସେ ଶୈଳ ଯେହ୍ନେ ମାରକତ । (ଚିଲିକା)

ଏଇଟା ଭୁଲ ବୋଲି ସଂସ୍କରଣବେଳେ ଠିକ୍‌ କରି ଦିଆଗଲା ।

ବିମାନ ଆକାରେ ଭାସେ ଅଗଣନ

ନୀଳ ରସେ ଶୈଳ ବୈଦୁର୍ଯ୍ୟ ବରୁଣ ।

 

ଇଏତ ଆମର ପୂର୍ବବର୍ତ୍ତୀ ସାହିତ୍ୟ । ଆମର ସାହିତ୍ୟ ରଥୀମାନେ ଏହା ଉପରେ ତତ୍ତ୍ୱ–ସମୀକ୍ଷା କରି ପ୍ରାୟ ଦୁଇହଜାର ପୃଷ୍ଠା ଲେଖିଗଲେଣି । ଅଧ୍ୟାପକ ଗୌରୀକୁମାର ବ୍ରହ୍ମା ଓ ଅଧ୍ୟାପକ ଦେବେନ୍ଦ୍ର ମହାନ୍ତି ବେଶ୍‌ ମୋଟା ବହି ଲେଖିଲେଣି । ଏବେ ଲୋକେ ପଚାରୁଛନ୍ତି–ବଡ଼ ଦୁଃଖର କଥା ଯେ ମରକତ ମଣି ଓ ବୈଦୁର୍ଯ୍ୟ ମଣି ଦେଖିବାର ସୌଭାଗ୍ୟ ଏଇ ଜନ୍ମରେ ହେଲା ନାହିଁ । ବିଭିନ୍ନ କେନ୍ଦ୍ର ସଂଗ୍ରହାଳୟରେ ମଧ୍ୟ ଦେଖିବାକୁ ମିଳିପାରୁ ନାହିଁ ।

 

ଚିଲିକା ଭିତରର ପାହାଡ଼ ଯଦି ଆମ ମନରେ ସାହିତ୍ୟର ଉନ୍ମେଷ ଆଣି ପାରିବ ତାହାହେଲେ କବି ବୀରକିଶୋରଙ୍କର କବିତା କ’ଣ ପାଇଁ ଅସମର୍ଥ ?

 

କେହି ଅସମର୍ଥ ନୁହନ୍ତି । ପାଠକଙ୍କ ମନରେ ସାହିତ୍ୟର ହିଲ୍ଲୋଳ ଆଣିବାକୁ ହରେକ ପ୍ରକାରର ସୃଷ୍ଟି ସମର୍ଥ । ଯାହା ଦେଖିଲେ ଅବା ଜାଣିଲେ ଆମର ମନ ଭିତରଟା ହଠାତ୍‌ ଧକଧକ ହୁଏ ସେଇ ତ ପ୍ରକୃତରେ ଆମର ପାଠକ–ଉପଯୋଗୀ ସାହିତ୍ୟ ।

 

ତେଣୁ ଲେଖାରେ ଖଞ୍ଜା ଯାଇଥିବା ବା ଯୋଖା ଯାଇଥିବା ଅନେକ ଅଦରକାରୀ ପୃଷ୍ଠାକୁ ଆମେ ଅଦରକାରୀ କରିବା ନାହିଁ । ପାଞ୍ଜିରେ ଦିନ କଥା ଥାଏ ସେମିତି ସେଥିରେ ଔଷଧ, ବାରି ବଗିଚା ଇତ୍ୟାଦିର ଅନେକ ପ୍ରକାରର ବିଜ୍ଞାପନ ଥାଏ । ପ୍ରତ୍ୟେକଟି ବିଷୟ ଆମର ଦରକାର–ଯାହା ଛାପା ଯାଇଛି ସେଥିରେ କାହାକୁ କେଉଁଟା କେତେବେଳେ ଦରକାର । ତେଣୁ ଯାହା ଆମକୁ ସୁଖ ଲାଗେ ସିଏ ହେଲା ସାହିତ୍ୟ–ଭୌଗୋଳିକ କହ, ବିଜ୍ଞାପନ କହ, ସାରକଥା କହ ଅବା ବାଜେ କଥା ବୋଲି ମଧ୍ୟ କହ ।

 

ସମସ୍ତେ ସମସ୍ତଙ୍କର ବହି ପଢ଼ିବେ ଓ ପଢ଼ି ବୁଝି ପକାଇବେ ଏହି ଧାରଣା ମଧ୍ୟ ଗୋଟିଏ ସାହିତ୍ୟିକ ଧାରଣା ନୁହେଁ । ବିଭିନ୍ନ ସ୍ତରର ଲେଖକ ଓ ପାଠକ ମଧ୍ୟରେ ସମନ୍ୱୟ ଆଣିବାକୁ ଚେଷ୍ଟା କରିବା ମଧ୍ୟ ଗୋଟାଏ ପ୍ରକାରର ନିର୍ବୋଧତା । ଏପରିକି ଗୁଇନ୍ଦା ଗଳ୍ପ, ରହସ୍ୟ ଉପନ୍ୟାସ ଓ ରୋମାଞ୍ଚ ଉପନ୍ୟାସ ମଧ୍ୟ ସବୁ ଶ୍ରେଣୀର ପାଠକଙ୍କ ପାଇଁ ନୁହେଁ ।

ଆମର ଓଡ଼ିଆ ସାହିତ୍ୟରେ ଶ୍ରୀ ଗୋପୀନାଥ ମହାନ୍ତି ଓ ଶ୍ରୀ ଗୌରୀକୁମାର ବ୍ରହ୍ମା ଓ କିଛି ଅଂଶରେ ଡକ୍ଟର ନରେନ୍ଦ୍ରନାଥ ମିଶ୍ର ଓ ଡକ୍ଟର ଭାବଗ୍ରାହୀ ମିଶ୍ର ପ୍ରମୁଖ ସ୍ପଷ୍ଟ ମତ ଦେଇଥାନ୍ତି ଯେ ସବୁ ଲେଖା ସମସ୍ତଙ୍କ ପାଇଁ ନୁହେଁ । ତେଣୁ ଜଣକର ପ୍ରିୟ ପାଠକ ଅପରର ଅପ୍ରିୟ ପାଠକ ହେବା ମଧ୍ୟ ସାହିତ୍ୟର ଧାରା ।

ଦିନ ଥିଲା ସାଇକଲ ନ ମିଳିଲେ ଝିଅପାଇଁ ବର ଆସୁ ନ ଥିଲା ସେତକ ବଦଳି ଯାଇ ସ୍କୁଟର, ମଟର ସାଇକଲ ଓ ମଟର ହୋଇ ଗଲାଣି ।

ସେମିତି ପୁରୁଣା କ୍ରାଉନ ସାଇଜରେ ଛାପା କବିତା ବହି ଅଚଳ ହେଇଯାଉଛି । ଭଲ ଡିଜାଇନର ଛବି ନ ଥିବା ମଲାଟ ହେଲେ ବହିଟି ମଧ୍ୟ ଅଚଳ ହେଇଯାଉଛି ।

ହେବାର କଥା–ଏବେ ଔଷଧ ଉପରେ ପ୍ରଚ୍ଛଦ ପଟ ଚିତ୍ର ଦିଆଯାଉଛି ଅନେକ ପ୍ରକାରର ଆଖି–ରୁଚିଆ କରି । ତେଣୁ ବହିକୁ ଆଖି ରୁଚିଆ କରି ଯଦି ଲେଖକକୁ ଆମେ ମରହଟିଆ ପୁରୁଣାକାଳିଆ ବୋଲି ଜାଣୁ ତାହାହେଲେ ସେହି ବହିର ଆଦର ହବ କେମିତି ?

ଗୁଣ ଆଉ ରୂପର ସମନ୍ୱୟ ନ ହେଲେ ସ୍ୱୀକୃତି ମିଳିବ କେମିତି ? ଗୁଣ ତ ହେଲା ମସ୍ତିଷ୍କର ବିଷୟ । କିନ୍ତୁ ରୂପ ହେଲା ଆମର ପେଟ, ପାଟି, ଆଖିକାନ ଓ ଏମାନଙ୍କର ପ୍ରେରଣାଦାତା ବର୍ଗୋତ୍ତମ ଇନ୍ଦ୍ରିୟର ବିଷୟ । ଯେଉଁ ସାହିତ୍ୟ ଏହି ଆମର ମନକୁ ଆନନ୍ଦ ଦେବା ବାହାନାରେ ଦେହସୁଖ ନ ଦିଏ ସିଏ କ’ଣ ସାହିତ୍ୟର ଉପଯୁକ୍ତ ?

 

ଦେହର ସୁଖ ସାଥିରେ ଆମର ମନର ସୁଖ ଯେ ଯୋଡ଼ି ହୋଇ ରହିଛି ଏଇଟା ଆମର ଅଣପାଠୁଆ ସମାଜର ଗୋଟିଏ ଧାରଣା । ପାଠୁଆ ସମାଜରେ କଳ୍ପନା କରି କରି ଚିରଦିନ ବୁଭୁକ୍ଷିତ ହୋଇ ଯେଉଁମାନେ ନାମ ଓ ସୁନାମ ଅର୍ଜିବେ ବୋଲି ପାଠ–ତପସ୍ୟା କରନ୍ତି ସେମାନେ ଦେହର ସୁଖ ଜାଣନ୍ତି ନାହିଁ ଅବା ମନର ସୁଖ ଜାଣନ୍ତି ନାହିଁ । ସେମାନଙ୍କର ମାତ୍ରାଜ୍ଞାନ କମ୍‌ । ଏଣେ ନିଜକୁ ମନେ କରନ୍ତି ପଣ୍ତିତ ବୋଲି ।

 

ଆମର ପାଠୁଆ ସମାଜରେ ପରକୀୟା ପ୍ରୀତିପାଇଁ ଭାରି ଡାକବୋବାଳୀ । କିନ୍ତୁ ପର ସ୍ତ୍ରୀ କଥା ଭାବିଲାବେଳେ ଏମାନେ ସାଧାରଣରେ ଯୁକ୍ତି କରିଥାନ୍ତି ଯେ ଅନ୍ୟର ସ୍ତ୍ରୀ’କଥା ଭାବିବା ଓ ଦୈନିକ ଦୁଇଓଳି ଭାବିବା ହେଉଛି ପରକୀୟା ପ୍ରୀତିର ପରାକାଷ୍ଠା । ପ୍ରାଚୀନ ସାହିତ୍ୟର ପରକୀୟା ପ୍ରୀତିରେ ନାୟିକା କବାଟ ଖୋଲୁଛି ଆଉ କବାଟରେ ଡାକ ଦେବ ବୋଲି ଖବର ପଠାଉଛି । ଆମର ଆଧୁନିକ ଉପନ୍ୟାସର ନାୟକ ନାୟିକା ମୋଟେ ନିଜର ଘର ଛାଡ଼ିଯିବା କଥା ନାହିଁ ।

 

ଏଣେ ଦାଣ୍ତରେ ଗୋଳମାଳ ଅଛି । ଲାଠିଆଳ କନଷ୍ଟେବଲ ବୁଲୁଥିବ । ନ ହେଲେ ଘରେ ଘରଣୀ ତାହାର ବିଷମ ରୂପ ଦେଖାଇବ । କ’ଣ କରାଯିବ ? ବିଚରା ଗଳ୍ପ ଓ ଉପନ୍ୟାସର ଲେଖକ ସେହି ଲାଇନରେ ନ ଯାଇ କ’ଣ କରିବ ?

 

ସେ ସିନେମା ଛବି ଦେଖିବ । ରିକ୍‌ସାବାଲା ସବୁ ଦୁଆରକୁ ଚାହିଁ ତରୁଣୀ ସବାର ପାଇଲେ କମ୍‌ ଭଡ଼ାରେ ବେଶି ବାଟ ଯିବାକୁ ରାଜି ହୋଇ ଯେମିତି ପରକୀୟା ପ୍ରୀତି ଦେଖାଏ ସେମିତି ଆମର ପ୍ରସିଦ୍ଧ ଜନସାହିତ୍ୟିକମାନେ ମନେ ମନେ କୃଷ୍ଣ ସାଜି ରାଧା ପାଖକୁ ଖବର ନ ଦେଇ ଏଣେ ମାନସୀ ପ୍ରେୟସୀ ଆଦି ଚିନ୍ତାକରି ସ୍ୱପ୍ନର ଦୋଷରେ ବିଭୋର ।

 

ଏଣୁ ସେଥିରେ ଖାଲି ଧୂଆଁଳିଆ କଳ୍ପନା ଛଡ଼ା ଆଉ କ’ଣ ଅବା ବାହାରନ୍ତା ? ପ୍ରେମିକା ଆର ପାଖ ଘରେ ବନ୍ଦିନୀ–ତେବେ ପୁରା ବନ୍ଦିନୀ ନୁହେଁ । ତାହାର ଚାହିଁବାର, ହସିବାର, ଡାକିବାର, ଠାରିବାର ସୁବିଧା ଓ ସ୍ୱାଧୀନତା ଅଛି । କେଉଁଠି ବେଳ ମିଳିଲେ ସେ ଟିକିଏ ହସି, ସାମାନ୍ୟ ଆଙ୍ଗିକରେ ନିଜର ମତ ପ୍ରକାଶ କରିଦେଇ ଓ ବିଶେଷ କ୍ଷେତ୍ରରେ ଦି’ପଦ ଥଟ୍ଟା ପହଳି କରିଦେଇ କହିଦିଏ–ବନ୍ଧୁ । ପୁରୁଷମାନେ ଏବେ ଅଣପୁରୁଷା ହେଇଗଲେଣି ବୋଲି ହାଟରେ ହୁରି ପଡ଼ୁଛି । ତମେ କ’ଣ କହୁଛ ଯେ ଏକଥା ଠିକ୍‌ ?

 

ପୁରୁଷ ବିଚରା କାଉଳି ବାଉଳି ହୁଏ । ସ୍କୁଲ ପିଲାଙ୍କ ପରି କେମିତି ସେ ନିଜର ମୁରବୀ ଆଉ ପ୍ରଧାନ ଶିକ୍ଷକଙ୍କୁ ଠକାଇ ସେ ହତା ପାର ହେବ ସ୍ୱାଧୀନତା ଚାଖିବା ପାଇଁ । ଉପାୟ ନାହିଁ । ବାଧ୍ୟରେ ସେ ରାତିରେ ନିଜର ସ୍ତ୍ରୀ’କୁ ସକାଳର ଦେଖିଥିବା ପ୍ରେମିକା ବୋଲି ଅନୁମାନ କରି ଓ କଳ୍ପନା କରି ଜୀବନଟାକୁ ଚଳେଇଯାଏ ।

 

ଲୁଗା ନ ଥିଲେ ସୂତାରେ ଚଳିବ । ଜଳଖିଆ ନ ଥିଲେ ଚା’ କଫିରେ କାମ ହେଇଯିବ । ମଣିଷ ନ ମିଳିଲେ ଫଟୋରେ ଚଳିବ । ତେଣୁ ପ୍ରେମିକାକୁ ଖୋଜି ତାକୁ ନ ପାଇଲେ ନିଜର ବନ୍ଧା ପରିବାର ଭିତରେ କାମ ଚଳିଯିବ ।

 

ଏହି କଥାରୁ ବୁଝାପଡ଼ୁଛି ଯେ ଆମର ଓଡ଼ିଆ ଗଳ୍ପ ଓ ଉପନ୍ୟାସର କାରିଗରମାନେ ଖାଲି କଳ୍ପନାରେ ଅନୁଭବୀ । ସେହି କଳ୍ପନାରେ ସେମାନେ ରସ୍ତା ସେପାଖର ଆକାଶ କଇଁଆକୁ ଆଣି ଚିଲିକା ମାଛରେ ରାନ୍ଧି ଖାଇଯାନ୍ତି ।

 

ଏମିତି ମିଛରେ ଯେଉଁମାନଙ୍କର ଜୀବନ ଗଢ଼ା ସେଇ ଲେଖୁଛନ୍ତି ଓଡ଼ିଆ ସାହିତ୍ୟ । ମନ୍ଦ କ’ଣ ? କେହି ଲେଖକ ତାହାର ସ୍ତ୍ରୀ’କୁ ଛାଡ଼ପତ୍ର ଦେଇ ନାହିଁ ଅବା ସ୍ତ୍ରୀ ତାହାର ଲେଖକ ସ୍ୱାମୀକୁ ଛାଡ଼ି ପାନେ ହଲାପଟା କରିନାହିଁ । ଭାରି ମଜ୍ଜାଦାର ଜୀବନ । ଗୋଟାଏ ପ୍ରତିଭାର ଅଧିକାରୀ । ଆଉ ଜଣେ ସେହି ପ୍ରତିଭାର ଘରଣୀ ।

 

ଏହି ଦୁହିଙ୍କର ସମନ୍ୱୟରେ ଯେଉଁ କୁଣ୍ତାପିଠା ତିଆରି ହୁଏ ତା’କୁ ଆମେ ପାଠକମାନେ ନ ଖାଇଲେ ଏଣେ ଲେଖକ ଆମକୁ ଗାଳି ଦଉଛି–ଓଲୁ, ପଠା, ହୁଣ୍ତା । ମୁଁ ଏତେ ବହିରୁ ରସ ନିଗାଡ଼ିଲି । ସେ ରସ ତାଙ୍କର ପାଠକ ସମାଜରେ ଚହଳ ପକାଇ ଦେଲା । ଆଉ ଏହି ଓଡ଼ିଆପାଠକ କହୁଛି ଯେ ହେଲା ନାହିଁ ।

 

ଆଉ ଟିକିଏ ଜନ ସାହିତ୍ୟ ଭିତରକୁ ଗଲେ ଅନେକ କଥା ଶୁଭେ । ସହି ଅଣ୍ଟିଲା ନାହିଁକି ? –ଆରେ ପୋଲା ଦେହ ପାଇଛୁ କି ? ପକା ମଶୁଣି ଫିଟା କଛା ଯେଉଁ ପୁରୁଷକୁ ଯେତେ ଇଚ୍ଛା–ସେଇଟାକୁ ଦେଖିଲେ ମୋର ବ୍ରହ୍ମ ଚଳେ । ଗାଧୋଇ ଆସିବ ଆଉ କହିବ କିରେ ମୁଣ୍ତବୁଲା ଲୁଚିଲୁଣି କି ?

 

ଏହି ସବୁ କଥା ଓ କାହାଣୀ ଜନପଦ ସମାଜର ବା ଜନ ସମାଜର ବା ଅଣପାଠୁଆ ବେଗର ଚଷମା ସମାଜର ଭାରତରଙ୍ଗ । ଏକଥା ସରକାରୀ ଫାଇଲ ଭିତରକୁ ଆସିପାରେ ନାହିଁ । ତେଣୁ ସଚିବାଳୟର କର୍ମଚାରୀଙ୍କର କଲମ ଉପରକୁ ମଧ୍ୟ ଆସି ପାରୁନାହିଁ । ଚାକିରିଆ ଜାଣେ ତାହାର ଚାକିରି କଥା–ଫାଇଲ ପତ୍ର କଥା । ତେଣୁ ସେ ବୁଦ୍ଧୁଗିରି ହେଉ ବା ବୌଦ୍ଧିକତା ହେଉ ଲେଖିଯାଏ ମାନବିକତା ବିଷୟରେ ।

 

ଲେଖାର ଲେଖକ ଯଦି ନିଜେ ଜଣେ ଗୁଣାତ୍ମକ ମାନବ ନ ହୋଇ ଗୁଣବାଚକ ମାନବ ହୋଇଥାଏ ତାହାହେଲେ ମାନବିକତାର ଭାଗବତ ସେ ଅବା କ’ଣ ଲେଖିବ ? ସେ ନିଜେ କହେ–ମୁଁ ବଡ଼ । ମୋର ଦରମା ବେଶି । ମୋର ଦାୟିତ୍ୟ ଅଧିକ । ମୋର ବୁଝିବା ଶକ୍ତି ବହୁତ ଅଧିକ । ମୁଁ ନ ଥିଲେ ତମେ ଗାଉଁଲିଯାକ ମରି ହଜି ଯାଆନ୍ତଣି । ତମେ ଓ ମୁଁ କ’ଣ ସମାନ ?

 

ସତରେ ଅମଲାତନ୍ତ୍ରର ଲୋକ ଓ ଗଣତନ୍ତ୍ରର ନାଗରିକ କ’ଣ ସମାନ ? ଆମ ଭିତରେ ଯିଏ ଚାକିରି ଛାଇରେ ପାଲିସ୍‌ ହୋଇ ଚଉକି ମଣ୍ତନ କରନ୍ତି ସେମାନେ କ’ଣ ଆମ ସାଙ୍ଗରେ ସମାନ ? ଏଇ ଓଡ଼ିଶାର ଝାଞ୍ଜି, ଖରା, ବର୍ଷା, ବତାସ କ’ଣ ତାଙ୍କୁ ଓ ଆମକୁ ଏକାପରି ବ୍ୟସ୍ତ କରେ ?

 

କବି ସୀତାକାନ୍ତ ମହାପାତ୍ର କିଲଟରଙ୍କ ସହିତ କ’ଣ କବି ଏକାଦଶୀ ପ୍ରସାଦ ବୋଇତାଇ ସମାନ ? କେଉଁଥିରେ ? ଦରମା, ଶିକ୍ଷା, ପଦପଦବୀ, ଉନ୍ନତିର ଆଶା ନା ପ୍ରତିଭା–କେଉଁଥିରେ ?

 

ଲୋକେ କହନ୍ତି ଯେ ପ୍ରତିଭାର ଏହି ପାତର ଅନ୍ତର ନାହିଁ । ସେମାନେ ତାଙ୍କର ବୋହୂକୁ ଆଣି ବାବୁଆଣୀ ପାଖରେ ଠିଆ କରି ନିଜର ଆଖିକୁ ପଚାରନ୍ତୁ–ରୂପ ବି ପାତର ଅନ୍ତର କରିଦିଏ । ଯାହା ଘରକୁ ଦିନକୁ ଶହେ ପଚାଶ ଆସେ ସେହି ଘରଣୀର ରୂପ ତାହାର ପଡ଼ୋଶୀ ଘରଣୀର ରୂପଠାରୁ ସରସ । କାରଣ ପଡ଼ୋଶୀ ଘରକୁ ଦିନକୁ ମୋଟେ ସାତ ପାଞ୍ଚ ଆସେ । ତେଣୁ ରୂପ ଓ ଚେହେରା ବଦଳିଯାଏ ।

 

ସାହିତ୍ୟିକର ଦୃଷ୍ଟିକୋଣରୁ ତମେ ଓ ମୁଁ ସମାନ । ସମସ୍ତେ ସମସ୍ତଙ୍କ ସାଙ୍ଗରେ ସମାନ-। ହୋଇପାରେ–ପାଠକମାନେ ହୁଡ଼ି ଯାଉଛନ୍ତି । ଲେଖକମାନେ ଦଣ୍ତିରେ ଠିକ୍‌ ତଉଲ କରିଦେବେ-। କିଏ ୟା’କୁ ଆମର ଓଡ଼ିଆ ସାହିତ୍ୟରେ ପ୍ରମାଣ କଲା ? କବି ନିର୍ମଳା ଦେବୀ, ଗାଳ୍ପିକ ସୀତାଦେବୀ ଖାଡ଼ଙ୍ଗା, ଉପନ୍ୟାସକାର କାହ୍ନୁଚରଣ, କୁଳପତି ଉତ୍କଳ ବିଶ୍ୱବିଦ୍ୟାଳୟ ନା ସାହିତ୍ୟିକ ସଂପାଦକ ଶ୍ରୀହର୍ଷ ମିଶ୍ର–କିଏ ଏହି ମାପ ଓଜନର ତତ୍ତ୍ୱ ଆମକୁ ଶୁଣାଇଲା ?

 

କେହି ଶୁଣାଇ ପାରୁନାହାନ୍ତି ଅବା ଦେଖାଇ ପାରୁନାହାନ୍ତି । କାରଣ ସାହିତ୍ୟିକ ହେଲେ ମଧ୍ୟ ଆମର ଓଡ଼ିଆ ସାଧକମାନେ ନିଜକୁ ଅପର ସାଙ୍ଗରେ ସମାନ ଓ ସର୍ବୋତଭାବେ ଦିହେଁ ସମାନ ବୋଲି ଭାବିପାରୁ ନାହାନ୍ତି । ଏହି ଚିନ୍ତାରେ ଏମାନେ ସଦାବେଳେ ଦକଦକ । ତେଣୁ କବି ରବି ସିଂହଙ୍କ ପରି ଆତ୍ମକେନ୍ଦ୍ରିକ ଆତ୍ମଜୀବନୀମୂଳକ ଜୀବନର ଲାଭକ୍ଷତିର ଜୟଗାଥା ଅବା ଶ୍ରୀ ରମାକାନ୍ତ ରଥ ଆଇ. ଏ. ଏସ.ଙ୍କର ନୀତି ନିର୍ଦ୍ଦେଶକ ବ୍ୟକ୍ତିକେନ୍ଦ୍ରିକ ଜୀବନର ଗୀତ କ’ଣ ସମାନ-?

 

ଗୀତିକାର, ଗାଳ୍ପିକ ବା ନାଟ୍ୟକାର ଯିଏ ଯାହା ସେ ସେତିକି କହିବ କିମ୍ୱା ବର୍ଣ୍ଣନା ଆଣି ଥାପି ଦେଇଯିବ । ଉପନ୍ୟାସ ଲେଖକ ଶ୍ରୀ ନରସିଂହ ସାହୁ ବା ଶ୍ରୀ ବଳରାମ ପଟ୍ଟନାୟକ ତାଙ୍କର ସ୍ତ୍ରୀ ବା ପୁଅର ଦୁଃଖରେ ବିବ୍ରତ ହୋଇ ଆମକୁ ସାର୍ବଜନୀନ ସାହିତ୍ୟ ଦେବାକୁ ଚେଷ୍ଟା କଲେ । ବ୍ୟକ୍ତି–କେନ୍ଦ୍ରିକ ସାହିତ୍ୟ ସାର୍ବଜନୀନ ହେବା ପାଇଁ ବ୍ୟକ୍ତିର ମହତ୍ତ୍ୱ, ପ୍ରତିଷ୍ଠା ଓ ଅନୁଭବ ବହୁତ ଅଧିକ ଥିବା ଦରକାର ବୋଲି ଭଲରେ ପ୍ରମାଣ କରି ଦେଇଗଲେ ।

 

ପାଠକମାନେ ସବୁବେଳେ ପଚାରୁଛନ୍ତି ଆମେ କେମିତି ସାର୍ବଜନୀନ ଲେଖା ଓ ଆତ୍ମଜୀବନୀମୂଳକ ଲେଖାକୁ ବାରିଦେବୁ । ଏହାର ସହଜ ସୂତ୍ର ହେଲା ଯେ ଆତ୍ମଜୀବନୀମୂଳକ ଲେଖାରେ ଆମେ ଲେଖକଙ୍କର ଗୁଳାରେ ଚାଲୁ । କିନ୍ତୁ ସାର୍ବଜନୀନ ଲେଖା ଆମର ନିଜର ଜୀବନର ଶଗଡ଼ଗୁଳାରେ ଆସି ରହିଯାଏ । ଧାପେ ଧାପେ ବହିଟି ସେହି ରାସ୍ତାରେ ଚାଲେ ।

 

ଲେଖାଟିକୁ ଯେତେ ଯାହା କହିଲେ ବି ଆଉ ଜଣେ ଲୋକ ଲେଖିଛି । ତେଣୁ ସେଇଟା ମତେ ମୋର ଜିନିସ ପରି ମଛେଇବ ନାହିଁ କି ଖପିବ ନାହିଁ । କିନ୍ତୁ ଠାଏ ଠାଏ ମନେ ହେବ ଯେ ମୋରି କଥା ସେତିକି ହେଲା ତାହାର ବିଶେଷତ୍ୱ । ଖିରି ଭିତରେ ପଡ଼ିଥିବା କିସମିସ, ଖଜୁର ଓ ବାଦାବ ପରି ସେତିକି ହେଲା ତାହାର ସୁଆଦ ।

 

କଥା ଏମିତି ନୁହେଁ ଯେ ଏବେ ଆମେ ହାରି ଯାଇ ତଳେ ପଡ଼ିଯାଇଛୁ । କିନ୍ତୁ ଆମର ପୁରୁଣା ସାହିତ୍ୟରେ ଏହି ସବୁ ଭାରି ଜାକଜମକରେ ଲେଖା ହେଉଥିଲା । ମୋଟେ ନୁହେଁ । ବରଂ ଏବେ ଅବସ୍ଥା ଟିକିଏ ଭଲ ।

 

ଶହେବର୍ଷ ତଳେ ଆମେ ସମସ୍ତେ ମାଟି ଘରେ ରହି, ମାଟି କାଦୁଅ ଦାଣ୍ତରେ ଚଳି, ପୋଖରୀର ପଙ୍କରେ ଦେହକୁ ଘସିମାଜି, ମାଟି ସାଙ୍ଗରେ ମାଟି ହୋଇ ଚଳୁଥିଲୁ । ଆମର ଠାକୁର ଥିଲା ଆଶା ମଣିଷର ସର୍ବବ୍ୟାପୀ ଆଶା–ସମସ୍ତଙ୍କର କ୍ଷତିଖରାପ ହେଲେହେଉ । କିନ୍ତୁ ମୁଁ କେକାଣି କେମିତି ବର୍ତ୍ତିଯିବି ।

 

ସେଥିପାଇଁ ଆମେ ଓସ୍ତଗଛ, ତୁଳସି ବୁଦା, ବେଲ ଗଛରୁ ଆରମ୍ଭ କରି ବରକୋଳି ଆମ୍ୱ ଆଦି ଅସଂଖ୍ୟ ବୃକ୍ଷ ଲଟାରେ ଈଶ୍ୱରଙ୍କର ସତ୍ତା ଦେଖି ଚାରିଆଡ଼େ ଭଗବାନଙ୍କୁ ପାଇ ଆରାଧନାରେ ଲାଗିଥିଲୁ । ଇଏ କ’ଣ ଆମର ସେତେବେଳର ଉତ୍କୃଷ୍ଟ ଈଶ୍ୱରଭକ୍ତି ନା ଧର୍ମପ୍ରାଣ ମନର ଆଙ୍ଗିକ ?

 

ମୋଟେ ନୁହେଁ । ସେତେବେଳେ ଆଶଙ୍କା ଓ ଅନିଶ୍ଚିତ ଭବିଷ୍ୟତ ଏପରି ଅସ୍ଥିର କରୁଥିଲା ଯେ ଦିନରାତି ଚବିଶି ଘଣ୍ଟା ଆମେ ଈଶ୍ୱରଙ୍କୁ ଡାକୁଥିଲୁ–ଭୟରେ ଓ କାତରତାରେ । ଠିକ୍‌ ଏମିତି ହୁଏ ରାଷ୍ଟ୍ର ବିପ୍ଳବରେ, ମହାମାରୀରେ ଓ ସମୂହ ବିପଦ ବେଳରେ ଅବା ଆଇନ ଶୃଙ୍ଖଳାର ପରିସମାପ୍ତି ଘଟିଲା ବେଳେ । ସେତେବେଳର କଥା ମୋଟା ମୋଟି ହେଲା ।

 

ଏ ଜୀବନ ଅନିଶ୍ଚିତ

କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ ।

 

ତେଣୁ ତୁଣ୍ତରେ ସବୁବେଳେ ଇଷ୍ଟଦେବ ବିରାଜମାନ କରୁଥିଲେ । ଏବେ ଇଷ୍ଟଦେବଙ୍କୁ ସ୍ମରଣ କଲେ ତାଙ୍କ ସ୍ଥାନରେ ଅନେକ ପ୍ରକାରର ଲୋକ ଆସି ମନକୁ ହଲାଇ ଦେଉଛନ୍ତି–ଅଫିସର ସହକର୍ମୀ, ପଡ଼ୋଶୀର ଝିଆରୀ, ହାକିମର ଚପରାସି ଇତ୍ୟାଦି । କାରଣ ଏବେ ବିପଦରୁ ରକ୍ଷା ପାଇବା ପାଇଁ ଠାକୁର ନିମିତ୍ତ ମାତ୍ର । ଶହେବର୍ଷ ତଳେ ସେ ଥିଲେ ସର୍ବମୟ କର୍ତ୍ତା ।

 

ଏହି କଥାଟିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ବାବୁ ବିଜୁ ପଟ୍ଟନାୟକ ବୁଝାଉଥିଲେ । ଭଗବାନ କେତେକ ସୃଷ୍ଟି କରି ଦେଇ ତାଙ୍କର ଚଳିବା ପାଇଁ ନିୟମ ଖଞ୍ଜି ଦେଇଛନ୍ତି । ସେହି ନିୟମରେ ସମସ୍ତେ ଚାଲିବେ । ସେଥିରେ ଈଶ୍ୱର ନିଜେ ବି କିଛି ଗୋଳମାଳ କରିପାରିବେ ନାହିଁ ।

 

ଏହିପରି ଭାବରେ ନିଜେ ଈଶ୍ୱର ତାଙ୍କର ମଣିଷଙ୍କର ଚାଳକ ବା ମଙ୍ଗୁଆଳ ହେବା ବଦଳରେ ନିଜେ ମାତ୍ର ଜଣେ ଯାତ୍ରୀ ବା ପଝାରୀ ହୋଇଗଲେ । ତାହାହେଲେ ଅଠରଶହ ଷାଠିଏ ମସିହାର ଚିତ୍ର ଊଣେଇଶଶହ ଷାଠିଏରେ ବଦଳି ନ ଯିବ କିପରି ?

 

ତେଣୁ ଶହେବର୍ଷ ତଳର କବି ତାହାର ଲେଖାରେ ଖାଲି ଲେଖୁଥିଲା ବିଭୁଙ୍କର ମହିମା ଓ ପ୍ରଭୁଙ୍କର ଲୀଳା । ଆଜି ସେ ଲେଖୁଛି ନିଜର ମାହାତ୍ମ୍ୟ ଓ ନିଜର ଲୋକଙ୍କର ଖେଳ । ତାହାର ଲେଖା ଥିଲା କବିତା, କାବ୍ୟ, ଭଜନ ଓ ଗୀତ । ସେତକର ସମଜଦାର ଥିଲେ ରାଜା ଓ ତାଙ୍କର ଦରବାରୀ ।

 

ରାଜାଙ୍କର ବେଳ କମ୍‌ । ତେଣୁ ସେ ଅଳ୍ପରେ ସଙ୍ଗୀତ, ଗୀତ ଓ ପଦ୍ୟ ଆକାରରେ କଥାଟାକୁ ଶୀଘ୍ର ଠଉରାଇ ନେବାକୁ ଆଗ୍ରହୀ ଥିଲେ । ସମାଜର ଲୋକ ଗଦ୍ୟରେ କଥା ହେଉଥିଲେ । ତାଙ୍କପାଇଁ ତ ସାହିତ୍ୟ ନୁହେଁ–ଯିଏ କିଛି ସେହି ଲୋକପାଇଁ ସାହିତ୍ୟ । ଏବେ ଯେମିତି ଦୋକାନୀ ଯେଉଁ ବହିକୁ ଛାପି ବିକିବାକୁ ରାଜି ହେବ–ସେହି ହେଲା ସାହିତ୍ୟ । ସେତେବେଳେ ଥିଲା ରାଜାସାହେବ ଯାହାକୁ ଶୁଣିବାକୁ ଆଖି ମେଲା କରିବେ ସେଇ ହେଲା ସାହିତ୍ୟ ।

 

ରାଜା ଶୁଣିବେ କ’ଣ ? ଈଶ୍ୱରଙ୍କର କଥା ନିଶ୍ଚୟ–କାରଣ ସେ ଈଶ୍ୱରଙ୍କର ମାନବ ଦେହଧାରୀ ରୂପ । ଆଉ ଶୁଣିବେ କିଛି ଶୃଙ୍ଗାର ମାନବ ଦେହର ଏତକ ହେଲା ଗୋଟାଏ ବିଶେଷ ଅଂଶ । ତେଣୁ ରାଜାଙ୍କର ମନୋରଞ୍ଜନ ପାଇଁ ସାହିତ୍ୟରେ ଶୃଙ୍ଗାର ମିଶା ଈଶ୍ୱର ବା ଈଶ୍ୱର ଆଧାରିତ ଅଶ୍ଳୀଳତା ଛଡ଼ା ଆଉ କ’ଣ ରହିପାରନ୍ତା ? ଗଦ୍ୟରେ ଏହି କାର୍ଯ୍ୟଟି ସରଳ ନୁହେଁ, ସହଜ ବା ସୁଗମ ନୁହେଁ । ତେଣୁ ପଦ୍ୟ ଥିଲା କବିଜନ ସମର୍ଥିତ ଆଙ୍ଗିକ ଓ ଶୈଳୀ ।

 

ପଣ୍ତିତମାନେ କହୁଛନ୍ତି ଗଦ୍ୟର ଉତ୍ପତ୍ତି ହୋଇ ନଥିଲା । ଗଦ୍ୟ ପାଇଁ ଯେତୋଟି ଶଦ୍ଦ ଦରକାର ସେତକର ସଂଖ୍ୟା ଥିଲା ଦୁଇଶହ ଭିତରେ–ଚାଲୁ ଶଦ୍ଦ ପ୍ରାୟ ଶହେ ଆଉ ବିଶେଷ ଅବସ୍ଥା ପାଇଁ ଆଉ ଶହେ । ଏଥିରେ ଗଦ୍ୟ ଚାଲିବ କେମିତି ?

 

ପଦ୍ୟରେ ଚାରିଧାଡ଼ି ଯୋଡ଼ି ଦେଲେ ସେଇଟା ମୂହୁର୍ମୂହୁ ଆବୃତ୍ତିରେ ମଧ୍ୟ ଫିକା ପଡ଼ିବ ନାହିଁ । କିନ୍ତୁ ଦୁଇ ପୃଷ୍ଠାର ଗଦ୍ୟ କୁଆଡ଼କୁ ପାଇବ ? ଲୋକଙ୍କର ବା ଦରକାର କ’ଣ ଥିଲା ? ସକାଳ ଭୋରରୁ ଯାଇ ସୂର୍ଯ୍ୟ ବୁଡ଼ିଲା ଯାଏ ମାଟି ବାଲି ଉପରେ ମେହନତ କରି ସାରିଲେ କେଉଁ ଗଦ୍ୟ କାମରେ ଲାଗିବ ? ଓଲଟି ଦି’ପଦ ଗୀତ ବା ଭଜନ ମିଳିଲେ ମନକୁ ଆନନ୍ଦ କରି ହବ ।

 

ପୁରୁଣା ମାଟିବଂଶ ଅବଧାନଙ୍କର ଶିକ୍ଷା ନିର୍ଘଣ୍ଟରେ ଯାହା ଥିଲା ସେଥିରେ ଗଦ୍ୟ ପାଇଁ କିଛି ଖୋରାକ ନଥିଲା । ସ୍ତ୍ରୀ ଭାର୍ଯ୍ୟା ଥିଲା ପଣ୍ତିତଙ୍କର ଆଉ ବଡ଼ ଘରର ଭାଷା । ଘରେ ଚଳୁଥିଲା ଅଇଁଠା ବୋଉ ନା ଜଗୁଆ ବାପ । ଏହିପରି ଅବସ୍ଥାରେ ଅର୍ଥାତ୍‌ ମୋଟା ରୋଟା ଚଳଣୀରେ ସାହିତ୍ୟ ଦରକାର ନଥିଲା କହିଲେ ଚଳେ ।

 

ମରୁଭୂମି ପାଖର ଯାଯାବର ବା ଘନ ଜଙ୍ଗଲର ବନବାସୀ ଆଜି ମଧ୍ୟ ଗଦ୍ୟ ଖୋଜେ ନାହିଁ । ଗଦ୍ୟପାଇଁ ଦରକାର ହୁଏ ବେଶ୍‌ ଲମ୍ୱାଚଉଡ଼ା ସାମାଜିକ ସ୍ୱାଚ୍ଛନ୍ଦ୍ୟ ଆଉ ଚଳଣୀ । ଅଳ୍ପରେ ସନ୍ତୋଷ ହେଉଥିବା ଲୋକ ବା ଅଳ୍ପ ସମସ୍ୟାର ଲୋକ ଗଦ୍ୟକୁ ମୋଟେ ପସନ୍ଦ କରିବ ନାହିଁ ।

 

ଏବେ ବି ଯେଉଁଠି ଛୋଟକାଟିଆ ବାବାଜୀ ମହନ୍ତ ଅଛନ୍ତି ଓ ସମସ୍ୟା ଅଳ୍ପ ସେଠି ଗଦ୍ୟର ପ୍ରଚଳନ ଅତି କମ୍‌ । ବେଳ ଅବେଳକୁ ବଣା ପଲମରେ କ’ଣ ଦି’ଟା ଥିଲେ କାମ ଚଳେ, ସେମିତି ମୁଣ୍ତଭିତରେ ଦଶ ପଚିଶପଦ ପଦ୍ୟ ବା ଭଜନ ଥିଲେ ବି ସବୁ ସମାଧାନ ହୋଇଥାଏ ।

 

ପ୍ରତିଦ୍ୱନ୍ଦ୍ୱିତାର ତୀକ୍ଷଣ ଆଘାତ ନ ବାଜିବା ପର୍ଯ୍ୟନ୍ତ ଗଦ୍ୟର ପ୍ରସାର ହୋଇପାରେ ନାହିଁ-। ତେଣୁ ଆଜିର ଯନ୍ତ୍ର–ସଭ୍ୟତାର ବିକାଶ ଯେତେ ହେଉଥିବ ଗଦ୍ୟ ସେତିକି ଯଶସ୍ୱୀ ହେବ-। ଲୋକେ ପଦ୍ୟକୁ ସେତିକି ହତାଦର କରିବେ । ଆମର ଓଡ଼ିଶାରେ ପଦ୍ୟର ବେଖାତିର ଆରମ୍ଭ ହେଲା ମୋଟାମୋଟି ପଚାଶମସିହା ବେଳରୁ । ତାହାର ଦଶ ପନ୍ଦରବର୍ଷ ପରେ ଗୋଟାଏ ରକମର ଅବୁଝା ଅସ୍ପଷ୍ଟ ପଦ୍ୟମିଶା ଗଦ୍ୟର ମଧ୍ୟ ଆରମ୍ଭ ହେଇଥିଲା ।

 

ଯିଏ ଗଦ୍ୟକୁ ଭଲ ନ ପାଇବ ସେ ଗଦ୍ୟକବିତା ପଢ଼ିବ । ମାଛ ଓ ଶୁଖୁଆ, ତଟକା ଫଳ ଓ ମୋରବା ଆଚାରର ସମ୍ୱନ୍ଧ ପରି ଏବେ ଆଧୁନିକ ଗଦ୍ୟ ଓ କବିତା ।

 

ସାହିତ୍ୟିକମାନେ ଓଡ଼ିଶାର ସଭାମାନଙ୍କରେ କହୁଛନ୍ତି ଯେ ଜୀବନଧାରା ଭାରି ବିକ୍ଷୁବ୍‌ଧ ହେବାରୁ ସେମାନେ ଅନ୍ତର୍ନିହିତ ମାନବିକତା ଖୋଜିବାକୁ ସାହିତ୍ୟର ପରିକ୍ରମା କରୁଛନ୍ତି । ସାହିତ୍ୟ କହିଲେ ଯେ କାମ, କାମନା, ପ୍ରୀତି, ଶୃଙ୍ଗାର ନୁହେଁ–ଏତକ ତାଙ୍କର ଦାବୀ ।

 

କିନ୍ତୁ ଏହାର କାରଣ ଅନ୍ୟଠାରେ । ଆଗେ ନିୟମ ଥିଲା ଯେ ଶୃଙ୍ଗାର ରାତ୍ରି କାଳରେ । ଆଉ ସେଥିରେ ମଧ୍ୟ ଅନୁଶାସନ ଥିଲା ଯେ ବିବସ୍ତ୍ର ଶୃଙ୍ଗାର ଅବିଧି । ସୂର୍ଯ୍ୟ ଉଦୟ ହେବାର ଢେର ଆଗରୁ ଏହି ସବୁ ଅନ୍ଧାରି କାର୍ଯ୍ୟର ଶେଷ ହେଉଥିଲା–ଠିକ୍‌ ଶେଷ ପହର ବିଲୁଆ ବୋବାଳି ଅବା କୁଆଁ ତାରାର ଚିକିଚିକି ବେଳକୁ ।

 

ଦିନଯାକ ପଶୁପକ୍ଷୀଙ୍କର ରାସକ୍ରୀଡ଼ା ଦେଖିବା ଛଡ଼ା ଆଉ କିଛି ବ୍ୟବସ୍ଥା ନ ଥିଲା । ନାରୀଟିଏ ଦେଖିବା ଅତି କଠିନ । ଯଦି ବା କିଏ ଓଦାଲୁଗା ପିନ୍ଧି ଆସୁଥିବା ନାରୀଟିଏ ସକାଳ ଭୋରରେ କେଉଁଠି ଦେଖି ଦେଲା ତାହାହେଲେ ସେତକ ହେଲା ବହୁତ ଦିନର ଚିନ୍ତା–ରୋମନ୍ଥନର ବିଷୟ । ତେଣୁ କବିତାରେ ଶୃଙ୍ଗାରର ସମ୍ଭାବ୍ୟ ଆନନ୍ଦ ଉପଭୋଗ କରିବା ଛଡ଼ା ଆଉ କ’ଣ ରହିପାରେ ?

 

ଏହି କଥା ଠିକ୍‌ ଭୁଲ ବୁଝିବାକୁ ଆମେ ଓଡ଼ିଶାର ଛତିଶି ମସିହାର ଆଖପାଖ କବିତା ଦେଖିଲେ ଭଲ ହେବ ।

 

ରୂପସୀ ରୂପ ନିହିତ ଚର୍ମେ

ଚର୍ମ ଯେବେ ନେବରେ କାଢ଼ି

କୁତ୍ସିତ ସେ ଅଙ୍ଗ ଦେଖି

ରୂପର ନିଶା ଯିବ ତ ଛାଡ଼ି

(କାହ୍ନୁ ଚରଣ ମହାନ୍ତି ..... ଉପନ୍ୟାସକାର)

ପରାଣେ ଜଗାଇ ପ୍ରଣୟ ବାସନା

କାହିଁକି କଲ୍ୟାଣି ଜାଗିଲ ହୃଦେ

(ରାଜ କିଶୋର ରାୟ......ଗାଳ୍ପିକ)

 

ଆଜିର ରୁଦ୍ଧିମନ୍ତ ଓଡ଼ିଶାରେ ଏହିପରି କବିତା ଆଉ ଲେଖିବା ସମ୍ଭବ ନୁହେଁ । କାଉ ରାବିଲାବେଳୁ ବାଦୁଡ଼ି ଆସିବା ପର୍ଯ୍ୟନ୍ତ ଜଣେ ଖାଲି ଜନଗହଳି ରାସ୍ତାରେ ଠିଆ ହୋଇଗଲେ ଅସଂଖ୍ୟ ପ୍ରକାରର ନଗ୍ନତା ଓ ସୌନ୍ଦର୍ଯ୍ୟ ଦେଖି ନିଜେ କ୍ଳାନ୍ତ ହୋଇ ପଡ଼ିବ । ସେ କାହିଁକି ଧୃବତାରା ଖୋଜିବାକୁ ଏହି ସମୁଦ୍ରରେ ବ୍ୟସ୍ତ ହେବ ? ପ୍ରାଣରେ ପ୍ରଣୟ ବାସନା ଅବା କାହିଁକି ଉଠିବ ? ଉଠିଲେ ମଧ୍ୟ ଏତେ ଛୋଟ କଥାଟିଏ ହେବ ଯେ ତା’କୁ ନେଇ କବିତାରେ ଛନ୍ଦି ନିଜକୁ ବୁଦ୍ଧିହୀନ ବୋଲି କେହି ପ୍ରମାଣ କରିବ ନାହିଁ ।

 

ଏବେ ସେଇ କଥା...କବି ମାନସ ଦାସ ଲେଖୁଛନ୍ତି ।

 

ଇଏ ଏକ ସରସ କବିତା

ଯେଉଁଥିରେ ପଡ଼ିଅଛି ଲକ୍ଷେ ଗାର

ଅଣ୍ତର ଲାଇନ୍‌.....ଅଣ୍ତର ଲାଇନ୍‌

ଜେନେରାଲ ମିଟିଂରେ ପିଲାଟିଏ

ଝିଅଟିର ବ୍ଲାଉସ୍‌ ଖୋଲିଲା

ଆଉ ଝିଅଟି ପ୍ରତିବାଦ କରି

ଖାଲି ହସି ଦେଲା ।

 

ଏହି ତିନୋଟି ଉଦ୍ଧୃତାଂଶର କବି କେବେ କ’ଣ ଭକ୍ତିମିଶା ଶୃଙ୍ଗାର ବା ଶୃଙ୍ଗାରମଖା ଭକ୍ତିର ଗୀତ ଲେଖିପାରିବେ ?

 

ଆଉ ମଧ୍ୟ ଏକା ବୟସର ଓ ଏକାପରି ଶିକ୍ଷାର ଅଧିକାରୀ ହେଲେ ମଧ୍ୟ ଜଣେ ଆଉ ଜଣକ ପରି ଲେଖି ପାରିବ ନାହିଁ । ଆମର ଚଳିବାପାଇଁ ଶଦ୍ଦର ସଂଖ୍ୟା କେତେ ବଢ଼ିଛି ଅବା କମିଛି ଏହି ତିନୋଟି ଉଦ୍ଧୃତାଂଶରୁ ଭଲ ବୁଝିହବ ।

 

ଜୀବନର ପରିସର ନ ବଢ଼ିଲେ ଆମର ଶଦ୍ଦ ବିଭବ ବଢ଼ିବ ନାହିଁ । ଖାଲି ଶଦ୍ଦଗୁଡ଼ିଏ ଆମଦାନୀ ହେଇଗଲେ ମଧ୍ୟ ହେଇଯିବ ନାହିଁ । ତାକୁ ବ୍ୟବହାର କରି କାର୍ଯ୍ୟକାରୀ ପର୍ଯ୍ୟାୟରେ ରଖିବାକୁ ମୁଖସ୍ଥ ହେବା ଯାଏ ଅନେକ ଲୋକଙ୍କର ସେଠି ହାତ ଅଛି । ତେଣୁ ସମୃଦ୍ଧି, ଅଭିବୃଦ୍ଧି ବା ନିଷ୍ଫଳତା ବ୍ୟର୍ଥତାର ଝଡ଼ ଝଙ୍କାର ନ ଆସିଲେ ଗଦ୍ୟର ଅର୍ଥ, ଅର୍ଥାନ୍ତର ଓ ବିବିଧ କୋମଳ କର୍କଶ ଭାବ ମଞ୍ଜୁରି ପାଇବ ନାହିଁ ।

 

ଏବେ ଶିକ୍ଷିତ ଜିଲାମାନଙ୍କର ଓଡ଼ିଆ ଗାଁରେ ସାଧାରଣ ଲୋକ ପ୍ରାୟ ତିନିଶହ ଶଦ୍ଦରେ ଅଧିକାଂଶ କାମ ଚଳାଉଛି । ରାଜନୀତିକ ଆଲୋଚନା ପାଇଁ ଆଉ ଦୁଇଶହ ଶଦ୍ଦକୁ କାମରେ ଲଗାଉଛି ।

 

କିନ୍ତୁ ଆମର ଓଡ଼ିଆ ସାହିତ୍ୟ ସେହି ପାଠକମାନଙ୍କର ଶଦ୍ଦବିଭବ ବିଷୟରେ ସଂପୂର୍ଣ୍ଣ ଅବହିତ ନ ରହି ପାରିବାରୁ ତାହାର ଭାବତରଙ୍ଗ ସେଠି ବୃଥା ହେଇଯାଉଛି ।

 

ଲେଖକ କହୁଛି ଯେ ପ୍ରୀତିଟା ଟଙ୍କା ପଇସାର ସମ୍ୱନ୍ଧ–ଏଥିରେ ହୃଦୟ ନିମିତ୍ତ ମାତ୍ର । ଏହି ଯୁକ୍ତି ସହରଠାରୁ ଦଶକୋଶ ଘୁଞ୍ଚିଗଲେ ଓଲଟି ଗଲା । ତେଣୁ ସହରିଆ ପ୍ରୀତିର ଚିତ୍ର ଗୋଟିଏ ଛୋଟ ଚକଡ଼ାରେ ଠିକ୍‌ ହେଲେ ହେଇପାରେ ।

 

ଆମେ ସହରରେ କହୁଛୁ ଯେ ପ୍ରୀତିର ଅର୍ଥ ଅନେକ ଉପାୟରେ ବସି ବସି ଭାବିବା । ନିଜର ଗଭୀର ଚିନ୍ତାରେ ଥରକୁ ଥର ଯାଇ ପ୍ରଣୟିନୀର ମନ ମନ୍ଦିରରେ ଠକ୍‌ ଠକ୍‌ କରିବା । ଏହି ଧାରାଟି ମଧ୍ୟ ସାର୍ବଜନୀନ ହୋଇ ପାରୁନାହିଁ । କାରଣ ଏମିତି ଲଗାମ ଛଡ଼ା ଚିନ୍ତାର ସଉକ କରିବା ପାଇଁ ରହିବା ଖାଇବାର ସୁବିଧା ଛଡ଼ା ଚା’କଫି ସିଗାରେଟ୍‌ ବା ଅନ୍ୟ ପ୍ରକାରର ନିଶା ମଧ୍ୟ ଦରକାର ।

 

ନାରୀ ଓ ପୁରୁଷର ସମ୍ୱନ୍ଧ ଏମିତି ସାର୍ବଜନୀନ ଓ ସର୍ବଜନ ସମର୍ଥିତ ହେଲେ ମଧ୍ୟ ଏହା ବିଭିନ୍ନ ଯାଗାରେ ବିଭିନ୍ନ ହୋଇଯାଉଛି । ତରୁଣୀ ଆଗରେ ତରୁଣ ପ୍ରଶ୍ନ କରୁଛି ।

 

.....ପଡ଼ି ଯିବି କି ଆଉ ?

 

ଠେସ ଦେବି କି ଆଉ... ? ଉତ୍ତର ପାଇ ସେ ମନେ ପକାଉଛି ଯେ ସେ ଜନ୍ମ ହେଲାବେଳେ ଯେଉଁ ଯୁଗ ଚାଲିଥିଲା ସେଇଟା ଥିଲା ଭଲ । ସେଠି ଉତ୍ତର ନଥିଲା–ଖାଲି ଥିଲା ପ୍ରଶ୍ନ । ସାହିତ୍ୟିକ ଲକ୍ଷ୍ମୀନାରାୟଣ ସାହୁଙ୍କ ଭାଷାରେ ପ୍ରକାଶିତ ପ୍ରଶ୍ନ ଥିଲା ?

 

.....ଆଲୋ, ଦବୁ ନାହିଁ ?

 

ଏହାର ଉତ୍ତର ଥିଲା ପଳାଇବା କିମ୍ୱା ମୌନତାରେ ସମ୍ମତି ଜଣାଇବା ।

 

ଦୁଇଟି ପରିପ୍ରକାଶକୁ ତୁଳନା କଲେ ଦେଖାଯାଉଛି ଯେ ଏବେ ତେସ୍ତରୀର ପ୍ରଶ୍ନ ଓ ଉତ୍ତର ହେଉଛି ପ୍ରେମକୁ ତାତ୍ସଲ୍ୟ । ଏଥିରେ ବୁଝାଉଛି ଯେ ପ୍ରେମ ଖାଲି ଦେହର । ଏହା ସହିତ ମନର ବହୁଧା ଓ ବହୁବିସ୍ତାରିତ କାମନା ଅଳ୍ପ । ଦେଇ ନେଇ ସାମୟିକ ସମର୍ଥନରେ ଓ ସାଫଲ୍ୟରେ ଇତିଶ୍ରୀ । ଆଉ ପରେ ବସି ଝୁରିବାକୁ, କାନ୍ଦିବାକୁ ବା ବାହୁନି ହେବାକୁ ବେଳ ନାହିଁ ।

 

ପୁରୁଣା ଯୁଗର କବିତା ହେଲା–

 

ହୃଦୟ ନିଭୃତ କୁଞ୍ଜେ ଯେ ସୁମନ କଳି

ତୁମରି ଶ୍ରୀକର ଲାଗି ଉଠିଛି ମୂକୁଳି

ଅରଘର ଡାଲା

ସଜାଇଛି ସେହି ଫୁଲେ ପଥହରା ବାଳା

(ହରେକୃଷ୍ଣ ମହାନ୍ତି)

 

ସେତେବେଳେ ବାଳା ତାହାର ବାଳା ଅବସ୍ଥା ପାର ହେବା ଆଗରୁ ମାଆ ବୋଲାଇ ପିଲାକୁ ଖେଳାଉଥିଲା । ଏବେ ବାଳାକୁ ମାଆ ଡାକ ଆଦରିବା ପାଇଁ ଅନେକ ସମୟ ଦରକାର ପଡ଼ୁଛି । ତେଣୁ ପଥହରା ବାଳା ପରି ଅନୁଷ୍ଠାନ ମରିଗଲାଣି । ହୃଦୟର ନିଭୃତ କୁଞ୍ଜରେ କାମ ନାହିଁ-। ସ୍କୁଲ କଲେଜ, ମିଟିଂ, ସିନେମା ଆଉ ଯିବା ଆସିବା ଚାଲିଛି । ନିଭୃତ ଗୋପନ ଇତ୍ୟାଦି କଥା ସେଥିରେ ନିଶ୍ଚିତ ଭାବରେ ପୁରୁଣାକାଳିଆ ।

 

ଆଗେ ଏହି ପଥହରା ବାଳାଙ୍କର ସଂଖ୍ୟା ବିଧବା ଓ ବାଳବିଧବାଙ୍କର ସଂଖ୍ୟା ପରି ବହୁତ ଥିଲା । ବିଧବା ସଂଖ୍ୟା ବଢ଼ିବାର କାରଣ ଥିଲା ଡାକ୍ତର ଅଭାବ–ବାଲ୍ୟ ବିବାହ ନୁହେଁ । ପଥହରା ବାଳାଙ୍କର ସଂଖ୍ୟା ଅଧିକ ଥିବାର କାରଣ ଥିଲା ବାଳାମଣିଙ୍କର ଶିକ୍ଷାର ଅଭାବ ଓ ଅର୍ଥନୈତିକ ପରାଧିନତା । ମୁରବୀମାନେ ଆମ ପାଇଁ କ’ଣ ଭଲ–ଡାକ୍ତର ରୋଗୀକୁ ପଥି ବତାଇଲା ପରି କହିଦେଉଥିଲେ ।

 

ସଇଁତିରିଶର ବାଳାମଣି ହସି ଜାଣି ନ ଥିଲା । ଆଜି ତେସ୍ତରୀର ଓଡ଼ିଆ ବାଳାମଣି କାନ୍ଦି ଜାଣେ ନାହିଁ । ଚାଲାଣ ଜିନିଷ ମଧ୍ୟ ମିଳିଯାଉଛି । ରଙ୍କୁଣୀ ପାଲଟି ହନ୍ତସନ୍ତ ହେବାର କାରଣ ନାହିଁ । ଆଜିର କଥା ଆଜି ଶେଷ । ଆଉ ତା’କୁ ଘରେ ରହି ଘସିନିଆଁରେ ଠେକିରେ ପୁରୁଣା ଚାଉଳକୁ ଦି’ଘଣ୍ଟା ଫୁଟାଇଲା ବେଳେ ବସି ବସି ସେହି ଅସଂପୂର୍ଣ୍ଣ ପ୍ରୀତିର ପୁରୁଣା କଥା କେଇପଦକୁ ନିଜର ଅନ୍ତରର ଉଷ୍ମତାରେ ସିଝାଇବା ଦରକାର କ’ଣ ?

 

ଉପେନ୍ଦ୍ରଭଞ୍ଜ ଯୁଗରେ ଏହି ପ୍ରତୀକ୍ଷା ଥିଲା ଉପର ସ୍ତରର ପ୍ରତୀକ୍ଷା । ଉଭୟ ପକ୍ଷ ଥିଲେ ପ୍ରୀତିକୁଶଳ ଓ ପ୍ରେମ ବିଚକ୍ଷଣ । ଦେହରେ ଥିଲା ବଳ । ଅମାରରେ ଥିଲା ଧାନ । ନିଜର ଗାଁ ଓ ଅଞ୍ଚଳରେ ସାମାନ୍ୟ ହେଲେ ବି ପ୍ରତିପତ୍ତି ଥିଲା । କୁଳଶୀଳ ଜଣା ନ ଥିବା ଲୋକକୁ ପାଖରେ ପୂରାଇବା କଥା ନଥିଲା । ଗାଁ କନିଆ ଶିଙ୍ଘାଣିନାକୀ ନ ହୋଇ ଶୁଆନାକୀ ହେଇଗଲେ ସବୁ ଠିକ୍‌ଠାକ ହୋଇଗଲା ।

 

କିଛି ବିରହ ଓ ପ୍ରତୀକ୍ଷା ପରେ ମିଳନ ହେଲେ ଆଉ ଦେହ ସୁଖର ସମସ୍ତ ସୁବିଧା ମିଳିଲେ ହେଲା ସଫଳତା ଓ ତୃପ୍ତି ।

 

ବିରହ ଓ ବିଚ୍ଛେଦ ଅଳ୍ପ । କାରଣ ଜୀବନ ଥିଲା ଗଡ୍‍ଡାଳିକା । ସେ ଟୋକିକୁ କେମିତି ହାତ କରିବା–ଏତକ ଥିଲା ସବୁଠାରୁ ବଡ଼ ପ୍ରଶ୍ନ । ଏଇକଥା ସାହିତ୍ୟିକା କୁନ୍ତଳା କୁମାରୀ କଟକର ମେଡ଼ିକାଲ ସ୍କୁଲର ଛାତ୍ରୀ ଥିଲାବେଳେ ଉତ୍କଟ ଥିଲା । ତା’କୁ ଆମେ ଡାହାଣ ପନ୍ଥୀମାନେ କହୁଥିଲୁ ପାଶବିକତା ।

 

ଏଇ ଯୌନ ସଂପର୍କର ବାଧ୍ୟବାଧକତା ଉପରେ ଦୁଇଟି ମତ ଥିଲା–ରକ୍ଷଣଶୀଳ ବା ଡାହାଣ ପନ୍ଥୀ ମତ । ଆଉ ଗୋଟିଏ ଥିଲା ସ୍ୱାଧୀନ ବା ବାଉଁଆ ମତ । ମାଛ ଧରିଲା ପରି ତିରିଲା ଶିକାର ଥିଲା ପ୍ରତାପୀ ଲୋକଙ୍କର କର୍ମ । ସେମାନେ ଭୋଗ କରୁଥିଲେ । ତେଣୁ କବିତା ଲେଖୁ ନଥିଲେ ।

 

କବିତା ଲେଖୁଥିଲେ ସେତେବେଳର ତଳୁଆ ଛୋଟିଆ ଓ ନିକଷିଆ ଲୋକେ । ଆହା–ତାକୁ ସେ ନେଇଗଲା । ମୁଁ ବସି ବସି ଝୁରିବି । ସେ ଆସିଗଲେ ଜୀବନ ପରିପୂର୍ଣ୍ଣ ହୋଇଯିବ । ତାହାର ମୁହଁଟି ପୁନେଇ ଚାନ୍ଦ ପରି ଆଉ ସେ ଆସିଗଲେ ମୋର ଜୀବନ ହେଇଯିବ ଷୋଳ କଳାର ପୁନେଇ ।

 

ବିରହ କହିଲେ ବେଳେବେଳେ ବୁଝାଉଥିଲା–ଅପେକ୍ଷା । ସେ ଥିଲା ଆଉ ଆସିବ । ଏତିକିର ବ୍ୟବଧାନ ହେଉଛି ବିରହର ପରିମାଣ । ଅଧିକାଂଶ ଲୋକଙ୍କର ଜୀବନରେ ବିରହ ଥିଲା-। କୃଷ୍ଣଙ୍କର ଜୀବନରେ ଯଦି ବିରହ ଏତେ ଆଞ୍ଛୁଡ଼ା ଦାଗ ପକାଇଥିଲା ତମ ଆମ ପରି ଲୋକଙ୍କ ଜୀବନରେ ବିରହ ନ ଆସିବ କେମିତି ?

 

ଆଜିର ତରୁଣ ତରୁଣୀ ପଚାରୁଛନ୍ତି–ଏଇ ସୃଷ୍ଟିରେ ଅସଂଖ୍ୟ ଚିତ୍ର ବିଚିତ୍ର ଜୀବନର ସମ୍ଭାର । ତାହାହେଲେ କ’ଣ ପାଇଁ ଜଣେ ଆଉ ଜଣକୁ ଝୁରୁଥିଲା ? ଏହି ଝୁରିବାରେ ଜଣା ପଡ଼ୁଛି ଯେ ଉଭୟଙ୍କ ଆଡ଼ୁ ପ୍ରଗାଢ଼ ଆକର୍ଷଣ ନଥିଲା ।

 

ସେତେବେଳେ ବଶ୍ୟତା ବା ଆକର୍ଷଣ ନିର୍ଭର କରୁଥିଲା ଯୌନ ସଙ୍ଗମର ମମତା ଉପରେ–

 

ତାହାର ମୋର ବନ୍ଧ ସଂଯୋଗ ହୋଇଲେ

ବଶ ହୋଇ ଗୋଡ଼ାଇବ ମୋହର ତୁଲେ

(ନୃସିଂହ ପୁରାଣ)

 

କିନ୍ତୁ ଖାଲି ସୌନ୍ଦର୍ଯ୍ୟର ପ୍ରୀତିରେ ଦିନ ଦିନ ଧରି ଚାହିଁ ଆଖି ପାଣି ଆଖିକଣରେ ଶୁଖାଇବା ହେଉଛି ଏହି ନୂତନ ସମୟ ବା ପଚାଶମସିହା ପରର ଲେଖକମାନଙ୍କର ଆମଦାନୀ ।

 

ଏହାଛଡ଼ା ଆଉ ଗୋଟିଏ କଥା ଥିଲା ଯେ ପୂର୍ବ ସମୟରେ ଯୌନ ସୁଖର ସ୍ୱାଧୀନତା ନଥିଲା । ଏତକ ଥିଲେ ପୁରୁଣା ଲେଖା ଖାଲି ଠାକୁର ଅବା ରଜାଘରର କଳ୍ପିତ ଚିତ୍ର ଉପରେ ପ୍ରବନ୍ଧ ନିବନ୍ଧ ପରି ହୋଇ ନଥାନ୍ତା ।

 

ଯେତେ ଯୋଗୀ ଭାଟ ଗୀତ ବୋଲନ୍ତି ସବୁଥିରେ ଥାଏ–ଗେଡ଼ି ବାଙ୍ଗରୀ ଗୋରୀର ମହିମା । ଯେତେ କବିତା ବା କାବ୍ୟ ଅବା ସଙ୍ଗୀତ ତାହାର ଲୋକପ୍ରିୟତା ବଳରେ ଗଡ଼ି ଆସିଛି ସେଥିରେ ଅଛି ପୂର୍ଣ୍ଣଯୌବନା ତରୁଣୀ ସୁନ୍ଦରୀର ଉଦାତ୍ତ କାମର ବର୍ଣ୍ଣନା । ଏହା ଛଡ଼ା ଯେପରି ଜୀବନର ଅନ୍ୟ ଚିତ୍ର ନାହିଁ ।

 

ଏହିପରି ଲେଖିବାରେ ମଧ୍ୟ ତାରତମ୍ୟ ଦେଖାଯାଇଛି । ରାଜବଂଶୀ କବି ଯେତେ ସୁନ୍ଦର ଭାବରେ କାମବିହ୍ୱଳ ଉତ୍ତପ୍ତ ପ୍ରୀତିର ଚିତ୍ର ଆଙ୍କି ପାରିଛନ୍ତି ସେହିପରି ଉତ୍ତେଜକ ଚିତ୍ର ଅନ୍ୟ ପ୍ରଜା ଶ୍ରେଣୀର କବି ଦେଇ ପାରିନାହାନ୍ତି । ଯେତେ କୃଷ୍ଣ–ରାଧା ଚିତ୍ର ଆଣି ଲଗାଇଲେ ବି ଲେଖାର ମୂଳକଥା ହେଲା–

 

ଯେ ପକ୍ଷୀ ଉଡ଼େ ଯେତେ ଦୂର

ସେ ଜାଣେ ତାହାର ବେଭାର ।

 

ଏବେ ସେଇକଥା ହେଉଛି–କଲେଜ ପାଠୁଆଙ୍କର ବୌଦ୍ଧିକତା ଆଉ କଲେଜର ବିଦ୍ୱାନଙ୍କର ବୌଦ୍ଧିକତା ବାରି ହୋଇ ପଡ଼ୁଛି । ଶ୍ରୀ ସଚ୍ଚି ରାଉତରାୟ ବା ଶ୍ରୀ ଭାନୁଜୀ ରାଓଙ୍କ କବିତା ସହିତ ଅଧ୍ୟାପକ ଦୀପକ ମିଶ୍ର, ଶ୍ରୀ ରମାକାନ୍ତ ରଥ, ଶ୍ରୀ ସୀତାକାନ୍ତ ମହାପାତ୍ର ଓ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ଏବଂ ଅଧ୍ୟାପକ ଗୁରୁପ୍ରସାଦ ମହାନ୍ତିଙ୍କର କବିତାକୁ ତୁଳନା କଲେ ବୁଝି ହେବ-

 

ଯିଏ ଖାଇ ନାହିଁ, ସେ ଖୁଆଇ ଜାଣିବ ନାହିଁ । ଯେ ନିଜେ ଉପାସ ରହି ନାହିଁ, ସେ ପେଟର ଦୈନ୍ୟ କଥା ବୁଝାଇ ପାରିବ ନାହିଁ । କେତେ ବୋଝ ପଡ଼ିଲେ ମଣିଷ ତାହାର ପ୍ରବୃତ୍ତି ଓ ପ୍ରକୃତିର ସହଜ ସରଳ ଉଗ୍ରତା ହରାଇ ବିଭଙ୍ଗ ହୋଇଯାଏ ସେ କଥା କ୍ଷମତାର ଆଶ୍ରିତ ଓ ପେଶାଦାର ଭିକାରୀ ବା ଅନୁଗ୍ରହପ୍ରାର୍ଥୀ ବୁଝାଇ ପାରିବେ ନାହିଁ ।

 

ତେଣୁ ଆମେ ସମସ୍ତେ ଦିନେ ମଫସଲରେ ଥିଲୁ ଆଉ ଛୁଟି ଅବସର ବେଳରେ ମଫସଲ ଯାଉ ବୋଲି ହଠାତ୍‌ କଲମ ଧରି ଦୂର ମଫସଲର ଚିତ୍ର ଆଙ୍କିଲେ ରାୟ ସାହେବ, ନନ୍ଦ କିଶୋର ବଳ, ଓ ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ପଲ୍ଲୀର ମାହାତ୍ମ୍ୟ ପରି ହୋଇଯିବା କଥା ।

 

ଓଡ଼ିଆ ସାହିତ୍ୟରେ ରାଧାକୃଷ୍ଣଙ୍କର ପ୍ରଭାବ ଅଧିକ କି ରାମ ସୀତାଙ୍କର ପ୍ରଭାବ ଅଧିକ ଏଥିପାଇଁ କିଛି ବିବାଦ ନାହିଁ । କୃଷ୍ଣଙ୍କର ସଂସାରସୁଲଭ ଗୁଣକୁ ଅନୁକରଣ କରାଯାଇ ପାରେ କିନ୍ତୁ ରାମଚନ୍ଦ୍ରଙ୍କର ଗୁଣକୁ ଅନୁକରଣ କଲେ ସମସ୍ତଙ୍କୁ ମାଲିମକଦ୍ଦମାର ସୁବିଧା ଛାଡ଼ି ଜମିବାଡ଼ି ଫୋପାଡ଼ି ଦବାକୁ ହେବ । ତେଣୁ ଓଡ଼ିଆ ସାହିତ୍ୟ ରାମଚନ୍ଦ୍ର ବୁଦ୍ଧ ଆଦି ଅବତାରଙ୍କୁ ଛାଡ଼ିଦେଇ କୃଷ୍ଣଙ୍କୁ ଧରିଥିଲା । ଆଜି ଆମେ ଠିକ୍‌ ସେଇ କାରଣରୁ ବାଉଁଆ ହେବାକୁ ଚେଷ୍ଟା କରୁଛୁ ।

 

ବାଉଁଆ କହିଲେ ଆମେ ସାଧାରଣ ଲୋକ ବୁଝୁ ଯେ ଯାହାର ଯାହା ଅଛି ସେତକ ତାହାଠାରୁ ମୋ’ପାଖକୁ ଆପଣା ଛାଏଁ କିମିଆରେ ଅବା ଆଇନରେ ଆସି ଲାଗିଯିବ । ମୁଁ ସେଇ କଦମ ଫୁଲିଆ ଚକରେ ଧାନ ବୁଣିବି, ନଈର ଦକ୍ଷିଣ ପାଖ ତୋଟାକୁ ନିଜର କରି ମକଦମ ପୋଖରୀରେ ମନଇଚ୍ଛା ମାଛ ଧରି ମଜ୍ଜାରେ ରହିବି । ଅର୍ଥାତ୍‌ ଖାଲି ମୁଁ ବାଉଁଆପନ୍ଥୀ ବୋଲାଇଲେ ସବୁ ପାଇଯିବି । ତେଣିକି ସହଜିଆ ଧର୍ମ ମାର୍ଗଟିଏ ଧରିନେଲେ ହୋଇଗଲା । ଧର୍ମ–ଅର୍ଥ–କାମ–ମୋକ୍ଷ ଏମିତି ଚାରିବର୍ଗ ପାଇଯିବି ।

 

ସବୁଦିନେ ଏମିତି ମଜ୍ଜା ମାରି ଆଗରୁ ଆସି ଚକଡ଼ା ବାନ୍ଧି ରହିଯିବା ଲୋକ ଥାନ୍ତି । ପାଣିରେ ଅଧାବୁଡ଼ା ପଥରରେ ଶିଉଳୀ, ଗଛରେ ମଲାଙ୍ଗ ଆଉ ତଣ୍ଟିଚିପା ଲଟା, ଡାଳରେ ଚଢ଼େଇ ରହିଥାନ୍ତି । ଏମାନଙ୍କୁ ତାଙ୍କର ସ୍ଥିତିରେ ରକ୍ଷା କରିବା ହେଉଛି–ଧର୍ମ ପନ୍ଥା । ଏହାକୁ କହନ୍ତି ପ୍ରତିଷ୍ଠିତ ଅବସ୍ଥା ବା ସ୍ଥିତାବସ୍ଥା । ଏହାର ପୃଷ୍ଠପୋଷକ ହେଲେ ଦକ୍ଷିଣପନ୍ଥୀ ।

 

ଭାଇମାନେ । ପର ଜିନିସକୁ ଲୋଭ କର ନାହିଁ । ସେଗୁଡ଼ାକ ସଂପତ୍ତି ନୁହେଁ ଯେ ବିଷ୍ଠା-। ପରର ଜିନିସକୁ ଗୋଡ଼ିମାଟି ପରି ବିଚାରି ଆସକ୍ତ ହୁଅ ନାହିଁ–ଇଏ ହେଲା ନୀତିବାନ୍‌ ଲୋକର ଇଚ୍ଛା ।

 

ସେଇ ମାପକୁ ଆଣି ସାହିତ୍ୟରେ ଲଗାଇଲେ ହେଇଯିବ ଏମିତି । ଲେଖକ ଭାଇମାନେ । ପରର ସୁବିଧାକୁ ଆଖି ପକାଅ ନାହିଁ । ସେଗୁଡ଼ାକ ସେ ତାହାର କର୍ମ ବଳରେ ପାଇଛି । ଲେଖା ନୁହେଁ ଯେ ଏଣୁତେଣୁ ଆଳି ମାଳିକା । ବର୍ଷ ଦଶଟାରେ ମରି ଉଡ଼ିଯିବ । ପରର ଯଶ ଦେଖି ହାଇପିସାଇପି ହୁଅ ନାହିଁ । କେନ୍ଦ୍ର ସାହିତ୍ୟ ପୁରସ୍କାରର ଅଧିକାରୀମାନଙ୍କୁ ସରସ୍ୱତୀଙ୍କର ବରପୁତ୍ର ବୋଲି ମନେ କରି ନିଜର କର୍ତ୍ତବ୍ୟରେ ଲାଗ ।

 

ଇଏ ହେଉଛି ବୌଦ୍ଧ ଓ ଜୈନ ଧର୍ମର ପନ୍ଥା–ଖଟମଲ୍‌ ଖିଲାଏଗା । ପଇସା କିଛି ନେଇ ଓଡ଼ଶ ଭରା ଖଟରେ ଶୋଇ ନିଜର ରକ୍ତ ଖୁଆଇ ଓଡ଼ଶଙ୍କୁ ବଞ୍ଚାଅ । ସେମାନେ ଆନନ୍ଦ ପାଇଲେ ଜୈନ ତୀର୍ଥଙ୍କର ଆନନ୍ଦ ପାଇବେ ।

 

ସାହିତ୍ୟରେ ଓଡ଼ଶଙ୍କୁ ଆମେ ଯଦି ଆମର ମନ କଥା କହି ଆମର ହିଂସା, ଈର୍ଷା, ଆକ୍ରୋଶ ଓ ପ୍ରତିବାଦର ଚିତ୍ର ନ ଦେଖାଉ ତାହାହେଲେ କିଛି ସମୟ ପରେ ଅମଲାତନ୍ତ୍ରର ସର୍ବଜ୍ଞ ଆଇ. ଏ. ଏସ୍‌.ଙ୍କ ପରି ଆମେ–ବର୍ଷକୁ ଗୋଟାଏ ପଇଦା–ନିୟମରେ ମାଳେ ପାଇଯିବୁ । ସାହିତ୍ୟ ରହିଯିବ ସେହି ପଣ୍ତାଙ୍କର ତତ୍ତ୍ୱାବଧାନରେ ।

 

ନାହିଁ । ସିଏ ସୁବିଧା ହବ ନାହିଁ । କବିମାନେ ଯାଇ ପଚାରନ୍ତୁ–କବି ସଚ୍ଚିଦାନନ୍ଦ ଓ କବି ବୈକୁଣ୍ଠଙ୍କୁ । ଉପନ୍ୟାସ ଲେଖକମାନେ ଆସନ୍ତୁ–କାହ୍ନୁଚରଣ ଓ ଗୋପୀନାଥଙ୍କ ପାଖକୁ । ନାଟ୍ୟକାର ଯାଆନ୍ତୁ–ମନୋରଞ୍ଜନଙ୍କ ପାଖକୁ । ଗବେଷକମାନେ ଯୋଗାଯୋଗ ପାଇଁ ଭାବନ୍ତୁ–ପଣ୍ତିତ ସୂର୍ଯ୍ୟନାରାୟଣଙ୍କୁ ଓ ଗାଳ୍ପିକମାନେ ପଚାରନ୍ତୁ ସୁରେନ୍ଦ୍ର ମହାନ୍ତି ଓ ମନୋଜ ଦାସଙ୍କୁ । ଅବା କବି ବିନୋଦ ବାବୁଙ୍କୁ । ତାହାହେଲେ ନବଗ୍ରହ ମାଳା ପରି ଆମେ ସାହିତ୍ୟ ପାଇପାରିବୁ ତ ?

 

ଯଦି ଆମର ଆଶା ବିଫଳ ହୁଏ ତାହାହେଲେ ଆମେ ନିଶ୍ଚିତ ଭାବରେ କହିବୁ ଯେ ସାହିତ୍ୟିକ ସ୍ୱୀକୃତି ହେଉଛି ମୋଲାଏମ ଲୋକର ସ୍ୱୀକୃତି ତାହାହେଲେ ଭୁଲ୍‌ ହେବ କାହିଁକି ?

 

ସାହିତ୍ୟ ଥିଲା ରାଜାଙ୍କର ଆଶ୍ରିତ । ତେଣୁ ସେଥିରେ ସମାଜର ଚିତ୍ର ଯାଇପାରିଲା ନାହିଁ । କାରଣ ସମାଜର ଚିତ୍ର ଆଙ୍କିଲେ ରାଜାଙ୍କର ରୂପ ମଉଳିଯିବ । ଏବେ ସାହିତ୍ୟ ହେଲା ରାଜନୀତିର ଆଶ୍ରିତ । ତେଣୁ କ୍ଷମତାସୀନ ଦଳର ଛବିକୁ ପୃଷ୍ଠଭୂମିରେ ଠିକ୍‌ ଗୋଲାପୀ ଢାଞ୍ଚାରେ ରଖି ସମାଜର ଚିତ୍ର ଆଙ୍କି ହେବ ନାହିଁ । ତାହାହେଲେ ବୁଝିବାକୁ ହେବ ଯେ ମୁଖ୍ୟମନ୍ତ୍ରୀମାନେ ଓ ପ୍ରଧାନମନ୍ତ୍ରୀ ସାହିତ୍ୟ ଭିତରୁ ସୁବିଧାବାଦୀ ସ୍ରଷ୍ଟାଙ୍କୁ ଅଲଗା କରି ପୋଷପାଳ କରିବାକୁ ବାଟ ରଖୁଛନ୍ତି ।

 

ହେଇପାରେ ଏଇଟା ଶାସନର ଫନ୍ଦି, ଫନ୍ଦା ଓ ଜନ୍ତା । କିନ୍ତୁ ଏଥିରେ ବିଚରା କେଇଟି ଯାଇ ଧରା ହେଉଛନ୍ତି କ’ଣ ବୌଦ୍ଧିକତା ପାଇଁ ? ସେମାନେ କେହି ତ ସ୍ପଷ୍ଟ ଭାବରେ ସ୍ୱୀକାର କଲେ ନାହିଁ ଯେ ଶାସନକଳ ବିଷୟରେ କୌଣସି ଆକ୍ଷେପ କରିବୁ ନାହିଁ ବୋଲି ମନ ଭିତରେ ଚୁକ୍ତିବଦ୍ଧ ହେଇଥିବାରୁ ଆମକୁ ସ୍ୱୀକୃତି ଦିଆଯାଉଛି । ଆଉ ଆମେ ଠିକ୍ ସେହି ଶ୍ରେଣୀର ଲୋକ ଖୋଜୁଛୁ ।

 

ଓଡ଼ିଆ ସାହିତ୍ୟର ଜୀଅନ୍ତା ସାଧକମାନେ ହୁଏତ କହିପାରନ୍ତି–ଏଥିରେ ଆମର କହିବାର କିଛି ନାହିଁ । କାହାକୁ କିଏ କ’ଣ ପୁରସ୍କାର କି ସ୍ୱୀକୃତି ଦେବ ସେହି ବିଷୟରେ ଅପରର ମତାମତ ଦରକାର କାହିଁକି ?

 

ଏହାର ମଧ୍ୟ ଉତ୍ତର ଦରକାର । ମୋର ଇଚ୍ଛା ହେଲା ମୁଁ ଗୁଇନ୍ଦାଗିରି କରି ଚଳିବି ଅବା ପକେଟମାର ହେବି ନଇଲେ ସ୍ୱପ୍ନରେ ଠାକୁର ପାଇଛି ବୋଲି କହି ପୂଜା କରିବି ? ତମର ଏଥିରେ କ’ଣ ଅଛି ?

 

କିଛି ନାହିଁ ବୋଲି ଯଦି ତମମାନଙ୍କର ମତ ତାହାହେଲେ ସାହିତ୍ୟିକ ପୁଲିସ ସାହେବ ଶ୍ରୀ ଦୁର୍ଗାମାଧବ ମିଶ୍ରଙ୍କୁ ପଚାରୁ ନାହିଁ ସେ କାହିଁକି ଯାଇ ଅଶ୍ଳୀଳ ଲେଖା ପାଇଁ ମକଦ୍ଦମା ଦାଏର କରି ଦୋଷୀକୁ ଦଣ୍ତ ଦିଆଉଛନ୍ତି । ସାହିତ୍ୟିକ ନନ୍ଦିନୀ ଦେବୀଙ୍କୁ ପଚାରୁ ନାହିଁ କ’ଣ ପାଇଁ ତାଙ୍କରି ଶାସନରେ କୋରାପୁଟର ପୁଲିସ ଡି. ଏସ. ପି. ଶ୍ରୀ କୁମାର ମହାନ୍ତିଙ୍କ ବିଷୟରେ ସାହିତ୍ୟିକ ଦୃଷ୍ଟି କୋଣ ପାଇଁ ତଦାରଖ ହେଲା ? ସାହିତ୍ୟିକ ସରଳା ଦେବୀ କ’ଣ ପାଇଁ ଶୋଭନ ସାହିତ୍ୟର ନେତା କୁମାର ରାୟଙ୍କୁ ନ ପଚାରି ବିପଥଗାମୀ ସାହିତ୍ୟ ବିଷୟରେ ଆନ୍ଦୋଳନ କରୁଛନ୍ତି ? ସାହିତ୍ୟିକ ଡକ୍ଟର କୃଷ୍ଣଚରଣ ବେହେରା କ’ଣ ପାଇଁ ନଗ୍ନ ଗଳ୍ପ ପାଇଁ ବିଭାଗୀୟ ଭର୍ତ୍ସନା ପାଇଲେ-?

 

ସାହିତ୍ୟରେ ମଧ୍ୟ ମତାମତ ଅଛି । ଯେ ଯାହା ଲେଖିଲା ସେଥିପାଇଁ ସେ ଦଣ୍ତ ଓ ପୁରସ୍କାର ପାଇବାର ଉପଯୁକ୍ତ । କାରଣ ତାହାର ଲେଖା ପ୍ରକାଶ ପାଇଛି । ସେ ନିଜର ସ୍ୱାଗତ ଉକ୍ତିକୁ ନେଇ ପ୍ରଚାର କରିଛି । ତେଣୁ ମତାମତ ଦେଲେ ମତାମତ ଶୁଣିବାର ସତ୍‌ ସାହସ ଥିବା ମଧ୍ୟ ଦରକାର ।

 

ସାହିତ୍ୟର ବୟସ ନାହିଁ । ଶ୍ଳୀଳତା ଓ ଅଶ୍ଳୀଳତା ନାହିଁ । ସ୍ୱାଧୀନତାର ଧାରା ଅଛି । ଏହି ମତ ସହିତ ଓଡ଼ିଶାର ସାହିତ୍ୟିକ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀଙ୍କର ପ୍ରାଇଭେଟ ସେକ୍ରେଟାରୀ ସାହିତ୍ୟିକ ସୀତାକାନ୍ତ ମହାପାତ୍ର କ’ଣ ଏକମତ ? ସାହିତ୍ୟ ନାଆଁରେ ସାହିତ୍ୟିକକୁ ଥୋପି ମାଡ଼ ହେଲାବେଳେ ଏମାନେ ସାହିତ୍ୟିକର ସ୍ୱାଧୀନତା ପାଇଁ କ’ଣ କରିଥିଲେ ?

 

ଏହି ପ୍ରଶ୍ନ ଆଜି ପଚରାଯାଉ ଭାରତ ସରକାରଙ୍କର ଅଭିନନ୍ଦିତ ଓଡ଼ିଆ ସାହିତ୍ୟିକମାନଙ୍କୁ–ଗୋପୀନାଥଙ୍କଠାରୁ ମନୋଜଙ୍କ ପର୍ଯ୍ୟନ୍ତ । ଚଉବନ ମସିହାରୁ ତେସ୍ତରୀ ମସିହାଯାଏ ଏହି ପ୍ରକଟ ସାହିତ୍ୟିକ ଓ ଅପ୍ରକଟ ସାହିତ୍ୟିକ ଯୋଗୀମାନେ ଓଡ଼ିଆ ସାହିତ୍ୟର ସାହିତ୍ୟିକମାନଙ୍କର ମତ ପ୍ରକାଶର ସ୍ୱାଧୀନତାର ରକ୍ଷା ପାଇଁ କିଏ କେଉଁଦିନ କେଉଁଠି କି ପ୍ରକାରରେ ପ୍ରତିବାଦ କରିଥିଲେ ? ଯଦି କରି ନ ଥାନ୍ତି ତାହାହେଲେ ଆମେ ପାଠକମାନେ ଏମାନଙ୍କୁ ଗୋଲାମ ସାହିତ୍ୟିକ କହିଲେ ଭୁଲ ହେବ କେଉଁଠି ?

 

ସବ୍‌ ସେ ଚୁପ୍ ଭଲା–ଥିଲା ଅତ୍ୟାଚାରରୁ ରକ୍ଷା ପାଇବାର ନୀତି । ଆମେ ବି ପେଟପୋଷିବାକୁ ଅସମର୍ଥ ହେଲେ ଉପବାସ–ମାହାତ୍ମ୍ୟ ବିଷୟରେ ଚର୍ଚ୍ଚା କରିଥାଉ । ଭଲ ଖାଇବା ପିନ୍ଧିବା ଓ ରହିବାର ସୁବିଧା ସୁଯୋଗ ହରାଇଲେ ଆମେ ଲେଖକ ରାଜକିଶୋରଙ୍କ ପରି ମନକୁ ମନ ଦାର୍ଶନିକ ପାଲଟି ପ୍ରବୋଧ ଦେଉ ଯେ ସଢ଼ା ଭାତ, ଫଟାଲୁଗା ଆଉ ବାରଓଳି ହେଇ ବଞ୍ଚିବା ଜୀବନର ସାର୍ଥକତା ।

 

ଓଡ଼ିଆ ସାହିତ୍ୟର ନାମଜାଦା ସାହିତ୍ୟିକମାନେ ଓଡ଼ିଶାର ଏହି ବିଗତ କୋଡ଼ିଏବର୍ଷର ଦୁଃଖ ଦୈନ୍ୟ ଦେଖି ନାହାନ୍ତି । ତେଣୁ ସେମାନଙ୍କର ଲେଖାରେ ଦୁଃଖ ଦୈନ୍ୟର ଉତ୍ପୀଡ଼ନ ମାରାତ୍ମକ ମୃତ୍ୟୁର କାରଣ ବୋଲି ପଦେ ହେଲେ ଲେଖା ହୋଇନାହିଁ । ସେମାନେ ସହଜ ମୃତ୍ୟୁ ଓ ଆପଣା–ଇଚ୍ଛାରେ ମୃତ୍ୟୁକୁ ବୁଝିପାରି ନାହାନ୍ତି ।

 

ଏମାନେ ଦୁଃଖ କହିଲେ ବୁଝନ୍ତି ଅପରର ଦୁଃଖ । ତେଣୁ ସମାଜ ବିଷୟରେ ଏମାନଙ୍କର ମତ–ସବ୍‌ ସେ ଚୁପ୍‌ ଅଚ୍ଛା ହାୟ ।

 

ଏହି ପ୍ରକାରର ଚୁପ୍‌ ସଇତାନଙ୍କ ମେଳରେ ଓଡ଼ିଆ ସାହିତ୍ୟ ଚାଲିଛି । ସମୁଦ୍ର ମୁହାଣ ପାଖ ନଈରେ ଶାଙ୍କୁଚ କୁମ୍ଭୀର ମିଳିଲା ପରି ଆଜି ଓଡ଼ିଆ ସାହିତ୍ୟର ନଈରେ ଦଳେ ଚୁପ୍‌ ସଇତାନ୍‌ ଅବସ୍ଥା ଲକ୍ଷ୍ୟ କରୁଛନ୍ତି । ଏମାନେ ହେଲେ ବାଉଁଆ ଲୋକ–ଅର୍ଥାତ୍‌ ଅନ୍ୟାୟ ବିରୁଦ୍ଧରେ କଥା କହିବାର ଅଭ୍ୟାସ ଅଛି ।

 

ପଚାର ତାଙ୍କୁ ଯେ ଓଡ଼ିଆ ସାହିତ୍ୟିରେ ମନ୍ତ୍ରୀ ଆଶ୍ରିତ ସାହିତ୍ୟ ଯେ ବିଷ ପରି ଉପରେ ରହି ଓଡ଼ିଆ ପାଠକମାନଙ୍କ ଆଗରୁ ଜୀବନର ଉତ୍ସ ସୂର୍ଯ୍ୟ କିରଣକୁ ଢାଙ୍କି ଅଲଗା କରି ଦେଲାଣି–ଏହି ବିଷୟରେ ସେମାନେ କି ଆଭିମୁଖ୍ୟ ଦେଖାଇଛନ୍ତି ?

 

କେହି କେହି ଆସି କଳିଷଠାକୁ ଆଖିମିଟିକା ମାରି ପାଞ୍ଚ ଦଶବର୍ଷ ଠକିଲେଣି । ମରଣୋତ୍ତର ସମ୍ମାନ ତାଙ୍କୁ ହାତ ଠାରି ଡାକୁଛି । କିଛି ନ ହେବାର କଥା ଥିଲାବେଳେ ଓଡ଼ିଆ ସାହିତ୍ୟର ବନ୍ଦନୀୟ ହୋଇ ଗୌରବ ପାଇଲେ । ସେମାନେ ଯେଉଁ ପନ୍ଥାର ପଥିକ ହୁଅନ୍ତୁ ଯାଏ ଆସେ ନାହିଁ–ଅନ୍ତତଃ ଥରେ କହିଯାନ୍ତୁ ଓଡ଼ିଆ ସାହିତ୍ୟ ତାଙ୍କପାଇଁ ଅଭିଶପ୍ତ ହେଲା କି ନାହିଁ ? ନା, ତାଙ୍କର ସାଧନା ପାଇଁ ଆଜି ଓଡ଼ିଆ ସାହିତ୍ୟ ଅଭିନନ୍ଦିତ ?

 

ରାଜା ଜମିଦାରମାନେ ତୋଟା, ପୋଖରୀ, ନଈରେ ଘାଟ, ମଠ ମନ୍ଦିର କରିଥିଲେ । ଆମେ ସେମାନଙ୍କୁ ବାହାର କରି ଦେଇଛୁ । ସାହାବମାନେ ଏହି ଭାଷା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣି ଜୀବନ୍ୟାସ ଦେଇଥିଲେ । ଓଡ଼ିଶାରେ ବୋଧହୁଏ ଦି’ଜଣ ସାହାବ ନାହାନ୍ତି-। ତେଣୁ ଯେଉଁ ବରେଣ୍ୟ ସାହିତ୍ୟିକମାନେ ତାଙ୍କର ଅବସର ବେଳାରେ ଓଡ଼ିଆ ସାହିତ୍ୟକୁ ଶ୍ରୀମନ୍ତ କରି ଯାଇଛନ୍ତି ତାଙ୍କୁ ଆମେ କି ପ୍ରକାର ପୁରସ୍କାର ଦେବୁ ?

 

ବିଲାତର ଲାଙ୍କାସାୟାରର ଲୁଗାକଳ ମାଲିକମାନେ ମହାତ୍ମା ଗାନ୍ଧୀଙ୍କୁ ଏହି କଥା ପଚାରିଥିଲେ । ମହାତ୍ମାଜୀ କହିଥିଲେ–ହଁ, ତମେମାନେ ଭାରତବର୍ଷ ପାଇଁ ଅନେକ କଥା କରିଛ । ଆମେ ତୁମକୁ ଗରିବର ଆଶୀର୍ବାଦ ଛଡ଼ା ଆଉ କିଛି ଦେଇପାରିବୁ ନାହିଁ । ....ସେମାନେ ମଧ୍ୟ ଏହା ଉପରେ ଆଉ ପ୍ରଶ୍ନ କରି ନାହାନ୍ତି । କୋଡ଼ିଏବର୍ଷ ପରେ ଆପଣା ଇଜ୍ଜତ ଆପେ ରଖି ଚାଲିଗଲେ ।

 

ଏହି ପର୍ଯ୍ୟାୟରେ ଆଜି ଓଡ଼ିଆ ସାହିତ୍ୟିକମାନଙ୍କୁ ପଚରାଯାଉ ସେମାନେ କ’ଣ ମାଗୁଛନ୍ତି ? ଆମେ ଚାହୁଁଛୁ ଯେ ଓଡ଼ିଆ ସାହିତ୍ୟ ଓଡ଼ିଆଙ୍କର ଜୀବନରେ ଜୀବନ୍ତ କାବ୍ୟ ହେଉ । ସେମାନେ ଏହି କାବ୍ୟକୁ ତାଙ୍କର ଗଳ୍ପ, ଉପନ୍ୟାସ, କବିତା, ସନ୍ଦର୍ଭ, ନିବନ୍ଧ ଓ ନାଟକରେ ବୁଝାଇ ଦିଅନ୍ତୁ ।

 

ନାଟ୍ୟକାର ମନୋରଞ୍ଜନଙ୍କୁ ଓ ଗାଳ୍ପିକ ଓ ତାତ୍ତ୍ୱିକ ମନୋଜ ଦାସଙ୍କୁ ପଚରାଯାଉ । ସେମାନେ କେଉଁଠି କେମିତି ଓଡ଼ିଆ ସାହିତ୍ୟର ଗତି ପଥରେ ଏହି ଓଡ଼ିଶାର ଓଡ଼ିଆ ଚିତ୍ର ଦେଲେ-। ପ୍ରତିବେଶୀଙ୍କର ଦାବୀ ଆଗରେ ଓଡ଼ିଶାର ଦାବୀ ଗୌଣ ନୁହେଁ–ଏକଥା କେତେବେଳେ କେଉଁଠି ଶୁଣାଇଲେ ? ଆମେ ଯେ ଗରିବ ହୋଇ ସୁଦ୍ଧା ମନର ମହତ୍ତ୍ୱରେ ମହୀୟାନ–ଏତକ କେଉଁଠି ଦେଖାଇଲେ ?

 

ଏହି ସବୁ କ’ଣ ପାଠକ ଦେଖାଇବ ଲେଖକଙ୍କୁ–ନା, ଲେଖକ ଦେଖାଇବ ପାଠକକୁ ?

 

ଅନ୍ତତ ଏଇ ପ୍ରଶ୍ନର ଉତ୍ତର ପାଇଁ ଆମେ ଆଶାବାଦୀ ହେବାର କାରଣ ଅଛି । ସେମାନଙ୍କର ମତ ଯେ ଲେଖକର ସ୍ଥାନ ପାଠକଠାରୁ ଉଚ୍ଚରେ ରହିଛି ।

 

ପାଠକ ଖାଲି ନିର୍ଦ୍ଦିଷ୍ଟ ଆଧୁନିକ ବା ପୁରାତନ ଲେଖକର ଲେଖାକୁ ପଢ଼ି ମସଗୁଲ ହେଉଥିବ–ଏପରି ଆଶା ରଖିବା ବେକୁବି । ଯିଏ ପ୍ରତିଦିନ ସ୍ତ୍ରୀ’ସଙ୍ଗ ଖୋଜେ ସେହି ମଧ୍ୟ ଅଫିସର ମହିଳା କର୍ମଚାରୀକୁ ଖୋଜେ ନ ହେଲେ ରିକ୍‌ସାବାଲା ଜରିଆରେ ସ୍ୱାଧୀନା ମହିଳା ଖୋଜେ । ଯିଏ ବ୍ରାଣ୍ତି ପିଏ ସେହି ତାଡ଼ି ପିଏ । ସିଗାରେଟ୍‌ ଅଭ୍ୟାସ କରିବା ଲୋକ ବିଡ଼ି ଖାଏ ।

 

ସେମିତି ପାଠକ ତ’ ପଢ଼ିବା ଅଭ୍ୟାସ କରିଛି–ସେ ଖାଲି ବାଛି ବାଛି ତମେ ଓ ତାଙ୍କୁ ଧରି ବସିବ କାହିଁକି ? ସେ ଭଲ ଖରାପ, ନୂଆ ପୂରୁଣା, ପ୍ରାଚୀନ ଆଧୁନିକ, ସ୍ୱାଭାବିକ ଓ ଉଦ୍ଭଟ ସବୁ ପଢ଼ିବ । ତେଣୁ ତମେ ଲେଖକ ହେଇଥିଲେ ତୁମକୁ ସେ ଖାଲି ତମ ଲେଖାରୁ ନୁହେଁ ତୁମର ଲେଖାର ଓ ତୁମର ପୃଷ୍ଠଭୂମି ବିଷୟରେ ମଧ୍ୟ ପଚାରିବ ।

 

ଆଜି ସେ ପଚାରୁଛି ଯେ ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ଚିହ୍ନି ପାରିବେ ନାହିଁ ବୋଲି ଆଶଙ୍କା କରି ତାଙ୍କୁ ଗୋଟିଏ ମୁଦି ଦେଇଥିଲେ । ଏବେ ଆମର ଅତି ପରିଚିତ ଲୋକେ ଆମକୁ ଚିହ୍ନିପାରୁ ନାହାନ୍ତି । ବଡ଼ ହାକିମଙ୍କ ପାଖକୁ ଗଲେ ଚପରାସି ହାତରେ ନିଜର ନମଧାମ ଓ ଦେଖା କରିବାର କାରଣ ଲେଖି ଦବାକୁ ପଡ଼ୁଛି । ହାକିମଙ୍କର ମନେ ପଡ଼ିଯାଉଛି । ସେଇଠୁ ହେଲା ହସମିଶା ଦୁଃଖସୁଖ–ସତେ ଯେପରି ହାକିମ ସାହେବ ମୂଳରୁ ଚୂଳଯାଏ ମନେ ରଖିଛନ୍ତି ।

 

ଇଏ ହେଉଛି କାହିଁକି ? ଯେଉଁ ଲୋକ ଅନ୍ୟ କାମରେ ଲିପ୍ତ ରହିଛି ସେଥିଭିତରେ ସେ ହଠାତ୍‌ ଜଣକୁ ଦେଖି ମନେ ପକାଇବା ସମ୍ଭବ ନୁହେଁ । ଦୁଷ୍ମନ୍ତ ମହାରାଜାଙ୍କ ବେଳରେ ସେମିତି ରାଜ୍ୟଯାକ ଏତେ ଜାଗାରେ ଏତେ ପ୍ରକାରର ନାରୀଙ୍କ ସହିତ ଯୋଗାଯୋଗ ରହୁଥିଲା ଯେ ଦିନକର ଅନ୍ତରଙ୍ଗ ଜଣେ ନାରୀକୁ ପାଞ୍ଚ ତିନିବର୍ଷ ପରେ ଦେଖିଲେ ଚିହ୍ନିବା ସମ୍ଭବ ନଥିଲା ।

 

ସେହି ପୁରୁଣା କାଳର କଥାକୁ ଛାଡ଼ । ଏବେ ଏକାବନ ମସିହା ଆଇନରେ ବାଉନ ମସିହାରେ ଜମିଦାରୀ ଉଚ୍ଛେଦ ହେଲା । ସେ ତ ଆଜିକୁ କୋଡ଼ିଏବର୍ଷ ତଳର କଥା । ସେତେବେଳେ ଆମରି ଓଡ଼ିଶାରେ ଥିଲା କ’ଣ ? –ଇଲାକାବାଡ଼ିର ପ୍ରଜାମାନେ ତାଙ୍କର ଘରେ କେହି ରହିଲେ ଜମିଦାରଙ୍କୁ ଭେଟି ଦେବେ । ଏହା କେଉଁ ସ୍ତରରେ କେଉଁ ଅଞ୍ଚଳରେ କେତେ ଦୂର ପ୍ରଯୁଯ୍ୟ ଥିଲା–ସମସ୍ତେ ଜାଣନ୍ତି । ତେଣୁ ଏଥିରେ ମତଦ୍ୱୈଧ ନ ହେବାର କଥା ।

 

ଆମର ପାଖପଡ଼ୋଶୀ ବା ଆମର ଜଣାଶୁଣାରେ ଯେଉଁମାନେ ଏହି ପ୍ରଥାରେ ସହଯୋଗୀ ହେଉଥିଲେ ସେମାନେ ଜାଣୁଥିଲେ ଯେ ଜମିଦାରଙ୍କ ସହିତ ଏହି ଯେଉଁ ସମ୍ୱନ୍ଧ–ଏଥିରେ ସ୍ଥାୟୀତ୍ୱ ନାହିଁ । ଏଇଟା ବିଧି ପର୍ଯ୍ୟାୟରେ ଯାଉଛି । ଏହାର ଜୀବନ ଉପରେ ପ୍ରଭାବ ନାହିଁ ।

 

ଆଦିବାସୀ ସମାଜରେ ଦିଣ୍ତା ଘରେ ଅବାଧ ମିଳାମିଶା ଥାଏ । ବିଭାଘର ପରେ ସେହି ସ୍ତ୍ରୀ’ର ଦିଣ୍ତାଘରର ପ୍ରେମିକଠାରୁ ବର ମାଗଣ ନେବା ପ୍ରଥା ଅଛି । କିନ୍ତୁ ସେହି ସମ୍ୱନ୍ଧର ପୁନରାବୃତ୍ତି ଉପରେ ସମାଜର କଟକଣା ଏତେ କଠୋର ଯେ ପୂର୍ବକଥା ଆଉ କେବେ ଜୀବନର ପଶ୍ଚିମ ପାଖରେ ଆସି ସମସ୍ୟା ଉଠାଏ ନାହିଁ ।

 

ଆମର ସ୍କୁଲ କଲେଜର ଅବାଧ ମିଳାମିଶା ଓ ସହାବସ୍ଥାନ କାର୍ଯ୍ୟକ୍ରମରେ ଯେ ଆନ୍ତରିକ ବା ପ୍ରାସଙ୍ଗିକ ଭାବ ବିନିମୟ ଅଛି ଏକଥା ଆମର ଆଧୁନିକ ଓଡ଼ିଆ ସାହିତ୍ୟରୁ ବୁଝିହୁଏ-। କିନ୍ତୁ ଅତୀତ କଥାର ଡୋରକୁ ନେଇ କେହି ଆଉ ସେ ଆନ୍ଦୋଳନରେ ପଶେ ନାହିଁ-। ଓଲଟି ଯେଉଁ ଆଧୁନିକାମାନେ କଲେଜ ଯିବା ବାହାନାରେ କଟକ ଷ୍ଟେସନରୁ ଖୋର୍ଦ୍ଧାରୋଡ଼ ବା ତାଳଚେରକୁ ପ୍ରଥମ ଶ୍ରେଣୀରେ ଡବାରେ ଯାଆସ କରୁଥିଲେ ବୋଲି ଦିନେ ଉଦ୍ଧତ ଅହମିକା ଦେଖାଉଥିଲେ ସେହିମାନେ ବିବାହ ପରେ ଏକାବେଳେକେ ଶୃଙ୍ଖଳିତ ଓ ସଂଯତ ।

 

ତେଣୁ ଜୀବନର ବିଚାର କରିବାକୁ ହେଲେ ଏହାର ଭଗ୍ନାଂଶ ନେଇ ତାହାରି ତର୍ଜମାରେ ଜୀବନକୁ ଅଟକଳ କରିବା ଅନୁଚିତ୍‌ । ଏତିକି ତ ଆମର ନିତିଦିନିଆ ଘଟଣା–ଏଥିରେ ଆମେ ପାଠକମାନେ ଊଣା ବହୁତେ ଅନୁଭବୀ । ଆମେ କ’ଣ ଏହି ଦିଗର ଚିତ୍ରଟିଏ ଆମର ପ୍ରସିଦ୍ଧ ଗାଳ୍ପିକ ଓ ଉପନ୍ୟାସକାରମାନଙ୍କଠାରୁ ଆଶା କରିବା ନାହିଁ ? ଏମାନେ ଲେଖି ନାହାନ୍ତି । କାରଣ ତାଙ୍କର ଅନୁଭବ ନାହିଁ ।

 

ଯଦି ଏକଥା ଭୁଲ୍‍ ମନେହୁଏ ତେବେ ଆଜି ଆମର ପ୍ରସିଦ୍ଧ ଗ୍ରନ୍ଥକାରମାନଙ୍କୁ ଆହ୍ୱାନ ଦିଆଯାଉ–କେତେ ଜଣ ଏହି ଆହ୍ୱାନକୁ ମୁକାବିଲା କରିବାକୁ ଆସିବେ ? କିଏ ସେ–ଗୋପୀନାଥ, କାହ୍ନୁଚରଣ, ମନୋରଞ୍ଜନ, ମନୋଜ, ସଚ୍ଚିଦାନନ୍ଦ, ସୁରେନ୍ଦ୍ର, ବୈକୁଣ୍ଠ, ବିନୋଦ ? ନା, ତାଙ୍କଠାରୁ ନିକୃଷ୍ଟ ଆଉ କେହି ଲେଖକ ?

 

ଓଡ଼ିଆ ସାହିତ୍ୟରେ ସ୍ୱାଧୀନତା–ବିପ୍ଳବର ଚିତ୍ର ପର୍ଯ୍ୟାପ୍ତ ନାହିଁ ସତ । କିନ୍ତୁ ସାମାଜିକ ଅବସ୍ଥାର ଚିତ୍ର ନ ଆସିଲା କାହିଁକି ?

 

ଓଡ଼ିଆ ଲେଖକମାନେ ନିଶ୍ଚିତ ଭାବରେ ଶକୁନ୍ତଳା ଦୁଷ୍ମନ୍ତ କଥା ପଢ଼ିଛନ୍ତି । କିନ୍ତୁ ଏହି ବିଷୟରେ ଭାବିବାକୁ ଇଚ୍ଛା କରି ନାହାନ୍ତି । ଏହି କଥାର ସତ୍ୟତା ଆଜି ତେସ୍ତରୀ ମସିହାଯାଏ ଆମ ଭିତରେ ଚାଲିଛି–ଏହି କଥାଟି ଠଉରାଇ ପାରିନାହାନ୍ତି । ପାଖରେ ଖଣ୍ତେ ଇଂରାଜି ବହି ନ ମିଳିଲେ ଏମାନେ କଲମ ଉଠାଇ ପାରୁନାହାନ୍ତି । ସେମାନେ ଆମରି କଥା ଅବା ଆମର ଦେଶର କଥା ଜାଣିବେ କେମିତି ? ପଚାରିଲେ କହିବେ କିମ୍ୱଦନ୍ତୀ ନ ହେଲେ ଉପାଖ୍ୟାନ ।

 

ସ୍ପଷ୍ଟ ତାଙ୍କୁ କହି ଦେଇ ହବ–ବନ୍ଧୁମାନେ, ଏଇ ଶଦ୍ଦଗୁଡ଼ିକର ଅପବ୍ୟବହାର ନ କରି ବୁଝ ରାଜା ଦୁଷ୍ମନ୍ତ ଯାହା କରିଥିଲେ ଆଜିର ଜମିଦାର ଦୁଷ୍ମନ୍ତ ଅବା ଜିଲାପାଳ କି ବିଭାଗୀୟ ସଚିବ ଦୁଷ୍ମନ୍ତ ସେଇଆ କରୁଛି ।

 

କିନ୍ତୁ ସବୁଜଯୁଗର କବି ଲେଖିଛନ୍ତି ତାଙ୍କର ସବୁଜ କବିତାରେ–

 

ଆସିଛି ବିଦାୟ ବେଳା,

 

ତୁମ୍ଭର ଆମ୍ଭର ପ୍ରୀତି ସରାଗର ଭାଙ୍ଗିବ ଏଥର ମେଳା ।

 

ଏମାନେ ହେଲେ ସାରୀ ବା ମଇନା ଚଢ଼େଇ । କଥାକୁହା ଚଢ଼େଇ ଓଡ଼ିଶାର ସିମୁଳିପାଳ ଜଙ୍ଗଲରୁ ଅସଂଖ୍ୟ ଚାଲାଣ ହୁଏ ଆମେରିକା ଇଉରୋପ । ଏଇ ଓଡ଼ିଆ ସାହିତ୍ୟିକ ହେଲେ ସେହି ପ୍ରକାରର ଗୋଟିଏ ଗୋଟିଏ ମଇନା ଚଢ଼େଇ ।

 

ଅଠଚାଳିଶି ମସିହାରେ ଆଜିର ଆଇନଜୀବୀ ଶ୍ରୀ କ୍ଷେତ୍ରମୋହନ ଚଉଧୁରୀ ବାରିପଦାରୁ ପ୍ରକାଶ କରିଥିଲେ–ସେକେଣ୍ତ ହ୍ୟାଣ୍ତ । ଜଣେ ପ୍ରେମିକା ତାହାର ପ୍ରିୟ ପ୍ରେମିକର କଥା ନ ଶୁଣି ଅନ୍ୟତ୍ର ଚାଲିଗଲେ ହେଇଯିବ ସେକେଣ୍ତ ହାଣ୍ତ । ସେତେବେଳେ ସିନା ଓଡ଼ିଆ ସାହିତ୍ୟରେ ଶ୍ରୀମତୀ ନନ୍ଦିନୀ ଶତପଥି ବା ଶ୍ରୀ ମନୋଜ ଦାସ ଜନ୍ମ ହୋଇ ନ ଥିଲେ । କିନ୍ତୁ ବଡ଼ ବଡ଼ ସାହିତ୍ୟିକମାନେ ଫୁଲକା ଉପରେ ବୁଲିଲେଣି ।

 

କିନ୍ତୁ ଏତେ ବର୍ଷ ଭିତରେ ଅର୍ଥାତ୍‌ ଏହି କୋଡ଼ିଏବର୍ଷ ଭିତରେ ଦିନକର ପ୍ରେମିକାର ଭବିଷ୍ୟତର ସୁଖ ସମୃଦ୍ଧି ଓ ସୌଭାଗ୍ୟ ଦେଖି ତାକୁ ସାଧୁବାଦ ଦେଇ କାହିଁକି ଦି’ଟା ଗଳ୍ପ ବା ଖଣ୍ତେ ଉପନ୍ୟାସ ବା ଖଣ୍ତେ ନାଟକ ଅବା ଚାରୋଟି କବିତା ବାହାରିଲା ନାହିଁ ?

 

ଏଥିରୁ କ’ଣ ପ୍ରମାଣ ହେଉ ନାହିଁ ଯେ ଓଡ଼ିଆ ଲେଖକମାନେ ଗଲା ପଚିଶି ତିରିଶିବର୍ଷ ଭିତରେ କେବଳ ନିଜର ଅଙ୍ଗେନିଭାଇବା ଅନୁଭବ ଲେଖିଛନ୍ତି । ଆଉ ସେମାନଙ୍କର ଜୀବନ ମଧ୍ୟ ଅନୁଭୂତିରେ ବିଚିତ୍ର ନୁହେଁ ।

 

ଓଡ଼ିଆ ଲେଖକଙ୍କ ମଧ୍ୟରେ ଗଲା ଚଉଠ ଶତାଦ୍ଦୀରେ ଚଉଆଖିଆ, ସମବେଦନଶୀଳ, କଳାକାର ଦୃଷ୍ଟିକୋଣ ଥିବା କେହି ସୃଷ୍ଟି ହେଇ ନାହାନ୍ତି । ଏମାନେ ସ୍ରଷ୍ଟା ନୁହନ୍ତି–ଦ୍ରଷ୍ଟା ମଧ୍ୟ ନୁହନ୍ତି-। ଏମାନେ କେବଳ ହନୁମନ୍ତ କପିବର ନକଲ ନବିସ । ଏହି ସଂକ୍ଷିପ୍ତ ବାକ୍ୟର ନିର୍ମାତା ହେଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ।

 

ଏହି ନକଲ ନବିସ୍‌ ସମ୍ପ୍ରଦାୟ ଆମକୁ ଲୋହିତାକ୍ଷ ଓ ଶୋଣିତାକ୍ଷ ସାହାବ ମେମ୍‌ଙ୍କର କଥାକୁ ଆମର ଝୁମ୍ପୁଡ଼ି ଓ ମାଗତାଙ୍କ ପରି ଓଡ଼ିଆ ନାମକରଣ ଦେଇ ଆମକୁ କହିଛନ୍ତି । ଏଥିରେ ପୁରାଣ ଧର୍ମଶାସ୍ତ୍ର ନାହିଁ କି ଓଡ଼ିଶାର କଥା ନାହିଁ ।

 

ଏବେ ମଧ୍ୟ ବେଳ ଯାଇନାହିଁ । ଆଜି ଆମର ବନ୍ଦନୀୟ ମହାରାଜମାନେ ସାହିତ୍ୟକୁ ଆଉ ଥରେ ପୁନରାବୃତ୍ତି କଲେ ତାଙ୍କର ଯଶସ୍ୱୀ କଲମରୁ ଆମକୁ ଦେଖାଇ ଦେଇ ପାରିବେ ଯେ ସମାଜର ପରିବର୍ତ୍ତନରେ ଆମେ କେଉଁ ପ୍ରକାରରେ ଗତିଶୀଳ । ତାହାହେଲେ ଆମେ ବହିକୁ ବୁଝନ୍ତୁ ଆଉ ନିଜକୁ ବି ବୁଝିପାରନ୍ତୁ । ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଯେଉଁ ସାହିତ୍ୟିକ ଅଭିଯୋଗ ଯେ ଓଡ଼ିଆ ସାହିତ୍ୟ ପ୍ରାଚୀନ ଓ ଆଧୁନିକର କ୍ରମ ପର୍ଯ୍ୟାୟରେ ତାହାର ଛନ୍ଦ ହରାଇଛି ଓ ହରାଉଛି–ଏକଥା ମଧ୍ୟ ଶୁଣାଯାଆନ୍ତା ନାହିଁ ।

 

ଏହାର ପ୍ରତିଛବି ସାହିତ୍ୟିକ ସମାଜରେ ପଡ଼ୁଛି । ଅଧ୍ୟାପକ ହୃଦାନନ୍ଦ ରାୟ, ଅଧ୍ୟାପକ ରଜତ କୁମାର କର ଓ ଅଧ୍ୟାପକ ଶରତ କୁମାର କର ପ୍ରମୁଖ ସାହିତ୍ୟିକମାନେ ଏହି ପରମ୍ପରାର ସମନ୍ୱୟ ନ ପାଇ ଗୋଟାଏ ପାଖକୁ ଯାଇ ପ୍ରାଚୀନ ସାହିତ୍ୟ ଆଡ଼େ ରହିଛନ୍ତି । ସେହି ଅନୁଷ୍ଠାନରେ ସାହିତ୍ୟିକ ପ୍ରାଣନାଥ ମହାନ୍ତି, ଅଧ୍ୟାପକ ଗୌରୀ କୁମାର ବ୍ରହ୍ମା ପ୍ରମୁଖ ନିଜର ଅସାଧାରଣ ବିଦ୍ୱତ୍ତା ଓ ବାଗ୍ମିତା ଦ୍ୱାରା ପ୍ରାଚୀନ ସାହିତ୍ୟର ଉଜ୍ଜଳ ଦିଗ ଆମକୁ ପ୍ରତି ବର୍ଷ ହାରାହାରି ପଚାଶ ହଜାରଟଙ୍କା ଖର୍ଚ୍ଚର ବିନିମୟରେ ଦେଉଖାଛନ୍ତି ।

 

କିନ୍ତୁ ପରମ୍ପରାର ଗତିଶୀଳ ପ୍ରବାହରେ ପ୍ରାଚୀନ ସାହିତ୍ୟ କିପରି ଆଧୁନିକ ସାହିତ୍ୟ ସହିତ ସମନ୍ୱୟ ରଖି ଓଡ଼ିଆ ସାହିତ୍ୟିକୁ ବଳିଷ୍ଠ କରିପାରନ୍ତା ତାହାର ସୂତ୍ର ଦେଇ ନାହାନ୍ତି । ଏଥିରୁ ବୁଝାପଡ଼ୁଛି ଯେ ଓଡ଼ିଆ ସାହିତ୍ୟରେ ସାହିତ୍ୟିକ ସ୍ତରରେ ବିଦ୍ୟା ଓ ସାଧାରଣ ଜ୍ଞାନ ବା ପାଠ ଓ ଅକ୍‌କଲର ସମନ୍ୱୟ ଘଟୁ ନାହିଁ ।

 

ଗୋପୀନାଥବାବୁ ତାଙ୍କର ବିଦେଶୀ ସାହିତ୍ୟରେ ପଣ୍ତିତ । ଗୌରୀକୁମାରବାବୁ ତାଙ୍କର ପ୍ରାଚୀନ ସାହିତ୍ୟରେ ପଣ୍ତିତ । ଦୁହେଁ ଏକାଠି ଭୁବନେଶ୍ୱରରେ ପନ୍ଦରବର୍ଷ ରହିଲେ ଓ ଏଇ ଓଡ଼ିଶାରେ ସାରାଜୀବନ ରହିଲେ । କିନ୍ତୁ ଭାବ ବିନିମୟ ହେଲା ନାହିଁ । ଏହାର ଅର୍ଥ ହେଲା ଜଣେ ଆର ଜଣକର ଲେଖା ବିଷୟରେ ସଂପୂର୍ଣ୍ଣ ଅନଭିଜ୍ଞ ରହିଗଲା ।

 

ଏହି ସମନ୍ୱୟ ଓଡ଼ିଶା ସାହିତ୍ୟ ଏକାଡେମି ଓ ଓଡ଼ିଶାର ସାଂସ୍କୃତିକ ବ୍ୟାପାର ବିଭାଗ କରାଇ ପାରିଥାନ୍ତେ । କିନ୍ତୁ ଅଣ–ସାହିତ୍ୟିକ ସେହିସବୁ ସ୍ଥାନରେ ସର୍ବୋଚ୍ଚ କର୍ତ୍ତା ହେବାରୁ ସେଠାରେ ମଧ୍ୟ ପ୍ରଗତିବାଦୀ ଉନ୍ନତିକାମୀ ଦୃଷ୍ଟି କୋଣ ଦେଖା ଦେଲା ନାହିଁ ।

 

ଏଣେ ଓଡ଼ିଶାର ପ୍ରାଚୀନତମ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଭାବରେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ନଗେନ୍ଦ୍ରକୁମାର ବେଉରିଆ ଓ ଶ୍ରୀ ଭଗବାନ ନାୟକ ବର୍ମା ମହାଶୟମାନେ ଏହି ସମନ୍ୱୟ ଅଣାଇବାରେ ବିଫଳ ହେଲେ । କ’ଣ ବା ସେମାନେ କରିପାରି ଥାନ୍ତେ ? ଓଡ଼ିଶା ସାହିତ୍ୟ ଏକାଡେମିକୁ ଯଦି ଆମେ ସେକ୍ରେଟେରିଏଟ କହୁ ତାହାହେଲେ ଉତ୍କଳ ସାହିତ୍ୟ ସମାଜ ହେଲା ଗୋଟିଏ ଏସ୍‌. ଡ଼ି. ଓ. ଅଫିସ୍‌ ।

 

ଓଡ଼ିଆ ସାହିତ୍ୟର ନୀତି ନିୟାମକ ନିର୍ଦ୍ଧାରଣ ପାଇଁ ବୋଧହୁଏ ସୁବିଧା ହେଇ ନ ପାରିବାରୁ ଏହି ଦିଗଟି ପଛକୁ ଘୁଞ୍ଚିଗଲା । ଶେଷ ଆଶା ଥିଲା ଯେ ବାସ୍ତରୀ ମସିହାର ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଶ୍ରୀମତୀ ନନ୍ଦିନୀ ଶତପଥି ଓ ସାଂସ୍କୃତିକ ବିଭାଗ ଡିରେକ୍ଟର ଶ୍ରୀ ହେରମ୍ୱ ନାରାୟଣ ଦାସ ମହାପାତ୍ର ଓ ଉତ୍କଳ ସାହିତ୍ୟ ସମାଜର ସଂପାଦକ ଶ୍ରୀ ଭଗବାନ ନାୟକ ବର୍ମା ମିଶି ଓଡ଼ିଆ ସାହିତ୍ୟିକଙ୍କୁ ଦିଗ୍‌ଦର୍ଶନ ଦେବେ । ଏହାର ସମ୍ଭାବନା ଅଦ୍ୟାବଧି ରହିଛି ।

 

କାରଣ ସେମାନେ ଓଡ଼ିଆ ସାହିତ୍ୟର ନିଖିଳ ଭାରତୀୟ ସ୍ତରରେ ପ୍ରଚାର ଓ ପ୍ରସାର ପାଇଁ ଏତେ ଅଧିକ ଚଞ୍ଚଳ ଯେ ମନେ ହେଉଛି ଓଡ଼ିଆ ସାହିତ୍ୟର ସୌଭାଗ୍ୟ ଫେରି ଆସୁଛି । କିନ୍ତୁ ଏଥିରେ ବୃଦ୍ଧମାନେ କେତେକର କେତେ ?

 

ସେହିପରି ଶିକ୍ଷାଦାନ ଓ ମନୋରଞ୍ଜନର ମଧ୍ୟ ସମନ୍ୱୟ ହୋଇ ନ ପାରି ଓଡ଼ିଆ ସାହିତ୍ୟ ବେଶ୍‌ ଆଘାତ ପାଇଲା । ପ୍ରସିଦ୍ଧ ସାହିତ୍ୟିକମାନେ ଆମର ମନୋରଞ୍ଜନ ପାଇଁ ସାହିତ୍ୟ ଲେଖୁଛୁ ବୋଲି ଜଣାଇ ଶିକ୍ଷାଦାନ ଆରମ୍ଭ କରିଦେଲେ । ଏପରି କି ଶିକ୍ଷା ବିଭାଗର ଡିରେକ୍ଟର ଶ୍ରୀ ବୈଦ୍ୟନାଥ ରଥ ପ୍ରମୁଖ ଆମକୁ ସାହିତ୍ୟର ଏହି ମୂଳତତ୍ତ୍ୱ ଦେବାକୁ ଚେଷ୍ଟା କଲେ । କିନ୍ତୁ ପାଠକମାନଙ୍କର ଅସହଯୋଗ ମିଳିଲା ।

 

ପାଠକ କହୁଛି ଆମେ ଆଗ ଲେଖା ପଢ଼ି ନିଜକୁ ଖୁସି କରିବୁ । ଖୁସି ହେବା ପରେ ଆମର ମନକୁ ପାଇଲେ କିଛି ଶିଖିବୁ । ଇଏ କେମିତି କଥା ? ଆମେ କ’ଣ ପିଲାଙ୍କୁ ତାଗିଦ୍‌ କରି କହୁ ନାହିଁ–ପିଲାଏ, ଏତେ ହସ ନାହିଁ । ଏତେ ଖୁସି ହୁଅ ନାହିଁ । ତାହାହେଲେ ତମେ କାନ୍ଦିବ । ପିଲା ସେଥିରୁ ଶିଖିଯାଏ ।

 

ପାଠକମାନେ ଏଇଆ ଖୋଜିଲେ । କିନ୍ତୁ ଗୁରୁଜୀମାନେ କହିଲେ ସାହିତ୍ୟର ଅର୍ଥ ହସ ଆନନ୍ଦ ନୁହେଁ । ଏହା ଶିକ୍ଷାଦାନର ଗୋଟାଏ ପ୍ରକାରର ଅନୁଶୀଳନ । ଧର୍ମ ବି କହେ–

 

ମାଗୁର ମାଛର ଝୋଳ

ମୁହଁରେ ଠାକୁର ଠାକୁର ବୋଲ ।

 

ସାହିତ୍ୟ ନ କହିବ କାହିଁକି ? ସେ କାହିଁକି ମୂଳରୁ ମେଜିକବାଲା ପରି ଗୋଟିଏ ଦୂର ଚଉକିରେ ବାଡ଼ି ଦି’ଖଣ୍ତ ଧରି ଆମକୁ ବକ୍ତୃତା ଦେଉନଥିବ ଓ ଆମର ବୁଦ୍ଧି କଷୁନଥିବ ? ସେ ଆସୁ ଆମ ଭିତରକୁ । ଆମେ ସେମିତି ସାହିତ୍ୟିକକୁ ଡାକୁ–ଆସ ଆମ ଭିତରକୁ ।

 

ନାରୀ କଥା ଲେଖିବ–ଆସ ଯିବା ପରିକ୍ରମା କରି । ଖର୍ଚ୍ଚକୁ ଡର ନାହିଁ । ବେମାରିକୁ ଡର ନାହିଁ । ଗୁଣ୍ତାଙ୍କୁ ଓ ପୁଲିସଙ୍କୁ ଡର ନାହିଁ । ନିଜର ଇଜ୍ଜତକୁ ଡର ନାହିଁ । ଚିହ୍ନା ପଡ଼ିଯିବ ବୋଲି ଡର ନାହିଁ । ସମସ୍ତେ ମିଶି ଏଠି ସେଠି ବୁଲି ଦେଖିବା । ଫେରି ତମେ ତମର ବଢ଼ିଆ ଭାଷାର ଛଟାରେ ଯାହା ଲେଖିବ ତାକୁ ଆମେ ପଢ଼ିବା ।

 

Unknown

ଲେଖକ କହୁଛି–କ’ଣ ହେଲା ? ନାରୀ ତ ପୁଳାଏ ମାଂସ । ମୁଁ ସଂସାରର ହରେକ ରକମର ନାରୀତତ୍ତ୍ୱ ମୋର ହୁଣ୍ତୀ ଘରଣୀଠାରୁ ବୁଝି ଆସିଛି । ବିଭାହେଲେ ନାରୀ ସର୍ବେଜ୍ଞ ପାଲଟିଯାଏ । ପାଞ୍ଚ ଦଶବର୍ଷ ଘର କରି ଦୁଇ ଚାରୋଟି ପିଲାର ମା ହେଇଗଲେ ତାକୁ ବଳେଇବ କିଏ ?

 

ସେହି ଏକ ହିଁ ନାରୀ ସବୁ ପ୍ରକାରର ଇଲମ ଦେଇ ଦେଉଛି । ଗଣେଶ ବୁଲି ଆସିଥିଲେ ମହାଦେବଙ୍କର ଚାରିପାଖେ ଆଉ କାର୍ତ୍ତିକ ଯାଇଥିଲେ ବ୍ରହ୍ମାଣ୍ତ ବୁଲିବାକୁ ତାଙ୍କର ମୟୁର ପିଠିରେ ବସି । ଗଣେଶ ବଛା ହେଇଗଲେ । ସେମିତି ସାହିତ୍ୟିକ ତାହାର ଭାର୍ଯ୍ୟା–ପରିକ୍ରମା କରି ଆସି କୁକୁଡ଼ା ଅଣ୍ତା ଦେଲା ପରି ପ୍ରତିଦିନ ସାହିତ୍ୟ ରସଭରା ବିଷୟ କାଢ଼ୁଛି । ଖରାପ ହେଲା କ’ଣ ?

 

ଖଣ୍ତେ ବହି ଲେଖିବାକୁ କ’ଣ ଦଶ ପନ୍ଦରବର୍ଷ ଖଟିବ ଆଉ ପଇସା ଉଡ଼ାଇବ ? ଏହି ବହିରୁ ତମେ କ’ଣ ଏମିତି ପାଇବ ଯେ ହାତୀଟାଏ ପୋଷିଥିବ ?

 

ଅନେକ ଲେଖକ ମଧ୍ୟ ଏଥିରେ ଏକମତ । ସେମାନେ କହନ୍ତି ଯେ ସାହିତ୍ୟର ମୂହୁର୍ମୁହୁ ସୃଷ୍ଟି ରସର ଅପସୃଷ୍ଟି କରୁଛି । ସାହିତ୍ୟିକ ଜଗତବନ୍ଧୁ ମହାପାତ୍ର ଏହାକୁ କହୁଥିଲେ ଆଧୁନିକ ଓଡ଼ିଆ ସାହିତ୍ୟର ସ୍ୱାଧୀନତା ପୂର୍ବବର୍ତ୍ତୀ ଯୁଗର ସାରାଂଶ ହେଲା–ରସ ଗଳୁଛି ଥପ ଥପ ।

 

ଘରୋଇ ଜୀବନରେ ନିଜର ସ୍ତ୍ରୀକୁ ସର୍ବଗୁଣର ଓ ସର୍ବବିଦ୍ୟା ଓ ସର୍ବ ଚାତୁରୀର ମୂର୍ତ୍ତିମତୀ ଦେବୀ ବୋଲି ପୂଜା କରିବା ଗୋଟିଏ କଥା । ଆଉ ସେହି ସ୍ତ୍ରୀର ଛାଇମଡ଼ା ନାୟିକାକୁ ନେଇ ପାଠକଙ୍କ ଆଗରେ ନାରୀର ମହିଳାତ୍ୱ ପ୍ରକଟ କରାଇବା ଆଉ ଗୋଟିଏ କଥା । ଓଡ଼ିଆ ସାହିତ୍ୟର ପ୍ରାଚୀନ ପର୍ଯ୍ୟାୟରେ ନିଜର ସ୍ତ୍ରୀର ଛାଇମଡ଼ା ନାୟିକା ସେମାନେ ନେଉଥିଲେ । ବୋଧହୁଏ ଆଧୁନିକ ଯୁଗରେ ଲେଖକମାନେ ନାରୀ ଓ ପୁରୁଷର ସମାନତା ଓ ସମାନ ଅଧିକାର ଇତ୍ୟାଦିର ମୂଳତତ୍ତ୍ୱକୁ ଓଲଟା ବୁଝି ପର–ନାୟିକା ବଦଳରେ ଘର ନାୟିକାକୁ ଅଧିଷ୍ଠିତ କଲେ । ଫଳରେ ସାହିତ୍ୟ ଶିକ୍ଷାଦାନ କଲା କିନ୍ତୁ ମନୋରଞ୍ଜନ କରିପାରିଲା ନାହିଁ ।

 

ଏଥିରେ ଆମର ବରେଣ୍ୟ ସାହିତ୍ୟିକମାନେ କ’ଣ ଏକମତ ହେଇ ପାରିବେ ? ପଣ୍ତିତ ସୂର୍ଯ୍ୟନାରାୟଣ, ଡକ୍ଟର ମାନସିଂ, ପଦ୍ମଭୂଷଣ କାଳିନ୍ଦୀଚରଣ, ପଦ୍ମଶ୍ରୀ ସଚ୍ଚିଦାନନ୍ଦ, ଉପନ୍ୟାସକାର କାହ୍ନୁଚରଣ ଓ ବରେଣ୍ୟ ଗୋପୀନାଥ ଆଉ ସେମାନଙ୍କର ଅସଂଖ୍ୟ ଅନୁଗାମୀ କ’ଣ ଏକମତ ହୋଇପାରିବେ ? କେବେ ନୁହେଁ ।

 

କାରଣ ସେମାନେ ଜାଣନ୍ତି ଯେ ସାହିତ୍ୟ ହେଉଛି–ପରର କଥା ଓ ପରପାଇଁ । ଯିଏ ତାଙ୍କୁ କହିବ ଯେ ସାହିତ୍ୟ ହେଉଛି ନିଜର କଥା ଆଉ ନିଜପାଇଁ । କିନ୍ତୁ କଥା ଏତେ ଠିକ୍‌ ଯେ ଇଏ ହେଇଯିବ ତମର କଥା ଆଉ ତମରିପାଇଁ । ସେମାନେ ସେଥିରେ ପ୍ରତିବାଦ କରି କହିବେ–ତମେ ସାହିତ୍ୟ କଥା ବୁଝ ନାହିଁ ।

 

କିନ୍ତୁ କବି ଗଡ଼ନାୟକ ପ୍ରମୁଖ ବୁଝାଇ ଦେବେ ଯେ ମହାକବି କାଳିଦାସ ଘର ଛାଡ଼ି ବିଦେଶ କରି ସଂସାରର ବିଚିତ୍ର ଅନୁଭୂତି ନିଜେ ହୃଦୟସ୍ଥ କରି ନ ଥିଲେ କ’ଣ ସେ ନାରୀ ଚରିତ୍ରର ନିର୍ଯ୍ୟାସ ଦେଇ ପାରିଥାନ୍ତେ ନା ସାହିତ୍ୟରେ କୋମଳତା ଆଣି ପାରିଥାନ୍ତେ ??? ଅନୁଭବର ତିକ୍ତତା ନ ଥାଇ ଯେତେବେଳେ ସାହିତ୍ୟିକ ଲେଖେ ସେତେବେଳେ ଆମେ ପାଉ ଓଡ଼ିଆ ସାହିତ୍ୟର ଗଲା ପଚାଶବର୍ଷର ସାହିତ୍ୟ ।

 

ଏବେ ସାହାବ ଗଲେଣି । କିନ୍ତୁ ଆମରି ପରି ଲୋକ ତାଙ୍କର ଭାଗ୍ୟଦେବୀଙ୍କର ପ୍ରସାଦରେ ସାହେବ ହେଇ ନାଲାସାହେବ ବଦଳରେ କାଲା ସାହେବ ହେଇଛନ୍ତି । ସେମାନେ ଅନେକ ଗୁଣରୁ ଜାଣିଥିଲେ ଯେ ସାହେବମାନେ ଟୟେଲେଟ୍‌ ପେପର ପାଇଖାନାରେ ବ୍ୟବହାର କରୁଥିଲେ । ଏତକ ଠିକ୍‌ ମନେ ରହିଛି ।

 

ଏବେ ଆସି ଦେଖିବା କଟକ–ରାଜଧାନୀ–ରାଉରକେଲା ଆଦି ଧନ–ଉଜ୍ଜଳ ସହରର ଶ୍ରେଷ୍ଠ ଦୋକାନଗୁଡ଼ିକ । ସେଠି ମଟରରେ ଏହି କାଲା ସାହେବଙ୍କର ଘରଣୀମାନେ ଗୋଟିଏ ହାତରେ ଘଡ଼ି ଓ ଆର ହାତରେ ଡଜନେ କାଚ ପିନ୍ଧି ମଟରରୁ ଓହ୍ଲାଇ ଟୟେଲେଟ୍‌ ପେପର କିଣୁଛନ୍ତି । ସେମାନେ ସାହେବ ହେଇ ଯାଇଛନ୍ତି । ତେଣୁ ସାହାବଙ୍କ ପରି ଡାଡ଼ି–ମମି–ଡାରଲିଂ ସଭ୍ୟତାର ଅଙ୍ଗ ଟୟେଲେଟ୍‌ ପେପରକୁ ଘରେ ଚଳାଇବେ ।

 

ଏଥିରେ ଖରାପ କିଛି ନାହିଁ । ଇଏ ମଧ୍ୟ ସ୍ୱାସ୍ଥ୍ୟରକ୍ଷା ବିରୋଧୀ କାମ ନୁହେଁ । କିନ୍ତୁ ଆମର ବିଚକ୍ଷଣ ସାହିତ୍ୟିକମାନେ କାହିଁ ଏଇ ସାମାନ୍ୟ ସାମାନ୍ୟ କଥା ଦେଖି ପାରିଲେ ନାହିଁ ? ନା, ସେମାନେ ଟୟେଲେଟ୍‌ ପେପରର ଅର୍ଥ ଓ ବ୍ୟବହାର କଥା ଠଉରାଇ ପାରିଲେ ନାହିଁ । ଏହି ସମ୍ୱାଦଟି ଆମେ ଆମର ଜନପଦ ପାଠକଙ୍କର ମତାମତ, ମନ୍ତବ୍ୟ ଓ ସମୀକ୍ଷା ପାଇଁ ଦେଇଥିଲେ କ’ଣ ମନୋରଞ୍ଜନ ଓ ଶିକ୍ଷାଦାନ ବାଧା ପାଇଥାନ୍ତା ?

 

ଆମର ନୂଆ ହୋଇ ଗଢ଼ି ଉଠୁଥିବା ନଗର ସଭ୍ୟତା କେତେକ ବିଚିତ୍ର ଦୋଷ ଆଣି ପହୁଞ୍ଚାଉଛି । ଏହାକୁ ଦୂରରେ ରଖି କଳ୍ପନାରେ ନିଜର ଧାରଣାକୁ ଆଣିବା ସମ୍ଭବ ନୁହେଁ । ଏଗୁଡ଼ିକ ଅଙ୍ଗେ ଲିଭାଉଛନ୍ତି ଆମର ନଗରର ଅଧିବାସୀ ଲୋକଗୁଡ଼ିକ । ସେମାନେ ବନବାସୀ ଓ ହରିଜନ ସଂପ୍ରଦାୟ କଥା କଳ୍ପନାରେ ଆଙ୍କି ବାହାଦୁରୀ ଘେନିବା ଛାଡ଼ିଦେଇ ନିଜେ ରହିବା ପରିବେଶ ବିଷୟରେ ସମୀକ୍ଷା କଲେ ନାହିଁ କାହିଁକି ? ହୁଏତ ପାଣିରେ ଥିବା ଲୋକ ପାଣିକୁ ବେଖାତିର କଲାପରି ଏମାନେ ନିଜର ଚଳଣି ଓ ଚଳୁଥିବା ସମାଜକୁ ଛାଡ଼ିଦେବା ବୋଧହୁଏ ସମ୍ଭବ ।

 

ଉଚିତ୍ ଲୋକ କ’ଣ କରନ୍ତା ? ମହାତ୍ମା ଗାନ୍ଧୀ କହିଥିଲେ–ହେ ମୋର ପାଠକମାନେ । ଦୁଧ ଖାଇବା ଦରକାର । କିନ୍ତୁ ଏହା ତୁମକୁ ବ୍ରହ୍ମଚାରୀ ହେବାରେ ବିରୋଧ କରିବ । ତଥାପି ତୁମେ ଖାଅ । ସେ ଏହି ମତାମତ ଭିତରେ ବୁଝାଉ ଥିଲେ ଯେ ବାବାଜୀ ଦିନକୁ ପାଞ୍ଚସେର ଦୁଧକୁ ସିଝାଇ ଘନ ରାବିଡ଼ି ପରି କରି ଖାଇ ତାହାର ଭଙ୍ଗୁର ଆଧ୍ୟାତ୍ମିକ ଶରୀରକୁ ରକ୍ଷା କଲା ପରି ତମେ କର ନାହିଁ ।

 

ଏକଥା କିଏ ଶୁଣନ୍ତା କି ନ ଶୁଣନ୍ତା ମାଲ ମିଳିଲା ନାହିଁ । ତେଣୁ ଦୁଧ ବଦଳରେ ଗଜା ମୂଗ, ଗଜା ବୁଟ, ଗଜା ମଞ୍ଜି ଖାଇ ବଳ ଓ ବ୍ରହ୍ମଚର୍ଯ୍ୟ କଥା ଭାବିବାକୁ ପଡ଼ିଲା ।

 

ଓଡ଼ିଆ ସାହିତ୍ୟିକଙ୍କ ମଧ୍ୟରେ ରାୟ ବାହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜ ତାଙ୍କର ବାସ୍ତରିବର୍ଷ ବୟସରେ ମଧ୍ୟ ଦିନକୁ ତିନିସେରରୁ ଅଧିକ ଦୁଧକୁ ଘନ କରି ଆଉଟି ସିଝେଇ ଅଧସେର ବା ବଡ଼ କାଚ ଗିଲାସରେ ଗିଲାସେ କରି ଖାଉଥିଲେ । ଅନ୍ୟମାନେ ଡାଲିଭାତ ବା ଡାଲମା ଭାତ ଖାଇ ସାହିତ୍ୟ ସେବା କରୁଥିଲେ ।

 

ସ୍ନେହସାର ଓ ପୁଷ୍ଟିସାର ଅଭାବରେ ବ୍ରହ୍ମଚର୍ଯ୍ୟ ପାଳିବା ହୁଏତ ଅଳ୍ପ ଆୟାସ–ସାଧ୍ୟ କିନ୍ତୁ ଉପଯୁକ୍ତ ମସ୍ତିଷ୍କ ଚାଳନା ପାଇଁ ଏହା ଅନୁପଯୁକ୍ତ ।

 

ବିଧାତା ଏମିତି ଯନ୍ତ୍ର ଖଞ୍ଜି ଦେଇଛନ୍ତି ଯେ ନିଜର ବ୍ରହ୍ମଚର୍ଯ୍ୟ ହେଉଛି ଚିନ୍ତାଶକ୍ତିର ମାପକାଠି । ଯେଉଁମାନେ ବଳବୀର୍ଯ୍ୟପ୍ରଧାନ ସେହିମାନେ ହେଉଛନ୍ତି ଉପର ଶ୍ରେଣୀର ସାହିତ୍ୟିକ । ଏକଥା ଏଠି ନୁହେଁ ସବୁ ଦେଶର ସାହିତ୍ୟିକଙ୍କ କ୍ଷେତ୍ରେ ପ୍ରଯୁଯ୍ୟ । କିନ୍ତୁ ଯେଉଁ ମାନଙ୍କର ବିଶେଷ ଗୁଣ ହେଲା ସଞ୍ଜମ, ସେହିମାନେ ଅନ୍ୟ କେଉଁ ବିଭାଗରେ ଉନ୍ନତି କରିପାରନ୍ତି କିନ୍ତୁ ସାହିତ୍ୟରେ ହେବେ ଅଧମ ।

 

ମେଧା ଶକ୍ତିର କେଜାଣି କାହିଁକି ଆମର ଜୀବନୀ ଶକ୍ତି ସହିତ ସମ୍ୱନ୍ଧ ରହିଛି । ଏଣେ ସାହିତ୍ୟ ବିଭାଗର କାମ ହେଲା ଗୋଟାଏ ପ୍ରକାରର ଚିତ୍ତଚାଞ୍ଚଲ୍ୟର କାମ । ଚିତ୍ତଚାଞ୍ଚଲ୍ୟକୁ ନିଜର ବେପାର କରି ଦିନରାତି ରହିଲେ ସେହି ଲୋକର ମଣିଷ ଦେହ ପଶୁପରି ହେବାକୁ ଖୋଜିବ । ହୁଏତ ପଶୁପରି ସେ ଆଉ ଜଣକୁ ଦି’ଘଣ୍ଟା ବସି ମୁହଁଚଟା ଦବ ନ ହେଲେ ଠିକ୍‌ ପାଶବିକତା ଦେଖାଇବ । ତେଣୁ ଲେଖକ ହେଉଛି ଏହି ପଶୁ ଓ ମଣିଷର ସମନ୍ୱୟ ।

 

ମଣିଷ ହିସାବରେ ସେ କହେ ଜୀବହତ୍ୟା ମହାପାପ । ଏଣେ ପଶୁ ହିସାବରେ ସେ ଛେଳି, କୁକୁଡ଼ା ଓ ମାଛଙ୍କୁ ମାରି ଖାଉଥାଏ । ମୁହଁରେ କହେ ପର ସ୍ତ୍ରୀ ହେଉଛି ଆମର ପୂଜାନୀୟା-। କିନ୍ତୁ ତାହାର କଲମ ପରସ୍ତ୍ରୀକୁ ନେଇ ବିଚିତ୍ର କଳ୍ପନାର ଫୁଲ ଆଙ୍କେ–ପିଲାଟିଏ ଏଇକଥା କଲେ ଆମେ ତାକୁ ଶାସ୍ତି ଦିଅନ୍ତୁ ତାହାର ଚଗଲା ବଗୁଲିଆମି ପାଇଁ । ଲେଖିଦିଏ ଯେ ସଞ୍ଜମ ବଡ଼-। କିନ୍ତୁ ଏମାନଙ୍କର ମନରେ ସଞ୍ଜମର କିଛି ଚିହ୍ନ ନାହିଁ ।

 

ଆମର ଓଡ଼ିଶାରେ କବି ଓ ଉପନ୍ୟାସ ଲେଖକମାନଙ୍କୁ ଚଗଲା ବଗୁଲିଆ ଶ୍ରେଣୀରେ ରଖାଯାଉଥିଲା । ପଚାଶ ମସିହା ଯାଏ ଏଇଟା ଏତେ ପ୍ରବଳ ସ୍ରୋତ ରୂପରେ ଚାଲିଥିଲା ଯେ ପ୍ରେମ କବିତା ବା ପ୍ରୀତି–ଆଧାରିତ ଗଳ୍ପ ଉପନ୍ୟାସ ଲେଖି ଓଡ଼ିଆ ସମାଜରେ ଏକଘରିଆ ହେବାଛଡ଼ା ଅନ୍ୟବାଟ ନ ଥିଲା । କିନ୍ତୁ ତେସ୍ତରୀ ମସିହାର କଟକ ଆକାଶବାଣୀ କଳାକାର ସଂଘର ଦୋଳ ଉତ୍ସବରେ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ ସମବେତ ଜନତାଙ୍କୁ ସ୍ପଷ୍ଟ ଆହ୍ୱାନ ଦେଇ କହିଲେ ଯେ ସେ ନିଜେ ରସିକ–ଏକଥା ତାଙ୍କୁ ଦେଖିଲେ ଜାଣିହେବ । ତରୁଣ ତରୁଣୀ ପଛରେ ଯେମିତି ଧାଇଁଛି ପ୍ରୌଢ଼ ପ୍ରୌଢ଼ା ପଛରେ ପ୍ରୌଢ଼ ପଦ୍ଧତିରେ ଓ ବୃଦ୍ଧ ବୃଦ୍ଧା ପଛରେ ଜରାଜୀର୍ଣ୍ଣ ପଦ୍ଧତିରେ ଧାଇଁଛି ଓ ଧାଇଁବା ସମ୍ଭବ ।

 

କିନ୍ତୁ ମହାପାତ୍ର ନୀଳମଣି ଯେତେବେଳେ ଜନ୍ମ ହୋଇ ସ୍କୁଲ ହତାରେ ବୁଲୁଥିଲେ ସେତେବେଳେ ତାଙ୍କର ଏଇ ଓଡ଼ିଶାରେ ଲେଖକ ସମାଜର ବାବୁମାନଙ୍କଠାରୁ ଶାସ୍ତି ପାଉଥିଲା–ତାହାର ଚିତ୍ତ ଚାଞ୍ଚଲ୍ୟ ଦୋଷର ଅକସ୍ମାରତ ବିସ୍ଫୋରଣ ଆଶଙ୍କାରେ ।

 

କବି ବା ଲେଖକ ଦୁଆରକୁ ଆସିଗଲେ ପାଞ୍ଚ ସାତବର୍ଷ ପିଲା ବି ଆସି ଗାର୍ଡ଼ ଦେଉଥିଲା କବିକୁ । ଘରେ ଆତଙ୍କ–କିଏ ଜାଣେ କେଉଁ ଛୁତକରେ କବି ଘର ଭିତରର ଲୋକଙ୍କୁ ପାପ ଆଶାର ଶିକାର ପରି ନ ଧରିବ ? ଚା’ କପେ ବା ପାନ ଖଣ୍ତେ ଦବ କିଏ ? ଏମାନଙ୍କ ସାଙ୍ଗରେ ସାମାଜିକତା ଦୋଷ । ଘରେ ଖାଇବା ହେଲା ବହୁତ ଦୂରର କଥା ।

 

ପ୍ରତିଭା ଓ ପ୍ରଣୟର ଲେଖକ ଶିଳ୍ପୀ ଗୋପାଳ କାନୁନଗୋ ପାଟନାରୁ ଆସିଲାବେଳେ ବିହାର ସଚିବାଳୟର ଓଡ଼ିଆ ଅଞ୍ଚଳରେ ସେ ତାଙ୍କର ପ୍ରେମ ବିଷୟର ଆଗ୍ରହ ପାଇଁ ନିନ୍ଦିତ ହୋଇ ସାରିଥିଲେ । ସେକ୍ରେଟରିଏଟ୍‌ର ମତ ସରକାରଙ୍କର ମତ । ଆଉ ସେହି କର୍ମଚାରୀଙ୍କର ମତ ହେଲା ଓଡ଼ିଶାର ସର୍ବୋଚ୍ଚ ଅଦାଲତର ମତ ।

 

ରାୟ ବାହାଦୁର ନିଶାମଣି ମହାନ୍ତି ଓଡ଼ିଆ ସାହିତ୍ୟର ତାତ୍ତ୍ୱିକ ଚର୍ଚ୍ଚାକରି ନି–ନାହିଁ–ନାହାନ୍ତି ଇତ୍ୟାଦିର ପ୍ରୟୋଗ ଅପପ୍ରୟୋଗର ଜିଲ୍ଲାୱାରୀ ପ୍ରଭେଦ ଦେଖାଉଥାନ୍ତି । କବି ଶ୍ରୀମତୀ ଦେବହୂତି ଦେବୀ ସାହିତ୍ୟରେ ସୁନାମ ଅର୍ଜନ କରିଥାନ୍ତି । କାହ୍ନୁଚରଣବାବୁ ସାହିତ୍ୟରେ ପାଦ ଦେଲେଣି । ପ୍ରବାସୀ ଓଡ଼ିଆମାନେ ନିଜର ଗୌଣତା ଓ ପ୍ରାଧାନ୍ୟର ପ୍ରମାଣ ସ୍ୱରୂପ ଅହରହ ସାହିତ୍ୟ ଚର୍ଚ୍ଚା କରୁଥାନ୍ତି । ସାହିତ୍ୟର ଅର୍ଥ ସମାଜ । ସମାଜର ଅର୍ଥ ସମାଜର ଦୋଷ ଗୁଣ । ଏହି ଦୋଷଗୁଣର ଅଧିକାରୀ ହେଲା ସମାଜରେ ଚଳୁଥିବା ଲୋକ ।

 

ତେଣୁ ସାହିତ୍ୟର ଅର୍ଥ ହୋଇଥାଏ ପରଚର୍ଚ୍ଚା ଓ ଏହାର ଉପସଂହାର ହେଲା ପରନିନ୍ଦାମୂଳକ ସର୍ବବାଦୀ ସମ୍ମତ ସାର୍ଟିଫିକେଟ । ଏହିସବୁ ରାୟ ଓ ବିଚାର ଓଡ଼ିଆମାନେ କରୁଥିଲେ । ଅଭିଯୁକ୍ତ ଆସାମୀ ମଧ୍ୟ ଓଡ଼ିଆ । ତାହାର ଦୋଷ ହେଲା ତାହାର ପ୍ରେମ ବିଷୟରେ ଆଗ୍ରହ ଓ ଅନୁସନ୍ଧାନର ଇଚ୍ଛା । ସେ ଖରାପ ନ ହୋଇ ଆଉ କ’ଣ ବା ହେଇ ପାରିବ ? ଖରାପ ଫଳ ଗୋଟାଏ ରହିଗଲେ ପୁରା ଟୋକେଇର ଫଳ ସଢ଼ିଯିବ ।

 

ଏହି କାରଣରୁ ସମାଜର ବହୁ ମତର ମାଡ଼ ଖାଇ କବି ଓ ଲେଖକ ଶୀଘ୍ର ମରିଯାଉଥିଲା । ଏମିତି ମଲେ କବି ଶ୍ରୀ ଭଗବାନ ପତି, କବି ଶ୍ରୀ କ୍ଷିତୀଶ ଚନ୍ଦ୍ର ଦେ, କବି ଶ୍ରୀ ମାୟାଧର ମାନସିଂହ, ଲେଖକ ଶ୍ରୀ ହରିଶ୍ଚନ୍ଦ୍ର ବଡ଼ାଲ, ଲେଖକ ଶ୍ରୀ ଗୋପାଳ କାନୁନଗୋ, ଲେଖକ ଶ୍ରୀମତୀ ସରଳା ଦେବୀ ଓ ଲେଖକ ଶ୍ରୀମତୀ ସୀତା ଦେବୀ ଖାଡ଼ଙ୍ଗା ଓ କବି ଶ୍ରୀ ନବ କିଶୋର ଦାସ ।

 

ଘରେ ଘରେ ଆଲୋଚନା । ଓଡ଼ିଶା କହିଲେ କେଇଟା ବା ଜିଲ୍ଲା–ସେଥିରେ ପୁଣି ପାଠୁଆ କେତେ ଜଣ ? ତାଙ୍କ ଭିତରେ ମାର୍କାମରା ହେଇଗଲେ ଦଫା ଶେଷ । ସେହି ଅସଂସ୍କୃତ ଯୁଗରେ ହେଲେ ଆଜିର ସ୍ୱାଧୀନଚେତାମାନେ ଜନ୍ମ ହୋଇଥାନ୍ତେ ଓ ଦେଖାଇଥାନ୍ତେ ଯେ ସେମାନେ ପ୍ରତିଭାର ଅଧିକାରୀ ।

 

ଆଜିକୁ ଚାଳିଶିବର୍ଷ ତଳେ ଲେଖକର ଅପମୃତ୍ୟୁ ପାଇଁ ପୂରା ଦାୟୀ ଓ ସଂପୂର୍ଣ୍ଣ କାରଣ ଥିଲା ଆମର ଅବିବେକୀ ଓଡ଼ିଆ ସମାଜ । ସେଥି ଭିତରେ ଆସିକାର ଶ୍ରୀମତୀ ଉଷାରାଣୀ ପଣ୍ତା, କଟକ ଆକାଶବାଣୀର ଶ୍ରୀମତୀ ବୀଣା ଦେବୀ, ପୁରୀ ସହରର ଶ୍ରୀମତୀ ରଞ୍ଜିତା ଜେନା ଅବା ମହାପାତ୍ର ନୀଳମଣି ସାହୁ କିମ୍ୱା ବାବୁ ବିଭୂତିପଟନାୟକଙ୍କ ପରି ପ୍ରତିଭା ମୋଟେ ମାଟିଛାଡ଼ି ନଥାନ୍ତା ।

 

ଏଥିରୁ ବୁଝାପଡ଼ୁଛି ଯେ ପାରିପାର୍ଶ୍ୱକ ଅବସ୍ଥା ଅନୁକୂଳ ନ ହେଉ ପଛକେ ପ୍ରତିକୂଳ ହେଲେ ପ୍ରତିଭାର ମରଣ ସୁନିଶ୍ଚିତ । ଏହାର ଜ୍ୱଳନ୍ତ ଉଦାହରଣ ଡାକ୍ତର ଶ୍ରୀମତୀ କୁନ୍ତଳା କୁମାରୀ ଦେବୀ । ସେ ମଧ୍ୟ ଖ୍ରୀଷ୍ଟିଆନ ହୋଇ ଗୀତ ଲେଖିଲେ ପ୍ରେମ–ଚିନ୍ତାମଣି

 

ଅର୍ଖିତ ନିର୍ମାଖି ବୁଲିବି ସଂସାରେ

ଭିକାରୁଣୀ ବେଶେ ଦୁଆରେ ଦୁଆରେ ।

 

ସେ ପାଠ ପଢ଼ିଲେ ରେଙ୍ଗୁନ୍‌ରେ । କର୍ମକ୍ଷେତ୍ର କଲେ ଦିଲ୍ଲୀରେ । କିନ୍ତୁ ଓଡ଼ିଆ ପାଠକଙ୍କ ପାଇଁ ଲେଖିବାର ଦରକାର ଥିବାରୁ ସେ କଳିବୋହୂ, ନଅତୁଣ୍ତୀ ଆଦିରୁ ଊର୍ଦ୍ଧ୍ୱକୁ ଯାଇ ପାରିଲେ ନାହିଁ । କିନ୍ତୁ ତାଙ୍କର ପ୍ରତିଭା ଥିଲା ନିଖିଳ ଭାରତୀୟ ସ୍ତରର ।

 

ହେଲେ କ’ଣ ହେଲା ? ମାନବ କହିଲେ ଆମର ଭିଟାମାଟିର ପାଖପଡ଼ୋଶୀ ଅବା କର୍ମକ୍ଷେତ୍ରର ସମବେତ ଲୋକ । ଗାଁରେ ଯଦି ମୋର ଦାଦି ପୁତୁରା କୁଟୁମ୍ୱ ମାନେ କୋଳଥ ଡାଲି ସଜନା ଶାଗରେ ଅଛନ୍ତି ମୁଁ ଏଠି ବସି କବାବ ବିରିଆନି ଖାଇଲେ ଚୋରପରି ଲୁଚି ଲୁଚି ଖାଇବାକୁ ହେବ । କାରଣ ମୋର ପରିବେଶ ଛୋଟିଆ ।

 

ପ୍ରାଚୀନ ସାହିତ୍ୟରେ ଏହି ପରିବେଶର ଜଞ୍ଜାଳ ପାଇଁ ପ୍ରେମ ସାହିତ୍ୟରେ ଠାକୁରଙ୍କୁ ଲଗେଇ ରଖା ହୋଇଥିଲା । ଓଡ଼ିଶାର ଅସଂଖ୍ୟ କବି ଲଘୁ ଭକ୍ତି ସାହିତ୍ୟ ମାଧ୍ୟମରେ ଚଳିବାକୁ ବାଧ୍ୟ ହେଉଥିଲେ । କବି ଶ୍ରୀମତୀ ନିର୍ମଳା ଦେବୀ (ଦାସ) ଓ କବି ଶ୍ରୀମତୀ ହରିପ୍ରିୟା ଦେବୀ ପ୍ରମୁଖ ଭକ୍ତିର ମେରୁକୁ ନେଇ କବିତା ଲେଖିଲେ । କଟକର ଆଉ ଜଣେ ଶ୍ରୀମତୀ ନିର୍ମଳା ଦେବୀ (ମହାନ୍ତି) ପାଞ୍ଚ ସାତଟି କବିତା ଲେଖି ଭକ୍ତିର ଆଶ୍ରା ନେଇ ନଥିବାରୁ ଓଡ଼ିଆ ସାହିତ୍ୟରୁ ହଜିଗଲେ-

 

କିଏ ଅବା ଏମାନଙ୍କୁ ଆଉ ମନେ ରଖିବ ? ସେମାନେ କ’ଣ ସୁବିଧା ଏଇ ଓଡ଼ିଶାବାସୀଙ୍କଠାରୁ ପାଇଲେ ଯେ ତାଙ୍କର ପ୍ରତିଭାର ପୂଜା ନ ପାଇଲେ ବିରକ୍ତ ହେବେ ? ମନର ଅତଳ ଗହୀରରେ ଯେଉଁ ତରଙ୍ଗ ଉଠେ ସେ ସେଇଠି ଉଠି ପୁଣି ହଜିଗଲା । କାରଣ ଚାରିପୃଷ୍ଠା ଲେଖି ମାର୍କାମରା ହୋଇ ବୁଲିବାର ଦୁର୍ଦ୍ଧର୍ଷତା ଓଲୁଙ୍କ ଛଡ଼ା ଆଉ କାହାରି ନଥାଏ ।

 

ପଚାଶମସିହା ଯାଏ ଯେଉଁମାନେ ଚାଳିଶିବର୍ଷର ହେଇ ସାରିଥିଲେ ସେମାନଙ୍କ ପାଇଁ ଓଡ଼ିଆ ସାହିତ୍ୟ କୌଣସି ଦାବୀ ପେସ୍‌ କରିବା ଭୁଲ୍‌ । ଜବରଦସ୍ତି ଝିଅମାନଙ୍କର ନାକରେ କାନରେ ଡଜନେ କଣା କଲାପରି ଏମାନଙ୍କୁ ଏମିତି ଭାବରେ ଦାବି ଦିଆ ଯାଉଥିଲା ଯେ କଲମ ଧରିବାକୁ କେହି ସାହସ କରୁ ନ ଥିଲେ । ଲୁଚେଇ ଲେଖିବ କାହାପାଇଁ ? ପୁରୁଷ ସମାଜରେ ଯେମିତି ଅସହିଷ୍ଣୁତା ଥିଲା ତହିଁରୁ ଅଧିକ ଥିଲା ନିରକ୍ଷରା ନାରୀ ସମାଜରେ । ତେଣୁ ସାଂସ୍କୃତିକ କ୍ଷେତ୍ରରେ ଶୂନ୍ୟତା ଥିଲା ।

 

ଏଥିରୁ ପ୍ରମାଣ ହେଉଛି ଯେ ସଂସ୍କୃତି ସାଙ୍ଗରେ ସମୃଦ୍ଧି ବା ସମୃଦ୍ଧିର ସମ୍ଭାବନା ଥିବା ଦରକାର । ଡକ୍ଟର ହରେକୃଷ୍ଣ ମହତାବ ଓ ଶ୍ରୀ ବିଜୁ ପଟ୍ଟନାୟକ ଓଡ଼ିଶା କର୍ମକ୍ଷେତ୍ରରେ କିଛି ଦିନ କର୍ତ୍ତୃତ୍ୱ ପାଇ ନ ଥିଲେ ଓ ବଦଳରେ ଆମେ ଶ୍ରୀ ବିଶ୍ୱନାଥ ଦାସ, ମାନଧାତା ଗୋଚାଚାନ୍ଦା ପଟ୍ଟନାୟକ, ପଣ୍ତିତ ନୀଳକଣ୍ଠ ଦାସ, ପଣ୍ତିତ ଗୋଦାବରୀଶ ମିଶ୍ର ପ୍ରମୁଖଙ୍କର କର୍ତ୍ତୃତ୍ୱରେ ଥିଲେ ଆମର ସାହିତ୍ୟ ନିଶ୍ଚିତ ଭାବରେ ଅନ୍ୟରୂପ ନେଇଥାନ୍ତା ।

 

ଅଧିକ ଅମଳକ୍ଷମ ଫସଲର ପ୍ରବର୍ତ୍ତନ ବା ସମୟ ସଂକୋଚନ ରନ୍ଧନ ପ୍ରଣାଳୀ ବା ରୋଷେଇ ଚୁଲିର ପରିବର୍ତ୍ତନ ସାହିତ୍ୟରେ ସାହାର୍ଯ୍ୟ କରେ କି ନାହିଁ ଏହି ବିଷୟରେ ଉପଯୁକ୍ତ ମତ ଅନ୍ୟ ପ୍ରକାରର ବିଦ୍ୱାନ ଦେଇ ପାରିବେ । ଆମେ ପାଠକମାନେ ଏଥିରେ କ’ଣ କହିବା ?

 

ପାଠକ ଖାଲି କହିପାରିବ ଯେ କଟକ ଭୁବନେଶ୍ୱର ରାଜପଥ ଚାଲୁ ହେବାରୁ ଗୋଟାଏ ପାଖ ଗାଁ ପାହାଳ ତାହାର ରସଗୋଲା ଦିନକୁ ତିନିହଜାର ଟଙ୍କାର ବିକି ପାରୁଛି । ଆଉ ଅସଂଖ୍ୟ ସରକାରୀ ଚାକିରିଆ ବେନାମି ଟାକ୍‌ସି ଚଳାଇ ଦିନକୁ ଟାକସି ପିଛା ପଚାଶଟଙ୍କା ଆୟ କରିପାରୁଛନ୍ତି । ଏମାନେ କ’ଣ ସାହିତ୍ୟକୁ ସାହାଯ୍ୟ କରୁନାହାନ୍ତି ?

 

ବଡ଼ ବଡ଼ ବାବାଜୀ ବା ଯୋଗୀଙ୍କ ପାଖରେ ଯେ ଟହଲିଆ ଅବା ରାନ୍ଧୁଣିଆ ସେ ଯୋଗୀ ହୋଇଯାଏ । ବଡ଼ ଓକିଲଙ୍କର ଟହଲିଆ ବି ଦିନେ ବଡ଼ ଓକିଲ ହୁଏ । ବଡ଼ ହାକିମଙ୍କର ଶୁଭଦୃଷ୍ଟିରେ ଆସିଗଲେ ସ୍ଥିତି ବଦଳିଯାଏ । ବଡ଼ ସାହିତ୍ୟିକଙ୍କର ବୋଲକରା ହେଇଗଲେ ସାହିତ୍ୟିକ ଆଭିଜାତ୍ୟ ଆପଣା ଛାଏଁ ଚାଲିଆସେ । ସମୃଦ୍ଧି ନ ଥିଲେ ସାହିତ୍ୟ ଉଠିବ କେତେଦୂର-? କଇଁଆ ପତ୍ର ଓ ସଜନା ପତ୍ରକୁ ଆଶ୍ରା କରି ଚଳିଲେ କି ସାହିତ୍ୟ ହେବ ? .....ହେଇ ପାରିବ କି-?

 

ଆମର ବଡ଼ ଲେଖକଠାରୁ ନେଇ ଛୋଟ ଲେଖକ ପର୍ଯ୍ୟନ୍ତ ସମସ୍ତେ ଆମକୁ କହିବେ ଯେ ପ୍ରତିଭା ଓ ଅଭାବ ପରସ୍ପରର ପରିପୂରକ । ଠିକ୍‌ କଥା । ସେମାନେ କ’ଣ କହିବେ କି ଓଡ଼ିଶାରେ ଓଡ଼ିଆଙ୍କର ଚିନ୍ତା କରିବାର ଶକ୍ତି ଓ ସୂକ୍ଷ୍ମ ଚିନ୍ତାକୁ ପ୍ରକାଶ କରିବାର ଉପକରଣ ଆଗେ ନଥିଲା–ଏବେ ଆମଦାନୀ ହେଲା ?

 

ସାହିତ୍ୟ ହେଉଛି ହିନ୍ଦୀର–ଏକ କଠ୍‌ଠା–କାଠ । ସମସ୍ତେ ଠେଲି ପେଲି ସାହିତ୍ୟ ଆଡ଼କୁ ମୁହିଁଲେ ସାହିତ୍ୟ ହେବ । ମେଳା ମହୋତ୍ସବ ନଥିଲେ ଦିଆଲୀ, ପାର୍ବଣ ଓ ହୋଲି ଆମର ଧର୍ମର ପ୍ରତୀକ ହୋଇ ପାରନ୍ତା କି ?

 

ଗଛ ହୁଏ ଜଙ୍ଗଲରେ । ବଳ ହୁଏ ଯୁଦ୍ଧରେ । ସାହାସ ଆସେ ସମୂହ ପରିବେଶରେ । ସଂଖ୍ୟାନ୍ୟୁନର ସମାଜରେ ମାନସିକ ଅଭିବୃଦ୍ଧି କେତେ ହୁଏ ସଂଖ୍ୟାଗୌଣ ଲୋକେ ଖୁବ୍‌ ଭଲ ବୁଝାଇପାରିବେ ।

 

ସୁନ୍ଦର ସମାଜ ଗଢ଼ିବା ପାଇଁ ସାହିତ୍ୟ ଦାୟୀ କି ସୁନ୍ଦର ସାହିତ୍ୟ ସୃଷ୍ଟି ପାଇଁ ସମାଜ ଦାୟୀ–ଏହି ବିଷୟରେ ଯୁକ୍ତି ନ କରି ଆମେ ଏତିକି କହିପାରିବା ଯେ ବ୍ରିଟିଶ ସରକାର ଭାରତ ଛାଡ଼ି ନ ଥିଲେ ଓଡ଼ିଆ ସାହିତ୍ୟର ରୂପ ପୁଣି ଥରେ ଧର୍ମ ଓ ଭକ୍ତି ଆଡ଼କୁ ଫେରିଥାନ୍ତା । କାରଣ ଏହି ଭକ୍ତି ସାହିତ୍ୟର ସୃଷ୍ଟିରେ ସରକାର ଆସି ପହୁଞ୍ଚେ ନାହିଁ । ଯେତେ ପ୍ରକାର ଧର୍ମତତ୍ତ୍ୱ ଲେଖ–ଖୁବ୍‌ ଭଲ ।

 

ଯେମିତି ଲେଖକ ସାମାଜିକ ଚିନ୍ତାର ସ୍ତରକୁ ଓହ୍ଲାଇଲା ସେ ଦେଖି ପାରିବ ସେଠି ଅସଂଖ୍ୟ ବାଧା । ଯାହା କହିବାର କଥା–କ’ଣ ଏମିତି କୁହାଯିବ ?

 

ତିରିଶିବର୍ଷ ଆଗରୁ ଆମେ ଆମର ଇଚ୍ଛା ଅନୁସାରେ ଚଳିପାରୁ ନଥିଲୁ । ଟିକିଏ ଫେସନ ହେଇ ମୂହଁରେ ଖଣ୍ତେ ସିଗାରେଟ୍‌ କି ଚୁରୁଟ୍‌ ଧରି ଯିବା ଆସିବା କରିବା ଅନୁଚିତ ମନେ ହେଉଥିଲା । ଆମର ନୀତି ଓ ତତ୍ତ୍ୱ ଥିଲା–ଆପ୍‌ ରୁଚି ଖାନା, ପର ରୁଚି ଚଲନା । ତେଣୁ ଆମେ ଭିତରଟାକୁ ସ୍ୱାଧୀନ ଓ ମୂକ୍ତ କରି ଆମର ବାହାରଟାକୁ ପ୍ରଚଳିତ ସମାଜର ଧାରା ଅନୁସାରେ ସାମିଲ କରୁଥିଲୁ ।

 

ଏବେ ସ୍ୱାଧୀନତା ଆସିଛି ଯେ ଆମେ ମନର ଇଚ୍ଛାକୁ ମଛେଇ ଆମର ଲୁଗାପଟା ଓ ଚାଲିଚଳଣୀ କରିପାରୁଛୁ । ସମାଜ ଏହାକୁ ସ୍ୱୀକୃତି ଦେଉ ନାହିଁ । କିନ୍ତୁ ବାଧା ଦେଇ ପାରୁନାହିଁ । ଅମାନିଆ ଲୋକ ଯେତେବେଳେ ବଢ଼ିଗଲେ ସେଇଠୁ ସମାଜ କହିଲା ।

 

–ଆରେ ତମେ କି ? ହଉ, ହଗ, ହଗ–

 

ଏମିତି ଅମାନିଆ ସଭ୍ୟମାନଙ୍କୁ ନୂତନ ଯୁଗର ପୁରୁଣା ଲୋକେ ସ୍ୱୀକୃତି ଦେଉଛନ୍ତି । ଏକଥା ଏବେ ବେଶ୍‌ ବୁଝାପଡ଼େ ଗାଁ ଭିତରକୁ ଗଲେ ।

 

ହାତରେ ଖଣ୍ତେ ଦା, କଚଟିରେ ରିଷ୍ଟୱାଚ୍‌, ଲୁଙ୍ଗି ଓ ଗେଞ୍ଜି ପିନ୍ଧି ଅଷ୍ଟମ ଶ୍ରେଣୀ ଆଖପାଖ ପଢ଼ିଥିବା ଚାଷୀ ଚାଷ କରିବାକୁ ଯାଉଛି । ବାଟରେ ଭେଟୁଛି ପଢ଼ାସାଥିକୁ–ସେ ସାଇକଲ୍‌ ମାରି ସହରକୁ ଛୁଟିଛି । କେଉଁ ଅଫିସରେ ପିଅନ୍‌ ।

 

–କ’ଣ ଭାଇ, ଏତେ ଡ଼େରି ? ଆଜି ଛୁଟି କି ?

 

–ନାହିଁ ମ, ଚାକିରି କ’ଣ ପଳେଇବ ? ହାକିମ ମତେ ଯଦି କିଛି ହୁଡ଼ି କରି କହିବ ତାହାହେଲେ ଅମୂକକୁ କହି ହାକିମର ମଜ୍ଜା ନିକାଲି ଦେବି ।

 

ବୟସ ତିରିଶି ଏପାଖେ–ଜନ୍ମ ହେଲା ଚାଳିଶି ମସିହା ପରେ । ଗୋଟିଏ ଯାଉଛି ବିଲରେ ସବୁଜ ବିପ୍ଳବ କରିବ ବୋଲି । ଆରଟି ମଧ୍ୟ ଯାଉଛି ସରକାରୀ କଳକୁ ଚଳେଇବାକୁ ।

 

ମତ ଅଲଗା–ବୁଦ୍ଧି ଓ କଥା ଅଲଗା । ବାପଦାଦି ମରହଟିଆ ଲୋକ । ବୁଝିନ୍ତି ବା କ’ଣ-? ସେମାନେ କ’ଣ ରେଡ଼ିଓ ଶୁଣୁଥିଲେ ଅହର୍ନିଶି ? ତାଙ୍କର କ’ଣ ଅବା ଭବିଷ୍ୟତ୍‌ ଥିଲା-?

 

ଯେଉଁମାନଙ୍କର ଭବିଷ୍ୟତ ଅଛି ସେମାନେ କ’ଣ କେବେ ଭବିଷ୍ୟତ ନ ଥିବା ଲୋକଙ୍କର କଥାକୁ କାନ ଦେବେ ? ଫଳରେ ମଫସଲରେ ଦୁଇଭାଗ–ଗୋଟାଏ ହେଲା ଯୁବ–ସଂସ୍ଥା । ତାଙ୍କୁ ସମସ୍ତେ ଖୋଜୁଛନ୍ତି । ସେ ତାହାର ଭାଉ ବଢ଼ାଇ ବଢ଼ାଇ ଚାଲିଛି । କଥା କହି କହି କୁହାଳିଆ କପିଳା ହେଲାଣି । ଏବେ ତା’କଥା ବୁଢ଼ା ଦରବୁଢ଼ା ଶୁଣୁ ନାହାନ୍ତି ବୋଲି ତାହାର ଘୋର ଆପତ୍ତି ଓ ବିରକ୍ତି ।

 

ଏଇ ବୁଢ଼ାଦଳକ ଛେନାରୁ ବହୁତ ଚୋପା ଛଡ଼ାଉଛନ୍ତି । ରାଜନୀତିର ଲୋକେ କହୁଛନ୍ତି–ଟୋକାଙ୍କର ତତଲା ରକ୍ତ ତାଙ୍କର ଆନ୍ଦୋଳନ ଖୋଜୁଛି । ଏମାନଙ୍କୁ ପଚାରେ କିଏ ?

 

ମୁରବି ତାହାର ଗାଦି ହରାଇ ରାଜା ଜମିଦାର ପରି ବୁଲୁଛି । ଯିଏ ତଡ଼ିଲା ସେ ନିଜେ ମୁରବିଆନାର ଦାୟିତ୍ୱ ନେବାକୁ ନାରାଜ । କଥାରେ ସେ ସର ପକାଇବାକୁ ଚେଷ୍ଟା କରୁଛି । ତେଣୁ ଗାଁରେ ହେଲାଣି ଦଳ–ବହୁତ ବେଶି ଦଳ ।

 

ଠାକୁର ଘର କଳି ଅଛି–ତାହାର କାରଣ ଭକ୍ତି ନୁହେଁ–ଆନି ଓ ଅହଙ୍କାର । ପିଟାପିଟି କାମ ଆଉ ଗାଁରେ ହେବା ଦରକାର ପଡ଼ୁନାହିଁ । ଗାଁଠାରୁ ପାଞ୍ଚ ତିନି ମାଇଲ ଦୂରରେ ସେ କାମ ହେଇପାରୁଛି । ଛକିବା ପାଇଁ ଦୂର ବାଟଟା ବେଶ୍‌ ଆକର୍ଷଣୀୟ ହେଉଛି ।

 

ବୁରବିଆାନାର ଶାସନରେ ଯେଉଁ ବିକେନ୍ଦ୍ରିକରଣ ହୋଇଗଲା ତାହାଫଳରେ ଭେଜାଲ ବାବୁମାନେ ବଢ଼ିଆ କ୍ଷମତା ନେଇ ଆସିଗଲେ । ଦିନରେ ଟର୍ଚ୍ଚ ଲାଇଟ୍‌ ଧରି ବୁଲିବା ଲୋକ ରାତିରେ କ’ଣ କେତେ ଅବା କରି ପକାଇବେ ?

 

କାହିଁ ଏହି ସବୁ ଦୃଶ୍ୟ ଆମର ଓଡ଼ିଆ ସାହିତ୍ୟରେ ? ସାହାବ ଆସି ଏଇ କଥା ଗୁଡ଼ିକ ଦେଖି ଆମକୁ ସମୁଝାଇ ଦେଲେ ସିନା ଆମେ ଏହି କାମରେ ଲାଗନ୍ତୁ । ବିଚରା ସାହେବମାନେ ଓଡ଼ିଆ ସାହିତ୍ୟିକଙ୍କୁ ହିନସ୍ତାରେ ପକାଇ ଦେଇ ପଳାଇଲେ ।

 

ବାବୁ କ’ଣ ଯିବେ ଗାଁକୁ ? କିଏ ସେଠି ତାଙ୍କୁ ଖାତିର କରି ବସାଇବ ? ଟଙ୍କା ଦେଲେ ଫିଷ୍ଟ ହୋଇ–ଦାତାର ବଢ଼ତି ହେଉ–ଜୟ ଜୟକାର ହୁଅନ୍ତା । ଏହି ଟଙ୍କା ଦିଆ ଫିଷ୍ଟ କରିବାକୁ ବାବୁଙ୍କର ପସନ୍ଦ ହୁଏ ନାହିଁ । ସେମାନେ ଗସ୍ତରେ ଥିଲା ବେଳେ ଡାକବଙ୍ଗଳାର ଉଚ୍ଚା ପିଣ୍ତାରୁ ଅବା ମଟର ରାସ୍ତାରୁ ଯାହା ଦେଖୁଛନ୍ତି ବୋଲି ଅନୁମାନ କଲେ ସେତକ ହେଲା ଓଡ଼ିଆ ସାହିତ୍ୟ ।

 

କବି ନନ୍ଦକିଶୋର କହିଲେ–ପଲ୍ଲୀ । ଆହାରେ କି ମଧୁର ! କଲିକତାରୁ ଆସୁଥିବା ରେଳ ଯାତ୍ରୀ ବେଳେବେଳେ ସକାଳର କୁହୁଡ଼ି ଘେରା ଦୃଷ୍ଟି ପଥରେ ପୁରୀ ସମୁଦ୍ର ଦେଖି ପାଖ ଲୋକକୁ ଚେତାଇ ଦିଅନ୍ତି–ଦେଖ ମ, ଦେଖ ମ, କି ସୁନ୍ଦର ଶାଗୁଆ ପଡ଼ିଆ ।

 

ଯାହାକୁ ଯାହା ଦିଶିଲା ସେହି ତାହା ପାଇଁ ହେଲା ଦୃଶ୍ୟ । ଏହିପରି ଭାବରେ ନୀଳ ସମୁଦ୍ର ବି ଶାଗୁଆ ପଡ଼ିଆ ହେଇପାରେ । ଓସ୍ତ ବର ଓ ବରକୋଳି ଗଛ ଆମର ଠାକୁର ହେଇ ପାରନ୍ତି । ଓଡ଼ିଆ ସାହିତ୍ୟିକମାନେ ଓଲଟା ବୁଝି ଅବା–ହେଇଥିବ ତ–ମନେକରି ଆଜି ଆମକୁ–ଗାଁ ଭାରି ସୁନ୍ଦର–କହିଲେ କ୍ଷତି କ’ଣ ?

 

ଏହି ତାରିଫ୍‌ ବାଲାଙ୍କୁ ଥରେ ଥରେ ନେଇ ଗାଁ ଚକଡ଼ାରେ ନିଶାପ କି ଭୋଟରେ ନାକଘସରା କରିଦେଲେ ବେକୁବ୍‌ ମାନେ ଅନ୍ତତ ସାବଧାନ ହୁଅନ୍ତେ ।

 

ଭେଜାଲ ଯୁଗରେ ଦେଖିବା ଭେଜାଲ, ଶୁଣିବା ଭେଜାଲ । ତେଣୁ ଲେଖିବା ମଧ୍ୟ ଭେଜାଲ । ସାହିତ୍ୟିକ ସେଥିରେ ଯେଉଁ ଅମର ସ୍ୱାକ୍ଷର ଖୋଜୁଛି, ସେହି ଖୋଜିବା ଯେପରି ଭେଜାଲ, ତାହାର ସାଧନାର ଧାରା ଭେଜାଲ ଓ ଉପସଂହାରର ପୁରସ୍କାର ମଧ୍ୟ ଭେଜାଲ ।

 

ଏହାକୁ ନିରାଶାବାଦ କୁହାଯାଏ ସାହିତ୍ୟରେ–ସବୁ ବିଗିଡ଼ିଗଲା ଓ ବିଗିଡ଼ିଯିବ । ତାହାହେଲେ କେହି କ’ଣ କିଛି କରୁ ନାହାନ୍ତି ? କେହି କ’ଣ କିଛି କରିବେ ନାହିଁ ? –ସବୁ କଅଣ ହାୱା ?

 

ଏହି ଭେଜାଲ ଯୁଗ ଗୋଟାଏ ଭେଜାଲ ପହଳି ପାଇଛି । ଭେଜାଲ ଯୁଗରେ ବିଷ ଭେଜାଲ ହୋଇଯାଇଛି । ଜଣେ ମରିବ ବୋଲି ମନସ୍ଥ କରି ପୁଳାଏ ବିଷ ଖାଇଦେଲା । ମଲା ନାହିଁ–କାରଣ ବିଷ ଭେଜାଲ ।

 

ଆଉ ବିଷର ଦୋଷ କଟାଇବାକୁ ଔଷଧ ଖାଉଥିଲା । ଏହି ଔଷଧ ଭେଜାଲ ହୋଇଥିବାରୁ ସେ ସହି ପାରିଲା ନାହିଁ, ମରିଗଲା ।

 

ସେମିତି ଆଜିର ଚେଷ୍ଟା, ଫଳପ୍ରାପ୍ତି ଓ ପ୍ରଚାରମୂଳକ ବିଚାରରେ କିଏ କ’ଣ ପାଇବ କି ହରେଇବ–କାହିଁକି ପାଇବ ଓ କିପରି ହରେଇବ–ସବୁ ଗୋଟାଏ ପ୍ରକାରର ପ୍ରଶ୍ନବାଚୀ ।

 

ଏମିତି ଆମେ ହରାଇଛୁ ଆମର ଶିଳାଲିପି–ଓଡ଼ିଶାର ପ୍ରତିଷ୍ଠିତ ବୌଦ୍ଧ ବିହାର, ଅଶୋକସ୍ତମ୍ଭ ଓ ବିବିଧ ଦେବଦେବୀ । କେଉଁଟି ମାଟି ତଳେ ପୋତି ହୋଇ ପଡ଼ିଛି ତ ଆଉ କେଉଁଟି ଯାଇ କାହାର କୋଠା କି ବିଧର୍ମୀର ମନ୍ଦିରର ପାହାଚ ତଳେ ରହିଚି ପାହାଚକୁ ବଳ ଦବ ବୋଲି । ଦିନକର ପୂଜନୀୟ ଓ ସ୍ମରଣୀୟ ଦେବତା ବି ଏମିତି ହଜିଯାଇ ଅପୁଜା ଦେବତା ହୋଇ ବାହରି ପଡ଼ନ୍ତି । ସେମିତି ଆଜିର ବା ଗତ ଚାଳିଶିବର୍ଷର ସ୍ମରଣୀୟ ସାହିତ୍ୟ ଓ ବନ୍ଦନୀୟ ସାହିତ୍ୟ ଦିନେ ଚାଲିଯିବେ କୌଣସି ଅବିବେକୀର ଦାୟିତ୍ୱହୀନ ବିଚାରର ରାୟ ଭିତରକୁ ।

 

ଇଏ ସିନା ହେବ ସାକ୍ଷାତ୍‌ ଠାକୁରମାନଙ୍କର । କିନ୍ତୁ ଯେଉଁଗୁଡ଼ିକ ନକଲକରା ପରଦେଶୀ କଣ୍ତେଇ ସେମାନେ ଶୀଘ୍ର ଚାଲିଯିବେ ବାବୁ ରବି ସିଂହଙ୍କର ଯୋଜନାବଦ୍ଧ କଳ୍ପନା–ଚିତ୍ରିତ ଠୁଙ୍ଗାଶିଳ୍ପ ଭିତରକୁ ।

 

କିନ୍ତୁ ଲେଖକର ପ୍ରାଣେ ଡର ଏହି ଠୁଙ୍ଗାକୁ । ଠୁଙ୍ଗା ହେବାର ଆଶଙ୍କା ଦେଖିଲେ ସେ କାନ୍ଦେ । ହେଲା ଏବେ ମୋର ପିଲାଟି ଅକାଳ କୁଷ୍ମାଣ୍ତ ଅବା କଡ଼ମା ବିଭଙ୍ଗ ଫଳ । ଏଇଟାକୁ ତମେ ଛିଣ୍ତାଇ ଠୁଙ୍ଗା କରିବ ? ମତେ ପାରିଲେ କାଟିବ–ମୋର ବହିକୁ ମାରିଲେ ସେମିତି ମତେ ବାଧିବ ।

 

ସେଥିପାଇଁ ସରକାର ଆଗେଇ ଆସୁଛି । ସୁଖୀ ପରିବାର ଦୁଇଟି ସନ୍ତାନରେ ସମ୍ଭବ । ସୁଖୀ ଲେଖକ ସେହିପରି ଦୁଇଖଣ୍ତ ବହିରେ କେବଳ ସମ୍ଭବ । ଖଣ୍ତେ ତମର ହେତୁ ପାଇଲାବେଳେ ତ ଆରଖଣ୍ତିକ ହେଉ ତମର ମତିଭ୍ରମ ବେଳେ । ବେଶି ବହି ଲେଖିଲେ ବେଶି ଦୁଃଖ ପାଇବ–ସମାଲୋଚନା, ବିକ୍ରୀହୀନତା, ଆଉ ରସସେବୀର ହତାଦର ।

 

ପାଠକ ବିନା କାରଣରେ ଏହି ହତାଦର ଦେଖାଏ ନାହିଁ । ଯେତେଦିନଯାଏ ସେ ଅନ୍ୟପ୍ରକାରର ସୁଆଦ ଚାଖି ନ ଥାଏ ସେତେଦିନ ଯାଏ ସେ ତମର–ମାଆର ହାତରନ୍ଧା ବଡ଼ି, ଶଜନାଶାଗ ଓ ସାରୁ ତରକାରୀ ପରି । କଲେଜ ବୋଡ଼ିଂରେ ପାଞ୍ଚ ସାତବର୍ଷ ପାର କରି ଗାଁକୁ ଫେରିଲେ ମାଆର ସେହି ହାତରନ୍ଧା ଆଉ କ’ଣ ସୁଆଦ ଲାଗେ ?

 

ଏମିତି ସ୍ୱାମୀ ସ୍ତ୍ରୀ ପ୍ରତି ଓ ସ୍ତ୍ରୀ ମଧ୍ୟ ସ୍ୱାମୀ ପ୍ରତି ବିରକ୍ତ ହୋଇ ଯାଇଛି–ଏଇଟା ଗୋଟାଏ ଘୁସୁରି ନ ହେଲେ ଗଧ । କିଛି ଜାଣେ ନାହିଁ ।

 

ସେମିତି ପାଠକ କହେ–ଏଇ ଲେଖକ ଗୋଟାଏ ଓଲୁ । କାହିଁକି ଭଲା ଲେଖେ ? ଲେଖି ଆସୁ ନାହିଁ । ତାହାର ମୁଣ୍ତ ଠିକ୍‌ ଚାଲୁ ନାହିଁ । ଏଣେ ବହି ଲେଖି ଥୋଉଛି ।

 

ତେଣୁ ଲେଖକକୁ ବାଧ୍ୟ ହୋଇ ନୂଆ ନୂଆ ଫନ୍ଦା ଧରିବାକୁ ହେବ ତାହାର ଲେଖାର ପରିପାଟି ଓ ସାଜପୋଷାକରେ । ପୁରୁଣା ଗରାଖ ତାହାର ରହିଥାଉ ।

 

ଘରୋଇ ଜୀବନରେ ଯେମିତି ଭାର୍ଯ୍ୟା ନିଜକୁ ହାକିମ ବୋଲି ଭାବି ବିବିଧ ହୁକୁମ ଓ ଗାଳି ସାହାଯ୍ୟରେ ସ୍ୱାମୀର ଅଥଳ ପ୍ରୀତିକୁ କାଢ଼ିବାକୁ ଚେଷ୍ଟା କରେ ସେମିତି କେତେକ ଲେଖକ ନିଜର ବଡ଼ିମାର ବ୍ୟାଖ୍ୟା କରି ପାଠକମାନଙ୍କୁ ତାଙ୍କଆଡ଼କୁ ଟାଣିବାକୁ ଚେଷ୍ଟା କରନ୍ତି ।

 

ବୁଝି ପାରୁ ନାହିଁ–ମୋର ଲେଖା ? ହଉ ଏବେ ଶୁଣ । ମୁଁ ଅମୁକ କଥା ଦେଖାଇବି ବୋଲି ତୁମକୁ ଅମୁକ ପ୍ରକାରର ଲେଖାଟିଏ ଦେଲି । ଏଥିରେ ତମେ ପାଇବ ବିଶ୍ୱସାହିତ୍ୟର ତିନୋଟି ତଥ୍ୟ ଓ ଉତ୍କଳଖଣ୍ତର ଦୁଇଟି କଥା ଓ ମୋର ନିଜର ଅଧେ । ଏହି ସୂତ୍ରକୁ ନେଇ ପଢ଼ିଲେ ବୁଝିବ ।

 

ଏହି ବ୍ୟାଖ୍ୟା ଏବେ ଓଡ଼ିଆ କବିମାନେ ଆମେରିକାର କବିମାନଙ୍କର ପଦାଙ୍କ ଅନୁସ ରଣରେବୁଝାଉଥାନ୍ତି । ପ୍ରଥମେ ସାହିତ୍ୟ ପଣ୍ତିତମାନେ ବ୍ୟାଖ୍ୟା କରୁଥିଲେ ଏବେ ଯେ କୌଣସି ଶିକ୍ଷା ନବୀସ୍‌ ଏହି କାମ କରିବାକୁ ଆଗଭର ହେଲାଣି ।

 

ଓଡ଼ିଆ କବିଙ୍କର ଏହିପରି ମତଲବ ବୁଝାଇବା ସ୍ପୃହା ଦେଖି କେହି କେହି ଗାଳ୍ପିକ ଓ ଗୋପୀନାଥବାବୁଙ୍କ ପରି ଉପନ୍ୟାସ ଲେଖକମାନେ ତାଙ୍କର ଲେଖାର ଅବୁଝା ସାରକଥା ମଧ୍ୟ ବଖାଣିଲେଣି । ମନ୍ଦ କ’ଣ ?

 

ସାହିତ୍ୟ କହିଲେ ଏଣିକି ବୁଝାଇବ–ଲେଖକର ଲେଖାରୁ ପାଠକର ମତ ନୁହେଁ । ଏହା ହେବ ଲେଖକର ନିଜ ଲେଖା ବିଷୟରେ ସୂଚନାମୂଳକ ବ୍ୟାଖ୍ୟା ।

 

ଆହା, କେଡ଼େ ସୁନ୍ଦର ନହେଲା ? ଏହି ଲେଖକମାନେ ଯେ ବିଷୟ ଓ ସାରାଂଶ ନେଇ ଭାଷା ସୌଷ୍ଠବରେ ସାହିତ୍ୟ ଗଢ଼ୁଛନ୍ତି ଅର୍ଥାତ୍‌ ରଚନା ଲେଖୁଛନ୍ତି–ଏତକ ସ୍ପଷ୍ଟ ହୋଇଗଲା । ଯେଉଁମାନେ ତାଙ୍କୁ ଲେଖକ ନ କହି ପ୍ରବନ୍ଧକାର କହୁଥିଲେ ତାଙ୍କରି ମତ ଠିକ୍‌ ବୋଲି ପ୍ରମାଣ ପାଇଗଲା ।

 

ଏହାର ଉତ୍ତରରେ ସାହିତ୍ୟର ବିଦ୍ୱାନମାନେ କହୁଛନ୍ତି ଯେ ସବୁ ପ୍ରକାରର ଲେଖା କୌଣସି ପ୍ରକାରର ପ୍ରବନ୍ଧ ଛଡ଼ା ଆଉ କିଛି ନୁହେଁ ।

 

ଜୀବନର ଅନୁଭବର କାହାଣୀ, ପରିବାରର ଓ ସମାଜର ଅଙ୍ଗେନିଭାଇବା କାହାଣୀଗୁଡ଼ିକ ତାହାହେଲେ କ’ଣ ପ୍ରବନ୍ଧର ଛଳନା ? ଆମର ଅନୁଭବ କ’ଣ ତାହାହେଲେ ପ୍ରବନ୍ଧ-?

 

ଏଥିରେ ପଣ୍ତିତମାନଙ୍କୁ ଦୋଷ ଦେବାର ନାହିଁ । ପଣ୍ତିତ ଜାଣିଥିଲେ ସର୍ବନାଶ ଆସିଗଲା ବେଳେ ଅଧେ ଛାଡ଼ିଦବା ଉଚିତ୍‌ । ପଣ୍ତିତଙ୍କ ସାଥୀ ନଈରେ ଭାସିଗଲାବେଳେ ପଣ୍ତିତେ ତତ୍ତ୍ୱ ମନେ ପକାଇ ସାଥୀ ମୁଣ୍ତଟାକୁ କାଟି ନେଇ ଆସିଲେ । ସର୍ବନାଶରୁ ଅଧେ ରକ୍ଷା ହୋଇଗଲା-

 

ଏହି ତାତ୍ତ୍ୱିକ ବ୍ୟାଖ୍ୟାକାରମାନେ ସେହିପରି ସେମାନଙ୍କର ପ୍ରତିଷ୍ଠା ବୁଡ଼ିଯିବାର ଆଶଙ୍କା କରି ବ୍ୟାଖ୍ୟା ଦ୍ୱାରା ମୁଣ୍ତଟିକୁ ଚୁଟି ସହିତ କାଟି ନେଇ ଘରକୁ ଫେରୁଛନ୍ତି । ଏହି ବ୍ୟାଖ୍ୟା କାର–ଲେଖକଙ୍କୁ ଚିହ୍ନିବା ଦରକାର । କାରଣ ଯେଉଁମାନେ ସାହିତ୍ୟରୁ ପାଣ୍ତିତ୍ୟ ଆହରଣ କରିବାକୁ ଚାହାନ୍ତି ସେମାନେ ସୁବିଧାରେ ବହିକୁ ବାଛିପାରିବେ ।

ସାହିତ୍ୟ ମଧ୍ୟ ଆମର ଭାତ ଡାଲି ଅଣ୍ତା ଦୁଧ ପରି ଗୋଟିଏ ଖାଦ୍ୟ । ବିଜ୍ଞାନ ବଳରେ ଗୋଟିଏ ଗୋଟିଏ ଗୁଳା ତିଆରି କରି ସେହି ଗୋଲିଟିରେ ବିଜ୍ଞାନୀମାନେ ଦିନକର ଖାଇବା ଚଳାଇ ଦେଉଛନ୍ତି । ସେମିତି କେତେକ ଲେଖକ ଆମକୁ ସୂକ୍ଷ୍ମ ଭାବଧାରା ତାଙ୍କର ତିଆରି ମୋଦକ ଆକାରର ଗୁଲିରେ ଦେଇଦେବାକୁ ନାରାଜ ।

ଆମର ସାହିତ୍ୟରେ କଥା ଅଛି । ଗୋଟିଏ ପଣ୍ତିତିଆଣୀ ଓ ମୂର୍ଖ ଭିତରେ କଥା ହେଲାବେଳେ ପଣ୍ତିତିଆଣୀ ଗୋଟିଏ ଆଙ୍ଗୁଠି ଦେଖାଇଲା । ମୂର୍ଖ ତା’କୁ ଦେଖାଇଲା ଦୁଇଟା । ପଣ୍ତିତିଆଣୀ କାଢ଼ିଲା ତିନିଟା ଆଙ୍ଗୁଠି–ଏହି ଆଙ୍ଗୁଠି ଦେଖାଇବାରୁ ପଣ୍ତିତିଆଣୀ ବୁଝିଗଲା ଯେ ମୂର୍ଖ ଜଣେ ବଡ଼ ତାତ୍ତ୍ୱିକ ପଣ୍ତିତ ।

ଓଡ଼ିଆ ଲେଖକମାନେ ଏବେ ତାଙ୍କର ବହୁବିଧ ଜ୍ଞାନର ସଂକ୍ଷିପ୍ତ ସାର ଆମକୁ ସେମିତି ଅଳ୍ପରେ ଦେଖାଇ ଦେବାକୁ ଅନେକ ପ୍ରକାରର ସାଧନା କରୁଛନ୍ତି । କିନ୍ତୁ ସାହିତ୍ୟଟା କ’ଣ ଲୁଗା ଶାଢ଼ୀ ଚଦର ନା ଖଣ୍ତେ କୌପୁନୀ ମାତ୍ର ? ଏଇଆ ଯଦି ହେଇଥାଏ ତାହାହେଲେ କୌପୁନୀଟିଏ ପାଇଁ ପରିଶ୍ରମ ନ କରି ଖାଲି ହାତ ପାପୁଲିରେ ବି କାମ ଚଳନ୍ତା ।

କାରଣ ଲୁଗା ହେଉଛି ଆବରଣ ? ସିଏ ପୁଣି ଦେହର ଉତ୍ତମ ଅଙ୍ଗର ଆବରଣ ? ଏହି ଆବରଣ ନିର୍ଲଜ, ଅସଭ୍ୟ, ସବୁ ପ୍ରକାରର ହେଇପାରେ । କିଏ ଏବେ ଚାଲିଲା ବେଳେ କୌପୁନୀ ଜାଗାକୁ ଧରି ଧରି ଚାଲୁଛି ଅବା କିଏ ତାହାର ଲୁଗା ଓ ଗହଣାରେ କୌପୁନୀଥିବା ଜାଗା ଦେଖାଉଛି । ଏହା ପ୍ରତି ଆମେ ଯଦି ସଚେତନ ନଥାଉ ତାହାହେଲେ ଏହି କୌପୁନୀ ଯାହା ଲୁଗା ସେଇଆ–ବୋଲି କହିବୁଲିବା ନିରର୍ଥକ । ଆଉ ଏହି କୌପୀନ–ମାହାତ୍ମ୍ୟ ଏବେ ଲେଖକମାନଙ୍କର ବଡ଼ରୁ ବଡ଼–ଆହୁରି ବଡ଼ ବ୍ୟାଖ୍ୟାରେ ଆସି ପହୁଞ୍ଚି ଗଲାଣି ।

ଏସବୁ ଦେଖିଲେ ସେହି ପଣ୍ତିତର ଘିଅ କିଣିବା କଥା ମନେ ପଡ଼ିବା ସ୍ୱାଭାବିକ । ପଣ୍ତିତ ଘିଅ କିଣି ଫେରିଲା ବେଳକୁ ମନରେ ପ୍ରଶ୍ନ ଉଠିଲା ଯେ ଘିଅ ଗିନାକୁ ଧରିଛି ନା ଗିନା ଘିଅକୁ ଧରିଛି ? –ଠିକଣା କରି ନ ପାରି ଗିନାକୁ ରାସ୍ତାରେ ଓଲଟାଇ ଦେଖିଥିଲେ । ଆଉ ଚିରଦିନକୁ ପ୍ରସିଦ୍ଧ ହୋଇଗଲେ ।

ଆମର ପ୍ରତିଷ୍ଠା–ପ୍ରୟାସୀ ଲେଖକମାନେ ଏବେ ଏହି ପ୍ରକାରର ଆଧାର ଓ ଆଧେୟ ତତ୍ତ୍ୱ ଆଣି ସାହିତ୍ୟରେ ଚଳାଇଲେଣି । ସାର୍‌ମାନେ ବହୁତ ଜ୍ଞାନ ପାଇସାରି ସନ୍ଦେହରେ ପଡ଼ିଲେ । ଏବେ ଛୁଆମାନେ ମଧ୍ୟ ସନ୍ଦେହରେ ପଡ଼ିଯାଇ ସନ୍ଦେହ ମୋଚନ ପାଇଁ ବୁଝାଇବାରେ ଲାଗି ଗଲେଣି । ଏଥିପାଇଁ ଆମ ଭିତରେ ଦୁଇଟି ଶ୍ରେଣୀ ବଦଳରେ ଅର୍ଥାତ୍‌ ଲେଖକ ଓ ପାଠକ ବଦଳରେ ବିଦ୍ୱାନ୍‌ ଓ ମୂର୍ଖ ଶ୍ରେଣୀ ହୋଇଯାଇଛି । ଏହାର ଅନ୍ୟନାମ ଗୁରୁ–ଶିଷ୍ୟ ସମ୍ୱନ୍ଧି ।

ଲେଖକ ହାତରେ କଲମ–ସେ ଲେଖିଲା । ପୁଣି ବ୍ୟାଖ୍ୟା କଲା । ଆମେ ପାଠକମାନେ ବହିକୁ ବିଣିଲୁ । ତା’ପରେ ତାଙ୍କର ଲେଖାର ସହଚର ବା ବ୍ୟାଖ୍ୟାକୁ ମଧ୍ୟ କିଣିଲୁ । ଏକଥା ଆମକୁ ମୋଟେ ଭଲ ଲାଗୁନାହିଁ । ଏଇ ଯେଉଁ ନୂଆ ଧାରା ଚାଲିଛି ତାହା ପାଇଁ ଆମକୁ ଅନେକ ସମୟ ଦେବାକୁ ପଡ଼ୁଛି । ସାହିତ୍ୟ ଆମର ଅବସରର ଗୋଟିଏ କାମ ହେବା ବଦଳରେ ଗୋଟିଏ ପୂରା ସମୟର କାମ ହେଇଗଲାଣି ।

ତେଣୁ ଲେଖକକୁ ଆମେ କ’ଣ କହିଦବା ଯେ ପଣ୍ତିତ ଜୀ, ଆପଣ ଖାଲି ଲେଖି ଦେଇ ଚାଲିଯାନ୍ତୁ । ଆମକୁ ଆଉ ସେହି ଲେଖା କଥା ବୁଝାଇବାକୁ ଚେଷ୍ଟା କରନ୍ତୁ ନାହିଁ । କାରଣ ଦେଉଳକୁ ମୁଖଶାଳା (ମୁଖଶିଆଳି) ବଳିଗଲା ପରି ଆପଣଙ୍କର ଅର୍ଥୀକରଣ ବହିକୁ ଖାଲି କଲବଲ କରୁଛି । ଆପଣମାନେ ଆଗ ଭାବକୁ ଧରି ତା’ପରେ ଲେଖୁଛନ୍ତି ନା ଆଗ ଲେଖି ହଠାତ୍‌ ଭାବକୁ ଧରି ପକାଉଛନ୍ତି ?

ଯଦି ଭାବକୁ ଆଗ ହାସିଲ କରି ପରେ ଲେଖୁଥିବେ ତାହାହେଲେ ଆଉ ତକଲିଫ୍‌ ଉଠାଇବା ଦରକାର ନାହିଁ । କାରଣ ଏହି ସୃଷ୍ଟିରେ ବହୁତ ପ୍ରକାରର ଭାବ ଅଛି ବୋଲି ଆମେ ଜାଣୁ-

କୁସ୍ତିକସରତ କରି ବଳୁଆ ହେଇ ମାଲ ବନିଗଲା ପରେ ବିଭିନ୍ନ କୁସ୍ତିର ଦାଉଁସବୁ ଆୟତ୍ତ କରି ଦିନେ ଖେଳାଇବାକୁ ଆସ । ସେଦିନ ଆମେ ତମର ପୁରା ସାଧନାର କିମତ୍‌ କରିବା-। ଏମିତି ଦି’କାଣ୍ତ କାଣ୍ତେ ହାସିଲ କରି ହେଇଗଲା ବୋଲି ଭାବି ଫୁଲୁକାକୁ ଉତୁରିଲେ ବିରକ୍ତି ଭାବ ଆସୁଛି ।

ଏଥିପାଇଁ କଥା ଅଛି ଯେ ଉପନ୍ୟାସ ଇତ୍ୟାଦି ଲେଖିବା ପାଇଁ ସର୍ବନିମ୍ନ ବୟସ ପଇଁତିରିଶି ଚାଳିଶି ହେବା ଉଚିତ୍‌ । କାରଣ କଥାର ଭାଗମାପ ଠଉରାଇବା ଆଗରୁ ଲେଖାରେ ମାତିଯିବା ଭୁଲ୍‌ ।

ବୟସ କଥାଟା ଅଡ଼ୁଆ ଲାଗିଲେ ଅନ୍ତତ ଲେଖିବା ବିଷୟରେ ଉପଯୁକ୍ତ ମତାମତ ପାଇଁ ଭଲ କରି ଦେଖା ପରଖା କର । ଯେତେବେଳେ ଲାଗିବ ଯେ ହେଇଗଲା ସେତିକିବେଳେ ନିଜେ ପ୍ରକାଶ ପାଇବ ।

ଓଡ଼ିଆ ସାହିତ୍ୟରେ ଏହି ପ୍ରକାରର ସାଧନା ଯେ କେହି କରୁନାହାନ୍ତି ସେକଥା ବି ଭୁଲ୍‌-। ତିରିଶି ମସିହାରେ ବାବୁ ସୁରେନ୍ଦ୍ର ଦ୍ୱିବେଦୀ, ବାବୁ ସୁରେନ୍ଦ୍ରନାଥ ପଟ୍ଟନାୟକ ଓ ବାବୁ ବିନୋଦ କାନୁନ୍‌ଗୋ ପ୍ରମୁଖ ସ୍କୁଲର ଦଶମ ଶ୍ରେଣୀ ଛାଡ଼ି ଆଇନ ଅମାନ୍ୟ ଆନ୍ଦୋଳନକୁ ଚାଲିଗଲେ-

 

ଜୀବନରେ ଅନେକ ପ୍ରକାରର ସ୍ୱୀକୃତି କମାଇ ବେଶ୍‌ ନାମଜାଦା ବିପ୍ଳବୀ ଦେଶସେବକ ହେଲେ । ସେମାନେ ଏବେ ଏକସ୍ତରୀ ବାସ୍ତରୀ ମସିହାରେ ସେଇ କାହାଣୀ ଲେଖୁଛନ୍ତି । ଏଥିରେ ଭଲ ହେଉଛି ଯେ ବିପ୍ଳବର ମୂଲ୍ୟାୟନ କରିବାକୁ ଯେଉଁ ଚାଳିଶିବର୍ଷ ନେଲେ ସେଥିରେ ସାହିତ୍ୟ ଉପକୃତ ହେଲା ।

 

ସେମାନେ ଏହି ବିପ୍ଳବ କଥା ଅନ୍ୟମାନଙ୍କ ପରି ଦେଖୁ ଦେଖୁ କିଏ କାଳେ ଲେଖିଦବ ବୋଲି ଯଦି ପଇଁଚାଳିଶି ମସିହାରେ ଲେଖିଥାନ୍ତେ ତାହାହେଲେ କ’ଣ ଭଲ ହେଇଥାନ୍ତା ? ସେହିପରି ଓଡ଼ିଆ ଉପନ୍ୟାସ ଲେଖକମାନେ ଯେଉଁ ପରିଶ୍ରମ ଓ ଅଧ୍ୟବସାୟ ଦେଖାଇ ପିଲାବେଳୁ ଫକୀରମୋହନ ହେବାରେ ଲାଗିଗଲେ ସେଥିରେ ଭଲ କ’ଣ ହେଲା ?

 

ଗୋପୀବାବୁ ସେତେବେଳେ ନ ଲେଖି ଆଉ ପନ୍ଦରବର୍ଷ ପଛେଇ ଦେଇଥିଲେ ଆଉରି ଅନେକ କଥା ପାଇଥାନ୍ତେ । ପରଜା ଓ ଅମୃତର ସନ୍ତାନର ଲେଖକ ଆଜି ଯଦି ପଚାରନ୍ତି ଯେ ଏବେ ଲେଖିଥିଲେ କ’ଣ ପରିବର୍ତ୍ତନ ହେଇଥାନ୍ତା ? ଆମେ ତାଙ୍କୁ କି ଉତ୍ତର ଦେବା ?

 

ହଁ, ଉତ୍ତର ଦିଆଯାଇ ପାରନ୍ତା ଯେ ସେ ସ୍ୱାଧୀନତା ପରବର୍ତ୍ତୀ ଯୁଗର ବନବାସୀ ମନ୍ତ୍ରୀ ଓ ଉପମନ୍ତ୍ରୀମାନଙ୍କ ସହିତ ମତର ବିନିମୟ କରନ୍ତୁ । ତାହାହେଲେ ସେମାନେ କହି ଦିଅନ୍ତେ ଯେ ଯୌନସମ୍ପର୍କରେ ପାଶବିକତା କଥା ଅତି ଗୌଣ ।

 

ଜଣେ ବନବାସୀ କ୍ଷେତ୍ରପତିଙ୍କର ମନ ନେବାକୁ ଅନେକ ନାରୀ ଆସୁଥିଲେ । ସେଥିରେ କ’ଣ ବଳତ୍କାର ଥିଲା ? ନୁହେଁ ତ । ଲୋକେ ଏମିତି ନିଜର ସୁବିଧା କରିବାକୁ କିଏ ମିଠା ହସ ଦିଏ ଅବା କିଏ ଚୁମ୍ୱନ ଆଲିଙ୍ଗନ ଦିଏ । ଏହି ଦେବାନେବା ପଛରେ ପାଶବିକତା ନାହିଁ କିମ୍ୱା ବନବାସୀ ସହରବାସୀଙ୍କର କଥା ନାହିଁ ।

 

ଆଦିବାସୀ ଅଞ୍ଚଳ ବିଷୟରେ ଯେଉଁ ସମୟରେ ଗୋପୀନାଥବାବୁ ଉପନ୍ୟାସ ଲେଖୁଥିଲେ ଠିକ୍‌ ସେହି ସମୟରେ କବି ଶ୍ରୀ ନବକିଶୋର ଦାସ ତାଙ୍କର ମୁକୁଳ, ମଞ୍ଜରୀ ଆଦି କବିତା ଗୁଚ୍ଛରେ ହୋ ସମାଜ କଥା ମଧ୍ୟ ଲେଖୁଥିଲେ । ଉଭୟ ପ୍ରକାରର ଲେଖାରେ ରହିଥିଲା ଗୋଟିଏ ପ୍ରମାଦ–ସେହି ଜୀବନ ଓ ଯୌବନର ସମାଜର ସହରିଆ ଲୋକ ଉପରେ ପ୍ରତିକ୍ରିୟା ।

 

ଉଭୟେ ଗୋଟିଏ ବିଷୟରେ ଅଭାବ ଦେଖାଇଲେ । ସେଇଟା ହେଲା ଯେ ନିଜର ଅନୁଭବର ସ୍ୱଳ୍ପତା ପାଇଁ ସେମାନେ ଅପରକୁ ମାପ ଓଜନ କରିବାକୁ ସଫଳ ହେଲେ ନାହିଁ । ଉତ୍ସାହର ଆଧିକ୍ୟରେ ସେତେବେଳେ ନ ଲେଖି ଟିକିଏ ଧୈର୍ଯ୍ୟଧରି ରହିଯାଇଥିଲେ ପରେ ସେମାନେ ଅପେକ୍ଷାକୃତ ଉଚ୍ଚତର ମାନର ବହି ଲେଖି ପାରିଥାନ୍ତେ ।

 

ଶୀଘ୍ର ଲେଖି ନାମ କରିବି–ଏପରି ଗୋଟାଏ ମନର ଲକ୍ଷ୍ୟ ରହିବାରୁ ଓଡ଼ିଆ ସାହିତ୍ୟ ତାହାର ଉପଯୁକ୍ତ ସମୃଦ୍ଧି ହରାଇଲା । ଏଥିପାଇଁ ଲେଖକମାନଙ୍କୁ ଦୋଷ ଦେଇ ମଧ୍ୟ ଲାଭ ନାହିଁ ।

 

ସ୍ୱାଧୀନତା ପୂର୍ବରୁ ଯେତେବେଳେ ସେହି ସମୟର ବ୍ରିଟିଶ ଅନୁରକ୍ତ ଅଫିସରମାନେ ଅସୁବିଧାରେ ପଡ଼ି ସେମାନଙ୍କର ସୁବିଧା ସ୍ଥାନମାନ ହରାଇଲେ ସେତିକିବେଳେ ଓଡ଼ିଆ ସାହିତ୍ୟରେ କିଛି ସାହିତ୍ୟ ସୃଷ୍ଟି ଆରମ୍ଭ ହେଲା ।

 

ରାୟସାହେବ ଜଗତବନ୍ଧୁ ମହାପାତ୍ର ଓ ଶ୍ରୀ ଅନନ୍ତ ପ୍ରସାଦ ପଣ୍ତା ପ୍ରମୁଖ ଚାହିଁଲେ ଚାକିରିର ଲୋକସାନକୁ ସେମାନେ ବହି ଲେଖିବାର ପାରିଶ୍ରମିକ ଦ୍ୱାରା ପୂରଣ କରିବେ । ଏହି ଲକ୍ଷ୍ୟଟି କେତେକ ଲେଖକଙ୍କର କଲମ–ଚାଷର ପ୍ରଧାନ କାରଣ ଥିଲା । ମୋର ଏତକ କହିବାର ଅଛି–ନୂଆ କଥାଟିଏ ମୁଁ କହିବି–ଏ କଥା ବଦଳରେ କଥା ହେଲା ଯେ ମୋର ଆୟର ସମଧିକ ଉନ୍ନତି କରିବି ।

 

ସରକାରୀ ଚାକିରିଆ ନିଜର ମନର ଗତି ଅନୁସାରେ ବୀମା ଏଜେଣ୍ଟ କାମ ବେନାମି ଭାବରେ କରୁଥିଲା । ଆଉ କେତେକ ଶସ୍ତାରେ ଜିନିସ କିଣି ତାକୁ ସରକାରୀ କ୍ଷମତା ବଳରେ ବୁହାଇ ଏଠି କଟକ, ଖୋର୍ଦ୍ଧା ଓ ପୁରୀ ଆଦି ସ୍ଥାନରେ ବେପାର ଚଳାଉଥିଲେ । ଆଉ କେତେକ ଲେଖାଲେଖି କରିବାକୁ ଚାହୁଁଥିଲେ ।

 

ଚାଳିଶିରୁ ପଚାଶ ମସିହା ଭିତରେ ଏହି କାରଣରୁ ଓଡ଼ିଆ ଲେଖକ କଲମ ଚଳାଉଥିଲା-। ଏହି ଉଦ୍ଦେଶ୍ୟ ଓ ଲକ୍ଷ୍ୟ ମଧ୍ୟ ରହସ୍ୟ ଉପନ୍ୟାସ, ଗୁଇନ୍ଦା ଉପନ୍ୟାସ ଓ ନଗ୍ନଯୌନତାର ଉପନ୍ୟାସର ସୃଷ୍ଟିର କାରଣ ।

 

ପେଟପୋଷା ବା ଅର୍ଥକାରୀ ସାହିତ୍ୟ ସୃଷ୍ଟି ଆଉ ନିଜର ମନର ଉନ୍ମାଦନାରେ ସାହିତ୍ୟ ସୃଷ୍ଟି ଭିତରେ ଅବଶ୍ୟ ଫରକ ଆସିବ । ଆମେ ଏହାକୁ ଗୋଟାଏ କୁଟୀର ଶିଳ୍ପ ପର୍ଯ୍ୟାୟରେ ନ ରଖି ରଖୁଛୁ ପ୍ରାଇଭେଟ ଟିଉସନ ପର୍ଯ୍ୟାୟରେ । ତଥାପି ଆମେ ଏଥିରୁ ଆନନ୍ଦ ପାଇସାରି ଟଙ୍କା କମାଇବା ପରେ ଏବେ ଅଧିକ ବାହାଦୁରୀ ନେବାକୁ ସ୍ୱୀକୃତି ଖୋଜୁଛୁ ।

 

ଜନପଦର ନାଗରିକ ଦିନଯାକର ଖଟଣି ପରେ ସନ୍ଧ୍ୟାବେଳକୁ ତ୍ରିନାଥମେଳା ଆସରରେ ଭଜନ ପାଇଁ ପହୁଞ୍ଚେ । ଆମର ରାଜଧାନୀ ଓ ସଦର ମହକୁମାର ଲେଖକ ଦିନଯାକର–ନାମ କା ବାସ୍ତେ କାମ–କରିସାରି ରାତିରେ ଆସି କାଗଜକଲମ ଖୋଜେ । ସେତେବେଳକୁ ଘଡ଼ିର ଆଲାର୍ମ ବାଜିଲା ପରି ତାହାର ଉତ୍ସାହର ତନ୍ତ୍ରୀରେ ପ୍ରେରଣାର ଝଙ୍କାର ଆସେ । ଇଏ କ’ଣ ସମ୍ଭବ ?

ତେଣୁ ଲେଖକ ସ୍ପଷ୍ଟ ଭାବରେ ସତ କହିଦେବା ଉଚିତ୍‌ ଯେ ସେ ବ୍ୟବସାୟର ସୁତ୍ର ଧରି ଲେଖାଲେଖି କରିଛି–ସାହିତ୍ୟ ପାଇଁ ନୁହେଁ । ଏକଥା କ’ଣ ବାବୁ ବିଭୂତି ବା ବାବୁ କାହ୍ନୁଚରଣ ଏତେ ଖୋଲାଖୋଲି କହନ୍ତି କି ?

ବହିର ସଂଖ୍ୟା ବା ଆକାରରୁ ସାହିତ୍ୟକୁ ମାପିବା ଏହି କାରଣରୁ ପ୍ରମାଦପୂର୍ଣ୍ଣ ହେଉଛି । ଲେଖିବାର ସମୟ ଓ ଅନୁଭବର ଆହରଣର ସମୟ ମଧ୍ୟରେ ଗୁଣାତ୍ମକ ପ୍ରଭେଦ ରହୁଛି । ଏହି ଅନୁଭବକୁ ଆମେ ନିଜେ ଆମର ପୃଷ୍ଠଭୂମିରୁ ସଂଗ୍ରହ ନ କରି ଅନ୍ୟର ଲେଖାରୁ ସଂଗ୍ରହ କରି କାମ ଚଳାଉଛୁ । ଏଥିପାଇଁ ତାଙ୍କର ଲେଖା ଓ ୟାଙ୍କର ଲେଖା ଏକାପ୍ରକାର ହେଇଯାଉଛି । ଆଗପଛର ସଂହତି ନାହିଁ । ଏବର ଲେଖା ସହିତ ତିରିଶିବର୍ଷ ତଳର ଲେଖା ସେହିପରି ବେଖାପ ।

ଏହି ଅସୁବିଧା ବିଷୟରେ ଅବହିତ ହୋଇ ବିଭିନ୍ନ ଲେଖକ ବିଭିନ୍ନ ପ୍ରକାରରେ ସମାଧାନ କରୁଛନ୍ତି । ବାବୁ ସୁରେନ୍ଦ୍ର ମହାନ୍ତି ଏହାକୁ ସମାଧାନ କଲେ ଐତିହାସିକ ପୃଷ୍ଠଭୂମି ଦେଇ-। ଆଉ କେତେକ ଚାଲିଗଲେ ପୁରାପୁରି ଅନୁବାଦ ଆଡ଼କୁ । ପ୍ରକୃତ କାରଣ ହେଲା ଯେ ସମାଜ ସହିତ ମିଶିବା ପାଇଁ ବେଳ ଓ ସୁବିଧାର ଅଭାବ ।

 

ବାବୁ କାହ୍ନୁଚରଣ, ବାବୁ ଗୋପୀନାଥ, ବାବୁ ବିଭୂତି, ବାବୁ ବଳରାମ, ବାବୁ ବ୍ରଜମୋହନ, ବାବୁ କମଳାକାନ୍ତ ପ୍ରମୁଖ ଲେଖକମାନେ ଯଥେଷ୍ଟ ପ୍ରତିଭାର ଅଧିକାରୀ । କିନ୍ତୁ ସେମାନଙ୍କୁ ସମାଜର ଧାରା ସହିତ ମିଶିବାର ସୁଯୋଗ ନ ମିଳିବାରୁ ସେମାନେ ଗୋଟାଏ ପ୍ରକାରର ମିଠା ନିଦର ମିଛ କଳ୍ପନାରେ ମଜ୍ଜି ରହି ସାହିତ୍ୟ ନାଆଁରେ କିଛି ଲେଖାଲେଖି କରିଗଲେ-

 

ଏଣେ ସମାଜ ବଦଳିବାରେ ଲାଗିଛି । ସମାଜ ସାଙ୍ଗରେ ଆମେ ସମସ୍ତେ ବଦଳୁଛୁ । କିନ୍ତୁ ନିଜକୁ ଦେଖିବାକୁ ସୁବିଧା ହେଲା ନାହିଁ । ଏଣେ ସମାଜକୁ ଦେଖିବାକୁ ଭୁଲିଗଲୁ ।

 

ହେଇ ନିଆଯାଉ ଆମର ପୋଷାକ । ତିରିଶିମସିହା ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କ ଘରେ ସ୍ତ୍ରୀ ଲୋକମାନେ କଛା ମାରି ଲୁଗା ପିନ୍ଧୁଥିଲେ । ବଡ଼ ଲୋକ ବା ଉଚ୍ଚ ଜାତିର ଲୋକଙ୍କର ଶାଢ଼ୀ ଟିକିଏ ଲମ୍ୱା ଥିବାରୁ ଦେହର ବେଶି ଅଂଶ ଢାଙ୍କି ହେଉଥିଲା । ଗରିବ ଲୋକ ବା ତଳୁଆ ପାଟକର ଲୋକଙ୍କର ଶାଢ଼ୀ ଅଳ୍ପ ଲମ୍ୱା ଥିବାରୁ ବେଶି ଭାଗ ଦେହ ମେଲା ଦିଶୁଥିଲା । କିନ୍ତୁ ଏଥିରେ ମାନସିକ ବିକୃତି ଆସୁ ନ ଥିଲା ।

 

ଏହି ଲୁଗାର ବିଲୋପ ହେଲା ଲୁଙ୍ଗି ପାଇଁ । ପୁରୁଷମାନେ କଛା ନ ମାରି ଫାଲଟା ପିନ୍ଧିଲେ ଓ ଧୋତି ବଦଳରେ ଲୁଙ୍ଗି ପିନ୍ଧିଲେ–ଏଇଟା କଲିକତା ସହରରୁ ଆମଦାନି । ଧୋତିଠାରୁ ଲୁଙ୍ଗି ଶସ୍ତା । ସେଇଠୁ ଗିରସ୍ତଙ୍କୁ ମଛେଇ ଘରଣୀ କଛା ଛାଡ଼ି ଫାଲଟା ପିନ୍ଧିଲେ । ଏଇଟା ମଧ୍ୟ ସେହି ସମୟର ଅସଂଖ୍ୟ ବଙ୍ଗାଳୀ ଅଫିସରଙ୍କ ଚଳଣୀର ନକଲ ।

 

ଏମିତି ଦେଖା ଶିଖା ପର୍ଯ୍ୟାୟରେ କଛାଭିଡ଼ା ଲୁଗାପିନ୍ଧା ଉଠିଗଲା । ଏହାପରେ ସତୁରୀମସିହା ବେଳକୁ ଟାଇଟ୍‌ ପୋଷାକ ଆସି ଅନ୍ୟ ରୂପରେ ସେହି ଭିଡ଼ାଭିଡ଼ି ଅବସ୍ଥାକୁ ଆସିଯାଇଛି ।

 

ଢିଲା ପୋଷାକରେ ସାମୟିକ ବିଚ୍ୟୁତି ଯେତେ ସହଜ, ଏହି ଟାଇଟ ପୋଷାକରେ କେବେହେଲେ ନୁହେଁ । ବିଚ୍ୟୁତି ହେଉଛି ଚରିତ୍ରର ଶୈଳୀ । ତେଣୁ ପୋଷାକର ଶୈଳୀ ଆମର ଚରିତ୍ର ଓ ଆମର ଚିନ୍ତାରାଜ୍ୟରେ ପରିବର୍ତ୍ତନ ଆଣୁଛି ।

 

ଏବେ ବି ତାମିଲନାଡ଼ୁ ଓ ମହାରାଷ୍ଟ୍ରରେ ସ୍ତ୍ରୀ ଲୋକମାନେ କଛା ମାରୁଛନ୍ତି । କିନ୍ତୁ ଓଡ଼ିଶାରୁ ସେହି ପ୍ରଥା ଚାଲିଗଲା । ଯେତେବେଳେ ଏହି ଲୁଗାପିନ୍ଧାର ପ୍ରକାର ଚଳୁଥିଲା ସେତେବେଳେ କୁହାଯାଉଥିଲା ଯେ କଛା ନ ମାରି ରୋଷୟଇ ଘରକୁ ଗଲେ ପିତୃପୁରୁଷ ପାଣି ପାଇବେ ନାହିଁ । ଏଥିପାଇଁ ଏହି ପ୍ରକାରର କଥାଟିଏ ଏତେବର୍ଷ ଚାଲିଲା ।

 

ପୁରୁଷମାନେ ସେତେବେଳେ କାଛା କିମ୍ୱା କୌପୁନୀ ପିନ୍ଧୁଥିଲେ । ଢିଲା କଛାର ପ୍ରଚଳନ ନ ଥିଲା । ଅଣ୍ଟାରେ ଖୋସଣୀ ପାଇଁ ଗୋଟାଳି କିମ୍ୱା ପଇସାଟିଏ ରଖାଯାଉଥିଲା ।

 

ସେତେବେଳର ସାହିତ୍ୟରେ ମନ–ମନ୍ଥନ କାମ ବିକାର ନାହିଁ । କାମ, ପ୍ରୀତି ଓ ରତି ଯେ ମନର ବିକାର–ଏପରି କଥାଟିଏ ନ ଥିଲା । ଏବେ ମଧ୍ୟ ପାଶ୍ଚାତ୍ୟ ସାହିତ୍ୟରେ ମନର ବିକାର ଦେଖାଯାଉ ନାହିଁ ।

 

ଓଡ଼ିଆରେ ମନର ଏହି ବିକଳାଙ୍ଗ ଚିତ୍ରଣ ଆମଦାନି କଲେ ସବୁଜଯୁଗର ସାହିତ୍ୟଗୋଷ୍ଠୀର ସଦସ୍ୟମାନେ । ସମସ୍ତେ କଲେଜ ପାଠୁଆ ଡିଗ୍ରିଧାରୀ ଲୋକ । ସେମାନେ ନିଜକୁ ସଞ୍ଜତ କରିବାକୁ କିପରି ମନଭିତରେ ଯୁଦ୍ଧ କରୁଥିଲେ ତାହାର ପ୍ରତିଫଳନ ଓଡ଼ିଆ ସାହିତ୍ୟରେ ଆରମ୍ଭ ହେଲା ।

 

ଗଞ୍ଜାମର ଜଣେ ସ୍ୱନାମଧନ୍ୟ କବିରାଜଙ୍କୁ ପଚରା ଯାଇଥିଲା ଏହି ଯୁଗର ପ୍ରଧାନ ରୋଗ କ’ଣ ? ସେ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଥିଲେ–ଧ୍ୱଜଭଙ୍ଗ । ଅର୍ଥାତ୍‌ ମଣିଷଟି ମଣିଷ ପରି ଦିଶୁଥିବ କିନ୍ତୁ ତାହାର ସମସ୍ତ କାର୍ଯ୍ୟରେ ଥିବ ଗୋଟିଏ ଢାଙ୍କୁଣି । ଏହି ଘୋଡ଼ିଆ ଘୋଡ଼ି କାମ ଯିଏ ଯେତେ ସୁନ୍ଦର ଭାବରେ କରିପାରିବ ସେ ହେବ ସେତିକି ବୌଦ୍ଧିକ ।

 

ବୌଦ୍ଧିକତା ହେଲା ଆମର ମନର କୁଟିଳତାର ପୋଷାକ । ଏହାକୁ ଅଭିନୟରେ ଆମେ ଦେଖୁ । ଅଳ୍ପ ପାଠୁଆ ପଣ୍ତିତର ଅଭିନୟ କରେ । ଏଠି ଓଡ଼ିଆ ସାହିତ୍ୟିକମାନେ ସେହିପରି ନିଜର ସାହିତ୍ୟିକୁ ଅଭିନୟରେ ରଖୁଛନ୍ତି । ଏହାର କାରଣ ହୀନମନ୍ୟତା ।

 

ଏହି ହୀନମନ୍ୟତାର ପ୍ରାସଙ୍ଗିକ କାରଣ ହେଲା ଯେ ଲେଖକମାନେ ମୋଟେ ସ୍ୱାଧୀନ ନୁହନ୍ତି । କାଳେ ତାଙ୍କର ବଡ଼ ହାକିମ ତାଙ୍କୁ ଖୁଣ୍ଟି ଦବ । ସେହି ଡରରେ ଏମାନେ ନୂତନ କଥା, ବୌଦ୍ଧିକତା ଓ ଅଗ୍ରଗାମିତା ଦେଖାଇ କେତେକ ଉଦ୍ଭଟ ସୃଷ୍ଟିରେ ଲାଗିଛନ୍ତି ।

 

ସମାଜର ନୀତି ହେଲା–ଜୁଆ ଖେଳ ନାହିଁ । ଚାଷ କର ।

 

ଏହାକୁ ବୌଦ୍ଧିକତା ଦେଖାଇ କହିଲେ ଏମିତି ହେବ–ଜୁଆ ଯଦି ଖେଳିବ ତେବେ ଅଧିକ ଅମଳକ୍ଷମ ଧାନଚାଷ କରିବାକୁ ଚେଷ୍ଟା କର । ଟଙ୍କା ଯୋଗାଡ଼ ନ ହେଲେ ଜମିକୁ ବନ୍ଧା ଦିଅ । ସେହି ଟଙ୍କା ଶୁଝଟ ପାଇଁ ଜୋର ଜବରଦସ୍ତି ଆରମ୍ଭ ହେଲେ ଆନ୍ଦୋଳନ କର ।

 

ଅଗ୍ରଗାମିତା ଓ ନୂତନ କଥାପାଇଁ ଜୁଆଖେଳାଳୀ ନିଜେ ଜିତେ ଓ ହାରେ । କିନ୍ତୁ ଏଠି ସାହିତ୍ୟିକ କହୁଛି ଯେ ଜୁଆ ଖେଳିଲେ ବି ଆମର ସବୁବେଳେ ଜିତାପଟ ।

 

ଲେଖକର କଥା ଓ କାମ ଭିତରେ ଏତେ ପ୍ରଭେଦ ଆସି ଗଲାଣି ଯେ ଲେଖକର କଳ୍ପିତ ଚିତ୍ରକୁ ତାହାର ଫଟୋଗ୍ରାଫ୍‌ ସହିତ ମିଳାଇଲେ ଭଲ ବୁଝି ହୁଏ । ଚୋର ଡକାଏତର ଛବି ତାହାର ବୃତ୍ତି ସହିତ ଖାପ ଖାଇଲାବେଳେ ଆମର ସାହିତ୍ୟିକଙ୍କର ଛବି ତାହାର ସାହିତ୍ୟ ସହିତ ମେଳ ଖାଉ ନାହିଁ ।

 

ଗୋପୀନାଥବାବୁ, କାହ୍ନୁଚରଣବାବୁ ପ୍ରମୁଖ ଯେଉଁମାନେ ବହିର ଶେଷ ମଲାଟରେ ତାଙ୍କର ଶେଷ ଛବି ଦେଉଛନ୍ତି । ମାସିକ ମାନସ ଆଦି ପତ୍ରିକାମାନେ ତାଙ୍କର ଲେଖା ସହିତ ଲେଖକର ଚିତ୍ରପଟ ଦେଉଛନ୍ତି । ଏହାକୁ ମିଳାଇ ଦେଖିଲେ ଆମେ ବୁଝିପାରୁ ସତେ କି ଓଲଟା ଲୋକ ଆସି ସାହିତ୍ୟ କାମରେ ପଶିଯାଇଛି ।

 

ମୋଟାମୋଟି ଛବିଗୁଡ଼ିକରେ ବୌଦ୍ଧିକତା ଖୋଜିବା କାମ ବଡ଼ ଦୁରୂହ । ଆକୃତିର ବିଜ୍ଞାନ କହିବ ଯେ ସାରା ସୃଷ୍ଟିରେ ତିନି ପ୍ରକାରର ମୁହଁ ଅଛି । ଗୋଟିଏ ହେଲା ସମବାହୁ ତ୍ରିଭୁଜ–ଏମାନେ ବୁଦ୍ଧି, ଚିନ୍ତା ଇତ୍ୟାଦି ମସ୍ତିଷ୍କର ଉତ୍କର୍ଷତାର ଅଧିକାରୀ ।

 

ଆର ପ୍ରକାରଟି ହେଲା ବର୍ଗକ୍ଷେତ୍ର ବା ଆୟତକ୍ଷେତ୍ରର ମୁହଁ । ଏମାନେ ସାଧାରଣରେ କର୍ମୀ ଓ ପରିଶ୍ରମର ସମସ୍ତ ପ୍ରତିଭା ଓ ଶକ୍ତିର ଅଧିକାରୀ ।

 

ଶେଷ ପ୍ରକାରଟି ହେଲା ଗୋଲାକାର ବା ବର୍ତ୍ତୁଳାକାର ମୁହଁ । ଏମାନେ ହେଲେ ସୁସ୍ଥି ଲୋକ । କାହାକୁ ବିରକ୍ତ ନ କରି ବିଶେଷ ଭାବରେ ଭୋଜନ ପରିଧାନରେ ତତ୍ପର ।

 

ମଣିଷର ଏହି ତିନି ପ୍ରକାରର ମୁହଁ–ତ୍ରିଭୁଜ, ଚତୁର୍ଭୁଜ ଓ ଗୋଲକ–ଭିତରେ ବିଦ୍ୱାନ ଓ ଲେଖକ ତ୍ରିଭୁଜ ମୁଖାକୃତିର ହେବା କଥା । ଆମର ସାହିତ୍ୟିକମାନଙ୍କ ଭିତରେ କେତେଜଣ ଏହି ତ୍ରିଭୁଜ ପର୍ଯ୍ୟାୟର ?

 

ଅବଶ୍ୟ କଥାଟା ଏତେ ସରଳ ନୁହେଁ । ମୁହଁର ଆକୃତି ସବୁ ସମୟରେ ନିର୍ଭୁଲ ନୁହେଁ । ଏହାଛଡ଼ା ଅବିମିଶ୍ରିତ ଆକୃତି ମିଳେ ନାହିଁ । କିଏ ତ୍ରିଭୁଜ ଓ ଚତୁର୍ଭୁଜର ମିଶ୍ରଣ । ଆଉ କିଏ ଚତୁର୍ଭୁଜ ଓ ଗୋଲକର ମିଶ୍ରଣ । କିନ୍ତୁ ଆମେ ସେଥିଭିତରେ ତ୍ରିଭୁଜର ସ୍ପଷ୍ଟ ଆଭାସ ପାଇପାରିବୁ ।

 

ଯେଉଁ ସାହିତ୍ୟରେ ଲେଖକର ସଂଖ୍ୟା ଭିତରେ ଅଳ୍ପ ସଂଖ୍ୟକ ତ୍ରିଭୁଜାକାର ମୁଖାକୃତିର ସେଠି ସାହିତ୍ୟ ସେତେ ଉନ୍ନତ ବୌଦ୍ଧିକତା ଦେଖାଇବ ନାହିଁ । ଚାଷୀ ମୂଲିଆ ବା ବନବାସୀ ବା ପହିଲମାନ ଚେହେରାର ଲୋକର ସାହିତ୍ୟ ବୁଝିବା ଯେମିତି ତାହାର ସାହିତ୍ୟ ଲେଖିବା ମଧ୍ୟ ସେମିତି ।

 

ବାପମା ଓ ପୂର୍ବପୁରୁଷଙ୍କର ଦୟାରୁ ଆମେ ଶରୀର ପାଇଛୁ ମୁହଁର ଆକୃତି ମଧ୍ୟ ପାଇଛୁ । ଏଥିରେ ଲାଜ କରିବାର କିଛି ନାହିଁ । କିନ୍ତୁ ବହି–ପୋକ ବା ପୁସ୍ତକକୀଟର ବୌଦ୍ଧିକତା ମଣିଷର ଚିନ୍ତା ଶକ୍ତିର ପ୍ରହସନ ଛଡ଼ା ଆଉ କିଛି ନୁହେଁ । ତେଣୁ ସାହିତ୍ୟରେ ହାତ ଦେଇ ଯଶ ଖୋଜିବା ଆଗରୁ ଆମେ ଟିକିଏ ନିଜକୁ ପରୀକ୍ଷିତ କରାଇ ନେଇ ସାହିତ୍ୟ କାମରେ ହାତ ଦେଲେ ନିଜକୁ ଓ ସାହିତ୍ୟକୁ ଓ ପାଠକଙ୍କୁ ମଧ୍ୟ ସୁବିଧା ଦେଇ ପାରନ୍ତୁ ।

 

ଗଲା ପଚାଶବର୍ଷର ଲେଖକମାନଙ୍କୁ ତାଙ୍କର ଯୌବନ, ପ୍ରୌଢ଼ତ୍ୱ ଓ ବାର୍ଦ୍ଧକ୍ୟରେ ଆମେ ତାଙ୍କର ଟିକିଏ ରୂପ–ସମୀକ୍ଷା କ ଲେଏହାର ଉତ୍ତର ପାଇବୁ ।

 

ଆମର ଓଡ଼ିଆ ସମାଜରେ ବୋହୂ ବାଛିଲା ବେଳେ ଏଇକଥା ମଧ୍ୟ ଚଳୁଥିଲା । ବୋହୂ ହେଇଥିବ ଡଉଲ ଡାଉଲ–ଅର୍ଥାତ୍‌ ସେ ଗୋଲ ମୁହଁ ବା ଚାରିକଣିଆ ମୁହଁର ନ ହୋଇ ତିନିକୋଣିଆ ହେଲେ ଆମର ସମାଜର ନିତିଦିନିଆ କାମକୁ ଅସମର୍ଥ ହେବ । ସେଥିପାଇଁ ଝିଅମାନଙ୍କର ଆକୃତି ତାହାର ଚଳଣି ଅନୁସାରେ ପ୍ରାୟ କର୍ମୀ ପର୍ଯ୍ୟାୟରେ ରହୁଥିଲା ।

 

ଏହାର ପରିବର୍ତ୍ତନ ଷାଠିଏ ମସିହା ପରେ ହେଇଛି । ଏବେ ତ୍ରିକୋଣ ମୁହଁର ସାମାନ୍ୟ ପ୍ରାଧାନ୍ୟ ଦେଖା ଦେଲାଣି । ଅଧ୍ୟବସାୟ ଓ ସାଧନାର ସ୍ପଷ୍ଟ ଚିତ୍ର ସେମାନଙ୍କର ମୁହଁରେ ମଧ୍ୟ ଦେଖା ଦେଲାଣି । ଆମେ ଏବେ ତାଙ୍କଠାରୁ ବୌଦ୍ଧିକତା ଆଶା କରି ପାରିବା ।

 

କିନ୍ତୁ ଅଘୋରଦୁଆରୀ ପ୍ରତ୍ୟେକ କଲମନବୀସ୍‌ଠାରୁ ବୌଦ୍ଧିକତା ଆଶା କରିବା ବିଡ଼ମ୍ୱନା । ସାହିତ୍ୟ ଯଦି ପ୍ରକୃତରେ ହୃଦୟର ଛବି ନ ହୋଇ ମେଧାଶକ୍ତିର ଚିତ୍ର ହୋଇଥାଏ ତେବେ ଓଡ଼ିଆ ସାହିତ୍ୟକୁ ଦୁର୍ବଳ ବୋଲି କୁହାଯିବ ।

 

ପାଠକର ମଧ୍ୟ ଜାଣିବା ଉଚିତ୍‌ ଯେ କୌଣସି ଉପନ୍ୟାସ, ନାଟକ ବା ଗଳ୍ପ କବିତା ପଢ଼ିଲେ ତାହା ମନରେ କି ପ୍ରକାର ମଣିଷର ଚିତ୍ର ଆସୁଛି । ଲେଖାର ଲେଖକ ଓ ଲେଖାର ବିଷୟ ଏଥିରେ ନିର୍ଭୁଲ ଚିତ୍ର ଦେବେ । ଆଉ ମଧ୍ୟ ପାଠକ ଦେଖିପାରିବ ଯେ ତିନିକଣିଆ–ମୁହାଁ ଲେଖକ ଗୋଲ–ମୁହଁ ଚରିତ୍ରକୁ ପ୍ରାଧାନ୍ୟ ଦେଉଛି ।

 

ଏହା ମଧ୍ୟ ସ୍ୱୀକୃତିର ଗୋଟିଏ କାରଣ । ସାଧାରଣରେ ଏକା ପ୍ରକାରର ମୂହଁ ଭିତରେ ଗୋଟିଏ ଭିତରର ଆକର୍ଷଣ ଥାଏ । ଓଡ଼ିଶା ହାଇକୋଟର ବିଚାରପତିମାନଙ୍କର ଫଟୋ ଛପାଯାଇଛି । ଏହାକୁ ନେଇ ମାନ୍ୟବର ଶ୍ରୀ ବୀରକିଶୋର ରାୟ, ଶ୍ରୀ ବାଚ୍ଚୁ ଜଗନ୍ନାଥ ଦାସ, ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ, ଶ୍ରୀ ଆର. ଏଲ. ନରସିଂହମ୍‌, ଶ୍ରୀ ଜଗନ୍ନାଥ ମହାନ୍ତି, ଶ୍ରୀ ସୌରୀ ପ୍ରସାଦ ମହାପାତ୍ର, ଶ୍ରୀ ପି. ଭି. ବାଳକୃଷ୍ଣ ରାଓ, ଶ୍ରୀ ପୀତାମ୍ୱର ମିଶ୍ର, ଶ୍ରୀ ଅଭିମନ୍ୟୁ ମିଶ୍ର, ଶ୍ରୀ ଜୟକୃଷ୍ଣ ମିଶ୍ର, ଶ୍ରୀ ଖଲିଲ ଅହମ୍ମଦ ଇତ୍ୟାଦିଙ୍କ ଭିତରେ ଦେଖି ପରୀକ୍ଷା କଲେ ଆମେ ସମସ୍ତେ ଯେଉଁ ଚିତ୍ର ପାଇବା ଲେଖକ ରାଜ୍ୟରେ ମଧ୍ୟ ସେଇଆ ପାଇବା ।

 

ସମୀକ୍ଷକମାନେ ବହୁଦର୍ଶୀ ଓ ବହୁଜ୍ଞାନର ଅଧିକାରୀ ହୋଇ ନ ଥିବାରୁ କବି ରାଧାନାଥ, ମଧୁସୂଦନ, ନନ୍ଦକିଶୋର, ଗୋପାଳଚନ୍ଦ୍ର ପ୍ରମୁଖଙ୍କ ଭିତରେ ସୀମାରେଖା ଦେଇ ପାରୁନାହାନ୍ତି । ଲେଖକକୁ ଲେଖା ସହିତ ବିଚାର ନ କରି ସେମାନେ ଲେଖାକୁ ଅଲଗା କରି ବିଚାର କରୁଥିବାରୁ ପ୍ରମାଦପୂର୍ଣ୍ଣ ତଥ୍ୟ ଦେଉଛନ୍ତି ।

 

କବିବର ରାଧାନାଥ ଓ ତାଙ୍କର ବହୁତ ସମୟ ପରେ ଆସିଥିବା ଉପନ୍ୟାସକାର ଗୋପୀନାଥ ଅନେକ ବିଷୟରେ ସମାନ । ଜଣେ ଥିଲେ ଶିକ୍ଷାର ଓ ଆଉ ଜଣେ ହେଲେ ପ୍ରଶାସନ ବିଭାଗର । ଦିହେଁ ବୁଲିଲେ ସାରା ଉତ୍କଳ ଦେଶ । ଉଭୟେ ଇଂରାଜୀ ସାହିତ୍ୟରେ ପାରଦର୍ଶୀ ଥିଲେ । ଉଭୟଙ୍କର ମଧ୍ୟ ଥିଲା ସଂସ୍କୃତରେ ପ୍ରବେଶ । ଏବେ ଚିଲିକା, ଉଷା, ନନ୍ଦିକେଶ୍ୱରୀକୁ ନେଇ ପରଜା, ଅପହଞ୍ଚ, ଦାଦିବୁଢ଼ା ସହିତ ମିଳାନ୍ତୁ । ରୂପର ଚିତ୍ର ସମାନ ଦିଶିବ ।

 

ଦୁହେଁ ହେବେ ବର୍ଣ୍ଣନାଧର୍ମୀ । ଦୁହେଁ ଆହରଣ କରିବେ ଇଂରାଜୀରୁ । ଦୁହିଁଙ୍କର ଲେଖାର ଉପସଂହାର ଥିବ ନଗଣ୍ୟ । ଦିହେଁ ପ୍ରାୟ ସମାନ ଜଣାଯିବେ । ଇଏ କ’ଣ ବିଚିତ୍ର କଥା ନୁହେଁ ?

 

ଏତେ ବର୍ଷର ବ୍ୟବଧାନରେ ଯେତେବେଳେ ପରିସ୍ଥିତି ଓ ପରିବେଶ ଊଣା ଅଧିକେ ସମାନ ହୋଇଗଲା ଆମେ ପାଇଲୁ ସମାନ ଗୁଣର ସୃଷ୍ଟି । ଏଥିରୁ ଜଣାପଡ଼ୁଛି ଯେ ପରିସ୍ଥିତି ଓ ପରିବେଶ ଲେଖକର ସୃଷ୍ଟି ଓ ସାର୍ଥକତାର ପ୍ରଧାନ ଉପାଦାନ । ବହି–ପାଠୁଆ ଲେଖକ ପ୍ରାୟ ସମାନ । ଶଠ–ଲେଖକ ପ୍ରାୟ ସମାନ । ଲମ୍ପଟ–ଲେଖକ ପ୍ରାୟ ସମାନ । ମଣିଷର ଗୁଣ ନେଇ ତାହାର ସାହିତ୍ୟ ।

 

ତାହାହେଲେ ଆମେ ଆଜି ଅନେକ ପ୍ରକାରର ସାଂସ୍କୃତିକ ସ୍ତରର ଓ ଜୀବନଧାରଣ ସ୍ତରର ଲେଖକଙ୍କୁ ଆଣି ଓଡ଼ିଆ ସାହିତ୍ୟରେ ନ ପହୁଞ୍ଚାଇଲେ ଓଡ଼ିଆ ସାହିତ୍ୟ ତାହାର ଗତାନୁଗତି ଛାଡ଼ି ପାରିବ ନାହିଁ । ତେଣୁ ସାହିତ୍ୟର ବୈଚିତ୍ର୍ୟ ପାଇଁ ମଣିଷର ବିଚିତ୍ରତାର ବିଭବ ଦେଖିବା ଦରକାର ।

 

ଏବେ ତେସ୍ତରୀ ମସିହାର ଓଡ଼ିଆ ସାହିତ୍ୟ ହଠାତ୍‌ ବିଚିତ୍ର ଓ ବର୍ଣ୍ଣାଢ୍ୟ ଜଣାପଡ଼ୁଛି । କାରଣ ପଚିଶ ତିରିଶବର୍ଷ ବୟସର ଅସଂଖ୍ୟ ଯୁବକ ଯୁବତୀ ବହୁତ ପ୍ରକାରରେ ଜୀବନକୁ ଉପଭୋଗ କରିବାକୁ ଚାହୁଁଛନ୍ତି । ପଡ଼ୋଶୀ ବଙ୍ଗଳା ସାହିତ୍ୟରେ ପ୍ରଥମ ମହାଯୁଦ୍ଧ ପରେ ପ୍ରାୟ କୋଡ଼ିଏମସିହା ଆରପାଖେ ହଠାତ୍‌ ବୈଚିତ୍ର୍ୟ ଦେଖା ଦେଲା ।

 

ଅଳପ ପରିସରର ନାୟକ ନାୟିକାଙ୍କର ମନର ଗତି ଦୁରୂହ ଓ ଆୟାସସାଧ୍ୟ ପରିସରର ନାୟକ ନାୟିକାଙ୍କର ମନର ଗତିଠାରୁ ଭିନ୍ନ ।

 

ଆମେ ଏବେ ଯାହାକୁ କଲିକତି ସାହିତ୍ୟ କହୁଛୁ ସେଥିରେ ଅଛି ଅଳପ ଜ୍ଞାନ ଓ ଛୋଟ ସାମାଜିକ ସ୍ତରର ଲେଖକ ବଡ଼ବଡ଼ କଥା ଲେଖୁଛି । ଏଠି ଆମର କଟକ ରାଉରକେଲାର ପାଠକ ସମାଜରେ ଟିକିଏ ଦୃଷ୍ଟିକଟୁ ହେଉଛି । ସ୍ପଷ୍ଟ ବୁଝାଯାଉଛି ଯେ ବହିଟି ଗୋଟିଏ ଅଳ୍ପ ଶିକ୍ଷିତ ଅଭିନେତ୍ରୀର କଲେଜ ଅଧ୍ୟାପିକାର କଥନିକା ପ୍ରକାଶ ପରି ।

 

କଲିକତି ସାହିତ୍ୟରେ ଅଛି ଆରମ୍ଭ ଓ ଶେଷର ଶ୍ରେଷ୍ଠତା । କିନ୍ତୁ ଏହାର ମଝିଭାଗଟି ଭାରି ପାଣିଚିଆ । ଏଠି ଅଣ–କଲିକତି ସାହିତ୍ୟରେ ଆରମ୍ଭ ଓ ଶେଷ ଅତି ନିରସ । କିନ୍ତୁ ଲେଖକ କିଛି ବାଟ ଆଗେଇ ଗଲେ ତାଙ୍କର କଲମର ଉତ୍କର୍ଷତା ଦେଖାଇବାରେ ସଫଳ ଜଣାପଡ଼ନ୍ତି ।

 

ପାଠକମାନେ ଏହି କଥା କହନ୍ତି ।–ଆମେ କ’ଣ ୟା’କୁ ଜାଣୁ ନାହିଁ କି ? –ଜାଣୁ । କିନ୍ତୁ ଆମେ ଲେଖିଲେ ସେଇଟା ପିଲାଙ୍କର ହସ୍ତାକ୍ଷର ପରି ହୋଇଯିବ । ଇଏ ମଧ୍ୟ ଭୁଲ୍‌ ଧାରଣା–

 

ଆମେ ସାକ୍ଷର ଓ ପଣ୍ତିତମାନେ ଯଦି ସ୍ତ୍ରୀ’ ପାଖକୁ ଚିଠି ଲେଖୁ ତାହାହେଲେ ସାହିତ୍ୟିକ ମୂଲ୍ୟକୁ ଆମେ ଭଲ କରି ହୃଦୟଙ୍ଗମ କରିପାରିବା ।

 

ମନେ କରନ୍ତୁ ଶିକ୍ଷା ବିଭାଗର ଡି. ପି. ଆଇ. ବା ଶିକ୍ଷା ମନ୍ତ୍ରୀ ବା ଆମର କଟକ, ଖଲିକୋଟ, ଗଙ୍ଗାଧର କଲେଜର ପ୍ରିନିସ୍‌ପାଲ ପ୍ରେମ ଚିଠି ଲେଖୁଛନ୍ତି ବା ପାଉଛନ୍ତି । ଭଲ ବୁଝିହେବ ଯେ ଏହି ଚିଠିଗୁଡ଼ିକ ହୃଦୟର ଭାବ ପ୍ରକାଶ ଦିଗରୁ ମୂଲ୍ୟହୀନ ।

 

ସେହି ଚିଠି ଦି’ଖଣ୍ତ ଆମେ ଅଳପ ଦରମା ପାଉଥିବା ଅମଲା, ଚପରାସି ଓ ମୋହରିର ସ୍ତରରେ ଦେଖିଲେ ଜାଣିପାରିବୁ ଯେ ଏହି ଚିଠିଗୁଡ଼ିକ ପ୍ରେମବିଧୁର ହୃଦୟର ନିଖୁଣ ସାହିତ୍ୟିକ ଚିତ୍ର ।

 

ତେଣୁ ଅଳପ ଲୋକର ସାହିତ୍ୟ ତାହାର ଆଖିର ଚାହାଣୀ, ଦି’ପଦ କଥା, ଛୋଟିଆ ଚିଠିରେ ଥାଏ । ବଡ଼ବଡ଼ିଆଙ୍କର ସାହିତ୍ୟ ଥାଏ ତାଙ୍କର କଠିନ ହୃଦୟହୀନତାର କିଛି ମନ–ଉତ୍ତେଜକ ଚେଷ୍ଟା ଭିତରେ । ଠା’କରେ ଥାଏ ସ୍ୱାଭାବିକ କ୍ଷୁଧା । ଆରଟିରେ ଥାଏ ଔଷଧ ଖାଇ କ୍ଷୁଧାର ସ୍ୱର ଉଠାଇବାର ଚେଷ୍ଟା ।

 

ଗୋଟିଏ ଯେପରି ପ୍ରାଣହୀନ, ଆରଟି ସେହିପରି ଉଚ୍ଛ୍ୱାସରେ ଭରପୁର ।

 

ପାଠକମାନେ ଏଥିରେ ଏକମତ ହୋଇ ଗୋଟାଏ ଅତି ଜଣାଶୁଣା ଓଡ଼ିଆ ଉଦାହରଣ ଦେବେ । ଆମର ଓଡ଼ିଆ ସାହିତ୍ୟ ଅପାଙ୍ଗ ବୋଲି ଗୋଟିଏ କାର୍ଯ୍ୟର ମହିମାରେ ଭରପୁର । କିନ୍ତୁ ଅପାଙ୍ଗ ଚାହାଣୀ ଓଡ଼ିଆ ସମାଜରୁ ମରିଯାଇଛି । ଅନୁଭବୀ କହିବ ଯେ ଅପାଙ୍ଗ ଚାହାଣୀର ଉତ୍କଟତା ତିରିଶି ଚାଳିଶିବର୍ଷ ମଧ୍ୟ ସେହିପରି ଅଭୁଲା ସ୍ମୃତି ରୂପେ ରହିପାରେ । ଏହା ଟେରା ଚାହାଣୀ କି ଚୋରା ଚାହାଣୀ ନୁହେଁ ।

 

ଜଣେ ବିଶିଷ୍ଟ ଲେଖକ ମତ ପ୍ରକାଶ କରୁଥିଲେ ଯେ ସେ ଥରେ ଅପାଙ୍ଗ ଚାହାଣୀ ଦେଖିଥିଲେ ସଇଁତିରିଶି ମସିହାରେ କଟକ ରେଭେନ୍‌ସା କଲେଜର ଗୋଟିଏ ଏକଜିବିସନ୍‌ରେ । ପୁଣି ଥରେ ସେ ଦେଖିଥିଲେ ଗୋଟିଏ ଲେଡ଼ି ଡାକ୍ତରର ଆଖିରେ ବାସ୍ତରୀ ମସିହାରେ ।

 

ସେ ପଇଁତିରିଶିବର୍ଷ ଏହି ସହରବଜାରର ଅସଂଖ୍ୟ ନରନାରୀଙ୍କର ପଟୁଆରରେ ଏଇ ଅପାଙ୍ଗ ଚାହାଣୀ ଥରେ ଦେଖିବାକୁ ଖୋଜିଛନ୍ତି ।

 

–ଅପାଙ୍ଗ କ’ଣ ତାହାହେଲେ ?

 

–ଇଏ ହେଉଛି ନାରୀର ନାରୀତ୍ୱର ଅତି ସୂକ୍ଷ୍ମ ପରିପ୍ରକାଶ । ଇଏ ସମାଜର ପୁଲିସ ଘେରକୁ ଠକେଇ ଦେଇ ଜଣେ ଆଉ ଜଣକୁ ପଠାଉଥିବା ଇସାରା । ଏଥିରେ ଥାଏ ସ୍ନେହ, ପ୍ରୀତି, କୌତୂହଳ, କାମନା, ପ୍ରତୀକ୍ଷା, ନିବେଦନ ଓ ଅନେକ ପ୍ରାସଙ୍ଗିକ ପ୍ରଶ୍ନ ।

 

ଓଡ଼ିଆର ଅସଂଖ୍ୟ ନାରୀ–ଆଧାରିତ ଗଳ୍ପ ଓ ଉପନ୍ୟାସରେ ଅପାଙ୍ଗର ସ୍ପଷ୍ଟ ଚିତ୍ର ନାହିଁ-। ଅଥଚ ରୁଷ ମହିଳା ମହାକାଶଚାରିଣୀଙ୍କର ଭୁବନେଶ୍ୱର ରହଣୀବେଳେ ସେ ତାଙ୍କର ସ୍ୱାମୀଙ୍କୁ ଯେଉଁ ପ୍ରକାରରେ ଚାହିଁଥିଲେ ସେଥିରେ ଅପାଙ୍ଗର ନିକଟତମ ବ୍ୟଞ୍ଜନା ଦେଖା ଦେଇଥିଲା-

 

ଏବେ ଲେଖକ ଓ ପାଠକମାନେ ବଡ଼ ସହରର ମେଳା ମହୋତ୍ସବରେ ଅସଂଖ୍ୟ ତରୁଣ, ସ୍ୱପ୍ନାବିଷ୍ଟ, ସୁନ୍ଦର ଆଖିକୁ ଚାହିଁ ଦେଖନ୍ତୁ । ବେଶ୍‌ ଦେଖି ପାରିବେ ଯେ ସମାଜର ସ୍ତରେସ୍ତରେ ଏହି ବିଚିତ୍ର ଅପାଙ୍ଗ ଚାହାଣୀ କେବଳ ଆମର ହୃଦୟହୀନତା ପାଇଁ ମରି ଯାଇଛି । ନାରୀର ଆଖି ତାହାର ସୌନ୍ଦର୍ଯ୍ୟର ପ୍ରାଣକୁ ହରାଇଛି ସେଥିରେ ଖାଲି ବିଭିନ୍ନ କଳା ବୋଳି ନିଜକୁ ହରିଣ ପରି କରିବାକୁ ବୃଥା ଚେଷ୍ଟା ନାରୀମାନେ କରୁଛନ୍ତି ।

 

ଏହି ଶିକ୍ଷିତା ତରୁଣୀମାନେ ସହରରେ ରହି ଶିଖିପାରି ନାହାନ୍ତି ଯେ ପଶୁଜଗତରେ ଅପାଙ୍ଗ ଚାହାଣୀ ନାହିଁ, ଆଉ ଏହି ଅଭାବକୁ ପୂରଣ କରିବାକୁ ଲେଖକମାନେ ମଧ୍ୟ ଚେଷ୍ଟା କରି ନାହାନ୍ତି । ଜୀବନର ମଧୁମଦିରା ସଂକୁଚିତ ହୋଇ ଯାଇଛି ।

 

ଏହିପରି ଅସଂଖ୍ୟ ଛୋଟିଆ ଛୋଟିଆ ଅଭାବ ଆମର ଦୈନନ୍ଦିନ ଜୀବନକୁ ଶୁଖିଲା ଓ ବିଭଙ୍ଗ କରିଦେଲଣି । ଆମର ସାଂସ୍କୃତିକ ବିଭବକୁ ପାଶୋରି ଦେଇ ଆମେ କେବଳ ଧନଦ୍ୱାରା ନିଜକୁ ସଞ୍ଜୀବିତ କରୁଛୁ । ଫଳରେ ଆମର ସାହିତ୍ୟ ତାହାର ପ୍ରତିଫଳନ ଦେଖାଉଛି ।

 

ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଯେଉଁ ଗୋଟିକ ବିଶେଷତ୍ୱ ଥିଲା ସେତକ ଆଜି ଲୁଚିଯାଉଛି । ଲେଖକମାନଙ୍କର ଦୂରଦୃଷ୍ଟି ଥିଲେ ସେମାନେ ଆମର ସାଂସ୍କୃତିକ ଅଭାବ ଓ ଅଧୋଗତି ବିଷୟରେ ଆମକୁ ସଚେତନ କରିପାରନ୍ତେ ।

 

ହେଉ ନାହିଁ । କାରଣ କଥାଟା ମନରେ ବାନ୍ଧିବା ଆଗରୁ ଲେଖକମାନେ ପରୀକ୍ଷା କୋଠରୀର ପରୀକ୍ଷାର୍ଥୀଙ୍କ ପରି ଜୀବନ ବିକଳରେ ହାତର ଘଡ଼ିକୁ ଲକ୍ଷ୍ୟ ରଖି କଲମ ଠେଲୁଛନ୍ତି । ତେଣୁ ଓଡ଼ିଆ ସାହିତ୍ୟର ନୂଆ ରୂପରେଖ ହେଲା ଅକ୍ଷର । ଅକ୍ଷରରେ ଯୋଡ଼ା ଅକ୍ଷର ।

 

ଶ୍ରୀ ସୁରେନ୍ଦ୍ର ମହାନ୍ତି, ଶ୍ରୀ ଗୋପୀନାଥ ମହାନ୍ତି ଏପରି କି ଶ୍ରୀ ଅଖିଳ ପଟ୍ଟନାୟକ ମଧ୍ୟ କ’ଣ ପାଇଁ କ’ଣ ଲେଖିଲେ ଓ ଓଡ଼ିଆ ସାହିତ୍ୟ କେତେଦୂର ନୂତନତାରେ ରୁଦ୍ଧିମନ୍ତ ହେଲା–ଏହାର ପ୍ରଚାର ଚଳାଇଲେଣି । ପ୍ରତିଭାର ଏହି ସ୍ୱୟଂସମ୍ୱର୍ଦ୍ଧନା ବେଶ୍‌ ଆନନ୍ଦଦାୟକ । କାରଣ ଶୋଭା ଆଖିରେ ମପା ନ ହୋଇ ତୁଣ୍ତର କଥାରେ ଓଜନ ହେଇପାରୁଛି ।

 

ପ୍ରତିକାର ହେଉଛି ଯେ ଲେଖକମାନେ କଲମ ବନ୍ଦ କରିଦେଇ ହୁଏତ ଗୋଟିଏ ଅଳ୍ପ ପରିସର ଜାଗାରେ ମୌନ ରହି ନିଜକୁ ଓ ପରକୁ ସମୀକ୍ଷା କରନ୍ତୁ । ଖାଲି ଓଡ଼ିଶାର ସେବା କରିବେ ବୋଲି ପଢ଼ା ଛାଡ଼ି ଜୟ ଉତ୍କଳମାତାର ଜୟ–ଡାକ ଦେଲେ ଉତ୍କଳମାତା କିଛି ପାଇ ପାରିବ ନାହିଁ ।

 

ଆମେ ଏବେ ଯେପରି ଭାବରେ ଚରିତ୍ର ମାନଙ୍କର ରହସ୍ୟ ଉଦ୍‌ଘାଟନ କରିବାରେ ଲାଗିଛୁ ଦେଖିଲେ ବଡ଼ ଆନନ୍ଦ ଲାଗେ । ପନ୍ଦର ବରଷିଆ ପୁଅ କୋଡ଼ିଏ ବରଷିଆ ଝିଅର ଚରିତ୍ରର ରହସ୍ୟ ଉଦ୍‌ଘାଟନ କରୁଛି କିମ୍ୱା କୋଡ଼ିଏ ବରଷର ଯୁବତୀ ଯାଇ ଷାଠିଏ ବରଷର ବୁଢ଼ାର ଚରିତ୍ର–ରହସ୍ୟ ଉଦ୍‌ଘାଟନ କରିବାକୁ କହୁଛି–କ’ଣ, ଆଠଦିନରେ ଥରେ ଆସିଲେ ଚଳିବ ନାହିଁ ?

 

ଏମିତି ଯେଉଁ ବିଷମ ମାନସିକ ସ୍ଥିତିର ରହସ୍ୟ ଉଦ୍‌ଘାଟନ ପରିକ୍ରମା ଏବେ ବୌଦ୍ଧିକତା ନାମରେ ଚାଲିଛି ସେଥିରେ ବୌଦ୍ଧିକତାର ପ୍ରକୃତ ତତ୍ତ୍ୱ ଦିଶିବ କିପରି ?

 

ପୁରାଣ ଯୁଗରେ ବାଘ, ସିଂହ, କାପ୍ତା, ବାଦୁଡ଼ି ଓ ଭୂତପ୍ରେତ କଥା କହୁଥିଲେ । ଆମେ ଆମର କହିବାର କଥାକୁ ତାଙ୍କ ଦ୍ୱାରା କୁହାଇ ଦେଉଥିଲୁ । ଏବେ କିନ୍ତୁ ଆମକୁ ଗଢ଼ିବାକୁ ହେବ ଅସଂଖ୍ୟ ଜୀବନ୍ତ ଚରିତ୍ର–ଯିଏ ତାଙ୍କ କଥା ତାଙ୍କ ପରି କହିବେ ।

 

ବଙ୍ଗଳା ସାହିତ୍ୟରେ ଲେଖକମାନେ ତାଙ୍କର ପାଠକଙ୍କର ସାଂସ୍କୃତିକ ମାନ ବଢ଼ାଇବାରେ ସାହାଯ୍ୟ କଲେ । ଜଣେ ପାଠକ ଦଶବର୍ଷ ବିଭିନ୍ନ ବହି ପଢ଼ିସାରିଲା ପରେ ପରସ୍ପର ପରିପୂରକ ଭାବରେ ଲେଖକକୁ ଯେମିତି ନୂଆ ଆଙ୍ଗିକ ଓ ନୂଆ ଚେତନାର ବାଟ ଦେଖାଇଲା ସେମିତି ଲେଖକ ମଧ୍ୟ ତାହାର ପାଠକକୁ ଜୀବନର ଅଭିନବ ରୂପର ସନ୍ଧାନ ଦେଲା । ଏକଥା ଓଡ଼ିଶାରେ ହେଲା ନାହିଁ କାହିଁକି ?

 

କେଉଁ ଓଡ଼ିଆ ଲେଖକର ଲେଖା ପଢ଼ି ଓଡ଼ିଆ ଲୋକ ତାହାର ଜୀବନକୁ ସରସ, ରୁଚିପୂର୍ଣ୍ଣ ଓ ମାର୍ଜିତ କରିବାକୁ ପ୍ରେରଣା ପାଇଲା ? ଓଲଟି ଡାକୁ ଓ ଗୋଇନ୍ଦା ବିଷୟ କେତେକ ଅଂଶରେ ତାହାର ପାଠକକୁ ପ୍ରେରଣା ଦେଇ ପାରିଲା ସିନା । ଯୁଗ ସୃଷ୍ଟିକାରୀ ଅନ୍ୟାନ୍ୟ ପ୍ରକାରର ସାହିତ୍ୟ ସେଥିରେ ଅସମର୍ଥ ହେଲା ।

 

ଏହାର କାରଣ ହେଲା ଯେ ଓଡ଼ିଆ ସାହିତ୍ୟ ଓଡ଼ିଆଙ୍କର ନୁହେଁ ଓ ଏଗୁଡ଼ିକ ମଧ୍ୟ ଓଡ଼ିଆଙ୍କ ପାଇଁ ନୁହନ୍ତି । ଓଡ଼ିଆ ଲୋକଙ୍କୁ ବୁଝିବା କଷ୍ଟକର ବୋଲି ସମସ୍ତେ କହିଥାନ୍ତି । ଏମାନଙ୍କର ଭିତରଟା ପ୍ରହେଳିକା । ତେଣୁ ଏହି ଶ୍ରେଣୀର ମନ ଉପରେ ଦାଗ ପକାଇବା ପାଇଁ ଯେଉଁ ପ୍ରକାରର ସାଧନା ଓ ସ୍ପଷ୍ଟତା ଦରକାର ସେତକ ହୋଇ ପାରିଲା ନାହିଁ ।

 

କେହି ହୁଏ ତ କହିବେ ଯେ ଯାହା କିଛି ସାହିତ୍ୟର ସଂଗଠନ ଓ ସାହିତ୍ୟର ପରିପ୍ରକାଶ ହେଉଛି ସବୁ କ’ଣ ଏହିପରି ଏକାବେଳେକେ ବେଖାପ ? ଏତେ ଲେଖକଙ୍କ ଭିତରେ କେହି କ’ଣ ଓଡ଼ିଆର ପ୍ରାଣକୁ ବୁଝି ପାରିଲା ନାହିଁ ?

 

ଏ ପ୍ରଶ୍ନଟିର ଉତ୍ତର ଆମେ ରାଜନୀତିରେ ପାଉ । କଟକର ରେଭେନ୍‌ସା କଲେଜରେ ଏକାବନ ମସିହାରେ ଓଡ଼ିଶା ହାଇକୋଟର ପ୍ରଥମ ପ୍ରଧାନ ବିଚାରପତି ଶ୍ରୀ ବୀରକିଶୋର ରାୟ କହିଲେ–ଓଡ଼ିଆ ଜାତି କୃତଘ୍ନ । ଏମାନେ ଶ୍ରୀ ହରେକୃଷ୍ଣ ମହତାବଙ୍କୁ ଡକ୍ଟରେଟ୍‌ ଦେବାକୁ ରାଜି ହେଲେ ନାହିଁ ।

ସେହି ଡକ୍ଟର ହରେକୃଷ୍ଣ ମହତାବ ଦୀର୍ଘ ଅର୍ଦ୍ଧଶତାଦ୍ଦୀର ଚମକପ୍ରଦ କର୍ମମୟ ଜୀବନ ବିତାଇଲା ପରେ ତାଙ୍କୁ ସାଙ୍ଗଠନିକ ଶାସ୍ତି ଦିଆଗଲା ।

ଓଡ଼ିଶାର ଗୌରବ ଶ୍ରୀ ବିଜୁ ପଟ୍ଟନାୟକଙ୍କ ପାଇଁ ଓଡ଼ିଶାର ଶିଳ୍ପଚିତ୍ର ବଦଳିଥିଲା । ସେ ମୁଖ୍ୟମନ୍ତ୍ରୀତ୍ୱରୁ ଗଲାପରେ ତାଙ୍କୁ ମଧ୍ୟ ମାଡ଼ ହୋଇଥିଲା ।

ଉଭୟେ କହୁଥିଲେ ଯେ ସେମାନେ ଓଡ଼ିଶାକୁ ଜାଣନ୍ତି ଓ ଓଡ଼ିଆ ଲୋକଙ୍କୁ ଚିହ୍ନନ୍ତି । ତାହାହେଲେ ତାଙ୍କର ଏପରି ପ୍ରମାଦ ହେଲା କେମିତି ? ଏହାର ଉତ୍ତର ହେଉଛି ଯେ ଓଡ଼ିଶାର ନାଗରିକ ଚାହେଁ ଭିତରର ଓ ବାହାରର ଶୁଦ୍ଧି । ସେହି ଶୁଦ୍ଧତାରେ ଅହଙ୍କାର, ଲୋଭ, ଶଠତା, ଚରିତ୍ରର ସ୍ଖଳନ ଆଦି ଦୋଷ ନଥିବ । କାରଣ ସାଧାରଣ ଓଡ଼ିଆ ତାହାର ଘରୋଇ ମତରେ ଉଗ୍ର ସାଧୁତାର ସମର୍ଥକ ।

ଇଂରାଜୀ ପାଠ ଓ ସହରର ସଭ୍ୟତାର ପ୍ରଭାବରେ ସେ ତାହାର ସ୍ୱକୀୟ ଗୁଣ ହରାଉଛି-। ପେଟର ତାଡ଼ନାରେ ଓ ସୁଖର ଲାଳସାରେ ସେ ତାହାର ଅନ୍ତରର ଶୁଦ୍ଧତାକୁ ଗୌଣ ସ୍ଥାନ ଦେଉଛି । କିନ୍ତୁ ବେଳ ଅବେଳରେ ସେ ସ୍ପଷ୍ଟଭାବରେ ଶୁଦ୍ଧପୂତ ମଣିଷର ଭକ୍ତ ବୋଲି ପ୍ରମାଣ ଦିଏ-। ଭଲକରି ପରୀକ୍ଷା ନିରୀକ୍ଷା ନ କରି ସେ କିଛି ଗ୍ରହଣ କରିବାକୁ ରାଜି ନୁହେଁ ।

ଏହି ଗୁଣଟି ପାଇଁ ଓଡ଼ିଆ ସମାଜରେ କେତେକ ବିଶେଷତ୍ୱ ଦେଖା ଦେଇଛି । ଗୋଟିଏ ହେଲା ଯେ ସେ କାହାରି ସ୍ତାବକ ବା ଅନ୍ଧ ସ୍ତାବକ ହୁଏ ନାହିଁ । ଓଡ଼ିଶାର କୌଣସି ସାଧୁସନ୍ଥ ଓଡ଼ିଆଙ୍କର ସର୍ବାଙ୍ଗୀନ ସମର୍ଥନ ପାଇନାହାନ୍ତି ବା ଓଡ଼ିଆ ଭକ୍ତମାନଙ୍କର ସହଯୋଗରେ ଓଡ଼ିଶା ବାହାରେ ପରିଚିତ ହୋଇ ନାହାନ୍ତି ।

କୌଣସି ରାଜା ବା ନେତାଙ୍କୁ ଓଡ଼ିଆ ଲୋକ ସବୁ ଦିନେ ସବୁ ଅବସ୍ଥାରେ ସମର୍ଥନ ଦେଇ ବଡ଼ କରି ରଖେ ନାହିଁ । ତାହାର କଥା ହେଲା–

ଦେଶ କି ଅଟକେ ରାଜାର (ନେତାର) ଅଭାବେ ?

ଧର୍ମନାବ ଚାଲେ ଧର୍ମର ପ୍ରଭାବେ ।

ସବୁଠାରେ ରାଜା ଥିଲେ ଓ ଧର୍ମ ମଧ୍ୟ ଥିଲା । କିନ୍ତୁ ଏହି ଓଡ଼ିଆ ଭକ୍ତିର ସମାନ୍ତରାଳ ଉକ୍ତି ଅନ୍ୟ କୌଣସି ଭାଷାଭାଷୀଙ୍କର ନାହିଁ ।

ଓଡ଼ିଶାର ବଡ଼ କବି ଓ ସାହିତ୍ୟିକ ତାଙ୍କର ଜୀବନକାଳ ମଧ୍ୟରେ ବା ମରଣ ପରେ ପ୍ରସିଦ୍ଧି ପାଇ ନାହାନ୍ତି । କବି ରାଧାନାଥ ତାଙ୍କର ଶେଷ ଜୀବନରେ ପାର୍ବତୀ କାବ୍ୟପାଇଁ ବହୁ ପ୍ରକାରର ଜନ ନିନ୍ଦାର ଶରବ୍ୟ ହୋଇ ରହିଲେ । ଫକୀରମୋହନ ସେହିପରି ତାଙ୍କର ଜୀବନକାଳରେ ପ୍ରସିଦ୍ଧି ଲାଭ କରି ନାହାନ୍ତି ।

 

ମରଣୋତ୍ତର କାଳରେ ଯେଉଁ ଆଲୋଚନା ତର୍କବିତର୍କ ଚାଲିଛି ସେଥିରେ ଆମେ ସୁଧୀ ସମାଜ ତରଫରୁ ପ୍ରଚାର ମାଧ୍ୟମରେ ପ୍ରତିଭା ପୂଜା କରୁଛୁ । କିନ୍ତୁ ଓଡ଼ିଆ ଜନସମୁଦ୍ରରେ ମରଣୋତ୍ତର ପ୍ରତିଭାପୂଜା ସେହି ଜନ ସମର୍ଥନ ପାଇପାରୁ ନାହିଁ । ରବୀନ୍ଦ୍ର ସଙ୍ଗୀତ ବା ନଜରୁଲ କବିତା ବଙ୍ଗଳା ସାହିତ୍ୟରେ ଯେତିକି ବୁଝାଏ ଓଡ଼ିଆରେ ସେପରି ହୁଏ ନାହିଁ ।

 

ତେବେ ଜନସମର୍ଥନର ଚିହ୍ନ ବା ପରିଚୟ କ’ଣ ହେବ ପଚାରିଲେ ଆମେ ନିଶ୍ଚୟ ଉତ୍ତର ଦେବା ଯେ ଯେତେବେଳେ ଶିକ୍ଷିତ, ଅର୍ଦ୍ଧଶିକ୍ଷିତ, ସହରୀ, ଗାଉଁଲୀ, ଧନୀ, ନିର୍ଦ୍ଧନ ଓଡ଼ିଆ ଲୋକେ କୌଣସି ଗୋଟାଏ ବିଷୟକୁ ଅନ୍ୟର ବିନା ସାହାଯ୍ୟରେ ଖୋଜିବେ ଓ ଆଦର କରିବେ ସେତେବେଳେ ବୁଝିବାକୁ ହେବ ଯେ ସେହି ବିଷୟଟି ଐକାନ୍ତିକ ସମାଦର ପାଉଛି ।

 

ଓଡ଼ିଆ ଅଧ୍ୟାପକମାନେ ଓଡ଼ିଆ ସାହିତ୍ୟର ଯେଉଁ ଅଂଶ ପାଇଁ ତନ୍ମୟ, ଅନ୍ୟାନ୍ୟ ବିଭାଗର ଓଡ଼ିଆ ଭାଷୀ ଅଧ୍ୟାପକମାନେ ସେହିମାନଙ୍କ ସହିତ ବୋଧହୁଏ ସମ୍ୟକ୍‌ ପରିଚିତ ନୁହନ୍ତି-। ତେଣୁ ଓଡ଼ିଶାରେ ସର୍ବଜନ ବନ୍ଦିତ ସାହିତ୍ୟିକଙ୍କର ଘୋର ଅଭାବ ରହିଛି ଏକଥାରେ ସନ୍ଦେହ ନାହିଁ ।

 

କ’ଣ ପାଇଁ ଏକଥା ହେଲା । ଉତ୍କଳ ଖଣ୍ତରେ ପ୍ରତିଭା କ’ଣ ସୃଷ୍ଟି ହୋଇ ପାରିଲା ନାହିଁ-? ଏହାର ଉତ୍ତରରେ ଅନେକ ସାହିତ୍ୟିକ କହନ୍ତି ଯେ ପ୍ରତିଭା ସୃଷ୍ଟି ହୋଇଛି କିନ୍ତୁ ପ୍ରତିଭା ଆଦରଣୀୟ ହୋଇ ନାହିଁ ।

 

ପ୍ରକୃତ କଥା ହେଉଛି ଯେ ସେହିପରି ଅସାଧାରଣ ପ୍ରତିଭାର ବିକାଶ ପାଇଁ ଅଧିକାଂଶ ଲୋକ ହୀନ, ମୂର୍ଖ ଓ ଦୁର୍ବଳ ହେଇଥିବା ଦରକାର । ଉତ୍କଳ ଖଣ୍ତରେ ଅଧିକାଂଶ ଲୋକ ନିଜର ପ୍ରତିଭା ବିଷୟରେ ସଚେତନ । ଲେଖକ ଓ ପାଠକଙ୍କ ମଧ୍ୟରେ ଗୁଣାତ୍ମକ ମାନର ବିଷମତା ନାହିଁ ।

 

ତେଣୁ ସ୍ଥାନୀୟ ବିଚାରରେ ପ୍ରତିଭା କହିଲେ ବୁଝିବାକୁ ହୋଇଛି ସ୍ୱୀକୃତିପ୍ରାପ୍ତ ପ୍ରତିଭା । ଆଉ ଏହି ସ୍ୱୀକୃତି ପଛରେ ଜନ ସମର୍ଥନ ନଥିବାରୁ ଏହି ସ୍ୱୀକୃତିପ୍ରାପ୍ତ ପ୍ରତିଭା ସାଧାରଣରେ ସମର୍ଥିତ ନୁହେଁ ।

 

ଆଉ ଗୋଟିଏ ବିଶେଷ କଥା ହେଲା ଯେ ଏଇ ସୁବର୍ଣ୍ଣରେଖାଠାରୁ ବଂଶଧାରା ନଦୀର ଅଞ୍ଚଳରେ ଉତ୍ସାହ ପ୍ରକାଶ କରିବା ମଧ୍ୟ ଅଭ୍ୟାସ ଧାରା ନୁହେଁ । କିନ୍ତୁ ଉତ୍ସାହୀ ହେବା ଯେ ସଭ୍ୟତା ଓ ସଂସ୍କୃତିର ଗୋଟିଏ ଚିହ୍ନ–ଏତକ ଆମେ ସ୍ୱୀକାର କରିବାକୁ ନାରାଜ ।

 

ବଙ୍ଗଳା, ହିନ୍ଦୀ, ପଞ୍ଜାବୀ, ମରଠା, ତେଲୁଗୁ ଇତ୍ୟାଦି ଭାଷାର ଅଞ୍ଚଳରେ ଅନ୍ୟର ସାଧନାର ସମର୍ଥନରେ ଓ ପୋଷକତାରେ ଉତ୍ସାହ ପ୍ରକାଶ କରିବା ଗୋଟାଏ ପ୍ରକାରର ଆଦରଣୀୟ ଓ ଆକର୍ଷଣୀୟ ଧାରା । ଆମେ ଓଡ଼ିଶାରେ ଉତ୍ସାହ ଦେଖାଇବାରେ ଅନୁଷ୍ଣ କିନ୍ତୁ ପ୍ରତିଭାର ମୂଲ୍ୟାୟନ କରି ନିରବ ସମର୍ଥନ ଦେବାରେ ବିମୁଖ ନୋହୁଁ ।

 

ଏବେ ଶୁଖିଲା ତୁଣ୍ତ–ସୁଆଦିଆ ସଭ୍ୟ ସମାଜରେ ସମସ୍ତଙ୍କୁ ଭଲ—ଭଲ କହିବା, ଖୁସି ହେବା ପରି ଦେଖାଇବା ଓ ଆଘାତ ନ କଲା ପରି କହିବା ଗୋଟିଏ ପ୍ରଚଳିତ ଧାରା । ଏହି ଧାରାରେ ଚଳିବା ମଧ୍ୟ ଗୋଟିଏ ଅଭ୍ୟାସ ।

 

ଶାନ୍ତିନିକେତନର ଛାତ୍ର ଓ ଅଧ୍ୟାପକମାନେ ଯେତେବେଳେ ଓଡ଼ିଶାର ଛାତ୍ର ଓ ଅଧ୍ୟାପକଙ୍କ ମେଳରେ ଏକାଠି ଦେଖା ପଡ଼ନ୍ତି ସେତେବେଳେ ଆମର ଆଭିମୁଖ୍ୟ ବାରି ହୋଇଯାଏ-। ଶାନ୍ତିନିକେତନରେ କିଛି ବର୍ଷ ରହିଥିବା ଲୋକେ ନିଶ୍ଚିତ ଭାବରେ ଅଧିକ ଦରଦୀ ଓ ହୃଦୟବାନ ଜଣାପଡ଼ନ୍ତି ।

 

ଏହି ବ୍ୟବହାରର ଦରଦ ଓ ହୃଦୟବାନ୍‌–ସମୁଚିତ ବ୍ୟବହାର ନିଶ୍ଚିତ ଭାବରେ ସାହିତ୍ୟ–ଆଧାରିତ ସଂସ୍କୃତି । ସାହିତ୍ୟ ହୃଦୟର ସୂକ୍ଷ୍ମ ଓ କୋମଳ ତରଙ୍ଗର ଅଭିବ୍ୟକ୍ତି । ତେଣୁ ସାହିତ୍ୟିକର ପ୍ରତିଭାର ମୂଲ୍ୟାୟନ କଲାବେଳେ ଆମେ ଏହି ସାଂସ୍କୃତିକ ଆଭିମୁଖ୍ୟ ପ୍ରତି ଦୃଷ୍ଟି ରଖିବା ବୋଧହୁଏ ପ୍ରୟୋଜନ ।

 

ଯଦି ଏହି କଥା ଠିକ୍‌ ଅର୍ଥାତ୍‌ ଆମେ ଉଚ୍ଚତର ସଂସ୍କୃତିର ଅଧିକାରୀ ତାହାହେଲେ ଆମର ଭିତର ଓ ବାହାର ସମାନ ପ୍ରକାରରେ କୋମଳ ହେବା ଦରକାର । ଅପରର ଶିକ୍ଷା ଓ ସଂସ୍କୃତି ପାଇଁ ଆମର ସହାନୁଭୂତି ରହିବା ଦରକାର ।

 

ଏଇଠି ଗୋଟିଏ ଅଡ଼ୁଆ ରହିଛି–ସିଏ ହେଲା ଆମର ଅଭ୍ୟସ୍ତ ଚିନ୍ତାଧାରା । ଓଡ଼ିଶାର ଲୋକେ ଜର୍ମାନ ଜାତି ଅବା ଜୁଲୁ ଜାତି ପରି ଗୋଟାଏ ପ୍ରକାରର ଆଭ୍ୟନ୍ତରୀଣ ନିୟନ୍ତ୍ରଣର ଅଧୀନ । ଆମେ ସମସ୍ତେ ଜଣେ କାହାରି ବାହୁଛାୟା ତଳେ ରହିବାକୁ ସୁଖ ପାଉ ।

 

ଏହି ବାହୁଛାୟା ଗୋଟିଏ ସମର–ଆଧାରିତ ସମାଜର ପରି ପ୍ରକାଶମୂଳକ ଶଦ୍ଦ । ଏହାର ଅର୍ଥ ଠିକ୍ ମୂରବି ବା ଗାର୍ଜନ ନୁହେଁ । ଏହା ଗୁରୁ–ଶିଷ୍ୟର ସମ୍ୱନ୍ଧ ନୁହେଁ । ଏପରିକି ନେତା–କର୍ମୀର ସମ୍ୱନ୍ଧ ନୁହେଁ । ଏହା ଗୋଟିଏ ସାମନ୍ତବାଦୀ ଶଦ୍ଦ । ଏହାର ତାତ୍ପର୍ଯ୍ୟ ଆମର ଏପରି ମଜ୍ଜାଗତ ଯେ ବାହୁଛାୟା ନ ମିଳିଲେ ଆମକୁ ଯେମିତି ଖରାପ ଲାଗେ ଠିକ୍‌ ସେମିତି ବାହୁଛାୟା ତଳକୁ କେହି ନ ଆସିଲେ ବାବୁ ବି ବିଗିଡ଼ିଯାଏ ।

 

ଜୁଲୁମାନଙ୍କର କଥା ଅଛି–କାଖତଳେ ତା’କୁ ନେଲି । ଅର୍ଥାତ୍‌ ସେ ମୋର ଆଶ୍ରିତ ହେଲା ।

 

ଏହି ବାହୁଛାୟା ପରି ଶଦ୍ଦ ତେଲୁଗୁ, ତାମିଲ ଓ ମାଲୟାଲମ ସାହିତ୍ୟରେ ନାହିଁ । କିନ୍ତୁ ବିହାର ଅଞ୍ଚଳରେ ଅର୍ଥାତ୍‌ ଉତ୍ତର ପ୍ରଦେଶ ଓ ବିହାରରେ ଅଛି । ବଙ୍ଗଳାରେ ନାହିଁ–ଆସାମରେ ନାହିଁ ।

 

ବାହୁଛାୟାର ଆଧିକ୍ୟ ଆମର ଓଡ଼ିଆ ସମାଜରେ ଗୋଷ୍ଠୀ ଓ ଆଞ୍ଚଳିକତା ପାଇଁ ଦାୟୀ-। ଆମର ଓଡ଼ିଶାର ଛତିଶି ପାଟକ ଏହି ବାହୁଛାୟାର ଦର୍ଶନ ତତ୍ତ୍ୱରେ ଗଢା ହୋଇଥିଲା-

 

ତେଣୁ ସୁବେଦାର ରହିବା କଥା । ସୁବେଦାର ଅଧୀନରେ ଲୋକେ କିଛି ସମୟ ନିରିହ ଓ ବାଧ୍ୟ ହୋଇ ରହନ୍ତି । ସୁବେଦାରର ଦୋଷ ଗୁଣକୁ ଲକ୍ଷ୍ୟ ରଖି ହଠାତ୍‌ ଦିନେ ବିଦ୍ରୋହ କରି ତାକୁ ଫୋପାଡ଼ି ଦେଉଥିଲେ ।

 

ଆମର ଓଡ଼ିଶାର ଓଡ଼ିଆ ସମାଜ ସେଇଆ । ଯିଏ ଘଣ୍ଟା ଘଣ୍ଟା ଧରି ପ୍ରତିଦିନ ଆମର ନେତା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ଦୁଆରେ ବସନ୍ତି ସେଇ ପୁଣି ତାଙ୍କରି ବିରୁଦ୍ଧରେ ପ୍ରଚାର କରନ୍ତି, ବକ୍ତୃତା ଦିଅନ୍ତି ଓ ହାରାମି କରନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କ ଛଡ଼ା ଅନ୍ୟ କିସମର ନେତାଙ୍କୁ ଖାତିରପାସ୍‌ କରନ୍ତି ନାହିଁ ।

 

ଏଇଟା ଖାଲି ରାଜନୀତି ନୁହେଁ । ଇଏ ମଧ୍ୟ ଆମର ସମାଜର ନୀତି । ଆମେ ଅବସର ପ୍ରାପ୍ତ କିଲଟର, କମିସନର, ସେକ୍ରେଟେରିଙ୍କୁ ହଠାତ୍‌ ପାଶୋରି ଦେଉ । ଏପରିକି ବଦଳି ହେଇଗଲା ପରେ ଆମର ତାତ୍କାଳିକ ପ୍ରଭୁଙ୍କୁ ହଠାତ୍‌ ପାସୋରି ଦେଉ । ଆଉ ପାସୋରି ଦେଇ ପ୍ରତିଶୋଧ ନେଲୁ ବୋଲି ମଧ୍ୟ କହୁ ।

 

ଯେତେବେଳେ ସାହିତ୍ୟିକ ଶ୍ରୀ ଗୋଦାବରୀଶ ମିଶ୍ର ମନ୍ତ୍ରୀତ୍ୱରୁ ଗଲେ ସେତେବେଳେ ସବୁ ପ୍ରକାରର ସାହେବ ଓ ଅଣଓଡ଼ିଆ ଶାସନମୁଖ୍ୟ ଓ ବିଭାଗୀୟ ମୁଖ୍ୟମାନେ ଆସି ମେଲାଣି ନେଇଥିଲେ । ଅନୁପସ୍ଥିତ ତାଲିକାରେ ଥିଲେ ତତ୍କାଳୀନ ଶିକ୍ଷା ଡିରେକ୍ଟର ଶ୍ରୀଯୁକ୍ତ ଶ୍ୟାମାଚରଣ ତ୍ରିପାଠୀ ।

 

କିନ୍ତୁ ସାହିତ୍ୟ ବିଭାଗରେ ଏହିକଥା । କେବଳ ସାହିତ୍ୟ ଏକାଡେମିର ସଂପାଦକ ପଦବୀରେ ସୀମିତ ରହେ । ଜଣେ ସମ୍ପାଦକ ଗଲେ ସାହିତ୍ୟିକମାନେ ହଠାତ୍‌ ତାଙ୍କୁ ଭୁଲନ୍ତି । ଆଉ ଭୁଲିଗଲେ ବୋଲି ମଧ୍ୟ ତାଙ୍କୁ ଜଣାଇ ଦିଅନ୍ତି ।

 

ସାଧାରଣ ସାହିତ୍ୟିକ ଓଡ଼ିଶା ସାହିତ୍ୟ ଏକାଡେମିର ସଂପାଦକ, ସଭାପତି ଓ ମନ୍ତ୍ରୀଙ୍କ ଛଡ଼ା ଆଉ କାହାକୁ ନେତୃତ୍ୱର ସ୍ୱୀକୃତି ଦିଏ ନାହିଁ–ସିଏ ପୁଣି କ୍ଷଣସ୍ଥାୟୀ ।

 

ଏହି ବିଷୟରେ ସାହିତ୍ୟିକମାନେ ନିରବ । କାରଣ ଏହି କାର୍ଯ୍ୟ ସମୂହ ଭାବରେ ସେମାନେ କରିବାକୁ ଆଗ୍ରହୀ । କେବଳ ପ୍ରୟୋଜନ ହେଉଛି ବନ୍ଧୁତା ଓ ବଶ୍ୟତାର କାରଣ । ଇଏ ତ କେବେହେଲେ ସାହିତ୍ୟ–ସୁଲଭ ବା ସଂସ୍କୃତି–ଉପଯୁକ୍ତ ଆଭିମୁଖ୍ୟ ନୁହେଁ ।

 

ତେଣୁ ଛୋଟିଆ ମଣିଷଙ୍କର ସମଷ୍ଟିରେ ଆମର ଯେଉଁ ସାହିତ୍ୟ ସଂସ୍ଥା ଓ ସାହିତ୍ୟ–ସମାଜ ଗଢ଼ୁଛୁ ସେଥିରେ ଉଚ୍ଚତର ମାନ ଆଶା କରିବା କଷ୍ଟକର । ଅପରର ପ୍ରତିଭାକୁ ସ୍ୱୀକୃତି ଦେବା ଗୋଟିଏ ଅଳ୍ପ ଆୟାସ–ସାଧ୍ୟ କାମ ନୁହେଁ । ଏଥିପାଇଁ ଗୋଟିଏ ପୀଡ଼ି ନୁହେଁ ଦୁଇଟି ପୁରୁଷର ଚେଷ୍ଟା ଦରକାର ।

 

ଜୀବନର ପ୍ରଚଳିତ ଆଭିମୁଖ୍ୟକୁ ବଦଳାଇବା ସାହିତ୍ୟର ଲକ୍ଷ୍ୟ । ସେଥିରେ ଯେଉଁ ସମାଜର ଆଭିମୁଖ୍ୟ ବଦଳାଇବା ଦରକାର, ତାକୁ ବଦଳାଇବାକୁ ସମର୍ଥ କେବଳ ସେହି ସମାଜର ସାହିତ୍ୟିକ । ଓଡ଼ିଆ ସମାଜର ପୂର୍ବପ୍ରଚଳିତ ମୂଲ୍ୟବୋଧକୁ ନୂତନ ଦିଗନ୍ତ ଦେଖାଇବେ ଓଡ଼ିଆ ସାହିତ୍ୟିକ ।

 

ଏଥିପାଇଁ କାହାରି ବକ୍ତୃତା ବା ନିର୍ଦ୍ଦେଶ ଦରକାର ନାହିଁ । ସାହିତ୍ୟିକ ତାହାର ସମାଜର ବିଭବ ଓ ପ୍ରମାଦକୁ ଲକ୍ଷ୍ୟ ରଖିଥିଲେ ସେ ତାହାର କଲମରେ ସ୍ଥାନ–କାଳ–ପାତ୍ର–ସମର୍ଥିତ ନୂତନ ଦିଗନ୍ତ ଓ ନୂତନ ଆଦର୍ଶ ଦେଇ ପାରିବ ।

 

ଏହି କାମ ସମ୍ଭବ ହେବା ପରି ଦିଶୁଛି–ଡକ୍ଟର ହରେକୃଷ୍ଣ ମହତାବ, ଡକ୍ଟର ମାୟାଧର ମାନସିଂହ ଓ ଶ୍ରୀ ଗୋପୀନାଥ ମହାନ୍ତିଙ୍କ ଦ୍ୱାରା । ଓଡ଼ିଆ ସମାଜର ଚେତନାର ସମ୍ୟକ ବୈଜ୍ଞାନିକ ସମୀକ୍ଷା କରିବାପାଇଁ ଏହି ତିନିଜଣଙ୍କର ଶିକ୍ଷା ଓ ଅନୁଭବକୁ ପର୍ଯ୍ୟାପ୍ତ କୁହାଯାଇପାରେ । କିନ୍ତୁ ଏତିକିରେ ହେବ ନାହିଁ । ଆଉରି ଅନେକ ବିଶେଷ ଜ୍ଞାନୀ ଓ ବିଶିଷ୍ଟ ଅନୁଭବୀ ଦରକାର । ଏମାନେ କିଏ ?

 

ଡକ୍ଟର ପ୍ରାଣକୃଷ୍ଣ ପରିଜା ଏହି କାର୍ଯ୍ୟଟି ପାଇଁ ସମୁପଯୁକ୍ତ ବୋଲି କୋଡ଼ିଏମସିହାରୁ ଚାଳିଶିମସିହା ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟକଙ୍କର ଧାରଣା ଥିଲା । କିନ୍ତୁ ସେତେବେଳେ ସାରା ଓଡ଼ିଶାର ଡିବିରି ଆଲୁଅ କହିଲେ ବୁଝୁଥିଲୁ ଆଲୋକ । ତେଣୁ ଏତେ ବଡ଼ ଅନୁଦାର ପରିବେଶରେ ସେ ସମ୍ପୂର୍ଣ୍ଣ ହଜିଯାଇ କେବଳ ଲୋକଙ୍କୁ ଦାନ କରିବା, ଚାକିରି କରାଇବା, ସାର୍ଟିଫିକେଟ ଦବା ଓ ପିଲାଙ୍କର ବାହାଘର ପାଇଁ ପାତ୍ର ଖୋଜିବା କାମରେ ତାଙ୍କୁ ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ସମାଜ ଲଗାଇ ଦେଇ ଖତମ୍‌ କରିଦେଲା ।

 

ଅନଗ୍ରସର ପରିବେଶରେ ଧନ ଅତ୍ୟନ୍ତ ଅନିଷ୍ଟକାରୀ ହୋଇଥାଏ । କେବଳ ପ୍ରତିଭା ଥାଇ ପୃଷ୍ଠଭୂମିର ସହଯୋଗ ନ ପାଇଲେ କିଛି ହୋଇପାରେ ନାହିଁ । ଏହିକଥା ବୁଝିଥିଲେ ମହାତ୍ମା ଗାନ୍ଧୀ ଓ ବୀର ନେପୋଲିଅନ୍‌ ।

 

ଏବେ ଓଡ଼ିଶା ପଚାଶବର୍ଷ ତଳର ଅନଗ୍ରସରତା ନେଇ ରହି ନାହିଁ । ଓଡ଼ିଶାର ସୁଧୀ ସମାଜ ଆଜି ତାହାର ପ୍ରତିଭାର ମୂଲ୍ୟାୟନ କରାଇନେବାକୁ ଆଗ୍ରହୀ । ସେଥିରେ କେବଳ ଗୋଟିଏ ପ୍ରଶ୍ନ ଆସେ ଯେ ପ୍ରତିଭା ଅଛି ନା ପ୍ରତିଭା ଥାଇପାରେ ବୋଲି ସନ୍ଦେହ ଅଛି ?

 

ଓଡ଼ିଶାର ଜନସମାଜ ଏହି ପ୍ରତିଭା ଥିବା ବିଷୟରେ ହଠାତ୍‌ ବାଚାଳ ହେଲେ ବା ପ୍ରଚାରରେ ଲାଗିଗଲେ ପ୍ରତିଭାର ଉନ୍ମେଷ ହେବ ନା ପ୍ରତିଭା ତାହାର ନିଜର ବଳରେ ସବୁପ୍ରକାରର ବିରୋଧ ଓ ଅପପ୍ରଚାରକୁ ପରାସ୍ତ କରି ଉଠିବ ?

 

ଓଡ଼ିଆ ଲେଖକ ସମାଜ ନିଜର ସ୍ୱୟଂ–ସମ୍ପୂର୍ଣ୍ଣତା ବିଷୟରେ ପ୍ରକୃତିସ୍ଥ ଓ ନିଃସନ୍ଦେହ ଥିଲେ ସେ କାହିଁକି ଗୋଷ୍ଠୀ କଥା ଭାବିବ ? ମାନସିକ ବଳ ଓ ଚେତନାର ଶୌର୍ଯ୍ୟର ସମର୍ଥନଥାଇ ସେ କ’ଣ ସ୍ଥାନୀୟ ଲୋକମତର ହାତଗଣା ବଳ ସଂଗ୍ରହ କରିବ ?

 

ଏହିପରି ହୋଇଥିଲା ପଶ୍ଚିମାଞ୍ଚଳର ସାହିତ୍ୟ ଗୋଷ୍ଠୀରେ । ସାହିତ୍ୟିକ ଶ୍ରୀ ମଙ୍ଗଳୁ ଚରଣ ବିଶ୍ୱାଳ ଆଞ୍ଚଳିକତା ବିଷୟରେ ଏକମତ ନ ହୋଇ ସ୍ଥାନୀୟ ମତରେ ଏକଘରିଆ ହୋଇଗଲେ । ତାଙ୍କ ବିରୁଦ୍ଧରେ ଅଭିଯୋଗ ହେଲା ଯେ ଆଞ୍ଚଳିକତା ମଧ୍ୟ ସାହିତ୍ୟର ବଳକାରକ କାରଣ–ଏପରି ବିଷୟରେ ସେ ସମର୍ଥନ ଦେବେ ନାହିଁ କାହିଁକି ? ଠିକ୍‌ ଏହି ମତ ପ୍ରକାଶ କଲେ ନାଟ୍ୟକାର ଶ୍ରୀ ପ୍ରଫୁଲ୍ଲକୁମାର ରଥ ।

 

ଠିକ୍‌ ହେଉ କି ଭୁଲ ହେଉ ଅବା ଯୁକ୍ତିଯୁକ୍ତ କି ଯୁକ୍ତିହୀନ ଯାହା ହେଉ ନା କାହିଁକି ଏହି ସାହିତ୍ୟିକ ଶ୍ରୀ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ପରି ଲୋକ ସାର୍ବଜନୀନତା ଖୋଜୁଛନ୍ତି । ଆଉ ସେହି ମତର ପୋଷକତା କରିପାରୁଛନ୍ତି । ଏହି ନିର୍ଭୀକତା ଓ ସ୍ପଷ୍ଟବାଦିତା ପାଇଁ ତାଙ୍କୁ ଆମେ ଓଡ଼ିଆ ସାହିତ୍ୟିକ ହିସାବରେ ଯେ ବର୍ଗୋତ୍ତମ ସ୍ୱୀକୃତି ଦେବୁ–ଏପରି କିଛି କଥା ନାହିଁ ।

 

କ’ଣ ମିଳିବ ? –ଏହି ପ୍ରଶ୍ନ ମନରେ ନ ରଖି ଆମେ ଯେତେବେଳେ କରିବା, ଲେଖିବା ଓ ବଞ୍ଚିବା ପାଇଁଚେଷ୍ଟା କରୁ ସେତେବେଳେ ଆମକୁ କୁହାଯାଏ ଉନ୍ନତ । ଏମିତି ଉନ୍ନତ ଥିଲେ ବ୍ରିଟିଶ ଜାତି । ଏମିତି ଉନ୍ନତ ଗୋରଖା ଜାତି । ଏମିତି ଉନ୍ନତ ପଞ୍ଜାବୀ ଜାତି ।

 

ପ୍ରତ୍ୟେକ ସଂଗ୍ରାମଶୀଳ ପରିସ୍ଥିତିରେ ଏହି ଦୋକାନଦାରୀ ମନ କାମ ଦିଏ ନାହିଁ । ଏହାର ତୀବ୍ର ସମାଲୋଚନା ଫକୀରମୋହନ କରିଛନ୍ତି । ମରହଟ୍ଟା ବାହିନୀରେ ଦରମାଖିଆ ସୈନ୍ୟମାନେ କିପରି ପଳାଇବା ଓ ସୁବିଧାରେ ରହିବା ଚେଷ୍ଟାରେ ଆତ୍ମବିସ୍ମୃତ ହୋଇ ନିଜେ ହାରି ଯାଉଥିଲେ ।

 

ଏହି ସୁବିଧାବାଦ ଓ ପଳାୟନବାଦ ଆଜିର ଓଡ଼ିଆ ସାହିତ୍ୟରେ ଓ ଓଡ଼ିଆ ସମାଜରେ ବଡ଼ ପ୍ରଶ୍ନ । ପଳାଇବାର ଦର୍ଶନ ଯେମିତି ପରିବର୍ତ୍ତନରେ ସାହାଯ୍ୟ କରିଛି ଠିକ୍‌ ସେମିତି ଏହା ଅନେକ ଜାତିକୁ ଧ୍ୱଂସ କରି ଦେଇଛି ।

 

ଦିଲ୍ଲୀ ଉପରେ ଅନେକଥର ଶତ୍ରୁ ଆସି ତାହାର ବିଭୀଷିକା ଦେଖାଇ ଯାଇଛି । ଦିଲ୍ଲୀ ସହରର ଲୋକେ ଏହି ପଳାୟନପନ୍ଥୀ ସୁବିଧାବାଦ ବିରୁଦ୍ଧରେ ଗୋଟିଏ ପିଲାଙ୍କ ପାଇଁ ଛୋଟ କବିତା ଚଳାଇ ରଖିଛନ୍ତି–

 

ଜାନ୍‌ ବଚ୍ଚି ଲାଖୋ ପାଇ

ଘରକୋ ବୁଦ୍ଧୁ ଲୌଟ୍‌ ଆଇ ।

 

ଜୀବନ ରକ୍ଷା ହେଲେ ଲକ୍ଷେ ଟଙ୍କା ମିଳିଲା । କିନ୍ତୁ ସେହି ଲୋକଟି ଓଲୁଟିଏ ହେଇ ଫେରି ଆସିଲା ।

 

ଓଡ଼ିଆ ସାହିତ୍ୟିକ ଏହି ତିରିଶିବର୍ଷରେ ସୁବିଧାବାଦର ପ୍ରଚାର କରିଛି । ନିଜେ ସବୁପ୍ରକାରର ସ୍ୱାଧୀନ ମତର ପ୍ରକାଶକୁ ଭୟ କରିଛି । ଏଣେ ଅପରର ସାହିତ୍ୟରୁ ସ୍ୱାଧୀନତାର କାହାଣୀ, ଗାଥା ଓ ତତ୍ତ୍ୱ ଆଣି ଓଡ଼ିଆ ସାହିତ୍ୟରେ ଖଞ୍ଜୁଛି ।

 

ଓଡ଼ିଆ ସାହିତ୍ୟର ଧାରା ବିଚିତ୍ର । ଅଠରଶହ ସତାବନ ମସିହାରେ ଯେଉଁ ଫୌଜ ତରଫରୁ ସ୍ୱାଧୀନତା ଯୁଦ୍ଧ ହେଲା ସେଥିରେ ପୁରୀର ଚାଖି ଖୁଣ୍ଟିଆ ଅନେକ କାମ କରି ଆଞ୍ଚଳିକ ପ୍ରସିଦ୍ଧି ପାଇଥିଲେ । ଚାଖି ମରିଯାଇଛନ୍ତି ବୋଲି ପ୍ରଚାର ହେଲା । ତାଙ୍କର ଯୁବତୀ ସ୍ତ୍ରୀ ବିଧବା ହେଇ ରହିଲେ । ଅନେକ ଦିନ ପରେ ଚାଖିଖୁଣ୍ଟିଆ ଫେରିଲେ । କାର୍ତ୍ତିକ ମାସର ଭୋର ବେଳରେ ସେ ଆସି ତାଙ୍କର ବିଧବା ସ୍ତ୍ରୀଙ୍କୁ ଭେଟିଲେ ।

 

ଏଥିରେ ମିଳନ ପର୍ବର ପହଳି କରି ଚାଖିଖୁଣ୍ଟି ଆଙ୍କର ଭାଉଜ କହିଥିଲେ–

 

ନଈରେ ବାଳିଆ ଚହଟିଲା

କଜଳ ସିନ୍ଦୂର ନାଆ ଲୋ ରାଣ୍ତ

ପୁଣି ଚାଖିଆ ଲେଉଟିଲା ।

 

ଇଏ ଗୋଟିଏ ଓଡ଼ିଆ ଉପନ୍ୟାସ । ଏହି ଚାରିଧାଡ଼ିରେ ଯାହା ରହିଛି ସେଥିରେ ବର୍ଣ୍ଣନାର ପୃଷ୍ଠଭୂମି ହେଲା ସମକାଳୀନ ଘଟଣାର ଲୋକ–ଶୃତି ଓ ଲୋକ–ସମର୍ଥନ । ଏହାପରେ ଏହି କଥାର ବିଭିନ୍ନ ପ୍ରୟୋଗ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପରିସ୍ଥିତିରେ ଚାଲିଛି ।

 

ଏହି ଲୋକ–ସମର୍ଥନ ହେଉଛି ସାହିତ୍ୟର । ଏହାର ସ୍ରଷ୍ଟାର ନାମ ନାହିଁ । ପରିଚୟ ଅଛି । ଏହି ସୃଷ୍ଟିର ପ୍ରସିଦ୍ଧି ଅଛି । ଇଏ ବି ସାହିତ୍ୟ ଭିତରକୁ ଯାଇଛି ।

 

ଏହି ଶ୍ରେଣୀର ସାହିତ୍ୟ ଆମର ଓଡ଼ିଆ ସାହିତ୍ୟରେ ଅଗ୍ରପ୍ରାଧାନ୍ୟ ପାଇ ପାରିଲେ ପଳାୟନବାଦ ଓ ଭୟ–ଭ୍ରାନ୍ତିବାଦ ଲୋପ ପାଇଯାନ୍ତା । ଆମେ ଏବେ ସାହିତ୍ୟ କହିଲେ ବୁଝୁଛୁ ଗୋଟିଏ ସତକଥା ବା କଳ୍ପିତ କାହାଣୀର ଲେଖାରୂପ । ଇଏ ହେଉଛି ଜଣକର ଲୁଗା ଆଉ ଜଣେ ପିନ୍ଧିଲା ପରି ।

 

ଆମର ଛତିଶ ପାଟକର ଛତିଶଜଣ ନାରୀ ମାଟ୍ରିକୁଲେଟ୍‌ ବା ପୁରୁଷ ଗ୍ରାଜୁଏଟଙ୍କୁ ନେଇ ତାଙ୍କର ସମସ୍ୟାର ଚିତ୍ରଣ କଲେ ଛତିଶଖଣ୍ତ ବିଭିନ୍ନ ପ୍ରକାରର ବହି ହେବ । କାରଣ ଜୀବନର ଆଭିମୁଖ୍ୟ ତାହାର କଲେଜ ବା ସ୍କୁଲର ପାଠ୍ୟକ୍ରମ ଉପରେ ନିର୍ଭର କରେ ନାହିଁ ।

 

ଏଇଠି ହୁଏ ମତର ପ୍ରଭେଦ । ଦଳେ କହନ୍ତି ମଣିଷ ଆଉ ମଣିଷ ଭିତରେ ପ୍ରଭେଦ ନାହିଁ । ପ୍ରତ୍ୟେକ ବିଷୟ ଏହି ମାନବିକତା ଦୃଷ୍ଟି କୋଣରୁ ବିଚାର ହେବା ଉଚିତ୍‌ ।

 

ଏମାନଙ୍କର ଯୁକ୍ତି ହେଲା ଯେ ରାତିର ଅନ୍ଧାର ଦୂର କରିବାକୁ ସୂର୍ଯ୍ୟ ଯେମିତି ସମର୍ଥ ଠିକ୍‌ ସେମିତି ଚନ୍ଦ୍ର, ତାରା, ଆକାଶର ଛାୟାପଥ, ଆମ୍ୱ ତୋଟାର ଜୁଳୁଜୁଳିଆ ପୋକ ଓ ପଚା ପାଟପାଣିର ଡାହାଣି ଆଲୁଅ ବି ସମର୍ଥ । ଇଏ ହେଲା ଆମର ପାଠୁଆଙ୍କର ଯୁକ୍ତି ।

 

ତେଣୁ ସେମାନେ କିରାସିନି ଆଲୁଅ, ବାଟେରିର ଟର୍ଚ୍ଚ ଓ ମହମବତୀ ଓ ତେଲଦୀପ ଜଳାଇ ଅନ୍ଧାରକୁ ତଡ଼ନ୍ତି । ଅନ୍ଧାର ଯେତିକି ତଡ଼ାଖାଏ ତାହାକୁ ପର୍ଯ୍ୟାପ୍ତ ବୋଲି ଧରିନେଇ ଅନ୍ଧାର ହଟିଗଲା ବୋଲି ଖୁସି ହୁଅନ୍ତି । ଆମର ସବୁକାମ ଚଳେ ।

 

ସେମିତି ଆମର ଲେଖକମାନେ ଆମେ ପାଠକମାନଙ୍କୁ ଚାଲୁ କରିବେ ଓ ଆମର ମନରୁ ଅନ୍ଧାର ହଟାଇ ଦେବେ ବୋଲି କେତେ ପରିଶ୍ରମ ନ କରୁଛନ୍ତି ? କିନ୍ତୁ ଆମକୁ ବାଟ ଦେଖାଇବାକୁ ବାହାରିଥିବା ଲୋକ ନିଜେ ବାଟ ଜାଣେ ନାହିଁ । ଏହାର ବ୍ୟବହାରିକ ଅର୍ଥ ହେଲା ଯେ ଆମର ପାଇଲଟ୍‌ ହେଉଛି ପିଲା ଓ ଅଳପ ବୁଦ୍ଧିର ଲୋକ ।

 

ଏ କଥାଟି କହିବାରେ ଅସୁବିଧା ରହୁଛି ଆମର ଲେଖକମାନଙ୍କର ଚାକିରି ପାଇଁ । ସେମାନେ ଚାକିରି ନ ପାଇ ବେକାର ରହି ଲେଖାଲେଖି କରୁଥିଲେ ଆମେ ଏହି ପ୍ରକାରର ଅଭିଯୋଗ ସେମାନଙ୍କର ଲେଖା ବିଷୟରେ କହିପାରନ୍ତୁ ନାହିଁ । ତାଙ୍କର ଲେଖା ଓ ଆମର ମନ ଏକା କଥା କହନ୍ତା ।

 

ଲେଖକମାନେ ସୁଖ ସମୃଦ୍ଧିର ସଂସାର କଥା ନ ଲେଖି ସାଧନା ଓ ଚେଷ୍ଟାର କାହାଣୀ ଲେଖନ୍ତେ । ତାଙ୍କର ଲେଖାର ନାୟକ ହୁଅନ୍ତା ଶିକ୍ଷିତ ବେକାର–କାରଣ ଅଶିକ୍ଷିତ ବେକାରକୁ କୁହାଯାଏ ପଶୁ । ତାଙ୍କର ନାୟିକା ହୁଅନ୍ତା ମଧ୍ୟ ଶିକ୍ଷିତା ବେକାର ।

 

ଯୋଗ୍ୟତାର ଅଧିକାରୀ ହୋଇଛନ୍ତି । ଅଥଚ ନିଜର ଯୋଗ୍ୟ କାମ ପାଇ ପାରୁନାହାନ୍ତି-। ନିଜର ମନ ଅନୁସାରେ ଚଳିପାରୁ ନାହାନ୍ତି । ବେକାରର ସୁଖ ଦୁଃଖ ଓ ଅଶାନ୍ତି ନୌକରର ସୁଖ ଦୁଃଖ ଓ ଅଶାନ୍ତିଠାରୁ ଅଲଗା । କାହିଁ ସେହି ଚିତ୍ର ଓଡ଼ିଆ ସାହିତ୍ୟରେ ?

 

ବିପ୍ଳବୀ ଓ ସ୍ୱନାମଧନ୍ୟ ସାହିତ୍ୟିକମାନେ ଚଳିତ ତେସ୍ତରୀ ମସିହାରେ ଲେଖି ଛପାଇଲେ ଦେଖିବା ଯେ ସେମାନେ ଓଡ଼ିଶାର ଶିକ୍ଷିତ ବେକାର ସମାଜ ବିଷୟରେ କି ଧାରଣା କରିଛନ୍ତି ? ନୌକର ଲେଖକଙ୍କର ସ୍ତ୍ରୀ ଓ ଝିଅର ମନର ଗତି କିପରି ଓ କେତେ ଦୂର ବେକାର ପାଠକର ମା ଓ ମାନସୀଠାରୁ ଅଲଗା ? ସତରେ ସେମାନେ କ’ଣ ଦେଖାଇ ପାରିବେ ?

 

ପଚରାଯାଉ ଆମର ପୁରସ୍କୃତ ସାହିତ୍ୟିକମାନଙ୍କୁ ଗୋପୀନାଥ–କାହ୍ନୁଚରଣ–ବୈକୁଣ୍ଠ–ସଚ୍ଚିଦାନନ୍ଦ–ମନୋରଞ୍ଜନ–ସୂର୍ଯ୍ୟନାରାୟଣ–ବିନୋଦ ଚନ୍ଦ୍ର–ମନୋଜ–ସୁରେନ୍ଦ୍ର ପ୍ରମୁଖଙ୍କୁ । ସେମାନେ କାହିଁକି ଏହି ବିଷୟରେ କହିବେ ନାହିଁ ? କି କହିପାରିବେ ନାହିଁ ?

 

ଅଭାବ କଥା ଯେତେବେଳେ ପଡ଼େ ସେହି କଥାରେ ଆମର ତିନିହଜାର ଟଙ୍କିଆ ହାଇକୋଟ ଜଜ୍‌ଙ୍କଠାରୁ ଆରମ୍ଭ କରି ତିନିଶହ ଟଙ୍କିଆ ଡାକ ପିଅନ୍‌ ପର୍ଯ୍ୟନ୍ତ ସମସ୍ତେ କଥାଣି କରିବାରେ ଧୁରନ୍ଧର । ଭାରତ ସରକାର, ଓଡ଼ିଶା ସରକାର ଓ ବିଦେଶୀ ସରକାରଙ୍କୁ ଦୋଷ ଦେବାରେ ଅତି ପ୍ରବଳ ।

 

ସମସ୍ତେ କହୁଛନ୍ତି ଯେ ସେ ଓଡ଼ିଆ–ସେ ଦୁଃଖୀ–ସେ ଅଭାବ ପ୍ରପୀଡ଼ିତ । ଆମପାଇଁ କହିବାକୁ ସେ ଅଧିକାରୀ । କିନ୍ତୁ ସେଇଠି କଳ୍ପନା କରାଯାଉ ଶ୍ରୀ ରବିନାରାୟଣ ମହାପାତ୍ରଙ୍କ ପରି ଜଣେ ସାହିତ୍ୟିକଙ୍କୁ । ସେ ଆପଣା ଇଚ୍ଛାରେ ଚାକିରିରୁ ଇସ୍ତଫା ଦେଇ ନ ଥିଲେ ଏବେ ନିର୍ବାହୀ ଯନ୍ତ୍ରୀ ବା ଏକଜିକ୍ୟୁଟିଭ୍‍ ଇଞ୍ଜିନିୟର ହୁଅନ୍ତେଣି । ସବୁ ଛାଡ଼ି ଆସିଲା ପରେ ସାହିତ୍ୟି ଓ ସଂସ୍କୃତି କ୍ଷେତ୍ରରେ ତାଙ୍କୁ ସମର୍ଥନ ମିଳିଲା କେତେ ?

 

ଏହିପରି ଜଣେ ଲୋକର ସମାନ୍ତରାଳ ଚରିତ୍ର ଓଡ଼ିଆ ସାହିତ୍ୟରେ କାହିଁ ? ଏହିପରି ସୁଖ ଦୁଃଖର ଭାର ବହି ଅସଂଖ୍ୟ ବିଦ୍ୱାନ ଓ ବିଶେଷଜ୍ଞ ଆମର ଏଠି ଆମରି ଭିତରେ ରହିଛନ୍ତି । ଏଣେ ଆମକୁ କଥାବସ୍ତୁ ମିଳୁନାହିଁ କାହିଁକି ?

 

ବଙ୍ଗଳା ସାହିତ୍ୟରେ ଏହିକଥା ଘଟିଥିଲା । ସେଠି ରବୀନ୍ଦ୍ରନାଥଙ୍କର ଅସାମାନ୍ୟ ପ୍ରତିଭା ଓ ଅତି ବିଶାଳ ସମୃଦ୍ଧିକୁ ଅନୁକରଣ କରି ବଙ୍ଗଳା ସାହିତ୍ୟିକଙ୍କ ମଧ୍ୟରେ ଅନେକ ବସି ବସି କଳ୍ପନାର ଫୁଲ ଆଙ୍କିବାରେ ଲାଗିଲେ । ପରସ୍ପର ପ୍ରୀତି ଓ ବ୍ୟବହାରର ସୂକ୍ଷ୍ମ ପ୍ରଶ୍ନ–ଉତ୍ତରର ଦାୟିକା ତାଙ୍କର ଲେଖାର ବିଷୟ ହୋଇ ରହିଲା ।

 

ବଙ୍ଗଳାର ସମୀକ୍ଷକମାନେ ସେହି ସ୍ୱପ୍ନବିଳସୀ ସାହ୍ୟିତ୍ୟିକଙ୍କର ନିନ୍ଦା ଗାଇ ବୁଲିଲେ ନାହିଁ । କିନ୍ତୁ ଲେଖକମାନେ ଲେଖିବାକୁ ଆରମ୍ଭ କଲେ ବଙ୍ଗଳାର ଚାଳିଶି ମସିହାରୁ ଷାଠିଏ ମସିହାର ସମାଜ ଉପରେ । ବଙ୍ଗାଳୀ ଯୁବକ କେମିତି କମ୍ପାନୀରେ ଚାକିରି ଆରମ୍ଭ କରି ନିଜର ଜୀବନର ପୂର୍ଣ୍ଣତା ଓ ସଫଳତା ପାଇ ଯଶସ୍ୱୀ ହେଇଗଲା ।

 

ତାହାର ପୁଅକୁ ସେ ସରକାରୀ ଚାକିରିରେ ଲଗାଇ ଦେଇ ନିଜେ ଆରାମରେ ହୁକା ଟାଣିଲା ଓ ଧର୍ମଗ୍ରନ୍ଥ ପଢ଼ି ପଡ଼ୋଶୀ ମହଲରେ ପ୍ରଶଂସା ପାଇଲା ।

 

ପୁଅ ଲାଗିଗଲା ସେମିତି ନିଜର ଜୀବନର ପୂର୍ଣ୍ଣତା ଆଣିବାରେ । ତା’ପରେ ତା’ପୁଅ–ତା’ପରେ ତା’ପୁଅ ।

 

ସମସ୍ତେ କଲେ କୋଠାବାଡ଼ୀ, ମଟର ଓ ସୁନା ଗହଣା । ମଲାବେଳକୁ ସମସ୍ତଙ୍କୁ ନିଦକ ହୋଇ ଭଲ ଖାଦ୍ୟ ଓ ଭଲ ଔଷଧ ଓ ଭଲ ଚିକିତ୍ସା ମିଳିଲା । ମଲା ପରେ ମଶାଣିରେ ମଧ୍ୟ ଖଣ୍ତେ ଖଣ୍ତେ ମାର୍ବଲ ସ୍ମୃତିସ୍ତମ୍ଭ ରହିଲା ।

 

ଇଏ ବି ଜୀବନ । ଏଇ ଜୀବନ ହେଉଛି ପୂର୍ଣ୍ଣତା । ଏଇ ପୂର୍ଣ୍ଣତାକୁ ଖୋଜୁଛନ୍ତି ନୌକର ସାହୀ ଲୋକ–ହାଇକୋଟ ଜଜ୍‍ଠାରୁ ଆରମ୍ଭ କରି ଛୋଟିଆ ପିଅନ ପର୍ଯ୍ୟନ୍ତ । ଏହି ପୂର୍ଣ୍ଣତାର ପ୍ରାପ୍ତି–ସର୍ବସ୍ୱ ହୋଇ ସେମାନେ ଭୁଲି ଯାଉଛନ୍ତି ଯେ ସେମାନଙ୍କର ଅଳୀକ ସୁଖସ୍ୱାଚ୍ଛନ୍ଦ ବାହାରେ ଅନେକ ଲୋକ ରହିଯାଇଛନ୍ତି । ସେମାନଙ୍କ ପ୍ରତି କର୍ତ୍ତବ୍ୟ ମଧ୍ୟ ରହିଛି ।

 

ଲେଖକ ଯଦି ଏହି ପ୍ରକାରର ପୂର୍ଣ୍ଣ ଜୀବନ ପାଇବାକୁ ନିଜକୁ ପରର ଗୋଲାମ କରି ଗୋଲାମି ମନକୁ ଆୟତ୍ତ କରିବାକୁ ପରିଶ୍ରମ କରି ସଫଳ ହୁଏ ଆଉ ଶେଷରେ ସେ ବସି ଆମକୁ ତତ୍ତ୍ୱ ଶୁଣାଏ ତାହାହେଲେ ଆମେ ସେ ବହିକୁ ପଢ଼ିବାକୁ ବାଧ୍ୟ ହେବୁ କାହିଁକି ?

 

କିନ୍ତୁ ଓଡ଼ିଆ ସମାଜ ଭାରି ସହିଷ୍ଣୁ । ସେ କହେ ସବୁ ପ୍ରକାରର ଜୀବଜନ୍ତୁଙ୍କୁ ସମାନ ଅଧିକାର ଦିଆଯାଉ–ଲୋଭୀ, ଶଠ, ଲମ୍ପଟ ଓ ପରଶ୍ରୀକାତର ଓ ପରଧନଚୋରଙ୍କୁ ମଧ୍ୟ ସ୍ୱୀକୃତି ଦିଆଯାଉ । ସେମାନେ ଯେପରି ଯଶସ୍ୱୀ ହେବେ ତାହାର ବ୍ୟବସ୍ଥା ହେଉ ।

 

ଆମର ଧର୍ମମତ ମଧ୍ୟ ସେଇଆ । ସ୍ନାନରେ ଦେହ ଭିତର ପବିତ୍ର ହୁଏ ନାହିଁ । ପ୍ରାର୍ଥନାରେ ମନର ଭିତର ପରିଷ୍କାର ହୁଏ ନାହିଁ । ଠାକୁର ପୂଜା ଓ କାମନାର ପୂଜା ପରସ୍ପରର ବନ୍ଧୁ, ସହଯୋଗୀ ଓ ପରିପୂରକ । ସେମାନେ ଏମିତି ଗୋଟିଏ ପୂଜାରୁ ଆର ପ୍ରକାରର ପୂଜାକୁ ଆସିବେ ।

 

ମ–ରା ... ମ–ରା କହି ଧ୍ୟାନ କରୁ କରୁ ସେହି ଶଦ୍ଦ ରାମ–ରାମ ହୋଇ ଯାଇଥିଲା । ଏହିପ୍ରକାରର ଖରାପ ପ୍ରପଞ୍ଚ ଲୋକ ଦିନେ ଧାର୍ମିକ ଓ ନୀତିବାନ୍‌ ହେବେ । ଏବେ ଆମେ ଦେଖିପାରୁଛୁ ଯେ ଆମରି ସମାଜର ଅସଂଖ୍ୟ ପାପୀ, କୁଟିଳ, ପାପାତ୍ମା ଲୋକ ଈଶ୍ୱର ସତ୍ତାର ସାହଚର୍ଯ୍ୟ ପାଇ ଭଲ ହେବାକୁ ଚେଷ୍ଟା କରୁଛନ୍ତି ।

 

ଜୀବନର ଅର୍ଥ ସାଧନା–ଧର୍ମରୁ ପାପକୁ ଖସିବା ଯେମିତି କଷ୍ଟକର ଠିକ୍‌ ସେମିତି ପାପରୁ ଧର୍ମକୁ ଉଠିବା କାମ ମଧ୍ୟ ।

 

ନୀତିଭ୍ରଷ୍ଟ ସାହିତ୍ୟିକ ନୀତିବାନ ହୋଇପାରିବ । ସେ ଖାଲି ଖୋଜୁଛି ପାଠକଙ୍କର ଶାସନ ଓ ସମୀକ୍ଷକଙ୍କର ଚାବୁକ । କାହ୍ନୁଚରଣବାବୁ କଟକରେ ରହି ଢେଙ୍କାନାଳର ଅତ୍ୟାଚାର କଥା ଲେଖିପାରିଛନ୍ତି । ସେ ଇଚ୍ଛା କଲେ ତାଙ୍କର ସମକାଳୀନ ସମାଜର ପ୍ରବଳର ଦୁର୍ବଳ ଉପରେ ଅତ୍ୟାଚାର କଥା ଲେଖିପାରିବେ ।

 

ଯଦି ଲେଖିବାକୁ ଅସମର୍ଥ ବୋଲି କୁହନ୍ତି ତାହାହେଲେ ତାଙ୍କୁ କହିଦିଆଯାଉ–ଲେଖାଲେଖି ବନ୍ଦ କରିବେ । ଖାଲି କାହ୍ନୁଚରଣବାବୁ ନୁହନ୍ତି–ସେ ହେଲେ ଗୋଟିଏ ପ୍ରତୀକ । ତମେ ଆମେ ସମସ୍ତେ ଯେଉଁମାନେ ନିଜକୁ ପଳାୟନପନ୍ଥୀର ସୁଗମ ବାଖ୍ୟାକାର ବୋଲାଉ ସେମାନଙ୍କ ପାଇଁ ମଧ୍ୟ ଏହି କଥା ସମାନ ପ୍ରଯୁଯ୍ୟ ।

 

ତାହାହେଲେ ଓଡ଼ିଆ ସାହିତ୍ୟ ଗୋଟିଏ ବିଷୟରେ ନୈତିକ ସମର୍ଥନ ପାଇବ–ସେଇଟା ହେଲା ଯେ ଦାରିଦ୍ର୍ୟ ଅଭିଶାପ ନୁହେଁ । ଏହା ଆଶୀର୍ବାଦ ।

 

ଗଲା ଚାଳଶି ପଚାଶ ବା ତିରିଶିବର୍ଷର ସାହିତ୍ୟ ଆମକୁ ତାହାର ସାରାଂଶ କହୁଛି ଯେ ଦାରିଦ୍ର୍ୟ ହେଉଛି ଜୀବନର ଅଭିଶାପ । ପୁରୁଣା ମୁନିଋଷି ମଧ୍ୟ କହିଥିଲେ–ଦାରିଦ୍ର୍ୟଠାରୁ ବଡ଼ ବିପଦ ନାହିଁ ।

 

ଆମେ ପାଠକମାନେ ଆଜି ଆମର ଚହଟ ଚିକ୍‌କଣ ବାନାଧାରୀ ଲେଖକମାନଙ୍କୁ ଅନୁରୋଧ କରିବା କି–ଦାରିଦ୍ର୍ୟର ଦର୍ଶନ ଓ ସଫଳତାର କାହାଣୀ ଆମକୁ ସେମାନେ ଜଣାଇବେ ।

 

ଓଡ଼ିଆ ସାହିତ୍ୟ ଦେଲା–ମାଟିର ମଣିଷ, ମାଟିର ତାଜ, ସପନ ମାଟି, ମାଟି ଓ ମଟାଳ-। କାରଣ ପାଶ୍ଚାତ୍ୟ ସାହିତ୍ୟରେ ଏଇ ମାଟି ବା ସଏଲ୍‌ ନାମ ଧରି ବହୁତ ବହି ବାହାରେ-। ସେଠାରେ ଲୋକ ବେଶି ଆଉ ତାଙ୍କପାଇଁ ମାଟି ଅତି ମୂଲ୍ୟବାନ । ପୁଣି ପ୍ରତ୍ୟେକ ଲୋକ ଚାହେଁ ମାଟିରୁ ମଟରଗାଡ଼ି କାଢ଼ିବା ପାଇଁ ।

 

ଏହି ମାଟି ନାମକୁ ଆନନ୍ଦିତ ମନରେ ଜାବୁଡ଼ି ଧରିବା ଲେଖକମାନେ ହେଲେ ପଦ୍ମଭୂଷଣ କଳିନ୍ଦୀ, ପଦ୍ମଶ୍ରୀ ସଚ୍ଚି ଆଉ ଅବସରପ୍ରାପ୍ତ ହାକିମ ଶ୍ରୀ ଗୋପୀନାଥ । ଏମାନେ ବାଲିଆ, ଦୋରସା, ମଟାଳ ମାଟିରେ କେଉଁଥିରେ ଖାରା କେତେ ଆଉ ସବୁ ସୁବିଧା ଅସୁବିଧାର କାହାଣୀ ଜାଣନ୍ତି ତ ?

 

ଘର ଓଳି ବାରି ବଗିଚା ଓ କଳପାଣିର ମାହାତ୍ମ୍ୟ ଠିକ୍‌ ମାଟିର ମହିମା ନୁହେଁ । ମାଟି କ’ଣ କରେ ବା ନ କରେ ସେଥିପାଇଁ ୱାକବଦାର ହେବାକୁ ଗାଁର ମାଟି ରାସ୍ତା ଅବା ପବନର ଧୂଳି କିମ୍ୱା ପାଖ ବିଲର ରୁକ୍ଷ ଶ୍ୟାମଳ ଶୋଭା ଯଥେଷ୍ଟ ନୁହେଁ । କିନ୍ତୁ ଏଇମାନେ ଆମର ମାଟିର ଭକ୍ତ–ସେବକ–ସାହିତ୍ୟିକ ।

 

ପୁଣି ତାଙ୍କ ଭିତରେ କଳି ହୁଏ–ତୁମେମାନେ ଚୋର । ପାଶ୍ଚାତ୍ୟ ସାହିତ୍ୟରୁ ମାଟିର ଆକର୍ଷଣର ପ୍ରେରଣାକୁ ଧରୁଛ । ସେ ଯାହାହେଉ ଆମେ ବୁଝୁ ଯେ ମାଟିମାନେ ଦାରିଦ୍ର୍ୟ । ମାଟିର ସୂଚନା ହେଲା ପ୍ରତିଶୃତି । ମାଟିର ଅନ୍ୟ ନାମ ଆଶା । ମାଟିର ନିର୍ଦେଶ ହେଲା–ସମସ୍ତେ ସମାନ କାରଣ ମାଟି ସେମାନଙ୍କର ମାଆ ।

 

ଲେଖକ ଯଦି ତାହାର ଜୀବନରେ ସକାଳୁ ମାଟିକୁ ସାଷ୍ଟାଙ୍ଗ ପ୍ରଣିପାତ ନ କରି–ଖାଇବାକୁ ଦିଅ–ବୋଲି ପ୍ରାର୍ଥନା ଓ ଅଳି ନ କରି ଓ ମାଟି ଉପରେ ନିର୍ଭର ନ କରି ମାଟିର ମାହାତ୍ମ୍ୟ ବିଷୟରେ ସଚେତନ ତାହାହେଲେ ମାଟିର ପ୍ରକୃତ ସେବାକାରୀ କ’ଣ ଏମାନଙ୍କୁ ଶ୍ରଦ୍ଧା କରିପାରିବ ?

 

ପାଠକ ଯଦି ଉଚ୍ଚବାଚ କରି ପଚାରେ–ବାବୁମାନେ, କାମ କଲ କେଉଁଠି ? ସେଠି କ’ଣ କିଛି ଦେଖାଗଲା ନାହିଁ ଯେ ହାତମାଟି ଓ ଚୁଲିମାଟିରୁ ମାଟିର ପ୍ରେରଣା ପାଇଲ ତାହାହେଲେ ବାବୁମାନେ କହିବେ ଯେ ସେମାନଙ୍କର ଚିନ୍ତାର ସ୍ୱାଧୀନତା ଅଛି ।

 

ହଁ ଅଛି–ସେହିପରି ନିନ୍ଦା ଓ କଟୂକ୍ତି ପ୍ରୟୋଗର ସ୍ୱାଧୀନତା ମଧ୍ୟ ଅଛି । ଏହାଠାରୁ ବରଂ ଶ୍ରୀ ସୁରେନ୍ଦ୍ର ମହାନ୍ତି ଅଧିକ ପ୍ରଶଂସନୀୟ । ସେ ଇତିହାସ, କିମ୍ୱଦନ୍ତୀ ଆଉ ଯାନ୍ତ୍ରିକ ବିପ୍ଳବର ରୂପାୟନ କରୁଛନ୍ତି । ନିଜର ବଗିଚାର ମାଟିକୁ ନେଇ ଲେଖିବାକୁ ବେଶି ଆଗଭର ହେଉ ନାହାନ୍ତି ।

 

କିନ୍ତୁ ସବୁ କଥାରେ ସମସ୍ତେ ବାଚାଳ ଯେ ଜୀବନଯାତ୍ରା ବଡ଼ ସଂଘର୍ଷମୟ ହେଲାଣି । ସମୟ ନଅଣ୍ଟ । ଅଳପକରେ ଲେଖିଦିଅ–ଲୋକେ ଧୈର୍ଯ୍ୟ ରଖିପାରୁ ନାହାନ୍ତି ।

 

ଏଣେ ପ୍ରକୃତ କଥା ହେଲା ଯେ କ’ଣ ଆଉ ଲେଖିବି ? କେତେ ଆଉ ସେହି ଏକା କଥାକୁ ବୁଲେଇ ବାଙ୍କେଇ ଚଳାଇବି ? ନୂଆ କଥାକୁ ମନ ଦେବି କେତେବେଳେ ? ଶରୀରର ସେବା ଓ ଇଜ୍ଜତ ରକ୍ଷାରେ ସବୁବେଳ ଚାଲିଗଲା । ଆଉ ଲେଖିବାକୁ ଧୈର୍ଯ୍ୟ ନାହିଁ । ଲେଖାଟିକୁ ଚାଲୁ ଉପରକୁ ନେବାର ଏଣେ ଶହେ ପଚାଶପୃଷ୍ଠା ମାଡ଼ ଖାଇ ଯାଉଛି ।

 

ସକାଳୁ ଉଠି ମାଟିର ଶ୍ରମିକ ଅଧ୍ୟଘଣ୍ଟା ବା ପୌନେ ଘଣ୍ଟାରେ ପ୍ରସ୍ତୁତ ହେଇ ବାହାରିଯାଏ । ଏହି କଲମର ଶ୍ରମିକ ସକାଳୁ ଉଠିଲା ବେଳକୁ କୂଆ ଚଢ଼େଇ ଅଧାପେଟ ହେଇ ଯାଇଥାଏ । ଏଣେ ବାବୁମାନେ କଲମ ଧରି ରେଡ଼ି–ହେଲା ବେଳକୁ ପ୍ରକୃତରେ ସଂଘର୍ଷମୟ ଜୀବନ ଆରମ୍ଭ ହୁଏ ।

 

କ’ଣ ଖିଆଯିବ ? ଏତେ ଟଙ୍କା ଦରକାର ପଡ଼ିଛି କେମିତି କଢ଼ାଯିବ ? ଟେଲିଫୋନ ବିଲ୍‌କୁ ସେହି ସେକସନ ଖାଲି ଭୁଲ ଭାଲ୍‍ କରୁଛି ତାକୁ କି ଶାସ୍ତି ଦିଆଯିବ ? ଶେଷକୁ କ’ଣ କଲେ ଓଡ଼ିଆ ସାହିତ୍ୟରେ ନେଉଟାଳି ପଟାଳି ରଖାଯିବ ?

 

ସଂଘର୍ଷ ଖାଲି କ’ଣ ଏହି ଟିକି–ଜୀବନିଆ ବୁଦ୍ଧି–ଜୀବୀମାନଙ୍କୁ ଘେରୁଛି ନା ମାଟିର ମୁଲିଆକୁ ଘେରୁଛି ? କ’ଣ ବା ଲେଖାଗଲା ଆମର ସେଇ ଅଗଣିତ ଭାଇ ଭଉଣୀମାନଙ୍କ ପାଇଁ ?

 

ଚିରାଚରିତ ପ୍ରଥାରେ ଅନେକ ଦିନର ଅଭ୍ୟାସରେ ସଜଡ଼ା ଜୀବନ ନିଜର ସ୍ତ୍ରୀ, ପିଲା ଓ କୁଟୁମ୍ବଙ୍କ ମେଳରେ ଗୋଟାଏ ରକମର ବିଶେଷ ଗୁଣର ମହୁ କାଢ଼େ । ସେହି ସୁରଭି ହେଉଛି ନିଜର ସ୍ଥିତିର, ନିଜର ଗୌରବର, ନିଜର ମହିମାର ଓ ଭବିଷ୍ୟତର ସଞ୍ଚିତ ପୁରସ୍କାରର କଳ୍ପନାର । ସେଥିରେ ସାହିତ୍ୟ ଗୋଟିଏ ନିମିତ୍ତ ମାତ୍ର ।

 

ଗୋଡ଼ିବଛା ଶାଳୀ ଅନ୍ନ ଖାଇଲାବେଳେ ଗୋଡ଼ି ମିଶା ବଗଡ଼ାନ୍ନର ସୁଆଦକୁ କଳନା କରାଯାଏ କେବଳ କଥାରେ । ଲେଖାରେ ଗୋଟାଏ ହେବ ବଗପକ୍ଷୀ ପରି ଧଳା–ଆରଟି ହେବ ଘରଚଟିଆ ପରି ଧୂଷର । ଦୁଇଟି ଲେଖକ ଲଢ଼ିବେ ତାଙ୍କର ଚିନ୍ତ୍ରକଳ୍ପ ବା କଳ୍ପଲତାର ବିଶେଷତ୍ୱ ବିଷୟରେ । କିନ୍ତୁ ଜୀବନର ବିଚିତ୍ର ଅନୁଭୂତିର ସୁଆଦ ଚାଖିବା ପାଇଁ ୟା’କୁ ଭୋକ ବେଳରେ ଓ ଭୋକ ନ ହେଲାବେଳେ ଖାଇଲେ ଅବା ତଳେ ଚଟାଣରେ କୁଢ଼େଇ ଖାଇଲେ ବୁଝି ହେବ ନିଜେ ନିଜର କଳ୍ପନାଠାରୁ କେତେ ଦୁରରେ ।

 

କଳ୍ପନାରେ ଆମେ ମନ୍ତ୍ରୀଙ୍କୁ ଆମର କଥାର ଫାଶରେ ବନ୍ଦୀ କରିପାରୁ ଓ ମନ୍ତ୍ରୀଙ୍କ ଇଙ୍ଗିତରେ ଲୋକଙ୍କର ମୂର୍ଖତା ଓ ହୁଣ୍ଡାମି ଓ ଜିଦ୍‌କୁ ଭାଙ୍ଗି ଦେଇପାରୁ । କିନ୍ତୁ ପରୀକ୍ଷାଟା କାର୍ଯ୍ୟରେ ହେଉ–ଯାହା କହିଥାନ୍ତି ସ୍ତ୍ରୀମାନେ ।

 

ତମେ କଥାର ଲୋକ ନା କାମର ଲୋକ ?

 

କଥାର ଲେଖକ ଆଜି କାମର ଲେଖକ ହେବାକୁ ଇଚ୍ଛା କରୁଛି । ଅଗଣିତ ଶ୍ରମିକ ଆଜି ଲେଖକକୁ ଡାକୁଛନ୍ତି ତାଙ୍କର ଶ୍ରମ–ପରିଶ୍ରମର ସାଥି ହେବାପାଇଁ । ଏହି ଡାକରା ହେଉଛି ଛୋଟ ଦୋକାନୀ, ଷ୍ଟେସନର କୁଲି, ରୋଗିଣା ଭିକାରୀ, ଘରୋଇ ଚାକର, ଅଫିସର ପିଅନ, ଆଉ ମୁଣ୍ଡବୋଝିଆ ସଉଦାଗର ।

 

ସେହିପରି ବୌଦ୍ଧିକ ଶ୍ରମ–ପରିଶ୍ରମର ସାକ୍ଷୀ ଓ ସଖ୍ୟତା ପାଇଁ ଡାକୁଛନ୍ତି ହାଇକୋଟ ଜଜ୍‍, ଦୈନିକ କାଗଜର ସଂପାଦକ କାରଖାନାର ମାଲିକ, ବୁଦ୍ଧିଆ ବଡ଼ ବଡ଼ ଓକିଲ, ବଡ଼ ବଡ଼ ଚାକିରିଆ, କଣ୍ଟ୍ରାକ୍ଟର ଓ ମୋଟା ବେପାରୀ ?

 

ଓଡ଼ିଆ ଲେଖକ ଏହି ଦୁଇଟି ଶ୍ରେଣୀର ମେହେନତ୍‌ ଦେଖୁଛି ଆଉ ତାଙ୍କର ଜୀବନର ଆଭିମୁଖ୍ୟ ବି ଦେଖୁଛି । କାରଣ ଆଜି ତେସ୍ତରୀମସିହାର ନାମ–ଡାକ ଜାରିଥିବା ଲେଖକ ମାସକୁ ହଜାର ଟଙ୍କାରୁ କମ୍‌ ରୋଜଗାର କରେ ନାହିଁ ।

ଆହାରେ ଲେଖକ–କ’ଣ ନ ହେଲା ? ବୁଦ୍ଧିଆଟାଏ ହେଇ ଟଙ୍କା ରୋଜଗାର କରି ପାରିଲା ନାହିଁ ? ଏଣେ ହାଇକୋଟ ଜଜ୍‍ମାନେ କହୁଛନ୍ତି ଯେ ଆମର ଯୋଗ୍ୟତା ଏହି ସାମାନ୍ୟ ଟଙ୍କାଠାରୁ ବହୁତ ବେଶି । ଦେଶର ମାନ ରଖିମାକୁ ଆମେ ଏହି ପଦ ପଦବୀରେ ରହୁଛୁ । ନ ହେଲେ ଏହି କିଞ୍ଚିତକର ଦରମାର ପାଞ୍ଚ ପଚିଶଗୁଣ ଆମର ପ୍ରାପ୍ୟ ।

ଲେଖକମାନଙ୍କର ଏଥିରେ ଆପତ୍ତି ନାହିଁ । କାରଣ ସେମାନେ ସ୍ୱୀକୃତି ଦେଉଛନ୍ତି ଯେ ବିଚାରପତିମାନେ ବୁଦ୍ଧିର ରାଜା–ବୌଦ୍ଧିକ ତାଙ୍କର ବିଶେଷଣ ନୁହେଁ । ସେମାନେ ସାକ୍ଷାତ ବୁଦ୍ଧି ଓ ପ୍ରଜ୍ଞା ।

ଏହି ବୁଦ୍ଧି–ପ୍ରଦୀପ୍ତ ଓଡ଼ିଆ ଲେଖକମାନେ ଏହି ପ୍ରସଙ୍ଗରେ ନିରବ । ସେମାନେ ବଙ୍ଗଳା ଓ ତାମିଲ ସାହିତ୍ୟ ଦେଖିଲେ ଜାଣିପାରିବେ ଯେ ସେହି ଭାଷାମାନଙ୍କର ବିଚାରପତିଙ୍କର ବୌଦ୍ଧିକତାର ଅଭାବ ଦର୍ଶାଇ ସେମାନେ ଲୋକମତକୁ ସଂଗଠିତ କରୁଛନ୍ତି ।

ବିଚାର କହିଲେ ବୁଦ୍ଧିକୁ ବୁଝାଏ ନାହିଁ । ପ୍ରୟୋଗର କୌଶଳ ଜ୍ଞାନର ନାମାନ୍ତର ନୁହେଁ-। ପଦ ପଦବୀ ଓ ଚାକିରି ଭିତରେ କୌଶଳ ଜ୍ଞାନର ନାମାନ୍ତର ନୁହେଁ । ପଦ ପଦବୀ ଓ ଚାକିରି ଭିତରେ କୌଣସି ପ୍ରଭେଦ ନାହିଁ । ମଣିଷ ହାତୀ ଉପରେ ବସିଲେ ହାତୀଟିଏ ହେଇଯାଏ ଏପରି କଥା ସାହିତ୍ୟରେ ନାହିଁ । କେବଳ ମୂକ ଓ ମୌନ ସମ୍ମତି ବିନିମୟରେ ଓଡ଼ିଆ ସାହିତ୍ୟ ଅନ୍ୟ ମତ ପ୍ରକାଶ କରୁଛି ।

ବିଚାର ବିଭାଗ ବଡ଼ ହେଉ ଅବା ନ ହେଉ ବିଚାର ବିଭାଗରେ ପ୍ରତ୍ୟେକ ବିଜେ ପ୍ରତିମା ବଡ଼ ।

ଦୁଇଜଣ କେନ୍ଦ୍ର ସାହିତ୍ୟର ପୁରସ୍କୃତ ଓଡ଼ିଆ ଲେଖକ ଗତ ବାଙ୍ଗଲାଦେଶ ଯୁଦ୍ଧବେଳେ ଏହି କଥା ବୁଝାଉଥିଲେ । କାରଣ ସେତେବେଳେ କଟକ ଆକାଶବାଣୀ ବୌଦ୍ଧିକଙ୍କର ମତାମତ ପରିବେଷଣ କରୁଥିଲା ।

ଓଡ଼ିଆ ବୌଦ୍ଧିକ କିଏ ? ପ୍ରଥମ ଶ୍ରେଣୀରେ ହାଇକୋଟର ଜଜ୍‍ କାମ କରିଥିବା ଓଡ଼ିଆ ଲୋକ । ଏଠି ଜିଲା ଜଜ୍‌ମାନେ ଅଚଳ ହେଇଗଲେ ।

ଦ୍ୱିତୀୟ ଶ୍ରେଣୀରେ ରହିଲେ କଲେଜମାନଙ୍କର ଅଧ୍ୟାପକ । ଏଠି ପ୍ରଫେସର, ରିଡ଼ର ଓ ଲେକଚରର ସମାନ ହେଇଗଲେ । କିନ୍ତୁ ସ୍କୁଲମାନଙ୍କର ପରିଦର୍ଶକ ବା ହେଡ଼ମାଷ୍ଟର ଅଚଳ ହେଇଗଲେ ।

ତୃତୀୟ ଶ୍ରେଣୀରେ ରହିଲେ ଲେଖକ–ଯେଉଁମାନଙ୍କର ଚାକିରିର ସାଇଜ ବଡ଼ ଥିଲା ।

ଚତୁର୍ଥ ଶ୍ରେଣୀରେ ରହିଲେ ଓକିଲିଆ ଲେଖକ ଓ ଅନାବନା ଲେଖକ ।

ବର୍ଗୋତ୍ତମ ଶ୍ରେଣୀରେ ରହିଲେ ସଂବାଦପତ୍ର ସଂପାଦକ ।

ସେଇଠି ବୌଦ୍ଧିକତାର ବିଭିନ୍ନ ତରଙ୍ଗ ଆସି ମେଳ ଖାଉଥିଲା–ସଙ୍ଗୀତ ଆସର ପରି । ଲେଖକମାନେ ସେଇଠି ବୌଦ୍ଧିକତା ବୁଝିଥିଲେ ଓ ପ୍ରଚାର କରୁଥିଲେ ତାଙ୍କର ପ୍ରାସଙ୍ଗିକ ବନ୍ଧୁମେଳରେ ।

କିଏ କାହାକୁ କ’ଣ ବା କେମିତି ବୁଝିଲା–ସେଥିରେ ବାଦ ପ୍ରତିବାଦ ନିଷ୍ଫଳ । ଅନ୍ଧର ହାତୀ ଦେଖା ଗଳ୍ପ ଚାଲିଛି । ସେଇ ଗଳ୍ପ ସମସ୍ତଙ୍କୁ ବୁଝାଉଛି ଯେ ଦଳେ ଅନ୍ଧ ଏକାଠି ହେଲେ ତାଙ୍କର ଏକତ୍ର ଯୋଗାଯୋଗ ବିଚାରର ଫଳ ଶୁଭଦ ଓ ଶିକ୍ଷାପ୍ରଦ । ତେଣୁ ଯଦି ଓଡ଼ିଆ ଲେଖକ କୌଣସି କାରଣରୁ–ଭୟ, ଭ୍ରାନ୍ତି, ଲୋଭ, ଆଶା ବା ଜ୍ଞାନ ଅନୁଭବରୁ ଅନ୍ଧତ୍ୱ ପ୍ରାପ୍ତି ହୋଇଥାଏ ତାହାହେଲେ ଯୌଥ କାର୍ଯ୍ୟରେ ଅବଶ୍ୟ ଓଡ଼ିଶାର ସମସ୍ୟା ସମାଧାନ ହେବ ।

 

ଆଉ ଓଡ଼ିଆ ସାହିତ୍ୟର ଯଥେଷ୍ଟ ଅଗ୍ରଗତି ହେଇପାରିବ । କାରଣ ଗୋଟିଏ ଛୋଟିଆ କଥା ହେଲା–ଏବେ ବହୁଳ ପ୍ରଚାରିତ ନିରୋଧ ।

 

ଏହି ନିରୋଧ କଥା ଓଡ଼ିଆ ସାହିତ୍ୟରେ କେବଳ ଜଣେ ସାହିତ୍ୟିକ ଉଠାଇଛନ୍ତି–ସେ ହେଲେ ବିଶିଷ୍ଟ ଆଇନଜୀବୀ ଗାଳ୍ପିକ ଓ ଉପନ୍ୟାସକାର ଶ୍ରୀ ବିପିନ ବିହାରୀ ମହାନ୍ତି । ତାଙ୍କ ଛଡ଼ା ଆଉ ଜଣେ ଲେଖକ ଏହି ନିରୋଧ ବିଷୟରେ ସାମାନ୍ୟ କିଛି ଲେଖିଲା କି ? ।

 

କିନ୍ତୁ ଆମର ଜୀବନର ମୋଲାଏମ୍‌ ଯାତ୍ରାପଥକୁ ଗୌରବମୟ ଓ ସୌରଭମୟ କରିବାକୁ ଆମେ ପ୍ରତିଦିନ ନିରୋଧର ମାହାତ୍ମ୍ୟ କବିତା, ଗଳ୍ପ, ପ୍ରବନ୍ଧ ଓ ବିଜ୍ଞାପନ ଆକାରରେ ପାଞ୍ଚବର୍ଷ ହେଲାଣି ଉପଭୋଗ କରୁଛୁ ।

 

ଓଡ଼ିଆ ସାହିତ୍ୟିକ କାହିଁକି ଡରି ପଛଘୁଞ୍ଚା ଦେଲେ ? ସେମାନେ କ’ଣ ଜାଣିଶୁଣି ଏହି ବିଷୟର ବିରୋଧୀ । ତାହାହେଲେ ସେଇକଥା ବି ନାହିଁ କାହିଁକି ? ଚୁମ୍ବନ, ଆଲିଙ୍ଗନ ଓ ପ୍ରଳାପରେ ସାହିତ୍ୟ ଭରପୁର । କିନ୍ତୁ ଏହି ଅଂଶଟି ନାହିଁ ।

 

ସତ୍ୟ ଓ ସମସ୍ୟା ସହିତ ଧୋକାବାଜି କରି ଓଡ଼ିଆ ସାହିତ୍ୟିକ ତାହାର କଲମ ଚାଷ ଚଳାଇଥିଲା ତିରିଶିବର୍ଷ । ଆଜି ସେଥିରେ ସେ ସ୍ଥିତିବାଦ କଥା କହିଲାଣି । ଆଉ ସ୍ଥିତିବାଦ ବେଶ୍‌ ଫେସନିଆ କଥାବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ନିର୍ବାଚନରେ ସାହିତ୍ୟିକ ଶ୍ରୀଯୁକ୍ତ ସଦାଶିବ ମିଶ୍ର କୁଳପତି ଭାବରେ ଏହାର ବିସ୍ତାରିତ ଓ ସଂକ୍ଷିପ୍ତ ତତ୍ତ୍ୱ ଜାଣିବାକୁ ପ୍ରଶ୍ନ ପଚାରୁଥିଲେ-। କିନ୍ତୁ ଓଡ଼ିଆ ସାହିତ୍ୟର ସମସ୍ୟା ବିଷୟରେ ସଦାଶିବବାବୁ ବା ତାଙ୍କାର ସହଯୋଗୀ ଅଧ୍ୟାପକମାନେ ପଦେ ହେଲେ କୌଣସି ଅଧ୍ୟାପକଙ୍କୁ ପଚାରିଲେ ନାହିଁ ।

ପ୍ରଥମଥର ପାଇଁ ଓଡ଼ିଶା ପବ୍ଳିକ୍‌ ସର୍ଭିସ କମିସନର ସଭାପତି ଶ୍ରୀଯୁକ୍ତ ଚିନ୍ତାମଣି ମହାପାତ୍ର ତାଙ୍କର ଚାକିରିକାଳ ଅଣସ୍ତରୀ ମସିହାରୁ ପ୍ରତ୍ୟେକ ଓଡ଼ିଆ ପ୍ରାର୍ଥୀକୁ ଓଡ଼ିଆ ବହିର ନାମ ଓ ସେହି ବହିର ଲେଖକର ନାମ ଉପରେ ପ୍ରଶ୍ନ ପଚାରୁଥିଲେ ।

ଓଡ଼ିଆ ସାହିତ୍ୟ ଉପରେ ଏତିକି ହେଲା ବିଭାଗୀୟ ପ୍ରଚେଷ୍ଟା ଉତ୍କଳ ବିଶ୍ୱବିଦ୍ୟାଳୟ ଓ ପବ୍ଳିକ୍‍ ସର୍ଭିସ କମିସନ୍‌ ତରଫରୁ । ସେତକ ପୁଣି ହେଲା ସାମୟକ । ସଦାଶିବବାବୁ ଗଲେଣି । ତାଙ୍କର ପରବର୍ତ୍ତୀ ସାହେବ ଓଡ଼ିଆ ସାହିତ୍ୟ ବିଷୟରେ ସେତେ ଆଗ୍ରହୀ ନ ହୋଇପାରନ୍ତି । ଚିନ୍ତାମଣିବାବୁଙ୍କ ପରେ ବିରେନ୍‌ ସାହେବ ମଧ୍ୟ ଏହି ଅହେତୁକୀ ଆଗ୍ରହ ବା ଉତ୍ସାହ ଦେଖାଇ ନ ପାରନ୍ତି ।

ଚାରିଆଡ଼ୁ ଓଡ଼ିଆ ସାହିତ୍ୟର ପ୍ରୀତି ମଳିନ ଓ ନିଷ୍ପ୍ରଭ ହୋଇ ଆସୁଛି । ଓଡ଼ିଆ ସାହେବମାନେ ସଚିବାଳୟରେ ଓଡ଼ିଆ ସାହିତ୍ୟ କହିଲେ ଭାବୁଛନ୍ତି ତାଙ୍କର ଘରେ କଥାଭାଷା ଚଳୁଥିବା ଗୋଟାଏ ବିଷୟ ବା ସବ୍‌ଜେକଟ୍‌ । ଓଡ଼ିଆ ଅଫିସର ତାହାର ଓ ତାହାର ଚିହ୍ନା ଲୋକଙ୍କର ମଟରଗାଡ଼ି ବିଷୟରେ ଯାହା ଜାଣେ ତାହାର ଶହେଭାଗରୁ ଭାଗେ ମଧ୍ୟ ଓଡ଼ିଆ ସାହିତ୍ୟ ବିଷୟରେ ଜାଣେ ନାହିଁ ।

ମନ୍ଦ ପରିସ୍ଥିତି ନୁହେଁ । ଲେଖକ ତାହାର ସମାଜକୁ ଜାଣିବାକୁ ଚାହେଁ ନାହିଁ । ସମାଜର ମାତବର ଲୋକ ଲେଖକକୁ ଲେଖକ ଭାବରେ ନ ଜାଣି ଜଣେ ବ୍ୟକ୍ତି ହିସାବରେ ଜାଣୁଛନ୍ତି । ବିଶ୍ୱବିଦ୍ୟାଳୟ ଓ ସଚିବାଳୟ ଲେଖକ ଓ ସାହିତ୍ୟ କହିଲେ ବୁଝୁଛନ୍ତି ପୁସ୍ତକାଳୟ ଓ ପୁସ୍ତକାଗାର । ଏଥି ମଧ୍ୟରେ ଓଡ଼ିଆ ସାହିତ୍ୟ ତା’ର ଉଦ୍ଧତ ଓ ଗର୍ବ ନେଇ ଆନନ୍ଦରେ ବଞ୍ଚିଛି ।

ଏଇ ପ୍ରଶ୍ନ ପଚାରୁଥିଲେ ଜଣେ ସମ୍ପାଦକ ସୈନିକ ଓ ସ୍ପୋଟସମାନ୍‌ର ସମ୍ପାଦକ ଶ୍ରୀ ସୁବୋଧ କୁମାର ବେଉରିଆ । ବୟସ ପଚାଶ । ଯୁଦ୍ଧରେ ଆଘାତ ପ୍ରାପ୍ତ–ଅବସର ପ୍ରାପ୍ତି ସୈନିକ । ଜମି ଓ ଜମିଦାରୀ ଥିଲା । ପରିବାରର ମୁଖ୍ୟ ବ୍ୟକ୍ତି । କଟକ ସହରରେ ପିଲାଦିନୁ ଅଛନ୍ତି । ପ୍ରତ୍ୟେକ କେନ୍ଦ୍ର–ସାହିତ୍ୟ–ପୁରସ୍କୃତ ଓଡ଼ିଆ ତାଙ୍କୁ ଭଲ ଭାବରେ ଜାଣନ୍ତି ଓ ତାଙ୍କର ଜୀବନରେ ସମସ୍ୟା ସହିତ ଊଣା ଅଧିକେ ପରିଚିତ ।

ସାହିତ୍ୟ ଓ ସାଂସ୍କୃତିକ ସଭାସମିତି ଓ ଆନ୍ଦୋଳନ ସହିତ ସୁବୋଧବାବୁ ସମ୍ପୃକ୍ତ । ଲେଖକମାନଙ୍କୁ ସେ ପଚାରନ୍ତି ପ୍ରଶ୍ନଟିଏ–ଓଡ଼ିଆ ସାହିତ୍ୟରେ କେଉଁ ଲେଖକ, ଲେଖା ବା ଚରିତ୍ର ତାଙ୍କର ଘଟଣା ବହୁଳ ଉତ୍‌ଥାନ ଓ ପତନଭରା ଜୀବନର ନିକଟତମ ରୂପ ?

ଏହାର ଉତ୍ତର ହେଉଛି ଯେ ଓଡ଼ିଆ ସାହିତ୍ୟରେ ଏହିପ୍ରକାରର ସାଂସାରିକ ସଘର୍ଷ ଓ ମାନସିକ ଦ୍ୱନ୍ଦର ଚିତ୍ର ନାହିଁ । କାରଣ ପାଶ୍ଚାତ୍ୟ ସାହିତ୍ୟରେ ଏହି ପ୍ରକାରର ଚରିତ୍ର ଦେଖାଯାଉ ନାହିଁ । ଆମର ଓଡ଼ିଆ ଲେଖକଙ୍କର ଦୋଷ କ’ଣ ?

ଠିକ୍‌ ଏଇ କଥା ସୁବୋଧ ବାବୁଙ୍କର ଦିନକର ପଡ଼ୋଶୀ ନାଟ୍ୟକାର, ସମ୍ବାଦିକ ଓ ସୁସାହିତ୍ୟିକ ଶ୍ରୀ ସୁବୋଧ ଦାସ ବଲଙ୍ଗୀର ଛାଡ଼ି କଟକରେ ଥିଲାବେଳେ ଅଠାବନ ମସିହାରେ ପଚାରୁଥିଲେ । ସେ ମଧ୍ୟ ଗୋଟିଏ ଅତି ବିଚିତ୍ର ଜୀବନର ଜୀବନୀ । ତାଙ୍କର ପ୍ରଶ୍ନ ଥିଲା ଯେ ଓଡ଼ିଆ ସାହିତ୍ୟରେ ଓଡ଼ିଆଙ୍କର ଚିତ୍ର ଏତେ ଦୂର୍ବଳ କାହିଁକି ?

ଏହାର ଉତ୍ତର ଦେବା କଠିନ ଥିଲା । କାରଣ ଓଡ଼ିଆ ସାହିତ୍ୟ ସେତେବେଳେ ପ୍ରଚୁର ପ୍ରକାଶିତ ପୁସ୍ତକ ଦେଖାଇ ପାରୁ ନ ଥିଲା ।

କିନ୍ତୁ ସେହି ପ୍ରଶ୍ନ ଏବେଯାଏ ସେମିତି ଜୀଇଁରହି ଓଡ଼ିଶାର ଲେଖକମାନଙ୍କୁ ଆହ୍ୱାନ ଜଣାଉଛି । ଏହି ସାହିତ୍ୟରେ କୌଣସି ପୁସ୍ତକର ଚରିତ୍ର ଚିନ୍ତ୍ରଣରେ ଡକ୍ଟର ହରେକୃଷ୍ଣ ମହତାବ, ଶ୍ରୀ ବିଜୁ ପଟ୍ଟନାୟକ, ଶ୍ରୀ ହରିହର ମହାପାତ୍ର, ଶ୍ରୀମତୀ ନନ୍ଦିନୀ ଶତପଥୀ ବା ଶ୍ରୀ ବିବୁଧେନ୍ଦ୍ର ମିଶ୍ର ପ୍ରମୁଖ ସାହିତ୍ୟିକ ଓ ସାଧକର ବିଚିତ୍ର ଜୀବନୀର ସାମାନ୍ୟ ପ୍ରତିବିମ୍ବ ଲେଖା ଓ ଚିତ୍ର ହୋଇ ପାରି ନାହିଁ ।

ଓଡ଼ିଆ ପାଠକ ଓଡ଼ିଆ ବହିରୁ ଏହି ପ୍ରକାରର ବିଚିତ୍ର ପୁରୁଷକାର ସମ୍ବଳିତ ଚରିତ୍ର ଗୋଟିଏ ସୁଦ୍ଧା ପାଇପାରୁ ନାହିଁ । ଜୀବନୀ ଓ ସାହିତ୍ୟ ଯେପରି ଗୋଟିଏ କଥାର ଦୁଇଟି ଦିଗ ସେହିପରି ଜୀବନୀ ଓ ଇତିହାସ ମଧ୍ୟ ଏକା ପର୍ଯ୍ୟାୟର । ଆମର ଅନେକ ଜୀବନୀ–ସର୍ବସ୍ୱ ସାହିତ୍ୟିକ ଓ କିମ୍ବଦନ୍ତୀ–ଅନୁସାରୀ ଲେଖକ ଅଛନ୍ତି ।

 

ବିଜୁବାବୁଙ୍କର ଜୀବନର ଆଧାର ହେଲା–ଆମି ଚାଓଆ (ଖୋଜିବା) ଓ ପାଓଆର (ପାଇବାର) ଊର୍ଦ୍ଧ୍ୱେ ଚଲେଗେଛି । ମହତାବବାବୁଙ୍କର ଲିଖିତ ମନ୍ତବ୍ୟ ହେଲା–ଆମି ଶ୍ରାନ୍ତ, ଆମି କ୍ଳାନ୍ତ, ଆମାକେ ବିଦାୟ ଦାଓ । ହାଇକୋଟ ଜଜ୍‌ ଶ୍ରୀ ହରିହର ମହାପାତ୍ରଙ୍କର ମୂଳତତ୍ତ୍ୱ ହେଲା–ବୌଦ୍ଧିକତାର ସମକାଳୀନ ଅର୍ଥ ଯେତେବେଳେ ଯିଏ । ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କର ଭାବନା ହେଲା–ଜଣେ ଯାହା ସମ୍ଭବ କରିପାରିଛି ତା’କୁ ଆଉ ଜଣେ କରିପାରିବ । ଶ୍ରୀ ବିବୁଧେନ୍ଦ୍ର ମିଶ୍ରଙ୍କର ମତ ହେଲା–ଜୀବନଟା ଗୋଟାଏ ଜୁଆଖେଳ ।

 

ବହୁ ଜନ୍ମର ସାଧନା ପରେ ଏହି ମର ଶରୀରରେ ଏହି ପ୍ରକାରର କର୍ମମୟ ଜୀବନର ଅଧିକାରୀ ହେବା ସମ୍ଭବ । ଆଉ ସେହି ମଣିଷ ଦେହରେ ଚାଳିଶିବର୍ଷ ଆଖପାଖ ବୟସରେ ଏହିପରି ସାଫଲ୍ୟର ସ୍ୱୀକୃତି ପାଇବା କ୍ୱଚିତ୍‌ ସମ୍ଭବ ।

 

କିନ୍ତୁ ଓଡ଼ିଆ ଲେଖକ ଆଖିରେ ଏହିସବୁ ହେୟ । ଅଥଚ କାହ୍ନୁଚରଣ ମହାନ୍ତିଙ୍କର ବଗବଗୁଲି ଶ୍ରୀ ଦଶରଥ ସାମଲଙ୍କ ବହିରେ ଲେଖକ ରାଜକିଶୋରର ଜୀବନର କିୟଦଂଶ ସ୍ଥାନ ପାଇଛି । ତେଣୁ ଉଚିତ ପ୍ରକାରରେ କହିହେବ ଯେ ଓଡ଼ିଆ ଲେଖକ ତାହାର ବହିପାଇଁ ବିଷୟ ଓ ବ୍ୟକ୍ତି ମନୋନୟନ କଲାବେଳେ କିଛି କଥା ବିଚାରକୁ ନେଇପାରେ ନାହିଁ । କାରଣ ତାହାର ମାପ ଓଜନ ଓ ନିକିତି ଅତି ଛୋଟିଆ ପ୍ରକାରର ।

 

ଓଡ଼ିଆ ପାଠକ ଓଡ଼ିଆ ବହିରୁ ତାହାର ସମକାଳୀନ ସମାଜର ଜଣାଶୁଣା ପୁରୁଷ ଓ ସ୍ତ୍ରୀ ଓ ଅବସ୍ଥା ବିଷୟରେ କିଛି ପାଇବ ନାହିଁ । ସେ ବାଧ୍ୟରେ ବଙ୍ଗଳା ବା ହିନ୍ଦୀ ସାହିତ୍ୟକୁ ଯାଇ ତାହାର ମନର ପରିପୂରକ ବିଷୟ ଖୋଜିବ ।

 

ଏମରସନ୍‌ ମଧ୍ୟ ସଂସାର ବିଷୟରେ ବିତସ୍ପୃହ ହୋଇ ଲେଖିଲେ–

ଗୁଡ଼୍‌ ବାଇ, ପ୍ରାଉଡ଼୍‌ ଉଆର୍‌ଲଡ଼୍‌

ଆଇ ଆମ ଗୋଇଙ୍ଗ ହୋମ୍‌

ଲଙ୍ଗ ଆଇ ଆମ୍‌ ଉଏରୀ

ଆଇ ଆମ ଫାର୍‌ ଫ୍ରମ୍‌ ହୋମ୍‌ ।

ମହତାବବାବୁ ଏମରସନଙ୍କ ଦର୍ଶନ ଓ ଉକ୍ତି ସହିତ ପରିଚିତ । କିନ୍ତୁ ରବୀନ୍ଦ୍ର ନାଥଙ୍କର ଉକ୍ତିକୁ ସେ ପସନ୍ଦ କଲେ–ଆମି ଶ୍ରାନ୍ତ, ଆମି କ୍ଳାନ୍ତ, ଆମାକେ ବିଦାୟ ଦାଓ ।

ଓଡ଼ିଆ ସାହିତ୍ୟରେ ଏହି ବ୍ୟଞ୍ଜନା ଥିଲେ ସେ ବଙ୍ଗଳାକୁ ଯାଇ ନ ଥାନ୍ତେ ବା ବଙ୍ଗଳାରୁ ଧାଡ଼ିଏ ଆଣି ନିଜକୁ ବୁଝି ନ ଥାନ୍ତେ ।

ସେହିପରି ଆମି ଚାଓଆ (ଖୋଜିବାର) ଓ ପାଓଆର (ପାଇବାର) ଊର୍ଦ୍ଧ୍ୱେ ଚଲେଗେଛି-। ଏହି କଥାଟି ଏଠି ଦୁଇକୋଟି ଓଡ଼ିଆଙ୍କ ଭିତରେ କେତେଜଣଙ୍କର ଉକ୍ତି ବା ଇଚ୍ଛା-। ଏହି ସମାଜରେ ଏତେଗୁଡ଼ିଏ ଛୋଟ ମଣିଷ ରହିଛନ୍ତି ଯେ କେହିହେଲେ ଏହିପରି ଦି’ଧାଡ଼ି ନିଜ ଜୀବନରେ ପ୍ରମାଣିତ କରିପାରିଲା ନାହିଁ ।

ଅଥଚ ଶିବାନନ୍ଦ, ଅନୁକୂଳଚନ୍ଦ୍ର, ଅରବିନ୍ଦ, ଶ୍ରୀମା, ସତ୍ୟସାଇ ବାବାଙ୍କର ଉତ୍ସବରେ ଅସଂଖ୍ୟ ଲୋକ ତ୍ୟାଗର ଦୀକ୍ଷା ନେଇ ସନ୍ତୋଷ ହେଇ ଜୀବନକୁ ଠେଲିବେ ବୋଲି ଯାଇ ବସୁଛନ୍ତି । କିନ୍ତୁ ଚାଓଆ ପାଓଆ (ଖାଜିପାଇବାର)ର ତଳ ସ୍ତରରୁ ମଧ୍ୟ କେହି ଉପରକୁ ଉଠିଲା ନାହିଁ ।

 

ଲେଖକମାନେ ଓ ବୌଦ୍ଧିକମାନେ ଓ ଧନୀମାନେ ଏହି ସ୍ତରରୁ ଉପରକୁ ଉଠିବେ ବେଲି ଲୋକେ ଭାବୁଥିଲେ । ସେତକ ମିଛ ବୋଲି ଜଣା ପଡ଼ିଲାଣି । ଓଲଟି ସମସ୍ତେ ଲାଗୁଛନ୍ତି ରାଜସ୍ଥାନୀ ବଣିକର କଥା ନେଇ–ମା, ମା, ମେରା ଅଞ୍ଜଳୀ ଭର୍‌ ଦୋ ।

 

ଏହି ଅଞ୍ଜଳୀ କେବେ ଆପଣଛାଏଁ ବନ୍ଦ ହେବ ? ଆଉ ସେମାନେ କଲମ ଚଳାଇବେ–ଆମର ଓଡ଼ିଆ ସମାଜର ବିଶ୍ୱାସର ଭିତ୍ତି ଉପରେ ?

 

ଏଇ ହାତୀ ଘୋଡ଼ା

ଏଇ ପାଟଛତା

ତୋହରି ବାପର ଥିଲା ।

ଗଲାବେଳେ ସେହି ଗୋବିନ୍ଦଚନ୍ଦ୍ରରେ

ଛିଣ୍ଡା ପଲଙ୍କରେ ଗଲା–

 

ଏଇ ଗୀତଟି ଖାଲି ଭାଟଭିକାରୀଙ୍କର ବଞ୍ଚିବାର ଆୟୁଧ ନୁହେଁ । ସାହିତ୍ୟିକ ଗୋପୀନାଥ ପ୍ରମୁଖ ଏଇ ତତ୍ତ୍ୱରେ ଅସ୍ଥିର । ଆମେ ଯେଉଁମାନେ ମନବୋଧ ଚଉତିଶାକୁ ଆମର ବିଶ୍ୱାସର ଭିତ୍ତି ବୋଲି ଗ୍ରହଣ କରିଥାଉ ଓ ମଝିରେ ମଝିରେ ନିଜକୁ ଶୁଣାଇଥାଉ–

 

ଛ’ଖଣ୍ଡି କାଠ ହେବ ତୋ’ପାଇଁ ଲୋଡ଼ା

ଛୁଇଁବେ ନାହିଁ ତତେ ବୋଲିବେ ମଡ଼ା

 

ଆମେ ସମସ୍ତେ ଏହିସବୁ ପୃଷ୍ଠଭୂମିରେ ମଣିଷ ହୋଇ ନିଜତ୍ୱ ହରାଇଲୁ କାହିଁକି ? ସସାଂର ଓ ସମାଜ ଆମକୁ ଭ୍ରଷ୍ଟ କଲା ? –ନା–ଆମେ ଆମର ପ୍ରବୃତ୍ତିରେ ଆଗେ ଭ୍ରଷ୍ଟାଚାରୀ ହୋଇ ତା’ପରେ ସମାଜକୁ ଧ୍ୱଂସ କରିବାରେ ଲାଗିଲୁ ?

 

ଏହି ପ୍ରଶ୍ନ ପଚାରୁଛି କଲିକତାର ଠଣଠଣିଆ କାଳିବାଡ଼ୀ ପାଖର ରାସ୍ତାରେ ଦଣ୍ଡି, ଗୁଣା, ନୋଲକ ନାଇ ମାଟିପିଣ୍ଡାରେ ବସିଥିବା ଖାନକୀ ଓ ବେଶ୍ୟା ।

 

ଏହି ପ୍ରଶ୍ନ ପଚାରୁଛି ବନବାସୀ ଓ ହରିଜନ ମନ୍ତ୍ରୀଙ୍କର କରୁଣା ପ୍ରାର୍ଥୀନୀ ଆମର ବର୍ଣ୍ଣାଶ୍ରମ–ଗର୍ବିତା ଓ ଦାମିକା ପାଟସିଲ୍‌କ ପିନ୍ଧାଳୀ ସରକାରୀ ଓ ବେସରକାରୀ ମହିଳା ସମାଜ ।

 

ଏହି ପ୍ରଶ୍ନ ପଚାରୁଛନ୍ତି ଆଜିର ଉଠନ୍ତା ଶିକ୍ଷିତା ନାରୀ–କ’ଣ କହୁଛନ୍ତି ଆଜ୍ଞା । ନିଜକୁ ବିଲୋପ ନ କଲେ କ’ଣ ଆମର ସ୍ଥିତି ରହିବ ନାହିଁ ?

 

ଏସବୁ ପ୍ରଶ୍ନର ଉତ୍ତର କ’ଣ ଆମର ବର୍ଣ୍ଣାଢ଼୍ୟ ଉପନ୍ୟାସମାନ ଦେଲେ–ଅମୃତର ସନ୍ତାନ ? ମାଟିମଟାଳ ? ଲୁହାର ମଣିଷ ? ଶତାବ୍ଦୀର ନଚିକେତା ? ସୁଲତାନା ? ନରକିନ୍ନର ? ବଜ୍ରବାହୁ ? କହିବାକୁ ଲାଜ ? ତାମସୀ ରାଧା ? କିଏ ? କିଏ ? ସେହି ଳେଖକମାନେ ଏହାର ଉତ୍ତର ଦେଇ ପାରିବେ କି ? ନା, ଅଦରକାରୀ ଓ ଅବାନ୍ତର କହି ନିରୁତ୍ତର ରହିବେ ?

 

ଆଜି ତେସ୍ତରୀମସିହା ଅପ୍ରେଲମାସ ଏଗାର ତାରିଖର ମନୋଜ୍ଞ ପରିବେଶରେ କଟକର ପ୍ରଜାତନ୍ତ୍ର ପ୍ରଚାର ସମିତିର ବିଷୁବ ମିଳନ ଉତ୍ସବରେ ସମବେତ ଓଡ଼ିଆ ପାଠକ ଓ ଓଡ଼ିଆ ଲେଖକମାନଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବା ଓ ଦିଆଇବା ପାଇଁ ନିବେଦନ ।

Image